STORYMIRROR

ପ୍ରିୟଦର୍ଶିନୀ ମହାନ୍ତି

Inspirational

3  

ପ୍ରିୟଦର୍ଶିନୀ ମହାନ୍ତି

Inspirational

ଖଣ୍ଡେ ରୁଟି

ଖଣ୍ଡେ ରୁଟି

4 mins
335


 


    ଚିରା, କୋତରା ମଇଳା ଧୋତି ପିନ୍ଧା ଭିକାରୀଟି। ବାମ ହାତରେ ଗୋଟିଏ ନଥା ପଡିଥିବା ମୁଣା ଓ ଅନ୍ୟ ହାତରେ ବାଡିଟି ଧରି ଉପସ୍ଥିତ ହୋଇଯାଏ ଭିକାରୀଟି।ଦେହର ଛ ଖଣ୍ଡ ହାଡ଼ ସମ୍ପୂର୍ଣ୍ଣ ବାରି ହେଇଯାଉଥାଏ।"ମା ଗଣ୍ଡେ ଭିକ ଦିଅ" ପ୍ରତ୍ୟେକ ଦିନ ଭିକାରୀଟି ମିନତୀ ଦେବୀଙ୍କ ଦ୍ୱାର ମୁହଁରେ ଠିଆ ହୋଇ ମାଗେ। ମିନତୀ ଦେବୀ ଚିଡିଚିଡି ହୋଇ ଘରୁ ଥାଇ ପାଟି କରି କୁହନ୍ତି ରାତି ନ ପାହୁଣୁ, କୁଆ ନ ରାବୁଣୁ କୁଆଡୁ କୁଆଡୁ ଚାଲି ଆସୁଛନ୍ତି ଭିକ ମାଗିବାକୁ। କିଛି କାମ ଧନ୍ଦା ଅଛି ନା ନାହିଁ।ମଣିଷ ବାସି ପାଇଟି କରିବ କି ଘର କଥା ବୁଝିବ ନା ଏ ଭିକାରୀଙ୍କୁ ଭିକ ଦେବ।ଏତିକି କହି ମିନତୀ ଦେବୀ ଦାଣ୍ଡ କବାଟ କିଳି ଚାଲିଆସନ୍ତି। ବିଚରା କର୍ମକୁ ଆଦରି ଫେରି ପଳାଏ ମିନତୀ ଦେବୀଙ୍କ ଦ୍ୱାର ମୁହଁରୁ।ହେଲେ ପୁଣି ତା'ପର ଦିନ ଆସିଯାଏ ଦ୍ୱାରକୁ। ମିନତୀ ଦେବୀ କର୍କଶ ସ୍ୱରରେ ସମାନ କଥା କହି ଫେରେଇ ଦିଅନ୍ତି। ଭିକାରୀଟି ଉପରେ କିନ୍ତୁ ଏ କଥା କିଛି ଫରକ ପଡେନି।କଣ ପାଇଁ ବା ଫରକ ପଡିବ।ନୀତିଦିନ ଭିକ ମାଗିବା ତା'ର ବେଉସା। ନ ମାଗିଲେ ଭୋକରେ ରହିବାକୁ ପଡିବ ସେଥିପାଇଁ ନିର୍ଲଜ ମୁହଁରେ ବାର ଦୁଆର ବୁଲିବାକୁ ପଡେ।



