Bauribandhu Lenka

Inspirational

4.4  

Bauribandhu Lenka

Inspirational

ଝୁମ୍ପୀ ମାଉସୀର ଦୁଃଖ

ଝୁମ୍ପୀ ମାଉସୀର ଦୁଃଖ

7 mins
494



ସମୟ ପ୍ରାୟ ଚାରିଟା ପାଖା ପାଖି ହେବ,କିନ୍ତୁ ଲାଗୁଥାଏ ସତେ ଯେମିତି ସନ୍ଧ୍ୟା ହୋଇ ଗଲାଣି। ବର୍ଷା ଢୁ ଢୁ ଗାଳୁ ଥାଏ ସତେଯେମିତି ଆକାଶଟା ଗୋଟିଏ ଜାଗାରେ ଫାଟିଯାଇଛି । ତା ସାଙ୍ଗକୁ ମଝିରେ ମଝିରେ ଘଡ଼ଘଡି ଆଉ ବିଜୁଳିର କରାଳ ରୂପ ବାତାବରଣଟାକୁ ଭାରି ଭୟଙ୍କର କରିଦେଇଥାଏ। ଏଇ ସମୟରେ ମଣିଷ ତ ମଣିଷ, ପଶୁ ପକ୍ଷୀ ବି ନିଜ ନିଜ ଆଶ୍ରୟ ସ୍ଥଳୀରେ ନିଜକୁ ସୁରକ୍ଷିତ କରି ରଖିଥାନ୍ତି । ହଠାତ୍ କବାଟରେ ଜୋରରେ ଠକ୍ ଠକ୍ ଶବ୍ଦ ହେବାରୁ ପ୍ରୀତି ଚମକି ପଡି ଭାବିଲେ ଏ ସମୟରେ ପୁଣି କିଏ ? ଡରି ଡରି ଯାଇ କବାଟ ଅଧା ଖୋଲି ଦେଖନ୍ତି ତ ମୁହଁଟା ଚିହ୍ନା ଚିହ୍ନା ଲାଗିଲା ତାଙ୍କୁ । କବାଟ ଖୋଲି ଦେଖିଲା ବେଳକୁ ଝୁମ୍ପୀ ମାଉସୀ ଠିଆ ହୋଇଛି। ଗୋଟାପଣେ ଓଦା । ହଁ , ଆଗରୁ ମଧ୍ୟ ସେ କେତେଥର ଏମିତି ଆସିଛି । ତା ପାଇଁ ବର୍ଷା ଖରା ସବୁ ସମାନ । ତା ହିସାବରେ ସେଇ କାମ ତ କରିବ ଡେରିରେ କାହିଁକି ଯିବ ଆଉ ସେଥିପାଇଁ ଘରବାଲୀଠୁ କାହିଁକି ପଦେ ଶୁଣିବ । ଯେତେ ବର୍ଷା ହେଉଥିଲେ ବି ଠିକ୍ ୪ ଟା ବେଳେ ସେ ପହଞ୍ଚି ଯାଏ । ସେଥିପାଇଁ ଆଖ ପାଖ ସାହି ପଡିଶାରେ ଅନେକ ଜଣ ଚେଷ୍ଟା କରିଛନ୍ତି ଝୁମ୍ପୀ ମାଉସୀକୁ ତାଙ୍କ ଘରେ କାମ କରେଇବାକୁ। କିନ୍ତୁ ସେ ଲୋକ ଚିହ୍ନି କାମ ନିଏ ।


ପ୍ରୀତି ଘର ଭିତରକୁ ଡାକିଲେ ମାଉସୀକୁ । ତା ତରଫରୁ ସେ କିଛି କହୁନି, ନୀରବରେ ଠିଆ ହୋଇ ବଲ ବଲ କରି ଚାହିଁ ରହିଛି ପ୍ରୀତଙ୍କୁ । ପ୍ରୀତି ମନ ଭିତରେ ଆଶଙ୍କାର ସହିତ ପଚାରିଲେ— " କଣ ହେଲା, ଏମିତି କାହିଁକି ଠିଆ ହୋଇଛୁ ? କଣ ଭୂତ ଦେଖିଲୁ ନା କଣ ? କିଛି ବି କହୁନଥାଏ ସେ ॥"


