STORYMIRROR

MADHU MITA

Classics Inspirational

3  

MADHU MITA

Classics Inspirational

ଜେଜେମା

ଜେଜେମା

3 mins
118

"ଲୋ ରେବତୀ…ଲୋ ନିଆଁ…ଲୋ ଚୁଲି…"ପାଟି କରି ଘର ଫଟାଇ ଦେଉଥିଲା ସୀମା।ଗତକାଲି ଠାରୁ ତାର ଡାଇଲଗ ଘୋଷା ଚାଲିଛି। ଫକୀରମୋହନ ସେନାପତିଙ୍କ ଉପନ୍ୟାସ ଆଧାରରେ ହେଉଥିବା ନାଟକରେ ଚରିତ୍ର ମିଳିଛି ତାକୁ।ନାଚ,ଗୀତ ସବୁରେ ସେ ଆଗୁଆ।ତାକୁ ଦେଖି ଲକ୍ଷ୍ମୀର ମନ ପୁରିଉଠେ ଖୁସିରେ।ତା ଭିତରେ ଥିବା ସବୁ ଗୁଣ ଦେଖି ଲକ୍ଷ୍ମୀକୁ ତା ଜେଜେମା କଥା ମନେ ପଡେ।

ମନ ପଡ଼ିଯାଏ କେମିତି ତା ପାଠପଢା ଅଧାରୁ ବନ୍ଦ ହୋଇ ଯାଇଥିଲା ଖାସ ତା ଜେଜେମାର ଅଦ୍ଭୁତ ଜିଦ୍ ଯୋଗୁଁ। ଝିଅ ପିଲାଟିଏ ସେ।ବଡ ବି ହେଲାଣି।ସ୍କୁଲ ପଢା ତ ସରିଗଲା। ଆଉ କଲେଜରେ କଣ ପଢ଼ିବ ଯେ? ଏଥର ହାତକୁ ଦିହାତ ହବ ଆଉ ଘରକାମ,ରୋଷେଇ ବାସେଇ ଶିଖିବ । ଜେଜେମା କରୁଥିବା ଜିଦି ଆଗରେ ଆଉ କାହାରି କଥା କିଛି କାମ କଲାନାହିଁ। ଅତଏବ ବାହାଘର କରି ଦିଆଗଲା ଲକ୍ଷ୍ମୀର !

ବିବାହ ପରେ ସ୍ଵାମୀ ସୁରେଶ କିନ୍ତୁ ଖପା ହୋଇଥିଲେ ତା ଉପରେ। ଏତେ ଭଲ ସ୍ମରଣ ଶକ୍ତି ଥାଇ ମଧ୍ୟ ଅଧିକ ପାଠ କାହିଁକି ସେ ପଢ଼ୁନି ସେକଥା ସେ ବୁଝି ପାରୁ ନଥିଲେ। ଲକ୍ଷ୍ମୀ କେମିତି କୁହନ୍ତା ଯେ ତା ଜେଜେମା ଜିଦ୍ କରିବା ଯୋଗୁଁ ଏପରି ହେଲା ? ସୁରେଶ ତା' ଶିକ୍ଷାକୁ ଆଗେଇ ନେବାପାଇଁ ମନସ୍ଥ କରି ତାକୁ ପଢେଇଲେ। ବିବାହର ଅନେକ ବର୍ଷ ଯାଏଁ ସଂସାର ଆଗକୁ ନ ନେଇ ସେ ଲକ୍ଷ୍ମୀକୁ ଏତେ ଯୋଗ୍ୟ କରିଦେଲେ ଯେ ସେ ଏକ ଶିକ୍ଷୟିତ୍ରୀ ପଦ ପାଇବାକୁ ହକଦାର ହୋଇ ପାରିଲା।

ହେଲେ ଦୁର୍ଭାଗ୍ୟ ବଶତଃ ଯେଉଁଦିନ ତା ହାତକୁ ସ୍କୁଲର ପ୍ରଧାନଶିକ୍ଷକ ଆପଏଣ୍ଟମେଣ୍ଟ ଲେଟରଟା ଦେଇଥିଲେ; ସେହିଦିନ ଜେଜେମା ହଠାତ୍ ଅସୁସ୍ଥ ହୋଇ ପଡ଼ିଲା ଆଉ ହସପିଟାଲ ଚାଲି ଯାଇଥିଲା।ସେଇଠି ପଡି ପଡି ମରଣକୁ ଜଗିଥିଲା। ଆଉ ଯେଉଁଦିନ ଲକ୍ଷ୍ମୀ ଜଏନ କଲା ଚାକିରୀ କରିବା ପାଇଁ ଠିକ୍ ସେହିଦିନ ବୁଢ଼ୀ ଆଖି ବୁଜି ଦେଇଥିଲା। 

