କାହାଣୀ କୁର୍ସି ର
କାହାଣୀ କୁର୍ସି ର


ଅନୁଭୂତି ର କାହାଣୀ ଟିଏ
ଦୀର୍ଘ କର୍ମମୟ ଜୀବନର ଅବସାନ ପରେ ମଣିଷର ଏକ ନୂତନ ଜୀବନ ଆରମ୍ଭ ହୁଏ । ଆଉ ନ ଥାଏ ସକାଳୁ ଉଠି କର୍ମସ୍ଥଳୀକୁ ଯିବାର ପ୍ରସ୍ତୁତି ଚିନ୍ତା , ନ ଥାଏ କୁଆଡେ ନିଜ ଆପଣା କାହାକୁ ଭେଟି ଯିବା ପାଇଁ ଆଗରୁ ଛୁଟି ନେବାର ଝୀଂଝଟ । ନିଜ ସମୟର ମାଲିକ ନିଜେ ହେଇଯାଏ ହଠାତ ମଣିଷ ଟି ।
ତେବେ ସ୍ମୃତି ପଟଳରେ ବେଳେ ବେଳେ ଉଙ୍କି ମାରେ ସେଇ କର୍ମମୟ ଜୀବନର କେତେକ ଘଟଣା ,ଯାହାକୁ ରୋମନ୍ଥନ କଲେ ମନ ହେଇଯାଏ ଭାବମୟ ।ପୁରୁଣା ସହକର୍ମୀ ଜଣେ ଭେଟିଗଲେ ଘଣ୍ଟା ଘଣ୍ଟା ବିତିଯାଏ ସେଇ ଅତୀତକୁ ସ୍ମରଣ କରି ଆଉ ଭାବୁକତାର ହୃଦୟ ନେଇ ଲାଗେ ଖୁବ ଆନନ୍ଦ ।
ବହୁତ ଆଗର କଥା ଟିଏ । ସେତେବେଳେ ମୁଁ ଗଣିତର ବରିଷ୍ଠ ଅଧ୍ୟାପକ ସହ କଲେଜର ପ୍ରଶାସନିକ ବର୍ସାର ମଧ୍ୟ ରହିଥିବାରୁ ମତେ ଆଡ଼ମିଶନ , ଅଫିସ ପରିଚାଳନା ଦିଗରେ ମଧ୍ୟ ଦେଖିବାକୁ ହଉଥାଏ । ସେ ସମୟରେ ଆଜିପରି ନ ଥିଲା ଅନଲାଇନ ଆଡ଼ମିଶନ । କଲେଜ ସଂଖ୍ୟା ବି ଆଜିପରି ଏତେ ନ ଥିଲା । ଛାତ୍ର ଛାତ୍ରୀ ମାନେ ଫର୍ମ ଦେଇ ସିଲେକ୍ସନ ପାଇଁ ଅପେକ୍ଷା କରୁଥିଲେ ଓ ସିଟ ତୁଳନାରେ ବହୁ ଅଧିକ ଫର୍ମ ଆସୁଥିଲା ।
ଦିନେ ମୁଁ କ୍ଲାସ ସାରି ମୋ ଚାମ୍ବରରେ ବସି କିଛି ଚିଠିପତ୍ରର ଉତ୍ତର ଦେବା ବିଷୟ କଥା ହଉଥିବା ବେଳେ ନିକଟସ୍ଥ ଅଫିସରୁ କିଛି ପାଟିତୁଣ୍ଡ ହଉଥିବାର ଶୁଣାଗଲା । ମୁଁ ପିଅନକୁ ଡାକି ଅବସ୍ଥା କଣ ବୋଲି ବୁଝିନେଲି । ସେଇ ସିଟ କୁ ନେଇ କିଛି ଉଛବାଚ ।
କିଛି ସମୟ ପରେ ରୁମକୁ ପଶି ଆସିଲେ ୪ ଜଣ ଯୁବକ । ତାଙ୍କ ନେତା ବ୍ରିଜେଶ ସିଂ (ଅଣଓଡ଼ିଆ ହେଲେ ମଧ୍ୟ ସେ ସେଠାକାର ସ୍ଥାୟୀ ବାସିନ୍ଦା ଓ ସ୍ଥାନୀୟ ଭାଷା ଭଲ ଭାବରେ କୁହେ )ଓ ତା ସଂଗେ ଆଉ ୩ ଟି ପିଲା । ବ୍ରିଜେଶ ଆମ କଲେଜ ପୂର୍ବତନ ଛାତ୍ର ନେତା । ବାହାରେ ସିନା ଦୁର୍ଦ୍ଧାନ୍ତ ଯୁବକ ହିସାବରେ ଜଣାଶୁଣା କିନ୍ତୁ ପଢ଼ୁଥିବା ସମୟରେ ସେ କଲେଜରେ କେବେ କିଛି ଗଣ୍ଡଗୋଳରେ ରହୁ ନଥିଲା ଓ ମୋ ସମେତ ସବୁ ସାର ମାନଙ୍କୁ ସମ୍ମାନର ସହିତ ବ୍ୟବହାର କରୁଥିଲା ।ମୁଁ ତାକୁ ପଚାରିଲି ,
" ବ୍ରିଜେଶ, କୁହ କଣ ହେଲା ?"
