ଜୀବନରେ ଜୀବନ-16
ଜୀବନରେ ଜୀବନ-16
ପ୍ରତ୍ୟେକ ଭାଷାରେ ସାହିତ୍ୟର ବିଭିନ୍ନ ବିଭାଗ ରହିଛି | ସେଥିମଧ୍ୟରୁ ସ୍ତମ୍ଭ ରଚନା କରି ନିୟମିତ ଦୈନିକ ଖବରକାଗଜକୁ ଯୋଗାଇଦେବା ଏତେ ସହଜ କଥା ନୁହେଁ | ମୁଁ ଜଣେ ଶିଶୁସାହିତ୍ୟିକ ଭାବେ ସାରା ଓଡ଼ିଶାରେ ପରିଚିତ ଥିଲି | ପରବର୍ତ୍ତୀ ସମୟରେ 1989 ଜାନୁଆରୀ ମାସରେ ମୁଁ ଆକାଶବାଣୀର ଜଣେ କାର୍ଯ୍ୟକ୍ରମ ଅଧିକାରୀ ପଦବୀରେ ରହିଲି | ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ନିୟମିତ ସକାଳ ସାତଟା ସମୟରେ ପ୍ରଚାରିତ ହେଉଥିଲା-“ଆଜିର ଭାବନା” କାର୍ଯ୍ୟକ୍ରମ | ଏହା ସେହି କେନ୍ଦ୍ରର ଏକ ଲୋକପ୍ରିୟ କାର୍ଯ୍ୟକ୍ରମ ଥିଲା | ସକାଳୁ ସକାଳୁ ଅଧିକାଂଶ ଶ୍ରୋତା ଆଜିର ଭାବନାର ମର୍ମବାଣୀକୁ ଶୁଣିବା ପାଇଁ ଅପେକ୍ଷା କରି ରହୁଥିଲେ | 1990 ମସିହା ଅକ୍ଟୋବର ମାସରେ ଏକ ଜଟିଳ ପରିସ୍ଥିତିରେ ମୋତେ ସେହି କାର୍ଯ୍ୟକ୍ରମ ପାଇଁ ନିୟମିତ କିଛି ଭଲକଥା ଲେଖି ତାକୁ ପ୍ରସାରଣ କରିବାକୁ ମୋତେ ଆଦେଶପତ୍ର ମିଳିଲା | ପୂର୍ବରୁ ଏହି କାର୍ଯ୍ୟକ୍ରମକୁ ଜଣେ ଅତି ଅଭଜ୍ଞ ତଥା ବରିଷ୍ଠ ଅଫିସର ପ୍ରସାରଣ କରି ଆସୁଥିଲେ | ମୋ ଜୀବନରେ ମୁଁ ସକଳ ପ୍ରକାର ଚ୍ୟାଲେଞ୍ଜକୁ ସ୍ଵାଗତ କରିଥାଏ | ହଠାତ ଅପ୍ରସ୍ତୁତ ଭାବରେ ମନର ଭାବନାକୁ ନେଇ ଆଜିର ଭାବନା କାର୍ଯ୍ୟକ୍ରମରେ ପ୍ରଚାର ଆରମ୍ଭ କରିଦେଲି | ଧୀରେ ଧୀରେ ମନର ବଳ ବୃଦ୍ଧି ପାଇଲା | ଭୁଲ ହେବାର ଭୟ ବି ଛାଡ଼ିଗଲା | ସତକୁ ସତ ମୁଁ ଏହି କାର୍ଯ୍ୟକ୍ରମରେ ସଫଳ ବି ହେଲି | ପ୍ରତିଦିନ କିଛି ନୂଆକଥା ଜନସାଧାରଣଙ୍କ ହିତକଥାକୁ ନୂଆ ଢଙ୍ଗରେ ଲଳିତ ଗଳ୍ପ ମାଧ୍ୟମରେ ପ୍ରଚାର କରିବାରେ ମଜା ପାଇଲି | ଅସଂଖ୍ୟ ଶ୍ରୋତା ତାକୁ ଅତ୍ୟନ୍ତ ଆଦର କଲେ | କେତେଜଣ ନିୟମିତ ଚିଠି ଓ ଫୋନ ମାଧ୍ୟାମରେ ଅଭିନନ୍ଦନ ଜଣାଉଥିଲେ | ଫଳରେ ମୋତେ ଅଧିକରୁ ଅଧିକ ଲେଖିବାକୁ ପ୍ରେରଣା ମିଳିଥିଲା | 1993 ମସିହା ସେପ୍ଟେମ୍ବର ପର୍ଯ୍ୟନ୍ତ ଏହି ଆଜିର ଭାବନା ପ୍ରଚାର କରିଥିଲି |
ଏହି କାର୍ଯ୍ୟକ୍ରମ ଚାଲିଥିବା ବେଳେ କେତେକ ବନ୍ଧୁ ପ୍ରସ୍ତାବ ଦେଲେ, ରେଡିଓରୁ ଶୁଣି ସାରିବା ପରେ ଆମେ ଭୁଲିଯାଉଛୁ | ଏହି ଲେଖାକୁ ଯଦି କୌଣସି ପୁସ୍ତକ ଆକାରରେ ପ୍ରକାଶ କରି ଆମକୁ ଯୋଗାଇଦେଲେ, ତାକୁ ନିଜଘରେ ରଖି, ଦରକାର ବେଳେ ଖୋଲି ପଢିପାରନ୍ତୁ | ନଚେତ କୌଣସି ଖବରକାଗଜରେ ଏହାକୁ ଧାରାବାହିକ ଭାବରେ ପ୍ରକାଶ କଲେ, ଆମେ ଉପକୃତ ହୋଇ ପାରନ୍ତୁ | ମୋର ପ୍ରିୟ ଶ୍ରୋତାଙ୍କର ଅନୁରୋଧକୁ ରକ୍ଷାକରି ଦିନେ ଧରିତ୍ରୀ ଖବରକାଗଜ ଅଫିସରେ ପହଞ୍ଚି ସମ୍ପାଦକ ଗୋପାଳକୃଷ୍ଣ ମହାପାତ୍ର ମହାଶୟଙ୍କୁ ଦେଖାକଲି | ମୋର ପାଣ୍ଡୁଲିପି ଦେଖାଇଲି | ସେ ଅତ୍ୟନ୍ତ ଆନନ୍ଦର ସହିତ ତାକୁ ଗ୍ରହଣ କରିନେଇ ପ୍ରତି ମଙ୍ଗଳବାର ଦିନ ଗୋଟିଏ ଲେଖା “ଦର୍ପଣ” ଶୀର୍ଷକ ସ୍ତମ୍ଭରେ ପ୍ରକାଶ କରି ଚାଲିଲେ | ମୁଁ ନିୟମିତ ତାଙ୍କ ପାଖକୁ ଲେଖା ପଠାଇ ଦେଉଥିଲି | ଅସଂଖ୍ୟ ପାଠକ ଯେଉଁମାନେ ଆକାଶବାଣୀ ସମ୍ବଲପୁର କେନ୍ଦ୍ରକୁ ରେଡ଼ିଓରେ ଶୁଣି ପାରନ୍ତି ନାହିଁ, ପୁଣି କଟକ ଭୁବନେଶ୍ଵରର ଅଧିକାଂଶ ଲୋକ ଦର୍ପଣ ସ୍ତମ୍ଭକୁ ଲେଖାକୁ ପସନ୍ଦ କଲେ | ଫଳରେ ମୋର ଲୋକପ୍ରିୟତା ବୃଦ୍ଧି ପାଇଲା | ଏହି ସ୍ତମ୍ଭ ଲେଖା 1991 ମସିହାରୁ ଆରମ୍ଭ ହୋଇ 1994 ମସିହା ପର୍ଯ୍ୟନ୍ତ ଧାରାବାହିକ ଭାବେ ନିୟମିତ ପ୍ରତି ମଙ୍ଗଳବାର ଦିନ ଦୈନିକ ଧରିତ୍ରୀ ପୃଷ୍ଠାରେ ପ୍ରକାଶିତ ହୋଇଥିଲା |
