Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

puspanjali das

Tragedy

4.1  

puspanjali das

Tragedy

ଝୁମ୍ପୁଡ଼ି ଶାଗ

ଝୁମ୍ପୁଡ଼ି ଶାଗ

6 mins
23.5K



      ତନିମା ସେଦିନ ଝରକା ବାଟେ ଏକ ଲୟରେ ପଡିଶା ଘରର ସୁନ୍ଦର ଛୋଟିଆ ବଗିଚା ଟି ଆଡକୁ ଅନାଇ ବସିଥିଲା । ଛୋଟ ଛୋଟ ଫୁଲ ଗଛ ସାଙ୍ଗରେ ସମ୍ପୂର୍ଣ୍ଣ ଅଲଗା ହୋଇ ଦିଶୁଥିବା ଝୁମ୍ପୁଡି ଗଛ ଟିରେ ତା'ର ଆଖି ଯେମିତି ନିବିଦ୍ଧ ହୋଇ ଯାଇଥିଲା!ଝୁମ୍ପୁଡି ଶାଗ ନଦି ହୋଇଥିବା ଗଛ ଟି ଯେମିତି ତାକୁ ଅନେକ କଥା କହି ପକାଉଥିଲା । ପାଖରେ ଶୋଇଥିବା ପୁଅ ପୁପୁଲ କୁ ଥାପୁଡାଉ ଥାପୁଡାଉ ଭାବନା ଟା ତା'ର ଲମ୍ବି ଯାଇଥିଲା ଅନେକ ଦିନ ତଳକୁ..।


