ଇଣ୍ଡିଆନ ଆର୍ମି
ଇଣ୍ଡିଆନ ଆର୍ମି
ନଦୀ, ନାଳ, ଗହୀର, ବିଲ, ପାହାଡ଼, ପର୍ବତ ଏବଂ ଜନବସତିକୁ ଅତିକ୍ରମ କରି, ଅନ୍ଧାରର ବକ୍ଷ ଚିରି ଚିରି ରେଳଗାଡ଼ିଟି ଚାଲିଛି ତାର ଗନ୍ତବ୍ୟ ପଥରେ। ବେଳେବେଳେ ଛୋଟ ଛୋଟ ଷ୍ଟେସନ ଆସୁଛି ପୁଣି ମିଶି ଯାଉଛି ଅନ୍ଧକାର କାଳିମା ମଧ୍ୟରେ। ରାତି ଏଗାରଟା ପାଖାପାଖି ହେବ, ଗୋଟେ ଷ୍ଟେସନରେ କିଛି ସମୟ ପାଇଁ ଗାଡିଟି ଠିଆ ହେଲା। କିଛି ଯାତ୍ରୀ ଗାଡ଼ିରେ ଚଢିଲେ କିନ୍ତୁ ଗାଡି ଭିତରରେ ଭୀଷଣ ଭିଡ଼। ଏପରିକି ପିମ୍ପୁଡ଼ିଟିଏ ପଶିବା ମଧ୍ୟ କଷ୍ଟକର। ତେଣୁ କିଛି ଯାତ୍ରୀ ଗାଡ଼ିରେ ନ ଆସି ଓହ୍ଲାଇ ପଡିଲେ। ସେମାନଙ୍କ ମଧ୍ୟରୁ ଜଣେ ଯୁବକ ରେଳଗାଡ଼ିରେ ଥିବା ଶୌଚାଳୟ ପାଖରେ ଠିଆ ହୋଇ ଯାତ୍ରା ଆରମ୍ଭ କଲେ। କିନ୍ତୁ ସେଠାରେ ବି ଅନେକ ଭିଡ଼। ଶେଷରେ ତଳେ ଖବରକାଗଜ ପକାଇ ସେଇଠି ବସି ପଡିଲେ।
ଶୌଚାଳୟର ଦୁର୍ଗନ୍ଧ, ତା ସାଙ୍ଗକୁ ଲୋକମାନଙ୍କର ଯିବା ଆସିବା, କିଏ ଗୋଡ଼ ଉପରେ ଚଢ଼ି ଯାଉଥାଏ ତ କିଏ ପାଖରେ ଥିବା ବେସିନରେ ହାତ ଧୋଉ ଧୋଉ ଉପରେ ପାଣି ପଡି ଯାଉଥାଏ, କିନ୍ତୁ ନିରବ ନିଶ୍ଚଳ ହୋଇ ବସିଥାନ୍ତି ଯୁବକ। ଅନେକ ସମୟ ବସିବା ପରେ ଗୋଡ଼ ହାତ ଜାକି ସେଇଠି ଶୋଇଗଲେ ଚଦର ଖଣ୍ଡେ ଘୋଡ଼ିହୋଇ। ଗାଡିଟି ଚାଲିଥାଏ ତାର ଚିରାଚରିତ ଢଙ୍ଗରେ।
ସକାଳୁ ସକାଳୁ ଟିଟି ଆସି ସମସ୍ତଙ୍କ ଟିକେଟ ମାଗି ପରଖି ନେଉଥାଏ। ଏ ଯୁବକଙ୍କ ପାଳି ବି ପଡିଲା। ଟିକେଟ ଦେଖି ଟିଟି ସ୍ମିତହାସ୍ୟଟିଏ ଦେଲେ। ଟିକେଟ ଉପରେ ଲେଖା ଥିଲା "ଇଣ୍ଡିଆନ ଆର୍ମି"। ତାଙ୍କ ପାଟିରୁ ବାହାରି ଆସିଲା "ଆଇ ଆମ ସୋ ସରି", ତା ସହିତ କହିଲେ "ଆଉ କିଛି ସମୟ ପରେ ଆଗରେ ସିଟଟିଏ ଖାଲି ହେବ, ବସି ପଡିବେ"। ଏତକ କହି ଟିକେଟରେ ସିଟ ନମ୍ବର ଏବଂ ଡବା ନମ୍ବର ଲେଖି ଟିଟି ଚାଲିଗଲେ।