ପ୍ରୀତିଙ୍କର ଉତ୍କଣ୍ଠା ବଢ଼ିଗଲା । ଆଉ ଦୁଇ ତିନି ଥର ଜୋର ଦେଇ ପଚାରିବାରୁ ଭୋ ଭୋ ହେଇ ଚିତ୍କାର କରି କାନ୍ଦିବାକୁ ଲାଗିଲା । ଏଭଳି ପରିସ୍ଥିତି ପାଇଁ ଆଦୌ ପ୍ରସ୍ତୁତ ନଥିଲେ ପ୍ରୀତି । ବହୁ ଚେଷ୍ଟା ପରେ କାନ୍ଦ ବନ୍ଦକରି କହିଲା," ନିରୁ ଆଉ ନାହିଁ ମା । ମୋତେ ଛାଡ଼ି ସବୁଦିନ ପାଇଁ ଚାଲିଗଲା । " ପ୍ରୀତି ସ୍ତମ୍ବୀଭୂତ ହୋଇଯାଇଥିଲେ । ସେ ତାର କଥାକୁ ବିଶ୍ୱାସ କରିପାରୁନଥିଲେ । ଭାବୁଥିଲେ ଏଇ ଗଲା ସପ୍ତାହରେ ତ ନୀରୁକୁ ଦେଖିଥିଲେ। ପଚାରିଲେ ମାଉସୀକୁ —" କଣ ମାଉସୀ କେମିତି ଏ ସବୁ ଘଟିଗଲା ? "


ଏବେ ବି ସେ ଦିନ ପ୍ରୀତିଙ୍କର ମନେ ପଡ଼ୁଛି । ସେ ନୂଆ ନୂଆ ଅନୁଗୁଳ ଆସିଥାନ୍ତି । ସେଇ ସ୍ଥାନଟି ତାଙ୍କ ସ୍ୱାମୀଙ୍କର କର୍ମକ୍ଷେତ୍ର ଥିଲା । ଏକ ଘରୋଇ କମ୍ପାନୀରେ ସେ ଇଞ୍ଜିନିୟର ଭାବରେ କାମ କରୁଥାନ୍ତି। ବିବାହ ପରେ ପ୍ରୀତି ଚାକିରୀ ଛାଡ଼ିବେ କି ଛାଡିବେନି ସେ ଦ୍ଵନ୍ଦ ଉପରେ ପୂର୍ଣ୍ଣଚ୍ଛେଦ ପଡିସାରିଥାଏ । ସ୍ୱାମୀ ତାଙ୍କର ସେ ସମ୍ବନ୍ଧରେ ନିଷ୍ପତ୍ତି ନେବାକୁ ତାଙ୍କ ଉପରେ ଛାଡିଦେଇଥାନ୍ତି। ଶେଷରେ ଦୀର୍ଘ ୧୦ ବର୍ଷର ଚାକିରି ଛାଡି, ମୁମ୍ୱାଇ ଭଳି ସହରର ଚାକଚକ୍ୟ ଛାଡ଼ି ଅନୁଗୁଳ ଚାଲି ଆସିଥିଲେ ସେ ଗୋଟେ ନୂଆ ସଂସାର ଗଢି ତୋଳିବା ଆଶା ନେଇ । ଅନୁଗୁଳ ଆସିବା ସମୟରେ ରାସ୍ତାର ଦୁଇ କଡର ପ୍ରାକୃତିକ ସୌନ୍ଦର୍ଯ୍ୟ ଦେଖି ସେ ଆତ୍ମହରା ହୋଇ ଯାଉଥିଲେ। ମନେ ମନେ ଭାବୁଥିଲ ଯାହାହେଉ ଏବେ ଟିକେ ମଣିଷ ପ୍ରଦୂଷଣ ମୁକ୍ତ ପବନରେ ନିଶ୍ବାସ ନେବେ । ପ୍ରଥମେ ପ୍ରଥମେ କିଛି ଦିନ ଭଲ ଲାଗିଲା କିନ୍ତୁ ବେଶୀ ଦିନ ନୁହେଁ। ଧୀରେ ଧୀରେ ସେ ବୋର୍ ହେବାକୁ ଲାଗିଲେ ଆଉ ମୁମ୍ୱାଇର ବ୍ୟସ୍ତ ବହୁଳ ଲାଇଫ ଷ୍ଟାଇଲକୁ ମିସ୍ କରିବାକୁ ଲାଗିଲେ । ସ୍ୱାମୀଙ୍କ ପାଖରେ ମଧ୍ୟ ସମୟର ଅଭାବ। ଘର କାମ କରିବାର ଅଭ୍ୟାସ ମଧ୍ୟ ତାଙ୍କର ନଥିଲା । ଶାଶୁ ଶଶୁର ତାଙ୍କ ପାଖକୁ ଆସିବାର ଥିବାରୁ ସେ ଘର କାମ ପାଇଁ କାମବାଲୀଟିଏ ଖୋଜୁଥିଲୋ । ସେଇ ସମୟରେ ତଳ ଘରର ଆଣ୍ଟି , ଜଣେ ବୟସ୍କ ସ୍ତ୍ରୀ ଲୋକକୁ ଜୁଟେଇ ଦେଲେ। ତା ପରଦିନ ଠାରୁ ସ୍ତ୍ରୀ ଲୋକଟି କାମ କରିବାକୁ ଆସିଥିଲା । ଆଦିବାସୀ ସମ୍ପ୍ରଦାୟର ବୋଧେ । ବୟସ ପ୍ରାୟ ୫୦ ଉପରକୁ ଥିଲା । ନାଆଁ ପଚାରିବାରୁ କହିଥିଲା "ଝୁମ୍ପୀ "