        ବାହାଘରର ଅଳ୍ପ କେଇମାସ ପରେ ତୁଷାର ଙ୍କ ହାତ ଧରି ନୂଆ ହୋଇ ସଂସାର କରିବାକୁ ସହର କୁ ଆସିଥିଲା । ସାଙ୍ଗରେ ଶାଶୁ କିଛି ଦିନ ପାଇଁ ଆସି ତା'ଘର କରଣା ସଜାଡ଼ି ଦେଇଥିଲେ । ସେତିକି ବେଳର ସମୟ ଗୁଡାକ ଯେମିତି ତା'ଆଖି ଆଗରେ ନାଚି ଯାଉଥିଲା!ବେଡ଼ରୁମରେ ବସି ବସି ଅନେକ ଥର ସେ ସେଇ ଝୁମ୍ପୁଡି ଗଛ ଟିକୁ ଚାହିଁ ବସୁଥିଲା । ପେଟ ଭିତରେ ପୁପୁଲର କୁନି କୁନି ଗୋଡର ଗୋଇଠା ସାଙ୍ଗରେ ଝୁମ୍ପୁଡି ଶାଗ ଟିକେ ଖାଇବାର ଇଛା ଟା ଯେମିତି ଚେଇଁ ଉଠୁଥିଲା!ଲୋଭିଲା ଆଖିରେ ସବୁଦିନ ଦେଖି ଦେଖି ,ସେଦିନ କିନ୍ତୁ ଆଉ ନିଜକୁ ଅଟକାଇ ପାରି ନ ଥିଲା,ବାଡ଼ି କବାଟ ଖୋଲି ,ପାଚେରି ପାଖକୁ ଚାଲିଯାଇ ବୃଦ୍ଧା ଜଣଙ୍କୁ ପଚାରିଦେଇଥିଲା–ମାଉଷୀ,ଆପଣ ଏ ଝୁମ୍ପୁଡି ଶାଗ ଖାଆନ୍ତି ନାହିଁ କି? ଆଉ ତାର ସେଇ କଥା ପଦକରେ ବୃଦ୍ଧା ଜଣକ ଆଶ୍ଚର୍ଯ୍ୟ ହୋଇ କେବଳ ତା'ଗୋଡ଼ ଠାରୁ ମୁଣ୍ଡ ପର୍ଯ୍ୟନ୍ତ ନିରୀକ୍ଷଣ କରି ,ଚୁପଚାପ ଚାଲିଯାଇଥିଲେ । ଆଉ ନିରାଶ ହୋଇ ତନିମା ସେଦିନ ଆଉ କିଛି କହିନପାରି,ଫୁଲି ଉଠିଥିବା ପେଟ ଟି ଉପରେ ପଡିଥିବା ଶାଢ଼ୀ କାନି ଟିକେ ଟାଣି ଆଣି ଭିତରକୁ ଚାଲି ଆସିଥିଲା । ଶାଶୁ ଙ୍କ ଦୃଷ୍ଟିରୁ କିନ୍ତୁ ନିଜର ନିରାଶ ମୁହଁ ଟି କୁ ଲୁଚାଇ ପାରିନଥିଲା । ବ୍ୟସ୍ତ ,ବିବ୍ରତ ହୋଇ ଶାଶୁ ତାର କହିପକାଇଥିଲେ-ସେ ବୁଢ଼ୀ ଙ୍କୁ କାହିଁକି ପଚାରୁଥିଲୁ?ତୋର ଝୁମ୍ପୁଡି ଶାଗ ଖାଇବାକୁ ଇଛା ହେଉଛି କି?ତୁଷାର କୁ କହିବି,ବଜାରରୁ ମିଳିଲେ ନେଇ ଆସିବ । ସେ ବୁଢ଼ୀ କୁଆଡେ ସେ ଝୁମ୍ପୁଡି ଗଛକୁ କାହାରିକୁ ଛୁଆଇଁ ଦିଏନି,ପାଖ ପଡିଶା ଘର ଝିଅ ଟି କହୁଥିଲା । ତୁ ସବୁଦିନ ସେ ଗଛ ଟିକୁ ଅନେଇଥାଉ ,ଦେଖିକି ମୁଁ ସେ ଝିଅ ଟିକୁ କଥା ପ୍ରସଙ୍ଗରେ ପଚାରି ଦେଇଥିଲି । ଗାଁରେ ସେସବୁ ମିଳିଯିବ ସିନା,ହେଲେ ଏ ସହରରେ ସେ ସବୁ ଶାଗ ମିଳିବା ଟିକେ କଷ୍ଟକର । ତୁ ସେ ,ଝରକା ଟା ବନ୍ଦ କରିଦେ । ସବୁବେଳେ ଦେଖିଲେ ,ଆଶାରହିଯିବ ସେଇ ଶାଗରେ । ସାମାନ୍ୟ ହସି ଦେଇ ,ଶାଶୁ ସେଦିନ କଥା ଟାକୁ ଭୁଲାଇଦେବାକୁ ଚେଷ୍ଟା କରିଥିଲେ, ହେଲେ ତନିମା ଶାଶୁ ଙ୍କର ବ୍ୟସ୍ତତା ଠିକ ବୁଝିପାରିଥିଲା ।


      କିଛିଦିନ ପରେ,ହଠାତ ଦିନେ ତା'ଘରେ କାମ କରୁଥିବା ସ୍ତ୍ରୀ ଲୋକଟି ହାତରେ ଗୋଟିଏ ଡାଲାରେ ଡାଲାଏ ଝୁମ୍ପୁଡି ଶାଗ ଦେଖି,ତନିମା ଆଶ୍ଚର୍ଯ୍ୟ ହୋଇ ଯାଇଥିଲା । ତାକୁ କିଛି ପଚାରିବା ପୂର୍ବରୁ ଡାଲାଟି ତା'ହାତରୁ ନେଇଯାଇ ପାକଳ ପାକଳ ଝୁମ୍ପୁଡି କିଛି ବାଛି ନେଇ ଧୋଇ ପକାଇ ଖାଇବା ଆରମ୍ଭ କରିଦେଇଥିଲା!ଶାଶୁ ତା'ର ଵ୍ୟସ୍ତ ହୋଇ ଚାଲି ଆସି ପଚାରିପକାଇଥିଲେ-ଆଲୋ,କୋଉଠୁ ପାଇଲୁ ଏତକ?ତୁଷାର ତ ବଜାର ଯାକ ଖୋଜି ଖୋଜି କୋଉଠି ହେଲେ ପାଇଲା ନାହିଁ!ଦେଖୁଛୁ,କେମିତି ଛୁଆ ଙ୍କ ଭଳିଆ କଞ୍ଚା ଖାଇ ଯାଉଛି!ଘରେ କାମ କରୁଥିବା ଗୁରୁବାରୀ କହି ପକାଇଲା–ମୁଁ କୋଉଠୁ ଆଣିବି ମା?ଏଇ ତୁମ ପଡ଼ିଶାଘର ବୁଢ଼ୀ ମାଉଷୀ ଆଜି ମତେ ଡାକିକି ଦେଲେ,କହିଲେ ନେଇଯା,ସେ ନୂଆ ବୋହୁ ଟିକୁ ଦେବୁ,ତାର ପିଲାପିଲି କଣ ହବ,ଆଉ କାହାକୁ ଦବୁନି । ସିଏ କେମିତି ଜାଣିଲେ ,ଆମ ବୋହୁ ମା ଙ୍କୁ ଏତେ ଭଲ ଲାଗେ ବୋଲି କେଜାଣି!!


