Kulamani Sarangi

Inspirational

3  

Kulamani Sarangi

Inspirational

ଝିଅର ନାମ ଶ୍ୱେତପଦ୍ମା

ଝିଅର ନାମ ଶ୍ୱେତପଦ୍ମା

6 mins
420


'ଇଣ୍ଡିଆନାପୋଲିଜ୍' ବିମାନ ବନ୍ଦରରୁ ରାତି ତିନିଟା ବେଳେ ଏୟାର ଇଣ୍ଡିଆର ବିଶାଳ ବିମାନଟି ଆକାଶମୁଖୀ ହେଲାବେଳେ ସୁନନ୍ଦାଙ୍କ ଆଖିରୁ ଦି'ଟୋପା ଲୁହ ଝରି ଗଲା । ଶେଷଥର ପାଇଁ ସେ ବିମାନର ଝରକାରେ, ଯୁକ୍ତରାଷ୍ଟ୍ରର ଇଣ୍ଡିଆନା ସହର ଉପରେ ଆଖି ବୁଲେଇ ନେଲେ । ଛାତିରୁ ଉଠୁଥିବା କୋହକୁ ସମ୍ବରଣ କରିପାରୁନଥିଲେ ସୁନନ୍ଦା । ଆଜି ପର୍ଯ୍ୟନ୍ତ ଯେଉଁ ନୟନ ପିତୁଳାକୁ କ୍ଷଣେ ମାତ୍ର ପାଖରୁ ଦୂର କରିନଥିଲେ ସେ, ଆଜି ତାକୁ ସାତ ସମୁଦ୍ର ତେର ନଈ ପାରି ରାଜ୍ୟରେ ଛାଡି ଫେରି ଯାଉଛନ୍ତି ସେ । 


----- -----ଆଜି ମନେପଡ଼େ ସୁନନ୍ଦାଙ୍କର, ସ୍ୱାମୀ ଭବତୋଷ ତାଙ୍କୁ ଭରା ଯୌବନ ସମୟରେ ଏକାକୀ ଛାଡି ଯାଇଥିଲେ ଚବିଶି ବର୍ଷ ତଳେ । "ଏଇ ବଜାରରୁ ମାଛ ନେଇ ଆସୁଛି" କହି ଆଉ ଫେରିଲେନି ଭବତୋଷ । ଭୁବନେଶ୍ୱର ବଡ଼ ମାର୍କେଟ ପାଖରେ, ଗହଳି ରାସ୍ତାରେ, ହାଇୱା ତଳେ ଏମିତି ଚିପି ହୋଇ ଯାଇଥିଲେ ସେ ସ୍କୁଟର ସହିତ ଯେ ତାଙ୍କୁ ଚିହ୍ନିଵା ମଧ୍ୟ କଷ୍ଟକର ହୋଇଯାଇଥିଲା ପରିବାର ବର୍ଗଙ୍କ ପାଇଁ । ସେତେବେଳେ ଝିଅ ଶ୍ୱେତପଦ୍ମା ଆଠମାସର କଅଁଳା ଛୁଆ । ଆଗରୁ ଶାଶୁ ଶଶୁର ସଂସାର ଛାଡି ଚାଲିଯାଇଥିଲେ । ଏବେ ଭବତୋଷ ଚାଲିଗଲା ପରେ ସୁନନ୍ଦାଙ୍କ ଆଖି ଆଗରେ ଅନ୍ଧକାର ହିଁ ଅନ୍ଧକାର । 


