ଜହ୍ନମାମୁଁ
ଜହ୍ନମାମୁଁ
ମାଆ ମାଆ କୁଆଡେ ଗଲ । ସ୍କୁଲରୁ ଫେରି ଡାକ ଛାଡ଼ିଲା ସମ୍ଭବ । ମାଆ ବାଡ଼ି ପଟେ କଣ କାମ କରୁଥିଲେ । ସମ୍ଭବର ଡାକ ଶୁଣି ଘର ଭିତରକୁ ପଶି ଆସିଲେ । କହିଲେ କଣ ହେଲା? ଭୋକ କଲାଣି? ତୁ ଆସନ ପକା ମୁଁ ବାଢି ଦେଉଛି । ସମ୍ଭବ କହିଲା ମାଆ ମୁଁ ଖାଇବା କଥା କହୁନି । ତେବେ ଆଉ କ'ଣ କହୁଛୁ? ମାଆ ଆସନ୍ତା ସପ୍ତାହରୁ ଆମର ଖରାଛୁଟି ହୋଇ ଯିବ । ମୋ ସାଙ୍ଗମାନେ ସମସ୍ତେ ତାଙ୍କ ମାମୁଁ ଘରକୁ ଯିବେ । ସେମାନେ ପ୍ରତ୍ୟେକ ବର୍ଷ ଖରା ଛୁଟିରେ ତାଙ୍କ ମାମୁଁ ଘରକୁ ଯାଉଛନ୍ତି । ହେଲେ ତୁମେ ମୋତେ କେବେ ମାମୁଁ ଘରକୁ ନେଉନ? ମୋର କଣ ମାମୁଁ ଘର ନାହିଁ?
ମାଆ କହିଲେ କିଏ କହିଲା ତୋର ମାମୁଁ ଘର ନାହିଁ ବୋଲି । ତୋର ବି ମାମୁଁ ଘର ଅଛି । ଆଉ ତୋର ଜଣେ ମାମୁଁ ମଧ୍ୟ ଅଛନ୍ତି । ହେଲେ ତାଙ୍କ ଘର ଏତେ ଦୂର ଯେ ସେଠାକୁ ଯିବା ପାଇଁ ଅନେକ କଷ୍ଟ କରିବାକୁ ପଡିବ । ଆଉ ଅନେକ ଟଙ୍କା ମଧ୍ୟ ଖର୍ଚ୍ଚ ହେବ । ମାଆ ମୋ ମାମୁଁ ଘର କେଉଁଠି କି? ଯେଉଁଠିକୁ ଯିବା ପାଇଁ ଏତେ ଟଙ୍କା ଖର୍ଚ୍ଚ ହେବ । ମାଆ କହିଲେ ଏଇ ଯେଉଁ ଦୂର ଆକାଶ ଦେଖୁଛୁ ସେଇଟା ହେଉଛି ତୋ ମାମୁଁ ଘର । ଆଉ ତା ଭିତରେ ଯେଉଁ ଚନ୍ଦ୍ର ଦେଖୁଛୁ ସେ ହେଉଛନ୍ତି ତୋ ମାମୁଁ । ସେଇଥି ପାଇଁ ପରା ଜହ୍ନକୁ ସମସ୍ତଙ୍କ ମାମୁଁ ବୋଲି କହନ୍ତି । ସେ ଖାଲି ତୋର ନୁହଁ ଆମ ସମସ୍ତଙ୍କ ମାମୁଁ ।
ତୁ ବଡ଼ ହୋଇ ମହାକାଶ ବିଜ୍ଞାନୀଟେ ହେଲେ ଯାଇ ତୋ ମାମୁଁ ଘରକୁ ଯାଇ ପାରିବୁ । ତେଣୁ ତୁ ଏବେ ମାମୁଁ ଘରକୁ ଯିବା କଥା ଛାଡି ପାଠ ପଢ଼ାରେ ମନ ଦେ । ତେବେ ଯାଇ ସିନା ତୁ ମହାକାଶ ବିଜ୍ଞାନୀ ହୋଇ ପାରିବୁ । ଏଥର ଆସନ ପକା ମୁଁ ଖାଇବା ବାଢୁଛି ।
