puspanjali das

Inspirational

4.1  

puspanjali das

Inspirational

ଜୀବନ ର ରଙ୍ଗ...

ଜୀବନ ର ରଙ୍ଗ...

3 mins
416



    ସୁକାନ୍ତି,ସୁକାନ୍ତି କହି ଘର ଭିତରକୁ ପସିଆସିଥିଲେ ସୁମନ୍ତ।କଡ଼ାଇରେ ବେସନ,ଗୁଆଘିଆ ପକାଇ ଭାଜୁ ଭାଜୁ ସୁକାନ୍ତି ର ହାତ ଅଟକି ଯାଇଥିଲା!ସାମାନ୍ୟ ବିରକ୍ତ ହୋଇ କହି ପକାଇଲା-କ'ଣ ହେଲା...ଏତେ ସୁଆଗିଆ ଡାକ ଟା କାହିଁକି,ମୁଁ ଟିକେ ଶୁଣେ??ସୁମନ୍ତ ଙ୍କ ମୁହଁ ଟା ଯେମିତି ଖୁସି ରେ ଚକ୍ ଚକ୍ କରୁଥିଲା!ପାଖକୁ ଟିକିଏ ଚାଲିଯାଇ କହିଲେ-ଏଥର ବେସନ ଲଡୁ ଟା ଟିକିଏ ବେଶି କରିବ,ପାଞ୍ଚବର୍ଷ ପୂର୍ବରୁ ଯେମିତି କରୁଥିଲ,ତା'ସାଙ୍ଗରେ ଯଦି ପାରିବ, ନଡ଼ିଆ ବର୍ଫି, କରଞ୍ଜି ମଧ୍ୟ କିଛି କରିଦେବ।ସୁକାନ୍ତି ର ବିରକ୍ତି ଟା ଯେମିତି ବଢିଗଲା, ଯେତେ ଚେଷ୍ଟା କରିଲେ ବି ତା'କଥା ରେ ସ୍ପଷ୍ଟ ବାରିହୋଇ ପଡିଲା!ଆଖି ଛଳ ଛଳ କରି କହି ଉଠିଲା-ତମେ ଜାଣିଛ,ମୁଁ ଗତ ପାଞ୍ଚବର୍ଷ ହେବ କାହିଁକି କରୁନି,ପୁଣି ଏବର୍ଷ କଣ ହେଲା,ମତେ ତମେ ମନେପକାଇ ଦେଉଛ!କଟା ଘା' ରେ ଚୁନ ଦେଲା ଭଳି କହୁଛ?କାହା ପାଇଁ କରିବି?କେହି ଗୋଟିଏ ତ ଦୋଳବିମାନ ନେଇ ଆସୁ ନାହାନ୍ତି,କି ହୋଲି ରେ ମୋ ଘର ସେମିତି ଶୁନ୍ ଶାନ୍ ରହୁଛି!ଏତେ ସବୁ କଲେ କ'ଣ ପୁରୁଣା ଦିନ ଫେରି ଆସିବ?ମତେ କାହିଁକି ଚିଡାଉଛ କହିଲ??

           ଏତକ କହୁ କହୁ ସୁକାନ୍ତି ର ଭାବନା ର ଖିଅ ଟା ଲମ୍ବି ଯାଇଥିଲା ପାଞ୍ଚବର୍ଷ ତଳକୁ-ସେଦିନ ବି ସେଇ ଦୋଳପୂର୍ଣ୍ଣିମା ର କିଛିଦିନ ପୂର୍ବ ର ଦିନ ଟି ଥିଲା!ଝିଅ ଶ୍ରୀ ର କଥା ରେ ପୁରା ଦିନ ଟି କାନ୍ଦି କାନ୍ଦି କାଟି ଦେଇଥିଲା,ଯେତେବେଳେ ତା'ମୁହଁ ରୁ ଶୁଣିଥିଲା ଯେ ସିଏ ତା'ସାଙ୍ଗରେ ପଢ଼ୁଥିବା ସିତାଂ ଶୁ କୁ ବିବାହ କରିବାକୁ ଚାହୁଁଛି!ଯଦିଓ,ରାଜକୁମାର ଭଳି ଦେଖାଯାଉଥିବା ପିଲାଟି ଥିଲା ସିତାଂଶୁ ,ହେଲେ ଯେତେବେଳେ ବିବାହ ପ୍ରସ୍ତାବ କଥା ପଡିଥିଲା,ସେତେବେଳେ ସେ ନୀଚ କୁଳ ରେ ଜନ୍ମ ବୋଲି ଜାଣିବାକୁ ପାଇଥିଲା!ପିଲା ଟି ବେଳୁ ଯଦିଓ ଶ୍ରୀ କୁ ଗୋଟିଏ କଥା କେବଳ କହି ଆସିଥିଲା ଯେ ଯୋଉ ଜାତିରେ ପିଲା ଠିକ୍ କରୁ ପଛକେ,କେବଳ ହାଡ଼ି,ପାଣ ଓ ପଠାଣ ଙ୍କୁ ଛାଡି ଦେବ! ସେତକ ମଧ୍ୟ ଶ୍ରୀ ଭୁଲିଯାଇଥିଲା!!ପାଣ ଘରେ ଜନ୍ମ ହୋଇ ମଧ୍ୟ ସିତାଂଶୁ ଯେ ସବୁଥିରେ ଧୁରନ୍ଧର ଥିଲେ,ଏକଥା ସୁକାନ୍ତି ଅସ୍ବୀକାର କରିପାରିନଥିଲା!ଶ୍ରୀ ର ଡାକ୍ତରୀ ପଢ଼ା ସାଙ୍ଗରେ ସିତାଂଶୁ ଙ୍କ ସାଙ୍ଗରେ ବନ୍ଧୁତା ର ଘନିଷ୍ଠତା ଅବଶ୍ୟ ଅଳ୍ପେବହୁତେ ସେ ଜାଣିଥିଲା,ହେଲେ ବ୍ରାହ୍ମଣ ଘର ପିଲା ଭଳି ଦିଶୁଥିବା ପିଲା ଟି ଯେ ନୀଚ କୁଳ ରେ ଜନ୍ମ ,ଏକଥା ଜମାରୁ ଚିନ୍ତା କରିପାରିନଥିଲା!

