ଝିଅ
ଝିଅ
ରାତିସାରା, ଝିଅ ସୌମ୍ୟା ଆଖିକୁ ନିଦ ନଥିଲା. ବାପାଙ୍କ ନିଖୋଜ ପରେ ବୋଉର କିପରି ଧୀରେ ଧୀରେ ସ୍ମରଣ ଶକ୍ତି ଚାଲିଯାଇଥିଲା ସେ ସେହିକଥା ଭାବୁଥିଲା. ପ୍ରତିଦିନ ସକାଳୁ ଉଠିବା ପରେ ବୋଉ ପଚାରୁଥିଲା ଝିଅ ସୌମ୍ୟାକୁ ଭାଉଜ ରୀତା ମୁଗ ବତୁରେଇଛି ତ ମା? ଆଶ୍ଚର୍ଯ୍ୟରେ ସୌମ୍ୟା କହୁଥିଲା, ମୁଗ ବତୁରେଇବେ କାହିଁକି ବୋଉ. ଆରେ ଆଜି ପରା ସାବିତ୍ରୀ.ବାପା ଏବେ ସବୁ ଫଳମୂଳ ସହ ଅଳତା ସିନ୍ଦୁର, କଜ୍ଵଳ, ଟିକିଲି ନେଇ ଫେରୁଥିବେ ଯେ. ପୁଣି କେବେ ସକାଳୁ ସକାଳୁ ଅଳତା ଦୁଇଧାର ଲଗେଇ ରୀତାକୁ ଲଗେଇ ପକେଇବା ପରେ ସୌମ୍ୟା ଆଡକୁ ଚାହିଁ ଖୁବ କାନ୍ଦେ. କେବେ ପୁଣି କାନ୍ଦର କାରଣ କହେ, ଏଥର ବାପା ତୋ ବାହାଘର ଯୋଉଠି କରିବାକୁ କହିବେ ରାଜି ହେଇଯିବୁ ମାଆ କହି ତାକୁ ମଧ୍ୟ ଅଳତା ଦି ପାଟି ଲଗେଇଦିଏ. ସୌମ୍ୟା କାନ୍ଦି ପକାଏ,ବୋଉ ତାର ମନେରଖିନି ସେ ବିବାହିତ ବୋଲି. ଏଇ ସହରରେ ଚାକିରୀ କରୁଥିବାରୁ, ବାପାଘରେ ରହିବାକୁ ବାଧ୍ୟ କରିଥିଲେ ଭାଇ ଭାଉଜ. ବୋଉର ଏଇ ବିସ୍ମରଣରେ ସୌମ୍ୟା କିଛିଟା ସାହାୟକ ହେବ ବୋଲି. କେବେ ବାପା ଚିଠି ପଠାଇଛନ୍ତି କହି ସମ୍ପୂର୍ଣ୍ଣ ଧଳା କାଗଜ ଖଣ୍ଡେ ଲୁଚେଇ ପଢେ ତ କେବେ କାହାର ଫୋନ ଆସିଲେ ଏପଟୁ ପଚାରୁ ଥାଏ, ତୁମେ କେବେ ଆସିବ?ଆଲଜାଇମର ରୋଗୀ ହିସାବରେ ବାପାଙ୍କ ପ୍ରତ୍ୟାବର୍ତ୍ତନ କେବଳ ବେଷ୍ଟ ମେଡ଼ିସିନ ବୋଲି ସମସ୍ତ ଡାକ୍ତର କହି ଭିଟାମିନ ଟାବଲେଟ ହିଁ ଦିଅନ୍ତି. ସୌମ୍ୟା ବୁଝାଇଦିଏ ବୋଉ ତୋର କିଛି ମନେରହୁନି ବୋଲି ବାପା ଔଷଧ ଆଣିବାକୁ ଯାଇଛନ୍ତି. ସୌମ୍ୟ ମଧ୍ୟ ଥାନାକୁ ଦଉଡି ଦଉଡି କ୍ଳାନ୍ତ. କେବେ କାରଣ ପଚାରି ଅସ୍ତବ୍ୟସ୍ତ କରନ୍ତି ଥାନାବାବୁ ତ କେବେ ଫୋଟୋ ମାଗନ୍ତି. ବାପାଙ୍କ ପେନସନ ମଧ୍ୟ ବନ୍ଦ ରହିଛି, ବାପାଙ୍କ ଲାଇଭ ସାର୍ଟିଫିକେଟ ଦାଖଲ ହୋଇପାରୁନି, ଏଣେ ବାପା ଏତେ ଏତେ ଟଙ୍କା ଥୋଇ କି ଯେ ଅସୁବିଧାରେ ବାହାରେ ଥିବେ,କଣ ଖାଉଥିବେ, କେମିତି ରହୁଥିବେର ଭାବନା ପରିବାରର ପ୍ରତିଟି ସଦସ୍ୟଙ୍କୁ ବ୍ୟତିବ୍ୟସ୍ତ କଲାବେଳେ, ବୋଉର ଆଚ୍ଚରଣ ଓ ଉଚ୍ଚାରଣରେ ତାରତମ୍ୟ ରହୁନଥିବା ଦେଖି ବ୍ୟବସାୟ ଯାହା ହେଉଛି ହେଉ, ବୋଉକୁ ଚାରିଧାମ ବୁଲେଇବାକୁ ନେଇ ମନ ପରିବର୍ତ୍ତନ ସହ ବାପାଙ୍କୁ ଠାଵ କରିବା ଉଦେଶ୍ୟରେ, ପୁଅ ବୋହୁ ଓ ଝିଅ ଜୋଇଁ ମିଶି ନେଇଯାଆନ୍ତି ବୋଉକୁ ଉତ୍ତର,ପୂର୍ବ, ପଶ୍ଚିମ ଓ ଦକ୍ଷିଣ ଭାରତରେ ଅବସ୍ଥିତ ପୁଣ୍ୟଧାମ ସବୁକୁ.।
ସେଥର ଗୁଜୁରାଟ ଯାଇଥାଆନ୍ତି ସମସ୍ତେ. ଶିବ ମନ୍ଦିର ଭିତରକୁ ଜଳାଶାୟୀ କରିବାକୁ ଧାଡ଼ିରେ ଠିଆ ହୋଇ ରହିଥିଲା ବେଳେ ବାପା ବାପା କହି ବୋଉ ଜଣେ ସନ୍ୟାସୀଙ୍କ ପଛେ ପଛେ ଯାଇ ଧାଡ଼ିରୁ ବାହାରି ଯିବାରୁ, ଅନ୍ୟମାନେ ମଧ୍ୟ ବୋଉକୁ ଅନୁସରଣ କରି ପହଞ୍ଚିଥିଲେ, ସାଧୁବାବାଙ୍କ ନିକଟରେ. ଶ୍ମଶ୍ରୁ ଓ ଗେରୁଆ ବସ୍ତ୍ର ଭିତରେ ସାଧୁବାବା ଅଳ୍ପ ଅଳ୍ପ ବାପାଙ୍କ ଭଳି ଲାଗୁଥିଲେ ବି ସେ ଚିହ୍ନୁ ନଥିବାରୁ ସାହାସ ହେଉନଥିଲା ପଚାରିବାକୁ. ବୋଉ ତାଙ୍କୁ ମୁଣ୍ଡିଆ ମାରି କହୁଥିଲା ଏ ବେଶ କାହିଁକି? ଫେରିଚାଲ ଘରକୁ ତ ସାଧୁ କହୁଥିଲେ ଆସକ୍ତି,ଲୋଭ, ମାୟା, ମୋହ ପରିତ୍ୟାଗ କର ବତ୍ସ. ବୋଉ କହୁଥିଲା କି ଆସକ୍ତି? ପାପର ଗୁରୁ ତ ତୁମେ.ଘର ଦ୍ୱାର ଛାଡ଼ି, ଆମକୁ ଦୁଃଖ ସାଗରରେ ଭସାଇ ଭଗବାନଙ୍କୁ ପାଇବାର ଲୋଭ ହିଁ ତୁମକୁ ଆମପ୍ରତି ଅନ୍ୟାୟ କରିବାକୁ ପ୍ରବର୍ତ୍ତାଇଛି. ତୁମ ଲୋଭରୁ ତୁମେ ପାପୀ. ସଂସାରକୁ ମଝି ବାଟରେ ଛାଡ଼ି ଭଗବାନଙ୍କ କରୁଣା ପାଇବାର ଲୋଭ ତୁମକୁ ପାପୀ ସଜେଇଛି. ତୁମେ ପାପ କରିଛ. କିଛି ନକହି, ସାଧୁ ସନ୍ୟାସୀ ଜଣକ ଅନ୍ୟ ଦିଗରେ ଚାଲିଯାଇଥିଲେ. ଆମେ ସ୍ଥାଣୁ ପାଲଟିଯାଇ, ବୋଉକୁ ବହୁ କଷ୍ଟରେ ଆୟତ୍ତ କରିବା ସହ ଶିବ ଦର୍ଶନ କରି ଫେରିବା ପରେ ବୋଉ କେବଳ କହୁଥିଲା, ସଂସାର ଛଡା ଲୋକର ପାପ ଅଧିକା.ତା ପରେ ପରେ ବୋଉକୁ କି ଜର ହେଲା କେଜାଣି, ଆଉ ଆଖି ଖୋଲିଲା ନାହିଁ.।