       ଏତକ ଶୁଣି ପକାଇ ତନିମା କହିପକାଇଲା-ହଁ, ମୁଁ ତାଙ୍କୁ ଥରେ ପଚାରିଦେଇଥିଲି,ସେ ଝୁମ୍ପୁଡି ଖାନ୍ତି କି ନାହିଁ ବୋଲି,ମାଗି ନ ଥିଲି,କିଛି ଉତ୍ତର ନ ଦେଇ ଚାଲିଯାଇଥିଲେ । ସିଏ କେମିତି ଜାଣିଲେ କେଜାଣି ମତେ ଭଲ ଲାଗେ ବୋଲି !ଶାଶୁ ତା'ର ସେଦିନ ବଡ଼ ଆସ୍ୱସ୍ତିର ନିଶ୍ୱାସ ଟାଏ ମାରିଥିଲେ । ସବୁତକ ଶାଗ ଧୋଇ ଧାଇ,ଭଲକରି କିଛିରାନ୍ଧି ଦେଇ ,ଆଉ କିଛି ଫ୍ରିଜରେ ରଖିଦେଇଥିଲେ । ନିଜେ ଟିକେ ବି ଖାଇ ନ ଥିଲେ କି ତୁଷାର ଙ୍କୁ ମଧ୍ୟ ଟିକିଏ ବି ଦେଇ ନ ଥିଲେ । ତନିମାର କିନ୍ତୁ ସେଥିପ୍ରତି ଟିକିଏ ବି ଧ୍ୟାନ ଯାଇନଥିଲା,ଖୁସି ଖୁସିରେ ସେଦିନର ମଧ୍ୟାହ୍ନ ଭୋଜନ କରି ଶୋଇ ପଡ଼ିଥିଲା । ବୋଉ କଥା ତା'ର ସେଦିନ ଭାରି ମନେପଡିଥିଲା । ସିଏ ଆଗରୁ ବହୁଥର କହୁଥିବା କଥା ଟି ମଧ୍ୟ ବାରମ୍ବାର ମନ ଭିତରକୁ ପସି ଆସୁଥିଲା–ପିଲାଟିଏ ପେଟରେ ରହିଲେ,କେତେ ଜିନିଷ ଖାଇବାକୁ ଭାରି ଇଚ୍ଛା ହୁଏ ଆଉ ସେ ଇଚ୍ଛା କୁ ଅଟକାଇବାକୁ ମଧ୍ୟ ଭାରି କଷ୍ଟ ଲାଗେ । ସତରେ ତ!!ସେଇ କେତେ ଦିନ ଭିତରେ ତା'ର ବି ସେଇ ଅନୁଭବ ଟା ପୁରା ହୋଇଯାଇଥିଲା!ଝିଅ ବେଳେ ତ ତା'କୁ କୌଣସି ଖାଦ୍ୟ ପ୍ରତି ଏତେ ଆଗ୍ରହ ନଥିଲା!କିଛି ଟା ଖାଦ୍ୟ ଯଦିଓ ତାକୁ ଭଲ ଲାଗୁଥିଲା, ହେଲେ ଏମିତି ଅନୁଭବ ଯେ ସତରେ ହୁଏ ,ସେକଥା ସିଏ ବିଶ୍ୱାସ କରି ପାରୁନଥିଲା!ସତରେ,ମାତୃତ୍ୱର ଅନୁଭବ ଓ ସେ ସମୟର ଶାରୀରିକ ଓ ମାନସିକ ପରିବର୍ତ୍ତନ ଯେ ଏମିତି ହୁଏ ,କଳ୍ପନା କରିନଥିଲା!