-------ଶ୍ୱେତପଦ୍ମାକୁ ନେଇ ଶଶୁରଘର ଗାଆଁକୁ ଫେରି ଆସିଥିଲେ ସୁନନ୍ଦା । ସାତପୁରୁଷର ପୁରୁଣା ଘରଟି ଛଡ଼ା ଆଉ କିଛି ନଥିଲା ସୁନନ୍ଦାଙ୍କ ପାଇଁ । କେମିତି ଚଳିବେ,କଣ କରିବେ ଚିନ୍ତାରେ ମୁଣ୍ଡରେ ହାତ ଦେଇ ବସିଥିଲେ ସୁନନ୍ଦା । କଅଁଳା ଛୁଆଟା ପାଟିରେ ଦୁଧଟୋପାଏ ଦେବାପାଇଁ ମଧ୍ୟ କାଣି କଉଡିଟିଏ ନଥିଲା ତାଙ୍କ ପାଖରେ । ଶୁଖିଲା ସମବେଦନାର ଲହଡି ମାଡିଆସିଥିଲା ତାଙ୍କ ଉପରକୁ । ନିଟୋଳ ଯୌବନ ଦେଖି ମାଂସଲୋଭୀ କେତେ ପୁରୁଷ ଆସି ଦେହ ମୂଲଚାଲ କରିବା ଆରମ୍ଭ କରିଦେଲେ । ସୁନନ୍ଦାଙ୍କ ଠାରୁ ଗୋଇଠା ଖାଇ ନିରାଶ ହୋଇ ସେମାନେ ସଜ ମାଉଁସରେ ପୋକ ପକାଇଲେ, କୁତ୍ସା ରଟନା କରିବୁଲିଲେ ଯେ ସୁନନ୍ଦା ଦେହ ଧନ୍ଦା କରୁଛନ୍ତି । 


-----ଜୀବନ ଯୁଦ୍ଧରେ ହାରିବାକୁ ବସିଥିଲେ ସୁନନ୍ଦା । ଦିନେ ଠିକ୍ କଲେ ଝିଅକୁ ମନ୍ଦିର ବେଢ଼ାରେ ଶୁଆଇ ଦେଇ କୁଅକୁ ଡେଇଁ ଆତ୍ମହତ୍ୟା କରିବେ । ଶେଷଥର ପାଇଁ ଭବତୋଷଙ୍କର ତୈଳଚିତ୍ର ଆଗରେ ମଥା ନୁଆଁଇ ବାହାରିବା ସମୟରେ ସ୍ୱାମୀଙ୍କର ଅତୀତରେ କହିଥିବା ପଦଟିଏ କଥା ମନେପଡିଲା.. ଆତ୍ମହତ୍ୟା ଭୟାଳୁ ପଳାତକର କାମ ଛଡ଼ା ଅନ୍ୟ କିଛି ନୁହେଁ । 


  ସ୍ୱାମୀଙ୍କ ଫଟୋକୁ ଥରେ ଚାହିଁଲେ ସୁନନ୍ଦା, ପୁଣି ଥରେ ଚାହିଁଲେ କୁନି ଝିଅର ହସ ହସ ମୁହଁକୁ; ତାପରେ ମନକୁ ଦୃଢ଼ କରିନେଲେ ଜୀବନ ସଂଗ୍ରାମ ପାଇଁ । ବିଏ ପାଶ୍ କରି ଥିଲେ । ସ୍ୱାମୀଙ୍କ ଗାଆଁ "ପ୍ରଧାନପଡା"ରେ ଗଢି ଉଠିଥିଲା ଗୋଟିଏ ପବ୍ଲିକ ସ୍କୁଲ । ସେଠାରେ ଶିକ୍ଷୟତ୍ରୀ ଭାବରେ ଯୋଗଦେଲେ ସୁନନ୍ଦା । ସେଥିପାଇଁ ଅନେକ ସାହାଯ୍ୟ କରିଥିଲେ ଦିଅର ଲେଖା ସୁକାନ୍ତ । ସୁନନ୍ଦା ସ୍କୁଲ ଯିବାବେଳେ କୁନିଝିଅ ଶ୍ୱେତପଦ୍ମାର ଦେଖାଶୁଣା କରିବା ଦାୟିତ୍ୱ ନେଇଥିଲେ ସୁକାନ୍ତ । ସୁକାନ୍ତଙ୍କ ବୋଉଙ୍କ ପାଖରେ ଝିଅକୁ ଛାଡି ସ୍କୁଲକୁ ଯାଆନ୍ତି ସୁନନ୍ଦା । ସୁକାନ୍ତ ଅବିବାହିତ ଥିଲେ । ବେଶି ସମୟ ଲାଗିଲାନି ଗାଆଁ ଲୋକଙ୍କୁ ସଜ ମାଂସରେ ପୋକ ପକାଇବାପାଇଁ । ସୁକାନ୍ତ ଏବଂ ତାଙ୍କ ସମ୍ପର୍କକୁ ନେଇ ଗରମ ହୋଇ ଉଠିଲା ବାତାବରଣ । 


-----କେବଳ ସୁକାନ୍ତ କାହିଁକି,ସ୍କୁଲ ପ୍ରିନ୍ସପାଲଙ୍କ ସହିତ ତାଙ୍କ ନାଁକୁ ଯୋଡି କିଏ କେତେ କଥା କହିଲେ । ଥରେ ପ୍ରିନ୍ସପାଲଙ୍କ ସହିତ ସୁନନ୍ଦା ବସରେ ସ୍କୁଲକାମରେ ଯାଉଥିଲେ ଭୁବନେଶ୍ଵର । ତାଙ୍କୁ ଦେଖି କିଛି ଲୋକ କମେଣ୍ଟ ମାରିଲେ... ଦେଖରେ, ମାଲଟାକୁ କେମିତି ପ୍ରିନ୍ସିପାଲ ଉଡେଇ ନଉଚି । ସେହି ଦିନଠାରୁ ତାଙ୍କ ନାମ ହେଲା "ମାଲ" । ସେଦିନ ସୁନନ୍ଦା ଭାବିଲେ..ଏମାନଙ୍କର ପ୍ରଜନନ ଅଙ୍ଗଟି ବୋଧହୁଏ ଭଗବାନ ଭୁଲରେ ମସ୍ତିଷ୍କରେ ରୋପଣ କରିଦେଇଛନ୍ତି । 


..... ଶ୍ୱେତପଦ୍ମା କ୍ରମେ ବଡ଼ ହେବା ପରେ, ତା ମମିଙ୍କ ଉପରେ ଲୋକମାନଙ୍କର ବ୍ୟବହାରର ପ୍ରଭାବ ତା' ମନସ୍ତତ୍ୱକୁ ଏବଂ ବ୍ୟକ୍ତିତ୍ୱକୁ ପ୍ରଭାବିତ କଲା । ଝିଅର ଦେଖାଶୁଣା ଠିକ୍ ହେବ ଭାବି ଯେଉଁ ସ୍କୁଲରେ ସୁନନ୍ଦା ଶିକ୍ଷୟତ୍ରୀ ଥିଲେ, ସେହି ସ୍କୁଲରେ ତାର ନାଁ ଲେଖାଇଦେଲେ । ତଥାପି ସାଙ୍ଗ ପିଲାମାନଙ୍କର ବିଦ୍ରୂପରେ ବ୍ୟତିବ୍ୟସ୍ତ ହୋଇ ଯାଇଥିଲା ଶ୍ୱେତପଦ୍ମା । ଥରେ ଗୋଟିଏ ସାଙ୍ଗପିଲା ଶ୍ୱେତପଦ୍ମାକୁ କହିଲା..ତୁ ରାଣ୍ଡୀପିଲା ଏବଂ ତୋ ମାମାର ଆମ ପ୍ରିନ୍ସପାଲଙ୍କ ସାଙ୍ଗରେ ଖରାପ ସମ୍ପର୍କ ରହିଛି । 

