ଜରାଶ୍ରମ
ଜରାଶ୍ରମ


ଭଲରେ ଶୋଇ ପାରିଲାନି ଅନିତା। ବାରମ୍ବାର କଡ ଲେଉଟାଉଥାଏ।ଗୋଟିଏ ନିଦ ଭାଙ୍ଗିସାରିବା ପରେ, ଏ ପର୍ଯ୍ୟନ୍ତ ଶୋଇ ନାହଁ କହି ବିପ୍ଳବ ପୁଣି ଘୁଙ୍ଗୁଡ଼ି ମାରିବା ଆରମ୍ଭ କଲେଣି। ଯଦିଓ ସବୁ କାର୍ଯ୍ୟ ବିପ୍ଳବ କରିଥିଲେ ତଥାପି ଅନିତା ନିଜକୁ କ୍ଷମା କରିପାରୁ ନଥିଲା। କାରଣ ସବୁର ସୂତ୍ରଧର ସେ ନିଜେ ଥିଲା।
ସେ ହିଁ କହିଥିଲା, "ବିପ୍ଳବ, ଘରର ଅଳିଆ ସଫା କରିବା କୌଣସି ଦୋଷାବହ ନୁହେଁ।" ବୁଢ଼ା ବୁଢ଼ୀ ଦୁଇଟା ଏ ଘରର ସବୁଠାରୁ ବଡ଼ ଅଳିଆ। ତା'ରି କଥାରେ ବିପ୍ଳବ ନିଜ ବାପା ମାଆଙ୍କୁ କାଲି ଜରାଶ୍ରମରେରେ ଛାଡ଼ିଦେଇ ଆସିଛି।
ଯାହା ଘରେ ବୋହୁ, ତାଳ ସହିତ ତାଳ ଦେଇ ଶାଶୁ ଶଶୁରଙ୍କ ସହ ଝଗଡା କରିପାରିବ, ସେ ଘରେ ପୁଅ ମୁହଁ ଖୋଲିବା କିଛି ଆବଶ୍ୟକ ନାହିଁ। ମୁହଁ ଖୋଲିବ କାହିଁକି??ସେ ପୁଅ ତ ସୁନାମୁଣ୍ଡା।
ଯୋଉଠି, ସ୍ତ୍ରୀର କାନ କୁହା ଶୁଣି, ପୁଅ' କଥା କଥାରେ ବାପା ମାଆଙ୍କ ଉପରେ ଖଡ୍ଗହସ୍ତ ହେବ ସେଇଠି ବୋହୂର ମର୍ଯ୍ୟାଦା କ୍ଷୁର୍ଣ୍ଣ ହେବାର ପ୍ରଶ୍ନ ଉଠୁନି। ବୋହୁ ନୁହେଁ ତ ହୀରାମୁଣ୍ଡା।
ଭିତିରି କଥା ଜାଣେ କିଏ??
ଶାଶୁ ଶଶୁରଙ୍କ ଆଗରେ ଭଲ ଭାବମୂର୍ତ୍ତି ଥିଲେ ହେଁ, ଅନିତାର ଗୁପ୍ତ ମନ୍ତ୍ରଣାରେ ବିପ୍ଳବ ବାପା ମାଆଙ୍କୁ ବୃଦ୍ଧାଶ୍ରମରେ ଛାଡ଼ିଦେଇଛି।
.... ସେଦିନ ସମସ୍ତେ ଗାଡିରୁ ଓହ୍ଲେଇ ଜରାଶ୍ରମ ଆଡକୁ ବାହାରିଲା ବେଳେ ଅନିତା ଗାଡିଭିତରେ ବସି ରହିଥିଲା। ଅଶ୍ରୁ ଦୁଇବୁନ୍ଦା ଝରାଇ ଶାଶୁ ଶଶୁର ଗାଡିଭିତରୁ ବାହାରି ଗଲା ବେଳେ ଅନିତା ତରକି ଯାଇଥିଲା। କାଳେ ତାକୁ କିଏ ଦେଖି ନେବ, ସେଥିପାଇଁ ସମସ୍ତେ ଜରାଶ୍ରମର ଫାଟକ ପାର ହେବା ପରେ ଗାଡିରୁ ଓହ୍ଲାଇ ଥିଲା। ଅନୁଗମନ କରି ସେ ଫାଟକ ପର୍ଯ୍ୟନ୍ତ ଆସିଲା ବେଳକୁ ଶାଶୁ ଶଶୁର ଓ ସ୍ୱାମୀ ଜରାଶ୍ରମ ପ୍ରକୋଷ୍ଠ ଆଡକୁ ଚାଲିଯାଇଥିଲେ।
ଅନିତା ଶଙ୍କା ଅନୁଭବ କରୁଥିଲା, ସେ ଧାରା ପଡିଯିବନି ତ??? ଅଜଣା ଭୟ ତା ଶରୀର ଭିତରେ ଖେଳି ଯାଉଥିଲା। ନିଜକୁ ସେ ଅପରାଧି ସଜେଇ ନିଜକୁ ନିଜେ କ୍ଷମା କରି ପାରୁନଥିଲା।
