Satyabati Swain

Inspirational

2  

Satyabati Swain

Inspirational

କଅଁଳ ଖରାର ଧାସ

କଅଁଳ ଖରାର ଧାସ

3 mins
521


ବୟସ ମଧ୍ୟାହ୍ନ ସୂର୍ଯ୍ୟର ଡହ ଡହ ତାତି। ସେଇ ତାତିରେ ଚାଲୁ ଚାଲୁ ମନେ ପଡେ କଅଁଳ ସକାଳ ପିଲାଦିନ ଖରାର ଧାସ। ଖୋଲିଯାଏ ଜୀବନ ସିନ୍ଦୁକର ତାଲା। କି ଅପାସୋରା ସେଇ ମୁହୂର୍ତ୍ତ କୌଣସି କାର୍ଯ୍ୟର ହାନି ଲାଭ ହିସାବ ହେଉ ନଥିବା,ଖାଇବା,ପଢିବା,ବୁଲିବାର ଜୀବନ।ଖୋଲା ଆକାଶର ସମ୍ମୋହନରେ ଉଡାଣ ଭରିବା ନିଶା। କେବଳ ଉଡିବା ଥକିବା ପର୍ଯ୍ୟନ୍ତ। ନା ଦାୟିତ୍ୱର ଥିଲା ବୋଝ ନା କର୍ତ୍ତବ୍ୟ ସମ୍ପାଦନା କରିବାର ବାଧ୍ୟ ମାନସିକତା। ବେପରୁଆ,ବିନ୍ଦାସ ଜୀବନ। ଯାହାକୁ ଏବେ ଯେତେ ସରାଗରେ ଡାକିଲେ ମଧ୍ୟ ଆଉ ମିଳିବା ଏକବାରେ ଅସମ୍ଭବ। ମନେ ପଡିଲା ସେଇ ସକାଳ ଖରାରୁ ମୁଠିଏ।

    ନବମ ଶ୍ରେଣୀ ମୋର ହୋଇଥିଲା। ସାର୍ କହିଲେ ବାର୍ଷିକ ମେଗାଜିନ ପାଇଁ ଲେଖା ଆଣିବ। ମୋର ସବୁ ସାଙ୍ଗ ମାନେ ସେମାନଙ୍କ ବାପା,ମା,ଭାଇ,ଭଉଣୀ କି ସାଙ୍ଗ ମାନଙ୍କ ଠାରୁ ଲେଖା ଆଣି ନିଜ ନିଜ ନାଁରେ ଦେଇଦେଲେ। ଆଉ ଥାଏ ଲେଖା ଦେବାର ମାତ୍ର ଶେଷ ପାଞ୍ଚ ଦିନ। ଆମ ଶେଣୀ ଶିକ୍ଷକ କହିଲେ ଋଷିକୁ ଛାଡି ସମସ୍ତେ ଲେଖା ଦେଲେ। ହେଲେ ଋଷି ତୋର ଲେଖା କାଇଁ??

