STORYMIRROR

Minakshi Samal

Inspirational

2.5  

Minakshi Samal

Inspirational

ଜୀବନ ସଂଗ୍ରାମ

ଜୀବନ ସଂଗ୍ରାମ

3 mins
279


କାହାଣୀଟି ପ୍ରାୟ ପଚାଶ ବର୍ଷ ତଳର ଭିତ୍ତିଭୂମି ଉପରେ ପ୍ରତିଷ୍ଠିତ।ସବୁଜିମା ଭରା ଗାଁ ଟିଏ।ନାଁ ତାର ବାଲିପଡିଆ। ଛୋଟ ବଡ ହୋଇ ପଚିଶଟି ପରିବାରକୁ ନେଇ ଗଢା ଏଇ ଗାଁଟି।ପ୍ରତି ପରିବାର ଯୌଥ ପରିବାର।ଚାରି ପାଞ୍ଚ ଜଣଙ୍କର ଛାତ ଘର ଥିଲା ବାକି ସବୁ ଚାଳ ଛପର।ଗାଁରେ ପଶୁ ପଶୁ ପଦ୍ମ ପୋଖରୀ ଟିଏ ନଜରରେ ଆସେ।ଗାଁ ମୁଣ୍ଡରେ ଥାଏ ଭାଗବତ ଟୁଙ୍ଗୀ ଓ ବଡ ଚଉତରାଟିଏ।ସେଇଠି ଗାଁର ମୁରବୀମାନେ ବସି ନ୍ୟାୟ ନିଶାପ କରନ୍ତି।

ପ୍ରତି ଘରର ଗଢଣ ଏକାପରି।ମଝିରେ ଏକ ବଡ ଅଗଣାକୁ ପରିବେଷ୍ଟନ କରି ରହିଥାନ୍ତି ପ୍ରକୋଷ୍ଠ ଗୁଡିକ।ଦୁଇଟି କବାଟ ଦୁଇ ପାର୍ଶ୍ଵରେ ଥାଏ।ଘରର ଚାରିପଟେ ଉଚ୍ଚା ପିଣ୍ଡା।ଐଶାନ୍ୟ କୋଣରେ ରୋଷେଇଘରର ଗୋଟିଏ କୋଣକୁ ଲାଗି ଦେଇପିଣ୍ଡି।ଅନ୍ୟ ପଟେ ଅମାର ଘର ଯାହା ଭିତରେ ବର୍ଷ ଯାକ ପାଇଁ ଧାନ,ମୁଗ ,ବିରି,ଆମ୍ବୁଲ ଇତ୍ୟାଦି ସଂରକ୍ଷିତ ହୋଇ ରହିଥାଏ।ବାକି କୋଠରୀ ସବୁ ଶୟନ କକ୍ଷ ବା ବୈଠକ ଭାବେ ବ୍ୟବହୃତ ହୁଏ।ବିଜୁଳି ଶକ୍ତିର ପ୍ରଚଳନ ନଥିବା ଯୋଗୁଁ କୌଣସି କୋଠରୀରେ ବିଜୁଳି ପଙ୍ଖା ନଥାଏ ବା ବିଜୁଳିବତୀ ନଥାଏ।ସବୁ କୋଠରୀରେ ଗୋଟିଏ ଗୋଟିଏ ତାଳପତ୍ରରେ ବୁଣାଯାଇଥିବା ବିଞ୍ଚଣା ନିଶ୍ଚିତ ଭାବେ ଥାଏ।

