ଜୀବନରେ ଜୀବନ : 12
ଜୀବନରେ ଜୀବନ : 12
ପ୍ରତ୍ୟେକ ମଣିଷ ପାଇଁ ବିଭିନ୍ନ ସମୟରେ ଅନେକ ସୁଖ, ସୁବିଧା ସୁଯୋଗ ଆସିଥାଏ | କେତେକ ଘଟଣା ଏମିତି ବି ଜୀବନରେ ଘଟିଥାଏ, ଯାହା ଆମ ଜୀବନର ଗତିକୁ ସଂପୂର୍ଣ୍ଣ ଭାବେ ବଦଳେଇ ଦେଇଥାଏ | ଅବଶ୍ୟ ସମସ୍ତେ ସେହି ଘଟଣାକୁ ଗୁରୁତ୍ୱଦେଇ ମନେରଖି ପାରନ୍ତି ନାହିଁ | ସମୟକ୍ରମେ ସେ ଘଟଣାଟି ମନ ଆଇନାରେ ମଳିନ ପଡ଼ିଯାଏ | କେତେକ ଅସମ୍ଭବ ମନେ ହେଉଥିବା କାର୍ଯ୍ୟର ସୁଫଳ ଆମପାଇଁ ଅତି ସହଜରେ ହାତ ପାହାନ୍ତାକୁ ଆସିଯାଏ | ତାକୁ ମଧ୍ୟ ଅନେକ ସ୍ଵୀକାର କରିପାରନ୍ତି ନାହିଁ | ଏଥିପାଇଁ ଅନେକଗୁଡ଼ିଏ କାରଣ ରହିଛି | ସେଥିମଧ୍ୟରୁ ଗୋଟିଏ ହେଲା-ନିଜ କର୍ମକ୍ଷେତ୍ରରେ ଆମେ ଏତେ ବ୍ୟସ୍ତ ରହିଥାଉଁ ଯେ, ଅସଲ ମୂଳକଥାଟିକୁ ଭୁଲିଯାଉଁ | ଆଉ କେତେଜଣ ସେହି ଘଟଣା ବା ସୁଫଳକୁ ଭାଗ୍ୟର ଫଳ ବୋଲି ମନେ କରିଥା’ନ୍ତି | ଆଉ କେତେଜଣ ସେହି ଘଟଣାଟିକୁ ଅନ୍ୟ ପାଖରେ ପ୍ରକାଶ କରିବାକୁ କୁଣ୍ଠିତ ହୋଇଥା’ନ୍ତି | ଦୈବାତ ଏଭଳି ସୁଖ ସୌଭାଗ୍ୟର ସେ ଅଧିକାରୀ ହୋଇପାରିଛନ୍ତି, ଏକଥାଟିକୁ କହିଦେଲେ, କାଳେ ସାମନାରେ ଥିବା ଲୋକ ତାଙ୍କୁ ନ୍ୟୁନ ମନେ କରିବ, ସେହି ଭୟଟି ତାଙ୍କ ମନ ଭିତରେ ରହିଯାଇଥାଏ | ଏଭଳି ବିଭିନ୍ନ କାରଣରୁ ଆମେ ଗୁରୁତ୍ୱପୂର୍ଣ୍ଣ ଘଟଣାଟିକୁ ନିଜେ ହିଁ ଭୁଲି ଯାଇଥାଉଁ |
ମୋ ଜୀବନରେ ତ ଏଭଳି ଅନେକ ଘଟଣା ଘଟଛି, ଯାହାକୁ ମୁଁ ବିଭିନ୍ନ ସମୟରେ ମୋର ବନ୍ଧୁ ଓ ପ୍ରିୟ ମଣିଷଙ୍କ ଆଗରେ ନିସଙ୍କୋଚରେ ପ୍ରକାଶ କରିଦିଏ | ନିଜେ ଜଣେ ଲେଖକ ହୋଇଥିବାରୁ କଥାଟିକୁ ସଜେଇ ବାଗେଇ ପଠନ ଯୋଗ୍ୟକରି ବିଭିନ୍ନ ପୁସ୍ତକରେ ପ୍ରକାଶ କରି ପାରିଛି | ଯାହାକୁ ପାଠକମାନେ ପାଠକରି ଆମୋଦିତ ହୋଇଛନ୍ତି | ନିଜର ମତ ବ୍ୟକ୍ତକରି ମୋତେ ଉତ୍ସାହିତ କରିଛନ୍ତି | କିଛି ଖଳମଣିଷ, ଈର୍ଷାଶୀଳ ବନ୍ଧୁ ସେହି