STORYMIRROR

KRUTIBAS NAYAK

Inspirational

3  

KRUTIBAS NAYAK

Inspirational

ଜୀବନରେ ଜୀବନ-୨୧

ଜୀବନରେ ଜୀବନ-୨୧

4 mins
222

ଯେଉଁମାନଙ୍କର ବିଶ୍ଵାସ ରହିଛି ଯେ, ଆମେ ଯାହା କରୁଛି ତାକୁ ଆଉ କେହି ଦେଖୁ ବା ନ ଦେଖୁ; ସବୁ କାମକୁ ଆମର ପରମ ପିତା ଈଶ୍ଵର ଦେଖୁଛନ୍ତି । ଏହାଦ୍ଵାରା ସେମାନଙ୍କ କାର୍ଯ୍ୟ-କଳାପରେ ଥିବା ବିଚାର, ଦାନ, ଦୟା ଓ ନିଷ୍ଠା ନିଶ୍ଚିତ ଭାବରେ ସୁଦୃଢ ହୋଇଥାଏ । ଏହାର ସୁଫଳ ତାଙ୍କୁ ତୁରନ୍ତ ମିଳିପାରେ ନଚେତ କିଛି ବିଳମ୍ବରେ ମିଳେ । କିନ୍ତୁ ଏକଥାଟି ନିଶ୍ଚିତ ଯେ ଭଲକାମର ଫଳ ଭଲ ମିଳିବ ହିଁ ଫଳିବ । ଅବଶ୍ୟ କେହି କେହି ଜୀବଦ୍ଦଶା ଭିତରେ ନିଜକର୍ମର ସୁଫଳକୁ ଦେଖି ପାରନ୍ତି ନାହିଁ । ସକଳ ଶାସ୍ତ୍ର ସ୍ଵୀକାର କରନ୍ତି-ପରିଶ୍ରମ, ନିଷ୍ଠା, ନିସ୍ଵାର୍ଥ ସେବା, ପ୍ରେମ ଓ ଈଶ୍ଵର ବିଶ୍ଵାସ କଦାପି ବ୍ୟର୍ଥ ଯାଏନାହିଁ । ମୋର ଜୀବନ କାଳ ଭିତରେ ଏହି ସବୁକଥାକୁ ମୁଁ ଅତିସୂକ୍ଷ୍ମ ଭାବରେ ନିରୀକ୍ଷଣ କରି ଦେଖିଛି । ଅନୁଭବ କରିଛି, ଅନେକ ଘଟଣାରେ ତୁରନ୍ତ ସୁଫଳ ବି ପାଇଛି । ଆଉ କେତେକ କ୍ଷେତ୍ରରେ ଧୈର୍ଯ୍ୟର ସହ ମୋତେ ଅପେକ୍ଷା କରିବାକୁ ପଡ଼ିଛି ।

ଓଡ଼ିଶାର ପ୍ରତ୍ୟେକ ଲୋକ ଭଲ ଭାବରେ ଜାଣନ୍ତି ଭାଷା-ସାହିତ୍ୟ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକମାନେ ନିଜହାତରୁ ଖାଇ ଘୋଡ଼ା ଆଗରେ ଡିଆଁ ମାରନ୍ତି । ତାଙ୍କୁ କୌଣସି ପ୍ରକାର ଆର୍ଥିକ ଲାଭ କିମ୍ବା ବ୍ୟାବସାୟିକ ସଫଳତା ତ ମିଳେନାହିଁ ଭବିଷ୍ୟତରେ କିଛି ମିଳିବାର ବି ଆଶା ନାହିଁ । ତଥାପି ତୃଣମୂଳ ସ୍ତରରେ ଥିବା ସାଧାରଣ ଲୋକଠାରୁ ଆରମ୍ଭ କରି ଦେଶର ସର୍ବୋଚ୍ଚ ପଦ-ପଦବୀରେ ଥିବା ବିଶିଷ୍ଟ ବ୍ୟକ୍ତିମାନଙ୍କ ମଧ୍ୟରୁ ଅନେକ ଲୋକ କିଛିଲେଖି ପୁସ୍ତକଟିଏ ପ୍ରକାଶ କରିବାର ଆଶା-ଅଭିଳାଷ ରଖିଥା’ନ୍ତି । ତା’ର ଦୁଇଟି କାରଣ ଥାଏ, ଗୋଟିଏ ହେଲା- ଯେଉଁମାନେ ତୃଣମୂଳ ସ୍ତରରେ ଅଛନ୍ତି, ସେମାନେ ଭାବନ୍ତି-“ସମାଜରେ ପାଞ୍ଚଜଣଙ୍କ ମଧ୍ୟରେ ମୁଁ ବି ଜଣେ ହୋଇ ପରିଚିତ ହୋଇପାରିବି । ମୁଁ ବି ଅନ୍ୟ କବି-ଲେଖକଙ୍କ ଭଳି ଲେଖି ପାରୁଛି, ଏକଥାଟିକୁ ମୋର ପରିଚିତ ଲୋକ, ନିଜର ଆତ୍ମୀୟ ଆଉ କେତେକ ବିଶିଷ୍ଟ ଲୋକ ଜାଣନ୍ତୁ ।” ଏହି ଛୋଟ ଆଶାଟି ତାଙ୍କୁ ଘୋଡ଼ା ଆଗରେ ନାଚିବାକୁ ପ୍ରବାର୍ତ୍ତାଏ ।