  ମିନତୀ ଦେବୀଙ୍କ ପୁଅ ଶୁଭମ।ଚତୁର୍ଥ ଶ୍ରେଣୀରେ ପଢେ ।ଥରେ ମିନତୀ ଦେବୀ ଶୁଭମକୁ ସକାଳ ଜଳଖିଆ ପାଇଁ ଦୁଇ ଖଣ୍ଡ ରୁଟି ଆଉ କ୍ଷୀର ଖାଇବାକୁ ଦେଲେ।ଖାଇସାରି ପଢ଼ାଘରେ ବସି ପଢିବାକୁ କହି ଘର କାମରେ ବ୍ୟସ୍ତ ରହିଗଲେ। ଠିକ ସେହି ସମୟରେ ଭିକାରୀଟି ଦୁଆରରେ ଆସି ଡାକ ପକାଇଲା" ମା' ଗଣ୍ଡେ ଭିକ ମିଳୁ।" ବହୁତ ସମୟ ଡାକିଲା। ମିନତୀ ଦେବୀ ରୋଷେଇ ଘରେ ବ୍ୟସ୍ତ ଥିଲେ। ଭିକାରୀର ଡାକ ଶୁଣି ମଧ୍ୟ ନ ଶୁଣିଲା ପରି କିଛି ଉତ୍ତର ଦେଲେ ନାହିଁ।ମନେମନେ ରାଗୁଥାନ୍ତି। ଏଣେ ପଢ଼ାଘରେ ଶୁଭମକୁ ଭିକାରୀର ଡାକ ଶୁଭୁଥାଏ। ଶୁଭମ ପଢ଼ାଘରୁ ଉଠି ମା' ପାଖକୁ ଯାଇ କହିଲା,"ମା ଭିକାରୀଟି କେତେବେଳୁ ଡାକିଲାଣି,କଣ ଟିକେ ଖାଇବାକୁ ଦେଇଦିଅ।" ମିନତୀ ଦେବୀ ବିରକ୍ତ ହୋଇ କହିଲେ,"ତତେ କିଏ କହିଲା ପଢା ପାଖରୁ ଉଠି ଆସିବାକୁ?ତୁ ଯା ତୋ କୋଠରୀରେ ପଢିବୁ"।ମା' କଥା ଶୁଣି ଶୁଭମ କହିଲା, "ମା' ସ୍କୁଲରେ ସାର କହିଥିଲେ, ଅନ୍ୟର ଉପକାର କରିବା ଭଲ। ଗରିବ ଅସହାୟଙ୍କୁ ଏବଂ ଅସୁବିଧାରେ ପଡିଥିବା ଲୋକଙ୍କୁ ସାହାଯ୍ୟ କଲେ ଭଗବାନଙ୍କ କୃପା ମିଳେ। ଆମେ ଅନ୍ୟର ଉପକାର କରିଥିଲେ ଆମର ଅସୁବିଧା ବେଳେ ଭଗବାନ କାହାକୁ ନ କାହାକୁ ଆମର ସାହାଯ୍ୟ ପାଇଁ ନିଶ୍ଚୟ ପଠାନ୍ତି।କେବଳ ମଣିଷ ନୁହେଁ ପଶୁପକ୍ଷୀଙ୍କୁ ମଧ୍ୟ ସାହାଯ୍ୟ କରିବା ଆମର କର୍ତ୍ତବ୍ୟ। ଆମେ ସେମାନଙ୍କଠାରୁ ଅନେକ ଉପକାର ମଧ୍ୟ ପାଉ।


