ଜୀବନ : ଏକ ବିଚିତ୍ର ଖେଳ
ଜୀବନ : ଏକ ବିଚିତ୍ର ଖେଳ
ଏଇ ମାତ୍ର ନିଦ ଭାଙ୍ଗିଥାଏ ସକାଳର ପହିଲି ଟ୍ରେନ୍ ହ୍ବିସିଲରେ।
ଦିନେ ଦିନେ ମୋର କ'ଣ ହୁଏ କେଜାଣି ଉଠିବା ମାତ୍ରେ ଜୀବନକୁ ନେଇ ଯେତେ ଯେତେ କଥା, ସ୍ମୃତି, ସ୍ବପ୍ନ ସବୁ ମନେ ପଡିଯାଏ।ଏଯାଏଁ ସେସବୁ କହି ପାରି ନ ଥିବାରୁ ମନରେ କ୍ଷୋଭ ଆସେ।ମୋର ଅନ୍ତର୍ଦାହ ଆରମ୍ଭ ହୋଇଯାଏ।ସଜ ସକାଳଟା ମଉଳି ଯାଏ।
ଅନେକ ଦିନ ପରେ ସେଦିନ ଏମିତି ଗୋଟିଏ ସକାଳ ଆସିଥିଲା।ମୋର ଶଦ୍ଦ ଓ ସାମର୍ଥ୍ୟକୁ କିଏ ଅପହରଣ କରି ନେଇଥିବା ଅନୁଭବକୁ ଧରି ଚୁପଚାପ ବସିଥିଲି ମୁଁ।
ରିଂ - - - ରିଂ - - - ରିଂ।ରିଂ - - - ରିଂ - - - ରିଂ।
ମୋବାଇଲ ବାଜି ଉଠିଲା।ହାତକୁ ଆଣି ତା' ଉପରେ ଆଖି ପକାଇଲି।ଗୋଟିଏ ଅଜଣା ନମ୍ବର ଉପରେ ମୋର ଆଖି ପହଁରିଗଲା।
ହ୍ୟାଲୋ - - - - -
- " ଆରେ ମୁଁ ବିଶ୍ବନାଥ କହୁଛି।ତୋର ବାଲ୍ୟବନ୍ଧୁ।ବହୁଦିନରୁ ମନେମନେ ତୋର ନମ୍ବରଟି ଖୋଜୁଥିଲି।ଆଜି ପାଇଗଲି।ଆଉ - - - - କ 'ଣ ଖବର ? "
ଭାସି ଆସିଲା ଏ ସ୍ବର।ଜାଣିପାରିଲି ବିଶ୍ବନାଥକୁ।ହେଲେ ସେଦିନର ସକାଳଟା ମୋତେ ଏମିତି ବିବଶ କରି ଦେଇଥିଲା ଯେ ଖୁସି ହୋଇ ପାରିଲି ନାହିଁ।କହିଲି - " ଖବର ଆଉ କ'ଣ ! ଏଠି ବଗିଚାରେ ଆଉ ଫୁଲ ଫୁଟୁନାହିଁ। ସକାଳ ହେଲେ କେତେ କୁନି କୁନି ଚଢେଇ ଆସି ବସି ଯାଉଥିଲେ ବଗିଚାର ଗଛ ମାନଙ୍କରେ। ସେମାନେ ବି ଆଉ ଆସୁନାହାନ୍ତି। "
- " ଆରେ - - - , ସେ ଫୁଲ ଆଉ ଚଢେଇଙ୍କ କଥା ଛାଡ୍। ଫୁଲ ପରି ଦିଶୁଥିବା ସେଇ ଫୁଲେଇ ଚଢେଇର ଖବର କ'ଣ ? " ସେ କହିଲା।
- " ଝର୍କାରୁ ଚାହିଁଲେ ଆଉ ପରା ଦେଖା ଯାଉନାହିଁ ସେଇ ଫୁଲେଇ ଝିଅଟା।ବାଲକୋନୀରେ ଠିଆ ହୋଇ ନରମ ଖରାରେ ତା'ର ଦୀର୍ଘ ଓଦା ଚୁଟିସବୁକୁ ସେ ଶୁଖାଉଥିବା ଦୃଶ୍ୟ ଆଉ ଦେଖିବିକୁ ମିଳୁନାହିଁ।ଦୂରରୁ ତାକୁ ଦେଖିଲେ ମନଟା କେତେ ଖୁସି ଫଣ ଫଣ ହୋଇ ଯାଉଥିଲା।ଏବେ ଆଉ ସେମିତି ନାହିଁ। " ମୁଁ କହିଲି।
- " ଏବେ ତା'ହେଲେ କ'ଣ କରୁଛୁ ତୁ ? କେମିତି ବଞ୍ଚିଛୁ ? " ସେ କହିଲା।
