Parameswar Ojha

Inspirational

4  

Parameswar Ojha

Inspirational

ଝିଅ ପାଇଁ ମାଆ ଟିଏ

ଝିଅ ପାଇଁ ମାଆ ଟିଏ

9 mins
258


   ତିରିଶି ବର୍ଷର କଥା କାଲି ପରି ଲାଗୁଛି । ଆଗପଛ ଦୁଇଟା ଝିଅ ହେଲା ପରେ ପରିବାରର ସମସ୍ତେ ଆଶାୟୀ ଥିଲେ ତୃତୀୟ ସନ୍ତାନ ପୁଅଟିଏ ହେବ । କିନ୍ତୁ ସମସ୍ତଙ୍କ ମୁହଁରେ ଦୁଃଖର କଳା ବାଦଲ ଘୋଟିଗଲା ଯେତେବେଳେ ଆରତୀ ଝିଅଟିଏ ଜନ୍ମ ଦେଲା ।

ସେବିକା ଦିଦି ସେତେବେଳେ ବାହାରକୁ ଆସି ଜଣେଇଲେ ରୁମ୍ ନଂ ୧୧୩ର ମହିଳାଙ୍କ ଝିଅଟିଏ ହୋଇଛି । ତାଙ୍କ କଥା ଶୁଣି ଆରତୀର ସ୍ୱାମୀ ଶ୍ୱଶୁର ଦିଅର ସମସ୍ତେ ସେବିକାଙ୍କ ମୁହଁକୁ ଏଭଳି ଭଙ୍ଗୀରେ ଅନାଇଲେ ଯେମିତି ସେ ପରିବାର ପ୍ରତି ଗୋଟେ ମସ୍ତବଡ ଅଘଟଣର ସୂଚନା ଦେଲେ ।

କେବଳ ନାମକୁ ମାତ୍ର ନବ ଜନ୍ମିତ ଝିଅଟିକୁ ଆଡ ଆଖିରେ ଚାହିଁ ଦେଇ ବାହାରକୁ ଚାଲିଗଲେ ସମସ୍ତେ, ଯେମିତି ଆବର୍ଜନା ପୁଳାଏ ଦେଖିଦେଲେ । ଡ଼ାକ୍ତରଖାନାରେ ତିନି ଦିନ ବିତି ଗଲାଣି । ବନ୍ଧୁବାନ୍ଧବ ଆତ୍ମୀୟ ସମସ୍ତେ ଆସି ଜଣେ ପରେ ଜଣେ ଦେଖି ଗଲେଣି ମାଆ ଝିଅ ଉଭୟଙ୍କୁ ।

ସମସ୍ତେ ଆରତୀକୁ କହୁଥାନ୍ତି -" ବହୁତ ଭାଗ୍ୟବତୀ ଲୋ ତୁ ଦୁର୍ଗା ଅଷ୍ଟମୀରେ ଝିଅଟିଏ ହୋଇଛି । ଦେଖିବୁ ତମ ପରିବାର ନାଁକୁ ଉଜ୍ଜ୍ୱଳ କରିବ ଇଏ ।

ଆଉ କେହି କେହି କହିଲେ -" ବହୁତ ସୁନ୍ଦର ଝିଅଟିଏ ଲୋ, ଜାଣିଥା ଦୁର୍ଗାଙ୍କ ଆଶୀର୍ବାଦ ସ୍ଵରୁପ ଇଏ ।"

ଚାରିଦିନ ପରେ ଅତି ବିରସ ମନରେ ସ୍ୱାମୀ ଆସି ଆରତୀ ପାଖରେ ବସିଲେ । ଆରତୀ ମୁ‌ହଁକୁ ନଚାହିଁ କହିଲେ -" ମୁଁ କଣ କହୁଥିଲି କି । ମାନେ .."

-" କଣ ? ଖୋଲିକି କହୁନା ?"

-" ମୁଁ ଜାଣିଛି ଏ ପ୍ରସ୍ତାବ ଶୁଣିଲେ ତମକୁ ଟିକେ କଷ୍ଟ ଲାଗିବ । ତଥାପି ... ତା ଛଡା ଆଉ କିଛି ଉପାୟ ନାହିଁ । ଦେଖ ଆମକୁ ମିଶେଇ ଆମର ତିନିଟା ଝିଅ ହେଲା ଆଉ ସାନର ଗୋଟିଏ । ନିମ୍ନ ମଧ୍ୟବିତ୍ତ ପରିବାରରେ ଚାରି ଚାରିଟା ଝିଅକୁ ମଣିଷ କରି ଉଠେଇବା କେତେ ଯେ ଅସୁବିଧା ତାହା ତମକୁ ଅଛପା ନାହିଁ ।

ତେଣୁ ମୁଁ କହୁଥିଲି ଏ ଝିଅକୁ ଆମେ ଦାନ କରିଦେବା ମାନେ ଅନ୍ୟ ଜଣକୁ ଦେଇଦେବା । ହେଲା ?

