Satyabati Swain

Inspirational

4.0  

Satyabati Swain

Inspirational

ଝିଅଟା ସେଲୁନ୍ କରିବ କଣ ?

ଝିଅଟା ସେଲୁନ୍ କରିବ କଣ ?

6 mins
245


ଝିଅଟା ସେଲୁନ୍ କରିବ କଣ ଶୁଣି ମୋର ଜିଦି ବଢିଗଲା । ସେଇ ଜିଦ୍ରେ ମୁଁ ଗୋଟେ ସେଲୁନ୍ କରି ନାଁ ଦେଲି ଲିବ୍ରା । କିଛି ଦିନ ପରେ ସେଲୁନଟି ଗୋଟେ ବିୟୁଟି ପଏଣ୍ଟ୍ ହୋଇଗଲା । 


ଲିବ୍ରା ମୋ ସ୍ୱର୍ଗ ମାଟିରେ ପାଦ ଥାପି ଆକାଶ ଛୁଇଁବାକୁଉଡାଣ ଭରୁଥିଲା । ମୋ ଡେଣା ସଶକ୍ତ ହେଉଥିଲା ଅକ୍ଲାନ୍ତ ହୋଇ ଉଡିବାକୁ । ଖ୍ୟାତ ହେଉଥିଲା ଲିବ୍ରା ନାମ ଚାରିଆଡେ ଚହଳ ପକାଇ । ବଛା ବଛା ତାଲିମ ପ୍ରାପ୍ତ ଲୋକଙ୍କୁ ଲିବ୍ରାରେ ନିଯୁକ୍ତି ଦେଉଥିଲି । 


ଯୁବକ ଯୁବତୀ ମାନେ ଖୁବ୍ ଖୁସି ହେଉଥିଲେ ଲିବ୍ରାର ଆଦର ଅଭ୍ୟର୍ଥନା ପାଇ । କୁଶଳୀ ତାଲିମ ପ୍ରାପ୍ତ ମୋ ନିର୍ଦ୍ଦେଶ ମତେ ହେୟାର କଟିଂ ହେଉ କି ଫେସିଆଲ୍ ବା ବେକିଆଲ୍ ସବୁଥିରେ ନୂତନତାର ପ୍ରୟୋଗ କରୁଥିଲେ । ନୂଆ ଷ୍ଟାଇଲ ଦେଖି ଗରାଖ ଖୁସ୍ । 


ମୁଁ ମନ ଦେଉଥିଲି ମୋ କାମରେ । ଦିନୁ ଦିନୁ ଗରାଖଙ୍କ ସଂଖ୍ୟା ବଢ଼ୁଥିଲା । ବଢ଼ୁଥିଲା ମୋର ମନୋବଳ । ମୁଁ ଯେ ଠିକ୍ ବୃତ୍ତି ଚୟନ କରିଛି ଏବଂ ଠିକ୍ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରିଛି ଲାଗୁଥିଲା । ଭରପୁର ଆନନ୍ଦ ନେସି ହୋଇ ଯାଉଥିଲା ଯେତେବେଳେ ମୋ ହାତର କାଉଁରୀ ସ୍ପର୍ଶରେ ଅସୁନ୍ଦର ଝିଅ କି ପୁଅ ଟିଏ ସୁନ୍ଦର ଦେଖା ଯାଉଥିଲେ । ଚମତ୍କାର ଭାଵ ଜାବୁଡି ଧରୁଥିଲା ହଁ ସେ କାହାରି ନା କାହାରି ଖୁସିର କାରଣ ତ ବନୁଛି ! ସାର୍ଥକ ହୋଇଛି ମୋର ମଣିଷ ଜନ୍ମ । ମୁଁ ସଜାଉଛି ଦେହ,ମୁହଁ,ମନ,ଘର,ଷ୍ଟେଜ । ସଜାଉଛି ନାଚ ପ୍ରତିଯୋଗିତାକୁ ଯିବାକୁ ଥିବା ଝିଅ ଓ ପୁଅ ମାନଙ୍କୁ । ମୋ ହାତର ଯାଦୁ ଚମକେଇ ଦେଉଥିଲା ରୂପ,ରଙ୍ଗ,କେଶ,ବାସ । ବାଃ ବାଃ ସାବାସି ମୋ ଲିବ୍ରା ଓ ମୋର ଛାଇ ଯାଉଥିଲା ଚାରିଆଡେ । ଲୋକେ କହୁଥିଲେ ସତେକି ଯାଦୁ ଅଛି ଝିଅଟି ହାତରେ । 