    ୟା ଭିତରେ ପାଞ୍ଚଟି ବର୍ଷ କଟି ଯାଇଥିଲେ ବି,ତନିମାର ମନ ଭିତରଟି ଯେମିତି ସେ ଝୁମ୍ପୁଡି ଗଛଟିକୁ ନେଇ ଅନେକ ଗୁଡିଏ ପ୍ରଶ୍ନରେ ଛନ୍ଦି ହୋଇପଡିଥିଲା । ଆଉ ହଠାତ ଏତେ ବର୍ଷ ପରେ ତା'ମାଉଷୀ ଶାଶୁ ଙ୍କର ଆସିବାରେ ସତେ ଯେମିତି ସେ ପ୍ରଶ୍ନ ଗୁଡିକର ଉତ୍ତର ସବୁ ଗୋଟି ଗୋଟି ହୋଇ ମିଳିଯାଇଥିଲା,ଯେତେବେଳେ ତାଙ୍କ ମୁହଁରୁ ସେ ପଡ଼ିଶାଘର ବୁଢ଼ୀ ମାଉଷୀ ଙ୍କ ବିଷୟରେ ଅନେକ କିଛି ଶୁଣିବାକୁ ପାଇଥିଲା । ସେ ବୁଢ଼ୀ ମାଉଷୀ ଜଣକ ଯେ ତା'ମାଉଷୀ ଶାଶୁ ଙ୍କ ଶାଶୁଘର ଗାଁର ଥିଲେ,ଏକଥା ଯଦିଓ ସିଏ ଆଗରୁ ଜାଣିଥିଲା, ହେଲେ,ତାଙ୍କ ଜୀବନର ଦୁଃଖ ପୂର୍ଣ୍ଣ କାହାଣୀ ଟି ପ୍ରଥମ ଥର କରି ଶୁଣିଥିଲା । ସେ ମାଉଷୀ ଜଣକ କେମିତି ଗର୍ଭବତୀ ଅବସ୍ଥାରେ ସେଇ ଝୁମ୍ପୁଡି ଶାଗ ଖାଇ ପାରିଲେନି ବୋଲି ତାଙ୍କର ସନ୍ତାନ ପ୍ରସବରେ ଅସୁବିଧା ଯୋଗୁଁ ସନ୍ତାନ ଟିଏ ସବୁଦିନ ପାଇଁ ହରାଇଦେଇଥିଲେ,ଯଦିଓ ଡାକ୍ତର ଙ୍କ ଅନ୍ୟମତ ଥିଲା, ହେଲେ ସେଇ ପୁରୁଣା କାଳିଆ କଥା କୁ ଆଖି ଆଗରେ ରଖି,ତାଙ୍କ ଶାଶୁ ଝୁମ୍ପୁଡି ଗଛ ଟିଏ ଆଣି ନିଜ ବାଡ଼ିରେ ଲଗାଇଥିଲେ ,ହେଲେ ମଣିଷ ଯେ ଭାଗ୍ୟ ପାଖରେ ବେଳେ ବେଳେ ହରିଯାଏ!ପ୍ରଥମ ସନ୍ତାନ ଟି ହରାଇଲା ପରେ ପରେ ,ପୁଣି ଲାଗ ଲାଗ ଆଉ ଦୁଇଟି ସନ୍ତାନ କୁ ଅଳ୍ପ ସମୟ ପାଇଁ ଗର୍ଭରେ ଧାରଣ କରି ମଧ୍ୟ ବାହାର ଦୁନିଆ କୁ ଆଣି ପାରିନଥିଲେ!ସେ ଝୁମ୍ପୁଡି ଗଛର ଭର୍ତ୍ତି ହୋଇଥିବା ଝୁମ୍ପୁଡି ଶାଗ ତାଙ୍କ ଆଶା ଭିତରେ କେବେ ବି ଆଉ ଆସିନଥିଲା!"ସମୟକ୍ରମେ ଡାକ୍ତର ଙ୍କ ନିଷ୍ପତ୍ତି ଥିଲା ଯେ ,ସେ ଆଉ କେବେ ମା'ହୋଇପାରିବେନି ଟି ଯେମିତି ସମସ୍ତେ ସ୍ଵୀକାର କରିନେଇଥିଲେ । ଆଉ ସେଇ ଦିନଠାରୁ ସେ ଝୁମ୍ପୁଡି ଗଛର ଶାଗ ସବୁ ସେମିତି ସେଇ ଗଛରେ ଶୁଖି ଯାଉଥିଲା, ହେଲେ ନାଁ ତାକୁ ସିଏ ନିଜେ ଖାଉଥିଲେ,ନାଁ କାହାରିକୁ ଦେଉଥିଲେ!ସତେ ଯେମିତି ସବୁଯାକ ଦୋଷ ,ଅଭିମାନ ଅଜାଡ଼ି ଦେଉଥିଲେ ସେ ଗଛ ଟି ଉପରେ!


