ଜେନେରେସନ ଗ୍ୟାପ୍
ଜେନେରେସନ ଗ୍ୟାପ୍
ଟିଭି ସୁଇଚ ଅଫ କରିଦେଲ ସରିତା। ସବୁ ଓଡ଼ିଆ ଚ୍ୟାନେଲରେ ସେଇ ଗୋଟାଏ ମୁଖ୍ୟ ସମ୍ବାଦ।
" ଦିଲ୍ଲୀରେ ଟ୍ୟାକ୍ସି ଚାଳକ'ର ବଳତ୍କାର ଶିକାର , ସଫ୍ଟୱେର କମ୍ପାନୀରେ କାମ କରୁଥିବା ଓଡ଼ିଆ ଯୁବତୀ।ନିକଟରେ ବାଙ୍ଗାଲୋରରୁ ଯୁବତୀ ଜଣଙ୍କ ନିଜ ଚାକିରୀ ଛାଡି,ଦିଲ୍ଲୀରେ ନୂଆ କମ୍ପାନୀରେ ଯୋଗ ଦେଇଥିଲେ। ଯୁବତୀଙ୍କ ପକ୍ଷରୁ ଅଭିଯୋଗ ପରେ, ବଳତ୍କାରୀକୁ ଗିରଫ ପାଇଁ ପୋଲିସର ତନାଘନା ଉଦ୍ୟମ ଜାରି;"।
ଉତ୍ତେଜନାରେ ସରିତାଙ୍କ ଦେହ,ହାତ,ମୁଁହ,ଓଠ ସବୁ ଥରୁଥାଏ। ଏକ ଅଜଣା ଆଶଙ୍କାରେ ରୁନ୍ଧି ହୋଇଯାଉଥାଏ ତାଙ୍କ ମନ।
ବଳତ୍କାରର ଶିକାର ହୋଇଥିବା ଝିଅ ,ଆଉ କେହି ନୁହଁ ; ବରଂ ତାଙ୍କରି ଭାଵୀ ବୋହୁ , ଅନୁଷ୍କା। ଟିଭିରେ ଯଦିଓ ଝିଅଟି'ର ମୁହଁ ଝାପସା ଥିଲା, ତଥାପି ନୀଳ ରଙ୍ଗ'ର ଡ୍ରେସ ପିନ୍ଧିଥିବା ଝିଅଟିକୁ, ସରିତା ଠିକ୍ ଚିହ୍ନି ପାରୁଥିଲେ।
ତିନି ମାସେ ତଳେ ତ ନିର୍ବନ୍ଧଦିନ ସେ ଅନୁଷ୍କାକୁ ମୁଦି ପିନ୍ଧାଇଥିଲେ। ଆଉ ମାସେ ପରେ ବାହାଘର ହୋଇଥାନ୍ତା। ଏକମାତ୍ର ପୁଅ ରବି ଓ ଅନୁଷ୍କା ପରସ୍ପରକୁ ଭଲ ପାଉଥିଲେ। ସରିତା'ଙ୍କର କିଛି ଆପତ୍ତି ନଥିଲା, ଯଦିଓ ସ୍ୱାମୀ ନିରାକାର ବାବୁ ଟିକେ ମଙ୍ଗୁନଥିଲେ ,ଚାକିରିଆ ବୋହୁ ପାଇଁ।
"ଆମର ଚାକିରିଆ ବୋହୁ ଦରକାର ନାହିଁ।ପୁଅ କଣ ଆମର ଭଲ ପଇସା କମାଉନାହିଁକି ?ସେ ଚାକିରୀ କଲେ ଘର ସମ୍ଭାଳିବ କିଏ ?"