ଆଉ ରହୁଥିଲା ସେ ତଳ ମୁଣ୍ଡ ବସ୍ତିରେ । ବହୁତ ଅଳ୍ପ କଥା କହେ , ଯେତିକି ପଚାରିବ ବାସ୍ ସେତିକିର ଉତ୍ତର । କିଛି ଆଡୁସାଡୁ କଥା କହେନାହିଁ । ନିଜ କାମ ସାରି ଚୁପ୍ ଚାପ୍ ନିଜ ବାଟରେ ଚାଲିଯାଏ । ଧୀରେ ଧୀରେ ଦିନ ଗଡ଼ି ଚାଲିଥିଲା । ଏହା ଭିତରେ ତିନି ମାସ ବିତିଯାଇଥିଲା ଅନୁଗୁଳରେ , ହେଲେ ପ୍ରୀତିଙ୍କର ମାତ୍ର ଗୋଟିଏ ବୋଲି ସାଙ୍ଗ ଥାଏ ଯେ'କି ହେଉଛି ଏଇ ଝୁମ୍ପୀ ମାଉସୀ । ଏହା ଭିତରେ ସେ ତାଙ୍କର ଯଥେଷ୍ଟ ନିକଟତର ହୋଇସାରିଥାଏ । ସକାଳେ ୯ ଟା ରେ ଆସି ପହଞ୍ଚିଯାଏ। ଘର କାମ ସାରି ସକାଳବେଳା ଜଳଖିଆଟା ସିଏ ପ୍ରୀତିଙ୍କ ଘରେ କରେ । ସେ ମଧ୍ୟ ସବୁଦିନ ତା ବାଟ ଚାହିଁ ବସିଥାନ୍ତି । କେହି ତ ଆଉ ନଥାନ୍ତି, ତାରି ସାଙ୍ଗରେ ଟିକେ ସୁଖଦୁଃଖ ହୁଅନ୍ତି । ପୁଣି ଉପରବେଳା ଚାରିଟା ପାଖାପାଖି ଆସିଯାଏ ଦ୍ୱିପହର କାମ ପାଇଁ। କାମ ସାରି ଟିକେ ବସେ ତାଙ୍କ ପାଖରେ । ସେତିକିବେଳେ ଗପେ ସମସ୍ତଙ୍କ କଥା ।


ସେଦିନ ଥିଲା ସାବିତ୍ରୀ ବ୍ରତ । ବ୍ରତ ବୋଲି ରୋଷେଇ ନଥାଏ । ଝୁମ୍ପୀ ମାଉସୀ କିନ୍ତୁ ସବୁଦିନ ଭଳି ପହଞ୍ଚିଯାଇ ଥାଏ। ପ୍ରୀତି କହିଲେ, " ହଉ ମାଉସୀ , ଆସିଲଣି ତ ବସ, ଭୋଗ ଖାଇକି ଯିବ ।"


ପ୍ଲେଟ୍ ରେ କିଛି ଫଳ ସହିତ ଅନ୍ୟ ଭୋଗ ଆଣି ଦେଲେ । ସେ ଭୋଗ ଖାଉ ଖାଉ ପ୍ରୀତିଙ୍କ ମୁହଁରୁ ବାହାରିଗଲା — "କଣ ମ ମାଉସୀ, ତମେ କଣ ସାବିତ୍ରୀ କରିନ କି ? "


