ଜୀଅଁନ୍ତା ଭୂତ
ଜୀଅଁନ୍ତା ଭୂତ


ଭୂତ କୁ ବା କିଏ ନ ଡରେ? ମୁଁ ବି ଡରୁଥିଲି ବହୁତ ପିଲାଦିନେ। ଆଜି ଯାଏଁ ବି କିଛି କିଛି ଅଛି ସେ ଡର ମୋ ମନରେ। ଅନେକ ଲୋକ ଅସଂଖ୍ଯ କଥା କହନ୍ତି ଭୂତକୁ ନେଇ। କେତେ କେତେ ପ୍ରକାରର ଭୂତ ବି ଅଛନ୍ତି କାଳେ ଏ ଦୁନିଆଁରେ।ହେଲେ ମୁଁ କେବଳ ଏତିକି ଜାଣିଥିଲି ଯେ ମଣିଷ ମରିଗଲା ପରେ ଭୂତ ହୋଇ ଜୀଅନ୍ତା ଲୋକଙ୍କୁ ଡରାଏ।
ଦିନେ ଆଈମା ଠାରୁ ଶୁଣିବାକୁ ପାଇଲି ଭୂତ ବାବଦରେ। ଜୀଇଁଥିବା ବେଳେ ଯଦି କାହାର କିଛି ଇଛା ପୁରଣ ନହୋଇ ସେ ଅଚାନକ ପାର ହୋଇଯାଏ ଆର ପାରିକୁ ତେବେ ତାର ଆତ୍ମା ଅତୃପ୍ତ ଅଶାନ୍ତ ହୋଇ ଘୁରିବୁଲେ ମୋକ୍ଷ ପାଇବା ଯାଏଁ। ହେଲେ ସେ ସମସ୍ତଙ୍କୁ ଡରାଏନି କି କାହାରି କ୍ଷତି ବି କରେନି। ଯାହା ପାଖରେ କଳା ଥାଏ, ତାକୁ କାଳେ ଭୂତ ଲାଗେ! ଗୁଣିଆକୁ ଡକାଇ ଝଡା ଫୁଙ୍କା କଲେ ଭୂତ ଛାଡି ପଳାଏ।
ଏମିତି କେତେ କଥା ଶୁଣିବାକୁ ମିଳେ ଆମ ଆଖପାଖରେ। ମୁଁ ବି ଦୁଇ ଚାରିଟା ଜାଗାରେ ଦେଖିଛି ଗୁଣିଆ ଆସି ଭୂତକୁ କାଚ ଜାରରେ କିଳି ନେବାର ଘଟଣା। ଲେମ୍ବୁ ଲଙ୍କା ନଡ଼ିଆ କଦଳୀ ଗୁଡ଼ ଚାଉଳ ଦୁବ ବର କୋଳି ପତ୍ର ରଖି ପୂଜାପାଠ ହୁଏ। ଝୁଣା ଧୁଆଁରେ ମହକି ଉଠେ ସେ ଜାଗା। ଆମର ଆଖି ଖୋଲାଥିଲେ ବି କିଛି ଦେଖିହୁଏନି। କେବଳ ଲୋକେ କହନ୍ତି ଯେ, "ଆମେ ଦେଖିଛୁ ଯେ ଗୁଣିଆ ଭୂତ ଧରିକି ନେଲା ଜାରରେ!"
ମୋ ମନରେ କୌତୁହଳ ଜାଗେ, "କିଏ ଏ ଲୋକ ଆଉ କିଏ ଏ ଭୂତ?" ଭୂତ ସହ ମୁହାଁମୁହିଁ ହୋଇଥିବାର କାହାଣୀ ଶୁଣାଉଥିବା ଲୋକମାନେ କିନ୍ତୁ ବେଶ୍ କୁହାଳିଆ ସ୍ବଭାବର। ଡଗ ଡଗ ହୋଇ ଆଲତୁ ଫାଲତୁ କଥା ନଗପିଲେ ସେମାନଙ୍କ ଭାତ ହଜମ ହୁଏନି। ଆଉ ଭୂତ? ତାକୁ କିଏ ସତରେ ଦେଖିଛି ଯେ, କହିବ ଭୂତ ଦେଖିବାକୁ କେମିତି?