ଶୁଭମର କଥା ଶୁଣି ମିନତୀ ଦେବୀ କହିଲେ, "ଏବେ ସରିଲା ତୋ କଥା, ଏତେ ଉପଦେଶ , ନୀତିଶିକ୍ଷା ମତେ ଶୁଣେଇବା ଅପେକ୍ଷା ଯା ବସି ପଢିବୁ। ପାଠ ପଢ଼ାରେ ମନ ଦେ। ପରୀକ୍ଷା ମୁଣ୍ଡ ଉପରେ।" ମା'ଙ୍କ ରାଗ ଦେଖି ଶୁଭମ ଆଉ କିଛି ନ କହି ଚାଲିଗଲା ପଢା ଘରକୁ।ପଢା ଘରେ ଯାଇ ବସିଲା,ହେଲେ ପଢ଼ାରେ ମନ ଲାଗୁଛି କୋଉଠି। କିଛି ଗୋଟେ ଚିନ୍ତା କଲା ପରି ବସିଲା। ମା' ଦେଇଥିବା ଦୁଇ ଖଣ୍ଡ ରୁଟିରୁ ସେ ଖଣ୍ଡେ ଖାଇସାରିଛି। ଆଉ ଖଣ୍ଡେ ରୁଟିକୁ ସେ ଭିକାରୀକୁ ଦେବ ବୋଲି ଭାବି ଦାଣ୍ଡ କବାଟ ଖୋଲି ବାହାରକୁ ଗଲା। ଚାରିଆଡେ ଆଖି ବୁଲାଇଲା ହେଲେ ଭିକାରୀଟିକୁ ଦେଖିଲା ନାହିଁ।ଭିକାରୀଟି ସେ ସ୍ଥାନ ଛାଡି ଚାଲିଯାଇଥିଲା। ଶୁଭମ ଖୋଜି ଖୋଜି କିଛିବାଟ ଗଲା ପରେ ଭିକାରୀଟିକୁ ଦେଖିଲା। ମା'ର ଏମିତି ବ୍ୟବହାର ପାଇଁ ସେ ଭିକାରୀକୁ କ୍ଷମା ମାଗିଲା। ଛଳଛଳ ଆଖିରେ ଭିକାରୀଟି ଶୁଭମ ମୁଣ୍ଡକୁ ଆଉଁସି କହିଲା," ଆରେ ଧନ ଏଇଟା ତ ମୋ ନିତିଦିନିଆ କଥା।ମୋ ଦେହସୁହା ହୋଇଗଲାଣି।ତୁ କାଇଁ କ୍ଷମା ମାଗୁଛୁ? ଏହି କଥା ଶୁଣିବା ପରେ ଶୁଭମ ଖଣ୍ଡେ ରୁଟି ଭିକାରୀ ହାତକୁ ବଢ଼େଇଦେଲା।" ଭିକାରୀଟି କୋଟି ପରମାୟୁ ହେଉ କହି ରୁଟି ଖଣ୍ଡକ ଧରି ଚାଲିଗଲା।ଶୁଭମ ମନ ଭାରି ଖୁସି ଯେ ସେ ଭିକାରୀଟିକୁ ରୁଟି ଦେଇପାରିଛି।


  ତେଣେ ମିନତୀ ଦେବୀ ଶୁଭମକୁ ପଢ଼ାଘରେ ନ ପାଇ ଘର ଗୋଟାକ ଯାକ ଖୋଜି ଖୋଜି ହାଲିଆ। ପାଖ ପଡ଼ିଶା ଘର ବି ଖୋଜିସାରିଲେଣି। ସାଙ୍ଗସାଥୀମାନଙ୍କୁ ବି ପଚାର

ିସାରିଲେଣି। ହେଲେ ଶୁଭମର ପତା ମିଳୁନି।ମିନତୀ ଦେବୀ ମନକୁ ପାପ ଛୁଇଁଲା। ଘର ପାଖରେ ଥିବା ପୋଖରୀ , କୂଅ, ପଡିଆ ବି ଖୋଜିସାରିଲେଣି।ହେଲେ ପାଇଲେ ନାହିଁ।ଘରକୁ ଫେରିଆସି ଠାକୁର ଘରେ ଦୀପଟିଏ ଜାଳି ବସିପଡ଼ିଲେ ଆଣ୍ଠୁମାଡ଼ି।କେତେ ଗୁହାରି, ପ୍ରାର୍ଥନା ଅଜାଡି ଦେଲେ ଠାକୁରଙ୍କ ଚରଣରେ। ଠିକ ସେହି ସମୟରେ ଘରକୁ କିଏ ଧାଇଁଆସିବାର ଶବ୍ଦ ଶୁଣି ମିନତୀ ଦେବୀ ଉଠି ଦେଖନ୍ତି ତ ତାଙ୍କ ପୁଅ ଶୁଭମ। ଧାଇଁଯାଇ ମିନତୀ ଦେବୀ ପୁଅକୁ କୁଣ୍ଢାଇ କାନ୍ଦିବାକୁ ଲାଗିଲେ। ଶୁଭମକୁ ସବୁକଥା ପଚାରିଲେ। ଶୁଭମ ଗୋଟିଗୋଟି କରି ସବୁ କଥା କହିଲା।ମିନତୀ ଦେବୀ କାନ୍ଦ କାନ୍ଦ ହୋଇ ଶୁଭମକୁ କହିଲେ ," ତୁ ଛୋଟ ପିଲା।ଦୁନିଆଁ କଣ ତୁ ଚିନ୍ହିନୁ, ଜାଣିନୁ।କାହାକୁ କିଛି ନ କହି ଏମିତି ବାହାରକୁ ଚାଲିଯିବାଟା ଠିକ ନୁହେଁ।ଯଦି ତୋର କିଛି ହୋଇଯାଇଥାନ୍ତା ତେବେ ମୁଁ କେମିତି ଜୀବନ ଧରି ରହିଥାନ୍ତି। ଯଦି ଭିକାରୀଟି ତତେ ଫୁସୁଲା ଫୁସୁଲି କରି କେଉଁଆଡ଼େ ନେଇଯାଇଥାନ୍ତା ମୁଁ ତେବେ କଣ ତତେ ଆଉ ପାଇଥାନ୍ତି!" ଶୁଭମ ଉତ୍ତର ଦେଲା, ନା ମା, ବହୁତ ଭଲ ସେ ଭିକାରୀ ଜଣଙ୍କ। ମତେ ଆଶୀର୍ବାଦ ଦେଲେ। 