ଅନୁଭୂତିକୁ ସହଜରେ ବିଶ୍ଵାସ କରି ନ ପାରି ପ୍ରତିକୂଳ ମନ୍ତବ୍ୟ ବି ଦିଅନ୍ତି | କଥା ହେଉଛି, ମୋର ଭବିଷ୍ୟତରେ ଆଉ କୌଣସି ଜାଗାରେ କୌଣସି ପ୍ରକାର ପଦୋନ୍ନତି ପାଇବାର ନାହିଁ | ମୋର ଅଧସ୍ତନ କର୍ମଚାରୀ ବି ନାହାନ୍ତି, ଯେଉଁମାନେ ମୋତେ ନ୍ୟୁନ ଦୃଷ୍ଟିରେ ଦେଖିବାର ସୁଯୋଗ ପାଇବେ | ମୁଁ ଏବେ ଅବସର ନେଇ ସ୍ଵାଧୀନ ଜୀବନ ଯାପନ କରୁଛି | ଘଟଣାଗୁଡ଼ିକ ଅବଶ୍ୟ ତାଙ୍କପାଇଁ କଳ୍ପନାର ବାହାରେ ହୋଇପାରେ ,କିନ୍ତୁ ଯାହା ମୋ ପାଇଁ ସତ୍ୟ ତାକୁ ପ୍ରକାଶ କରିବାରେ ମୁଁ କୁଣ୍ଠିତ ହୁଏନାହିଁ | କେତେକ ଘଟଣା ଅଚାନକ ମୋଡ଼ ବଦଳାଇ ଦିଏ, ସେଥିରେ ମୋର କୌଣସି ଭୂମିକା ନ ଥିଲେ ବି ମୋର କିଛିଟା ବାହାଦୂରୀ ପଣିଆ ଅନ୍ୟମାନଙ୍କୁ ଦେଖାଯାଏ | ସେହି ବଡ଼ପଣିଆ ବା ମହତ ପଣିଆକୁ ପ୍ରଦର୍ଶନ କରାଇବା ମୋର ଲକ୍ଷ୍ୟ ନୁହେଁ | ବରଂ ସେହି ଘଟଣାଟି ଅନ୍ୟମାନଙ୍କୁ ଭବିଷ୍ୟତରେ କାହାକୁ ପ୍ରେରଣା ଯୋଗାଇ ଦେବ, ଏହି ଆଶାରଖି ଜୀବନରେ ଘଟି ଯାଇଥିବା କେତେକ ବିଶେଷ ଘଟଣାକୁ ମୁଁ ସ୍ୱଇଚ୍ଛାରେ ବିଭିନ୍ନ ପ୍ଲାଟଫର୍ମରେ ପ୍ରକାଶ କରିଦିଏ | ଯିଏ ଯାହା ଭାବୁଛି ଭାବୁ, ସେଥିପାଇଁ ମୋର କୌଣସି ପ୍ରକାର ଆବିଳତା ନାହିଁ | ସେହିଭଳି ଗୋଟାଏ ଘଟଣାକୁ ଆଜି ପ୍ରକାଶ କରିବାକୁ ମୁଁ ମନସ୍ଥ କରିଛି |
1978 ମସିହାରେ ମୁଁ ଉପର କୋଲାବ ଯୋଜନାରେ ଜଣେ କନିଷ୍ଠ କିରାଣୀ ଭାବରେ ଯୋଗ ଦେଇଥାଏ | ମୋ ସହିତ ଆହୁରି ଶତାଧିକ କନିଷ୍ଠ କିରାଣୀ ମଧ୍ୟ ଚାକରୀରେ ରହିଥିଲେ | ପ୍ରତିବର୍ଷ ପଦୋନ୍ନତି ପାଇଁ ସରକାରଙ୍କ ତରଫରୁ ପ୍ରତିଯୋଗିତା ମୂଳକ ପରୀକ୍ଷା ମାଧ୍ୟମରେ ଯୋଗ୍ୟ ବ୍ୟକ୍ତିଙ୍କୁ ଚୟନ କରାଯାଏ | ସେଥିପାଇଁ ଅତିକମରେ ପାଞ୍ଚବର୍ଷରୁ ଅଧିକ ନିୟମିତ ଚାକିରି କରିଥିବା କର୍ମଚାରୀମାନେ ପରୀକ୍ଷା ଦେବାକୁ ଯୋଗ୍ୟ ହୋଇଥା’ନ୍ତି | ଏହି ପରୀକ୍ଷାଟିକୁ ନିଜ ଅଞ୍ଚଳର