ଖୁସି ହେଉଥିଲେ ଗରାଖ । ହସ ଅଜାଡୁଥିଲେ । ମୁଁ ବି ହସି ଦେଉଥିଲି ନିଜ ହାତର କରିସ୍ମା ଦେଖି । ଏହା ବଦଳରେ ଖୁବ୍ ଅର୍ଥ ଆସୁଥିଲା ମୋ ପାଖକୁ । ନିଜ ଶ୍ରମର ଫଳ ନିଜ ହାତ ମୁଠାରେ ମୁଠେଇ ମୁଁ ପାଉଥିଲା ଅସୁମାରୀ ସନ୍ତୋଷ । ଏଇ ଟଙ୍କା କେଇଟା ପାଇଁ ତ ମନ ମୁତାବକ ପଢି ପାରିନାହିଁ । ଏବେ କିନ୍ତୁ ପ୍ରଚୁର ଅର୍ଥ ମୋ ପାଖେ । ଆଉ କାହା ଆଗେ ହାତ ପତାଇବି ନାହିଁ ନିଜ ଖର୍ଚ୍ଚ ପାଇଁ । 


ଲିବ୍ରା ଛୋଟରୁ ବଡ଼ ହେଉଥିଲା ଧୀରେ ଧୀରେ । ମୋ ମନ ପ୍ରାଣ ଢାଳି ଭଲ ପାଉଥିଲି ପ୍ରିୟ ପାର୍ଲରକୁ । ପ୍ରେମିକ ପ୍ରେମିକାର ସମ୍ପର୍କ ପରି ଜଣେ ଆଉ ଜଣଙ୍କୁ ନଦେଖିଲେ ବାଉଳା ହେଉଥିଳୁ ଅବା । କାନ୍ଥ,କାର୍ପେଟ,ସ୍କ୍ରିନ,ଡ୍ରେସିଂ ଟେବୁଲ,ଦର୍ପଣ,ସ୍ପ୍ରେ,ବ୍ରସ୍ ଓ ଭିନ୍ନ ଭିନ୍ନ ମେକ୍ ଅପ୍ କ୍ରିମ,ହେୟାର ଡାଏ ମେସିନ୍ ଇତ୍ୟାଦି ଅତ୍ୟାଧୁନିକ ମଡେଲ ଜିନିଷ ପାର୍ଲର ସୌନ୍ଦର୍ଯ୍ୟ ଓ ବରାଦ ବଢ଼ାଉଥିଲେ । ନାମୀ ଦାମୀ ଗ୍ରାହକ ଆସିଲେ ଭଲ ଯନ୍ତ୍ରପାତି ଓ ଭଲ ମେକ୍ ଅପ୍ ହେଉଛି ଜାଣି । ଆଃ ମୋର କି ଖୁସି !


ନାମ,ଅର୍ଥ,ଲୋକପ୍ରିୟତା ସବୁ ଅଜାଡି ପଡୁଥିଲା ମୋ ଉପରେ । ସଭିଏଁ ଆଗରେ ବାଃ ବାଃ । ପଛରେ କିନ୍ତୁ ମୁହଁ ମୋଡୁଥିଲେ । ସାହୁ ଘର ପୁଣି "ଝିଅ ହୋଇ ସେଲୁନ " କରିଛି । ଛିଃ ଏ ଯୁଗ ପିଲାଗୁଡାଙ୍କୁ ଲାଜ କି ସରମ ନାହିଁ । 


ଧନ୍ୟ କହିବ ଏ ଲୋକଙ୍କ ମାନସିକତା । ସଙ୍ଗେ ସଙ୍ଗେ ପ୍ରଶଂସା କରୁଥିବେ ବୁଲି ପଡିଲେ ନିନ୍ଦା ! କଣ ପାଆନ୍ତି କେଜାଣି ଅନ୍ୟ ମନରେ କଷ୍ଟ ଦେଇ !! 