ମୁଁ ଗାଁରେ ଥିବାବେଳେ ପ୍ରତିଦିନ ନୂଆ ନୂଆ କାହାଣୀ ଶୁଣେ ଗାଁଦାଣ୍ଡରେ କୁହାଳିଆଙ୍କ ତୁଣ୍ଡରୁ। କାହାଣୀ ସବୁ ଶୁଣି ଶୁଣି ସଞ୍ଜ ହେଲେ ନିଜ ଘରେ ବି ଡର ଲାଗେ, ବାହାରକୁ ଯିବା କଥା ଛାଡ଼। ଯେବେ ଗାଁ ଛାଡ଼ି ଭୁବନେଶ୍ବର ଆସିଲି ପଢିବାକୁ ଭୂତ ଭୟ କିଛି ମାତ୍ରାରେ କମିଗଲା। ହୁଏତଃ ସହରୀ ପରିବେଶ, ଗାଡିମଟର, ଉଜ୍ଜ୍ବଳ ଆଲୋକ ଓ ବଣବୁଦାର ଅଭାବ ଯୋଗୁଁ ଏଠି ଭୂତ କମ୍। କିନ୍ତୁ ଏଠାରେ ବି ଲୋକଙ୍କର ସେଇ ଭୂତ ଗପ ଖଟିରେ। ଶୁଣିଲେ ପୁଣି ମନରେ ଭୟ ଆସେ।
ବର୍ଷେ ଗାଁକୁ ଯାଇଥିଲି ଅକ୍ଷୟ ତୃତୀୟାକୁ ଠାକୁରାଣୀଙ୍କ ପାଖରେ ହରିହାଟ ପାଇଁ। ବାପାଙ୍କର ସାଙ୍ଗ ଅନାଦି ମଉସା ଡାକିଲେ ମୋତେ ସଞ୍ଜ ବୁଡିବା ଆଗରୁ କଦଳୀ ପତ୍ର କାଟି ଆଣିବା ପାଇଁ ଦଳ ଗାଡ଼ିଆ ହୁଡ଼ାରୁ। ମୋର ତ ପିଳେହି ପାଣି ହୋଇଗଲା ଏକଥା ଶୁଣି। କାରଣ ଦଳ ଗାଡ଼ିଆ ପାଖ ବାଉଁଶବଣରେ କୁଆଡ଼େ ଭୂତଙ୍କର ମେଳା ବସେ। ଆମ ଗାଁରେ ଦଳ ଗାଡ଼ିଆକୁ ନେଇ କୋକୁଆ ଭୟ ବିଶେଷ କରି ପିଲାଙ୍କର।
ମୁଁ ଥଙ୍ଗ ମଙ୍ଗ ହେବା ଦେଖି ସେ କହିଲେ, "ଡରୁଚୁ କିରେ ଭୂତକୁ?"
: ନାଇଁ ତ...
: ହଉ ଚାଲେ ଯିବା...