ଅଗଣା ଭିତରେ ବଡ କାଠଚୁଲୀ।ସେଇ ଚୁଲୀ ଉପରେ ବସାଯାଏ ମାଟିହାଣ୍ଡି ଓ ସେଥିରେ ରନ୍ଧାଯାଏ ଯୌଥ ପରିବାରର ସଦସ୍ୟ ମାନଙ୍କ ପାଇଁ ଭାତ।ସେସମୟର କଡେଇ ଥିଲା ଲୁହା ନିର୍ମିତ।ଖାଇବା ବାସନ ସବୁ କଂସା ପିତଳର।ଖୁବ ଓଜନିଆ କିନ୍ତୁ ପାଉଁଶରେ ମଜାଯାଇ ସୁନାପରି ଚକ ଚକ କରିଥାନ୍ତି ଘରର ମହିଳା ମାନେ।ସେ ସମୟରେ ଘରର ଘରଣୀ ମାନେ ମାଟିହାଣ୍ଡିରେ କେମିତି ରାନ୍ଧୁଥିଲେ,କେମିତି ପେଜ ଗାଳୁ ଥିଲେ ଭାବିଲେ ଆଶ୍ଚର୍ଯ୍ୟ ଲାଗେ।ଲୁହା କଡେଇର ଓଜନ କୋଉ କମ କି?ବୋଧହୁଏ ସେ ସମୟରେ ଶୁଦ୍ଧ ଖାଦ୍ୟ ଖାଇବା ଯୋଗୁଁ ସେମାନଙ୍କର ଶାରୀରିକ ଶକ୍ତି ଅଧିକ ଥିଲା ଅଥବା ସେମାନଙ୍କ ପାଖେ ଅସମ୍ଭବ ଭାବେ ସହନ ଶକ୍ତି ମୌଜୁଦ ଥିଲା।

ସାହିର ନାଁ ତିଆଡି ସାହି ହୋଇଥିଲେ ମଧ୍ୟ ବିଭିନ୍ନ ଜାତିର ଲୋକ ସେଠାରେ ରହୁଥିଲେ।ଗାଁର ତିଆଡି ପରିବାରର ଦୁଇଭାଇ ସ୍ବାଧୀନତା ସଂଗ୍ରାମରେ ଭାଗନେଇ ସେଇ ଗାଁରେ ବସବାସ କରିବା ଆରମ୍ଭ କରିଥିବାରୁ ଗାଁର ଏପରି ନାମକରଣ ହୋଇଥିଲା। ଦୁଇତିନି ଗୋଟି କ୍ଷତ୍ରିୟ ପରିବାର ଓ ଗୋଟିଏ ଗୁଡିଆ ପରିବାର ବି ସେଠାରେ ଅବସ୍ଥାନ କରୁଥିଲେ।ସମସ୍ତଙ୍କର ବାରିଆଡେ ବଡ ବଡ ଆମ୍ବ,ବାତାପି,ସଜନା,ନଡିଆ,ପଣସ,ବାଉଁଶ ବୁଦା ଓ ଟଗର,ମଲ୍ଲୀ,ତରାଟ,ମନ୍ଦାର ଓ ଜୁଇଫୁଲ ଗଛମାନ ଶୋଭାପାଏ।ଚାଳ ମାନଙ୍କ ଉପରେ ରଞ୍ଜା କରି କଖାରୁ,ଜନ୍ହି,କଲରା,ଲାଉ,ପାଣିକଖାରୁ ଇତ୍ୟାଦି ଲତାଜାତୀୟ ଗଛ ମଡାଯାଇଥାଏ।ସମସ୍ତଙ୍କ ବାଡିପଟେ ଗୋଟିଏ ଗୋଟିଏ କୁଅ।କୁଅ ଚାରିପଟେ ଛୋଟିଆ ଚଉତରା।କୁଅପାଣି କାଢି ଗାଧୁଆ ପାଧୁଆ ,ରୋଷେଇବାସ କରାଯାଏ।ଗାଧୁଆ ପାଣିପାଣି ଯେପରି ଅଯଥାରେ ନଷ୍ଟ ନହେବ ଓ ବହିଯାଇ ବନାହୋଇଥିବା ଛୋଟ ଛୋଟ ପଟାଳିରେ ମାଡିବ ତା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥାଏ।ସେଇ ଛୋଟ ଛୋଟ ପଟାଳିରେ ଛନଛନିଆ ହୋଇ କୋଶଳା,ଖଡା,ପାଳଙ୍ଗ ଆଦି ଶାଗ ହୁଏ,ପେଣ୍ଡି ବାଇଗଣ ଗଛରେ ବିନା ସିର ଦେଇ ବାଇଗଣ ଲଦି ହୋଇଯାଏ,ଧାନୁଆ ଲଙ୍କା ଗଛରେ ମୁଣ୍ଡ ଟେକି ଆଖିତରାଟିଲା ପରି ଅନେଇଥାନ୍ତି ଲଙ୍କାସବୁ।କମଳା ଗଛ ଖଟା କମଳାରେ ଡାଳ ଭାଙ୍ଗୁଥାଏ।