- " କ'ଣ ଆଉ କରିବି ! ମୋ ବଞ୍ଚିବା କଥା କ'ଣ ପଚାରୁଛୁ ତୁ ! ଏବେ ରାତି ସବୁ ନିଜେ ଦୁଃଖ ହୋଇ ଆସୁଛନ୍ତି।ଅଟ୍ଟହାସ୍ୟ କରୁଛନ୍ତି ତାରାମାନେ।କମ୍ପି ଉଠୁଛି ଆକାଶ।କାନ୍ଦୁଛି ଜହ୍ନ।ମନା କରୁଛି ଦେବାକୁ ଜ୍ୟୋତ୍ସ୍ନା।ସୁଖ ଠାରୁ ସୁଖ ଆଶାରେ ଅଧିକ ବଞ୍ଚିବାକୁ ପଡୁଛି। " ମୁଁ କହିଲି।
- " ଆରେ ତୁ ଏମିତି କ'ଣ କହୁଛୁ ! ବାଟବଣା ହେଲା ପରି ଲାଗୁଛୁ। " ସେ କହିଲା।
- " ଲକ୍ଷ୍ୟସ୍ଥଳକୁ ଯିବା ପାଇଁ ବାଟଟିଏ ଖୋଜୁଛି। ମିଳୁନାହିଁ ଯେତେବେଳେ ବାଟବଣା ହେବା ସ୍ବାଭାବିକ। ଏବେ ଏଠି ଖାଲି ଧୂଆଁ, କୁହୁଡ଼ି ଆଉ ଦୁର୍ଘଟଣା। ସେମାନେ ମିଶି ମୋର ଜୀବନକୁ ବେହୋସ କରି ସାରିଲେଣି। କେତେ ବା ଜୀବନ ଆଉ ବାକି ଅଛି ! ହେଲେ ସେଇ ସମୟ ଭିତରେ ସ୍ବପ୍ନକୁ, ସୁଖକୁ ହାତରେ ଧରିବାର ଆଶା ଧୀରେ ଧୀରେ ମଉଳି ଯାଉଛି। " ମୁଁ କହିଲି।
ସେ କହିଲା - " ହଁ ରେ ... ,ବୁଝି ପାରୁଛି ମୁଁ।ହେଲେ କିଏ କ'ଣ କରିବ ! ପରିସ୍ଥିତି ଏବେ ସେହିପରି ହୋଇଛି।ଆଦୌ ଭଲ ନାହିଁ।ସ୍ବପ୍ନରେ ବାସ୍ତବତା ନାହିଁ।ପ୍ରେମରେ ହୃଦୟ ନାହିଁ କି ଜୀବନ ନାହିଁ।କଥାରେ କଥାରେ ଫୁଲ ନୁହେଁ, ବେଳେବେଳେ ବୋମା ବି ଫୁଟିଯିଉଛି। "
- " ସୁସମୟ ଆସିବ।ସୁରଭିତ ହୋଇ ଉଠିବ ଜୀବନ।ଇଚ୍ଛାମାନେ ବଳେବଳେ ଆସି ଧରାଦେବେ।ସ୍ବପ୍ନ ବାସ୍ତବ ରୂପ ନେବ।ସୁଖ ହାତମୁଠାକୁ ଆସିବ।ଏମିତି ଭାବନା ଆଉ ବିଶ୍ୱାସରେ ଜୀବନର ତିନି ଭାଗ ସମୟ କାଟିଦେଲି।ହେଲେ ପାଇଲି କ'ଣ ? ଜୀବନ ଆଜି ବି ନୀରସ, ନିଃସ୍ବ,ବିପନ୍ନ। " ମୁଁ କହିଲି।
ସେ ଗୋଟିଏ ଦୀର୍ଘଶ୍ବାସ ଛାଡିଲା।
- " ଏବେ ତୋ ଖବର କହ । " ତାକୁ କହିଲି।
ପୁଣି ଗୋଟିଏ ଦୀର୍ଘଶ୍ବାସ ବାହାରକୁ ଦେଇ ସେ କହିଲା - " ଏଠି ମୋର ଅବସ୍ଥା ମଧ୍ୟ ସେୟା।କ'ଣ କହିବି ତତେ ? ପରିସ୍ଥିତି ଆଦୌ ଆୟତ୍ତରେ ନାହିଁ। ଜୀବନ ଏକ ବିଚିତ୍ର ଖେଳ ପରି ମନେ ହେଉଛି।"
- " ହଉ,ବିଛଣା ଛାଡିନି ଏଯାଏଁ।ଫୋନ୍ ରଖୁଛି।ପରେ ପୁଣି କଥା ହେବା। " ତାକୁ ଏତିକି କହି ଫୋନ୍ କାଟିଦେଲି।ପରିସ୍ଥିତି ଆଦୌ ଆୟତ୍ତରେ ନାହିଁ।ଜୀବନ ଏକ ବିଚିତ୍ର ଖେଳ ପରି ମନେ ହେଉଛି। - ତା'ର ଏଇ ଶେଷ ଦୁଇ ପଦ କଥାକୁ ମନକୁ ନେଇ ଗୁଣୁଗୁଣୁ ହେବାକୁ ଲାଗିଲି।
ବାହାରେ ସରିସରି ଆସୁଥିଲା ସକାଳର ଆୟୁଷ।