  ଘଟଣାର କିଛିଦିନ ବିତିଗଲା। ଶୁଭମ ଯାଉଥିବା ସ୍କୁଲର ବାହାରେ ସେହି ଭିକାରୀଟି ବସି ଭିକମାଗେ।ସ୍କୁଲ ଛୁଟିବେଳେ ଦୂରରେ ଥାଇ ଦୁହେଁ ଦୁହିଁଙ୍କୁ ଚାହିଁ ଧୀରେ ହସି ଦିଅନ୍ତି। ଏମିତି କିଛିଦିନ ପରେ ଥରେ ଶୁଭମ ସ୍କୁଲରୁ ବାହାରି ରାସ୍ତା ପାର ହେଉଥାଏ।ଶୁଭମ ରାସ୍ତାର ମଝିରେ ଥିଲାବେଳେ ହଠାତ ଦ୍ରୁତ ଗତିରେ ତା ଆଡ଼କୁ ଏକ ଗାଡି ଚାଲିଆସିଲା।ଭିକାରୀଟିର ନଜର ପଡିଗଲା ସେହି ଦିଗକୁ। ଶୁଭମ ଅନ୍ୟମନସ୍କ ହେତୁ ଜାଣିପାରିଲା ନାହିଁ।ଭିକାରୀଟି ଅତି କଷ୍ଟରେ ଧାଇଁ ଶୁଭମକୁ ଭିଡ଼ିଆଣିଲା ରାସ୍ତାର ଏକ ପାର୍ଶ୍ଵକୁ। ଦୁହେଁ ଗଡି ପଡି ରାସ୍ତା କଡରେ ପଡିଥିବା ପଥରରେ ବାଜିଲେ। ଭିକାରୀଟିର ମୁଣ୍ଡରେ ପଥରଟି ବାଜି ଗଭୀର କ୍ଷତ ଲାଗିଥାଏ।ହେଲେ ମଧ୍ୟ ସେ ଶୁଭମକୁ କୁଣ୍ଢାଇ ଧରିଥାଏ।ଭିକାରୀଟି ଶୁଭମକୁ ଉଠାଇ ଝାଡ଼ିଝୁଡ଼ି ଦେଲା। ଭିକାରୀଟିର ମୁଣ୍ଡରୁ ରକ୍ତ ଧାର ଧାର ହୋଇ ବୋହିଯାଉଥାଏ।ଶୁଭମର ପାଣି ବୋତଲରୁ ଦୁହେଁ ଅଳ୍ପ ଅଳ୍ପ ପାଣି ପିଇ କିଛି ସମୟ ବସିଗଲେ।


