Minakshi Samal

Inspirational

4.4  

Minakshi Samal

Inspirational

ଈଶ୍ବରଙ୍କ ଇଛା

ଈଶ୍ବରଙ୍କ ଇଛା

4 mins
22.9K



ଆରେ ଶୁଣୁଛ।ଲିନୁ ଫୋନ କରିଥିଲା।କହୁଥିଲା ସୋମୁ ର ପରୀକ୍ଷା ସରିଯିବ ମାର୍ଚ୍ଚ ୧୮ ତାରିଖରେ।ତାପରଠୁ ସେ ଘରେ ରହିବ ଏକୁଟିଆ।ଲିନୁର ସ୍କୁଲରେ ଖରା ଛୁଟି ହେଉ ହେଉ ମେ ମାସ ପ୍ରଥମ ସପ୍ତାହ।ସେତେ ଦିନ ପର୍ଯ୍ୟନ୍ତ ପିଲାଟି ଏକୁଟିଆ କେମିତି ରହିବ ଭାବି ବ୍ୟସ୍ତ ହେଉଥିଲା ଲିନୁ।ପଚାରୁଥିଲା କିଛିଦିନ ପାଇଁ ତା ପାଖକୁ ଯାଇ ରହି ପାରିବି କି?ବାଲକୋନିରୁ ସ୍ବାମୀ ରଜତଙ୍କ ଉଦ୍ଦେଶ୍ୟରେ କହୁଥିଲେ 

ରୋଜି।


ହଁ,ଶୁଣିଛି ତମକଥା।ଏଥିପାଇଁ ମତେ କ'ଣ ପଚାରୁଛ?ଯାଉନ କିଛିଦିନ ଲିନୁ ପାଖରେ ରହିଆସ।ତାକୁ ଭଲ ଲାଗିବ।ନାତିଟା ବି ତା ଆଈ ସାଙ୍ଗରେ ସମୟ କାଟି ଖୁସି ହେଇଯିବ,କହିଲେ ରଜତ।


ତମେ କ'ଣ ମୋ ସାଙ୍ଗରେ ଯିବନି?


ଏବେ ଫେବୃୟାରୀ ମାସରେ ତମେତ ଜାଣ ବିଜନେସରେ କେତେ ଦାୟିତ୍ତ୍ବ।କିଏ ଅଛି ସମ୍ଭାଳିବାକୁ କହିଲ।ତାଛଡା ଏତେଦିନ ମୁଁ ଦିଲ୍ଲୀରେ ରହିପାରିବିନି।ତୁମପାଇଁ ଫ୍ଲାଇଟରେ ଟିକେଟ ବୁକ୍ କରିଦେଉଛି।ତୁମେ ନିଶ୍ଚିନ୍ତ ହୋଇ ପୁରା ମାର୍ଚ୍ଚ ମାସଟା ସେଠାରେ ରୁହ।ମୁଁ ମାର୍ଚ୍ଚ ୩୧ ତାରିଖରେ ଯାଇ ସେଠି ପହଞ୍ଚିଯିବି।ଝିଅଜ୍ବାଇଁଙ୍କ ସହିତ ଦୁଇ ତିନ ଦିନ ରହି ଏପ୍ରିଲ ୨ ତାରିଖରେ ତୁମକୁ ନେଇ ଫେରି ଆସିବି।


ନା ନା ,ଏତେଦିନ ତୁମକୁ ଛାଡି କେମିତି ରହିବି ମ।ତୁମ ଖିଆପିଆ କଥା କିଏ ବୁଝିବ?ହୋଟେଲ ଖାଇବା ତୁମ ଦେହରେ ଯାଏନି।ଖୁବ ବେଶୀ ହେଲେ ଆଠ/ଦଶ ଦିନ ରହିଯିବି।ତା ଠୁଁ ବେଶୀ ନୁହେଁ।ଆମର ବିବାହ ବାର୍ଷିକୀ ମାର୍ଚ୍ଚ ତେର ତାରିଖରେ।ତା ଆଗରୁ ମୁଁ ତୁମକୁ ଛାଡି ଯିବିନି।ଡାକ୍ତରଙ୍କ ଆପଏଣ୍ଟମେଣ୍ଟ ଡେଟ ଅଛି ୧୭ ମାର୍ଚ୍ଚରେ।ତାପରେ ଗୋଟେ ଡେଟ ଦେଖ।କହିଲେ ରୋଜୀ।