           ଶେଷରେ ନିଜ ମନକୁ ବୁଝାଇ ,ପୁରା ଗାଁ ଟା ଯାକର ବ୍ରାହ୍ମଣ ଶାସନୀ ବିରୁଦ୍ଧ ରେ ଯାଇ ସେ ଦୁହିଁଙ୍କର ବାହାଘର ମନ୍ଦିରରେ କରାଇ ଦେଇଥିଲା,ଯୋଉଥି ପାଇଁ ତାକୁ ଜୀବନ ସାରା ନିଜ ଗାଁ ରେ ଏକଘରିକିଆ ହୋଇ ରହିବାର କଷ୍ଟ ଟା ମଧ୍ୟ ସ୍ୱୀକାର କରିବାକୁ ପଡିଥିଲା!ଏକମାତ୍ର ସନ୍ତାନ ର ଖୁସି ଆଗରେ ତା'କଷ୍ଟଟି ଖୁବ ନ୍ୟୁନ ଲାଗିଥିଲା!ଆଉ ସେଇ ବର୍ଷ ଠାରୁ ନାଁ ଦୋଳ ରେ ବସି ଠାକୁର ତା'ଘର କୁ ଭୋଗ ଖାଇବାକୁ ଆସୁଥିଲେ,ନାଁ ହୋଲି ରେ କେହି ତା'ଘର ଦୁଆର ମାଡୁଥିଲେ!ଗାଁ ର ସବୁ ପର୍ବ ପର୍ବାଣୀ ସେ ଦୁହିଁଙ୍କ ପାଇଁ ବନ୍ଦ ହୋଇ ଯାଇଥିଲା, ତଥାପି ଦୁହେଁ ଦୁହିଁଙ୍କ ହସ ଖୁସି ର ସଂସାର ଟିକୁ ଚଳାଇ ଆଣୁଥିଲେ!ଯଦିଓ ଦୁହିଁଙ୍କ ମନ ଭିତରେ ବିରାଟ ଫାଙ୍କ ଟିଏ ରହିଯାଇଥିଲା,ହେଲେ,ଝିଅ ଜ୍ୱାଇଁ ଙ୍କ ର ହସଖୁସି ର ସଂସାର ଦେଖି,ସେସବୁକୁ ଲୁଚାଇବାକୁ ଯଥେଷ୍ଟ ଚେଷ୍ଟା କରୁଥିଲେ!!