ଏ କଥା ଶୁଣି ଆରତୀକୁ ଆକାଶରୁ ଖସି ପଡ଼ିଲା ପରି ଲାଗିଲା । ଝିଅଟି ଉପରେ ପଣତ ଘୋଡେ଼ଇ ଦେଇ କୋଳରେ ଆହୁରି ପାଖକୁ ଭିଡିଧରି କହିଲା କାନ୍ଦି କାନ୍ଦି

-" ତୁମେ କଣ କହୁଛ ତୁମେ ନିଜେ ଜାଣି ପାରୁଛ ତ ? ନାଇଁ ମୋ ଛୁଆକୁ ମୁଁ କାହାକୁ ବି ଦେବିନି । କାହାରିକୁ ବି ନୁହଁ ।"

ଆରତୀର ଗୋଟେ ହାତକୁ ପାପୁଲିରେ ଧରି ସ୍ୱାମୀ କହିଲେ -" ଟିକେ ବୁଝିବାକୁ ଚେଷ୍ଟା କର । ଆମେ ପର ଅପର କାହାକୁ ଦେଉନେ ଅତି ପରିଚିତ ଆପଣାର ଲୋକଙ୍କୁ ହିଁ ଦେବା । ମୋ ବନ୍ଧୁର ଭଉଣୀ ସିଏ ବହୁତ ବଡ଼ ଧନୀ ଘରେ ବାହା ହୋଇଛି । ବାହା ଘରକୁ ପାଞ୍ଚ ବର୍ଷ ପୁରି ଗଲାଣି । ଏ ପର୍ଯ୍ୟନ୍ତ କୋଳରେ ସନ୍ତାନଟିଏ ନାହିଁ । ତେଣୁ ମୁଁ ସ୍ଥିର କରିଛି ଏ ଝିଅ ତାଙ୍କୁ ଦେଇ ଦେବାକୁ । ସେମାନେ ବାହାରେ ଠିଆ ହୋଇଛନ୍ତି ତାଙ୍କୁ ମୁଁ ଡାକି ଦେଉଛି ଆମ ଝିଅକୁ ଦେଖି ସେମାନେ ସାଙ୍ଗରେ ନେଇଯିବେ । "

ସ୍ଵାମୀ ବାହାରକୁ ଚାଲିଗଲେଣି କେତେବେଳୁ । ଆରତୀ ପଥର ମୂର୍ତ୍ତିଟିଏ ପରି ବସି ରହିଛି । ସେମାନେ ଆସିଲେ ଝିଅକୁ ଦେଖିଲେ । କିଛି ସମୟ ପରେ ସମସ୍ତେ ବାହାରକୁ ଚାଲି ଆସିଲେ କେବଳ ଆରତୀ ପାଖରେ ବସି ରହିଲେ ସ୍ୱାମୀ ବନ୍ଧୁଙ୍କ ଭଗ୍ନୀ । ଛୁଆଟିକୁ ନେଇ ନିଜ କୋଳରେ ଧରିଲେ ଛୁଆ ମୁହଁକୁ ଅନେଇ ହସିଲେ । ତାପରେ ସେ କିଛି କହିବାକୁ ଉଦ୍ୟତ ହେଉଛନ୍ତି ଆରତୀ କହିଲା -" ଦେଖ ସେ ଆପଣଙ୍କୁ କହି ଦେଇଛନ୍ତି ସିନା କିନ୍ତୁ ମୁଁ ଏକମତ ନୁହେଁ ତାଙ୍କ ପ୍ରସ୍ତାବରେ । ମୋତେ କ୍ଷମା କରିଦେବ ଭଉଣୀ ମୋ ଛୁଆକୁ ମୁଁ କାହାକୁ ବି ଦେବିନି ।

ମହିଳାଙ୍କ ଆଖି ଲୁହ ଛଳ ଛଳ ହୋଇଗଲା । ସେ କହିବାକୁ ଆରମ୍ଭ କଲେ -" ବାହାଘରକୁ ପାଞ୍ଚ ବର୍ଷ ବିତି ଗଲାଣି ହେଲେ କୋଳରେ ଛୁଆଟିଏ ନାହିଁ ।

