ମା ଚନ୍ଦ୍ରଘଣ୍ଟା
ମା ଚନ୍ଦ୍ରଘଣ୍ଟା
ନବରାତ୍ରର ତୃତୀୟ ଦିବସରେ କଲ୍ୟାଣ ମୟୀ ଜଗତ ଜନନୀ ମା' ଚନ୍ଦ୍ରଘଣ୍ଟା ରୂପରେ ପୂଜା ପାଇଥାନ୍ତି।ପୌରାଣିକ କଥା ଅଛି ଯେ' ମା' ଚନ୍ଦ୍ରଘଣ୍ଟାଙ୍କ ଘଣ୍ଟ ଧ୍ୱନିରେ ଅତ୍ୟାଚାରୀ, ଦାନବ, ଦୈତ୍ୟ ସବୁ ଭୟଭୀତ ହୁଅନ୍ତି।ମସ୍ତକରେ ମା' ଅର୍ଦ୍ଧ ଚନ୍ଦ୍ର ଧାରଣ କରନ୍ତି ଏବଂ ସିଂହ ବାହନରେ ବିରାଜମାନ କରିଥାନ୍ତି।ଏହି ସ୍ୱରୂପରେ ମା' ଙ୍କ ମସ୍ତକରେ ଘଣ୍ଟା ଆକାରର ଅର୍ଦ୍ଧ ଚନ୍ଦ୍ର ଥିବାରୁ ତାଙ୍କୁ ମା' ଚନ୍ଦ୍ରଘଣ୍ଟା ବୋଲି କୁହାଯାଏ।
ତାଙ୍କର ଦଶଭୁଜ ଏବଂ ତିନୋଟି ଆଖି ଥାଏ।ଆଠଟି ହସ୍ତରେ ମା' ଖଡଗ ଓ ଅସ୍ତ୍ର, ସସ୍ତ୍ର ଧାରଣ କରିଆନ୍ତି।ଏବଂ ଅନ୍ୟ ଦୁଈ ଟି ହସ୍ତରେ ଭକ୍ତଙ୍କୁ ଆଶୀର୍ବାଦ କରିଥାନ୍ତି।
ଚନ୍ଦ୍ରଘଣ୍ଟା ରୂପ ମା' ଙ୍କର ମହାଦେବ ଶିବଙ୍କୁ ବିବାହ କରିବା ସମୟର ନବବଧୁ ରୂପ।ନାରୀ ଜୀବନର ଏହା ଏକ ସୋପାନ।ନିଜକୁ ନିଜ ନିୟନ୍ତ୍ରଣ ରେ ରଖିବାର ଶିଖିଥାଏ ନାରୀଟି।ମନର ଅଧିପତି ହେଉଛି ଚନ୍ଦ୍ର।ମନକୁ ନିଜ ବଶରେ ରଖିବାକୁ ଦୁର୍ଗାଙ୍କର ଏହି ରୂପ।
ପୌରାଣିକ କଥା ବସ୍ତୁ ଅନୁସାରେ ଯେତେବେଳେ ପୃଥିବୀରେ ଅସୁର ମାନଙ୍କର ଉପଦ୍ରବ ବଢି ଯାଇଥିଲା ସେତେବେଳେ ମା' ଚନ୍ଦ୍ରଘଣ୍ଟା ଆବିର୍ଭୁତ ହୋଇଥିଲେ।ଅସୁର ମାନଙ୍କର ପ୍ରଭୁ ଥିଲେ ମହିଷାସୁର।ଯାହାର ଦେବତା ମାନଙ୍କ ସହ ଯୁଦ୍ଧ ଚାଲିଥିଲା।ମହିଷାସୁର ଦେବରାଜ ଇନ୍ଦ୍ରଙ୍କର ସିଂହାସନ ପାଇବାକୁ ଚାହୁଁ ଥିଲା।ସମସ୍ତ ଦେବତା ମାନେ ଭୟଭୀତ ହୋଇ ବ୍ରହ୍ମା, ବିଷ୍ଣୁ, ମହେଶ୍ବର ଙ୍କ ନିକଟରେ ପହଁଚିଲେ ଏବଂ ସମସ୍ତ କଥା କହିଲେ।ସବୁ କିଛି ଶୁଣି ସାରିବା ପରେ ଶ୍ରୀହରି ବିଷ୍ଣୁ ରାଗିଯାଇ ଥିଲେ ଏବଂ ତିନି ଜଣଙ୍କ ପାଟିରୁ କ୍ରୋଧରେ ବାହାରି ଥିବା ଶବ୍ଦ ଶକ୍ତି ଦ୍ୱାରା ସେଥିରୁ ଜଣେ ଦେବୀ ଜନ୍ମ ହୋଇଥିଲେ ଯାହାଙ୍କୁ ଭଗବାନ ଶିବ ତାଙ୍କୁ ତାଙ୍କ ତ୍ରିଶୂଳ ଦେଇଥିଲେ ଏବଂ ଵିଷ୍ଣୁ ଚକ୍ର ଦେଇଥିଲେ ଓ ସମସ୍ତ ଦେବା ଦେବୀ ତାଙ୍କର ଅସ୍ତ୍ର ସସ୍ତ୍ର ଦେବୀଙ୍କ ହସ୍ତରେ ଦେଇଥିଲେ।ଦେବରାଜ ଇନ୍ଦ୍ର ଦେବୀଙ୍କୁ ଏକ ଘଣ୍ଟା ଦେଇଥିଲେ।ସୂର୍ଯ୍ୟ ନିଜର ତୀକ୍ଷ୍ଣ ଶକ୍ତି ଓ ଖଣ୍ଡା ଦେଲେ।ଯାତ୍ରା ପାଇଁ ସିଂହ ବାହନ ରୂପେ ପ୍ରଦାନ କଲେ।ଏହା ପରେ ମା' ଚନ୍ଦ୍ରଘଣ୍ଟା ମହିଷାସୁର ପାଖରେ ପହଞ୍ଚି ଥିଲେ ଏବଂ ତା ସହିତ ଯୁଦ୍ଧ କରିକି ମହିଷାସୁର କୁ ମା' ବଦ୍ଧ କରିଥିଲେ।
