Rabinarayan Senapati

Inspirational

4.5  

Rabinarayan Senapati

Inspirational

ଝିଅ

ଝିଅ

5 mins
416



ସେଦିନ ଝିଅଟିଏ ଜନ୍ମ ହେଲା, ତୃତୀୟ ଝିଅ । ତୃତୀୟ ଥର ଅପରେସନ ହୋଇ ଜନ୍ମ ହୋଇଛି। ସମୟ ଆହୁରି ମାସେ ଥିଲା, ମାଆ ଓ ଶିଶୁର ସୁରକ୍ଷା ମଧ୍ୟରେ ଏକ ବିପଦପୂର୍ଣ୍ଣ ମଧ୍ୟମ ପନ୍ଥା।

ଝିଅଟିଏ ଜନ୍ମ ହେଲେ ମୁଁ ମୋ ଗାଉନରେ ଜାକି ଟିକେ ଦୋଳି ଖେଳାଇଲା ପରେ ହସ୍ତାନ୍ତର କରେ। ମାଆଟିକୁ କୁହେ ସୁନ୍ଦୁରିଆ ରତ୍ନଟିଏ ଆସିଛି। ପୁଅ ହେଲେ ସେମିତି କରେନି। ବାଛବିଚାର।

ଝିଅ ପାଇଁ ତିରସ୍କାର ଭାବକୁ ହାଲୁକା କରିବା ପାଇଁ ସେମିତି କରେ କିମ୍ବା ଏହା ଅଭ୍ୟାସ ହୋଇଗଲାଣି ଅଥବା ଝିଅର ବାପା ହୋଇନି ବୋଲି ବ୍ୟାକୁଳତା ଅଛି, ସେକଥା କହି ପାରିବିନି।

ଏ ତୃତୀୟ ଝିଅଟିକୁ ସେମିତି ଗେହ୍ଲା କରୁଥିବା ବେଳେ ମାଆ ଆଖିରେ ଲୁହ। ମୁଁ ସିଷ୍ଟରଙ୍କୁ କହିଲି, "ଏ ଦିବ୍ୟସୁନ୍ଦରୀ ଝିଅର କପାଳ ଦେଖୁଛନ୍ତି ଦିଦି, ଏହାର ଭାଗ୍ୟ ଉଜ୍ଜ୍ୱଳ। କେଜାଣି କଲେକ୍ଟର ହେବ କି ମୁଖ୍ୟମନ୍ତ୍ରୀ। ବାଃ, ଅନେକ ଦିନ ପରେ ଏମିତି ଝିଅଟିଏ ଜନ୍ମ ହେଲା।"

ତଥାପି ସେ କାନ୍ଦୁଥାଏ।

ଦୁଇଥର ଅପରେସନ ପରେ ତାଙ୍କୁ ବନ୍ଧ୍ୟାକରଣ କରିବାର ପ୍ରସ୍ତାବ ଦେଇଥିଲି। ସେ ରାଜି ହୋଇଥିଲେ। ଘରନଲୋକେ ମନା କଲେ।

ଏଥର ବି ଘଟିଲା ସମାନ କଥା। ଖୁବ୍ ଭୟ ଲାଗୁଥିଲା। ଜରାୟୁ ଏବେ ଚତୁର୍ଥ ପାଇଁ ସକ୍ଷମ ହେବ ତ?

-ହେଉ ହେଲା, ପରେ ମନକୁ ବୁଝାଇ ଦେବ, ବାବୁଙ୍କ ବନ୍ଧ୍ୟାକରଣ ଅପରେସନ କରିଦେବି। 


ଏହା ଆମ ଓଟି ଭିତର କଥା, ତାଙ୍କ ଲୋକେ ଶୁଣିନାହାନ୍ତି। କିନ୍ତୁ ସଦବୁଦ୍ଧି ଉଦୟ ହେଲା। ଆମକୁ ଅନୁରୋଧ କଲାରୁ ଆମେ ଶେଷ ମୁହୂର୍ତ୍ତରେ ବନ୍ଧ୍ୟାକରଣ କରିପାରିଲୁ।