ମୁଁ କିନ୍ତୁ ପାହାଡ଼ ହୋଇ ସାରିଥିଲି । ଖପରା ପରି ଅନ୍ୟମାନଙ୍କ ଟୀକା ଟିପ୍ପଣୀ ମୋ ଇଚ୍ଛା ଶକ୍ତି ଆଗରେ ଚୁନା ହେଉଥିଲେ । 


ବାପା ବେଡ଼ରୁ ଆଉ ଉଠି ପାରୁନଥିଲେ । ତାଙ୍କ ସାଙ୍ଗମାନେ ଦେଖା କରିବାକୁ ଆସୁଥିଲେ ଏବଂ କହୁଥିଲେ "ସାହୁ ବାବୁ!ଆପଣଙ୍କ ତିନି ପିଲାଙ୍କ ମଧ୍ୟରେ ସୋନାଟି ତୁମର ଗୋଟିଏ ହୀରା ଖଣ୍ଡେ । ବିଚକ୍ଷଣ ତାର ବୁଦ୍ଧି" । 


ଚକିତ ହେଉଥିଲି ଏଇ ସେହି ଲୋକେ ଯିଏ ଦିନେ ଘୋର ବିରୋଧ କରୁଥିଲେ ମୋର ଏମିତି କାମ ଓ ନିଷ୍ପତ୍ତିକୁ । ବିଚିତ୍ର ଏ ମଣିଷ । ଟିକିଏ ନାମ କମାଇଁଲେ ବାହାବା । ଟିକିଏ ଭୁଲ କଲେ ହଙ୍ଗାମା । ମଣିଷ ପ୍ରସ୍ତୁତ ଶଗଡ଼ ଗୁଳାରେ ଚାଲିଲେ ସୁନା ପୁଅ କି ଝିଅ । ପଟ୍ରିରୁ ଟିକିଏ ବିଚ୍ୟୁତ ହେଲେ ନିନ୍ଦା ଅପବାଦ ଗଦେଇ ଦେବେ । ନାଁ ହୋଇଗଲେ ପୋତି ପକାଇବେ ପ୍ରଶଂସା । ଏ ପ୍ରଶଂସା ତାଙ୍କ ମୁହଁର ଲୋକ ଦେଖାଣିଆ । ଭିତରେ କିନ୍ତୁ ଅନ୍ୟ କଥା । ଲୋକଙ୍କ ଏ ହୀନ ମାନସିକତା ପାଇଁ ହସେ ବେଳେବେଳେ । ରୋଗରେ ଆକ୍ରାନ୍ତ ମଣିଷଙ୍କ କଥା ମୁଁ ଭଲ ମସ୍ତିଷ୍କର ହୋଇ ଚିନ୍ତା କରିବି କାହିଁକି ? ବରଂ ଧ୍ୟାନ କେନ୍ଦ୍ରଭୁତ କରୁଥିଲି ଆହୁରି ସଫଳତା କେମିତି ସାଉଁଟିବି । 


କିନ୍ତୁ ରକ୍କା ଟିଏ ଖେଞ୍ଜେ କେବଳ ଭଲ ରୋଜଗାର ହେଉଛି କଞ୍ଚା ପଇସା ପ୍ରତ୍ୟେହ ଆସୁଛି ବୋଲି ଘର ଲୋକେ କିଛି ମୁହଁରେ କୁହନ୍ତିନି । ମାତ୍ର ଅନ୍ତରରେ "ଝିଅଟା କଣ ସେଲୁନ୍ "କରିଛି କାର୍ଯ୍ୟକୁ ଏଯାବତ ଅନୁମୋଦନ କରୁ ନଥିଲେ ଏକଥା ମୋତେ ଅଛପା ରହୁ ନଥିଲା । 


ବର୍ଷକ ଭିତରେ ଅଧା ଗଢ଼ା ଘର ତିଆରି ହୋଇଗଲା । ଆମେ ସମସ୍ତେ ଭଡା ଘର ଛାଡ଼ି ନିଜ ଘରେ ରହିଲୁ । ସାନ ଭାଇ ପଢା ପାଇଁ ଚିନ୍ତା ନଥିଲା । ସେ ଯେତେ ଚାହିଁବ ଯେଉଁଠି ଚାହିଁବ ମୁଁ ତାକୁ ପଢେଇବି ମନସ୍ତ କରି ସାରିଥିଲି । ବଡ଼ ଭାଇର ବାହା ଘର ବି ହୋଇଗଲା । ବାପା ଚାହୁଁଥିଲେ ବୋହୁଟିଏ ଘରକୁ ଆସୁ । 


ଭାଉଜ ମୋ ସାଙ୍ଗ ହେବା ପରିବର୍ତ୍ତେ ମୋ ଛିଦ୍ର ଉଣ୍ଡନ୍ତି କେଉଁଠି ମୋତେ ଆଣ୍ଠେଇବେ ଅପଦସ୍ତ କରି । ପ୍ରକୃତ ପକ୍ଷେ ସେ ମୋତେ ସହି ପାରନ୍ତି ନାହିଁ । କିନ୍ତୁ ରୋଜଗାରିଆ ନଣନ୍ଦ ହେତୁ ମୁହଁ ଖୋଲି କିଛି କହି ପାରନ୍ତି ନାହିଁ । ମାଆ ସହ ପାଳି ଧରି ମୋତେ ଖଣ୍ଡିଆ କରିବାରେ ଆନନ୍ଦ ପାଆନ୍ତି ବେଶୀ । 