ଈଶ୍ୱର ଆମକୁ କୋଉଥିରେ ଅଭାବ କରିନାହାନ୍ତି । କେବଳ ଗୋଟିଏ ବଡ଼ 

ଅଭାବ । ଯେତେ ଦିଅଁ ଦେବତା ପୂଜା ପାଠ ଡାକ୍ତରଖାନା ପରୀକ୍ଷା ସବୁ ସରିଲାଣି ହେଲେ ଫଳ ଶୂନ୍ । ଡାକ୍ତର କହୁଛନ୍ତି ମୁଁ ଆଉ କେବେ ମାଆ ହୋଇ ପାରିବିନି । ଜୀବନରେ ଥରୁଟିଏ ମୁଁ ଛୁଆର ସ୍ନେହ ପାଇବାକୁ ଚାହେଁ ବୁଝିଲ ଭଉଣୀ, ତାର ଅଳି ଅର୍ଦ୍ଦଳିକୁ ନିଜର କରିବାକୁ ଚାହେଁ । ମାଆର ଗୌରବ ଅନୁଭବ କରିବାକୁ ଚାହେଁ ନିଜକୁ ଭାଗ ଭାଗ କରି ବାଣ୍ଟି ଦେବାକୁ ଚାହେଁ ଛୁଆ ପାଖରେ । କଣ ମୋତେ ସେ ସୁଯୋଗ ଦେବନି ? ଦେଖ ତମ ଝିଅର ମୁଁ ନିଜ ଠାରୁ ବି ଅଧିକ ଯତ୍ନ ନେବି ସ୍ନେହ ଭଲପାଇବା ସବୁ ଦେବି କୋଉଥିରେ ବି ଅଭାବ କରିବିନି । ଶହେ ଜଣ ଭିତରେ ଜଣେ କରି ଠିଆ କରେଇବି । କେବଳ ତମେ ଚାହିଁଲେ ହେଲା । 

ଆରତୀ ମହିଳାଙ୍କ ହାତକୁ ଦୁଇ ହାତରେ ଚାପି ଧରି କହିଲା -" ଦେଖନ୍ତୁ ଭଉଣୀ ମୁଁ ଆପଣଙ୍କ ପରିସ୍ଥିତି ବୁଝୁଛି । ଆପଣ ମୋ ଅବସ୍ଥା ବୁଝିବାକୁ ଚେଷ୍ଟା କରନ୍ତୁ । ଜଣେ ବାପା ହୁଏତ ରାଜି ହୋଇପାରନ୍ତି । ହେଲେ ଜଣେ ମା ନିଜ ଛୁଆକୁ ଅନ୍ୟ ଜଣଙ୍କ ହାତକୁ ଟେକିଦେଵା ଏତେ ସହଜ କଥା ନୁହେଁ ତେଣୁ ।

ମହିଳା ଜଣକ ବେଖାତିର୍ ମୁହଁ କରି ଅଳ୍ପ ହସି କହିଲେ -" ତା, ମାନେ ତମେ ... ? ସେଇଟା ଖୋଲିକି କହୁନ ଏତେ ଲାଜ କାଇଁ କରୁଛ । ହେଇ ନିଅ ଚେକ୍ । ତମର ଯେତେ ଟଙ୍କା ଦରକାର ଲେଖିଦିଅ ଏଥିରେ ମୁଁ ଦସ୍ତଖତ କରି ଦେଇଛି ।

ଆରତୀ କିଛି ସମୟ ମହିଳାଙ୍କ ମୁହଁକୁ ଚାହିଁଲେ ତାପରେ ଦୀର୍ଘ ସମୟ ଅନ୍ୟ ଏକ ସ୍ଥାନକୁ ଅପଲକ ନୟନରେ ଚାହିଁ ରହିଲେ । ହୁଏତ ମନେ ମନେ ସ୍ଥିର କରୁଥିଲେ ଛୁଆଟିକୁ କେତେ ଟଙ୍କା ବିନିମୟରେ ଦିଆ ଯାଇପାରିବ ।

ଆରତୀ ଏଥର ମହିଳାଙ୍କ ହାତରୁ ଚେକ୍ ଆଣି ଲେଖିବାକୁ ଆରମ୍ଭ କଲା । ଭଦ୍ର ମହିଳା ଏଥର ଆଶ୍ୱସ୍ତ ହେଲେ ସେଇ କ୍ଷଣକ ମଧ୍ୟରେ ଛୁଆଟି ପାଇଁ କେତେ ସ୍ୱପ୍ନ ଦେଖି ଦେଲେ । ଧିରେ ଧିରେ ଛୋଟରୁ ବଡ ହେବ, ତା'ର ଅଳି ଅଝଟ ହସ ଆଉ କାନ୍ଦରେ ଘର ତାଙ୍କର ପୁରିଉଠିବ । ତା ପାଇଁ ସ୍ୱତନ୍ତ୍ର ଗୋଟିଏ ବଖରା ରହିବ ସେଥିରେ ତାର ସବୁ ପ୍ରକାର ଖେଳନା ରହିବ ଦୁନିଆଁର ସବୁ ଖୁସି ତାକୁ ଦିଆ ହେବ, ସେ ଯାହା ଚାହିଁବ ତାହା କରି ପାରିବ । ତାର ଭଲ ମନ୍ଦ ବୁଝିବାକୁ ଜଣେ ଆୟା ବି ରହିବ । ଆଉ ସେ ବଡ ହେଲେ ତାକୁ ସ୍ୱତନ୍ତ୍ର କରି ଗଢି ତୋଳିବେ ଯାହା ପାଇଁ ସଭିଙ୍କ ଆଖି ତା ଠାରେ ଲାଖି ରହିବ ।