           ଏତକ ଶୁଣି, ତନିମା ମାଉଷୀ ଶାଶୁ ଙ୍କୁ ସଙ୍ଗେ ସଙ୍ଗେ ପଚାରି ଦେଇଥିଲା-ହେଲେ ମାଉଷୀ ,ସେ ବୁଢ଼ୀ ଜଣଙ୍କୁ ତ ମୁଁ ପାଞ୍ଚ ବର୍ଷ ହେଲା ଆଉ କେବେ ଏଇଠି ଦେଖୁନି । ଏଇଟା ତା ଙ୍କର ନିଜ ଘର ଥିଲାଟି?ଏଇ କେତେ ବର୍ଷ ହେବ ଆଉ ଗୋଟିଏ ପରିବାରରହୁଛନ୍ତି । ଯଦିଓ ପଡୋଶୀ ହିସାବରେ ଖୁବ୍ କମ ମୁଁ ସେମାନଙ୍କ ସାଙ୍ଗରେ ମିଶିପାରିଛି,ହେଲେ ଏତିକି କେବଳ ସେମାନଙ୍କ ଠାରୁ ଶୁଣିଛି ଯେ ସେମାନେ ଭଡାରେ ଅଛନ୍ତି । ମାଉଷୀ ଶାଶୁ ତା'ର ସଙ୍ଗେ ସଙ୍ଗେ କହିପକାଇଥିଲେ -ହଁରେ,ତା'ନିଜ ଘର ଏଇଟା । ତା'ର ପ୍ରଥମ ପିଲାଟିକୁ ଗାଁରେ ହରାଇଥିଲା ବୋଲି ଏଇଠି କୁ ତା'ବର ସାଙ୍ଗରେ ଜାଗା କିଣି ଚାଲିଆସିଥିଲା । ତା'ଶାଶୁ ବି ଖୁବ୍ ଅନ୍ଧବିଶ୍ୱାସି ଥିଲେ,ଜାଗା ବଦଳାଇଲେ ଭାଗ୍ୟ ବଦଳିଯାଏ ବୋଲି ବିଶ୍ବାସରଖି,ଗାଁ ଛାଡି ପୁଅ ବୋହୂ ଙ୍କ ସାଙ୍ଗରେ ଆସି ଏଇଠିରହିଥିଲେ । ହେଲେ ,ସତରେ କ'ଣ ତା'ଭାଗ୍ୟ ବଦଳି ପାରିଲା!!ନିଜେ କେତେ ହନ୍ତସନ୍ତ ହୋଇ ଶେଷ ଜୀବନ ବିତାଇଥିଲେ,ଆଖିଆଗରେ ପୁଅର ଆକ୍ସିଡେଣ୍ଟରେ ଜୀବନ ଯିବା ଦେଖି । ଏତେବଡ଼ ଘର ଟିରେ ପୁରା ଏକୁଟିଆ ହୋଇଯାଇଥିଲା!ଅଧା ପାଗଳଙ୍କ ଭଳି ଭାରି ଚିଡ଼ ଚିଡା ହୋଇଯାଇଥିଲା!ଏଠି ସମସ୍ତେ କହୁଥିଲେ,ସେଇ ଝୁମ୍ପୁଡି ଗଛ ସାଙ୍ଗରେ କଣ ସବୁ କଥା ହୁଏ,କାହାରିକୁ କିନ୍ତୁ ସେ ଗଛରେ ହାତ ଲଗେଇ ଦିଏନି!ଯେମିତି ସେ ଗଛ କୁ କି ନିଜକୁ ଦଣ୍ଡ ଦେଉଥାଏ!ହେଲେ,ଗାଁରେ ଏବେ ସବୁ କହୁଛନ୍ତି ଯେ,ସିଏ କୁଆଡେ ଗାଁ କୁ ଫେରି ଆସିଲା ପରେ ବହୁତ ପରିବର୍ତ୍ତନ ହୋଇଯାଇଛି । ନିଜ କୁଟୁମ୍ବ ଲୋକଙ୍କ ସାଙ୍ଗରେ ବହୁତ ଭଲରେ ମିଶିକି ଚଳୁଛି । ଆଗରୁ କୋଉ ଛୋଟ ଛୁଆଙ୍କୁ ପାଖ ପୁରାଇ ଦେଉନଥିବା ବେଳେ ଏବେ ଗାଁର ସବୁଯାକ ଛୁଆ ତା'ଘରେ ଆଖଡା କରୁଛନ୍ତି । ଏମିତି କେମିତି ହେଲା,କେହି ଅବଶ୍ୟ ବୁଝି ପାରୁନାହାନ୍ତି,ହେଲେ ସମସ୍ତେ ତା'ଉପରେ ବହୁତ ଖୁସି ଅଛନ୍ତି ।


