STORYMIRROR

Sarmistha Palai

Inspirational

3  

Sarmistha Palai

Inspirational

କହି ଜାଣିଲେ କଥା ସୁନ୍ଦର

କହି ଜାଣିଲେ କଥା ସୁନ୍ଦର

3 mins
143


ରାତି ପ୍ରାୟ ୯ ଟା' ହେବ।ଗୋଟେ ପରିବାର ମଧ୍ୟରେ ବହୁତ ଝଗଡା ହେଲା।ପରିବାର କହିଲେ ବାପା,ମା,ପୁଅ,ନବ ବିବାହିତା ବୋହୂ।ନୂଆ ନୂଆ ବିଭାଘର ହୋଇଥାଏ।ପୁଅ କହିଲା ତା' ବାପା ମା' ଙ୍କୁ ମୋର ବଦଳି ହୋଇ ଯାଇଛି ଅନ୍ୟ ଗୋଟେ ଜାଗାକୁ।ମୁଁ ଯିବି ଆଉ ସାଥିରେ ମୋ' ସ୍ତ୍ରୀକୁ ନେଇଯିବି।ଏଇ କଥା ଶୁଣି ବାପା ମା' ରାଗିଲେ।କହିଲେ ମାସେ ହୋଇଛି ବାହାଘର ତୁ' ବୋହୂକୁ ନେଇଯିବୁ କହୁଛୁ ଆମେ ଖାଇବୁ କେମିତି ଆମର ସେବା କରିବ କିଏ?।କାରଣ ତାଙ୍କର ସିଏ ଗୋଟେ ପୁଅ ଥିଲା ଆଉ ଗୋଟେ ଝିଅ ସେହି ପାଖରେ ବିବାହ ହୋଇସାରିଛି।ପୁଅ ରାଗିକି କହିଲା ମୁଁ କ'ଣ ବିବାହ କରିଥିଲି ମୋ ସ୍ତ୍ରୀ ତୁମ ମାନଙ୍କର ସେବା କରିବ ବୋଲି।ତୁମ ମାନଙ୍କ ଖାଇବା କଥା ଚିନ୍ତା ଲାଗୁଛି ମୁଁ କେମିତି ଖାଇବି, ରହିବି ତୁମ ମାନଙ୍କୁ ଜଣା ପଡୁନି।ମୁଁ ଗ୍ୟାସ୍ଟ୍ରିକ୍ ରୋଗୀ।ବାହାର ଖାଦ୍ୟ ଖାଇପାରିବିନି ସେ ଚିନ୍ତା ତୁମ ମାନଙ୍କର ନାହିଁ।


ଏମିତି ଯୁକ୍ତି ତର୍କ ରାତି ଅଧ ଯାଏ ଚାଲିଲା।ଏହା ଭିତରେ ବୋହୂ ଆଡକୁ କଥା ଗଲା।ଶାଶୁ କହିଲେ ମୋ' ପୁଅ ଭଲ ଥିଲା।ଏଇ ଆସିଲା ମୋ' ପୁଅକୁ ଶିଖେଇକି ମୋ ଠୁ ଦୂର କରୁଛି।ଏସବୁ ତାରି ଚକ୍ରାନ୍ତ। ବୋହୂ ଉପରେ ଶାଶୁଙ୍କ ଗାଳିର ବର୍ଷଣ ହେଲା।ନୂଆ ବୋହୂ ପାଟି ଖୋଲୁନଥାଏ।ନୀରବରେ ଏମାନଙ୍କ ସବୁ କଥାକୁ ଶୁଣୁଥାଏ।ଟିକେ ସାହସ କରିକି ତା' ସ୍ୱାମୀଙ୍କୁ କହିଲା ତୁମେ ତ ଟିକେ ଚୁପ୍ ହୋଇଯାଅ।ବାପା ମା' ସେମାନେ କହିବେ।ସେମାନଙ୍କ କଥା ବୁଝିବା ଆମର କର୍ତ୍ତବ୍ୟ।ହେଲେ ସ୍ୱାମୀ ଶୁଣିବାକୁ ନାରାଜ୍।ଏମିତି ଝଗଡା ବଢି ଚାଲିଲା ବୋହୂ ବିଚରା ସବୁ ଶୁଣୁଥାଏ କାନ୍ଦୁଥାଏ ତିନି ଜଣଙ୍କର ଝଗଡା ଦେଖୁଥାଏ। କ'ଣ ବା କରିବ ସିଏ।ଏମିତିରେ ରାତିଟି ବିତିଗଲା।


ସକାଳ ହେଲା। ବୋହୂ ଯେମିତି ଶାଶୁଙ୍କୁ ପଚାରି ସବୁ କାମ କରେ ସେମିତି ସିଏ ପଚାରିଲା।ହେଲେ ଶାଶୁ ତା'ର କୌଣସି କଥା ଶୁଣିଲେନି କି ତା' ସାଥିରେ କଥା ହେଲେ ନାହିଁ।ଦୁଃଖରେ ଦିନଟି ବିତିଗଲା ବୋହୂର।ଦିନ ଯାଇ ରାତି ହେଲା ସ୍ୱାମୀ ଘରକୁ ଆସିଲେ।ସିଏ ତା' ସ୍ୱାମୀଙ୍କୁ କହିଲା ବାପା ମା'ଙ୍କୁ କ୍ଷମା ମାଗ।ତୁମେ ଯେମିତି ତାଙ୍କ ସାଥିରେ କାଲି ବ୍ୟବହାର କରିଛ ତାହା ଠିକ୍ କରିନ।ସିଏ ତୁମ ବାପା ମା' ।ତୁମକୁ ଜନ୍ମ ଦେଇଛନ୍ତି।ସିଏ ତୁମକୁ କହିବେ।କିନ୍ତୁ ତୁମର କୌଣସି ଅଧିକାର ନାହିଁ ତାଙ୍କୁ ଏମିତି କଥା କହିବାର।ଏହା ଶୁଣି ସ୍ୱାମୀ ରାଗିଯାଇ କହିଲେ ଏତେ ଯଦି ଭଲେଇ ହଉଛ ନିଜେ ଯାଅ କ୍ଷମା ମାଗ।ମୁଁ ମାଗିବିନି କ୍ଷମା।


