STORYMIRROR

Fransis Satapathy

Inspirational Others

3  

Fransis Satapathy

Inspirational Others

କାଉଁରିଆ

କାଉଁରିଆ

3 mins
15K


ସତ୍ୟର ଫୋନ ରିଙ୍ଗ ହେଲା। ସତ୍ୟ (ଫୋନ ଉଠାଇ)" ହଁ ଛାୟା (ତା ସ୍ତ୍ରୀ) କୁହ।" ସେପଟୁ-"ନା ବାବା ମୁଁ।" ସତ୍ୟ-"ହଁ ମାମା(ତା ଝିଅ) କଣ ହେଲା?"ମାମା-"ତୁମେ ବାଣ ଆଣିଲ? ଅଳ୍ପ ନା ବହୁତ? ଆକାଶ ଦୀପ, ଫୁଲ ଝଡ଼ି, ଡବା ବାଣ, ଲିଚୁ ଲାଇଟ....ଯାହା କହିଥିଲି"। ସତ୍ୟ-"ଚୁ୍..(ଟିକେ ବିରକ୍ତ ହୋଇ) ଆରେ ହଁ; ତୁ ଫୋନ ରଖ, ମୁଁ ଗାଡ଼ି ଚଲଉଛି।"

*****

ସତ୍ୟର ଘର ଆଉ ତିନି କି.ମି.। ଘରୁ ଅଫିସ ଗଲାବେଳେ ମନକୁ ଅଫିସ ବ୍ୟତୀତ ଆଉ କିଛି ଆସେନି। କିନ୍ତୁ ଅଫିସରୁ ଘରକୁ ଫେରିଲା ବେଳେ ସଂସାରଯାକର ଅନ୍ୟମନସ୍କତା ମନଟାକୁ ଆବୋରି ବସିଥାଏ। ଅତୀତ ଓ ଭବିଷ୍ୟତର ଘଟଣା, ଦୁର୍ଘଟଣା ଓ ପ୍ରାକ୍ ଗଣନା ଭିତରେ ବର୍ତ୍ତମାନଟା ସତେ ଯେମିତି ଉହ୍ୟ ରହିଯାଇଥାଏ। ଏ ତ ସବୁ ସ୍ୱଳ୍ପ ବେତନଭୋଗୀ ଚାକିରୀଆ, ଅର୍ଦ୍ଧଚାକିରୀଆ ତଥା ଅଣଚାକୀରିଆ ମାନଙ୍କର ନିତ୍ୟ ନୈମିତ୍ତିକ ଜୀବନ ପ୍ରଣାଳୀ।

ସତ୍ୟ ମନେ ପକାଇଲା --ଜୀବନରେ ପ୍ରଥମ ଥର ଚୋରି କରିବାର ତିକ୍ତ ଅନୁଭୂତିକୁ, ଯାହା ଆଜି ତା ଜୀବନରେ ଘଟି ଯାଇଛି ଏହି ଘଣ୍ଟେ ଦି ଘଣ୍ଟା ପୂର୍ବରୁ। ନିଜର ନିଜତ୍ବ, ନିଜର ଉସୁଲ୍ କୁ ବଳି ପକେଇବାର ସେ ଦାରୁଣ ମୁହୂର୍ତ୍ତ, କେଡ଼େ ଯନ୍ତ୍ରଣା ଦାୟକ ସତେ !! କଣ କରିଥାନ୍ତା ସେ ? ତା ଭଳିଆ ଗୋଟେ ମାମୁଲି ସିକ୍ୟୁରିଟି ଗାର୍ଡ଼ର ଦରମାରେ ମାସଯାକ ଚଳିବା କେଡ଼େ ଦୁରୁହ ବ୍ୟାପାର। ମାସିକ ୬୦୦୦ ଟଙ୍କା ଦରମା ପୂର୍ବ ମାସର ବାକି ସୁଝିବାରେ ସରିଯାଏ। ଓଭର ଟାଇମ୍ କରି ଯାହା ଆଉ ୧୦୦୦ କି ୨୦୦୦ ଅଧିକ କମାଏ, ସେଥିରେ ମାସଯାକର ଆନୁସଙ୍ଗିକ ଖର୍ଚ୍ଚ। ତା ଉପରକୁ ମାମାର ପାଠପଢ଼ା, ଛାୟାର କସମେଟିକ୍ସ --ଏ ସବୁର ଖର୍ଚ୍ଚ ଭରଣା କରିବାର ବୋଝ ତା ଆୟ ଠାରୁ ବେଶ୍ ଅଧିକ। ସେଥିରେ ସେ ଟାଣିଟୁଣି ଚଳେଇଛି। ଚିରା କାନି---ଏଆଡ଼େ ଟାଣିଲେ ଆର ଆଡ଼କୁ ନିଅଁଣ୍ଟ ପଡୁଛି।