ସେତେବେଳକୁ ଶ୍ୱେତପଦ୍ମା ଅଷ୍ଟମଣୀର ଛାତ୍ରୀ । ନାରୀ ପୁରୁଷଙ୍କ ସମ୍ପର୍କ ଏବଂ ସାମାଜିକ ନାମ/ବଦନାମ ଇତ୍ୟାଦି ବିଷୟରେ ତାର ଭଲ ଭାବରେ ଧାରଣା ଆସିଲାଣି । ମାନସିକ ଭାରସାମ୍ୟ ହରାଇ ବସିଲା ଶ୍ୱେତପଦ୍ମା । ବ୍ଲେଡରେ ନିଜହାତର ଶିରା କାଟିଦେଲା । ରକ୍ତାକ୍ତ ଅବସ୍ଥାରେ ଝିଅକୁ ପାଖ ଡାକ୍ତର ଖାନାକୁ ନେଲାବେଳେ ଚିତ୍କାର କରୁଥାଏ ଶ୍ୱେତପଦ୍ମା...ମତେ ଛାଡ଼ିଦିଅ, ମୁଁ ମରିବାକୁ ଚାହେଁ । ଏ ଦୁନିଆରେ ସମସ୍ତେ ଖରାପ୍ । ମତେ ମରିବାକୁ ଦିଅ,ମତେ ବଞ୍ଚାଅନି । 


-------ସେଦିନ ହୃଦୟଙ୍ଗମ କରି ଥିଲେ ସୁନନ୍ଦା..ପରିବାରରେ ପିତାର ସ୍ଥାନ କେଉଁଠି । ସେଦିନ ସବୁ ମନୋବଳ ତାଙ୍କର ଭାଙ୍ଗି ଯାଇଥିଲା, ଭାବିଥିଲେ ଆଉ ପାରିବେନି ସେ । କିନ୍ତୁ ଜୀବନରେ ହାରିବା ଜାଣି ନଥିଲେ ସେ । ଝିଅକୁ ବହୁତ ବୁଝାଇ ଥିଲେ । କାହା କଥାରେ କାନ ନଦେଇ ପାଠ ପଢ଼ାରେ ସମ୍ପୂର୍ଣ୍ଣ ମନୋନିବେଶ କରିବା ପାଇଁ ବୁଝାଇଥିଲେ । ଶ୍ୱେତପଦ୍ମା ସେହି ଦିନଠାରୁ ସାଙ୍ଗସାଥୀ ସବୁ ଛାଡିଦେଲା । ମାମାକୁ ତାର ଏକମାତ୍ର ସାଥୀ ବୋଲି ଧରିନେଲା । ପାଠପଢାରେ ସମ୍ପୂର୍ଣ୍ଣ ମନୋନିବେଶ କରିବାରୁ ପ୍ଲସ୍ ଟୁ ବାଣିଜ୍ୟରେ ୟୁନିଭରସିଟିରେ ପ୍ରଥମ ହୋଇ ପାଶ୍ କଲା । ସବୁଆଡୁ ପ୍ରଶଂସା ଅଜାଡ଼ି ହୋଇ ପଡ଼ିଲା ତା'ଉପରେ । ସେଦିନ ଆନନ୍ଦର ଅଶ୍ରୁ ସମ୍ବରଣ କରିପାରିନଥିଲେ ସୁନନ୍ଦା । ସ୍ୱାମୀଙ୍କ ଫଟୋକୁ ଛାତିରେ ଯାବୁଡିଧରି କହିଥିଲେ... ଆଜି ଝିଅ ତୁମର ନାଁ ଉଜ୍ଜଳ କରିଚି ଭବତୋଷ । "

ଝିଅକୁ କୋଳକୁ ଭିଡ଼ିନେଇ ଆନନ୍ଦ ଅଶ୍ରୁରେ ତାର ମଥା ଭିଜେଇ ଦେଇ ସୁନନ୍ଦା କହିଥିଲେ.." ତୋ ପାଇଁ ଆଜି ମୋ ଛାତି ଗର୍ବରେ ଫାଟି ପଡ଼ୁଚି ଧନ । ତୁ ମତେ ସ୍ୱର୍ଗରେ ବସେଇ ଦେଇଚୁ । 