ଆରଡ଼ିସି, ଜିଲ୍ଲାପାଳଙ୍କ ତତ୍ତ୍ବାବଧାନରେ ଆୟୋଜିତ କରନ୍ତି | ବିଡିଓ, ତହସିଲଦାର ଓ ସରକାରଙ୍କ ଅନ୍ୟ କେତେକ ଅଫିସର ସେହି ପରୀକ୍ଷାଟିକୁ ପରିଚାଳନା କରନ୍ତି | ପରୀକ୍ଷାକୁ ନିରପେକ୍ଷ ଓ ନିର୍ବିବାଦୀୟ କରିବା ଉଦ୍ଦେଶ୍ୟରେ ନିଜ ବିଭାଗର କୌଣସି ଅଫିସରଙ୍କୁ ସେଥିରେ ସାମିଲ କରାଯାଏ ନାହିଁ | 1984 ମସିହାରେ ମୁଁ ପଦୋନ୍ନତି ପାଇଁ ପରୀକ୍ଷା ଦେବାକୁ ଯୋଗ୍ୟ ବିବେଚିତ ହୋଇଥିଲି | ତେଣୁ ମୋର ନାମ ଆମ କାର୍ଯ୍ୟାଳୟ ତରଫରୁ ପଠାଯାଇଥିଲା | ସେତେବେଳକୁ ମୁଁ କ୍ୟାସିୟର ପଦରେ ଅଧିଷ୍ଠିତ ଥାଏ | ନିଜର ନିଷ୍ଠା ଓ ଜିଜ୍ଞାସା ପ୍ରବୃତ୍ତି କାରଣରୁ ମୋର କର୍ତ୍ତବ୍ୟରେ କେବେ କୌଣସି ପ୍ରକାର ଅବହେଳା କରୁ ନ ଥିଲି | ତେଣୁ ଉଚ୍ଚ ପଦବୀରେ ବରିଷ୍ଠ କିରାଣୀ ରହିବା ଜାଗାରେ ମୁଁ ଦୀର୍ଘଦିନ ଧରି କ୍ୟାସିୟର କାର୍ଯ୍ୟ କରିବାର ସୁଯୋଗ ପାଇଥିଲି | କୋରାପୁଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ଭିତରେ ନିର୍ଦ୍ଦିଷ୍ଠ ଦିନ ପରୀକ୍ଷା ଅନୁଷ୍ଠିତ ହେଲା | ସେହି ପରୀକ୍ଷାରେ ପ୍ରାର୍ଥୀମାନକୁ ବିଭିନ୍ନ ସହାୟକ ପୁସ୍ତକର ସହାୟତା ନେବାକୁ ବିଶେଷ କଟକଣା ନଥିଲା | ଯେଉଁମାନେ ଅଭିଜ୍ଞ ଓ ଚତୁର କର୍ମଚାରୀ ସେମାନେ ସହାୟକ ପୁସ୍ତକମାନ ନେଇ ନିଜ ପାଖରେ ରଖିଥିଲେ | ପରୀକ୍ଷା ଆରମ୍ଭରୁ ସେମାନେ ତାକୁ ଉପଯୁକ୍ତ କାମରେ ଲଗାଇ ଚାଲିଲେ | ଯେଉଁମାନେ ମୋ ଭଳି କିଛି ପୁସ୍ତକ ନେଇ ନ ଥିଲେ, ସେମାନେ ଡହଳ ବିକଳ ହୋଇ ଏଣିକି ତେଣିକି ଚାହୁଁଥା’ନ୍ତି | ନିଜର ପ୍ରଶ୍ନପତ୍ରକୁ କେତେଜଣ ନ ଦେଖି କେବଳ କପି ଆଶାରେ ଅପେକ୍ଷା କରି ବସି ରହିଥିଲେ |