କିନ୍ତୁ, ଉଚ୍ଚପଦ-ପଦବୀରେ ଥିବା କିଛିଲୋକ ସବୁ ସୁଖ-ସଂପତ୍ତିର ଅଧିକାରୀ ହୋଇସାରିବା ପରେ ମନେକରନ୍ତି-“ଏ’ ସବୁ ତ ହେଇଗଲା, କବି-ଲେଖକମାନଙ୍କ ଭଳି କିଛିଦିନ ଅମରହେଇ ରହିବାକୁ ହେଲେ, କିଛି ଲେଖା-ଲେଖି କରିବାକୁ ହେବ । ପୁରସ୍କାର–ସ୍ଵୀକୃତି ଲାଭ କରିବା ତ ଆମ ହାତର କଥା । କିଛି ଦାନ-ଦୟା ଦେଖାଇ ଏହାକୁ ସହଜରେ ହସ୍ତଗତ କରିହେବ ।” ଏ’ ଦିଗରେ ଅନେକ କବି ସଫଳ ବି ହେଇଥିବା କଥା ସଭିଏଁ ଜାଣନ୍ତି ।

କିନ୍ତୁ ପୁଣି କିଛିଲୋକ ଏମିତି ଅଛନ୍ତି ସେମାନେ ଜୀବନକୁ ବାଜି ଲଗାଇ ସାହିତ୍ୟ ସୃଷ୍ଟିରେ ସାହିତ୍ୟ ଚର୍ଚ୍ଚାରେ ଆଜୀବନ ଲାଗି ରହିଥା’ନ୍ତି । ଏଥିରୁ ତାଙ୍କୁ କ’ଣ ମିଳିବ, କ’ଣ ହରେଇବାକୁ ପଡ଼ିବ, ସେ ବିଷୟରେ ସେମାନେ ଧ୍ୟାନ ଧାରଣା ରଖି ନ ଥା’ନ୍ତି । ଏହି ପ୍ରକ୍ରିୟାକୁ ସେମାନେ ସେବା-ତ୍ୟାଗ ପ୍ରେମଭାବରେ ଗ୍ରହଣ କରିନେଇଥା’ନ୍ତି । ନୀରବଚ୍ଛିନ୍ନ ଭାବରେ ନିଜ ସୃଜନ କଳାକୁ ଆଗେଇ ନେଉଥା’ନ୍ତି । ସେମାନଙ୍କ ମଧ୍ୟରୁ କିଛି କିଛି ଲୋକଲୋଚନକୁ ଆସି ପାରନ୍ତି ନାହିଁ । ଆଉ କେତେଜଣଙ୍କର ସାହିତ୍ୟକୃତି ତାଙ୍କର ମୃତ୍ୟୁପରେ ହିଁ ଜାତିକୁ ଦିଗ-ଦର୍ଶନ ଦେଇଥାଏ । ସେହିଭଳି ପ୍ରାଚୀନ ଯୁଗରୁ ଆଜିଯାଏ ଅସଂଖ୍ୟ କବି-ସାହିତ୍ୟିକ ଜାତିର ପୂଜ୍ୟ ହେଇପାରିଛନ୍ତି । ଏହାକୁ କେବଳ ଭାଗ୍ୟବୋଲି କହି ଆମେ ତାଙ୍କର ତ୍ୟାଗ, ଭାବନାକୁ ସହଜରେ ଏଡ଼େଇ ଦେଇ ଚାଲିଥାଉଁ । 