କିନ୍ତୁ ଏ କ'ଣ ... ! ମହିଳା ଜଣକ ଆଶ୍ଚର୍ଯ୍ୟ ହୋଇଗଲେ ଚେକରେ ଟଙ୍କା ସ୍ଥାନରେ ଲେଖାଥିଲା ' ମୋ ଝିଅ ' । ସେ ଚାହିଁ ରହିଲେ ଆରତୀ ମୁହଁକୁ ଆବାକାବା ହୋଇ । 

ଆରତୀ କାନ୍ଦ କାନ୍ଦ ହୋଇ କହିଲା -" ଦୟା କରି ଆପଣ ଏଠୁ ଚାଲିଯାନ୍ତୁ । ଟଙ୍କା ବିନିମୟରେ ହୁଏତ ଅନ୍ୟ କୋଉଠୁ ଛୁଆ ମିଳି ଯାଇପାରେ, କିନ୍ତୁ ଦୁନିଆଁର ସବୁ ଟଙ୍କାକୁ ମିଶେଇଲେବି ଆପଣ ଜଣେ ମାଆର ମମତାକୁ କିଣି ପାରିବେନି । ମୋତେ କ୍ଷମା କରି ଦିଅନ୍ତୁ ଦୟାକରି ଆପଣ ଏଠୁ ଚାଲିଯାଆନ୍ତୁ । "

ଏ ଦୃଶ୍ୟକୁ ଦେଖି ଦେଇଥିଲେ ଆରତୀର ସ୍ୱାମୀ । ସେହିଦିନଠୁ ସ୍ୱାମୀ ସ୍ତ୍ରୀଙ୍କ ଭିତରେ ଝଗଡ଼ା । ସ୍ୱାମୀଙ୍କ କହିବା କଥା ହେଲା ଛୁଆ ବଦଳରେ ଆରତୀ ଚାହିଁଥିଲେ ତାଙ୍କର ପଚାଶ ପିଢ଼ି ପର୍ଯ୍ୟନ୍ତ ଅଭାବର ମୁହଁ ଦେଖିବାକୁ କେହି ପାଇ ନଥାନ୍ତେ କିନ୍ତୁ ଆରତୀ କିଛି ଆଗ ପଛ ନ ଭାବି ହାତକୁ ଆସୁଥିବା ଟଙ୍କାର ପାହାଡ଼କୁ ଏମିତି ହତାଦର କରିବା ଠିକ୍ ହେଲାନି କଦାପି । କଣ ବା ଲାଭ ସେ ଛୁଆ ପ୍ରେମରେ ? ଖଟି ଖଟି ସେମାନଙ୍କୁ ମଣିଷ କରିବ ପାଠ ପଢେଇବ, ଆଉ ଶେଷରେ କାଙ୍ଗାଳ ହୋଇ ପର ଘରକୁ ପଠେଇବ ବାସ୍ ?

ଆରତୀ ଉପରେ ସମସ୍ତଙ୍କର ଘୃଣା ଦୃଷ୍ଟି, ସେ କାହିଁକି ପିଲାଟିକୁ ଦେଇ ଦେଲାନି । ଶାଶୁ ଶ୍ୱଶୁର ସ୍ୱାମୀ ଦିଅର ସମସ୍ତଙ୍କର ଆରତୀ ଏବେ ଶତ୍ରୁ ପାଲଟି ଯାଇଛି । ଆରତୀର ଛୋଟ ଭୁଲ ପାଇଁ ଏବେ ତା ଛୁଆକୁ କାରଣ ଦର୍ଶାଇ ଆକ୍ଷେପ କରୁଛନ୍ତି ସେମାନେ ।