ଏହା ଶୁଣି ବୋହୂ ତୁରନ୍ତ ଶାଶୁ - ଶ୍ଵଶୁରଙ୍କ ପାଖକୁ ଚାଲିଗଲା ଏବଂ ତାଙ୍କ ପାଦ ପାଖରେ ବସି ହାତ ଯୋଡି କହିଲା।ବାପା ମା' ସିଏ ଯାହା ସବୁ ଆପଣଙ୍କୁ କହିଛନ୍ତି ରାଗିକି ସେଥିପାଇଁ ମୁଁ ତାଙ୍କ ତରଫରୁ ଆପଣଙ୍କୁ କ୍ଷମା ମାଗୁଛି।ସିଏ ଠିକ୍ ରେ କଥା କହି ପାରିଲେ ନାହିଁ କି' ଆପଣମାନେ ମଧ୍ୟ ତାଙ୍କ କଥାକୁ ବୁଝି ପାରିଲେ ନାହିଁ।ତାଙ୍କ କହିବା କଥା,ବଦଳି ହୋଇଛି ଯେଉଁଠିକି ସେଠୁ ବଜାର ୩୦ କିଲୋମିଟର ଦୂର।ଖାଇବାକୁ ଯାଇ ପାରିବେ ନାହିଁ।କି କିଛି କିଣି ପାରିବେ ନାହିଁ ଦରକାର ପଡ଼ିଲେ।କେବଳ ରବିବାର ଗୋଟେ ଦିନ ଛୁଟି ଯାହା କିଣା କିଣି କରିବେ।ତାଙ୍କୁ ତ ରୋଷେଇ କରି ଆସେନି ଖାଇବେ କେମିତି।


ଏଠି ତ ପାଖରେ ସବୁ ବନ୍ଧୁ, ବାନ୍ଧବ ଅଛନ୍ତି।ଦେଈ ବି ପାଖରେ ରହୁଛନ୍ତି।ଆପଣ ମାନଙ୍କର କିଛି ଅସୁବିଧା ହେବ ନାହିଁ।ଯଦିବି କିଛି ହେଲା ସିଏ ମୋତେ ଏଠି ଛାଡ଼ିଦେବେ ନହେଲେ ଆପଣ ମାନଙ୍କୁ ସାଥିରେ ନେଇଯିବୁ ସବୁ ସୁବିଧା ସେଠି କରିକି।ଏଥିରେ ଝଗଡା ହେବାର କ'ଣ ଅଛି।ଏତିକି କହି ବୋହୁ ଶାଶୁଙ୍କୁ କୁଣ୍ଢେଇକି ଧରିଲା।ଆଉ କହିଲା ମା' ଯଦି ମୁଁ' ଆପଣଙ୍କର ନିଜ ଝିଅ ହୋଇଥାଆନ୍ତି ତେବେ କ'ଣ ଆପଣ ମୋ' ସାଥିରେ କଥା ହୋଇ ନଥାନ୍ତେ କି?।


ବୋହୂ ମୁହଁରୁ ଏତିକି କଥା ଶୁଣିକି ଶାଶୁ ଆଉ ରହିପାରିଲେ ନାହିଁ।ଯାହାବି ହେଲେ ସିଏ ମା'। ମା'ର ମମତା ବାହାରି ଆସିଲା ବୋହୂକୁ ଆଉଁସି ଦେଇ କହିଲେ ନାଇଁରେ ମା' କଥାରେ ଅଛି କହି ଜାଣିଲେ କଥା ସୁନ୍ଦର।ତୁ' କେମିତି ଗୋଟି ଗୋଟି କରିକି ବୁଝେଇ ଦେଲୁ ଆମେ ବୁଝିଗଲୁ।ସିଏ କେମିତି ଫିଙ୍ଗା ଫୋପଡା କରି କଥା କହିଲା ଶୁଣିଛୁ ତୁ ତ ସବୁ।ଏତିକି କହି ଶାଶୁ ,ଶ୍ଵଶୁର ବୋହୂ କଥାରେ ରାଜି ହୋଇଗଲେ।ଖୁସିରେ ଆଶୀର୍ବାଦ କଲେ।


କଥା କହିବା ସମୟରେ ଶାଳୀନତା, ନମ୍ରତା, ଭଦ୍ରାମି ନିହାତି ରହିବା ଦରକାର।ଏହାଦ୍ୱାରା ଯେତେ ବଡ଼ ରାଗି ଲୋକ ହୋଇଥାନ୍ତୁ କି ଅବୁଝା ହୋଇଥାନ୍ତୁ ସିଏ ଆପଣଙ୍କ କଥାର ମଧୁରତାରେ ନିଶ୍ଚୟ ବାନ୍ଧି ହୋଇ ଯିବେ।



Rate this content
Log in

Similar oriya story from Inspirational