ଏଥର ଦୀପାବଳିଟା ବି ମାସ ମଝାମଝି ପଡ଼ିଲା। ଦରମା ଟଙ୍କା ଗଣ୍ଡାକ ଖର୍ଚ୍ଚ ସରିଲାଣି। ଓଭର ଟାଇମ୍ ରୁ ଟଙ୍କା ୫୦୦ ହୋଇଥିଲା ଯେ ମାମାର ସ୍କୁଲ ଫିସ୍ ଦେଇ ଦେଇଛି। ଗାଡ଼ିରେ ତେଲ ପକେଇବାକୁ ବି ପଇସା ନାହିଁ। ସେଥିରେ ନାନା ରକମ ବାଣ କୋଉଠୁ କିଣିବ? ମାମା ସିନା ଛୋଟ ଛୁଆଟେ। ସେ ଜିଦ କରିବା ସ୍ୱାଭାବିକ; ହେଲେ ଛାୟା କଣ ବୁଝି ପାରୁନି? ସେ ବି ମାମା ସହ ପାଳି ଧରୁଛି। ପ୍ରିଣ୍ଟେଡ୍ ଦୀପ, ଆକାଶ ଦୀପ, ଚାଇନା ଲିଚୁମାଳ, ସେ ଫୁଲଝଡ଼ି ବାଣ,କୁମ୍ପି ବାଣ, ଚକ୍ରି ବାଣ, ଡବା ବାଣ--ଏମିତି କେତେ ବରାଦ। ଆରେ ସେ ସବୁ ଜିନିଷ ବଡ଼ବଡ଼ିଆଙ୍କ ପାଇଁ। ସେମାନଙ୍କର ଉଭା ଯେତିକି ପୋତା ସେତିକି। ତାଙ୍କ ଟଙ୍କା କୋଉଠୁ ଆସୁଛି, କୋଉଠିକି ଯାଉଛି ହିସାବ ନାହିଁ। ପଇସା ପଛରେ ନିଆଁ ଚେଙ୍ଗି ଗମାତ କରିବାରେ ତାଙ୍କର କିଛି ଅସୁବିଧା ନାହିଁ। ଆଉ ତା ଭଳି ନାମମାତ୍ର ଚାକିରିଆ, ଖଟିଖିଆଙ୍କ ପାଇଁ ଗୋଟେ ମାଟି ଦୀପରେ ପୋଷେ ଜଡ଼ାତେଲ, ଚାଖଣ୍ଡେ ସଳିତା ହେଉଛି ପୂରା ଦୀପାବଳି ସେଲିବ୍ରେସନ। ହେଲେ ଛାୟା ସିନା ବୁଝିଲେ ହେଲା। ସେ ତ ଭାବୁଛି ତା ସ୍ବାମୀ ହେଉଛି ଟାଟା ବିର୍ଲା ଭଳି ବିଶିଷ୍ଟ ଶିଳ୍ପପତିଙ୍କ ଭିତରୁ ଜଣେ। ବୁଝି ବି ଅବୁଝା ସେ। କହିଲେ ଘରେ ଝଗଡ଼ା--ଅଶାନ୍ତି। ଦିନରାତି ଗଧ ଘୁଷୁରି ଭଳି ଖଟିବ ସେ.. ଆଉ ଘରେ ଆସି ଅଶାନ୍ତି ଭିତରେ ଶୋଇବ। କେତେ ଏ ସବୁ ଜଣେ ସହିବ? ଶେଷରେ ଯେଉଁ ଦୋକାନକୁ ସୁରକ୍ଷା ଦେବାକୁ ସେ ଚାକିରୀ କରିଛି...ସେଠାରୁ ଚୋରି କଲା। ଜୀବନଯାକର ତପସ୍ୟା ଶୁଖୁଆ ପୋଡ଼ାରେ ଗଲା। ଦୋକାନ ମାଲିକ ପୁଣି ୟାକୁ ସମସ୍ତଙ୍କ ଠାରୁ ଅଧିକ ବିଶ୍ୱାସ କରନ୍ତି, ଭରସା କରନ୍ତି।