ଚିନ୍ତାରେ ହଜି ହଜି ସିକୁରିଟି ଫାଟକ ପର୍ଯ୍ୟନ୍ତ ପହଁଚିଲା ଅନିତା। ଜରାଶ୍ରମର ବୁଢା ଦରୁଆନ ଆଖିରୁ ଦୁଇଧାର ଲୁହ ଝରାଇ ସହକର୍ମୀ ଯୁବ ଦାରୁଆନକୁ କହୁଥିଲା। " ମୁଁ ସେତେବେଳେ କଟକରେ ଗୋଟିଏ ଅନାଥାଶ୍ରମରେ ନୂଆଁ ନୂଆଁ ଭର୍ତ୍ତି ହୋଇଥାଏ। ସୁଧାଂଶୁ ବାବୁ ଆମ ସୁପରିଟେଣ୍ଡଙ୍କୁ ନେଇ ପଶି ଆସିଲେ। ଉଭୟେ କଣ ଗୁଡାଏ ଲେଖା ପଢ଼ି କଲେ। ଆମ ସୁପରିଟେଣ୍ଡ ଗୋଟାଏ ଶିଶୁ ପୁତ୍ର ସୁଧାଂଶୁ ବାବୁଙ୍କ ହାତରେ ଧରେଇ ଦେଇ କହିଲେ, ମେଡ଼ିକାଲ କୁ ଯିବୁ ନର୍ସ, ଡାକ୍ତର ଯିଏ ଯେତେ ଟଙ୍କା ମାଗିଲେ ଦେବୁ।ସେମାନଙ୍କୁ କହିଦେବୁ, ଚେତା ଆସିଲା ପରେ ଭାଉଜଙ୍କୁ କହିବେ ଏଇଟା ତାଙ୍କ ପୁଅ। ଯେମିତି ଭାଉଜ ଜାଣି ପାରିବେନି ଯେ ସେ ମୃତ ସନ୍ତାନ ଜନ୍ମ ଦେଇଛନ୍ତି।'
ସେଇଠି ମୁଁ ଠିଆ ହୋଇ ଶୁଣୁଥିଲି। ଶହେ ଟଙ୍କିଆ ନୋଟଟେ ମୋ ପକେଟରେ ଗୁଞ୍ଜି ଦେଇ ସୁଧାଂଶୁ ବାବୁ କହିଲେ, ଏକଥା କାହାକୁ କହିବୁନି। ସୁପରିଟେଣ୍ଡ କହିଲେ ଆରେ ସେ ନୂଆ ଆସିଛି, କିଛି ଜାଣିନି କାହିଁକି ତାକୁ ଟଙ୍କା ଦେଉଛୁ?? ହସିଦେଇ ସୁଧାଂଶୁ ବାବୁ ଚାଲିଗଲେ। ସେ କଥା ମୁଁ ସେଦିନ ହିଁ ଭୁଲି ଯାଇଥିଲି। ଅତ୍ୟନ୍ତ ଜରା ଅବସ୍ଥାରେ ଆଜି ସୁଧାଂଶୁ ବାବୁଙ୍କୁ ଦେଖି ପୁଣି ସେଇ ପୁରୁଣା କଥା ଗୁଡ଼ାକ ଗୋଟି ଗୋଟି ହୋଇ ମନେ ପଡି ଯାଉଛି।"
ଏସବୁ କଥା ଶୁଣିବା ପରେ ଅନିତାର ପାଦତଳୁ ମାଟି ଖସିଯାଇଥିଲା। ଆଉ ଆଜି ନିଦ ହେବ କଣ..?? ସୁଧାଂଶୁ ବାବୁ ତା ଶଶୁର। ଆଉ ବିପ୍ଳବ ତାଙ୍କର ପାଳିତ ପୁଅ। ଅନିତା ଆଖିକୁ ନିଦ ଛୁଇଁବ କେମିତି??
ସକାଳ ହେଲା। ଡ୍ରାଇଭରକୁ ଗାଡି ବାହାର କରିବାକୁ ଅନିତା କହିଦେଇ ନିଜେ ପ୍ରସ୍ତୁତ ହେଲା।ବିପ୍ଳବଙ୍କୁ ଗାଡ଼ିରେ ବସାଇ ଜରାଶ୍ରମ ଆଡକୁ ଚାଲିଲେ।
ଫାଟକ ପାର୍ଶ୍ୱରେ ଗାଡି ପାର୍କିଂ କଲା। ବୁଢା ଦରୁଆନ ପାଖରେ ବିପ୍ଳବକୁ ଠିଆ କରାଇ ଜରାଶ୍ରମ ନିବାସ ପ୍ରକୋଷ୍ଠ ଆଡକୁ ଅନିତା ଦ୍ରୁତ ପ୍ରବେଶ କଲା।
ବୁଢା ଦରୁଆନ ଆଉ ବିପ୍ଳବ ବାର୍ତାଳାପ କରୁ ଥିଲେ... ଅନତି ଦୂରରୁ ଅନିତା ଦେଖୁଥିଲା ବିପ୍ଳବ ଆଖିରୁ ଧାର ଧାର ହୋଇ ଲୁହ ଝରି ଯାଉଛି।
ବାପାଙ୍କର ଗୋଟିଏ ହାତକୁ ମାଆ ଓ ଅନ୍ୟ ହାତକୁ ଅନିତା ଧରି ଥାଏ, ଅନିତାର ଅନ୍ୟ ହାତରେ ସୁଟକେଶ, ଓଦା ଆଖିରେ ବିପ୍ଳବ ଦେଖୁଥିଲା ଅନନ୍ତ ଖୁସିର ଲହରୀ ତା ଆଡ଼କୁ ମାଡ଼ିଆସୁଥିଲେ......।