ପିଲାଟିବେଳୁ କାହିଁକି କେଜାଣି ମୁଁ ସାହିତ୍ୟ ପ୍ରତି ଆକୃଷ୍ଟ ହେଇ ପଡ଼ିଲି ସେକଥା ଜାଣି ପାଇନାହିଁ । ପ୍ରାଥମିକ ଅବସ୍ଥାରେ ଯେତେବେଳେ ଯାହା ମନକୁ ଆସୁଥିଲା ଲେଖୁଥିଲି । କିନ୍ତୁ କେହି ମୋତେ କୌଣସି ପ୍ରକାର ଦିଗଦର୍ଶନ ଦେବାକୁ ନ ଥିଲେ କିମ୍ବା ଲେଖାଟିକୁ ପଢି ସଂଶୋଧନ କରିବାକୁ କିମ୍ବା ଭଲ-ମନ୍ଦ କହିବାକୁ ବି କେହି ନ ଥିଲେ । କେବଳ ମୋର ନିଜ ମାଆଙ୍କୁ ହିଁ ମୋ ଲେଖା କବିତାକୁ ପଢି ଶୁଣାଇ ଦେଇ ଆତ୍ମ-ସନ୍ତୋଷ ଲାଭ କରୁଥିଲି ।

ପରବର୍ତ୍ତୀ ସମୟରେ ମଧ୍ୟ କେହି ମୋର ଲେଖାକୁ ଦେଖିବାକୁ ବି ଆଗ୍ରହୀ ହେଉ ନ ଥିଲେ । ସକଳ ପ୍ରକାର ବାଧା, ଅସୁବିଧା ସତ୍ଵେ ମୋ କଲମ ନିୟମିତ କିଛିକିଛି ଲେଖି ପକାଉଥିଲା । ଏହାଦ୍ଵାରା ମୋତେ କିଛି ମିଳିଯିବ, ବା ମୁଁ କାହାର କିଛି କାମରେ ଲାଗୁଛି ବୋଲି ମୋର ଧାରଣା ନ ଥିଲା । 1975-76 ମସିହା ବେଳକୁ ସର୍ବ ପ୍ରଥମେ ମୋର ପିଲାଙ୍କ ପତ୍ରିକା ‘ବାରମଜା’ରେ ମୋର ଗୋଟିଏ ଗପ ପ୍ରକାଶ ପାଇଲା । ସେହି ଗପ ମାଧ୍ୟମରେ ମୁଁ ନିଜକୁ ଚିହ୍ନି ପାରିଲି ଯେ, ମୁଁ କେବଳ ପିଲାଙ୍କ ପାଇଁ ଲେଖିବାକୁ ଯୋଗ୍ୟ । ସେହିଦିନରୁ ଶିଶୁ-ସାହିତ୍ୟରେ ମନଧ୍ୟାନ ଦେଇ ଲେଖି ଚାଲିଲି । ଅସଂଖ୍ୟ ଶିଶୁଗପ-କବିତା ବିଭିନ୍ନ ପତ୍ର-ପତ୍ରିକାରେ ପ୍ରକାଶ ପାଇଚାଲିଲା । ନିଜେ ବି ଗୋଟାଏ ଶିଶୁ ପତ୍ରିକା ପ୍ରକାଶ କଲି । ପ୍ରଥମେ ଶିଶୁନୟନ, ତା’ପରେ ଆମେଶିଶୁ ଓ ପରେ ଶିଶୁରାଇଜ ପତ୍ରିକାକୁ ପ୍ରକାଶ କରିବା ମାଧ୍ୟମରେ ମୁଁ ଜଣେ ଶିଶୁ-ସାହିତ୍ୟିକ ଭାବେ ପରିଚିତ ହେଇଗଲି । ଶିଶୁ ସାହିତ୍ୟରେ ଗବେଷଣା, ଆଲୋଚନାରେ ଦୀର୍ଘବର୍ଷ ଲାଗି ରହିଥିଲି ।