ସିଷ୍ଟର ଚୁପିଚୁପି କହିଲେ, "ତାଙ୍କ ମନ ଯାହା ହେଉଥିବ, ଆପଣ ଏତେ ଖୁସି ହେଉଛନ୍ତି ଦେଖିଲେ ସେମାନେ ପିଟି ପକାନ୍ତେ।"

-ଓଃ... ହୋ... ଦେଶଟି ଗୋଟିଏ ପରିବାର, ଆମେ ସମାଜ କଥା ଦେଖିବା ନା ତାଙ୍କ ଗୋଟିଏ ପରିବାର କଥା ଭାବିବା। ଝିଅ ଖୁବ୍ କମିଗଲେଣି ପରା। ଏମିତି କହିଲି।


ମାଆଟି ସମ୍ଭ୍ରମତା ଫେରି ପାଇଲାଣି। କହିଲା, "ଆମକୁ ଏତେ ଟଙ୍କା ନେଇ ଠକିଦେଲେ, ପୁଅ ଅଛି ବୋଲି କହିଥିଲେ।"


- ତୁମେ ଏ ବେନିୟମ କାମ କରିଥିଲ କେମିତି? କେଉଁଠି?

ସେ ନିରୁତ୍ତର ରହି କଥା ବଦଳାଇଲା। 

କାମ ଚାଲିଥାଏ।

-ଆପଣଙ୍କର ପୁଅ ଝିଅ କେତୋଟି? ସେ ପଚାରିଲା।

ଦିଦି ଉତ୍ତର ଦେଲେ। - ସାରଙ୍କର ଦୁଇଟି ପୁଅ। 


ଅବଶ୍ୟ ଆମ ପରିବାରରେ ଏ ସଂଖ୍ୟା ମୋଟ ଉପରେ ସମାନ। ଏବେ ନାତୁଣୀ ପାଞ୍ଚ ନାତି ଏକ।


ମୁଁ କହିଲି- ଏଠି ସମସ୍ତଙ୍କର କେବଳ ପୁଅ। ଦିଦିଙ୍କର ଦୁଇଟି, ନିଶ୍ଚେତକ ସାରଙ୍କର ଗୋଟିଏ, ସହାୟକଙ୍କର ଦୁଇଟି। ଆଉ ସେ ଯେଉଁ ପ୍ରଦୀପ ଠିଆ ହୋଇଛି ବାହାଚୋରା ହୋଇନି।


- ଆପଣମାନେ ପୁଅ ଜନ୍ମକରିବେ ଆଉ ଆମର ଝିଅ ହେଲେ ଖୁସି ହେବେ। ସମସ୍ତେ ଝିଅଟିଏ ଜନ୍ମ କରନ୍ତୁ। 

- ଆଲୋ ମାଆ, ଦୁଇରୁ ତିନିକୁ ଗଲେ ସ୍ୱାସ୍ଥ୍ୟବିଭାଗ ଲୋକଙ୍କୁ ଢେଲା ଫିଙ୍ଗିବ ସମାଜ। ହଁ ସେଇ ନିଶ୍ଚେତକ ସାରଙ୍କ କଥା ଅଲଗା। ତାଙ୍କର ଗୋଟିଏ ପୁଅ। ଏବେ ଯାଆଁଳା ଝିଅ ହେବେ। 


ନିଶ୍ଚେତକ ଡାକ୍ତର ହସି କହିଲେ, - ଆପଣ ସବୁ ଜାଣି ପାରୁଛନ୍ତି ବଡଭାଇ। ଆମକୁ ତ ଅମୁକେଇ ଡାକ୍ତର କହି ସାରିଛନ୍ତି ଦୁଇଟି ଝିଅ ଅଛନ୍ତି। ଆପଣଙ୍କ କଥା ସବୁ ସତ, ତାଙ୍କ ଏ ତୃତୀୟ ଝିଅ ଜିଲ୍ଲାପାଳ ହେବ, ନହେଲେ ମୁଖ୍ୟମନ୍ତ୍ରୀ।