ହସି ଦେଇ ମାଉସୀ କହିଲେ — " ଆମର କି ସାବିତ୍ରୀ ମ , ଆମେ ତ ଗରିବ ନୋକ, ଦାଣ୍ଡ ରୁ ଆଣିଲେ ହାଣ୍ଡିରେ ପଡ଼ିବ ଆଉ ସାବିତ୍ରୀ କରୁଛି କିଏ ।" ପ୍ରୀତି କହିଲେ— "ତଥାପି ମାଉସୀ, ନିଜ ସ୍ବାମୀ ପାଇଁ ଭଗଵାନଙ୍କ ପାଖରେ ତାଙ୍କର ଦୀର୍ଘାୟୁ କାମନା କରି ମୁଣ୍ଡିଆଟେ ତ ମାରି ପାରିବ ।" ମାଉସୀର ଉତ୍ତର ଶୁଣି ସେ ଚମକି ପଡିଲେ । ତାର ଉତ୍ତର ଥିଲା—" କି ଦୀର୍ଘାୟୁ ବା...ମୁଁ ତ ଅନେଇ ବସିଛି ସେ ନୋକ ଟା କେବେ ମରିବ ।" ବାରଣ କରି ପ୍ରୀତି କହିଥିଲେ— " ନା, ମ ଆଜି ପରା ଦିନରେ ଏ ଭଳି କଥା କାହିଁକି ମୁହଁରେ ଧରୁଛ ? କଣ ଝଗଡ଼ା କରିକି ଆସିଛ ନା କଣ ମଉସାଙ୍କ ସାଙ୍ଗେ ।" ସେଇଠୁ ଝୁମ୍ପୀ ମାଉସୀ ଆରମ୍ଭ କଲା ତାର ଦୁଃଖ କଥା।


ଭାରି ଦୁଃଖିନୀଟିଏ ସେ । ୧୫ ବର୍ଷ ବୟସରେ ବାହା ହେଇଥିଲା । ଦୁର୍ଭାଗ୍ୟକୁ କୋଳକୁ ସନ୍ତାନଟିଏ ଦେବା ପାଇଁ ଭଗବାନ ବହୁତ ଡେରି କରିଦେଲେ । ଦୀର୍ଘ ତେର ବର୍ଷ ପରେ ନାନା ଓଷା ବ୍ରତ କରି ଝିଅଟିଏ କୋଳକୁ ଆସିଥିଲା । ବାହାଘର ପରବର୍ତ୍ତୀ ସେଇ ୧୩ ବର୍ଷ ବହୁତ ସହିଛି ମାଉସୀ ତା ଶାଶୁ ଘରେ। ନିସନ୍ତାନ ଥିବାରୁ ବହୁତ ଗଞ୍ଜଣା ପାଇଛି । ସବୁଠାରୁ ବଡ଼ ଦୁଃଖ ତା'ର ଥିଲା, ସ୍ବାମୀ ତାର ମଦ୍ୟପ । ନିତିଦିନ ରାତିରେ ମଦ ପିଇ ଖୁବ୍ ପିଟେ ମାଉସୀକୁ, ଭାଷା ଅଭାଷା କିଛି ମାନେନି ସେ । ସାହି ପଡିଶା ,ବନ୍ଧୁ ବାନ୍ଧବ ଯେତେବେଳେ ଟାହି ଟାପରା କରନ୍ତି ତାକୁ ନେଇ, ସେତେବେଳେ ସ୍ବାମୀ ତା ପାଇଁ ପଦେ ହେଲେ ବି କହେ ନାହିଁ । ମାଉସୀର ସ୍ବାମୀ ରାଜମିସ୍ତ୍ରୀ କାମ କରୁଥାଏ । କହିବାକୁ ଗଲେ ଭଲ ରୋଜଗାର ହେଉଥିଲେ ମଧ୍ୟ ,ପରିବାର ଚଳେଇବାକୁ ମାଉସୀକୁ ଘର ଘର ବୁଲି କାମ କରିବାକୁ ପଡେ କାହିଁକି ନା ସ୍ବାମୀ ସବୁ ରୋଜଗାର ମଦରେ ଉଡେଇଦିଏ ।


