Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.
Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.

Kulamani Sarangi

Inspirational

4.7  

Kulamani Sarangi

Inspirational

ଜେଜେମା

ଜେଜେମା

4 mins
650



ମା ପୁଅ ଦି'ଜଣଙ୍କୁ ଏବେ କେମିତି ସମ୍ଭାଳିବେ ସେହି ଚିନ୍ତା ମାଡ଼ି ବସିଥିଲା ସୁଶାନ୍ତ ବାବୁଙ୍କୁ। ପତ୍ନୀ ସ୍ବାତୀ ଏବଂ ଦଶବର୍ଷର ପୁଅ ଶୁଭମ୍ ସହିତ ଚାରିଦିନ ତଳେ ଭୁବନେଶ୍ୱରରୁ ଗାଁ'କୁ ଆସିଥିଲେ ସୁଶାନ୍ତ,ବାବାଙ୍କ ଶ୍ରାଦ୍ଧ ଦିବସରେ ପିଣ୍ଡଦାନ କରିବାକୁ।ଆସିବାବେଳେ ବଡ଼ ଟାଣି ଓଟାରି ହୋଇ ସ୍ବାତୀ କହିଥିଲେ.... ମୁଁ ନଗଲେ ଚଳନ୍ତାନି? ଶୁଭମ'ର ଗିଟାର୍ କ୍ଳାସ ମାଡ ଖାଇଯିବ।ତମେ ଏକା ଯାଇ କାମ ସାରିଦେଇ ଆସ ପ୍ଳିଜ୍।


ସୁଶାନ୍ତ ବାବୁ ଠିକ୍ ଜାଣିଥିଲେ ସ୍ବାତୀର ବିଲକୁଲ୍ ଗାଁ କୁ ଯିବାକୁ ଇଚ୍ଛା ନାହିଁ,ଗିଟାର୍ କ୍ଳାସ ଖାଲି ବାହାନା ମାତ୍ର।ମାମାକୁ ସପୋର୍ଟ କରି , ଡ୍ରଇଂ ରୁମ୍'ରୁ ଶୁଭମ୍ କହିଲା... ହଁ ବାବା ତମେ ଅକେଲା ଯାଇ ଜେଜେଙ୍କ ଶ୍ରାଦ୍ଧ କାମ ସାରିଦେଇ ଆସ। ମୁଁ ତମର ସେ ଗନ୍ଧିଆ ଗାଁ କୁ ଯିବିନି।ସେଠି ଜେଜୀ ଖାଲି ପୁରୁଣା ଡିବା ଟିଭିରେ ଶ୍ରୀକୃଷ୍ଣ, ଶ୍ରୀଜଗନ୍ନାଥ ସିରିଆଲ୍ ଦେଖୁଥିବେ,ମୋ ଫେଭରାଇଟ୍ ଚ୍ୟାନେଲ କିଛି ନଥିବ, ସାଙ୍ଗସାଥୀ ନଥିବେ,ଘରେ ଖାଲି ଘାସଫୁସ୍ ଖାଦ୍ୟ...ଚିକେନ ଘରେ ପଶିବନି...ମଟନ ମିଳିବ ସେ ପୁଣି ବୁଢୀ ଛେଳି...ସେ ପୁଣି ବାହାର କାଠ ଚୁଲିରେ ରନ୍ଧାହବ ଯେ ମାମାର ଆଖି ଏଡେ ଏଡେ ହେଇ ଫୁଲିଯିବ।ଶୀଘ୍ର ଆସିବା ନାଁ ଧରିଲେ ତମେ କହିବ...ଆଉ ଦିଦିନ ଆଉ ଦିଦିନ... ନାଁ ବାବା ମୁଁ ଯିବିନି ତମ ଗାଁ କୁ....ତମେ ଏକା ଯାଅ,ମାମାର ମୋର ଆମେ ଅଛୁ।


ଏକା ନିଃଶ୍ବାସକେ ଏତେ ଗୁଡାଏ କଥା କହିଦେଇ ବାବାଙ୍କ ମୁହଁକୁ ,ସମ୍ମତି ଆଶାରେ ଚାହିଁଲା ଶୁଭମ୍। ସୁଶାନ୍ତ ଶୁଭମ୍'କୁ କିଛି ନକହି ସ୍ବାତୀ ମୁହଁକୁ ଚାହିଁ କହିଲେ....ତମେ ଏମିତି ବଢିଆ କରିଚ ତମ ପୁଅକୁ। ଗାଁ ନାଁ ଧରିଲେ ଏମିତି କଣ ନାଲି ପିମ୍ପୁଡ଼ି ଭଳି ହଉଚି କିହୋ ସିଏ?


ସ୍ବାତୀ କହିଲେ...ପୁଅଟା ଖାଲି କଣ ମୋର,ତୁମର ନୁହେଁ? ସବୁବେଳେ ତୁମର ଅଭିଯୋଗ ମୁଁ ତାକୁ ତମ ଗାଁ କୁ ନଯିବାକୁ ଉସୁକୋଉଚି।


ସୁଶାନ୍ତ ବୁଝେଇଲେ....ଦେଖ ସ୍ବାତୀ,ବାବାଙ୍କ ଶ୍ରାଦ୍ଧ ବେଳକୁ ମୁଁ ଏକାକି ଯିବାଟା ନିହାତି ଅସୁନ୍ଦର କଥା।ବଡ଼ ଅପା,ସାନ ଅପା ଆଉ ଭିଣେଇ ମାନେ ସମସ୍ତେ ଆସିଥିବେ... ସେଠାରେ ତୁମର ଉପସ୍ଥିତି ସମସ୍ତେ ଆଶା କରିବେ,କାରଣ ତମେ ହିଁ ପିଣ୍ଡ ରାନ୍ଧିବ ଓ ବାଢିବ।ତମେ ନଗଲେ ମତେ କେତେ କଥା ଶୁଣିବାକୁ ପଡ଼ିବ ଜାଣିଚ ନା?ତାଛଡା ବୋଉ କେତେ ଆଶା ନେଇ ବସିଥିବ ନାତିକୁ ଗେଲ କରିବାକୁ .... ବହୁତ୍ ଦିନ ହେଲା ସେ ଦେଖିନି ଶୁଭମ୍ କୁ...ଦେଖ ଏଥର ଶୀଘ୍ର ଫେରି ଆସିବା.. ଶ୍ରାଦ୍ଧ ପରଦିନ।


ଏହାପରେ ସ୍ବାତୀର ଆଉ କିଛି କହିବାର ନଥିଲା।ପ୍ରଥମେ ତ କାର ନେଇ ଯିବାର ପ୍ଳାନ୍ ଥିଲା,କିନ୍ତୁ ସୁଶାନ୍ତ ନୂଆ ନୂଆ ଗାଡି ଶିଖୁ ଥିବାରୁ ଓଲା ଟାକ୍ସି ଭଡାକରି ଶ୍ରାଦ୍ଧର ଦିଦିନ ଆଗରୁ ପହଞ୍ଚିଲେ।


କିନ୍ତୁ କିଏ ଜାଣିଥିଲା ହଠାତ୍ ଏମିତି କରୋନା ଯୋଗୁଁ ଲକ୍ ଡାଉନ୍ ହେଇଯିବ ? ଶ୍ରାଦ୍ଧ ପରଦିନ ଭୁବନେଶ୍ୱର ଫେରିବା କଥା । ସେଦିନ ଘୋଷିତ ହେଲା ଲକ୍ ଡାଉନ୍। ସାରା ଦେଶରେ ଗଡୁଥିବା ସବୁ ଗାଡିମାନଙ୍କର ହଠାତ୍ ଚକାଯାମ୍ ସହିତ ସ୍ବାତୀ ଓ ଶୁଭମ୍'ର ମୁଣ୍ଡଟିମାନ ଯାମ୍ ହେଇଗଲା।


ଶୁଭମ୍ ତ ପୁରା କାନ୍ଦି ପକେଇଲା....ଏବେ ଆମେ କ'ଣ କରିବା ବାବା?ଆମେ ଆଉ ଭୁବନେଶ୍ୱର ଯାଇ ପାରିବାନି?ଏଠି ତ ମୋର କେହି ସାଙ୍ଗସାଥୀ ନାହାଁନ୍ତି,କାହା ସାଙ୍ଗରେ ଖେଳିବି?ଓହୋ କି ବୋର୍ !