ଅନୁଷ୍କା କିନ୍ତୁ ତାଙ୍କୁ ସଫା ସଫା କହିଦେଇ ଥିଲା, " ମମି, ମୁଁ ଚାକିରୀ ଛାଡିବି ନାହିଁ। ଏଇଟା ମୋ କ୍ୟାରିଅର।"
ସରିତା ବୁଝାଇଥିଲେ ସ୍ବାମୀଙ୍କୁ।"ଆଜିକାଲିକା ପିଲା ; ଝିଅ ବୋଲି ଚାକିରୀ କରିଛି, ପିଲା ଛୁଆ ହେଲେ ବଳେ ବୁଝିବନି କି ? ତାଛଡା ଆଜିକାଲି ସବୁଠି ଝିଅମାନେ ଚାକିରୀ କଲେଣି। ଆମ ପୁରୁଣା ଯୁଗ ଆଉ ନାହିଁ।"
ଆଜି ଟିଭିରେ ଅନୁଷ୍କାକୁ ଚିହ୍ନି ପାରି, ନିରାକାର ବାବୁ କହିଉଠିଲେ, " ଆଗେ ମୁଁ ସେ ଝିଅ ଘରକୁ ଫୋନ୍ କରି ବାହାଘର ଭାଙ୍ଗି ଦେଉଛି। ଏମିତି ଜାଗାରେ ବାହାଘର କଲେ ସମାଜ,ସାହି ପଡ଼ିଶାକୁ ଆମେ କଣ ମୁହଁ ଦେଖାଇ ପାରିବା ?"
ଚମକି ପଡିଲେ ସରିତା।। ସେ ଭାବୁଥିଲେ ,ଏଇ ସମୟରେ ଝିଅଘର କେଉଁ ପରିସ୍ଥିତି ଦେଇ ଗତି କରୁଥିବେ ?ଝିଅର ଅବସ୍ଥା କଣ ଥିବ ?ଏତେ ବଡ଼ ଦୁର୍ଘଟଣା ପରେ ଝିଅଟି ସାହାସ କରି ପୋଲିସ ପାଖକୁ ଆସିଛି.......।"
ଧୀର ସ୍ୱରରେ ସେ କହିଲେ, " କିଛିଦିନ ଯାଉ, ମୁଁ ସମୁଦୁଣିଙ୍କ ସହ କଥା ହେବି। ଏଇନା କହିଲେ ହୁଏତ....."
ବିଦ୍ରୁପଭରା କଣ୍ଠରେ ନିରାକାର ବାବୁ କହିଉଠିଲେ, "କଣ ଖରାପ ଭାବିବେ ? ଭାବନ୍ତୁ । କଣ ଦରକାର ଥିଲା, ଝିଅ'ର କିଛି ଅଧିକ ପଇସା ପାଇଁ ଫୁଟାଣି ଦେଖାଇ ବାଙ୍ଗାଲୋରରୁ ଦିଲ୍ଲୀ ଯିବା ?ଏବେ କୋର୍ଟ, କଚେରୀ ଦୌଡ଼ି ଦୌଡ଼ି ପାଦ ଘୋରି ହୋଇଯିବ । ରବିକୁ କୁହ ମୁଦିଟା ଫେରାଇ ଆଣୁ। ମୁଁ ଭାବୁଛି ତମେ ରବିକୁ ସାଙ୍ଗରେ ଯାଇ ମୁଦି ଫେରାଇ ଆଣ।"
ଟିକେ ନିଶ୍ବାସ ନେଇ ନିରାକାର ପୁଣି କହିଲେ, "ଆଜି ଯଦି ଆମ ରବି'ର ଆକ୍ସିଡେଣ୍ଟ ରେ ହାତ,ଗୋଡ଼ କଟିଯାଇ ଥାନ୍ତା, ତେବେ କଣ ସେ ଝିଅ ଘର ବାହାଘର ପାଇଁ ରାଜିହୋଇଥାନ୍ତେ ?ତମେ ନିଜେ ଭାଵ।"
ପୁଣି ଥରେ ଚମକି ପଡିଲେ ସରିତା।
ଗାଁ ଘର ଦାୟିତ୍ୱ ଦୁଇ ଯା'ଙ୍କ ଉପରେ ଛାଡି,ସରିତା ଓ ନିରାକାର ଆସିଛନ୍ତି ବାଙ୍ଗାଲୋର, ପୁଅ ପାଖକୁ ଦଶ ଦିନ ହେଲା।
ଫୋନରେ ସାନ ଯା'ର ସ୍ୱର, "ଅପା, ରବି ପାଇଁ ଝିଅଙ୍କ ଅଭାବ ରହିବ ନାହିଁ।ବାଙ୍ଗାଲୋରରେ ମୋ ମାମୁଁ ଝିଅ ଚାକିରୀ କରୁଛି। ଦେଖିବାକୁ ସୁନ୍ଦର ଓ ଭଲ ଦବାନବା ବି କରିବେ। ତମେ ଖାଲି ହଁ କହିଲେ ହେଲା।"
ଦୁଇ ଝିଅଙ୍କର ଫୋନ୍, " ବୋଉ, ସବୁ ନିଷ୍ପତ୍ତି ତୋ ଉପରେ।"
ଚୁପ୍ କିନା ଉଠିଗଲେ ସରିତା।ସକାଳୁ ରବି ରୁମ ଭିତରୁ ବାହାରି ନାହିଁ।ରୁମ ଭିତରକୁ ଯାଇ ପୁଅକୁ ପଚାରିଲେ, " ଏ ଝିଅ ,ଆମ ଅନୁଷ୍କା ତ ?"