କିଛି ଲୋକଙ୍କର ଜମିବାଡ଼ି ବେଶୀ ଥିବାରୁ ଚାଷବାସ ବୁଝୁଥିଲେ,ଦୁଇ ତିନି ଜଣ ଆଖ ପାଖ ଗାଁ ସ୍କୁଲରେ ଶିକ୍ଷକତା କରୁଥିଲେ।ବାକି ଅନ୍ୟମାନେ ଛୋଟକାଟର ତେଜରାତି ଦୋକାନ ନହେଲେ ମିଠେଇ ଦୋକାନ କରି ଗୁଜୁରାଣ ମେଣ୍ଟୋଉଥିଲେ।

ତିଆଡି ପରିବାରର ଗୋଟିଏ ଘରେ ଦୁଇ ଭାଇ ରହୁଥିଲେ।ବଡଭାଇଙ୍କର ପରିବାରରେ ସ୍ବାମୀ ସ୍ତ୍ରୀ ଦୁଇ ପ୍ରାଣୀ,ତାଙ୍କର ତିନୋଟି ଝିଅ ଓ ଗୋଟିଏ ପୁଅ।ସାନ ଭାଇଟିର କୌଣସି କାରଣରୁ ମୃତ୍ୟୁ ହୋଇଯାଇଥିଲା।ଛାଡିଯାଇଥିଲେ ନିଜର ବିଧବା ପତ୍ନୀ,ଦୁଇ ଝିଅ ଓ ପୁଅଟିଏ।ବଡଭାଇଙ୍କ ପରିବାରର ଚଳଣୀ ଟିକେ ଭଲ।କୋଠା ଘର ତାଙ୍କର।ଅପର ପକ୍ଷରେ ବିଧବା ସ୍ତ୍ରୀ ଲୋକଟି ନିଜର ତିନୋଟି ସନ୍ତାନ ସହିତ ଦି ବଖରା ବିଶିଷ୍ଟ ମାଟିଘରେ ଜୀବନ ଅତିବାହିତ କରୁଥାଏ।କଥାରେ କହନ୍ତି ଭାଇ ହେଉଛି ଭଗାରୀ।ଦୁଇଭାଇଙ୍କ ଘରର ଚଳଣୀ,ଖିଆପିଆ,ପରିହିତ ବସନ ରେ ଆକାଶ ପାତାଳ ଫରକ।ସାନ ଭାଇର ଭାଗରେ ଯାହାକିଛି ଜମି ଥିଲା ଓ ଭାଗ ଚାଷରୁ ଯାହା କିଛି ଆସୁଥିଲା ସେଇଥିରେ ମା'ପିଲା ଚାରିଜଣଯାକ ଯେନତେନ ପ୍ରକାରେଣ ଚଳିଯାଉଥିଲେ।ପରିସ୍ଥିତି ତାଙ୍କୁ ମନକୁ ମାରି ରଖିବାର କଳା ଶିଖାଇ ଦେଇଥିଲା ହୁଏତ।ଖୁବ ଶାନ୍ତଶିଷ୍ଟ ପିଲାଗୁଡିକ।ଦାରିଦ୍ର୍ୟର କଷାଘାତରେ ପ୍ରପୀଡ଼ିତ ଥାଇ ମଧ୍ୟ ଅନ୍ୟାୟ ଅନୀତିର ଧାର ଧାରି ନଥିଲେ ସେମାନେ।

ଝିଅ ଦୁହେଁ ମାଇନର ପର୍ଯ୍ୟନ୍ତ ପଢି ପାଠରେ ଡୋରି ବାନ୍ଧିଲେ।ସମସ୍ତଙ୍କର ସାହା ଭରଷା ଥିଲା ପୁଅଟି।ଅଭାବ ଅସୁବିଧାର ହଳାହଳ ବିଷକୁ ଖୁବ ସହଜରେ ହଜମ କରିଦେଇ ପାରୁଥିବା ପୁଅର ନାଁ ଥିଲା ତ୍ରୈଲୋକ୍ୟ।ପିଲାଟିକୁ କେହି କିଛି ବୁଝାଇବାର ଆବଶ୍ୟକ ପଡିନଥିଲା।ପିଲାଦିନୁ ଖୁବ ବଡ ହୋଇ ଯାଇଥିଲା ସେ।ମନ ଦେଇ ପାଠପଢି ଶ୍ରେଣୀରେ ପ୍ରଥମ ହୋଇ ଚାଲୁଥିଲା।ଛାତ୍ର ବୃତ୍ତି ତାର ପାଠପଢାରେ ଖୁବ ସହଯୋଗୀ ହୋଇଥିଲା।