ଜେଜେମା କହିଲେ....ଧନରେ କିଛି ବୋର୍ ହବୁନି ତୁ। ମୁଁ ତୋର ସାଙ୍ଗ।ଲୁଡୁ,ଛକିଶୁନ,ସାପସିଢୀ,କାଞ୍ଜିପଟା.. ଏମିତି କେତେ କ'ଣ ଖେଳ ମୁଁ ତୋ ସାଙ୍ଗରେ ଖେଳିବି।ତୋ ଜେଜେଙ୍କ ବଗିଚା ବୁଲିବା...କଲମୀ ଆମ୍ବ,ଲିଚୁ, ପିଜୁଳି..କେତେ କଣ ଫଳିଚି...ଖାଇବାକୁ ଦେବି। ମନଦୁଃଖ କରେନା।ଆ, ମୁଁ ଚଉରା ପୂଜା କରୁଚି,ମୋ ପାଖରେ ବସି ଦେଖିବୁ।


ଜେଜେମା ଚଉରା ପୂଜା କଲାବେଳେ ପାଖରେ ହାତ ଯୋଡି ବସିଲା ଶୁଭମ୍।ଗୁଡ଼ରେ ତିଆରି ଲିଆ ମୁଆଁର ଚଉରା ପୂଜା ଭୋଗ ଖୁଆଇ ଦେଲେ ଜେଜେମା।ଶୁଭମ୍ କହିଲା...ଜେଜେମା ମତେ ବ୍ରେକଫାଷ୍ଟରେ ତମେ ଆଜି ଖାଲି ଲିଆ ମୁଆଁ ଦବ?


ସକାଳ ଜଳଖିଆରେ ଖିରରେ ଲିଆ ମୁଆଁ ପକେଇ ଜେଜେମା ଯେତେବେଳେ ଶୁଭମ୍ କୁ ଦେଲେ ତାକୁ ଅମୃତ ଖାଇଲାଭଳି ଲାଗିଲା।ପଚାରିଲା... ଜେଜେମା,ମାମା କାହିଁକି ଏମିତି ଲିଆ-ମୁଆଁ କରିପାରୁନି।ଜେଜେମା ହସି ହସି କହିଲେ...ତୋ ମାମାକୁ ମୁଁ ଶିଖେଇ ଦେବି .. ତିଆରି କରି ତତେ ଦବ।


ଜେଜେମା ସାଙ୍ଗରେ ବାରିଆଡେ ଗଲା ଶୁଭମ୍।କେତେ ପ୍ରକାର ପନିପରିବାରେ ପୂର୍ଣ୍ଣ ବାରିଆଡ...ମୁକ୍ତକେଶୀ ବାଇଗଣ, ଭେଣ୍ଡି,ଥୋଲୀ ଜହ୍ନି,ରସାଳ ଝୁଡୁଙ୍ଗ,କୋଶଳା ଶାଗ, ଖଡା ଶାଗ, ସଜନା ଛୁଇଁରେ ଭରା ଗଛ,ଧାନୁଆ ଲଙ୍କା ଇତ୍ୟାଦି।


ବାଡ଼ରେ ଲତାରେ ଫୁଟିଥିବା ଛୋଟ ଛୋଟ ଫୁଲକୁ ନଚିହ୍ନିପାରି ଶୁଭମ୍ ପଚାରିଲା...ଏଇଟା କି ଫୁଲ ଜେଜେମା?

ଜେଜେମା କହିଲେ...ତା'ନାଆ ହଉଚି ଝୁମ୍ପୁଡି ଫୁଲ।ପାଳ ଛତୁ ସାଙ୍ଗରେ ଭାଜିଲେ ଭାରି ବଢିଆ ଲାଗେ।ଆଜି ମୁଁ ତତେ ଖାଇବାକୁ ଦେବି।


ଶୁଭମ୍ କହିଲା...ପାଳଛତୁ କୁଆଡୁ ଆସିବ ଜେଜେମା?

ଜେଜେମା ପାଳଛତୁ ଫୁଟିଥିବା ବେଡ୍ ପାଖକୁ ଶୁଭମ୍ କୁ ନେଇଗଲେ...