ସେ ଦିନ ରାତିରେ ସମ୍ଭବକୁ ଆଉ ନିଦ ହେଲାନି । ସେ ଖାଲି ଏଇ କଥା ଭାବି ଚାଲିଲା ସେ ବଡ଼ ହୋଇ ଯାଇଛି । ଆଉ ମହାକାଶ ବିଜ୍ଞାନୀଟେ ହୋଇ ଜହ୍ନ ମାମୁଁଙ୍କ ପାଖକୁ ଯାଉଛି ।
ତା ପର ଦିନ ସ୍କୁଲରେ ସେ ତା ସାଙ୍ଗମାନଙ୍କୁ କହିଲା ତୁମେ ମାନେ ମୋତେ କହୁଥିଲ ନା ମୋର ମାମୁଁ ଘର ନାହିଁ ବୋଲି । ହେଲେ ଜାଣିଛ ମୋର ବି ମାମୁଁ ଘର ଅଛି । ସେଇଟା ଆମ ଘର ପାଖରୁ ଅନେକ ଦୂର । ସେଇଥି ପାଇଁ ଆମେ ତାଙ୍କ ଘରକୁ ଯାଇ ପାରୁନେ । ତା ଛଡା ସେଥିପାଇଁ ଅନେକ ଟଙ୍କା ମଧ୍ୟ ଖର୍ଚ୍ଚ ହେବ । ମାଆ କହିଛି ମୁଁ ବଡ଼ ହୋଇ ଜଣେ ମହାକାଶ ବିଜ୍ଞାନୀ ହେଲେ ଯାଇ ଆମେ ମାମୁଁ ଘରକୁ ଯିବା ।
ସମ୍ଭବର ଉତ୍ତର ଶୁଣି ତା ସାଙ୍ଗମାନେ ହସିଦେଇ କହିଲେ ତୋ ମାମୁଁ ଘର କଣ କାଶ୍ମୀର ନା କନ୍ୟା କୁମାରୀରେ ଅବସ୍ଥିତ ଯେ ତୁ ଏବେ ଯାଇ ପାରିବୁ ନାହିଁ? ସମ୍ଭବ କହିଲା ତା ଠାରୁ ଆହୁରି ଅନେକ ଦୂର । ଏଇ ଯେଉଁ ଆକାଶ ଦେଖୁନ, ସେଇଟା ପରା ମୋ ମାମୁଁ ଘର ଓ ଯେଉଁ ଚନ୍ଦ୍ର ଦେଖୁଛ ସେ ହେଉଛି ମୋ ମାମୁଁ । ତା କଥା ଶୁଣି ତା ସାଙ୍ଗ ପିଲା ମାନେ ହସିଦେଲେ ଆଉ କହିଲେ ଆରେ ମୁର୍ଖ ପିଲାମାନଙ୍କୁ ଭୁଲାଇବା ପାଇଁ ମାଆ ମାନେ ସେମିତି କହି ଥାଆନ୍ତି । ସବୁ ମାଆ ମାନେ ତାଙ୍କ ପିଲାଙ୍କୁ ଜହ୍ନକୁ ମାମୁଁ ବୋଲି କହି ଭୁଲାଇ ଥାଆନ୍ତି । ଆଉ ଗୀତ ମଧ୍ୟ ବୋଲନ୍ତି-
"ଆ ଜହ୍ନ ମାମୁଁ ସରଗ ଶଶୀ
ମୋ କାହ୍ନୁ ହାତରେ ପଡରେ ଖସି"
ତା ମାନେ କଣ ଜହ୍ନ ଆମର ସତ ସତିକା ମାମୁଁ ହୋଇ ଗଲା ନା କ'ଣ? ତୋ ମାଆ ତୋତେ ଭୁଲାଇବା ପାଇଁ ଏମିତି କହି ଦେଇଛନ୍ତି । ସାଙ୍ଗମାନଙ୍କ କଥା ଶୁଣି ସମ୍ଭବ ଟିକେ ମନ ଦୁଃଖ କଲା । ଘରକୁ ଫେରିବା ପରେ ତା ଉଦାସ ମୁଁହ ଦେଖି ମାଆ ପଚାରିଲେ କିରେ କ'ଣ ହେଲା । ତୋ ମୁହଁ କାହିଁକି ଏମିତି ଶୁଖି ଯାଇଛି?