ହଉ ହଉ ମୁଁ ଟିକେ ଟ୍ରାଭେଲ ଏଜେଣ୍ଟ ସାଙ୍ଗରେ କଥା ହୋଇ ଦେଖୁଛି ଫ୍ଲାଇଟ ଟିକେଟ ମିଳିବ କି ନାହିଁ।ଏତକ କହି ରଜତ ଲାଗି ପଡିଲେ ଫୋନ କଲରେ।


ଖୁବ ସୁନ୍ଦର ଜୋଡି ରଜତ ଏବଂ ରୋଜିଙ୍କର।ସତେଯେମିତି ଭଗବାନ ବାଛିବାଛିକି ଦୁହିଁଙ୍କୁ ଦୁହିଁଙ୍କ ପାଇଁ ବନେଇଛନ୍ତି।ଏତେ ଭଲପାଇବା ,ଏତେ ସ୍ନେହ,ପ୍ରେମ,ଅନୁରକ୍ତି ସତରେ ବିରଳ ଲାଗେ।ରଜତଙ୍କ ବୟସ ପ୍ରାୟ ଷାଠିଏ ପାଖାପାଖି।ରୋଜୀଙ୍କୁ ପଞ୍ଚାବନ ବର୍ଷ।ଦେଖିଲେ ଆଦୌ ବୁଝିହୁଏନା ଏମାନଙ୍କର ବୟସ।ଦୁହେଁ ଖୁବ ସୁନ୍ଦର ଭାବେ ବୟସର ଛାପ ଠାରୁ ନିଜକୁ ଦୂରେଇ ରଖିବାକୁ ସକ୍ଷମ ହୋଇପାରିଛନ୍ତି।ଦୁଇଟି ଝିଅଙ୍କର ଜନକ ଜନନୀ ଏମାନେ।ବଡଝିଅ ଲିନୁ ତା ସ୍ବାମୀ ଆନନ୍ଦ ଓ ଦଶବର୍ଷର ପୁଅ ସୋମୁ ସହ ଦିଲ୍ଲୀରେ ରହେ।ସାନଝିଅ ତା ସ୍ବାମୀ ସହ ହାଇଦରାବାଦରେ।ସମସ୍ତେ ଖୁସିରେ ଅଛନ୍ତି ଯେଝା ସଂସାର ନେଇ।


ଦୁଇ ତିନି ବର୍ଷ ହେଲା ରୋଜିଙ୍କ ଆଣ୍ଠୁରେ ଖୁବ ଯନ୍ତ୍ରଣା।ଚାଲିଲା ବେଳେ ଭାରି କଷ୍ଟ ହୁଏ ତାଙ୍କୁ।ଆଣ୍ଠୁ ଜାଗାରେ ଥିବା ତରଳ ପଦାର୍ଥ କମିଯିବା ଯୋଗୁଁ ଏଭଳି କଷ୍ଟ ହେଉଛି ବୋଲି ଡାକ୍ତର କହିଥିଲେ ।ଏହି କଷ୍ଟର ଉପଶମ ପାଇଁ ଭୂବନେଶ୍ବର ରୁ ଆରମ୍ଭ କରି କଟକ ଏସ ସି ବି ମେଡ଼ିକାଲ କଲେଜର ବିଶିଷ୍ଟ ଡାକ୍ତର,ଦିଲ୍ଲୀ ଏମସ୍ ର ନାଁ କରା ଡାକ୍ତର ସମସ୍ତଙ୍କୁ ଦେଖାଇଛନ୍ତି ସେ।କୌଣସିଥିରେ କଷ୍ଟର ନିଦାନ ହୋଇପାରିନି।ଶେଷରେ ଆୟୁର୍ବେଦିକ ଚିକିତ୍ସାର ଶରଣ ପଶିଛନ୍ତି ରୋଜି।ଏଇ ଆୟୁର୍ବେଦ ଡାକ୍ତର ରୋଜିଙ୍କୁ ରକ୍ତଶର୍କରା ପରୀକ୍ଷା କରିବାକୁ କହିଥିଲେ।ପରୀକ୍ଷା ରିପୋର୍ଟ ଦେଖି ଦୁଇଜଣଙ୍କର ବିଶ୍ୱାସ ହେଲାନାହିଁ।ସୁଗାର୍ ଲେଭେଲ ବହୁତ ଅଧିକ ଥିଲା। ଡାଇଗ୍ନୋଷ୍ଟିକ ସେଣ୍ଟରର ଅନୁଧ୍ୟାନ ହୁଏତ ଭୂଲ ହୋଇପାରେ ଭାବି ଅନ୍ୟ ଗୋଟିଏ ଜଣାଶୁଣା ପାଥୋଲ୍ୟାବକୁ ଯାଇ ରକ୍ତ ପରୀକ୍ଷା ପରେ ଫଳାଫଳ ଏକରକମ ବାହାରିଲା।ଆଗରୁ ତାଙ୍କର ଏ ସମସ୍ୟା କେବେ ହୋଇନଥିଲା।ଦୁଇ ପତିପତ୍ନୀଙ୍କ ମନ ଖୁବ ଶଙ୍କାକୁଳ ହୋଇଗଲା।ରୋଜିଙ୍କ ଉପଚାର ପାଇଁ ବେଶୀ ଯତ୍ନଶୀଳ ଥିଲେ ରଜତ।ତାଙ୍କର ଡାଏଟ ଚାର୍ଟ ଠାରୁ ଆରମ୍ଭ କରି ମେଡିସିନ ଖାଇବା ପର୍ଯ୍ୟନ୍ତ ସବୁକିଛି ନିଜେ ଦେଖରେଖ କରୁଥିଲେ।