ବାଃ ! କେତେ ଛତୁ !... ଶୁଭମ୍ ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଲା।ଜେଜେମା ଛତୁ ତୋଳା ଶିଖେଇ ଦେଲେ।ଖୁସିରେ ପାଛିଏ ଛତୁ ତୋଳିଲା ଶୁଭମ୍।ତାପରେ ଜେଜେଙ୍କ ଫଳବଗିଚା ଆଡେ ବୁଲିଗଲେ ଜେଜେମା ନାତି ସହିତ।କଲମୀ ଗଛରେ ପେନ୍ଥା ପେନ୍ଥା ହୋଇ ଆମ୍ବ ଝୁଲୁଛି,ଲିଚୁ ଗଛରେ ପେନ୍ଥା ପେନ୍ଥା ଲିଚୁ।ଗଛରୁ ଶୁଣାଯାଉଛି କୋଇଲିର ସୁମଧୁର କଣ୍ଠସ୍ୱର।କୋଉ ସ୍ବପ୍ନ ରାଇଜରେ ହଜିଗଲାଭଳି ଲାଗିଲା ଶୁଭମ୍'କୁ।


ଘରକୁ ଫେରୁ ଫେରୂ ବାରଟା...କାଳୀଗାଇ ଖିରରେ ମ୍ୟାଙ୍ଗୋ ସୁଫ୍'ଲେ ତିଆରି କରି ନାତିକି ପିଆଇଲେ ଜେଜେମା। ଶୁଭମ୍ କହିଲା...ଏଠି ଖିରି କି ମିଠା ! ଭୁବନେଶ୍ୱର ରେ କାହିଁକି ଏମିତି ଖିରି ମିଳୁନି ?

ହସିହସି ଜେଜେମା କହିଲେ...ସେଠି କାଳିଗାଈ ନାହିଁ, ସେଥିପାଇଁ।


ପଡିଶାଘର ଟୁକୁନାକୁ ପଦ୍ମପୋଖରୀକୁ ପଠାଇ ପଦ୍ମ ନାଡ ମଗେଇଲେ ଜେଜେମା। ସେ ଦିନ ଲଞ୍ଚରେ ପଦ୍ମନାଡ ଭଜା, ଝୁମ୍ଫୁଡି-ଛତୁ ଭଜା, ଜହ୍ନି ବେସର ଆଉ ଜେଜେମାଙ୍କ ଜିରାବଟା ଦିଆ ସ୍ପେଶାଲ ମୁଗ ଡାଲମା ଖାଇ ଶୁଭମ୍ ଭାବିଲା...କୋଉ ଚିକେନ ମଟନ ଏହା ସହିତ ସମାନ ହେବ!


 ଦି'ପହରେ ଜେଜେମା ଙ୍କ ପାଖରେ ଶୋଇ କେତେ ନୂଆନୂଆ ଗପ ଶୁଣିଲା ଶୁଭମ୍...ବତ୍ରିଶ ସିଂହାସନ, ବୁଢୀ ଅସୁରୁଣୀ,ଟୁଆଁ ଟୁଇଁ, ଇତ୍ୟାଦି କେତେ କଣ।ଶୁଣୁ ଶୁଣୁ କେତେବେଳେ ନିଦ ଆସିଯାଇଛି,ତାକୁ ଜଣାନାହିଁ। 


ରାତିରେ ଶୋଇବା ସମୟ ଆସିବାରୁ ଶୁଭମ୍ କହିଲା ଜେଜେମା, ମୁଁ ଆଜି ତୁମ ପାଖରେ ଶୋଇବି।ବାବା କହନ୍ତି ତମେ ପିଲାବେଳେ ତାଙ୍କୁ କେତେ ନାନାବାୟା ଗୀତଗାଇ ଶୁଆଉଥିଲ, ମୁଁ ଆଜି ଶୁଣିବି ...ମତେ ଡାହାଣିଆ ଖରା ପଡ଼ିଛି ଗୀତଟି ଗାଇ ଶୁଆଇବ?

ଜେଜେମାଙ୍କ ଆଖିରେ ଲୁହ ଆସିଗଲା।କହିଲେ...ଧନରେ ଶୁଣ:-----

"ଡାହାଣିଆ ଖରା ପଡ଼ିଛି,ବେଳ ଯାଉଛି ବୁଡି,

କି ସୁନ୍ଦର ପାରା ଦୁଇଟି ଯାଉ ଅଛନ୍ତି ଉଡ଼ି !