          ତନିମାର ଏତକ ଶୁଣି ମନେ ପଡିଯାଇଥିଲା ପାଞ୍ଚବର୍ଷ ତଳର ଘଟଣା ଟି । ଛୋଟିଆ ଘଟଣା ଟି ହେଲେ ବି ତା'ମନରେ କାହିଁକି କେଜାଣି ଛାପି ହୋଇରହିଯାଇଥିଲା । ପୁପୁଲର ଜନ୍ମ ହେବାର ସପ୍ତମ ଦିନ ଥିଲା ସେଦିନ । ପୁଅ ଜନ୍ମ ପରର ପ୍ରଥମ ଗାଧୁଆ ପାଇଁ ହଳଦୀ ଗିନାଟି ଧରି ବାହାରିଥିଲା ବେଳେ ତା'ଶାଶୁ ପୁପୁଲ କୁ ସୂର୍ଯ୍ୟ ପାଗି ପାଣିରେ ଦୁବ ପକାଇ ଗାଧୋଇ ଦେଉଥିବା ସମୟରେ ,ସେମାନଙ୍କୁ ଆଶ୍ଚର୍ଯ୍ୟ କରିଦେଇ ସେଇ ପଡିଶା ଘରର ବୃଦ୍ଧା ଜଣକ ଘର ଭିତରକୁ ପଶି ଆସିଥିଲେ । ଶାଶୁ ତା'ର ତୁଷାର ଙ୍କୁ ଡାକୁ ଡାକୁ ସାମାନ୍ୟ ଅପ୍ରସ୍ତୁତ ହୋଇ ଯାଇ ଲୌକିକତା ଦୃଷ୍ଟିରୁ ତାଙ୍କୁ ପାଖରେ ବସିବାକୁ କହିଦେଇଥିଲେ । ପୁପୁଲ କୁ ଗାଧୋଇ ଦେବା ପରେ ବିଞ୍ଚଣା ଟି ଉପରେ ଶୁଆଇ ଦେଇ ,ତୁଷାର ଙ୍କ ଇଙ୍ଗିତରେ ସେଇ ବୃଦ୍ଧା ଙ୍କୁ କୋଳ କୁ ଉଠାଇ ନେବାକୁ କହିଦେଇଥିଲେ । ଅବଶ୍ୟ ଶାଶୁଙ୍କର ମନର ଦ୍ବନ୍ଦ୍ୱ ସିଏ ବୁଝିପାରିଥିଲା,ହେଲେ ସେ ବୃଦ୍ଧା ଙ୍କର ଉଜ୍ଜ୍ୱଳ ମୁହଁ ଟିକୁ ଦେଖି ସବୁ ଭୁଲିଯାଇଥିଲା । ସତେ ଯେମିତି ସରଗର ଚାନ୍ଦ ଟି ତାଙ୍କ ହାତରେ ପାଇଯାଇଥିଲେ!ପୁପୁଲ କୁ କୋଳ କୁ ଉଠାଇନେଇ ଛାତିରେ ତାଙ୍କର ଚାପି ଧରିଥିଲେ କ୍ଷଣକ ପାଇଁ । ଆଖିରୁ ତାଙ୍କର ଧାର ଧାର ଲୁହ ଗଡି ଚାଲିଥିଲା!ଯଦିଓ ସଙ୍ଗେ ସଙ୍ଗେ ପ୍ରକୃତିସ୍ଥ ହୋଇ ଯାଇ ତୁଷାର ଙ୍କ ହାତ କୁ ପୁପୁଲ କୁ ଟେକି ଦେଇଥିଲେ,ହେଲେ ସେଇ କେତୋଟି ମୁହୂର୍ତ୍ତରେ ତାଙ୍କ ମୁହଁ ଟି ଖୁସିରେ ଯେମିତି ନାଚି ଉଠିଥିଲା,ଆଖି ତାଙ୍କର ଚକ୍ ଚକ୍ କରି ଉଠିଥିଲା!ସବୁଯାକ ଆଶୀର୍ବାଦ ଓ ସ୍ନେହ ଶ୍ରଦ୍ଧା ଯେମିତି ପୁପୁଲ ଉପରେ ଅଜାଡ଼ି ହୋଇ ପଡୁଥିଲା!!


