ବଳରାମ ବାରିକ

Inspirational

4.9  

ବଳରାମ ବାରିକ

Inspirational

ଜେଜେ ଗଛ

ଜେଜେ ଗଛ

3 mins
10.2K


କାହାଣୀ ଟା କେଉଁଠୁ ଆରମ୍ଭ କରିବି କିଛି ବୁଝି ପାରୁନି।

କଣ ଏମିତି ଲେଖି ଆରମ୍ଭ କରିବି ???

ସେ ଅନେକ ଦିନ ତଳର କଥା ଆମ ଗାଁ ରେ ଏକ ବଡ଼ ବର ଗଛ ଥିଲା ........

ନା ଏମିତି ଆରମ୍ଭ କରିବି ???

ବୃକ୍ଷ ଆମ ବନ୍ଧୁ ,ସେ ଆମକୁ ସୁଶୀତଳ ଛାଇ ଦିଏ।ଅମ୍ଳଜାନ ଦିଏ....ଏମିତି ଅନେକ।

ନା ନା ଭାବୁଛି ଆଉ ଟିକେ ଜମେଇକି ଆରମ୍ଭ କରିବି।

ଏତେ ବଡ଼ ନାୟକ କୁ ତ ଯଥୋଚିତ ସମ୍ମାନ ଦେବାକୁ ପଡିବ।

ମୁଁ ପ୍ରଥମେ ଯେବେ ଟଳ ମଳ ହୋଇ ମାଟି ଉପରେ ଠିଆ ହୋଇ ସିଧା ଚାହିଁଲି ମୋ ଚାରିପାଖ ସବୁଜ ବଳୟ ଥିଲା।

ମିଠା ଫଳ ଦେଉଥିବା ଅମୃତ ଭଣ୍ଡା ଗଛ ,ଶୀତଳ ଛାଇ ଦେଉଥିବା ଇନ୍ଦ ଗଛ ।କଦଳୀ, ଆମ୍ବ, ନଡ଼ିଆ ଗଛ ଗୁଡିକ ର ଦାତାପଣ ସାଙ୍ଗକୁ ,ଖରାଦିନେ ବାଉଁଶ ବୁଦା ରୁ ଯେଉଁ ପ୍ରାକୃତିକ ବାଦ୍ୟ ଧ୍ୱନି ସୃଷ୍ଟି ହୁଏ ତାହାକୁ ଶୁଣି ଶୁଣି ମୋର ଶୈଶବ କଟିଛି।

ଗାଁ ମୁଁଣ୍ଡ ରେ ବନ୍ଧ ତଳେ ବ୍ରାହ୍ମଣୀ ନଈ ବହି ଯାଇଛି।ବନ୍ଧ ଏପାଖ ରେ ଆମ ଗାଁ ର ବିଦ୍ୟାଳୟ।।ମୋର ଯାହା ମନେ ପଡୁଛି ମୁଁ ପ୍ରାଥମିକ ବିଦ୍ୟାଳୟ କୁ ଯେବେ ପ୍ରଥମେ ପାଠ ପଢିବାକୁ ଯିବା ଆରମ୍ଭ କଲି, ସେତେବେଳେ ଗାଁ କୁ ଟିକେ ଭଲ ସେ ଦେଖିଲି।ବୋଉ କହେ ମନ ଦେଇ ପାଠ ପଢ଼ିବୁ, ଦୁଷ୍ଟ ପିଲାଙ୍କ ସହ ମିଶିବୁନି ।ଆଉ ହଁ ..…...ବନ୍ଧ ଉପରକୁ ଜମାରୁ ଉଠିବୁନି।

ମୁଁ ପଚାରେ କାହିଁକି ଲୋ ବୋଉ ?

ବନ୍ଧ ଉପରେ କଣ ଅଛି କି ???

ତତେ ପରା କହିଲି ଯିବୁନି ,ଏତେ କଥା କାହିଁକି ପଚାରୁଛୁ!!!