ଥରେ ଜଣେ ଡାକ୍ତର ରୋଜିଙ୍କୁ କହିଲେ,ମ୍ୟାଡାମ୍ କିଛି ମନେ କରିବେନି ଯଦି ମୁଁ ଗୋଟିଏ କଥା କହେ।ଆପଣଙ୍କୁ ଆଓ୍ବାର୍ଡ ମିଳିବା କଥା।


ବିସ୍ମୟର ଭାବ ମୁହଁରେ ନେଇ ରୋଜି ପଚାରିଲେ କାହିଁକି?ମୁଁ କ'ଣ କଳାକାର ନା ସେମିତି କିଛି କରିଛି ଯେ ମତେ ଆଓ୍ବାର୍ଡ ମିଳିବା କଥା କହୁଛନ୍ତି?


କଥା କ'ଣ କି ଆପଣଙ୍କ ଆଣ୍ଠୁର ଅବସ୍ଥା ଯାହା,ଆପଣ କେମିତି ଏତେ ବର୍ଷଧରି ସୁନ୍ଦର ଭାବରେ ଚାଲିବା କାମଟି ଚଳେଇ ନେଇଛନ୍ତି?


ଭାବିନିଅନ୍ତୁ ସେଇଟା ମୋର ସୌଭାଗ୍ୟ ଯେ ମୋର ଜୀବନସାଥୀ ମୋର ଏତେ ଯତ୍ନ ନେଉଛନ୍ତି ଯେ ଏସବୁ ମୋ ପାଇଁ ଏତେ ବଡ କିଛି ବୋଲି ମନେ ହେଉନି।ମୋ ଆଣ୍ଠୁ ଯନ୍ତ୍ରଣାର ଉପଶମ ପାଇଁ ସେ ସବୁକିଛି ପ୍ରଚେଷ୍ଟା କରିସାରିଲେଣି।ନି(ଆଣ୍ଠୁ)ଟ୍ରାନ୍ସପ୍ଲାଣ୍ଟ କରିବା କୁ ମୁଁ ରାଜି ହୋଇନଥିଲି ବୋଲି ସେଇଟା ହୋଇପାରିନି।ତେଣୁ ଏସବୁ ଏବେ ଦେହସୁହା ହୋଇଗଲାଣି।


ସେଦିନ ୧୮ ତାରିଖ ଥିଲା।ଘରେ ପଶୁ ପଶୁ ରଜତ କହିଲେ। ,ଶୁଣୁଛ ତୁମର ଟିକେଟ ମାର୍ଚ୍ଚ ୨୦ ତାରିଖକୁ କରିଦେଇଛି।ତୁମେ ସନ୍ଧ୍ୟା ଫ୍ଲାଇଟରେ ଦିଲ୍ଲୀ ଚାଲିଯିବ।ମୁଁ ୨୯ ତାରିଖ ସକାଳୁ ସକାଳୁ ପହଞ୍ଚି ଯିବି ଆଉ ୩୧ ତାରିଖରେ ଆମ ଫେରିବା ଟିକେଟ ମଧ୍ୟ କରିଦେଇଛି।


