Jyotiranjan Sahu

Inspirational

2.5  

Jyotiranjan Sahu

Inspirational

ଝାଡା ( ଘୃଣା ର ଅବସାନ )

ଝାଡା ( ଘୃଣା ର ଅବସାନ )

7 mins
615



" ମା ! ମା ! କେଉଁଠି ଅଛୁ ; କୁଆଡେ ଗଲୁ ! ଆସିଲୁ ଜଲଦି । ଦେଖିଲୁ ବାପା ପୁଣି ଝାଡା କରିଦେଇଛନ୍ତି ବୋଧହୁଏ । ଛି ଛି କି ଗନ୍ଧ । ନାକ ଫାଟିଯାଉଛି । ସବୁଦିନ ଅଫିସ୍ ଗଲା ବେଳକୁ ଏ ଗନ୍ଧ ଶୁଂଘି ବାହାରିବାକୁ ପଡୁଛି । କେତେଥର କହିଲିଣି ଗୋଟେ ଆୟାକୁ ଘରେ ଏପଏଣ୍ଟମେଣ୍ଟ ଦେଇଦେବା । ତୁ କଣ ମୋକଥା ଶୁଣୁଛୁ । ତୋତେ କଷ୍ଟ ହେଉଛି ମୁଁ ଜାଣୁଛି । ମାୟା ତ ସେ କାମ କରିପାରିବନି । ତାକୁ କଣ; ମୋ ଦେଇ ବି ସେ ଝାଡା ସଫା କାମ ହୋଇପାରିବନି । ଆଲୋ ମା ! ଜଲ୍ଦି ଆ "। ପୁଅର ଡାକ ଶୁଣି ଡାଇନିଂଗ ରୁମରୁ ସେ ଅଧାଖିଆ ପଖାଳ ବେଲାଟିକୁ ଦୂରକୁ ଠେଲିଦେଇ ଦଉଡିଗଲେ ଇତି ପୁଅ ପାଖକୁ । ପୁଅର ନାକ ଟେକାକୁ ଦେଖି ଟିକଏ ହସି ଦେଇ ସ୍ନେହଭରା ସ୍ପର୍ଶରେ ସେ ଟେକା ନାକଟିକୁ ଦୁଇ ଆଂଗୁଳିରେ ଚାପିଦେଉଦେଉ କହିଲେ " କଣ ହେଇଛି ! ଏଇ ଝାଡା କଥା ତ । ଆରେ ଏଥିପାଇଁ ପରା ତୋ ମାଆ ଅଛି । ତୁ ଜମାରୁ ବ୍ୟସ୍ତ ହୋନା । ତା ପରେ ତୋତେ କିଏ କହିଲା ଝାଡା ସଫା କରିବାକୁ ମୋତେ କଷ୍ଟ ହେଉଛି ବୋଲି । ମୁଁ ବଞ୍ଚିଥିବା ଯାଏ ତୋ ବାପାଙ୍କ ଭଲମନ୍ଦ ବୁଝିବା ଦାୟିତ୍ୱ ମୋର । ତୁ ତୋ ବାପାଙ୍କ ଝାଡା ସଫାକୁ ନେଇ ଆଦୌ ଟେନସନରେ ରହନା । ମୁଁ ଏବେ ସଫା କରିଦେଉଛି "। ଏହା କହି ନିଜ ବେଡରୁମ୍ ଭିତରକୁ ଚାଲି ଗଲେ ଇତି । 