ସମୟ ଓ ସୁଯୋଗ ଆମକୁ ବଦଳାଇଦିଏ ମନ ବଦଳିଯାଏ । ନିଜର ଆତ୍ମ-ବିଶ୍ଵାସ ବୃଦ୍ଧି ପାଇଲେ ନୂଆକାର୍ଯ୍ୟ କରିବାକୁ ସାହସ ପାଏ । ବିଭିନ୍ନ ପତ୍ର-ପତ୍ରିକାର ସଂପାଦକଙ୍କ ଚାହିଦାକୁ ଲକ୍ଷ୍ୟକରି ଧୀରେ ଧୀରେ ମୋର ଲେଖା ବଦଳିଲା । ଆବଶ୍ୟକତା ହିଁ ମୋତେ ସାହିତ୍ୟର ବିଭିନ୍ନ ବିଭାଗରେ କଲମ ଚଳାଇବାକୁ ବାଧ୍ୟକଲା । ଶେଷରେ ଏମିତି ଅବସ୍ଥା ଆସିଲା ଯେ, ଉପନ୍ୟାସ, ବ୍ୟଙ୍ଗ-ଲଳିତଗଳ୍ପ-କବିତା, ଆଧୁନିକ ଗୀତ ଓ କବିତା, ବିଦଗ୍ଧ ଗଳ୍ପ, ହାସ୍ୟ-ଚାରୁଗଳ୍ପ, ମଜା-କବିତା, ମଜାଗଳ୍ପ, ରୂପକ, ପ୍ରବନ୍ଧ, ନାଟକ, ଗୀତିନାଟ୍ୟ, ଭକ୍ତିଗୀତ, ବିଭିନ୍ନ ପ୍ରକାର ଜୀବନୀ ରଚନା କରିବାରେ ଲାଗିରହିଲି । କିନ୍ତୁ ମୋର ମୂଳ ଶିଶୁ-ସାହିତ୍ୟ ବିଭାଗକୁ ମୁଁ ଆଜି ପର୍ଯ୍ୟନ୍ତ ଛାଡ଼ି ଦେଇନାହିଁ, କିମ୍ବା ତାକୁ ହତାଦର କରିନାହିଁ । କିନ୍ତୁ ସୁଯୋଗ ମିଳିଥିଲେ, ଚଳଚିତ୍ର ପାଇଁ କାହାଣୀ, ଯାତ୍ରାର ସଂଳାପ, ସିନେମା ପାଇଁ ସକଳ ପ୍ରକାର ଗୀତ ବି ଲେଖି ପାରିଥାଆନ୍ତି । କେହି ତ କେବେ ବି ମୋର ସହାୟତା ବା ମାଗଣା ସେବା ଚାହିଁଲେ ନାହିଁ । କ’ଣ କରିବି ? ସେଭଳି ହୋଇଥିଲେ- ମୋ କଲମର ଗାଟିପଥ ବି ବଦଳି ଯାଇଥା’ନ୍ତା ।

ଶିଶୁ-ସାହିତ୍ୟଠାରୁ ଆରମ୍ଭ କରି ଉପନ୍ୟାସ ପାଇଁ ମୁଁ ଜାତୀୟ ସ୍ତରରେ ପୁରସ୍କୃତ ହୋଇଛି । ନାଟକ ପାଇଁ ବିଷୁବ ମିଳନ–ସମ୍ମାନ-2015 ମୋତେ ମିଳିଛି । ଗୀତିକବିତା ପାଇଁ ଓଡ଼ିଆ ଗୀତିକବି ସମାଜ ତରଫରୁ 2016 ମସିହାରେ ଜିତେନ୍ଦ୍ର ପଟ୍ଟନାୟକ ଗୀତିକବି ସମ୍ମାନ ମିଳିଛି । ଉତ୍କଳ ସାହିତ୍ୟ ସମାଜ ସଂସାର ଭଳି ବିଶିଷ୍ଟ ଅଗ୍ରଣୀ ସାହିତ୍ୟ ସଂଗଠନ ତରଫରୁ ମଧ୍ୟ ଶିଶୁ-ସାହିତ୍ୟ ପାଇଁ ମୋତେ ଅନେକ ଗୁଡ଼ିଏ ପୁରସ୍କାର ଓ ସମ୍ମାନ ପ୍ରଦାନ କରାଯାଇଛି । ମୁଁ ଏବେ ମଧ୍ୟ ଅତ୍ୟନ୍ତ ନିଷ୍ଠାର ସହିତ ସାହିତ୍ୟ ସାଧନାରେ ବ୍ରତୀ ରହିଛି । ସକ୍ରିୟ ଭାବେ ବିଭିନ୍ନ ସାହିତ୍ୟ ସଂଗଠନ ସହିତ କାର୍ଯ୍ୟକରି ଆସୁଛି । ବୟସ, ସମୟ, ଅର୍ଥ ବା କାହାର ନିନ୍ଦା-ପ୍ରଶଂସାକୁ ଅପେକ୍ଷା ନ କରି ମୁଁ ମୋର ମାତୃଭାଷାର ସେବାକରି ପାରୁଥିବାରୁ, ମୋର ଜୀବନ ସାର୍ଥକ ହୋଇଛି ବୋଲି ମନେକରେ ।



Rate this content
Log in

Similar oriya story from Inspirational