......ସେଦିନ ଶ୍ୱେତପଦ୍ମା କହିଥିଲା..."ମାମା, ତୁ ମୋର ଅଭିନ୍ନ ଅଙ୍ଗ । ତୁ ମତେ କେବେ ଦୂରେଇ ଦବୁନି । 

ସୁନନ୍ଦା କହିଥିଲେ...ସତରେ କେଡେ ବଡ ପିଲା ଭଳି କଥା କହି ଜାଣିଲୁଣି ତୁ ମୋ ଧନ, ମୁଁ ଜାଣିନଥିଲି ଝିଅ ମୋର ଏତେ ବଡ଼ ହୋଇଗଲାଣି !

ତାପରେ ପଛକୁ ଫେରି ଚାହିଁନି ଶ୍ୱେତପଦ୍ମା । ବି'କମ୍ ପରେ କଷ୍ଟିଙ୍ଗ୍ ଏବଂ ତାପରେ ଏକ ନାମୀ ଫାର୍ମରେ ମୋଟା ଅଙ୍କର ଦରମାରେ ଚାକିରି । ସବୁକିଛି ବଦଳି ଯାଇଥିଲା ସୁନନ୍ଦାଙ୍କ ଜୀବନରେ । 


-------ଚାକିରି ସମୟରେ ଶ୍ୱେତପଦ୍ମାର ସହକର୍ମୀ ଅରବିନ୍ଦ୍ ଶ୍ୱେତପଦ୍ମା ପ୍ରତି ଆକର୍ଷିତ ହେଲା । ଶ୍ୱେତପଦ୍ମାର ମନରେ ମଧ୍ୟ ଦୁର୍ବଳତା ଥିଲା ଅରବିନ୍ଦ ପ୍ରତି । ଦିନେ ଅରବିନ୍ଦ ଶ୍ୱେତପଦ୍ମା ଆଗରେ ବିବାହ ପ୍ରସ୍ତାବ ରଖିଲା । ଶ୍ୱେତପଦ୍ମା ବିନମ୍ର ଭାବରେ ପ୍ରତ୍ୟାଖ୍ୟାନ କରି କହିଥିଲା...ମୋ ଜୀବନରେ ମୋ ମାମା ସବୁକିଛି । ମୋ ମାମା ଠାରୁ ମୁଁ ଅଲଗା ହୋଇ ରହିପାରିବି ନାହିଁ । ଯାହାକୁ ବି ମୁଁ ବିବାହ କରେ, ମୁଁ ରହିବି ମୋ ମାମା ପାଖରେ । 

ସେଦିନ ଅରବିନ୍ଦ କହିଥିଲା...ଏଇ ସାମାନ୍ୟ କଥା । ବାହାଘର ପରେ ମାମା ଆମ ପାଖରେ ରହିବେ । 


ଏହି ଅସ୍ୱାକ୍ଷରିତ ଚୁକ୍ତିରେ ବାହାଘର ହେଇଗଲା । ବାହାଘରର କିଛି ଦିନ ପରେ ଅରବିନ୍ଦ ଇଣ୍ଡିଆନାପୋଲିଜ୍ ଷ୍ଟେଟରେ ଏକ ବିରାଟ କମ୍ପାନୀରେ ଚ୍ୟାଟାର୍ଡ ଆକାଉଣ୍ଟାଣ୍ଟ ହୋଇ ଯୋଗଦେଲେ । ଶ୍ୱେତ ପଦ୍ମା ମଧ୍ୟ ସ୍ୱାମୀଙ୍କ କମ୍ପାନୀରେ ଯୋଗ ଦେଲା । 