   ସେ ବେଡରୁମ୍ ଭିତରେ ଥିବା ବେଡ ଉପରେ ପଡିଥାନ୍ତି ରଂଜନ ବାବୁ । ଆଜିକୁ ଛଅ ବର୍ଷ ପୂର୍ବରୁ ଗୋଟିଏ ସଡକ ଦୁର୍ଘଟଣାରେ ହରାଇସାରିଛନ୍ତି ନିଜର ଶ୍ରବଣ ଶକ୍ତି । ଆଉ ଅତ୍ୟଧିକ ବ୍ଲଡପ୍ରେସର କାରଣ ହୋଇଯାଇଛି ଶରୀରର ଗୋଟିଏ ପାଖ ପାରାଲିସିସ୍ । ସେଥିପାଇଁ ଅଧିକାଂଶ ସମୟରେ ସେ ଅନୁଭବ କରିପାରନ୍ତି ନାହିଁ କେତେବେଳେ ତାଂକୁ ଝାଡା ଲାଗୁଛି ଆଉ କେତେବେଳେ ପରିସ୍ରା । ପୁତ୍ର ଆଉ ପୁତ୍ରବଧୂଙ୍କ ପାଇଁ ସେ ହୋଇପଡିଛନ୍ତି ଏକଦମ୍ ଅଲୋଡା ଆଉ ଅଶାନ୍ତିର ପ୍ରମୁଖ କାରଣ । ହେଲେ ତାଂକ ଧର୍ମପତ୍ନୀ ଇତି କିନ୍ତୁ ବୁଝିପାରନ୍ତି ରଂଜନ ବାବୁଙ୍କ ମନର ପ୍ରତ୍ୟେକଟି ଅବସ୍ଥାକୁ । ଆଜି ଇତି ନିଜ ରୁମ୍ ଭିତରେ ପଶୁପଶୁ କାହିଁକି ଟିକିଏ ବିଚଳିତ ହୋଇପଡିଲେ । ତାଂକର ବିବଶ ଚାହାଁଣିର ଅକୁହା କଥାଟା କିନ୍ତୁ ଠିକ୍ ପଢିନେଲେ ରଂଜନ ବାବୁ । ଧୀରେଧୀରେ ମୁଣ୍ଡଟିକୁ ହଲାଇହଲାଇ ଆଖିରେ ଆଖିରେ ପଚାରବସିଲେ " କଣ ହୋଇଛି ଆଜି ତୁମର । ତୁମେ କଣ ଭାବୁଛ ମୁଁ ଶୁଣିପାରୁନି ବୋଲି କିଛି ଜାଣିପାରୁନି । ତୁମେ ଯେମିତି ମୋ ହୃଦୟର ପ୍ରତିଟି ସ୍ପନ୍ଦନକୁ ଶୁଣିପାର ମୁଁ ବି ଠିକ୍ ସେମିତି ତୁମ ଆଖି କହୁଥିବା ପ୍ରତ୍ୟେକଟି ଶବ୍ଦକୁ ଶୁଣିପାରେ "। ହଠାତ୍ ଇତି ହାତ ଇସାରାରେ କହିଲେ " ଆରେ ସେ କିଛି ନୁହେଁ । ତୁମେ କଣ ଭାବୁଛ ମୁଁ ମନ ଦୁଃଖ କରୁଛି ବୋଲି । ଆଦୌନୁହେଁ । ମୁଁ ପରା ତୁମ ଛାଇ । ତୁମ ଯୋଗୁ ହିଁ ମୋର ଅସ୍ତିତ୍ୱ । ଏବେ ଏଇ ରାଜା ପଚାରୁ ଥିଲା ତୁମ ଦେହ କେମିତି ଅଛି । ଆଜି ଝାଡା ପରିସ୍ରା ହୋଇଛି ନା ନାହିଁ "। ଏତିକି ହାତରେ ଇସାରା କରି କହିଲା ପରେ ଇତି ତରତର ହୋଇ ବେଡ ଉପରେ ପଡିଥିବା ବେଡସିଟକୁ ନେଇ ରଂଜନ ବାବୁଙ୍କ ଅଜ୍ଞାତରେ ଆଖିରୁ ବାହାରି ଆସୁଥିବା ଦୁଇବୁନ୍ଦା ଲୁହକୁ ଆଖିରେ ସମ୍ଭାଳି ନେଇ ଓଜାଡିଦେଲେ ଆସି ବେଡରୁମ ବାହାରେ । 