ଦୁର୍ଗା ଯେତେବେଳେ କୁନି କୁନି ପାଦରେ ଠୁକୁ ଠୁକୁ ହୋଇ ଚାଲିଲା, ଟିକି ଓଠରେ ମନ କିଣା ହସ ହସିଲା ଛୋଟ ପାଟିରେ ଖନେଇ ଖନେଇ କଥା କହିଲା । ସେତେବେଳେ ବି ସେମାନଙ୍କ କଠୋର ହୃଦୟ ଟିକେ ବି ତରଳିଲା ନାହିଁ । ଦୁର୍ଗାକୁ ଗେହ୍ଲା କରିବା କାଖେଇ ଘେରାଏ ବୁଲି ଆସିବା, ତା ସହିତ ଖେଳିବା ସ୍ନେହ ଶ୍ରଦ୍ଧା ଭଲପାଇବା ଦେବା, ୟା ଭିତରୁ ଗୋଟିଏ ବି ସେମାନେ କରୁନଥିଲେ । ଯେମିତି ଏ ଛୁଆ ପାଇଁ ଏସବୁ କରିବା ତାଙ୍କ ନିୟମ ବାହାରେ । ଆରତୀକୁ ଏସବୁ ଗାଲରେ ଶକ୍ତ ଚାପୁଡ଼ା ଖାଇବା ପରି ଲାଗୁଥିଲା, ଯେମିତି ସେମାନଙ୍କ ପ୍ରସ୍ତାବରେ ଏକମତ ନ ହେବାରୁ ସେଇ ଶାସ୍ତି ଏବେ ମିଳୁଛି । ଆଖି ଲୁହରେ ଭିଜୁଥିଲା ହୃଦୟରେ ଅସହ୍ୟ ଯନ୍ତ୍ରଣା ହେଉଥିଲେ ବି ସେ ନିରୁତ୍ତର ରହୁଥିଲା । ସାହସ ବି ଜୁଟେଇ କହି ପାରୁନଥିଲା, ଦୟା କରି ଏମିତି କରନି, ଛୁଆଟା ପ୍ରତି ଏତେ ନିଷ୍ଠୁର ହୁଅନି ବହୁତ କଷ୍ଟ ଲାଗୁଛି । ସ୍ୱାମୀ ବି ସେହିଦିନ ଠାରୁ ପୁରା ବଦଳି ଯାଇଛନ୍ତି, ଯେମିତି ତାଙ୍କ ପୃଥିବୀ ସଂପୂର୍ଣ୍ଣ ଅଲଗା ଆରତୀ ସହିତ କିଛି ବି ସଂପର୍କ ନାହିଁ । 

ଜରୁରୀ ଆବଶ୍ୟକ ଥିଲେ କଥାବାର୍ତ୍ତା ନହେଲେ ନାଇଁ । ପ୍ରତ୍ୟକ୍ଷରେ ଆରତୀକୁ ଜଣେଇ ଦେଉଛନ୍ତି ଯେ ତା ବିନା ସେ ଚଳି ପାରିବେ । ଆରତୀକୁ ଏସବୁ ବହୁତ ବହୁତ ବାଧୁଛି । ଇଚ୍ଛା ହେଉଛି ଚିରଦିନ ପାଇଁ ଶୋଇ ପଡ଼ିବାକୁ । କିନ୍ତୁ ନା ଯାହା ପାଇଁ ଏ ସବୁ ସହୁଛି ତାକୁ ତାର ଶେଷ ପାହାଚରେ ନ ପହଞ୍ଚେଇବା ପର୍ଯ୍ୟନ୍ତ କେବେବି ଏତେ ବଡ଼ ଭୁଲ ନିଷ୍ପତ୍ତି ସେ ନେଇ ପାରିବନି ।

ଆରତୀର ପ୍ରତ୍ୟେକଟି ଦିନ ବିତେ ମାନସିକ ଅସ୍ତିରତା ଆଉ ଅବସାଦରେ ରୁନ୍ଧି ହୋଇ ରାତି ଆଉ ଖାଲି କାନ୍ଦି କାନ୍ଦି ଯାହା ପାହେ କିନ୍ତୁ ତା ଝିଅମାନଙ୍କ ଆଗରେ ନିଜକୁ କେବେ ବି ଦୁର୍ବଳ ବୋଲି ପରିଚୟ ଦିଅନ୍ତିନି କି ଆଖିରୁ ଲୁହ ଝରାନ୍ତିନି ସବୁବେଳେ ହସ ହସ ମୁହଁ ସେମାନଙ୍କ ଦାୟିତ୍ୱ ନିର୍ବାହ କରାନ୍ତି । କାରଣ ଆରତୀ ଚାହେଁନା ତାକୁ ଦେଖି ତା ଛୁଆମାନେ ଦୁର୍ବଳ ମନେ କରନ୍ତୁ ନିଜକୁ । ଖାସ୍ କରି ଦୁର୍ଗା । କେବଳ ତା ପ୍ରତି ହିଁ ଅନ୍ୟମାନଙ୍କ ଅବହେଳା । ସେମାନଙ୍କର ସମ୍ପର୍କରେ ଦୁର୍ଗା କେହି ନୁହେଁ, କେବଳ ଆରତୀର ହିଁ ସେ କେବଳ ଝିଅଟିଏ ବାସ୍ ।