    ମୁଁ କହିଲି ସାର୍ " ମୁଁ ଭାବୁଛି କାହା ଉପରେ ଲେଖା ଦେବି"।

 ସମସ୍ତେ ଦେଲେଣି ତୁ ଏଯାଏ ଭାବିନୁ କି ଲେଖା ଦେବୁ? ଆଉ ମାତ୍ର ପାଞ୍ଚ ଦିନ ରହିଲା। ସମସ୍ତେ ଦେଶ,ଇତିହାସ,ବିଦ୍ୟାଳୟ,ଗୁରୁ,ବାପା ମା,ଶିକ୍ଷା,ଈଶ୍ୱର ଉପରେ ଲେଖା ମାନ ଆଣିଥିଲେ। ମୋ ମନ କେଉଁ ଗୋଟେ ଗହନ ନିଦରେ ଖୋଜୁଥିଲା ନୂଆ କିଛି ସୃଷ୍ଟି କରିବାର ଉନ୍ମା ଦନା। ଅନେକ ଭାବି ଭାବି ମୁଁ ନିଜ ଉପରେ ଗୋଟିଏ ଲେଖା ଲେଖିଲି। ଲେଖାଟି ଅତି ଛୋଟ;କିନ୍ତି ମୋ ବୟସ ତୁଳନାରେ ଜୀବନ ଦର୍ଶନ କୁଆଡେ ଭରି ରହିଥିଲା ବୋଲି ଆମ ଜିଲ୍ଲା ପାଳ କହିଲେ। ମୁଁ ସେ ଲେଖାଟି ପାଇଁ କେବଳ ସ୍କୁଲ ନୁହେଁ ଜିଲ୍ଲା ଯାଏ ବି ପରିଚିତ ହୋଇଗଲି। ଜୀବନରେ ପଢା ବହିର ପ୍ରଶ୍ନଉତ୍ତର କେବଳ ଲେଖୁଥିଲି। କିନ୍ତୁ ପ୍ରଥମ ଥର ଗପଟିଏ ଲେଖିଲି। ସେ ଗପ ସାରା ଜିଲ୍ଲାରେ ଚହଳ ପକାଇବ ଏ ଧାରଣା ମୋର ଆଦୌ ନଥିଲା। କାରଣ ଗପ କଣ ମୁଁ ଜାଣି ନଥିଲି। ଗପଟି ଲେଖି ସାରି ପଢିଲା ବେଳକୁ କି ଗୋଟେ ଅଜବ କିନ୍ତି ଅବର୍ଣ୍ଣନୀୟ ଖୁସି ମୋତେ ଜାବୁଡି ଧରିଲା। ଥରେ ନୁହେଁ ବାରମ୍ବାର ପଢ଼ିଲି ସେ ଗପଟି।

   ପଢିଲା ପରେ ଟିକେ କଲମ କୁ ଅନାଇଁଲି। ଚୁମା ଦେଲି କଲମକୁ। ବାପା ଦେଇଥିଲେ ଏ କଲମଟି;ସପ୍ତମ ଶ୍ରେଣୀରେ ଓ ପ୍ଲସ୍ ରେଜେଲଟ୍ କରିଥିଲି ବୋଲି। ଅତି ଗୁରୁତ୍ୱପୂର୍ଣ୍ଣ କାମରେ ସେ କଲମଟି ବ୍ୟବହାର କରେ। ତାପର ଦିନ ସାର୍ ଙ୍କୁ ଗପଟି ଦେଲି। ଅଚାନକ ହେଡ୍ ସାର୍ ଅଫିସକୁ ମୋତେ ଡକାଇ ପଠାଇଲେ। ଏ ଗପଟି ମୋତେ କିଏ ଲେଖି ଦେଇଛି ବୋଲି ପଚାରିଲେ। ମୁଁ ଲେଖିଛି କହିବାରୁ ଅବିଶ୍ୱାସ କଲେ। ମୋ ବୟସ ତୁଳନାରେ ଏ ଗପଟି ହୋଇ ନଥିଲା କାଳେ। ସାର୍ କହିଲେ ସତ କହ କିଏ ଲେଖିଛି ଏ ଲେଖା?? ଭବିଷ୍ୟତରେ ସେ ଜଣେ ଗାଳ୍ପିକ ହେବ।

     ମୁଁ କହିଲି ସାର୍ ନିମାଇଁ ରିକ୍ସାଵାଲା ଉପରେ ମୁଁ ଏଇଟି ଲେଖିଛି। ସେ ମୋତେ ଷଷ୍ଠ ଶ୍ରେଣୀଠାରୁ ରିକ୍ସା