     ମାୟା ଯିଏ କି ଇତିଙ୍କର ପୁତ୍ରବଧୂ ସିଏ ବର୍ତ୍ତମାନ ଗର୍ଭବତୀ । ଆଜି ଯେତେବେଳେ ଇତି ପଖାଳ ଖାଇବାକୁ ବସିଥିଲେ ସେତେବେଳେ ମାୟା ତା ସ୍ୱାମୀ ରାଜାକୁ କହୁଥିବାର ଶୁଣିଲେ " ହେଇଟି ଶୁଣୁଛ ! ଏ ଭଳି ଅନହାଇଜିନିକ କଣ୍ଡିସନରେ ମୁଁ ଆଉ ରହିପାରିବି ନାହିଁ । ମୋ କଥା ଛାଡ ମୋ ଗର୍ଭରେ ଥିବା ପିଲା ପାଇଁ ବି ଏ ପରିବେଶ ଆଦୌ ରହିବା ଉପଯୋଗୀ ନୁହେଁ । ମୋତେ ବହୁତ ଘୃଣା ଲାଗିଲାଣି ନିଜକୁ ଏଭଳି ଏକ ପରିବେଶରେ । ମୋ ଦେଇ ଏ ଅପରିଷ୍କାର ଘରେ ଅପରିଷ୍କାର କାମ ସବୁ କରିହେବନି । ମୁଁ କେବେଠାରୁ ଆମ ଘରକୁ ଚାଲିଯାଆନ୍ତିଣି । ଖାଲି ଛୋଟ ଛୁଆର ଝାଡା ପରିସ୍ରା ସଫା କରିବା ମୋ ଦେଇ ହୋଇପାରିବନି ବୋଲି ମୁଁ ଏଇଠି ପଡିରହିଛି "। ମାୟାର ଏକଥା ଶୁଣି ଇତିଙ୍କ ହୃଦୟଟା ଯେତିକି କ୍ଷତାକ୍ତ ନହେଲା ତାଠାରୁ ଅଧିକ କ୍ଷତାକ୍ତ କରିଦେଲା ରାଜାର ମୌନତା । କିନ୍ତୁ କଣ କରିବେ ! ଯେତେହେଲେବି ପୁତ୍ର ତ ତେଣୁ ଇତିଙ୍କର ବିଶାଳ ମାତୃ ହୃଦୟ ତାହାକୁ ଚାପିଦେଇ ହୋଇପଡିଲା ପ୍ରତିକ୍ରିୟା ଶୂନ୍ୟ । ଆଉ ସେହି ଚାପର ପରିଣାମ ସ୍ୱରୂପ ଆଖି ପିଇଗଲା କିଛି ଲୁହ । ତଥାପି ଓଠରୁ ଝରୁଥାଏ ଚେନାଏ ଚେନାଏ ହସ । ଏହିପରି କଟିଗଲା କିଛିଦିନ ।