ମାଆଟି ବୋଧହୁଏ ଜାଣିନି, ସାରା ଶରୀର ଢଙ୍କା ଆମେ ସବୁ ବୁଢା ହେଲୁଣି। ବୋହୂ ଆଣିବା ସମୟ ହେଲାଣି। ସେ ସତ ମଣିଲା।


ଦିନସାରା ଓ ରାତିରେ ବି କଥାଟି ମୁଣ୍ଡକୁ ଘାରିଲା। ଝିଅଟିଏ ଥିଲେ କେମିତି ଦେଖା ଯାଇଥାନ୍ତା। କେମିତି ବଦଳିଥାନ୍ତା ଘରର ଚାଲିଚଳନି। କଣ ସବୁ ଆସବାବପତ୍ର, ଘରକରଣା, ଖେଳନା, ପୋଷାକପତ୍ର କିଣା ହେଉଥାନ୍ତା। ମାଆ ଝିଅ ମିଶି ବଜାରରୁ କଣସବୁ ଆଣୁଥାନ୍ତେ। ମୋ ପାଇଁ କଣ ସେ ଆଣନ୍ତା। ମୋତେ ଖୁବ୍ ଭଲ ଲାଗୁଥାନ୍ତା ବୋଧହୁଏ। କଣ ସବୁ ତାହାର ପସନ୍ଦ ହୋଇଥାନ୍ତା ମୁଁ ସେସବୁ ବ୍ୟବସ୍ଥା କରନ୍ତି। କି ପ୍ରକାର କଳା ଥାଆନ୍ତା, ଗୀତ ଅବା ନାଚ ଅବା ଲେଖାଲେଖି! ଏମିତି ଭାବୁ ଭାବୁ ମନେହେଲା ମୁଁ ସ୍ୱପ୍ନ ଦେଖିଛି ବା ଭାବନାକୁ ସତ ମଣୁଛି।


ଝିଅଟିଏ ଅଛି, ଖୁବ୍ ଅଲିଅଳି। ଭାଇମାନେ ବେଶ୍ ଶରଧାରେ ରଖିଛନ୍ତି। ମାଆ ରଖିଛି ଝିଅକୁ, ମାର୍ଜିତ ଅନୁଶାସନ ସହ। କିନ୍ତୁ ସେ ସ୍ୱାଧୀନ ଓ ସ୍ୱୟଂସିଦ୍ଧା ବ୍ୟକ୍ତିତ୍ୱସମ୍ପର୍ଣ୍ଣା। ହେଲେ ମୋ ପାଇଁ, ମୋ ଟିକି ମାଆ।

ଶୈଶବରେ କୋଳଟିକୁ କରିନେଲା ଏକଚାଟିଆ ଅଧିକାର। କେତେ କାହାଣୀ ଶୁଣିଲା, କେତେ କେତେ କଥା ପଚାରିଲା। ମାଆର କାମ ସବୁ ଅଜାଣତରେ କରିଚାଲିଲା। ବାପା ଆସିଲେ - ବାପା ଖାଇବେ, ବାପାଙ୍କ ପେଣ୍ଟ ସାର୍ଟ ପ୍ରେସ୍ ହେବ। ବାପା ତୁମେ ଥକ୍କି ଯାଇଛ ବସ ଏଇଠି। ଏବେ ମୁଁ ଯାହା କହିବି କରିବ । ସିଆଡୁ ଆସି ଲେଖାଲେଖିରେ ବସିଗଲ, ଘରେ କଣ ଆଉ କିଛି କାମ ନାହିଁ। ତୁମେ ଘରକଥା ଠିକରେ ବୁଝୁନ, ମାଆ ହଇରାଣ ହେଉଛି। ଏଇ ଚାହା ନିଅ। 