ଦଶ ବର୍ଷ ପରେ...

ଭଉଣୀ ଦୁଇଜଣଙ୍କର ବିବାହ ସମ୍ପନ୍ନ ହୋଇଥିଲା।ମା ନିଜର ସାମର୍ଥ୍ୟ ଅନୁସାରେ ବାପଭାଇଙ୍କର ସାହାଯ୍ୟ ନେଇ ଦୁଇଟି ଝିଅଙ୍କୁ କୂଳରେ ଲଗାଇ ଥିଲା। ମାଟି ଘରଟି ଦ୍ବିତଳ ପ୍ରାସାଦବିଶିଷ୍ଟ ହୋଇଯାଇଥିଲା।ମା'ଟିକୁ ଟିକେ ଅପେକ୍ଷାକୃତ ଦାମୀ କପଡା ପରିଧାନ କରିବାର ଦେଖାଯାଇଥିଲା। ପୁଅଟି ପରିବାରର ନାଁ ରଖିଥିଲା।ନିଜ ଶିଙ୍ଘରେ ମାଟି ଖୋଳି ,କଠିନ ପରିଶ୍ରମ ଓ ସାଧନା ବଳରେ ତ୍ରୈଲୋକ୍ୟ ତ୍ରିପାଠୀ ଜୁଡିସିଆଲ ମାଜିଷ୍ଟ୍ରେଟ ହୋଇଯାଇଥିଲେ।ସେତେବେଳ ସମୟରେ ବାଲିପଡିଆ ଗାଁରେ ଚାରି ପାଞ୍ଚ ଜଣ ଚାକିରୀଜିବୀଙ୍କୁ ଛାଡିଲେ ଏ ପଦ ପଦବୀର ମୂଲ୍ୟ ଅଗମ୍ୟ ଥିଲା।କେବଳ ଏତିକି ବୁଝୁଥିଲେ ଯେ ସାନ ତିଆଡି ଘରର ପୁଅ ହାକିମ ହୋଇ ଯାଇଛି।ସେ ସମୟର ଆଖ ପାଖ ଗାଁ ଗୁଡିକରେ ମଧ୍ୟ ବାଲିପଡିଆ ଗାଁର ନାଁ କୁ ଚମକାଇ ଥିଲେ ତ୍ରୈଲୋକ୍ୟ ତ୍ରିପାଠୀ।

ଏଇ ହେଉଛି ଜୀବନ ସଂଗ୍ରାମ।ପ୍ରତ୍ୟେକ ପାହାଚରେ ଜୀବନ ଆମପାଇଁ ରଖିଥାଏ ଆହ୍ବାନ। ଆହ୍ବାନକୁ ସକାରାତ୍ମକ ଭାବେ ନେଇ,ସମସ୍ୟା ମାନଙ୍କ ସହିତ ଯୁଝି,କଠିନ ପରିଶ୍ରମ ଓ ଅଧ୍ୟବସାୟ ରେ ବ୍ରତୀ ଚରିତ୍ର ମାନେ ଜୀବନ ଯୁଦ୍ଧରେ ବିଜୟୀ ହୋଇ ନିଜର ଜୟ ଧ୍ବଜା ଉଡାଇ ଅନ୍ୟ ମାନଙ୍କ ପାଇଁ ପ୍ରେରଣାର ଉତ୍ସ ସାଜନ୍ତି । ଇତିହାସର ପୃଷ୍ଠାରେ ନିଜର ନାମକୁ ଚିରକାଳ ପାଇଁ ଅମର କରିଦିଅନ୍ତି।


Rate this content
Log in

Similar oriya story from Inspirational