    ଆଜି ହଠାତ୍ ମାୟାର ପେନ୍ ଷ୍ଟାର୍ଟ୍ ହେବାରୁ ରାଜା ତାକୁ ନେଇଗଲା ଡାକ୍ତରଙ୍କ ପାଖକୁ । ଚେକ୍ଅପ ପରେ ଡକ୍ଟର କହିଲେ " କଣ୍ଡିସନ ସିରିୟସ୍ । ପାଣି ସର୍ଟେଜ୍ ହେଲାଣି । ବେବିର ମୁଭମେଣ୍ଟ ବି ଜଣାପଡୁନାହିଁ । ଯେତେ ଶୀଘ୍ର ସମ୍ଭବ ସିଜରିଂ କରିବାକୁ ପଡିବ "। ଏ କଥାରେ ବିବ୍ରତ ହୋଇପଡିଲା ରାଜା । ଛାତି ଭିତରର ପୁରୁଷପଣିଆଟା ଶିଶୁଟିଏ ହୋଇ କାନ୍ଦିବାକୁ ଇଚ୍ଛା କରୁଥିଲା । ବୋଧହୁଏ ଅଭାବ ଥିଲା ମାଆର ପଣତଟା । ବ୍ୟସ୍ତ ହୋଇ ଘରକୁ ଟଂକା ପାଇଁ ଆସିଥିବା ରାଜାକୁ ଇତି ପଚାରିଲେ " ଆରେ କଣ ହେଲା ? ଏତେ ବ୍ୟସ୍ତ ବିବ୍ରତ କାହିଁକି । ମାୟା ଠିକ୍ ଅଛି ତ "? ଆଉ ଧୈର୍ଯ୍ୟ ଧରି ରହିପାରିଲାନି ରାଜା । "ମା... କିଛି ବି ଭଲ ନାହିଁ "କହି କୁଣ୍ଢାଇ ଧରିଲା ମାଆକୁ । ବୋଧହୁଏ ବହୁତଦିନ ପରେ ମାଆଟିଏ ଫେରିପାଇଥିଲା ନିଜର ସେହି ହାତଗଢା ଜୀବନ୍ତ କଣ୍ଢେଇଟିକୁ । କାନ୍ଦି କାନ୍ଦି ରାଜା କହୁଥାଏ " ଡକ୍ଟର କହୁଛନ୍ତି ପାଣି ସର୍ଟେଜ । ବେବିର ବି ମୁଭମେଣ୍ଟ ଜଣାପଡୁନାହିଁ । ମୋ ପିଲାର କିଛି ହେବନି ତ ମା "! ସ୍ନେହଭରା ସ୍ପର୍ଶରେ ରାଜାର ଚୁଟି ସାଉଁଳୁ ସାଉଁଳୁ ମା ତାର କହିଲେ " ତୋ ପିଲାକୁ କିଛି ବି ହେବନିରେ ବାବା । ଠାକୁରେ ଆଛନ୍ତି ପରା । ସେ ଜାଣନ୍ତି ଗୋଟିଏ ବାପର ହୃଦୟ । ତୁ ଜମାରୁ ବ୍ୟସ୍ତ ହୋନା । ଆରେ ହେ! ମାୟା ତ ଭାରି ନାକ ଟେକି । ଛୁଆର ଝାଡା ସବୁ ସିଏ କଣ ସଫା କରିବ ! ସେଇଥିପାଇଁ ପରା ତା ଜେଜେମାଟା ଏବେଠୁ ତା ବାଟ ଚାହିଁ ବସିଛି "। ମାଆଙ୍କ କଥାରେ ଟିକିଏ ହସିଦେଲା ରାଜା ଆଉ ପଣତ କାନିଟାରେ ଲୁହ ପୋଛିଦେଇ ବାହାରିଗଲା ହସପିଟାଲକୁ ଯେଉଁଠି ମାୟାର ସିଜରିଂ ହେବାର ଥିଲା । ଭଗବାନ ଙ୍କ କୃପାରୁ ଶିଶୁଟି ଭୂମିଷ୍ଠ ହେଲା ଆଉ ଥିଲା ସମ୍ପୂର୍ଣ୍ଣ ବିପଦମୁକ୍ତ । 