ମୁଁ ପୂର୍ବରୁ ସ୍ଥିର କରିଥିଲି, ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଇ ନ ପାରିଲେ ନ ହେବି ପଛକେ,, କୌଣସି ପ୍ରକାର ଅନୈତିକ ଉପାୟ ଅବଲମ୍ବନ କରିବି ନାହିଁ | ତେଣୁ ମୋର କପି ପାଇବାର ଆଶା ହିଁ ନ ଥିଲା | ନିଜେ ଏତେ3 ବର୍ଷଧାରୀ ଅଫିସରେ କାର୍ଯ୍ୟ କରି ଆସୁଛି, ଯାହା ଶିଖିଛି, ଯେତିକି ଜାଣିଛି, ସେତିକି ଲେଖିବି, ସେଥିରେ ଉତ୍ତୀର୍ଣ୍ଣ ହେଲେ ହେବି ନ ହେଲେ ନାହିଁ | ତେଣୁ ମନକୁ ଦୃଢ କରି ଅନ୍ୟ କାହାରିକୁ ନ ଚାହିଁ, ପ୍ରଶ୍ନପତ୍ରକୁ ଭଲଭାବରେ ଦୁଇ ତିନିଥର ପାଢୀ ନେଳି | ସେଥିରୁ ଜାଣିଲି, ଅଧିକାଂଶ ପ୍ରଶ୍ନର ଉତ୍ତର ଅଳ୍ପେ ବହୁତ ମୁଁ ସମାଧାନ କରି ପାରିବି | କ୍ୟାସ୍ ବୁକର ନମୁନା ଗୋଟିଏ ଲେଖିବାକୁ ଦିଆ ଯାଇଥିଲା | ଏହା ତ ମୋ ପାଇଁ ସବୁଦିନିଆ କାମ ଥିଲା, ତେଣୁ ଅତି ସହଜରେ ତାକୁ ଲେଖିଦେଇଥିଲି | ଆଉ ଯାହା ପ୍ରଶ୍ନ ଥିଲା ତାହା ମୋତେ ଟିକେ ଜଟିଳ ଲାଗୁଥିଲେ ବି ସବୁ ପ୍ରଶ୍ନର ଉତ୍ତର ମୁଁ ନିଜବୁଦ୍ଧି ବିବେକ ଲଗାଇ ଲେଖିଦେଲି | ଦୁଇଘଣ୍ଟିଆ ପରୀକ୍ଷା ମଝିରେ ପରୀକ୍ଷା ନିରୀକ୍ଷକ ବିଡିଓ ମହାଶୟ ମୋ ପାଖକୁ ଆସି କହିଲେ-“ସମସ୍ତ ପ୍ରାର୍ଥୀ ତ ନୋଟବୁକ, ସହାୟକ ପୁସ୍ତକ ଧରି ଠିକ ଉତାରୁଛନ୍ତି, ତମେ ଯଦି ବହି ଆଣିନା, ତେବେ ଟିକେ ଅପେକ୍ଷା କର, ପାଖ ପିଲାର ଲେଖା ସରିଗଲେ, ତ’ଠାରୁ ବହି ଆଣି ଲେଖିନେବ | ତରବର ହେଇ ଭୁଲଭାଲ କାହିଁକି ଲେଖି ଚାଲିଛ ? ଏଠି ତ ବୁକ ଆଲାଓ ଅଛି, ନିଜ ମନରୁ ଏମିତି ଲେଖିଲେ ତ ନିଶ୍ଚୟ ଫେଲ ହେଇଯିବ |”
ମୁଁ ତାଙ୍କ ମୁହଁକୁ ମୁଁ ଚାହିଁ ନରମ ଗଳାରେ କହିଲି-ସାର ! ମୁଁ ଶପଥ ନେଇଛି, ଅନ୍ୟାୟ ଉପାୟରେ କେବେ ପାସ କରିବାକୁ ଚେଷ୍ଟା କରିବି ନାହିଁ | ଏତେଦିନ ଚାକିରି କରି ଯଦି ମୁଁ ସେହି କାମକୁ ଏହି ପରୀକ୍ଷାରେ ଦେଖେଇ ନ ପାରିବି, ତେବେ ପାସ କରି କି ଲାଭ ? ମୁଁ ଯାହା ଯେତିକି ଜାଣିଛି, ସେତିକି ଲେଖିବି | ଫେଲ ହେଲେ ହେବି, ସେଥିପାଇଁ ମୋର ଦୁଃଖ ନାହିଁ |”