" ସାର , ସେମାନେ ( ଆଡ଼ମିଶନ ସିଲେକ୍ସନ କମିଟି ର ଅଧ୍ୟାପକ ମାନେ ) କହୁଛନ ମୋର ପୁତୁରା କୁନାଲ କେ ସିଟ ନାଇଁ ମିଳେ । ତାର ନମ୍ବର ନାଇଁ ଆସିବାର । ସାର ଆପଣ ତ ମତେ ଜାଣିଛନ , ମୁଇ କଲେଜ ଲାଗି କେତେ କାମ କରିଛେ । ମୋର ନିଜର ପୁତୁରା ର ଲାଗି ଗୁଟେ ସିଟ ନାଇଁ ହୁଏ ? ସେମାନଙ୍କୁ ସେଟା କହେଲେ କହୁଛନ ଯେ ଆପଣ ଯଦି କହେବେ ବେଳେ ତାହାକେ ସିଟ ଦେଇଦେମୁ "
ମୁଁ ସବୁ ଶୁଣି କହିଲି " ବ୍ରିଜେଶ , ତୁମେ ସମସ୍ତେ ବସ । ମୁଁ ପ୍ରଥମେ ଗୋଟିଏ ସାନ କାହାଣୀ କହିବି । ତାପରେ ଏଇ ବିଷୟ ନିଷ୍ପତ୍ତି କରିବା , ok ? "
" ବହୁତ ଦିନ ଆଗରୁ ରାଜା ଭୋଜଙ୍କ ସମୟ ରେ ଗୋଟିଏ ଗ୍ରାମରେ ଗାଈ ଚରାଉ ଥିବା ପିଲା ମାନେ ଗୋଟିଏ ପଡିଆରେ ଜମା ହେଇ ଖେଳନ୍ତି । ତାଙ୍କ ଭିତରେ ଗଣ୍ଡଗୋଳ ବି ହୁଏ । ଗଣ୍ଡଗୋଳ ହେଲେ ତାଙ୍କ ଭିତରୁ ଜଣେ ଯାଇ ପଡିଆ ଭିତରେ ଥିବା ଏକ ଉଚ୍ଚ ସ୍ଥାନରେ ବସି ବିଚାର କରେ । ଆଶ୍ଚର୍ଯ୍ୟର କଥା ସେଇପିଲା ସେତେବେଳେ ଖୁବ ବୁଦ୍ଧିମାନ ପରି ଅତ୍ୟନ୍ତ ନିରପେକ୍ଷ ଓ ସଠିକ ନିଷ୍ପତ୍ତି ଶୁଣାଏ । ଏମିତି କେତେ ଥର ହେଲା ପରେ ଗାଁ ଲୋକେ ଏକଥା ଶୁଣିଲେ ଓ ପରିକ୍ଷା କରିବାକୁ ତାଙ୍କ ଭିତରେ ଥିବା ପୁରୁଣା ଝଗଡା ବିଷୟ ଆଣି ସେଇ ପିଲା ମାନଙ୍କୁ ସମାଧାନ କରିବାକୁ କହିଲେ । ସେଇ ଗାଈ ଚାରୁଆଳି ମଧ୍ୟରୁ ଜଣେ ସେଇ ଢ଼ିପ ଉପରକୁ ଯାଇ ବସିଲା ଓ ଉଭୟ ପକ୍ଷ୍ ର ବୟାନ ଶୁଣିଲା । ସେ ଏପରି ନ୍ୟାୟବାନ ନିଷ୍ପତ୍ତି ଟିଏ ଦେଲା ଯେ ସମସ୍ତେ ଆଚମ୍ବିତ ହେଇଗଲେ । "
"ଏଇ ଘଟଣା ଧୀରେ ଧୀରେ ଚାରିଆଡେ ରାଷ୍ଟ୍ର ହେଇ ରାଜା ଭୋଜ ଶୁଣିଲେ ଓ ଆସିଲେ । ସେ ଦେଖିଲେ ଯେ ଯିଏ ବି ସେଇ ଢ଼ିପ ଉପରେ ବସୁଛି ସେ ନ୍ୟାୟବନ୍ତ କଥା ହିଁ କହୁଛି ଯାହା ପୁରା ଠିକ । ରାଜା ସୈନ୍ୟ ଲଗେଇ ସେ ଜାଗା ଖୋଲିବାରୁ ଏକ ୩୨ ପୁତ୍ତଳିକା ଥିବା ସିଂହାସନ ବାହାରିଲା ଓ ତାହା ଅତ୍ୟନ୍ତ ପରାକ୍ରମୀ ତଥା ନ୍ୟାୟବନ୍ତ ସମ୍ରାଟ ବିକ୍ରମାଦିତ୍ୟଙ୍କର ଥିଲା ଓ ତାର ପ୍ରଭାବରୁ ସେଇ ସିଂହାସନ ଉପରେ ବସୁଥିବା ଲୋକ ନ୍ୟାୟ ହିଁ ଦିଏ , ଅନ୍ୟାୟ ନୁହେଁ ।