ଝିଅ କଥା ଏଡେଇ ହୁଏନି। ସନ୍ଧ୍ୟାତକ କଟିଯାଏ ତାହାରି ସହିତ। ତାପରେ ପିଲାଏ ଖେଳରୁ ଫେରନ୍ତି। ପାଠପଢନ୍ତି ସମସ୍ତେ। ସମୟ କେମିତି କଟିଯାଏ ଜଣାପଡେନି। ପୁଅମାନେ ବଡ ଓ ବଡ ହୋଇଯାନ୍ତି, ଆମର ନିଘା ନଥାଏ। ଝିଅଟି ସାନ କିନ୍ତୁ ତାକୁ ଖୁବ୍ କମ ବୟସରୁ ଆମେ ଦେଖୁ ସେ ଯେମିତି ଖୁବ ଶୀଘ୍ର ବଡ ହୋଇଯିବାର ସମ୍ଭାବନା ଅଛି ଓ ଆମେ ସମସ୍ତେ ତା ପାଇଁ ସଜାଗ। ଭାଇମାନେ ବି ଭଉଣୀ ବାବଦରେ ବେଶ୍ ଦାୟିତ୍ୱସମ୍ପର୍ଣ୍ଣ। 

ସତକୁ ସତ, ହସୁ ଥିବା ଖେଳୁଥିବା ସାନଭଉଣୀଟି ଦୁଇଭାଇଙ୍କୁ ଟପି ବଡ ହୋଇଯାଏ। କମନୀୟ ପରୀଟିଏରେ ପରିଣତ ହୁଏ। ଆମର ଚିନ୍ତା ବଢେ। ଭାଇମାନଙ୍କର ଦାୟିତ୍ୱ ବିଚାର ବିଭ୍ରାଟ ହୁଏ। ଟିକି ଝିଅଟି ପରିପକ୍ୱ ହୋଇଗଲା ବୋଲି ହଠାତ୍ ଯେଉଁ ଧାରଣା ହୁଏ ତାକୁ ଆମ ବାପା ମାଆଙ୍କ ଡାକ୍ତରୀମନ ପ୍ରତିବାଦ ଜଣାଏ। ଏଇଟି ସେମିତି ଟିକି ମନନେଇ ଆମ ସାନ ଝିଅ ନା!

ତଥାପି ସେ ମାର୍ଜିତ ହୋଇଉଠେ, କିଛି ସହଜାତ, କିଛି ଜେଜେମାଙ୍କ ପରାମର୍ଶ, ଆଉକିଛି ମାଆର ଦୃଷ୍ଟିଭଙ୍ଗୀରୁ। ତଥାପି ସେ ଖୁବ୍ ରୁଚିଶୀଳା ଆଧୁନିକା, ବେଶ୍ ଚମତ୍କାର ଗଠନମୂଳକ ଚିନ୍ତାଧାରାର। ମେଧାବିନୀ ଓ ମହତ୍ତ୍ୱାକାଂକ୍ଷୀ। ତଥାପି ସବୁଥିରେ ସନ୍ତୁଷ୍ଟ ସେ। ସେ ଭାଇମାନଙ୍କ କାନ୍ଧରେ କାନ୍ଧମିଳାଇ ଆଗକୁ ଚାଲେ। ଅନେକ ଭିନ୍ନଦିଗ ଆଡକୁ ଆକର୍ଷିତ ହେବାର ସମ୍ଭାବନା ତାପାଇଁ ଥାଏ ଅଳ୍ପ। ମୋଟାମୋଟି ସେ ଖୁବ୍ ଭଲକରେ।

ସିଧା ସ୍କୁଟର ଧରି ଯାଏ ଓ ଫେରିଆସେ। କେଉଁଠି କିଛି ଘଟିଲେ ସେ ଭଲଭାବରେ ଅନୁମାନ କରିପାରେ, କେଉଁଟା ନିଜେ ସମାଧାନ କରିପାରିବ ବା ହଜମ କରିପାରିବ, କେଉଁ କଥାଟି ମାଆକୂ କହିବ, କେଉଁ କଥାଟି ବଡଭାଇ ଏକକୁ କହିବ ବା ଆରେକକୁ। ସବୁକଥା ଶେଷରେ ମୋ କାନକୁ ଆସେ। ମୁଁ ଚିନ୍ତା କରେ କମ, ଖୁସି ହୁଏ ଅଧିକ।