ପ୍ରଥମ ଥର ଚୋରି। ହାତ ଥରୁଥିଲା ସତ୍ୟର। ଦେହରୁ ଯମ ଝାଳ ବାହାରୁ ଥାଏ। ତା ଭାଗ୍ୟକୁ ସି.ସି.ଟି.ଭି. କ୍ୟାମେରାଟା ସେଦିନ ଖରାପ ଥିଲା; ନହେଲେ କୋଉ କରିପାରିଥାନ୍ତା? ସୁଯୋଗ ଦେଖି ୫୦୦ ଟଙ୍କା ଉଠେଇ ଆଣିଲା। ମିସନ୍ ଆକମ୍ପ୍ଲିସ୍ଡ୍। ତା ଭିତରେ ଆଉ ନିଜକୁ କି ତା ମାଳିକକୁ ସାମନା କରିବାର ମୁହଁ ନାହିଁ। ସେ ମାଗି ବି ପାରିଥାନ୍ତା। ଭାବିଥିଲା ବି। ହେଲେ ମାଗିଲେ କିଏ କାହିଁକି ୫୦୦ ଟଙ୍କା ଦେବ। ଆଉ ଉଧାର କଲେ ତାକୁ ସୁଝିବାର ଯୋଗ୍ୟତା ବି ଥିବା ଦରକାର। ହଉ.. ନିଜ ପରିବାର ପାଇଁ ସେ ଆଉ ଗୋଟେ ଦସ୍ୟୁ ରତ୍ନାକର ହେଇଗଲା। ପଛକେ ସାରା ଜୀବନ ତାକୁ ଜେଲରେ ରହିବାକୁ ପଡ଼ୁ। ଭାଗ୍ୟକୁ ସେମିତି କିଛି ହେଇନି। କେହି ନ ଜାଣିଲେ ବି ସେ ତା ନିଜ ଭିତରେ ଆଉ ଗୋଟେ ସ୍ୱାଭିମାନୀ, ସଚ୍ଚା, ସାଧୁ ଭଳି ସତ୍ଚରିତ୍ରମାନଙ୍କୁ ଦେଖିପାରୁନି--ଗୋଟେ ଚୋର, ଧୋକାବାଜ୍, ବେଇମାନ, ନିମକହାରାମ୍ ଭଳି ଦୁଃଶ୍ଚରିତ୍ରମାନଙ୍କ ପରିବର୍ତ୍ତେ।