ବହୁ ଦିନ ପରେ ଠାକୁର ତା ଡ଼ାକ ଶୁଣିଲେ । ମାଉସୀ କୋଳକୁ ସନ୍ତାନଟିଏ ଦେଲେ। ଅତି ଶ୍ରଦ୍ଧାରେ ସେ ତା ନାଁ ଦେଇଥିଲା "ନୀରୁ"। ବହୁ ଗେହ୍ଲାରେ ବଢେଇଥିଲା ସେ ନୀରୁକୁ । ଗରିବ ଘର ହେଲେ କଣ ହେବ, ମାଉସୀ ଯାହା ବି ରୋଜଗାର କରେ , ସେଥିରେ ଘର ଚଳେଇବା ସହ ନୀରୁର ସମସ୍ତ ଆବଶ୍ୟକାତାକୁ ପୂରଣ କରିଥାଏ । ଝିଅ ଧୀରେ ଧୀରେ ବଡ଼ ହେବା ସହିତ ଦିନକୁ ଦିନ ତାର ବିଭିନ୍ନ ଆବଶ୍ୟକତା ସବୁ ବଢ଼ି ବଢ଼ି ଚାଲିଥିଲା । ମାଉସୀ ଯଥା ସମ୍ଭବ ଚେଷ୍ଟାକରେ ସେ ସବୁକୁ ପୂରଣ କରିବାକୁ । ନୀରୁର ବାହାଘର ବୟସ ହେବା ଆଗରୁ ମାଉସୀ ଧୀରେ ଧୀରେ ନିଜକୁ ପ୍ରସ୍ତତ କରୁଥାଏ । ଗୋଟିଏ ଗୋଟିଏ ଜିନିଷ ସାଇତି ରଖୁଥାଏ ଝିଅ ପାଇଁ। ଝିଅ କିନ୍ତୁ ସେ ସୁଯୋଗ ଦେଲାନି ମାଆକୁ ତା'ର । ଦିନେ ସେଇ ବସ୍ତିର ଗୋଟେ ପୁଅ ସହ ପଳେଇଗଲା । ମାଉସୀ କେତେ ସ୍ଵପ୍ନ ଦେଖିଥିଲା ଝିଅକୁ ତା'ର ଭଲ ଜାଗାରେ ବାହା କରେଇବ। ସେ କେବେହେଲେ ଚାହୁଁନଥିଲା ନୀରୁର ଜୀବନ ବି ତା'ପରି ହେଉ ।


ଅନେକ କାନ୍ଦି କାନ୍ଦି ରହିଲା ସେ । ଝିଅ ସଙ୍ଗେ ବର୍ଷେକାଳ କଥା ହେଲାନି । ଠିକ୍ ବର୍ଷେ ପରେ ପୁଣି ଦିନେ ଦାଣ୍ଡରେ ଝିଅକୁ ଦେଖି ନିଜକୁ ସମ୍ଭାଳି ପାରିଲାନି ଝୁମ୍ପୀ ମାଉସୀ । ଭୋ ଭୋ ହୋଇ ନୀରୁକୁ ଧରି ବହେ କାନ୍ଦିଲା । ଏଥର କିନ୍ତୁ ନୀରୁ ଏକୁଟିଆ ନଥିଲା । ସାଙ୍ଗରେ ଥିଲା ତାର ଦୁଇ ମାସର ପୁଅ । ସ୍ବାମୀ ନାହିଁ ସାଙ୍ଗରେ । ନୀରୁ ଏକୁଟିଆ ଆସିଛି । ଘଟଣାଟା କିଛି ବୁଝି ପାରିଲାନି ମାଉସୀ । ଝିଅକୁ ଘର ଭିତରକୁ ନେଇ ପଚାରିବାରୁ ଝିଅ ଠାରୁ ସବୁ କଥା ଶୁଣି ମାଉସୀକୁ ଚାରିଆଡ ଅନ୍ଧାର ଦିଶିଲା । ଇତିହାସର ପୁନରାବୃତ୍ତି ଘଟୁଥିଲା । ଜ୍ବାଇଁପୁଅର ମାଡ଼ ଗାଳି ସହି ନପାରି ଝିଅ ତାର ଆଜି ଘରୁ ଗୋଡ଼ କାଢ଼ି ପଳେଇ ଆସିଛି । ଜ୍ବାଇଁ ଡ୍ରାଇଭର କାମ କରେ । ଘୋଡା ମଦୁଆଟିଏ । ପ୍ରତିଦିନ ସଂଧ୍ୟାରେ ମଦ ପିଇ ରାତିରେ ଘରକୁ ଫେରେ ଆଉ ମଦ ନିଶାରେ ନୀରୁକୁ ବହେ ଛେଚିଦେଇଯାଏ । ଏଇଟା ତା'ର ନିତିଦିନିଆ ଅଭ୍ୟାସ ପାଲଟି ଯାଇଥିଲା । କେତେବା ସହନ୍ତା ସେ । ଶେଷରେ ଆଉ ସହି ନପାରି ଛୁଆକୁ ଧରି ମା ପାଖକୁ ଚାଲିଆସିଥିଲା ନୀରୁ । ଝିଅ କଥା ଶୁଣି ମାଉସୀର ଲୁହ ରହୁ ନଥାଏ । କେତେ ସ୍ନେହରେ ପାଳି ନଥିଲା ସେ ନୀରୁକୁ ? ଆଜି ତାର ଏ କି ଅଵସ୍ଥା ? ଏଣେ ମନ ଭିତରେ ଅନେକ କଥା ଘାଣ୍ଟି ହେଉଥାଏ । ଝିଅ ତା'ର ସବୁଦିନ ପାଇଁ ସ୍ବାମୀକୁ ଛାଡି ପଳେଇ ଆସିଛି । ଏବେ ଝିଅ ସହିତ ନାତିର ଦାୟିତ୍ଵ ବି ମାଉସୀ ଉପରେ । ଏମିତି ଦୁଃଖେସୁଖେ ଚାଲିଥାଏ ଜୀବନ । ଏଥି ମଧ୍ୟରେ ନାତିକୁ ବର୍ଷେ ପୂରିଯାଇଥାଏ ।