କିଛିଦିନ ପରେ ଥରେ ସଂପାଦକ ମହାଶୟଙ୍କ ସହିତ ମୋର ଭେଟହେଲା | ସେ ମୋତେ କହିଲେ- “କେତେଜଣ ଲେଖକ ବନ୍ଧୁ ଆପଣଙ୍କ ଲ୍କେଖା ନିୟମିତ ପ୍ରକାଶ ପାଇବାରୁ ଆପଣଙ୍କ ପ୍ରତି ଈର୍ଷା କରୁଛନ୍ତି | ସେହି ସ୍ତମ୍ଭରେ ତାଙ୍କର ଲେଖା କାହିଁକି ପ୍ରକାଶ ପାଇ ପାରୁନାହିଁ ବୋଲି ପ୍ରଶ୍ନ କରୁଛନ୍ତି | ଏହାର ଲୋକପ୍ରିୟତାକୁ ଲକ୍ଷ୍ୟକରି କେତେଜଣ ବରିଷ୍ଠ ଲେଖକ ମଧ୍ୟ ଦର୍ପଣ ସ୍ତମ୍ଭ ପାଇଁ ଲେଖା ପଠାଉଛନ୍ତି |”
ତାଙ୍କର କଥା ଶେଷ ହେବା ପୂର୍ବରୁ ମୁଁ ତାଙ୍କୁ କହିଥିଲି –“ଭାଇ ! ସେମାନେ ଠିକ କଥା କହିଛନ୍ତି, ଆଗାମୀ ସପ୍ତାହଠାରୁ ତାଙ୍କର ଲେଖାକୁ ପ୍ରକାଶ କରନ୍ତୁ | ମୋର ଲେଖା ତ ଚାରିବର୍ଷ ହେଲା ନିୟମିତ ପ୍ରକାଶ ପାଉଛି | ଏବେ ମୁଁ ସେହି ସବୁ ଲେଖାକୁ ସଂଗ୍ରହ କରି ଖଣ୍ଡିଏ ବହି ଛାପିବାକୁ ଯାଉଛି | ମୋତେ ଏତେଦିନ ଯାଏ ସୁଯୋଗ ଦେଇଥିବାରୁ ମୁଁ ଆପଣଙ୍କ ନିକଟରେ କୃତଜ୍ଞତା ଜଣାଉଛି |”
ସେହି ଲେଖାଗୁଡ଼ିକୁ ମୁଁ ଧରିତ୍ରୀ ପୃଷ୍ଠାରୁ ସଂଗ୍ରହ କରି ଦୁଇଭାଗରେ ଯଥା: “ସଦାନନ୍ଦବାବୁଙ୍କ ସଂସାର” ନାମରେ 1995 ମସିହାରେ ଏବଂ “ଶୁଣିମା ହେଉ “ଶୀର୍ଷକରେ ଦୁଇଖଣ୍ଡ ପୁସ୍ତକ ପ୍ରକାଶ କରିଦେଇଥିଲି | ସେହି ପୁସ୍ତକ ଦୁଇଟିର ଲୋକପ୍ରିୟତା ଥିବାରୁ ଏହାର ଦ୍ଵିତୀୟ ସଂସ୍କରଣ ମଧ୍ୟ ଯଥାକ୍ରମେ 1998 ଓ 1999 ମସିହାରେ ପ୍ରକାଶିତ ହୋଇଥିଲା | ଏହି ସଫଳତା ପାଇଁ ମୁଁ ମୋର ସହକର୍ମୀ, ପ୍ରିୟପାଠକ ତଥା ଧରିତ୍ରୀ ସଂପାଦକଙ୍କ ନିକଟରେ ଚିର କୃତଜ୍ଞ ରହିଗଲି |