ଯୁବକ ଜଣକ ଭାରତୀୟ ସେନାର ଜଣେ ସୈନ୍ୟ। ମାଆଙ୍କର ଦେହ ଖରାପ ହେବାରୁ ହଠାତ୍ ଆସିବାକୁ ପଡିଲା, ତେଣୁ ଟିକେଟର ସିଟ ସଂରକ୍ଷିତ ହୋଇ ପାରିଲା ନାହିଁ। ଯୁବକ ଜଣକ ଅପେକ୍ଷା ନ କରି ଚାଲି ଆସିଲେ।
ଏ ଯୁବକ ଜଣେ ଯବାନ, ଏ କଥା ପାଖପାଖି ଲୋକଙ୍କୁ ଆଉ ଅଛପା ରହିଲାନି। ଭିଡ଼ ଭିତରୁ ଜଣେ ବୟସ୍କ ବ୍ୟକ୍ତି ଏକ ପ୍ରକାର ବାଧ୍ୟ କରି ନିଜ ସିଟରେ ବସାଇଲେ। ସାଙ୍ଗରେ ତାଙ୍କର ପରିବାର ବି ଯାତ୍ରା କରୁଥାନ୍ତି। ଭଦ୍ର ବ୍ୟକ୍ତିଙ୍କ ସହଧର୍ମିଣୀ ଯୁବକଙ୍କୁ ପଚାରିଲେ, ପୁଅ ସିଟ ପାଇଁ ତ ଅଭିଯୋଗ କରି ପାରିଥାନ୍ତ। ନ ହେଲେ କାହାକୁ କହି ତା ପାଖରେ ରାତିକ ପାଇଁ ବସି ପାରି ଥାଆନ୍ତ। ଯୁବକ ଜଣକ ଅଳ୍ପ ହସି କହିଲେ, ମୁଁ ସୈନ୍ୟ ବାହିନୀର ଚାକିରୀ କରିଛି ଦେଶର ସୁରକ୍ଷା ପାଇଁ କିନ୍ତୁ ତାକୁ ଉପଯୋଗ କରି ନିଜର ଫାଇଦା ଉଠାଇବା ପାଇଁ ନୁହେଁ।
ମହିଳା ଜଣକ କହିଲେ, ହେଲେ ପୁଅ ରାତି ସାରା କେତେ ହଇରାଣ ହେଇଥିବୁ?
ଯୁବକ ଜଣକ ହସି ହସି କହିଲେ, "ମା ଏ କି କଷ୍ଟ। ଆମକୁ ଏମିତି ତାଲିମ ଦିଆଯାଇଛି, ଆମେ ସବୁ ପ୍ରତିକୂଳ ପରିସ୍ଥିତିରେ ନିଜକୁ ଆଡ଼ଜଷ୍ଟ କରିନେଉ। ବରଫର ପାଦଦେଶ ହେଉ କିମ୍ବା ମରୁଭୂମିର ଅସହ୍ୟ ଗରମ। ସମୁଦ୍ରର ଜଳପଥରେ ଅବିରତ ପ୍ରେଟ୍ରୋଲିଂଗ ହେଉ କିମ୍ବା ଶତ୍ରୁମାନଙ୍କର ଗୁଳି ବର୍ଷା ହେଉ କିମ୍ବା କାଶ୍ମୀର ଯୁବକଙ୍କ ପଥର ଫିଙ୍ଗା, ଏସବୁ ଧୈର୍ଯ୍ୟ ଏବଂ ସାହସର ସହ ମୁକାବିଲା କରିବାକୁ ଆମେ ସଂକଳ୍ପବଦ୍ଧ। ସେ ସବୁ ଆଗରେ ଏ କଷ୍ଟ ତ କିଛି ବି ନୁହେଁ"।
ଏ ଯୁବକଙ୍କ କଥା ଶୁଣି ଡବାରେ ବସିଥିବା ସବୁ ଲୋକଙ୍କ ମୁଣ୍ଡ ସମ୍ମାନରେ ତଳକୁ ହୋଇଯାଉ ଥିଲା। ପାଖରେ ଜଣେ ଛୋଟ ପିଲା ବସିଥିଲା, ସେ ଗାଇ ଉଠିଲା "ଜାତୀୟ ପତାକା ଆକାଶେ ଉଡେ, ଦେଶ ଲାଗି ବୀର ସୈନିକ ଲଢ଼େ"। ସମସ୍ତେ ଏକା ସାଙ୍ଗରେ କହି ଉଠିଲେ "ଭାରତ ମାତାକି ଜୟ"।