ସୁନନ୍ଦାଙ୍କର ଲକ୍ଷେ ବାରଣ ସତ୍ବେ ଶ୍ୱେତପଦ୍ମା ତାଙ୍କୁ ସାଙ୍ଗରେ ଇଣ୍ଡିଆନାପୋଲିଜକୁ ନେଇ ଆସିଲା । ଖୁବ୍ ଆନନ୍ଦରେ ସମୟ ବିତି ଯାଉଥିଲା ଅରବିନ୍ଦଙ୍କ ପରିବାରର । 


------କିନ୍ତୁ ଯେଉଁଦିନ ଠାରୁ ଅରବିନ୍ଦଙ୍କର ବାପା ମାଆ ପୁଅ ପାଖକୁ ଚାଲିଆସିଲେ, ସେହି ଦିନଠାରୁ ନିଜକୁ ଅଣନିଃଶ୍ୱାସୀ ମନେ କଲେ ସୁନନ୍ଦା । ଅରବିନ୍ଦଙ୍କ ବାପା-ମାଆଙ୍କ ମନରେ‌ ଅହଂ-ମନସ୍ତତ୍ତ୍ୱ ଜମାଟ ବାନ୍ଧି ରହିଥିଲା । କିଛି ନକହିଲେ ମଧ୍ୟ ସୁନନ୍ଦାଙ୍କ ପ୍ରତି ସେମାନଙ୍କ ହେୟଜ୍ଞାନ, ବ୍ୟବହାରରୁ ଜଣାପଡ଼ୁଥିଲା । ସୁନନ୍ଦା ଅନୁଭବ କଲେ ଯେ ଝିଅଘରେ ସେ ସବୁଦିନ ରହିପାରିବେ ନାହିଁ; କେହି କିଛି ନକହିଲେ ମଧ୍ୟ ତାଙ୍କ ମନରେ ସ୍ୱାଧୀନତା ଟିକକ ଚାଲିଯାଇଥିଲା ଏବଂ ତାଙ୍କୁ ଅଣନିଃଶ୍ୱାସୀ ହେଲାଭଳି ଲାଗିଲା । ଗାଆଁ କଥା ମନେପଡିଲା । ଗାଆଁ ପରିବେଶ ଯାହା ହେଲେ ମଧ୍ୟ ସେଥିରେ ଜୀବନ ଥିବା ଭଳି ତାଙ୍କୁ ଲାଗିଲା । ଦିନେ ଶ୍ୱେତପଦ୍ମାକୁ ସେ କହିଲେ... ମାଆ ଲୋ ମୋ ପାଇଁ ଟିକେଟ କରିଦେ, ମୁଁ ଓଡ଼ିଶା ଚାଲିଯିବି । 


-------ଶ୍ୱେତପଦ୍ମା କହିଲା... ଅସମ୍ଭବ, ମୁଁ ତତେ ଛାଡ଼ି ବଞ୍ଚି ପାରିବି ନାହିଁ । ତୋ ମନକଥା ମୁଁ ଭଲ ଭାବରେ ଜାଣେ । ତତେ ଏଠାରେ ଅଣନିଃଶ୍ୱାସୀ ଲାଗିଲାଣି । ମୁଁ ଅରବିନ୍ଦଙ୍କୁ କହୁଛି, ଆମେ ସମସ୍ତେ ଭୁବନେଶ୍ୱର ଚାଲିଯିବା । ଆମେ ଦୁଇଜଣ ଅଲଗା ଘର ନେଇ ରହିବା । ଅରବିନ୍ଦ ତାଙ୍କ ଘରେ ରହିବେ । 

ସୁନନ୍ଦା କାନରେ ହାତଦେଇ କହିଲେ...କି ଅସମ୍ଭବ କଥା ତୁ କହୁଚୁ ! ଝିଅ ଜନ୍ମ ପରଘରକୁ । ସବୁବେଳେ ମୁଁ କଣ ତତେ ପାଖରେ ରଖିଥିବି? ମୁଁ ଏକୁଟିଆ ଲୋକ ଗାଆଁ'ରେ ଶାଗମୁଗ କରି ଚଳିଯିବି,ମୋର କଣ ଅଛି?ଦେହ'ପା କିଛି ଖରାପ ହେଲେ ତତେ ଖବର ଦେବି । 