କାହାକୁ କିଛି ନ କହିଲେ ମଧ୍ୟ ଲକ୍ଷ୍ମୀର ମନ ଭିତରେ କେମିତି ଏକ ଅପରାଧ ବୋଧଟିଏ ରହିଯାଇଥିଲା।ସତରେ କଣ ସେ ପାଠ ପଢ଼ି ଚାକିରୀ କରିବାକୁ ଗଲାରୁ ଜେଜେମାର ଜୀବନ ଚାଲିଗଲା ?କ୍ଷମା କରି ପାରୁ ନଥିଲା ସେ ନିଜକୁ।ସୁରେଶଙ୍କୁ କୌଣସି ପ୍ରକାରେ ବୁଝେଇ ଦେଇ ଚାକିରୀ ଛାଡ଼ି ଘରେ ହିଁ ରହିଲା। ଜେଜେମା ଚାଲିଯିବାର ବର୍ଷକ ପରେ ତା କୋଳକୁ ସୀମା ଆସିଥିଲା। ସମସ୍ତେ କହିଲେ ତା ଜେଜେମା ହିଁ ପୁଣି ଜନ୍ମ ନେଇ ତା ପାଖକୁ ଆସିଛନ୍ତି।ସେ ମଧ୍ୟ ବିଶ୍ଵାସ କରୁଥିଲା ଏହି କଥାକୁ।କିନ୍ତୁ ସମୟ ବଢିବା ସହିତ ସୀମା ପଢା ପଢ଼ି ପ୍ରତି ବହୁତ୍ ଆଗ୍ରହୀ ହୋଇ ଉଠିଥିଲା।ଛୋଟ ବେଳୁ ସବୁ ଶୁଣି ମନରଖି ସେ ସ୍ପଷ୍ଟ କହି ଦେଇ ପାରୁଥିଲା।ମିଛିମିଛିକା ବହି ଆଉ ଖବର କାଗଜ ଧରି ବସୁଥିଲା। ତାର ଏମିତି ଗୁଣ ଦେଖି ଲକ୍ଷ୍ମୀ ଜାଣି ସାରିଥିଲା ଯେ ସେ ଜେଜେମା ହୋଇ ପାରିବନି।ନହେଲେ ସେ ଫେରେ ପାଠ ପଢ଼ିବାକୁ ଏତେ ଆଗ୍ରହ ଦେଖାନ୍ତା କି ?ଝିଅର ପଢାପଢ଼ି ମାତ୍ର ଦୁଇବର୍ଷ ବୟସରୁ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲେ ସୁରେଶ। ହେଲେ ଲକ୍ଷ୍ମୀ ଏଥିପାଇଁ ରାଜି ହୋଇ ପାରୁ ନଥିଲା।ଆଉ ସେଦିନ

ରାତିରେ ସେ ସ୍ବପ୍ନ ଦେଖିଲା ଯେ ସେ ନଦୀ ପାଖରେ ବସିଛି।ଆଉ ଜେଜେମା ଆସି ତାକୁ କହୁଛି"ଲୋ ଲଖମି ଲୋ ନିଆଁଲୋ ଚୁଲି ଆଲୋ ତୁ ପଢ଼ିଦେଲୁ ଆଉ ମୋତେ ଅପାଠୋଇ କରିଦେବୁ ବୋଲି ଭାବିଲୁ? କେଡେ ସାହାସ ତୋର ଆଁ ?" ଆଉ ପାଖକୁ ଲାଗି ଆସି ନିଜ ଥରିଲା ହାତରେ ବାଡି ଖଣ୍ଡିଏ ଧରି ତାକୁ ପିଟିବା ପାଇଁ ଉଦ୍ୟତ ହେଉଛି।ନିଦ ଭାଙ୍ଗିଗଲା ଲକ୍ଷ୍ମୀର। ସକାଳୁ ଉଠି ସେ ସୁରେଶଙ୍କୁ ସୀମାର ପଢା କଥା ଆଗ କହିଲା।ଆଉ ସୁରେଶ ଖୁସି ହୋଇ ତାକୁ କୁଂଢ଼େଇ ଧରିଲେ।ତାର ପରିବର୍ତ୍ତିତ ମନୋଭାବର କାରଣ କେହି ଜାଣି ପାରିଲେନି।ତା ପରଠୁ ସୀମା ମନ ଦେଇ ପଢ଼ି ଯେତେବେଳେ ଶ୍ରେଣୀରେ ପ୍ରଥମ ହୁଏ ସେତେବେଳେ ସବୁଠୁ ବେଶୀ ଖୁସି ହୁଏ ଲକ୍ଷ୍ମୀ।କାରଣ ସେଦିନ ସେ ସ୍ବପ୍ନ ଦେଖେ ତା ଜେଜେମାକୁ।ସ୍ବପ୍ନରେ ବୁଢ଼ୀ ପାକୁଆ ପାଟିର ହସଟା ଲକ୍ଷ୍ମୀକୁ ବହୁତ୍ ଖୁସି ଦିଏ। ତା ଭାବନାରେ ପୂର୍ଣ୍ଣଛେଦ ପକେଇ ସୀମା ପୁଣି ଡ଼ାଇଲଗ କହି ଉଠିଲା "ଲୋ ରେବତୀ ଲୋ ନିଆଁ ଲୋ ଚୁଲି " ଆଉ କିଏ ନ ଦେଖିଲା ପରି ଲକ୍ଷ୍ମୀ "ଜେଜେମା "କହି ଫିକ୍ କରି ଅଳ୍ପ ହସିଦେଲା ।



Rate this content
Log in

Similar oriya story from Classics