       ପାଞ୍ଚବର୍ଷ ପରେ ସୁମନ୍ତ ଙ୍କ ମୁହଁରେ ଏତେ ଖୁସି ର ଚମକ ଦେଖି,ସୁକାନ୍ତି ସାମାନ୍ୟ ରହିଯାଇ ପଚାରିଦେଲା-ଆଛା,ଆମ ଶ୍ରୀ ଓ ସିତାଂଶୁ ଙ୍କ ର କେହି ସାଙ୍ଗସାଥୀ ଏଥର ହୋଲି ରେ ଗାଁ କୁ ଆସୁଛନ୍ତି କି?ଏଥର ସୁମନ୍ତ ହୋ ହୋ ହୋଇ ହସି ଉଠି କହିପକାଇଲେ-ଆରେ ନାଇଁ ନାଇଁ...ସେମାନେ ତ ଏବର୍ଷ କରୋନା ଆରମ୍ଭ ରୁ ଏଇଠି ଅଛନ୍ତି,ତାଙ୍କର କେହି ସାଙ୍ଗ ସାଥି ଗୋଟିଏ କେବେ ଆସିବା ଦେଖିଛ?ଆଉ ଏଇ ସମୟ ରେ କେହି ଆସିବେ ବୋଲି କେମିତି ଭାବୁଛ?ସବୁ ଡାକ୍ତର କଣ ଆମ ଶ୍ରୀ ,ଓ ସିତାଂଶୁ ଭଳିଆ ହୋଇଛନ୍ତି?କେହି ପା ଏ ଗାଁ କୁ ଆସିବାକୁ ନା ଧରିଲେ ନି ବୋଲି ସେ ଦୁହେଁ ସବୁ ଛାଡି ଛୁଡ଼ି ଦେଇ ,ସହର ରୁ ଏଇ ନିପଟ ମଫସଲ କୁ ଦୌଡ଼ି ପଳେଇ ଆସିଲେ!ଆମର ପୁରୁଣା ସମୟ ପୁଣି ଫେରି ଆସିଲା ବୋଲି ଭାବିନିଅ--ଆମ ଘରକୁ ଗାଁ ଲୋକେ ଦୋଳ ବିମାନ ନେଇ ଆସିବେ,ସିଏ ପୁଣି ସବୁ -ପଞ୍ଚୁ ଦୋଳ ଯାକରେ ଭୋଗ ଖାଇବାକୁ ଠାକୁର ଆସିବେ!ହୋଲି ରେ ତ ତା'ହେଲେ ନିଶ୍ଚୟ ସମସ୍ତେ ଆସିବେ!ବୁଝିଲ,ଗାଁ ଲୋକେ ଆମ ଶ୍ରୀ ଆଉ ସିତାଂଶୁ ର ନିରଵଛିନ୍ନ ସେବା ରେ ଏତେ ଖୁସି ହୋଇ ଯାଇଛନ୍ତି ଯେ ସବୁ ପଛକଥା ଭୁଲି ଯାଇଛନ୍ତି!ସମସ୍ତଙ୍କ ମୁହଁରେ ପା-ସିତାଂଶୁ ଙ୍କ ର ଭୁରି ଭୁରି ପ୍ରଶଂସା!ଏ ଗାଁ ରେ କୌଣସି ପ୍ରକାର ଚିକିତ୍ସା ର ସୁବିଧା ନ ଥାଇ ମଧ୍ୟ ଦୁହେଁ ଯେମିତି ଏଇ ମହାମାରୀ କରୋନା ବେଳେ ଏତେ ଲୋକଙ୍କ ଜୀବନ ବଞ୍ଚାଇଲେ,ସହର ରୁ ସବୁପ୍ରକାର ଔଷଧ ଓ ଡାକ୍ତରୀ ସରଞ୍ଜାମ ଆଣି,ଆମର ସେଇ ଛୋଟିଆ ବଖରା ଟିରେ,ସମସ୍ତଙ୍କ ର ଚିକିତ୍ସା କରାଇଲେ,ନିଜ ଜୀବନ କୁ ବାଜି ଲଗେଇ,ଗାଁ ଲୋକେ ଯେ ଦିନେ ତାଙ୍କରି ଜାତି ଯୋଗୁଁ ଆମସମସ୍ତ ଙ୍କୁ ବାଛନ୍ଦ କରିଥିଲେ,ଏକଥା ଭୁଲିଗଲେ!ଗାଁ ର ସବୁ ପୁରୁଖା ଲୋକ ଓ ଗାଁ ଅଧିକାରୀ ପା ନିଜେ ମତେ ଡାକିକି କ୍ଷମା ମାଗିକି,ବହୁତ ଅନୁରୋଧ କରି ଦୋଳପୂର୍ଣ୍ଣିମା ରେ ଠାକୁର ଙ୍କୁ ଆମ ଘରକୁ ଆଣିବାର ପ୍ରସ୍ତାବ ଦେଇଛନ୍ତି!ୟାଠୁ ବଳି ଖୁସି ଆଉ କ'ଣ ହୋଇପାରେ କହିଲ??

       ଏତକ ଶୁଣି ସୁକାନ୍ତି ଖୁସି ଓ ଆଶ୍ଚର୍ଯ୍ୟ ହୋଇ କ୍ଷଣେ ରହିଗଲା,ଆଖିରୁ ତା'ର ଧାର ଧାର ହୋଇ ଆନନ୍ଦାଶ୍ରୁ ବହିଚାଳିଲା!-ମନେ ମନେ ଭାବୁଥିଲା-ସତରେ,'ସେ ହଟିଆ କଳା କାହ୍ନୁ ବହୁତ ପରୀକ୍ଷା କରେ,ଆଉ ଯିଏ ତାକୁ ବେଶି ଭଲପାଏ,ତାକୁ ବେଶି କଷ୍ଟ ଦିଏ'-ବୋଉ ତାର ସବୁବେଳେ କହୁଥିବା କଥା ପଦକ ଯେମିତି ସେଦିନ ହୃଦବୋଧ ହୋଇ ଯାଇଥିଲା!!ସେଇ କଳା କାହ୍ନୁ ଉପରେ ଥିବା ସବୁ ଅଭିମାନ ଯେମିତି ତା'ଆଖି ଲୁହରେ ଧୋଇ ଯାଇଥିଲା...

         



Rate this content
Log in

Similar oriya story from Inspirational