ମୋ କଥା ଶୁଣି ବିଡିଓ ସାହେବ ତଟସ୍ଥ ହୋଇ ମୋ ମୁହଁକୁ ଚାହିଁ ହସିଦେଇ ଦୂରକୁ ଚାଲିଯାଇ ମନ୍ତବ୍ୟ ଦେଲେ-“ଫେଲ ହେବାକୁ ଆଗ୍ରହୀ ଥିବା ପ୍ରାର୍ଥୀ ବି ଏଇ ପରୀକ୍ଷା ଦେଉଛନ୍ତି |”
ସେଦିନ ପରୀକ୍ଷା ଶେଷରେ ମନଊଣା ନ କରି ଘରକୁ ଫେରିଲି | ପରୀକ୍ଷା ଫଳ ବି ଠିକ ସମୟରେ ପ୍ରକାଶ ପାଇଲା | ଦେଖିଲା ବେଳକୁ କପି କରିଥିବା ସମସ୍ତ ପ୍ରାର୍ଥୀ ଫେଲ ହେଇଛନ୍ତି | ଆମ ଅଫିସରୁ କେବଳ ମୁଁ ହିଁ ପାସ କରି ପଦୋନ୍ନତି ପାଇବାକୁ ଯୋଗ୍ୟ ବିବେଚିତ ହେଲି | ଏମିତି କେମିତି ହେଲା ? ମୋର ସହକର୍ମୀମାନେ କୁହାକୁହି ହେଲେ, ମୁଁ ନିଶ୍ଚୟ ଧରାଧରି କରି କିମ୍ବା ଟଙ୍କା ପଇସା ଲାଞ୍ଚ ଦେଇ ଏହି ପରୀକ୍ଷାରେ ପାସ କରିଛି | ଯେଉଁମାନେ ନିଜକୁ ମୋଠାରୁ ଅଧିକ ଯୋଗ୍ୟ ମାନେ କରୁଥିଲେ, ସେମାନେ ତ କେତେ ମନଗଢା କଥା କହି ନିଜଘର ଲୋକଙ୍କୁ ଆଶ୍ଵସ୍ତ କଲେ |
କିଛିଦିନ ପରେ ଅସଲ କଥାଟା ଜଣା ପଡ଼ିଲା | ଯେଉଁମାନେ ବହିଦେଖି ଲେଖିଥିଲେ, ସେମାନଙ୍କର ଉତ୍ତର ସବୁ ଏକପ୍ରକାର ଥିଲା | ସେଥିରେ ମୌଳିକତା କିଛି ନ ଥିଲା | ବହିରୁ କପି ଉତ୍ତାରୁ ଉତ୍ତାରୁ ସେଥିରେ ଥିବା ତୃଟିକୁ ମଧ୍ୟ ସେମାନେ ଉତ୍ତାରି ପକାଇଛନ୍ତି, ଏହାକୁ ଦେଖି ପରୀକ୍ଷକ ମହାଶୟ ଅନୁଭବ କରିଛନ୍ତି ଯେ, ଏହି କେନ୍ଦ୍ରରେ ଅଧିକାଂଶ ପ୍ରାର୍ଥୀ କପି କରିଛନ୍ତି | ତେଣୁ ସମାନ ଉତ୍ତର ଥିବା ସବୁ ପ୍ରାର୍ଥୀଙ୍କୁ ଅଯୋଗ୍ୟ ଘୋଷଣା କରିଦେଇଛନ୍ତି |
ଏହି ଘଟଣାରେ ମୋର ସେମିତି କିଛି ଅଧିକ ଆନନ୍ଦ ପାଇବାର ନ ଥିଲା | ମୋର ସହକର୍ମୀମାନେ ଫେଲ ହୋଇ ମୋ ପ୍ରତି ଅଧିକରୁ ଅଧିକ ଈର୍ଷା କରିବାକୁ ଲାଗିଥିଲେ | ଏହା ମଧ୍ୟରେ ମୁଁ କେନ୍ଦ୍ର ସରକାରଙ୍କ ଲୋକସେବା ଆୟୋଗ ଦ୍ଵାରା ଆୟୋଜିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଆକାଶବାଣୀ ସମ୍ବଲପୁରରେ ଯୋଗଦାନ କଲି | ନହେଲେ ମୁଁ ସେଇଠି ଆହୁରି କେତେ କଥା କେତେ ଯନ୍ତ୍ରଣା ପାଇଥା’ନ୍ତି |