ଲୁହ ଟଳମଳ ଆଖିରେ ରବି ଖାଲି ଅନେଇଲା ସରିତାଙ୍କୁ।
ଗତକାଲି ରାତିର ଘଟଣା । ଟ୍ୟାକ୍ସିରେ ବସି ଅନୁଷ୍କାର ସନ୍ଦେହ ହେବାରୁ,ରବିକୁ ଫୋନ୍ ଓ ଅନେକ ମେସେଜ୍ କରିଥିଲା।କ୍ଳାଏଣ୍ଟଙ୍କ ସହ ମିଟିଂରେ ଥିବାରୁ,ଫୋନ୍ ସୁଇଚ ଅଫ କରିଥିଲା ସେ । ପରେ ଫୋନ୍ ରେ ମିସ୍ କଲ୍ ଓ ମେସେଜ ଦେଖି, ଦିଲ୍ଲୀରେ ନିଜ ସବୁ ସାଙ୍ଗ, ତଥା ଓଡିଆ ପୋଲିସ କମିଶନରଙ୍କୁ ଫୋନ୍ କରି ସାହାଯ୍ୟ ପାଇଁ ନିବେଦନ କରିଥିଲା ରବି।
ସେ ବଦମାସ ଟ୍ୟାକ୍ସି ବାଲା ଦୁଷ୍କର୍ମ ପରେ ,ଅନୁଷ୍କାକୁ ଗୋଟେ ଜଙ୍ଗଲିଆ ଜାଗାରେ ଛାଡି ଚାଲିଯାଇଥିଲା । ପ୍ରଥମେ ପୋଲିସକୁ କିଛି କହିନଥିଲା ଅନୁଷ୍କା। ରବିକୁ ସବୁ କହିଥିଲା ସେ।
"ପ୍ଲିଜ, ଅନୁ।ତମେ ଏକଥା କାହାକୁ କୁହନା।ଆଉ ଦିନ କେଇଟାରେ ଆମ ବାହାଘର।ସବୁଆଡେ ଆମ ବଦନାମ ହେବ।ଏକ ଖରାପ ସ୍ବପ୍ନ ଭାବି ଭୁଲିଯାଅ ଏହାକୁ।"
"କିନ୍ତୁ, ସେ ରାକ୍ଷାସକୁ ଛାଡି ଦେବି ?"
"ଓଃ, ଅନୁ।କଣ ଦରକାର ଏସବୁର ? ଆମ ଦୁଇ ଫ୍ୟାମିଲି ଖାଲି ଲୋକହସା ହେବ।"
କିନ୍ତୁ ରୁମକୁ ଫେରିବା ପରେ ନିଜ ରୁମ ମେଟ ଝିଅଙ୍କୁ ସବୁ କହିଥିଲା ଅନୁ ଓ ସେମାନଙ୍କ ସହ ଆସି ଏଫ.ଆଇ.ଆର ଦେଇଥିଲା ଥାନାରେ ।
"କଣ ଦରକାର ଥିଲା ଏସବୁ ?"ରବି ବ୍ୟସ୍ତ ହୋଇ ପଚାରୁଥିଲା।"
ସେପଟୁ ଅନୁ କହୁଥିଲା, " ତମେ ନିଜେ କାଲି ତମର ସବୁ ସାଙ୍ଗ ଓ କମିଶନର ଅଙ୍କଲଙ୍କୁ ଫୋନ୍ କରି ସବୁ କହିଛ। ଆଇ ଆମ ସରି ରବି। କିନ୍ତୁ ଏଇଟା ମୋ ଆତ୍ମସ୍ଵାଭିମାନ,ଅସ୍ମିତାର ପ୍ରଶ୍ନ।ଇଛା କରି ସୁଦ୍ଧା ମୁଁ ସାଲିସ କରିପାରିଲିନି।ହୁଏତ ଜୀବନ ସାରା ମୁ ଜଳି ଜଳି ମରିଥାନ୍ତି।"