ଆରତୀକୁ ବେଶି କଷ୍ଟ ହେଉଥିଲା ସେ ଦିନଗୁଡ଼ିକରେ ଯୋଉ ଦିନ ଦୁର୍ଗାର ଥଣ୍ଡା ଜ୍ଜ୍ୱର ଝାଡ଼ା ବାନ୍ତି ଇତ୍ୟାଦିରେ ଦେହ ଅସୁସ୍ଥ ହେଉଥିଲା କେହି ବି ଅନାଉ ନଥିଲେ । ବହୁତ କାକୁତି ମିନତି ପରେ ସ୍ୱାମୀ କେବଳ ଥରୁଟିଏ ଡାକ୍ତରଖାନା ଚିହ୍ନେଇବା ଉଦ୍ଦେଶ୍ୟରେରେ ବୋଧହୁଏ ଆରତୀକୁ ସାଙ୍ଗରେ ନେଇ ଯାଇଥିଲେ । କିନ୍ତୁ ପର ମୁହୂର୍ତ୍ତରେ ରାତି ବିକାଳି ଭଲ ମନ୍ଦରେ କେହି ଜଣେ ବି ଶୁଣୁନଥିଲେ । ନା ସ୍ୱାମୀ ଶାଶୁ ଶ୍ୱଶୁର ନା ଦିଅର ଏମିତି ଅଭିନୟ କରୁଥିଲେ ଯେମିତି କିଛି ବି ହୋଇନି, ଯଦି ବି ହୋଇଛି ମଣିଷ ନୁହଁ ଯେମିତି ପୋଷା କୁକୁର କି ବିଲେଇର ଦେହ ଅସୁସ୍ଥ ହୋଇଛି ସେଇ ଭଳି ହାବ ଦିନ କଥା ତ ଛାଡ ଅଧ ରାତିରେ ଆରତୀ ଏକା ଯେ କେତେଥର ଦୁର୍ଗାକୁ ଡାକ୍ତରଖାନା ନେଇ ଯାଇଛି ତାର ହିସାବ ନାହିଁ । ନିଜ ସମ୍ମାନକୁ ବେଖାତିର କରି ଭୟକୁ ଲୁଚେଇ କେତେ କଷ୍ଟ ସେ ସ୍ୱୀକାର କରିଛି କେବଳ ସେ କଥା ସେ ନିଜେ ଜାଣେ । ଘରେ ପୋଷା ମାନିଥିବା ଭାଲୁଆର ଯେତିକି ସହଯୋଗ ଅଛି ଆରତୀ ପ୍ରତି, ଘରେ ଅନ୍ୟ ସଦସ୍ୟମାନଙ୍କର ସେତିକି ବି ଆଗ୍ରହ ନାହିଁ । ଆରତୀ ଭାଲୁଆକୁ ବେଳେ ବେଳେ କୁଣ୍ଢେଇ ଗେଲ କରିଦିଏ । "ଯାହା ହେଉ ତୁ ମୋତେ ବୁଝି ପାରିଛୁ, କେବଳ ତୋରି ସୁରକ୍ଷାରେ ତ ମୁଁ ଡାକ୍ତରଖାନା ଯାଇ ଆସି ପାରୁଛି ନିର୍ଭୟରେ । ସତ କହିବି ତୁ ଯେବେ ମୋ ସାଙ୍ଗରେ ଦେହରକ୍ଷୀ ଭଳି ଯାଉ ମୋତେ ଲାଗେ ମୋ ଭାଇଟିଏ ଆସୁଛି ମୋ ସହିତ ମୋତେ ସବୁ ବିପଦରୁ ରକ୍ଷା କରିବା ପାଇଁ । ପୋଷା ଭାଲୁଆଟି କଣ ବୁଝେ କେଜାଣି ଆରତୀର ହାତକୁ ମୁହଁକୁ ଚାଟି ପକାଏ ।

ଦୁର୍ଗା ସପ୍ତମ ଶ୍ରେଣୀରେ ପଢୁଥିବା ସମୟର ଘଟଣା । ପିଲା ମନ ପ୍ରଜାପତି । ସ୍କୁଲ ଫେରୁଥିବା ସମୟରେ ଗୋଟେ ଆମ୍ବ ଗଛଟାକୁ ଟେକା ପକଉଥିଲା କିନ୍ତୁ ଦୁର୍ଭାଗ୍ୟବଶତଃ ଜଣେ ବୟସ୍କ ବ୍ୟକ୍ତି ଦେହରେ ସେ ଟେକା ଯାଇ ବାଜିଲା ସେ ବ୍ୟକ୍ତି ଦୁର୍ଗାକୁ ଧରି ସିଧା ଯାଇ ତାଙ୍କ ଘରେ ପହଞ୍ଚି ଫେରାଦ ହେଲେ -" ଦେଖ ତମ ଝିଅର କାର୍ଯ୍ୟ କଳାପ, ପାଠ ପଢେଇବାକୁ ପଠଉଛ ନା ଲୋକଙ୍କ ଉପରକୁ ଟେକା ପକେଇବାକୁ ? ଟେକାଟା ସିନା ଖସିଗଲା ଯଦି ମୁଣ୍ଡରେ ବାଜିଥାନ୍ତା କଣ ହୋଇଥାନ୍ତା ଅବସ୍ଥା ?"