ମାଉସୀର କଥା ପ୍ରୀତିଙ୍କର ମନକୁ ଆନ୍ଦୋଳିତ କରୁଥାଏ । ଦୁଃଖ ସହ ମନରେ କ୍ରୋଧ ମଧ୍ୟ ଆସୁଥାଏ । "କେତେ ଯେ ପରିବାର ଛାରଖାର ହୋଇ ଯାଉଛି ଏ ନାଲି ପାଣି ଟିକିଏ ପାଇଁ । ଏତେ ସବୁ ପ୍ରତିବନ୍ଧକ ଲାଗୁଛି, ହେଲେ ଏ ମଦ ଉପରେ କାହିଁକି ପ୍ରତିବନ୍ଧକ ଲାଗୁନି ? " ବୋଲି ଭାବୁଥିଲେ ପ୍ରୀତି ।


ଏଇ କିଛି ଦିନ ତଳେ ମାଉସୀ ନୀରୁକୁ ନେଇ ଆସିଥିଲା ପ୍ରୀତିଙ୍କ ପାଖକୁ । ଅନୁରୋଧ କରି କହିଲା ଯଦି ବାବୁ ଟିକେ କୁହାବୋଲା କରି ଝିଅଟାକୁ ତାଙ୍କ କମ୍ପାନୀ ଗେଷ୍ଟ୍ ହାଉସରେ ରୋଷେଇ ବାସ କି ଅଲଗା କୋଉ କାମରେ ଲଗେଇ ଦିଅନ୍ତେ ବହୁତ ସାହାଯ୍ୟ ହୋଇ ଯାଆନ୍ତା । ପ୍ରୀତି ସ୍ୱାମୀଙ୍କୁ କହି ନୀରୁକୁ ମିଶ୍ରପଡା ସ୍ଥିତ ଗେଷ୍ଟ ହାଉସରେ ରୋଷେଇ କାମରେ ରଖେଇ ଦେଇଥିଲେ । ମାଉସୀ ଭାରି ଖୁସି ଥିଲା । ଯାହାହେଉ ଝିଅକୁ ତା'ର ଆଉ ପାଞ୍ଚ ଘର ବୁଲିବାକୁ ପଡ଼ିବନି । ଗୋଟିଏ ଜାଗାକୁ ଯିବ ଆଉ ସିଧା ଘରକୁ ଫେରିବ ।