ସମ୍ଭବ କହିଲା ମାଆ ମୋ ସାଙ୍ଗମାନେ କହୁଛନ୍ତି ତୁମେ କୁଆଡେ ମୋତେ ମିଛ କହିଛ । ଆଉ ଜହ୍ନ କୁଆଡେ କାହାର ମାମୁଁ ନୁହେଁ । ସେଇଟା ଆମ ପୃଥିବୀର ଏକମାତ୍ର ଉପଗ୍ରହ । ମାଆ ମାନେ ତାଙ୍କ ପିଲାକୁ ଭୁଲାଇବା ପାଇଁ ଏମିତି କହି ଥାଆନ୍ତି? ସମ୍ଭବର ମାଆ କହିଲେ ବୈଜ୍ଞାନିକ ମାନେ ସିନା ଚନ୍ଦ୍ରକୁ ଉପଗ୍ରହ ବୋଲି କହୁଛନ୍ତି ହେଲେ ପୈାରାଣିକ ମତ ଅନୁସାରେ ଜହ୍ନ ସମସ୍ତଙ୍କର ମାମୁଁ । ଯେତେ ବେଳେ ଦେବତା ଓ ଅସୁର ମାନେ ଅମୃତ ପାଇବା ପାଇଁ ସମୁଦ୍ର ମନ୍ଥନ କରୁଥିଲେ ସେତେବେଳେ ସମୁଦ୍ର ମଧ୍ୟରୁ ନାନା ଧନ ରତ୍ନ ସହିତ ଲକ୍ଷ୍ମୀ ଠାକୁରାଣୀ ଓ ଚନ୍ଦ୍ର ଦେବ ମଧ୍ୟ ପ୍ରକଟ ହୋଇଥିଲେ । ଲକ୍ଷ୍ମୀ ଠାକୁରାଣୀଙ୍କୁଯେହେତୁ ଆମେ ମାଆ ବୋଲି ମାନୁ ତାଙ୍କ ଭାଇ ହିସାବରେ ଚନ୍ଦ୍ରଙ୍କୁମାମୁଁ ବୋଲି କୁହାଯାଏ । (ଯେହେତୁ ଉଭୟେ ସମୁଦ୍ର ଗର୍ଭରୁ ଜାତ ହୋଇଥିଲେ)
ସେଇ ହିସାବରେ ଚନ୍ଦ୍ର ତୋର ମଧ୍ୟ ମାମୁଁ । ଆଉ ତୁ ବଡ଼ ହେଲେ ନିହାତି ତୋ ମାମୁଁ ପାଖକୁ ଯିବୁ ।
ପ୍ରକୃତରେ ସମ୍ଭବର ମାଆ ତାଙ୍କ ବାପା ମାଆଙ୍କର ଏକମାତ୍ର ସନ୍ତାନ ଥିଲେ । ଆଉ ସମ୍ଭବର ଅଜା ମଧ୍ୟ ତାଙ୍କ ବାପାଙ୍କର ଏକ ମାତ୍ର ସନ୍ତାନ ଥିଲେ । ତେଣୁ ସମ୍ଭବର କେହି ମାମୁଁ ନଥିଲେ । ତେଣୁ ତା ମାଆ ତାକୁ ଜହ୍ନକୁ ତା ମାମୁଁ ବୋଲି କହିଥିଲେ ।