ଦୁହେଁ ଗଲୁ ଦଳ ଗାଡ଼ିଆ ପାଖକୁ। ମୋର ମନରେ ଭୟ କହିଲେ ନ ସରେ। ଛାତିରେ ଟିକେ ଛେପ ମାରିଦେଇ ଚାଲୁଥାଏ ମୁଁ।
ବାଟରେ ମଉସା କହିଲେ, : ଏତେ ବଡ଼ ପିଲାଟାଏ ତୁ ହେଲୁଣି, ହେଲେ ଏ ଭୂତ ପ୍ରେତଙ୍କ ଡର ଛାଡିନି ଆଜି ଯାଏଁ ତୋର। ତୋ ବାପା ଆମ ସହ ସ୍କୁଲରେ ଅଷ୍ଟମ ଶ୍ରେଣୀରେ ପଢିବା ବେଳେ ଆମେ ସବୁ ଦୋପଟି ମେଳଣରେ ଯାତ୍ରା ଦେଖିବାକୁ ଯାଇଥିଲୁ। ନାଟକରେ ଆମେ ପୁରା ଭୋଳ, ରାତି ଅଧରେ ଦେଖିଲୁ ତୋ ବାପା ସିଟ୍ ଟା ଖାଲି। ସବୁ ଆଡ଼େ ଖୋଜିଲୁ, ନପାଇବାରୁ ଗାଁକୁ ଫେରି ଆସିଲୁ ମନ ଦୁଃଖରେ। କୁଆଡ଼େ ହଜିଯାଇଛି ଭାବି ତମ ଘରେ କେମିତି କହିବୁ ବୁଝି ପାରୁନଥିଲୁ। ତମ ଘରେ ଆସି ଦେଖୁ ତ ବାପ ତୋର ଆରାମରେ ବାରି ପିଣ୍ଡାରେ ବସି ପଢୁଛି। ଆମେ ତ ସବୁ ଜଳକା ହୋଇଗଲୁ। ହାଲକ ଶୁଖିଗଲା ଆମର। ଲୁଣୀଦଣ୍ଡା ପାଖରେ ତିନି ତିନିଟା ତେନ୍ତୁଳି ଗଛ। ରାତିରେ ସେପଟେ ଯିବାକୁ ସମସ୍ତେ ଡରନ୍ତି। ଜଳୁଥିବା ଟର୍ଚ୍ଚର ଲାଇଟ୍ ହଠାତ୍ ବନ୍ଦ ହୋଇଯାଏ, ସାଇକେଲର ଚେନ୍ ଛିଣ୍ଡିଯାଏ।
କେମିତି ରାତି ଅଧରେ ଏକା ଏକା ଚାଲି ଚାଲି ଏତେ ବାଟ ଆସିଲା ବୋଲି ତୋ ବାପକୁ ପଚାରିବାରୁ ସେ କହିଲା, "ନାଟକ ଭଲ ଲାଗିଲାନି। ଜହ୍ନ ଆଲୁଅରେ ଚାଲି ଚାଲି ପଳେଇ ଆସିଲି।"
ଆମେ ପଚାରିଲୁ,"ସେଇ ତିନିଟା ତେନ୍ତୁଳି ଗଛରେ ଥିବା ଭୂତ ସବୁ... ?"
: ଭୂତ ଫୁତ କିଛି ନାହିଁ। ଏଇଟା ମନର ବିକାର ଛଡା ଆଉ କିଛି ନୁହେଁ। ସାତ ଆଠ ମାଇଲ ଚାଲିକି ଆସିଲି କେତେ ଗାଁ କେତେ ମଶାଣି ବି ଦେଖିଲି। ହେଲେ ଭୂତ ଗୋଟେ ବି ପାଇଲିନି।
ସେଦିନ ଅନାଦି ମଉସାଙ୍କ ମୁହଁରୁ ଏକଥା ଶୁଣିବା ପରେ ମୋର ଭୂତ ଡର ପୁରା ଛାଡି ଯାଇଥିଲା। ଅନେକ ରାତି ମୁଁ କାଟିଛି ଉଜାଗରରେ ଦେଖିବାକୁ ଭୂତ କିନ୍ତୁ ପାଇନି ତାର ଦର୍ଶନ। ଭୁବନେଶ୍ଵର ରହଣୀରେ ନିର୍ଜନ ରାତିରେ ବହୁତ ଥର ଠକ୍ ଠକ୍ ଶବ୍ଦ ଶୁଣି ବାହାରକୁ ଆସି ଦେଖେ ତ ନେପାଳୀ ବାହାଦୁରଟା ବାଡ଼ିକୁ ରାସ୍ତାରେ ପିଟୁଥିବାର। ଯଦି ଭଗବାନଙ୍କୁ ଖୋଜିଥାନ୍ତି ଏମିତି ଆତୁର ହୋଇ ବୋଧେ ତାଙ୍କର ଦର୍ଶନ ମିଳିସାରନ୍ତାଣି!