ପ୍ରତି ଦିନର ରୋଜଗାର ଯେତେବେଳେ ମାଆ ହାତରେ ଧରେଇ ଦିଏ ସେ ହାତ ଚିଂଛାଡି ଦେଇ କୁହେ ମୋ ଭାଗ୍ୟ ସେମିତି ତୋ ରୋଜଗାରକୁ ଅପେକ୍ଷା ରଖିବାକୁ ପଡୁଛି । ଶହ ଶହ କି ଗହ ଗହ ଟଙ୍କା ପରିବର୍ତ୍ତେ ଦୁଇଟି ଟଙ୍କା ଏ ପାର୍ଲର କାମ ଛାଡି ଆଉ ଯାହା କରି କମେଇ ମୋ ହାତରେ ଦେଇଥିଲେ ସେ ଖୁସି ଅଲଗା ଲାଗିଥାନ୍ତା!


ମାଆର ଏପରି ବ୍ୟବହାର ମୋତେ ଖୁବ୍ କାଟେ । କଣ ଖରାପ କାମ କରୁଛି ଯେ ଏତେ ରାଗ ମୋ ଉପରେ !କେଉଁଠି ଲେଖା ହୋଇଛି ଝିଅଟିଏ ସେଲୁନ୍ କରିନି ବୋଲି ! ମାଆ କାହିଁକି ଏମିତି କହୁଛି !


ବାପା ମୋ ଶୁଖିଲା ମୁହଁ ଦେଖି ବୁଝିଯାଆନ୍ତି ସବୁ । ପରିସ୍ଥିତିକୁ ଟିକେ ସହଜ କରିବାକୁ ଯାଇ କୁହନ୍ତି, ଦିନ ତମାମ ଖଟି ଖଟି ଆସିଲା କଣ ଖାଇବ କି ପିଇବ ସେକଥା ନାହିଁ ଆରମ୍ଭ ହୋଇଯାଏ ପ୍ରବଚନ । କାଇଁ ଘର ଖଣ୍ଡକ ତ ସେଦିନୁ ଅଧା ପଡିଥିଲା କରି ପାରୁ ନଥିଲ ତ କିଏ ? ଯେଉଁ ଉପାୟ ହେଉ ପରିଶ୍ରମ କରି ଘରଟି ସମାପ୍ତ କଲାରୁ ସିନା ମାଆ ପୁଅ ମାନେ ମଉଜ କରୁଛ । କେମିତି ଭଡା ଘର ଗୋଟିଏ ରୁମରେ କୁକୁର ମାଙ୍କଡ଼ଙ୍କ ଜୀବନ ଜୀଉଁ ଥିଲ ? ମନେ ପକେଇଲ ଆଗରୁ ବର୍ଷକୁ କେତେଥର ମଟନ୍ ଆସୁଥିଲା? ଏବେ ତ ସପ୍ତାହକୁ ଥରେ ଦୁଇଥର ବି ଚାଲି ଆସୁଛି । 


ଚୋରି ନାରୀ କରି ରୋଜଗାର କରୁଛି କି?ସେଲୁନ୍ ହେଲା ତ କଣ ହେଲା ପରିଶ୍ରମ କରୁଛି ତ ଏଥିରେ ଲାଜ କଣ ?


ହଁ... ଲାଜ କଣ ? "ଝିଅ ସେଲୁନ୍ କରି ରୋଜଗାରରେ ଗୁଜୁରାଣ ମେଣ୍ଟାଉଛ ଯେତେ ବେଳେ ଲାଜ କାଇଁ ଲାଗିବ ! ତୁମକୁ ଭଲ ହୋଇଛି । ଔଷଧ ଆସିବାରେ, ଡାକ୍ତରଖାନା ଯିବାରେ କି ପାଟି ସୁଆଦ ଖାଦ୍ୟ ଖାଇବାରେ ଅସୁବିଧା ହେଉନି ତ ଝିଅକୁ ଟେକିବନି କେମିତି ! "ଝିଅ ରୋଜଗାର"ରେ କେଉଁ ବାପ ଅୟସ୍ କରି ଏମିତି କୁହନ୍ତି ?