ସୁନନ୍ଦା ବାଧ୍ୟ କରିବା ଯୋଗୁଁ ଶ୍ୱେତପଦ୍ମା ମାମା ପାଇଁ ଟିକେଟ କରି ଦେଲା । 

------ଆଜି ଅତୀତର ସ୍ମୃତି ଆଖି କୋଣରେ ଲୁହ ହୋଇ ଜମାଟ ବାନ୍ଧି ଆସୁଛି । ପଣତ କାନିରେ ଆଖିରୁ ଲୁହ ପୋଛିଲେ ସୁନନ୍ଦା । 

------ଏୟାର ଇଣ୍ଡିଆର ବିମାନ ଭୁବନେଶ୍ୱରର ବିଜୁପଟ୍ଟନାୟକ ବିମାନ ବନ୍ଦରରେ ଅବତରଣ କଲା । ବିମାନରୁ ଓହ୍ଲାଇବା ସମୟରେ ସୁନନ୍ଦା ଭାବୁଥିଲେ... ତରତର କାହିଁକି, ଭୁବନେଶ୍ଵର ମାଉସୀ ଘରେ ଦି'ଚାରିଦିନ ରହି ସେ ଗାଆଁକୁ ଫେରିଯିବେ । 


-----ମାଉସୀଙ୍କ ଘରେ ଚାରୋଟି ଦିନ ରହିବା ପରେ ସୁନନ୍ଦାଙ୍କ ମନ ଘର ଡାକିଲା । ସେଦିନ ସକାଳୁ ସକାଳୁ ବସ୍ ଧରି ଗାଆଁରେ ପହଞ୍ଚିଲା ବେଳକୁ ଦିନ ଦଶଟା । ‌ଗଲାବେଳେ ପଡିଶାଘର ସୁକାନ୍ତ-ବୋଉଙ୍କ ପାଖରେ ଘର ଚାବି ଦେଇ ଯାଇଥିଲେ ସୁନନ୍ଦା । ମାଉସୀଙ୍କୁ ଓଳଗୀ ହୋଇ ଚାବି ମାଗିଲେ ସୁନନ୍ଦା । ମାଉସୀ କହିଲେ...ତମ ଘରେ ଡକାୟତ ପଶିଚି । ଯାଅ ଦେଖିବ । 

-------କିଛି ବୁଝି ନପାରି ସୁନନ୍ଦା ଘରେ ପହଞ୍ଚି ବେଲ ମାରିଲେ । କବାଟ ଖୋଲି ଘର ଭିତରୁ ବାହାରି ଆସୁଥିଲା ଶ୍ୱେତପଦ୍ମା । ସୁନନ୍ଦା ପଚାରିଲେ...ଆଲୋ ଇଏ କ'ଣ! ଜୋଇଁ କାହାନ୍ତି?

ମାମାକୁ ଆଲିଙ୍ଗନ କରି ବୁକୁରେ ମୁହଁ ଲୁଚେଇ ଶ୍ୱେତପଦ୍ମା କହିଲା... ମୁଁ ଜାଣିନି, ତାଙ୍କ ଇଚ୍ଛା ହେଲେ ସେ ଆସିଵେ;ଏତିକି ଜାଣେ ତୋ'ଠାରୁ ମତେ କେହି ଅଲଗା କରି ପାରିବେନି.. ମୃତ୍ୟୁ ମଧ୍ୟ ନୁହେଁ । 


-------ଶ୍ୱେତପଦ୍ମାର କପାଳରେ ଚୁମ୍ବନ ଦେଉ ଦେଉ ସୁନନ୍ଦା ଅଶ୍ରୁଳ ଆଖିରେ କହୁଥିଲେ..ପାଗେଳୀ..



Rate this content
Log in

Similar oriya story from Inspirational