ଆସ ଆସ ପାରା ଦୁଇଟି ମୋର ପିଢାରେ ବସ,

ଖାଇବାକୁ ଦେବି ତୁମ୍ଭକୁ ମୁଢ଼ି,ନଡ଼ିଆ ରସ,

ପିଇବାକୁ ଦେବି ତୁମ୍ଭକୁ ପଦ୍ମ ପୋଖରୀ ପାଣି,

ଶୋଇବାକୁ ଦେବି ଖଟୁଳି ମାଳି ଘରୁ ମୁଁ ଆଣି,......"


         ଗୀତ ଶୁଣୁ ଶୁଣୁ ଅଧା-ନିଦିଆ ହୋଇ ଶୁଭମ କହିଲା..ଜେଜେମା,ମୁଢ଼ି ନଡ଼ିଆ ରସ ଖାଇବି।ଜେଜେମା'ଙ୍କ ଆଖିରେ ଲୁହ ଆସିଗଲା...ତୋ ବାପା ମଧ୍ୟ ପିଲାଦିନେ ଏମିତି ଗୀତ ଶୁଣୁ ଶୁଣୁ ମୁଢ଼ି ନଡ଼ିଆ ରସ ମାଗେରେ ଧନ।


ତା ପରଦିନ ସକାଳେ ବାରିନଡିଆ କୋରି ସେଥିରୁ ରସ ବାହାର କରି ଘରଭଜା ମୁଢ଼ି ସହିତ ଶୁଭମ୍ କୁ ଖାଇବାକୁ ଦେଲେ ଜେଜେମା।ହେଣ୍ଡିମାରି ଶୁଭମ୍ କହିଲା... ବାଃ କି ମିଠା !


ଶୁଭମ୍ ର ଖୁସି ଦେଖି ସ୍ବାତୀ ମଧ୍ୟ ଖୁବ୍ ଖୁସି ଥିଲେ।ଶାଶୁଙ୍କ ନିର୍ମଳ ବ୍ୟକ୍ତିତ୍ବ ତାଙ୍କୁ ପ୍ରଭାବିତ କରିଥିଲା।ଆଗରୁ କେବେ ଏତେଦିନ ଗାଁରେ ଶାଶୁଙ୍କ ପାଖରେ ସେ ରହି ନଥିଲେ।ପ୍ରଥମ ଥରପାଇଁ ଶାଶୁଙ୍କ ହୃଦୟର ଗଭୀରତା ସେ ମାପି ପାରିଲେ।ଶାଶୁଙ୍କ ପାଖରେ ମାଆର ସ୍ନେହଶ୍ରଦ୍ଧା ହୃଦୟଙ୍ଗମ କରିପାରିଲେ।


ଜେଜେମା ଙ୍କ ସହିତ କୋଡ଼ିଏ ଦିନ କେମିତି କଟିଗଲା ଜାଣି ପାରିଲାନି ଶୁଭମ୍।ଜେଜେମା ତା ଜୀବନର ବେଷ୍ଟ ଫ୍ରେଣ୍ଡ୍ ପାଲଟିଗଲେ ଆଉ ଗାଁ ପୃଥିବୀର ଶ୍ରେଷ୍ଠ ସ୍ଥାନ।

ପ୍ରଥମ ଲକ୍ ଡାଉନ୍ ଅବଧି ଶେଷ ହେବାପରେ ସୁଶାନ୍ତ ଙ୍କର ଫେରିବା ସମୟ ଆସିଲା। ଶୁଭମ୍ କିନ୍ତୁ ଭୁବନେଶ୍ଵର ଯିବା ମୁଡ଼ରେ ନଥିଲା।କହିଲା...ଆଉ କିଛି ଦିନ ରହିଗଲେ ଭଲ ହୁଅନ୍ତାନି?


ଗାଁରୁ ବିଦାୟ ନେବାବେଳେ ସୁଶାନ୍ତ ଲକ୍ଷ୍ୟକଲେ ସ୍ବାତୀର ଆଖି ଛଳଛଳ ହୋଇ ଉଠିଲା...ବୋଉ ମଧ୍ୟ କାନିରେ ଆଖିରୁ ଲୁହ ପୋଛୁଥିଲା।

ସୁଶାନ୍ତ ଭାବୁଥିଲେ...ଲକ୍ ଡାଉନ'ର ଖରାପ ପରିଣାମ ଯାହା ହେଉନା କାହିଁକି ,ତାଙ୍କ ପାଇଁ ଏହା ବରଦାନ ଥିଲା।

.....


Rate this content
Log in

More oriya story from Kulamani Sarangi

Similar oriya story from Inspirational