ରବିର ମୁଣ୍ଡ କାମ କରୁନଥିଲା। ଫେସବୁକ, ଟ୍ୱିଟରରେ ବନ୍ଧୁ ମାନେ ତାକୁ ଓ ଅନୁଷ୍କାକୁ ସମବେଦନା ଜଣାଉଛନ୍ତି।ଛିଃ, କେମିତି ଏମିତି ସମ୍ବେଦନଶୀଳ କଥାକୁ ସାର୍ଵସାଧାରଣରେ ଉଛାଳନ୍ତି ଲୋକେ ?ସ୍ୟାଡ଼ିଷ୍ଟିକ ପ୍ଲେଜର ପାଆନ୍ତି ଏମାନେ।"
ସରିତାଙ୍କ ସ୍ୱର ଶୁଣି ଭାବନା ରାଜ୍ୟରୁ ଫେରି ଆସିଲା ରବି। ପୁଅର ମୁଣ୍ଡରେ ହାତ ବୁଲାଇ ସେ ପଚାରିଲେ,"କଣ ଭାବୁଛୁ ତୁ ? ସମାଜ,ନିଜ ପ୍ରତିଷ୍ଠାକୁ ଖାତିର ନକରି, ଅନୁଷ୍କାର ଏଇ ସମୟରେ ଏକ ବନ୍ଧୁ ପରି ସାହାଯ୍ୟର ହାତ ବଢାଇ ବାର ସାହାସ ଅଛି ତୋର ? ଲୋକହସା ବି ହୋଇପାରୁ । ବନ୍ଧୁ,ବାନ୍ଧବଙ୍କ ବିଦ୍ରୁପ ଶୁଣିବାକୁ ପଡିପାରେ।ପାରିବୁ ?"
ଦୀର୍ଘ ନିଶ୍ବାସଟେ ନେଇ ସରିତା ପୁଣି କହିଲେ, ତୋ ବାପା କହୁଛନ୍ତି ବାହାଘରଟା ଭାଙ୍ଗି ମୁଦି ଫେରାଇ ଆଣିବା ପାଇଁ।ତୋତେ ସାଙ୍ଗରେ ନେଇ ଦିଲ୍ଲୀ ଯିବାକୁ କହିଲେ । ଯିବୁ ?"
"ତୁ ଯାହା ଭଲ ଭାବୁଛୁ କର ବୋଉ।"କହି ତାଙ୍କ କୋଳରେ ମୁଣ୍ଡ ଗୁଞ୍ଜି ଦେଲା ରବି। ସରିତା ଜାଣିଲେ,ପୁଅ ସବୁ ନିଷ୍ପତ୍ତି ନେବାର ଅଧିକାର ତାଙ୍କ ଉପରେ ଛାଡ଼ିଦେଇଛି।ମୁଣ୍ଡ ଟା ତାଙ୍କର ଟିକ୍ ଟିକ୍ ହୋଇ ବିନ୍ଧୁଥିଲା।କି ନିଷ୍ପତ୍ତି ନେବେ ସେ ?
ଫ୍ଲାଇଟରେ ଦିଲ୍ଲୀ ଯାଇଁ ଅନୁ'ର ଫ୍ଲାଟରେ ପହଁଚିଲା ବେଳକୁ,ସେଠାରେ ସମୁଦି,ସମୁଦୁଣି ବି ଆଗରୁ ପହଂଚି ସାରିଥିଲେ।
"ମା, ଅନୁ ;ତୋ ସହ ଟିକେ ଏକାନ୍ତରେ କଥା ହୋଇଥାନ୍ତି।"
ସରିତାଙ୍କ କଥା ଶୁଣି, ଅନୁ କହିଲା, "ଯାହା,କହିବା କଥା, ଆପଣ ସମସ୍ତଙ୍କ ସାମ୍ନାରେ କୁହନ୍ତୁ।"
ଟିକିଏ ଛେପ ଢ଼ୋକି ସରିତା ଆରମ୍ଭ କଲେ, "ମୁଁ କଣ କହୁଥିଲିକି ମା, ଖାଲି ମୁଦି ପିନ୍ଧା ହୋଇଛି।ବାହାଘର ତ ହୋଇନି। ତେଣୁ ଏମିତି ପରିସ୍ଥିତିରେ.....