ପିଲା ବେଳେ ବହୁତ ଜିଦଖୋର ଥିଲି ,ମୋତେ ଯିଏ ଯେଉଁ କଥା ସବୁ ମନା କରୁଥିଲା ମୁଁ ସେଇ କାମ ସବୁ କରୁଥିଲି ।ତାହା କରିବା ପଛରେ ମୋର ଏକାନ୍ତ ଅନୁସନ୍ଧିଛୁ ଇଚ୍ଛା ଛଡା ଆଉ କିଛି କାରଣ ନଥିଲା ।ଡାହାଣୀ କେମିତିକା ଦେଖିବାପାଇଁ ମରାଡାହାଣ ଧାଇଁ ଯାଉଥିଲି ,ଘଣ୍ଟା ଘଣ୍ଟା ଅପେକ୍ଷା କରୁଥିଲି ,କିନ୍ତୁ ଡାହାଣୀ ଆସୁନଥିଲେ।ଅପେକ୍ଷା କରି କରି ମୋତେ ଭୋକ ହିଁ ଆସୁଥିଲା।

ବୋଉ ର କଥା କୁ ହେୟଜ୍ଞାନ କରି ବନ୍ଧ ଉପରକୁ ଚଢିଲି ।ଆଉ ଯାହା ଦେଖିଲି

ମୋ ଆଖିକୁ ଵିଶ୍ଵାସ ହେଲା ନାହିଁ।ବିଶାଳ ବର ଗଛ।କାଉ ,କୋଇଲି, ବଣି ଆଦି କିଚିରି ମିଚିରି ଶବ୍ଦ ରେ ଆଖ ପାଖର ଇଲାକା କୁ ଲୋଭାଣିଆ କରିଦେଉଥିଲା।

ପାଚିଲା ବର ଫଳ ଗୁଡିକୁ ଖାଇଲା ପରେ ପକ୍ଷୀ ମାନେ ତଳକୁ କିଛି ଖସାଇ ଦେଉଥିଲେ ।ତଳେ ପିମ୍ପୁଡି ଦଳ ମିଠା ଫଳ କୁ ଆନନ୍ଦ ରେ ଭୋଜନ କରୁଥିଲେ । କୁମ୍ଭାଟୁଆ ର ଟୁହୁ ଟୁହୁ ରାଵ ସାଙ୍ଗକୁ କାଠ ହଣା ର ଟିକ୍ ଟାକ୍ ଶବ୍ଦ ସତେ ଯେମିତି ଲାଗୁଥିଲା ପ୍ରକୃତି ଓଠ ଖୋଲି କିଛି କହିବାକୁ ଚାହୁଁଛି।

ଦଣ୍ଡେ ଠିଆ ହୋଇ ସେଇ ବରଗଛ କୁ ତଳରୁ ଉପରକୁ ଚାହିଁଲି ଅନୁମାନ କଲି ଏ ବୋଧେ ବାପାଙ୍କୁ ଠୁ ବୟସ ରେ ବଡ଼ ହେବ।ଦେହ ସାରା ଥିବା ଖୋଲ ଆଉ ଧୁଡୁ ଧୁଡୁ ଚମଡା ଦେଖି କେହି ବି ତ ୟାକୁ କହିବ ବୟସ ର ଅପରାହ୍ନ ରେ ଦଣ୍ଡାୟମାନ।

ତା ଦେହରୁ ଯେଉଁ ଓହଳ ବାହାରିଛି ଅନେକ ମାଟିକୁ ଚୁମ୍ବନ କରି କରି , ପ୍ରେମ ସମ୍ପର୍କ ବଢ଼ାଇ ନବ କିଶଳୟ ସୃଷ୍ଟି କରିସାରିଲେଣି।ବୃଦ୍ଧ ଶରୀର ରେ ଶାଗୁଆ ଶାଖା ଅତ୍ୟନ୍ତ ସୌନ୍ଦର୍ଯ୍ୟମୟ ଦିଶୁଛି।ଡାହି ଗୁଡିକ ପରସ୍ପର ଛନ୍ଦା ଛନ୍ଦି ହୋଇ ଭାଇଚାରା ର ପରିଚୟ ଦେଉଛନ୍ତି ।ଏହି ଭାଇଚାରା ଯୋଗୁଁ ତ ଏଇ ବୁଢା କୁ ଷାଠିଏ ର ବନ୍ୟା ଆଉ ଅନେଶ୍ୱତ ବାତ୍ୟା ଦୋହଲାଇ ପାରିନଥିଲା।

କେଜାଣି କାହିଁକି ସେ ଦିନରୁ ନଈକୂଳ ରେ ଥିବା ଏହି ବରଗଛଟି ପ୍ରତି ମୋର ଅହେତୁକ ଭଲ ପାଇବା ବଢିଯାଇଥିଲା।ତାର ଓହଳ ରେ କେତେ ଦୋଳି ଖେଳିଛି।ଲୁଚକାଳି ଖେଳ ସମୟ ରେ କେତେ ଯେ ତାର କୋରଡ ଭିତରେ ଲୁଚିଛି।ଖୋଜି ଖୋଜି ମୋତେ କେହି ବି ପାନ୍ତି ନାହିଁ।