ସକାଳୁ ଆଖି ଖୋଲିଲା ସୌମ୍ୟା ଖୁବ ଡେରିରେ. ବୋଉ କଥା ଭାବି ଭାବି ଆଖି ଲାଗିଯାଇଥିଲା ତାର ସକାଳୁ ସକାଳୁ. ଭାଉଜ ରୀତାକୁ ଦେଖି ପଚାରିଲା ବୋଉର ଅସ୍ଥି ଆଣିବାକୁ ଭାଇ, ମାମୁଁ, ମଉସା, ଦାଦା ଇତ୍ୟାଦି ଚାଲିଗଲେଣି କି??ନା ସେମାନେ ଯିବାକୁ ବାହାରିଛନ୍ତି, ଦେଖିବ ଆସ ଶ୍ରେୟା କେମିତି ଯିବା ପାଇଁ ଗାଡି ଧରି ଆସିଛି କାନ୍ତା କଥାରେ. ରୀତା ଓ ସୌମ୍ୟା ମଧ୍ୟ ଯାଇଥିଲେ ସାଙ୍ଗରେ, ଥରେ ଆନ୍ତତଃ ସେହି ଦେବୀ କାନ୍ତାଙ୍କ ପାଦ ଛୁଇଁବାକୁ. ବାଟରେ ମଉସାଙ୍କ ପ୍ରଶ୍ନରେ ଶ୍ରେୟା କହୁଥିଲେ, ଆମ ଦୁଇ ଭଉଣୀକୁ କିଏ ବାହାହେବ ଆଜ୍ଞା ? ଆମ କାର୍ଯ୍ୟ ଆମକୁ ବଡ଼. ତା ଛଡା ଶବ ବାହି ବାହି ଓ ଅପାର ଶବ ଦାହ ଦେଖି ଦେଖି ଏ ସଂସାର ଓ ସାଂସାରିକ ମୋହ ମାୟାରେ ଆଉ ପଡିବାକୁ ଇଛା ନାହିଁ. କର୍ମ ଆମର ନିଜ ଗୁରୁ. ବାପା ମାଆ ଚାଲିଗଲା ପରେ ଦୁଇ ଭଉଣୀ ବେସାହାରା ହୋଇ ବୁଲୁଥିଲା ବେଳେ ଆମକୁ କେହି ଆଡ଼ ଆଖିରେ ପଚାରିନାହାଁନ୍ତି, ଶବ ଦାହାକ ଝିଅ କହି ଘୃଣାରେ ନାକ ଟେକିଛନ୍ତି. ଆଜି ବାପାଙ୍କ କାମ ପାଇ, ଅବାଶିଷ୍ଠ ବଳକା ଜୀବନକୁ,ଆମେ ଦୁଇଭଉଣୀ ହରିନାମ ଜପ କରି କାଟିଦେଇ ପାରିବୁ ଆଜ୍ଞା.ସ୍ବର୍ଗଦ୍ୱାରରେ ପହଁଚିଲା ପରେ, ଅପେକ୍ଷାରତା କାନ୍ତା,ମାଟି ଘଡ଼ିରେ ଲାଲ କପଡା ବନ୍ଧା, ଆମ ବୋଉର ଅସ୍ଥି,ଭାଇ ସୌମ୍ୟ ଗ୍ରହଣ କଲା ବେଳେ ଆମେ ନଣନ୍ଦ ଭାଉଜ କାନ୍ତାଙ୍କ ଗୋଡ଼ ଛୁଇଁ ପ୍ରଣାମ କରୁ କରୁ ସେ ଘୁଞ୍ଚି ଯାଇଥିଲେ.ଭାଇ କିଛି ଅଧିକା ପଇସା ଦେଇ ଅସ୍ଥି ଆଣିବାକୁ ଚାହିଁଥିଲେ ମଧ୍ୟ ନେଇନଥିଲେ କାନ୍ତା.କାନ୍ତା ଓ ଶ୍ରେୟାଙ୍କ ଜୀବନ କାହାଣୀ ଆଲୋକିତ କରୁଥିଲା ପ୍ରତ୍ୟେକ ଝିଅକୁ.।