*****

ସତ୍ୟ ଘରେ ପହଞ୍ଚି ଯାଇଥାଏ। ଛାୟା ନୂଆ ଶାଢ଼ୀ ପିନ୍ଧି ଦୀପ ସଜେଇବାରେ ବ୍ୟସ୍ତ। ଯେମିତିକି କୋଉ ପ୍ରତିଯୋଗିତାରେ ଭାଗ ନେଇଛି। ଘର ଆଗରେ ରଙ୍ଗବେରଙ୍ଗୀ ଝୋଟି ପଡ଼ିଛି। ମାମା ତା ନିର୍ଦ୍ଦେଶକୁ ଅକ୍ଷରେ ଅକ୍ଷରେ ପାଳନ କରୁଥାଏ। ସତ୍ୟ ଦାଣ୍ଡପିଣ୍ଡାରେ ପ୍ଲାଷ୍ଟିକ ଚେୟାରଟାରେ ଆଖିବନ୍ଦ କରି ବସିଥାଏ। ସେମାନେ ତାକୁ ଡାକିଲେ ଦୀପ ଲାଗେଇବାକୁ, ବାଣ ଫୁଟେଇବାକୁ। କିନ୍ତୁ ସେ ଦେହ ଭଲନଥିବାର ବାହାନା କରି ଏଡ଼ାଇ ଗଲା। ସବୁ ବଡ଼ବଡ଼ିଆଙ୍କ ଭଳି ମାମା ଓ ଛାୟା ଦୀପାବଳି ପାଳୁଥାନ୍ତି। ଭଳିକି ଭଳି ବାଣ ଫୁଟୁଥାଏ, ରଙ୍ଗ ବେରଙ୍ଗ ଦୀପରେ ଝଲସି ଉଠୁଥାଏ ଘର ବାହାର, ରାସ୍ତାଘାଟ, ସବୁ କିଛି। ପଡ଼ିଶା ଘର ଭଦ୍ରମହିଳାଙ୍କୁ ଦେଖେଇ ଦେଖେଇ ଛାୟା ଭଳିକି ଭଳି ବାଣ ମାରୁଥାଏ। କଥା ଛଳରେ କହୁଥାଏ-"ଏତିକି ବାଣ କୋଉ ପାଇବ? ମୁଁ ତ ଆହୁରି ଆଣିଥାନ୍ତି। ହେଲେ ଇଏ ପା ମନା କଲେ। କହିଲେ ଗରିବ ଲୋକମାନେ ଖାଇବାକୁ ପାଉ ନାହାଁନ୍ତି, ଆମେ ବାଣରେ ଖର୍ଚ୍ଚ କରିବା? ସେମାନେ କେତେ କଷ୍ଟ ପାଇବେ? ବରଂ ସେ ଟଙ୍କାରେ ଅନାଥ ପିଲାଙ୍କୁ ଖାଇବାକୁ ଦେବା। ସେଥିପାଇଁ ଟଙ୍କା ରଖୁଛନ୍ତି। କାହାକୁ ମାଗି ପାରିବେନି ନା; ବହୁତ ସ୍ୱାଭିମାନୀ। କଷ୍ଟ ସହିବେ ପଛେ କହିବେ ନାହିଁ--କାଉଁରିଆ କାଠି ପରା, ଭାଙ୍ଗିଯିବେ, ହେଲେ କେବେ ନଇଁବେ ନାହିଁ।" ସତ୍ୟ କାନରେ ଏ ସବୁ ବାଜୁଥାଏ। ତା ଆଖିରେ ଲୁହ ଆସିଗଲା। ଆକାଶ କୁ ଚାହିଁଲା--ତା ସ୍ୱାଭିମାନ ଆକାଶଦୀପ ଭଳି ଜଳି ଜଳି ଉପରକୁ ଉଠୁଥାଏ ଧୀରେ ଧୀରେ; ନିଜ ଭିତରେ ଆତ୍ମଗ୍ଳାନିର ଉତ୍ତପ୍ତ ବାୟୁକୁ ଭରି ଭରି।

ଫ୍ରାନସିସ ଶତପଥୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from Fransis Satapathy

ମାଛ

ମାଛ

8 mins ପଢ଼ନ୍ତୁ

ଅଙ୍କ

ଅଙ୍କ

3 mins ପଢ଼ନ୍ତୁ

କଳାଜାଇ

କଳାଜାଇ

10 mins ପଢ଼ନ୍ତୁ

ଚପଲ

ଚପଲ

3 mins ପଢ଼ନ୍ତୁ

ସ୍ଵପ୍ନ

ସ୍ଵପ୍ନ

3 mins ପଢ଼ନ୍ତୁ

ସ୍ବପ୍ନ

ସ୍ବପ୍ନ

3 mins ପଢ଼ନ୍ତୁ

ମୁଖା

ମୁଖା

3 mins ପଢ଼ନ୍ତୁ

Similar oriya story from Inspirational