ବାସ୍ ତାପରେ ଆରମ୍ଭ ହୋଇଗଲା ଘର ଭିତରେ ଆରତୀ ପାଇଁ ନିନ୍ଦା ଅପବାଦ ଆଉ ଦୁର୍ଗା ପାଇଁ ନିଷ୍ଠୁର ମନ୍ତବ୍ୟ "ଦୁର୍ଗାର ପାଠ ପଢା ବନ୍ଦ୍ । ବହୁତ ହୋଇଥିଲା ପାଠ ପଢା ଆଉ ନାଁ କମେଇବା ଆଉ ଦର୍କାର ନାଇଁ ସେ ସ୍କୁଲ ଯିବା । ଅନ୍ୟମାନଙ୍କ ଆଗରେ ଆମ ମୁଣ୍ଡକୁ ତଳକୁ କରିବା ।"

ସ୍ୱାମୀ ଯେମିତି ଖୋଜୁଥିଲେ ଏମିତି ଏକ ସୁଯୋଗକୁ । ତାଙ୍କର ଯେତେ କ୍ରୋଧ ଘୃଣା ଅସନ୍ତୋଷ ଥିଲା ସବୁ ସୁଝେଇ ଦେଲେ ନିରୀହ ପିଲାଟି ଉପରେ । ପିଠି ହାତ ଗୋଡ ପେଟ କିଛି ବି ବାକି ରହିନଥିଲା ଛାଟିଆ ପାହାରରୁ ବଞ୍ଚି କି ।

ସେତେବେଳେ ଠାରୁ ରାତି ପର୍ଯ୍ୟନ୍ତ କିଛି ଖାଇନଥିଲା କି ପିଇ ବି ନଥିଲା ଆରତୀ । ରାତି ସାରା ଖାଲି କାନ୍ଦୁଥିଲା କଇଁ କଇଁ ହୋଇ । ଶାଶୁ ଶ୍ୱଶୁର ସ୍ୱାମୀ ଦିଅର ସମସ୍ତଙ୍କର ତାତ୍ସଲ୍ୟ ଭରା କଥା ଆଉ କର୍କଶ କଣ୍ଠ ସ୍ୱର ଖାଲି କାନରେ ବାଜୁଥିଲା ଟାଇଁ ଟାଇଁ । ଇଚ୍ଛା ହେଉଥିଲା କହି ଦେବାକୁ -" କଣ ତମେ ମାନେ କେହି ଆଜି ପର୍ଯ୍ୟନ୍ତ ଏମିତି ଭୁଲ କରିବା ନା ତମ ପିଲାମାନେ ଭୁଲ କରି ନାହାନ୍ତି ? ଅଜାଣତରେ ଛୁଆଟିର ଏଇ ଛୋଟିଆ ଭୁଲ ପାଇଁ ଏତେ କଥା ଏତେ ଶାସ୍ତି ?" 

 

  କିନ୍ତୁ ନା ଆରତୀ ପାରିଲାନି । ସେ ଜାଣୁଥିଲା ତା ଛୁଆ ପ୍ରତି ଅନ୍ୟାୟ ହଉଛି ହେଲେ ସେ ପ୍ରତିବାଦ କରି ପାରିନଥିଲା । ଦୁର୍ଗାର ଅଧ ରାତିରେ ନିଦ ଭାଙ୍ଗି ଯିବାରୁ ସେ ଶୁଣି ପାରିଲା ତା ବୋଉ କାନ୍ଦୁଛି । ବୋଉକୁ କୁଣ୍ଢେଇ ଧରି ଦୁର୍ଗା କହିଲା -" ବାପା ମୋତେ ବାଡେଇଲେ ବୋଲି ତୁ କାନ୍ଦୁଛୁ ନାଁ ? ବୋଉ ତୁ କାନ୍ଦନା ମୁଁ ଆଉ କେବେବି ଦୁଷ୍ଟ ହେବିନି ।"

ଆରତୀ ଅଭିମାନ ଭରା ସ୍ୱରରେ କହିଲା -" ସେମାନେ ତ କହିଲେ ତୁ ଆଉ ସ୍କୁଲ୍ ଯିବୁନି ପାଠ ପଢିବୁନି ବୋଲି । ଏଥର ଯେତେ ଭୁଲ କରିବା କଥା କର୍ ଯେତେ ଦୁଷ୍ଟ ହବା କଥା ହ କିଏ ମନା କରୁଛି ? "

"ନାଇଁ ବୋଉ ମୁଁ ଜାଣି କରି ଏମିତି କରିନି । ଆମ୍ବ ଝଡେଇବା ପାଇଁ ମୁଁ ଟେକା ପକାଉଥିଲି ହେଲେ ଭୁଲରେ ଟେକାଟା.... 