ସମ୍ଭବର ମନରେ ସବୁବେଳେ ଗୋଟିଏ କଥା ଆନ୍ଦୋଳିତ ହେଉଥାଏ । ସେ କେବେ ବଡ଼ ହେଵ ଓ ତା ମାମୁଁ ଘରକୁ ଯିବ । ସେଥିପାଇଁ ସମ୍ଭବ ଦିନ ରାତି ପରିଶ୍ରମ କରେ । ସତକୁ ସତ ସମ୍ଭବ ବଡ଼ ହୋଇ ଜଣେ ମହାକାଶ ବିଜ୍ଞାନୀ ହେଲା ଓ ଚନ୍ଦ୍ର ପୃଷ୍ଠକୁ ଗଲା । ଯେଉଁ ଦିନ ସେ ଚନ୍ଦ୍ରଜାନରୁ ଓହ୍ଲାଇ ଚନ୍ଦ୍ର ପୃଷ୍ଠରେ ଅବତରଣ କଲା ଖୁସିରେ ତା ମନ ନାଚି ଉଠିଲା । ସେତେବେଳକୁ ସେ ଜାଣି ସାରିଥାଏ ଯେ ଚନ୍ଦ୍ର ତାର ପ୍ରକୃତ ମାମୁଁ ନୁହଁନ୍ତି । ହେଲେ ବି ସେ ବହୁତ ଖୁସି ହୋଇଗଲା । ସେ ଖାଲି ତା ମାମୁଁ ଘରେ ପାଦ ଦେଇନି । ସମସ୍ତଙ୍କ ମାମୁଁ ଘରେ ପାଦ ଦେଇଛି । ଆଉ ଏସବୁ ସମ୍ଭବ ହୋଇଛି କେବଳ ତା ମାଆଙ୍କ ପାଇଁ । ତା ମାଆ ଯଦି ତାକୁ ପିଲା ବେଳୁ ଜହ୍ନକୁ ମାମୁଁ ବୋଲି କହି ସେଠାକୁ ଯିବାକୁ ପ୍ରେରଣା ଦେଇ ନ ଥାଆନ୍ତେ, ତେବେ ସେ ହୁଏତ ଆଜି ଏତେ ବଡ଼ ବୈଜ୍ଞାନିକ ହୋଇ ଚନ୍ଦ୍ର ପୃଷ୍ଠରେ ପାଦ ଦେଇ ନ ଥାଆନ୍ତା । ଚନ୍ଦ୍ର ପୃଷ୍ଠରେ ଓହ୍ଲାଇ ସେ ଚନ୍ଦ୍ରଙ୍କୁପ୍ରଣାମ କଲା ଓ ତା ମାଟିରୁ କିଛି ଆଣି ମୁଣ୍ଡରେ ମାରିଲା । ଆଉ କିଛି ମାଟି ମାଆଙ୍କ ପାଇଁ ଆଣିଲା ।
ପୃଥିବୀକୁ ଫେରିବା ପରେ ସେ ମାଆଙ୍କୁ କହିଲା ମାଆ ମୁଁ ସିନା ତୋତେ ମୋ ସହ ମାମୁଁ ଘରକୁ ନେଇ ପାରିଲି ନାହିଁ । ହେଲେ ତୋ ପାଇଁ ତୋ ବାପ ଘରର ମାଟି ନେଇ ଆସିଛି । ଏତିକି କହି ଚନ୍ଦ୍ରରୁ ଆଣି ଥିବା ମାଟିକୁ ତାଙ୍କ ମାଆଙ୍କ ହାତକୁ ବଢାଇ ଦେଇଥିଲେ ।
ସମ୍ଭବ ହାତରୁ ମାଟିକୁ ନେଇ ତା ମାଆ ନିଜ ମୁଣ୍ଡରେ ମାରିଥିଲେ । ଆଉ ସେ ମାଟି ତାଙ୍କୁ ନିଜର ନିଜର ଲାଗୁଥିଲା ।