ଏ ଘଟଣାର ଅନେକ ବର୍ଷ ପରେ ଗୋଟିଏ ଶିତୁଆ ରାତିରେ ମୋର ନିଦ ଅଚାନକ ଭାଙ୍ଗି ଗଲା କିଛି ଅଜବ ଶବ୍ଦରେ! ନୂଆ କରି ଚାକିରୀରେ ଯୋଗ ଦେଇଥାଏ ହାଇଦ୍ରାବାଦରେ। ମୋ ପାଇଁ ସମ୍ପୂର୍ଣ୍ଣ ଭାବେ ନୂଆ ଥିଲା ହାଇଦ୍ରାବାଦ୍। ଆଗରୁ କେବେ ବି ଯାଇନଥିଲି ସେଠିକି, ଯାହା ଶୁଣିଥିଲି ସାଙ୍ଗ ମାନଙ୍କ ଠାରୁ ଏହି ସହର ବାବଦରେ। ବଞ୍ଜାରା ହିଲସ୍ ରେ ଆମ ସଂସ୍ଥାର ଗେଷ୍ଟ୍ ହାଉସ୍ । ପାଖକୁ ଲାଗି ରହିଛି କେବିଆର୍ ନ୍ଯାସନାଲ ପାର୍କ୍। ବେଳେ ବେଳେ ମୟୁରଙ୍କ ରାବ ଶୁଣାଯାଏ। ହାଇଦ୍ରାବାଦରେ ମୋର ପ୍ରଥମ ରାତ୍ରୀ ଯାପନ। ସେଇ ରାତିରେ ମୁଁ ଏକା ଥିଲି ଗେଷ୍ଟ୍ ହାଉସ୍ ରେ, କେୟାର୍ ଟେକର୍ ପଳେଇଥିଲା ଘରକୁ ତା' ପୁଅ ଦେହ ଖରାପ ଥିବାରୁ।
ପୂର୍ବ ରାତିରେ ଯାତ୍ରା କରିଥିବାରୁ ଠିକ୍ ଭାବେ ଶୋଇପାରିନଥାଏ। ଦିନ ତମାମ ଧାଁଦୌଡ଼ ପରେ ଭୀଷଣ ଥକ୍କା ଲାଗୁଥାଏ। ସେଇ ରାତିରେ ଗରିଷ୍ଠ ଭୋଜନ କରିବା ପରେ ମୁଁ ଶୋଇଯାଇଥାଏ ଗଭୀର ନିଦରେ। ଘୁଙ୍ଗୁଡ଼ି ମାରି ଶୋଇଥାଏ କୁମ୍ଭକର୍ଣ୍ଣ ପରି। ଯେତେ ଯାହା ହେଲେ ବି ଉଠିବାର ନାହିଁ। କିନ୍ତୁ ଅଚାନକ ମୁଁ ଉଠି ବସିଲି ଖଟ ଉପରେ କିଛି ଅଜବ ଆୱାଜ ଶୁଣି। ଚାରି ଆଡେ କିଟିକିଟି ଅନ୍ଧାର। ବେଳକୁ ବେଳ ସେ ରହସ୍ୟମୟ ଆୱାଜ ଜୋର୍ ଜୋର୍ ରେ ଶୁଭୁଥିଲା ମୋ କାନକୁ। ହରର୍ ମୁଭିର ସିନ୍ ପରି ଲାଗୁଥିଲା। ଭୀଷଣ ଭାବରେ ଡରି ଗଲି ମୁଁ। ତଥାପି ସାହସ ଓ ଧୈର୍ଯ୍ୟ ହରାଇଲି ନାହିଁ। ଛେପ ଟିକେ ଛାତିରେ ପକେଇ ଦେଲି। ଖଟରୁ ଉଠି ଲାଇଟ୍ ଜଳାଇଲି। ଘଣ୍ଟାରେ ସମୟ ରାତି ସାଢ଼େ ଦୁଇଟା। ମନ ଦମ୍ଭ କରି ମୋବାଇଲ୍ ଧରି ଆୱାଜ ଆସୁଥିବା ଦିଗକୁ ଗଲି ଡରି ଡରି। ରୁମ୍ ଆର ପଟରୁ ଆସୁଥାଏ ଆୱାଜ। ବଜରଙ୍ଗବାଲିଙ୍କୁ ଡାକିଲି ମନେ ମନେ। ବାଲକୋନୀର କବାଟ ଖୋଲିବା କ୍ଷଣି ଯାହା ଦେଖିଲି, ଆଖିକୁ ବିଶ୍ବାସ କରି ପାରିଲି ନାହିଁ।