" ବ୍ରିଜେଶ , ମୁଁ ଏବେ ଯେଉଁ କୁର୍ସିରେ ବସିଛି , ତାହା ମଧ୍ୟ ସେପରି ଏକ କୁର୍ସି । ଏଠାରେ ବସି କେହି ଅନ୍ୟାୟ ଆଦେଶ ଦେବାକୁ ଗଲେ ତାର ହୃଦୟ ବାଧା ଦିଏ । ଏହା ଦାୟିତ୍ୱ ର କୁର୍ସି ।"
" ତୁମକୁ ଯଦି ବିଶ୍ୱାସ ହଉ ନାହିଁ , ମୁଁ ତୁମକୁ ଏହି କୁର୍ସିରେ କିଛି ସମୟ ପାଇଁ କ୍ଷମତା ସହ ଦେଉଛି । ବସ , ହୃଦୟକୁ ପଚାର , ଯଦି ହୃଦୟ କହିବ ଠିକ କରୁଛି , ତୁମେ ନିଜେ ଲେଖିଦେବ ଯେ "କୁନାଲ ସିଂ କୁ ସିଟ ଟିଏ ଦିଆ ଯାଉ " । ସେତିକି ବେଳେ ଆଉ ଗୋଟେ କଥା ବି ଭାବିବ । ତୁମେ ଥିଲାବାଲା ପରିବାରର , ତୁମେ କୁନାଲକୁ ଦୂରରେ ଥିବା କଲେଜକୁ ପଠେଇ ପାରିବ । ସିଟ ଅନେକ କଲେଜରେ ପାଇଯିବ । କିନ୍ତୁ ତାକୁ ଏଇଠି ସିଟଟି ଦେଲେ ଯେଉଁ ପିଲାଟି ସିଟ ପାଇବ ନାହିଁ ସେ ଜଣେ ଗରିବ ଘର ପିଲା , ମୁଁ ସେଇ ଖବର ନେଇସାରିଲିଣି । ବିଚରା ର ପାଠ ପଢାରେ ଡୋରି ବନ୍ଧା ହେବ, କାହିଁକିନା ତା ବାପା ମା ତାକୁ ପଠେଇ ପାରିବେନି ବାହାରକୁ । ମୁଁ ଏହି ଅନ୍ୟାୟ କଦାପି କରିପାରିବି ନାହିଁ । ତୁମେ ବିବେକକୁ ପଚାର ଏହି ସିଟରେ ବସି ।
ହତଭମ୍ବ ହେଇ ବ୍ରିଜେଶ କିଛି ସମୟ ଚୁପ ହେଇ ଭାବିଲା । ହଠାତ ଉଠିପଡ଼ି ମୋ ପାଖକୁ ଆସି ମୋ ଗୋଡ଼ ଛୁଇଁଲା ଆଉ କହିଲା " ସାର , ଆପଣଙ୍କୁ ପାରି ନାଇଁ ହୁଏ "
ତା ସାଥି ମାନଙ୍କୁ କହିଲା " ଅରେ ଚଲୋ , କ୍ୟା ଦେଖତେ ହୋ ? ହମ୍ ଏଇସା ଗଲତ୍ କାମ୍ ନହିଁ କର ସକତେ । ହାଁ କୁନାଲ ,ସାର କେ ପୈର ଛୁ କେ ଜୋଓ , ତୁଝେ ଦୁସ୍ର କହିଁ ସିଟ ମିଲ ଯାଏଗା । "
ସେଦିନ ବଂଧୁ ଦାଶ ବାବୁଙ୍କ ସହ ଘରକୁ ବହୁଡ଼ିଲା ବେଳେ ମୋ ମନରେ ପରମ ସନ୍ତୋଷ ବିରାଜମାନ କରୁଥାଏ ।
ଏହି କାହାଣୀ ଟି କେବଳ ମୋର ନୁହେଁ । ମୋ ଆଗରୁ ଅବସର ନେଇଥିବା ଅଗଣିତ ବନ୍ଧୁ ବାନ୍ଧବୀଙ୍କ ମଧ୍ୟ ସେଇପରି ଅନୁଭୂତି ନିଶ୍ଚିତ ହେଇଥିବ ଯଦିଓ ସେମାନେ ହୁଏତ ତାକୁ କଲମସ୍ଥ କରି ନ ଥିବେ । ପୁଣି ମଧ୍ୟ ଏହି ଧାରା ଚାଲି ରହିଥିବ ଆଗକୁ ଅବସର ନେବାକୁ ଯାଉଥିବା ବନ୍ଧୁ ମାନଙ୍କ ପାଇଁ ।