କୁହୁଳୁ ଥିବା ରଡ ନିଆଁରେ କିଏ ଯେମିତି ବାରୁଦ ବସ୍ତାଟେ ପକାଇଦେଲା । ଚିହିଁକି ଉଠି ଅନୁ କହିପକାଇଲା, " କଣ ବାହାଘର ଭାଙ୍ଗି ମୁଦି ଫେରାଇ ନେବାକୁ ପୁଅକୁ ଧରି ଆସିଛନ୍ତି ?ଭୁଲ ଆପଣଙ୍କର ନୁହେଁ। ଏହା ହେଉଛି ଜେନେରେସନ ଗ୍ୟାପ୍। ଭଲ ହୋଇଛି ଆପଣଙ୍କ ସ୍ୱରୂପ ବାହାଘର ପୂର୍ବରୁ ଜଣାପଡ଼ିଗଲା।"
ଅନୁଷ୍କାକୁ ଆଙ୍ଗୁଠିରୁ ମୁଦି କାଢୁଥିବା ଦେଖି, ସରିତା କହିଉଠିଲେ, "ତୁ ଠିକ୍ କହିଛୁ ମା,ଜେନେରେସନ ଗ୍ୟାପ୍ ହିଁ ଏସବୁର ମୂଳ କାରଣ-ଧୈର୍ଯ୍ୟ,ସାହନଶୀଳତା ଆଜିକାଲିକା ପିଲାଙ୍କ ପାଖରେ ସମ୍ପୂର୍ଣ୍ଣ ଅଭାବ। ଏ ବୁଢ଼ୀ ମଣିଷ ତମ ମାନଙ୍କ ପରି ବେଶୀ ପାଠଶାଠ ପଢିନି ।ତେବେ ନିର୍ବନ୍ଧ ମୁଦି ଆଙ୍ଗୁଠିରୁ କାଢ଼ିବା ଅଶୁଭ ମା।"
"କଣ କହିବାକୁ ଚାହୁଁଛନ୍ତି ଆପଣ ?"ଚିଡି ଯାଇଁ ପଚାରିଲା ଅନୁଷ୍କା।
ଧୀର ,ଶାନ୍ତ ସ୍ୱରରେ ସରିତା କହିଲେ, " ଯେଉଁ ଦିନ ତୋତେ ମୁଦି ପିନ୍ଧାଇଥିଲି, ସେଇ ଦିନ ଠାରୁ ତୁ ଆମ ଘର ବୋହୁ ହୋଇଯାଇଥିଲୁ । ଏଇ ଯେଉଁ ଲଢେଇ ତୁ ଲଢ଼ି ବାକୁ ଯାଉଛୁ, ମୁଁ ଚାହେଁ ତୁ ଅନୁଷ୍କା ଦାସ ବଦଳରେ, ମିସେସ୍ ଅନୁଷ୍କା ମହାନ୍ତି ହୋଇ ଲଢ ବୋଲି । ଚାଲ, ଆଜି ରବି ଓ ତୁ କୋର୍ଟ ମ୍ୟାରେଜ କରି, ମନ୍ଦିରରେ ଠାକୁରଙ୍କ ସାମ୍ନାରେ ବି ବାହାଘରଟା ସାରିଦେବ।"
ଆବାକାବା ହୋଇ ଯାଇଥିଲା ଅନୁଷ୍କା । ଦୌଡ଼ି ଯାଇ ସରିତାଙ୍କ କୁଣ୍ଢାଇ ପକାଇ ଭେଁ ଭେଁ ହୋଇ କାନ୍ଦୁଥିଲା । ଆଶ୍ଚର୍ଯ୍ୟ ହୋଇ ଚିନ୍ତା କରୁଥିଲା, ଏମିତି ଜଣେ ମହିୟଶୀ ମହିଳା ଓ ନିଜ ଭିତରେ ଥିବା ଜେନେରେସନ ଗ୍ୟାପ୍ ପୁରଣ କରିବାକୁ ତାକୁ ଅତି କମରେ ଶହେ ଜନ୍ମ ନେବାକୁ ପଡିବ।
(ଅରବିନ୍ଦ ଦାସ)