ୱିଣ୍ଡୋ ଏସିର ଟିଣ କଭର ଉପରେ ଛୋଟ ବସାଟିଏ, କାଠି କୁଟା ପତ୍ରରେ ତିଆରି ହେଇଛି। ସେଥିରେ ଦୁଇଟି କପୋତ କପୋତୀ ! ମୋ ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ। ବୁଝିବାକୁ ବାକି ରହିଲାନି କିଛି। ମନକୁ ବୁଝାଇ ଦେଲି ଯେ, ବିଶେଷ କିଛି ଅସୁବିଧା ନାହିଁ। ଅନ୍ତତଃପକ୍ଷେ ଭୂତ ପ୍ରେତର ଡର ତ ନାହିଁ। ଆରାମରେ ଶୋଇପାରିବି ଏବେ। ମୁଁ ଯାଇ ଗଡିପଡିଲି ବେଡ୍ ଉପରେ ଶୋଇବା ପାଇଁ। କେତେବେଳେ ଆଖିକୁ ନିଦ ଆସିଯାଇଛି ମୋର ଖିଆଲ ନାହିଁ।
ପୁଣି କିଛି ସମୟ ପରେ ମୋର ନିଦ ଭାଙ୍ଗିଗଲା। ଉଠିକରି ଯାଇ ଦେଖେ ତ ପୁଣି ସେଇ କାହାଣୀ। ମନରେ ଆସୁଥିଲା କ୍ରୋଧ ଏଇ ନିରିହ ପକ୍ଷୀ ଦୁଇଟି ଉପରେ ମୋତେ ଗଭୀର ନିଦ୍ରାରୁ ଜଗାଇଥିବାରୁ ଖେଳ ଖେଳରେ। ବାଡ଼ିଟିଏ ଆଣି ମୁଁ ଭାଙ୍ଗି ଦେଲି ବସାଟାକୁ ଟିକେ ଶାନ୍ତିରେ ଶୋଇବା ପାଇଁ। ପକ୍ଷୀ ଦୁଇଟି ଉଡ଼ି ଗଲେ ଦୂରକୁ ଗୁମୁରି ଗୁମୁରି। ବସାଟା ସହ କିଛି ଅଣ୍ଡା ବି ତଳେ ପଡ଼ି ଭାଙ୍ଗି ଗଲା। ମୋର ଅନୁତାପ କରିବା ବେଳକୁ ନଷ୍ଟ ହୋଇଯାଇଥିଲା କେତୋଟି ଅମୂଲ୍ୟ ଜୀବନ। କ୍ଷଣିକ କୋପର ଶିକାର ହୋଇ ମୁଁ ସାଜିଥିଲି ସେ ରାତିରେ ଜୀଅଁନ୍ତା ଭୂତ ବୁଦ୍ଧି ବିବେକକୁ ପାଦରେ ଏଡେଇ ଦେଇ।
ଯେବେ ବି ମୁଁ ଯାଏ ସେ ଗେଷ୍ଟ୍ ହାଉସ୍ କୁ ଶୁଣେ କପୋତ କପୋତୀ ଦୁହିଁଙ୍କର ବୁକୁଫଟା ବିଳାପ ରାଗିଣୀ। ଅନ୍ଯ ଅତିଥିମାନେ ରୁମ୍ ବଦଳ କରିଦିଅନ୍ତି ଡରି କରି କେୟାର୍ ଟେକର୍ କହିବା ମୁତାବକ। ଅଗତ୍ୟା ସେହି ରୁମ୍ ଟି ସବୁବେଳେ ଖାଲିପଡେ। ମୁଁ କିନ୍ତୁ ସେଇ ରୁମ୍ ରେ ହିଁ ରାତି ରାତି ଉଜାଗର ରହେ ପ୍ରାୟଶ୍ଚିତ କରିବା ପାଇଁ ଇଚ୍ଛାକୃତ ପାପର...