 ଶୁଭମର ମା ପୁଅର ଘରବାହୁଡା ବିଳମ୍ବ ହେବା ଦେଖି ଚିନ୍ତିତ ହୋଇପଡିଲେଣି। ପଡ଼ିଶା ଘର ପିଲାମାନେ ଘରକୁ ଲେଉଟି ଆସିଲେଣି।ଅଥଚ ଶୁଭମ କୁଆଡେ ଗଲା।ପିଲାମାନଙ୍କୁ ପଚାରିବାରୁ ପିଲାମାନେ କିଛି ଜାଣିନାହାନ୍ତି ବୋଲି ଉତ୍ତର ଦେଲେ। ଠିକ ସେହି ସମୟରେ ଭିକାରୀଟି ଶୁଭମକୁ ଧରି ଦୂରରୁ ଆସୁଥିବାର ଦେଖିଲେ ମିନତୀ ଦେବୀ।ଭିକାରୀ ପାଖକୁ ଧାଇଁଯାଇ ଶୁଭମକୁ ତା ହାତ ପାଖରୁ ଜୋର କରି ଭିଡ଼ିଆଣିଲେ। ଭିକାରୀକୁ କିଛି କହିବାକୁ ଉଦ୍ୟମ ହୁଅନ୍ତେ ମିନତୀ ଦେବୀ ଦେଖିଲେ ଭିକାରୀ ମୁଣ୍ଡରୁ ଧାର ଧାର ରକ୍ତ। ଶୁଭମର ମଧ୍ୟ ପୋଷାକ ଧୂଳିମାଟି ହୋଇଛି। କଣ ଘଟଣା ଘଟିଛି ବୋଲି ମିନତୀ ଦେବୀ ପ୍ରଶ୍ନ କରିବାରୁ ଶୁଭମ ସମ୍ପୂର୍ଣ୍ଣ ଘଟଣାଟି ଆମୂଳଚୂଳ ବର୍ଣ୍ଣନା କଲା।



  ସବୁ କଥା ଶୁଣି ମିନତୀ ଦେବୀ ତାଟକା ହୋଇଗଲେ।କଣ ଯେ ହୋଇଥାନ୍ତା ଏବେ।ମିନତୀ ଦେବୀ ନିଜର ଭୁଲ ବୁଝିପାରିଲେ। ଲାଜରେ ତାଙ୍କ ମୁଣ୍ଡ ତଳକୁ ନଇଁଗଲା। ଭିକାରୀଟିକୁ ଦେଇଥିବା ଅପମାନ ଓ ଭର୍ତ୍ସନା ତାଙ୍କର ମନେ ପଡିଗଲା। ଭିକାରୀଟିକୁ ଗଣ୍ଡେ ଭିକ ନ ଦେଇଥିବାରୁ ଲଜ୍ଜିତ ଅନୁଭବ କଲେ।ତାକୁ ପିଲାଚୋର ବୋଲି ବି ଭାବିଦେଇଥିଲେ।କିନ୍ତୁ ଆଜି ସେଇ ଭିକାରୀଟି ଯୋଗୁ ତାଙ୍କର ଏକୋଈରବାଳା ବିଶିକେଶନକୁ ସେ ପୁଣି ଦେଖିବାକୁ ପାଇଲେ।ନିଜକୁ ସତ ଧିକ୍କାର କଲେ ସେ। ସେ ଭିକାରୀଟିର ପାଦ ଧରି କାନ୍ଦିଲେ। ଭିକାରୀଟି ମିନତୀ ଦେବୀ ଙ୍କ ମୁଣ୍ଡରେ ହାତ ମାରି କଲ୍ୟାଣ କରି କହିଲା," ମା ଏ କଣ କରୁଚ। ମୋ ଭିକାରୀଟିର ପାଦ ଧରି ଆଉ ମତେ ଛୋଟ କରନ୍ତୁନି। ପାପ ଲାଗିବ ମତେ, ନର୍କରେ ବି ଜାଗା ମିଳିବନି।ଆପଣଙ୍କ ପୁଅ ବହୁତ ଭଲ। ବଡ଼ ହୋଇ ନାଁ କରିବ। ଭାରି ଦୟାଳୁ।ମଣିଷ ପରି ମଣିଷ ଟିଏ ହେବ।ଏତକ କହି ଭିକାରୀଟି ଚାଲିଗଲା।ମିନତୀ ଦେବୀ ସେଇଠି ଠିଆ ହୋଇ ଭାବୁଥାନ୍ତି- ମୋ ପୁଅର ଉଦାରବଶତଃ ଖଣ୍ଡେ ରୁଟି ବଦଳରେ ଭଗବାନ ତା'ର ଜୀବନ ବଞ୍ଚେଇଦେଲେ। ଏ ଭିକାରୀ ନୁହେଁ ତ ମୋ ଭଳି ହତଭାଗିନୀ ପାଇଁ ଦେବଦୂତ।


Rate this content
Log in

Similar oriya story from Inspirational