 ମୁଁ ଭାବେ ସେ ଜଗତଜିତା ହେଉ, ନିଜ କ୍ଷେତ୍ରରେ ସେ ଉତ୍କର୍ଷତା ଲାଭକରୁ। ସେ କରିଚାଲେ।

ମୁଁ ଅନୁଭବ କରେ, କ୍ରମେ ତା ମଧ୍ୟରେ ଶୋଭାପାଉଛି ଏକ ମାଆ। ଆଜି କିଏ କଣ ଖାଇବ, ଭାଇ ମାନଙ୍କ ଦେହ ପା ଭଲ ଅଛି କି ନାହିଁ, ସେମାନେ କଣସବୁ କରୁଛନ୍ତି, ମାଆ କେତେ ଥକ୍କା ହୋଇଛନ୍ତି, ଜେଜେମାଆ ଜେଜେବାପା ନିଜକୁ ଅଣଦେଖା ଅନୁଭବ କରୁନାହାଁନ୍ତି ତ, ଆଉସବୁ ଦାଦା ବଡବାପା, ପିଉସୀ ମାଉସୀ ଘର କେମିତି ସବୁ ଚାଲିଛି, ବହୁଦିନ ହେଲା ଗାଆଁକୁ କାହିଁକି ବୁଲି ଯାଇ ନାହାନ୍ତି, ମାମୁଁଘର କେବେ ଯିବା; ଏମିତି ନାନା ପ୍ରକାର ଚିନ୍ତା ଥାଏ ତା ମୁଣ୍ଡରେ। 

ଆଉଦିନେ ତାକୁ ପଚାରିବାକୁ ପଡିଲା, ଆମେ ଯାହା ଶୁଣୁଛୁ ତାହା କଣ ସତ?

ସେ ଲାଜ କଲା ସତ କିନ୍ତୁ ଗୋଟି ଗୋଟିକରି କହିଦେଲା। କେଉଁ ପିଲା, ସେ କଣ କରେ, କେମିତି ତାର ଆଚାର ବ୍ୟବହାର। ତାଙ୍କ ପରିବାର କେମିତି। ଓ ଇତ୍ୟାଦି।

ସବୁ ଠିକଠାକ୍ ଲାଗିଲା। ଏହା ଆଜି ଦୁନିଆର ରୀତି।

ତା ମାଆ ତାକୁ ବହୁତ କିଛି କଥା ବୁଝାଇଲା। କିଛି ଆକଟ କରିବାର ଆବଶ୍ୟକତା ନଥିଲା।


ସମୟକ୍ରମେ ସବୁପିଲା କର୍ମକ୍ଷେତ୍ରରେ ନିଯୁକ୍ତ ହେଲେ। ବୋହୂଟିଏ ଆସିଲା। ପରେପରେ ଝିଅ ବାହାଘର ହେଲା ସୁରୁଖୁରୁରେ। ଆମେ କନ୍ୟା ଦାନ କଲୁ। 


ତା ମାଆ ଓ ମୁଁ କଥା ହେଉଥିଲୁ, ଏକ ପର୍ବ ସରିଲା। ଆଜି ଓ କାଲି ଭିତରେ କେତେ ଫରକ। ହଠାତ୍ ଝିଅଟି ଉପରେ ଆମ ଅଧିକାର ଆମେ ଦାନ କରିଦେଲେ। ଦିନ ଦିନ ମିଶି ଏତେ ବର୍ଷରେ ଏମିତି ଏକ ଦେବୀ ଅବା ମାନବୀ ଏ ଘର ଛାଡି ଚାଲିଯିବ। ଆମେ ଆଉ ସିଧାସଳଖ ତାକୁ କିଛି ନିର୍ଦ୍ଦେଶ ଦେଇ ପାରିବା ନାହିଁ। ସେ ଆମ ପରାମର୍ଶ ନେବ କି ନନେବ କହିହେବନି। ପରାମର୍ଶ ମାଗିଲେ ଆମେ ବିଚଳିତ ହେବା, ପରାମର୍ଶ ନମାଗିଲେ ଅପୂର୍ଣ୍ଣ ଅନୁଭବ କରିବା। ଏକ ନୂଆ ପରିବେଶ ଓ ପରିସ୍ଥିତିରେ ତାକୁ ଖାପଖୁଆଇବାକୁ ପଡିବ। ଅବଶ୍ୟ ସେ ପାରିବ। 