  ଘରକୁ ଆସିଲା ପରେ ଶିଶୁଟିର ସମ୍ପୂର୍ଣ୍ଣ ଦାୟିତ୍ୱ ବହନ କଲେ ଇତି । ଏହା ଭିତରେ ବିତିଯାଏ କିଛିଦିନ । ଆଜି ହଠାତ୍ ଅନେକଦିନ ପରେ ପ୍ରଥମ କରି ସ୍ୱଇଚ୍ଛାରେ ବାପାଙ୍କ ବେଡରୁମ୍ ଭିତରକୁ ପ୍ରବେଶ କଲା ରାଜା । ମାଆ ତାର ପୁଅକୁ ଦେଖି ହୋଇପଡୁଥିଲା ଆଶ୍ଚର୍ଯ୍ୟ । ପଚାରିବସିଲା "ବାପାରେ ଦେହ ଭଲ ନାହିଁ କି ? ନା ଏରୁମରୁ ଅଧିକ ଦୁର୍ଗନ୍ଧ ବାହାରୁଛି ? ରହ ରହ ଏବେ ଏଇ ଝାଡା କରା ବେଡସିଟଟା ଯାଇ ଧୋଇଦେଉଛି "। ବେଗେ ଚଳିଗଲା ରାଜାର ହାତଟା ଇତିଙ୍କ ମୁହଁପାଖକୁ । ଆଉ ଜାବୁଡି ଧରି ବନ୍ଦ କରିଦେଲା ତାଂକ ମୁହଁ । କହିଲା " ବାସ୍ ମା ବାସ୍ ! ଆଉ ପଦେ କହିଲେ ତୋ ପୁଅଟା କାନ୍ଦିପକେଇବ ଲୋ "। ପୁଅ ମୁହଁ ରୁ ଏ କଥା ଦିପଦ ଶୁଣି କାନ୍ଦିପକାଇଲେ ଇତି । ଏତେ ଦିନ ପରେ ଆଜି ଲୁହର ବନ୍ଧଟା ଭାଂଗିଗଲା । ଆଉ ତା ସୁଅରେ ଭାସିଯାଉଥିଲେ ଇତି । ନିଜ ପଣତକାନିରେ ଲୁହକୁ ପୋଛୁ ପୋଛୁ ବେଡସିଟଟିକୁ ନେଇ ସଫା କରିବାକୁ ବାହାରିଲେ ଇତି । ଏତିକିବେଳେ ରାଜା ପଚାରିଲା "ମା ! ତୋ ମନରେ କଣ ଏତିକି ଟିକିଏ ବି ଘୃଣା ଆସେନି । କେମିତି କରିପାରଛୁ ତୁ ବାପାଙ୍କର ସବୁ କାମ "? ରାଜାର ପ୍ରଶ୍ନରେ ରହିଗଲେ ଇତି । ଟିକିଏ ହସ ବୋଳା ମୁହଁରେ କହିଲେ " ନା ମୋତେ ଘୃଣା ଲାଗେନି । ଯିଏ ଯାହାକୁ ଭଲ ପାଏ ତାକୁ କଣ କେବେ ଘୃଣା କରିପାରେ ? ସେଦିନ ତୋ ମୁହଁର ବିବଶତା ବ୍ୟାଖ୍ୟା କରୁଥିଲା ତୋ ପିଲା ପ୍ରତି ତୋର ଭଲପାଇବା । କେତେ ଭଲପାଇବା ଥିଲା ତୋ ଆଖିରେ ସେଦିନ ତୋ ପିଲା ପାଇଁ ଯିଏ ସେତେବେଳପର୍ଯ୍ୟନ୍ତ ଦେଖିନଥିଲା ଏ ଦୁନିଆଁର ଆଲୋକ । ଆଜି ତୋ ପିଲାଟା କେତେ ଅପରିଷ୍କାର କରୁଛି । ତୁ କଣ ତାକୁ ରାଗିପାରିବୁ ! ତୋ ସାର୍ଟ ପେଣ୍ଟରେ କେତେ ଝାଡା ପରିସ୍ରା କଲାଣି । ତେବେ ତୁ କଣ ତାକୁ ବାହାରକୁ ଫିଂଗିଦେଇପାରିବୁ ! ତାହେଲେ ମୁଁ କେମିତି ତାଂକୁ ଦୂରେଇଦେଇ ପାରିବି ଯାହାର ହାତଧରି ମୁଁ ଯୌବନର ଚଲାପଥଟା ଅତିକ୍ରମ କରିଛି ! କେମିତି ରାଗିପାରିବି ଯିଏ ମୋତେ ମାତୃତ୍ୱର ସୁଖ ଦେଇଛି ! ତୁ କହ କେମିତି ମୁଁ ଘୃଣା କରିପାରବି ଯାହାର ଦେହ ଛୁଇଁ କଥାଦେଇଥିଲି ମୁଁ ତୁମର ସବୁ ଜନ୍ମର ସାଥୀ ହେବିବୋଲି । କଣ ଖାଲି ଶାରିରୀକ ବିବଶତା ଆଉ ଏଇ ଝାଡାଟା ପାଇଁ ମୁଁ ସ୍ୱାର୍ଥପର ହୋଇଯାଇ କହିପାରିବି ସେ ମଣିଷଟା ଗୋଟିଏ ଘୃଣାର ପାତ୍ର ! ନା ରାଜା ତୋ ମାଟା ଏତେ ସ୍ୱାର୍ଥପର ନୁହେଁରେ ! ପୁଅ ହୋଇ କେବେ ଚିନ୍ତା କରିଛୁ ତୋ ବାପାଙ୍କର ମାନସିକ ଅବସ୍ଥା କଥା ! ତୁ ତ ବାପା ହେବା ସୁଖ ଜାଣିଲୁ । ହେଲେ ଜାଣିଛୁ ଏଇ ସୁଖ ଟିକକ ପାଇଁ ତୋ ବାପାଙ୍କୁ ଅପେକ୍ଷା କରିବାକୁ ପଡିଥିଲା ଦୀର୍ଘ ୧୦ବର୍ଷ । କାହିଁକି ନା ଡାକ୍ତର କହିଥିଲେ ମୋର ମା ହେବା କଷ୍ଟ ଅଛି । ବିବାହର ଅନେକ ଦିନ ପରେ ବି ମୁଁ ମା ହୋଇପାରିନଥିଲି । ଧୀରେଧୀରେ ଲୋକେ ମୋତେ ବାଞ୍ଝ ବୋଲି ଧରିନେଇଥିଲେ । କିନ୍ତୁ ବହୁତ ଡାକ୍ତରଙ୍କ ପରାମର୍ଶ ପରେ ମୁଁ ଗର୍ଭଧାରଣ ପାଇଁ ସକ୍ଷମ ହେଲି । କିନ୍ତୁ ସେଦିନ ଆମ ଖୁସିରେ କଳାବାଦଲ ଘଟିଆସିଲା ଯେଉଁଦିନ ଡାକ୍ତର ଆମକୁ କହିଲେ ମୋର ଅଧିକ ବୟସ ଆଉ କିଛି ଶାରୀରିକ ଅସୁବିଧା ପାଇଁ ପିଲାଟିର ମାନସିକ ବିକୃତି ଘଟିପାରେ କିମ୍ବା ଶାରିରୀକ ଅକ୍ଷମ ହୋଇଯାଇପାରେ । ଏହାଶୁଣି ମୁଁ କହିଲି ମୋର ପିଲା ଦରକାର ନାହିଁ । କାହିଁକି ତାକୁ ଜନ୍ମ କରି କଷ୍ଟଦେବା ଆଉ ନିଜେ ବି ସାରାଜୀବନ କଷ୍ଟପାଇବା । ଯଦି ମାନସିକ ବିକୃତି ହେଲା ତେବେ ସାରା ଜୀବନ ପାଇଁ ସିଏ ଆମ ବୋଝ ହୋଇରହିବ । ତାର ଝାଡା ପରିସ୍ରା ଭଲ ମନ୍ଦ ଜୀବନସାରା କିଏ ବୁଝିବ? ଡାକ୍ତର ମଧ୍ୟ କହିଲେ ପିଲାଟା ନଷ୍ଟ କରିଦେବା ଉଚିତ୍ ହେବ । ତାକୁ ଜନ୍ମ ଦେବା ଅର୍ଥ ଉଭୟ କୁଂ କଷ୍ଟ । କିନ୍ତୁ ସେଦିନ ସମସ୍ତଙ୍କ ଭିତରେ ଏକୁଟିଆ ତୋ ବାପା ହିଁ ଥିଲେ ଯିଏ କହିଲେ ନା ସେ ପିଲାଟା ଜନ୍ମ ନେବ । ଆଉ ଯେଉଁଥି ପାଇଁ ତୁ ମୋ କୋଳକୁ ଆସଲୁ । ମୁଁ କାରଣଟା ପଚାରିବାରୁ ସେ କହିଥିଲେ 'ମୁଁ ଚାହୁଁନାହିଁ ଦୁନିଆଁ ତୁମକୁ ବାଞ୍ଝର ଆଖ୍ୟା ଦେଉ । ମୁଁ ବଞ୍ଚିଥିବା ଯାଏ ମୋ ପିଲାର ସବୁ ଦାୟିତ୍ୱ ମୋର । ମୁଁ ସେହିଦିନ ଆଶ୍ଚର୍ଯ୍ୟ ହୋଇଗଲି