ଝିଅ ରୋଜଗାର ! ଝିଅଟେ ସେଲୁନ କଣ ?


ତୁମେମାନେ କେଉଁ ଯୁଗରେ ବାସ କରୁଛ? ରୋଜଗାରରେ ପୁଣି ଝିଅ ଓ ପୁଅ ବି ରଖିଛ ! କଣ କୁହାଯିବ ତୁମ ସଂକୀର୍ଣ୍ଣ ମାନସିକତାକୁ ! ସେଇ ମାନ୍ଧାତା ଅମଳ କଥା ଧରି ବସିଛ । ପୁଅ ଝିଅରେ କିଛି ଫରକ୍ ନାହିଁ । ଏବେ ପୁଅଙ୍କ କାମ ଝିଅ ଓ ଝିଅଙ୍କ କାମ ପୁଅ କରୁଛନ୍ତି । ମୋତେ ତୁମ ପିଲା ଭାଵ ଝିଅ କି ପୁଅ ନୁହେଁ । ଯଦି ଏମିତି ହେବ ତ ମୁଁ ମୋ ପାର୍ଲରରେ ରହିଯିବି । ଆଉ ଘରକୁ ଆସିବିନି । ସବୁବେଳେ ଗୋଟେ ଖିଟ୍ ଖିଟ୍ । କଣ ଏମିତି ମାରାତ୍ମକ କଥା କରି ଦେଇଛି ଏ ବୃତ୍ତିକୁ ଜୀବିକା କରି ! ମଣିଷ ମାରୁଛି ! ଚୋରି,ଡକାୟତି କରୁଛି ! ନା କାହା ଅଧିକାର ଛଡେଇ ଆଣୁଛୁ । ଖଟୁଛି ରୋଜଗାର କରୁଛି । ଏଥିରେ ଲାଜ କରିବାର କଣ ଅଛି ଯେ । ନିଜ ଇଚ୍ଛାରେ ଟିକେ ଜୀଇଁ ବାକୁ ତ ଦିଅ । 


ମୋ କଥା ଶୁଣି ସମସ୍ତେ ଚୁପ୍ ହୋଇ ଯାଆନ୍ତି । ମାଆ କୁହେ ଏ କାମଟି ଛାଡି ତୁ ଆଉ କେଉଁ କାମ କଲୁ ନାହିଁ ? ଏତେ ତ ରୋଜଗାର କଲୁଣି, ପଢୁନୁ ଏଥର ?


ପଢିବା !! 


ଗ୍ରାଜୁଏସନ ତ ପାସ୍ କରିସାରିଛି । ଅଭାବରୁ ଆଉ ପଢି ପାରିଲି ନାହିଁ । ସେ ପଢିବା ରାସ୍ତା ତ କେବେଠୁ ଭୁଲି ଆସିଛି । ମୋତେ ଆନନ୍ଦ ଓ କଞ୍ଚା ଅର୍ଥ ତ ଏ କାମରୁ ମିଳୁଛି । ଆଉ ପଢି କଣ କରିବି ଯେ ! ଆଇ ଏ ଏସ୍ କି ଓ ଏ ଏସ୍ ହେବାକୁ ମୋ ମନ ନାହି । ବିୟୁଟି ଜଗତରେ ନାଆଁ ଲେଖିବା ଏବେ ମୋର ପ୍ରଥମ ଓ ପ୍ରଧାନ ଲକ୍ଷ୍ୟ । ଏ ପେଷା ନିଶା ହୋଇଗଲା ମୋର । ଭୁଲିଗଲି ମୁଁ ଗୋଟିଏ ଝିଅ । 


କେବଳ ସ୍ୱପ୍ନ ଦେଖିଲି ବିୟୁଟି ଦୁନିଆଁରେ କେମିତି ଷ୍ଟାରଟିଏ ହେବି । ଝିଅ ପିଲା ବି ସବୁ କାମ ଏପରି କି ସେଲୁନ୍ କରି ପାରିବେ ଏକଥା ସମାଜକୁ ଦେଖେଇ ଦେଇଛି । 


ଲିବ୍ରା ସେଲୁନରୁ ଆଜି ମସ୍ତ ଏକ ବିୟୁଟି ପାର୍ଲର ଯେଉଁଠି ପଚାଶ ଜଣ ଲୋକ କାମ କରି ନିଜ ପେଟ ପୋଷନ୍ତି । 


ତେବେ ବି ତୁମେ କହିବ ଝିଅଟା ସେଲୁନ୍ କଣ କରିବ !!!



Rate this content
Log in

Similar oriya story from Inspirational