ହଠାତ୍ ଲାଗିଲା ଏକ ବିଶାଳ ଶୂନ୍ୟସ୍ଥାନ ତିଆରି ହୋଇଛି। ଏ ଶୂନ୍ୟତା ଚିରକାଳ ରହିବ। ଏ ଶୂନ୍ୟତା କଣ ବୋହୂ ମାନଙ୍କ ଦ୍ଵାରା ପୁରଣ ହୋଇପାରିବ? 

କୋର୍ଟ କହିଲେଣି ଝିଅ ସବୁଦିନ ପାଇଁ ଝିଅ। ସେତିକିରେ ହେଲେ ଅଟକି ଥାଆନ୍ତେ, କହିଲେଣି ପୁଅ ବାହାହେଲା ପର୍ଯ୍ୟନ୍ତ ପୁଅ। କି ଅଜବ କଥା। 

ପୁଣି ଆମେ କଥା ହେଉଥିଲୁ, କେମିତି ଆମ ବୋହୂ ପ୍ରତି ଶ୍ରଦ୍ଧା ସ୍ନେହ ଠିକ୍ ଆମ ଝିଅପରି ରଖିପାରିବା। ଯାହା ଜଣାପଡେ ସେ ବି ଖୁବ୍ ଉତ୍ତମ। ଏକ ବିଦ୍ଧିବଦ୍ଧ ଧାରଣା ନେଇ ଆସିନି କି ଶାଶୂଘର ହୋଇଥିବ ଏକ ଚାପର ଅଞ୍ଚଳ। ପୁଣି ଗୋଟିଏ ବୋହୂ ଆସିବ, କିଏ ଜାଣେ ସେ କେମିତିକା ହେବ।


ସତରେ ଏ ଭାବନା ମଧ୍ୟରେ ସ୍ୱର୍ଗରାଇଜରୁ ପରୀଟିଏ ଆସି ପୁରା ପଚିଶ ବର୍ଷ ଆମ ପାଖରେ ରହି ଶାଶୁଘର ଚାଲିଗଲା। କଣ ଏହାର କାରଣ। ଏହା କଣ ଶିଖାଇଦେଲା କି କେମିତି ହୃଦୟ ବିଦୀର୍ଣ୍ଣ ହୋଇଯାଏ ଅଲିଅଳି ଝିଅଟିକୁ ପରଗୋତ୍ରୀ କରିବାରେ। ଏମିତି ଏକ ଏକ ବାପା ମାଆର ସଂସାରରୁ ଦାନରେ ଆସିବେ ଆମ ବୋହୂମାନେ। ଆମେ ସେମାନଙ୍କୁ ଠିକ୍ ସେମିତି ସ୍ନେହ ଦେଇପାରିବୁ? ବୁଝିପାରିବୁ ସେମାନେ କଣ ଚାହୁଁଛନ୍ତି? ବିଚଳିତ ଅନୁଭବ କରିପାରିବୁ ଯେ ପୁଅ ଅବା ବୋହୂ ଆମ ପରାମର୍ଶ ମାଗିଲେ? ପରାମର୍ଶ ନମାଗିଲେ ଆମେ ତାହାକୁ ଗ୍ରହଣ କରିପାରିବୁ। 

ଖୁବ ଗୁଡା ନ ଭାବି ପଦୁଟା ସିଦ୍ଧାନ୍ତରେ ଉପନୀତ ହେଲୁ। ଛାଡ, ବୋହୂକୁ ଝିଅ ଭାବିନେବା ବାକିତକ ଆପେ ରହିବ ସଜଡା।



Rate this content
Log in

Similar oriya story from Inspirational