ନାଇଁ ବୋଉ ମୋ ସ୍କୁଲ ବନ୍ଦ କରନି ମୁଁ ସ୍କୁଲ୍ ଯିବି ଏଥର ମନ ଦେଇ ପାଠ ପଢିବି ସତ କହୁଛି ଆଉ କେବେ ଦୁଷ୍ଟ ହେବିନି । ତମେ ଯାହା କହିବ ମୁଁ ସବୁ ମାନିବି ହେଲେ ମୋ ସ୍କୁଲ ବନ୍ଦ କରନି । "

ସେଦିନ ଆରତୀ ମନକୁ କଣ ଆସିଲା କେଜାଣି ଛୋଟ ପିଲାଟିକୁ ନିଜର ରାଣ ନିୟମ ଦେଇ କହିଲା -" ଦେଖ୍ ମାଆ ମୁଁ ସତ କହୁଛି ଆଜି ଠାରୁ ଯଦି ତୁ କେବେ ଅବାଧ୍ୟ ହେଇଛୁ କି ଦୁଷ୍ଟାମୀ କରି ମନ ଦେଇ ପାଠ ନ ପଢିଛୁ ତେବେ ତୋ ବୋଉର ମଲା ମୁହଁ ତୁ ଦେଖିବୁ ।"

ବୋଉ ଠାରୁ ଏତିକି କଥା ଶୁଣି ଦୁର୍ଗା କାନ୍ଦି ପକାଇଲା 

-" ମୁଁ ସତ କହୁଛି ବୋଉ ଆଜି ଠାରୁ ଆଉ କେବେ ବି ଦୁଷ୍ଟାମୀ କରିବିନି । ମନ ଦେଇ ପାଠ ପଢିବି । ତତେ ମୁଁ ଆଉ କେବେ ବି କାନ୍ଦିବାକୁ ଦେବିନି କାହିଁକି ନା ତୁ କାନ୍ଦିଲେ ମୋତେ ଜମା ଭଲ ଲାଗେନି । "

ଆରତୀର ସେଇ କେଇ ପଦ କଥା ଦୁର୍ଗା ମନରେ ବହୁତ ପ୍ରଭାବ ପକେଇଥିଲା । 


............. ସେଦିନ ଠାରୁ ଆଜି ପର୍ଯ୍ୟନ୍ତ ଦୁର୍ଗା କେବେ ପଛକୁ ଚାହିଁନି ତାର ଲକ୍ଷ୍ୟ ପୂରଣ କରିବା ପାଇଁ ଅନେକ ବାଧା ବିଘ୍ନକୁ ସେ ସାମ୍ନା କରିଛି । ବହୁତ ପରିସ୍ଥିତି ତାର ପଥ ଅବରୋଧ କରିଛି ହେଲେ ସେ ନିରାଶ ହୋଇନି ହାରି ଯାଇନି । ନିଜ କଠିନ ପରିଶ୍ରମର ସୁଫଳ ପାଇବା ସହିତ ଅନେକଙ୍କ ପାଇଁ ଆଦର୍ଶ ଓ ଉଦାହରଣ ହୋଇ ପାରିଛି । 

ଛବିଶି ବର୍ଷ ପରେ .....

ସନ୍ଧ୍ୟାରେ ଘର ଆଗରେ ଗାଡ଼ି ହର୍ଣ୍ଣ ଶୁଭିଲା ସମସ୍ତେ ଆସି ଦାଣ୍ଡ ଦୁଆରେ ଠିଆ ହେଲେ । ସେତେବେଳେ ଗାଡ଼ିର ପଛ ଡୋର୍ ଖୋଲି ଯିଏ ପଦାକୁ ବାହାରିଲେ ସେ ଥିଲେ ଆଇ .ପି. ଏସ୍ . 

ଦୁର୍ଗା ମହାପାତ୍ର ।

ଗାଁର ଅଧେ ଲୋକ ପରିବାରର ସମସ୍ତେ ଜମା ହୋଇଥିଲେ ସମସ୍ତଙ୍କ ହୋହାଲ୍ଲାରେ ଗାଆଁ ଯେମିତି ଏକବାର ଉଠୁଥିଲା ଆଉ ପଡୁଥିଲା ।

ଏତେ ଲୋକଙ୍କ ଭିତରେ ଆରତୀ କିନ୍ତୁ ଛିଡ଼ା ହୋଇ ନଥିଲା କାରଣ ପୃଥିବୀରେ ତାର ସବୁଠାରୁ ବଡ଼ ଖୁସିକୁ ସେ ହଠାତ୍ ଏମିତି ସାମ୍ନା କରି ପାରି ନଥାନ୍ତା । 


  



Rate this content
Log in

Similar oriya story from Inspirational