ଆଜି ସେଇ ନୀରୁ ଆଉ ନାହିଁ । ଘଟଣା ବୁଝୁ ବୁଝୁ, ମାଉସୀ କହିଲା ଝିଅ ରାତିରେ ଶୌଚ ପାଇଁ ବାହାରକୁ ଯାଇଥିଲା ଆଉ ସେଇଠି ତାକୁ ସାପ କାମୁଡ଼ିଲା । ଝିଅକୁ ନେଇ ଡ଼ାକ୍ତଖାନା ନେବା ପରିବର୍ତ୍ତେ ବସ୍ତି ଲୋକଙ୍କ କହିବା ଅନୁସାରେ ତାକୁ ମନ୍ଦିର ସାମନାରେ ପକେଇ ରଖିଲା । ଗୋଟାଏ ଦିନ ବିତିଗଲା ପରେ ବି ଝିଅ ଉଠିଲାନି । ତା ପରେ ଝିଅକୁ ନେଇ ଗୁଣିଆ ପାଖରେ ଝଡା ଫୁଙ୍କା କରେଇଲା । ଯେତେବେଳେ କିଛି ହେଲାନାହିଁ, ଡାକ୍ତରଖାନା ନେଇଗଲା ହେଲେ ସେତେବେଳକୁ ବହୁତ ଡେରି ହୋଇଯାଇଥିଲା । ଡାକ୍ତରଖାନା ନେଲାବେଳକୁ ନୀରୁ ଆଉ ଜୀବନରେ ନଥିଲା ।


ଏ ସବୁ ଶୁଣି ପ୍ରୀତି ବହୁତ ବ୍ୟସ୍ତ ହୋଇପଡିଥିଲେ ।

ଯେଉଁଠି ଗୋଟିଏ ପଟେ ଆମେ ତଥାକଥିତ ଉଚ୍ଚ ଶିକ୍ଷିତବର୍ଗ ଏକ ବିକାଶଶୀଳ ରାଷ୍ଟ୍ରର ନାଗରିକ ଭାବେ ଗର୍ବ ଅନୁଭବ କରୁଛେ, ସେଠାରେ ଅନ୍ୟପଟେ ଏବେ ବି ଏଭଳି ଅଜ୍ଞାନରୂପୀ ଅନ୍ଧକାର, ଅନ୍ଧବିଶ୍ୱାସ ଓ କୁସଂସ୍କାର ଭିତରେ ଲୋକ ବଞ୍ଚୁଛନ୍ତି !!! ସମାଜର ଶିକ୍ଷିତବର୍ଗ ଭାବେ ଏମାନଙ୍କ ପ୍ରତି ଆମର କଣ କିଛି ବି କର୍ତ୍ତବ୍ୟ ନାହିଁ??

ମାଉସୀକୁ ବୁଝେଇ ସୁଝେଇ ଝିଅର ଅନ୍ତିମ ସଂସ୍କାର ପାଇଁ ତା ହାତରେ କିଛି ଟଙ୍କା ଦେଇ ବିଦା କରିଥିଲେ ପ୍ରୀତି ।

ଦୁଇଦିନ ପରେ ଖବର କାଗଜରେ ଝୁମ୍ପୀ ମାଉସୀର ଫଟୋ ଦେଖି ଖବରଟି ପଢିଥିଲି ।


ଖବରଟି ଥିଲା ଆଦିବାସୀ ମହିଳାଙ୍କ ସରକାରୀ ଯୋଜନାରେ ଶବ ସତ୍କାର ପାଇଁ ମିଳୁଥିବା ଟଙ୍କା ନେବାକୁ ପ୍ରତ୍ୟାଖାନ । ଝୁମ୍ପୀ ମାଉସୀ ସାମ୍ବାଦିକ ମାନଙ୍କର ପ୍ରଶ୍ନର ଉତ୍ତର ଦେବାକୁ ଯାଇ କହିଥିଲା— ଯେଉଁ ଦେଶରେ ବଞ୍ଚିବା ପାଇଁ ସରକାର କାମ ଖଣ୍ଡେ ଯୋଗେଇବା ପାଇଁ କିଛି ବ୍ୟବସ୍ଥା ନାହିଁ ସେ ଦେଶରେ ମଲାପରେ ଶବ ସତ୍କାର ପାଇଁ ବ୍ୟବସ୍ଥା କରାଯାଇଥିବା ଟଙ୍କାକୁ ନେବାକୁ ସେ ଚାହୁଁନି ।


Rate this content
Log in

Similar oriya story from Inspirational