     ସେଦିନ ପରେ ଅବଶ୍ୟ ତନିମା ତାଙ୍କୁ ଆଉ କେବେ ତାଙ୍କ ଘରକୁ ଆସିବାର ଦେଖି ନ ଥିଲା କି କାର୍ଯ୍ୟ ବ୍ୟସ୍ତତା ଭିତରେ ତାଙ୍କ ବିଷୟରେ ଜାଣିବାକୁ ସମୟ ପାଇନଥିଲା । ବହୁଦିନ ପରେ ତାଙ୍କୁ ଆଉ ପାଖ ଘରେ ନ ଦେଖିପାରି ଅବଶ୍ୟ ପ୍ରଶ୍ନ କେତେଟା ତା'ମନରେ ଉଙ୍କି ମାରିଥିଲା,ହେଲେ ସେସବୁ ପ୍ରତି ଧ୍ୟାନ ଦେବାକୁ ସମୟ ତା କୁ ନଥିଲା । ମାଉଷୀ ଶାଶୁ ଙ୍କ କଥାତକ ଶୁଣି ମନ ଭିତରକୁ ତାର ଏମିତି ଭାବନା ଟା ପସିଆସିଥିଲା–ହୁଏତ ପୁପୁଲର ସ୍ପର୍ଶରେ ତାଙ୍କର ବିଳପିତ ମାତୃତ୍ୱର ହୃଦୟ ଟି ଶାନ୍ତ ହୋଇ ଯାଇଥିଲା!ନିଜକୁ ସେ ବନ୍ଦୀ ଭାବନାରୁ ଯେମିତି ମୁକ୍ତ କରିବା ସାଙ୍ଗରେ ସେ ଝୁମ୍ପୁଡି ଗଛ ଟିକୁ ମଧ୍ୟ ମୁକ୍ତ କରିଦେଇଥିଲେ!!


Rate this content
Log in

More oriya story from puspanjali das

Similar oriya story from Tragedy