 ରେ ସ୍କୁଲ ଆଣେ। ମାତ୍ର ମୋ ସାଇକେଲ କିଣାହେଲା ପରେ ଯେଉଁ ଦିନ ମୁଁ ସାଇକେଲରେ ଆସିଲି ସେ ଗାମୁଛାରେ ତା ଆଖି ପୋଛିବା ମୁଁ ଦେଖିଥିଲି। କାରଣ ତାକୁ ଅନ୍ୟ କେଉଁ ଭଡା ମିଳୁ କି ନ ମିଳୁ ପ୍ରତି ଦିନ ମୋତେ ଘରେ ଛାଡିଲା ପରେ ଗୋଟିଏ ଭଡା ନିଶ୍ଚିନ୍ତ ମିଳୁଥିଲା। ମୁଁ ସାଇକେଲରେ ଆସିବା ପରେ ନିଶ୍ଚିନ୍ତ ଭଡା ଟା ତାର ରହିଲା ନାହିଁ। ଭାରି ଗରିବ ଲୋକ ସାର୍। ସେଦିନ ସେ ଲୁଚେଇ ତା ଆଖି ଲୁହ ପୋଛିବା ପରେ କହିଲା" ଲୁସି ମା ଭଲ ହେଲା ମୋତେ ଆଉ ଅପେକ୍ଷା କରିବ ନାହିଁ କି ମୋ ଯୋଗୁଁ ବି ଦିନେ ଦିନେ ଯେଉଁ ଡେରି ହେଉଥିଲା ଆଉ ହେବନି। ମନ ଦେଇ ପଢିବ।"

   ସେବେଠୁ ପ୍ରତି ଦିନ ମୁଁ ସ୍କୁଲ ଆସିଲା ବେଳେ ଆମ ଗାଁ ଛକରେ ନିମାଇଁ ରିକ୍ସା ଵାଲା ଭାରି କରୁଣ ହୋଇ ମୋ ଯିବାକୁ ଚାହେଁ। ମୁଁ ଜାଣି ଜାଣି ସପ୍ତାହରେ ଦିନେ ଦୁଇ ଦିନ ଦେହ ଖରାପର ବାହାନା କରି ତାରି ରିକ୍ସାରେ ସ୍କୁଲ ଆସେ। ସେଇ ଘଟଣାକୁ ନେଇ ମୋର ଏ ଲେଖା।

    ଚମତ୍କାର ! କହିଲେ ହେଡ ସାର୍। ଲେଖାଟିକୁ ଜିଲ୍ଲା ପାଳଙ୍କ ପାଖକୁ ପଠାଇଲେ। ଜିଲ୍ଲା ପାଳ ମୋ ମୁଣ୍ଡ ଆଉଁସି କହିଥିଲେ ତୁମେ ଭବିଷ୍ୟତରେ ଜଗତସିଂହପୁରର ଜଣେ ଗାଳ୍ପିକା ସ୍ଥାନ ଗ୍ରହଣ କରିବ। ସାର୍ଟିଫିକେଟଓ ଟ୍ରଫି ସହ ଶିଶୁଦିବସରେ ପାଞ୍ଚଶହ ଟଙ୍କା ପୁରସ୍କାର ବି ଦେଇଥିଲେ। ମୋ ଗପର ନାଁ ଥିଲା "ଆକାଶେ ଆଷାଢ଼"।

     ସେବେଠୁ କେତେ ଗପ ଲେଖୁଛି ତାର ହିସାବ ନାହିଁ। କିନ୍ତୁ ମୋତେ ଗପ ଲେଖି ଆସିବ ଏ ଆତ୍ମ ବିଶ୍ୱାସ ମୋତେ ମୋ ପ୍ରଥମ ଲେଖା ଆକାଶେ ଆଷାଢ଼ ଆଣି ଦେଇଥିଲା।

     ତା ପରଠାରୁ ମୋର ପରିଚୟ ଗାଳ୍ପିକା ହୋଇଗଲା। ଲୁସି ହଜିଗଲା ଗାଳ୍ପିକା ଭିତରେ। 

     

ଆଜି ମଧ୍ୟାହ୍ନରେ ଖୁବ୍ ମନେ ପଡେ ସେଇ କଅଁଳ ଖରା,ନିଷ୍କପଟ ସରଳ ମନ,ନିଆରା ଚାହିଁବା

,ଅପାସୋରା ଦିନର କଥା......ଯାହାକୁ ମନେ ପକାଇଲେ ବେଜାଏ ଖୁସି ନେସି ହୋଇ ଯାଆନ୍ତି ହୃଦୟ କାନ୍ଥରେ।



Rate this content
Log in

Similar oriya story from Inspirational