କଣ ନଦେଇଛି ସେ ଆମ ଗାଁ କୁ ଶୁଖିଲା ପତ୍ର, କାଠ ଦେଇଛି ଜାଳେଣି ପାଇଁ।ଶୀତଳ ପବନ ଦେଇଛି ବଞ୍ଚିବା ପାଇଁ।ପୂଜା ପର୍ବାଣୀ ରେ ତ ଏଇ ଗଛ ଚାନ୍ଦା ଦେଲାପରି ନିଜ ଶାଖା ପ୍ରଶାଖା ଦାନ କରିଦିଏ।ତାକୁ ଜାଳି ଭୋଜି ରନ୍ଧା ହୁଏ।।ଖରାଦିନେ ତ ଏଇ ଗଛ ମୂଳେ ନଡ଼ିଆ ପତ୍ରର ଚଟେଇ ବିଛେଇ ଗୁଲି ଗପ ମାରୁ ମାରୁ କୁରାଢ଼ିଆ ହାଇ ମାଡି ଆସେ ଆଉ ତାପରେ ନିଦ।

ପତ୍ର ଝଡ଼ା ଋତୁ ଆସିଲେ ହଳଦୀ ବସନ୍ତ ପରି ଦିଶେ ଏଇ ଗଛ।ଦରକଞ୍ଚା ହଳଦିଆ ପତ୍ର ର ଡେମ୍ଫ କୁ ଶୁଙ୍ଘିଛି, ଆହା କି ମହକ।

ଗାଁ ଲୋକେ ନଦୀ କୁ ଗାଧୋଇବାକୁ ଗଲାବେଳେ ତୋରଣ ପରି ସଜେଇ ହୋଇଥିବା ତାର ଡାହି ତଳ ଦେଇ ଯାନ୍ତି।ଏ ଦୃଶ୍ୟ ଦେଖି ଲାଗେ ସତେ ଯେମିତି ଏହି ଗଛଠୁ ଅନୁମତି ପାଇଲା ପରେ ଯାଇ ସମସ୍ତେ ନଦୀ ପଠାକୁ ଗାଧୋଇ ଯାଉଛନ୍ତି।

ଏହି ତୋରଣ ଦେଇ କେତେଯେ ଶବ ନଈ ଅତଡା ପାଖକୁ କୁ ଜୁଇ ରେ ଜଳିବାକୁ ଯାଇଛନ୍ତି ତାର ହିସାବ କାହା ପାଖରେ ନାହିଁ।କେତେଯେ ଭଙ୍ଗା ଚୁଡି ଏହାର କୋରଡ ଭିତରୁ ବାହାରିବ କେହି ଜାଣିନାହାନ୍ତି।ଆଜିକାଲି ତା ସାମ୍ନା ରେ ଛେଳି କଟା ଯାଇ ମାଂସ ବିକ୍ରି କରାଯାଉଛି। ଆଉ ସେ ଚୁପ ଚାପ ମୁକ ପଶୁ ଙ୍କ ହତ୍ୟା କୁ ଦେଖୁଛି। ପ୍ରତିବାଦ ବି କରିପାରୁନି।

ଗାଁ ର ସୁଖଦୁଃଖ, ଭଲମନ୍ଦ ,ହାନିଲାଭ ର ସାକ୍ଷୀ ସଦୃଶ୍ୟ ଠିଆ ହୋଇଛି ମୋର ଜେଜେ ବୟସ ର ଏହି ଗଛଟି।

ତାର ପାକୁଆ ପାଟିରେ ମୁରୁକି ମୁରୁକି ହସୁଛି।ବେଳେ ବେଳେ ଆଖି ମିଟିକା ମାରୁଛି।ମୋତେ ବି ଦେଖି ହସିଲା ,କହିଲା ତୁ ଏତେଦିନ ପରେ ଗାଁ କୁ ଆସିଛୁ ଆ... ମୁଁ ତୋତେ ଟିକେ କୋଳକୁ ନେଇଯାଏ।

ମୋ ଆଖିରୁ ଅଜାଣତରେ ଦୁଇଟୋପା ଲୁହ ବହିଗଲା ।ଭାବିଲି ମୋ ପୁଅ ତାର ଗୋସେଇଁ ଜେଜେ ପାଇଗଲା।

✍ବଳରାମ ବାରିକ।


Rate this content
Log in

Similar oriya story from Inspirational