ଯେଉଁଦିନ ଭୀଷଣ ଦେହ ଖରାପ ହୋଇ ବି ବାପା ତୋର ମେଡିସିନ ଖାଇଲେନି ପୁଣି ସେଲାଇନ୍ ନେବାକୁ ବି ମନାକଲେ । ପରେ ଜାଣିଲି ତୋ ପାଇଁ ସବୁ ସୋମବାର ସେ ନିର୍ଜଳା ଉପବାସ କରୁଥିଲେ । ବୋଧହୁଏ ତୋ ବାପାଙ୍କର ବିଶ୍ୱାସଟା ପାଖରେ ଡାକ୍ତରିବିଦ୍ୟା ହାରିଗଲା ଆଉ ତୁ ଜିତିଗଲୁ । ସବୁଦ୍ବନ୍ଦରେ ପୂର୍ଣ୍ଣଚ୍ଛେଦ ଟାଣିଦେଇଥିବାରୁ ତୋ ବାପା ତୋ ନା ଦେଲେ ରାଜା । ତୁ ଜିତିଜାଇଥିଲୁ ଆମ ସଭିଁଙ୍କ ହୃଦୟ । ଜାଣିଛୁ ମୁଁ ସିନା ତୋ ମା । କିନ୍ତୁ ମାର ସବୁ କର୍ତ୍ତବ୍ୟକୁ ସେ ତୋର ହେତୁ ହେବାପର୍ଯ୍ୟନ୍ତ କରିଆସିଥିଲେ । ଆଜିବି ମୋ ଆଖିଆଗରେ ନାଚିଯାଉଛି ତୋର ସେ ଲଂଗଳା ଫୁଗୁଂଳା ଦେହଟା । ଯେତେବେଳେ ଝାଡା ପରିସ୍ରା ଭିତରେ ଘାଣ୍ଟି ହେଉଥିଲୁ ସେତେବେଳେ ତୋ ବାପା ଯେଉଁ ସ୍ନେହରେ ତୋତେ ସଫା କରିଦେଉଥିଲେ ତାକୁ ଦେଖିଦେଖି ବୋଧହୁଏ ମୋ ମନରୁ ଆତ୍ମାରୁ ଝାଡା ପ୍ରତି ଘୃଣା ଭାବଟା ଚାଲିଗଲା । ଠିକ୍ ଯେମିତି ଆଜି ତୁ ମୋତେ ଦେଖୁ ଏତେ ସ୍ନେହରେ ଯେତେବେଳେ ମୁଁ ତୋ ପିଲାକୁ ସଫା କରିଦିଏ । ସେ ମୋତେ ସବୁବେଳେ କୁହନ୍ତି ଜାଣିଛ ଇତି ଭଲପାଇବାରେ କେବେ ଘୃଣା ନଥାଏ । ଆଜାଣତରେ ଏଇ ଘୃଣାଟା ସମ୍ପର୍କରେ ଦୂରତାକୁ ବଢାଇ ଦିଏ । ଯେଉଁଦିନ ଭଲ ପାଇବାରେ ଘୃଣା ପ୍ରବେଶ କରିଯାଏ ସେଦିନ ଏ ମଣିଷଟା ସ୍ୱାର୍ଥପର ହୋଇଯାଏରେ " । ଏତିକି କହି ବେଡସିଟଟିକୁ ଧରି ରୁମରୁ ବାହାରି ଗଲାବେଳେ ରାଜା ତା ମାଆର ହାତଟା ଟାଣିଧରି କହଲା " ମୋତେ କ୍ଷମା କରିଦେ ମା ! ବହୁତ ସମୟ ଚାଲିଗଲାଣି । ଏବେ ଏ କାମଟା ମୋତେ କରିବାକୁ ଦେ "। ଠିକ୍ ଏହି ସମୟରେ ବାହାରେ ସୁଁ ସୁଁ ହୋଇ କାହାରି କାନ୍ଦିବା ସ୍ୱରଟା ଶୁଣାଗଲା । ରୁମରୁ ବାହାରି ଆସି ଉଭୟେ ଦେଖିଲେ ମାୟା ଆଖିରେ ଅନୁତାପର ଅଶ୍ରୁ । ଇତିଙ୍କ ଗୋଡ ତଳେ ପଡିଯିବାକୁ ସେତେବେଳେ ଟିକିଏ ବି ସଂକୋଚ କରିନଥିଲା ମାୟା । ଆଉ ଇତି ମଧ୍ୟ ପାଲଟିଯାଇଥିଲେ ଜଣେ ଘୃଣାଶୂନ୍ୟ ମମତାମୟୀ ମାଆ ॥



Rate this content
Log in

Similar oriya story from Inspirational