ରୋଜି ମନେ ମନେ ଝିଅ ପାଖକୁ ଯିବାର ଖୁସି ଅନୁଭବ କରୁଥିଲେ ମଧ୍ୟ ରଜତଙ୍କୁ ଏକୁଟିଆ ଛାଡି ଦିଲ୍ଲୀ ଯିବାର ଦୁଃଖ ମଧ୍ୟ ଅନୁଭବ କରୁଥିଲେ।ଦୀର୍ଘ ଚଉତିରିଶ ବର୍ଷର ଦମ୍ପତି ସେମାନେ।ଦୁହେଁ ଦୁହିଁଙ୍କ ପାଇଁ ସତେ ଯେତରି ପ୍ରତି ମୁହୁର୍ତ୍ତରେ ଆକୁଳ।ଅନ୍ତରର କୋହକୁ ଚାପି ସମସ୍ତ ପ୍ରକାର ପ୍ରସ୍ତୁତିରେ ଲାଗିପଡିଲେ ରୋଜି।୨୦ ରୁ ୨୮ ତାରିଖ ପୁରା ନ' ଦିନ ପାଇଁ ରଜତଙ୍କ ପସନ୍ଦର ସବୁ ପ୍ରକାର ଖାଇବା ଜିନିଷ ବନେଇ ଭିନ୍ନ ଭିନ୍ନ ଡବାରେ ପ୍ୟାକ କରି ଫ୍ରିଜରେ ପର୍ଯ୍ୟାୟ କ୍ରମେ ସକାଳ ଜଳଖିଆ,ମଧ୍ୟାହ୍ନଭୋଜନ ଓ ରାତ୍ରି ଭୋଜନର ଥାକରେ ସଜାଇ ରଖିଲେ।



ଫ୍ରାଏଡ୍ ରାଇସ ରଜତଙ୍କର ଖୁବ ପସନ୍ଦ।ତା ସାଙ୍ଗରେ ଚିଲି ଚିକେନ ବା ପନୀର ବଟର ମସଲା କରିଦେଇ ଯେତେବେଳେ ରୋଜି ଥାଳିରେ ପରଶି ଦିଅନ୍ତି,ସେତେବେଳେ ଖୁସିରେ ସାନପିଲାଟି ପରି ଉଛୁଳି ଉଠନ୍ତି ରଜତ।ତାଙ୍କର ଏଇଖୁସି ଟିକକ ଦେଖିବା ପାଇଁ ରୋଜି ରଜତଙ୍କ ଅନୁପସ୍ଥିତିରେ ଫ୍ରାଏଡରାଇସ,ଚିଲ୍ଲି ପନୀର ଓ ଚିକେନର ବିଭିନ୍ନ ସୁସ୍ୱାଦୁ ବ୍ୟଞ୍ଜନ ପ୍ରସ୍ତୁତ କରି ଡାଇନିଙ୍ଗ ଟେବୁଲ ଉପରେ ସଜେଇ ରଖି ତାଙ୍କର ଫେରିବା ପଥକୁ ଜଗି ବସନ୍ତି।ରଜତଙ୍କ ପାଇଁ ସେଦିନ ଖାଇବା ଥାଳି ସଜାଇବା ବେଳେ ଖୁବ ଆତ୍ମତୃପ୍ତି ଅନୁଭବ କରନ୍ତି ସେ।ଯଦିଓ ରଜତଙ୍କ ଠାରୁ କିଛି ମୃଦୁ ଗାଳି ଶୁଣିବାକୁ ମିଳେ ତଥାପି ତାହା ତାଙ୍କୁ ଖୁବ ଆମୋଦିତ କରେ।


ଆଜିକାଲି କିନ୍ତୁ ଏଇ ଜିନିଷ ସବୁ ତିଆରି କରିବା ବେଳେ ରଜତ ବାରଣ କରନ୍ତି।ବିଭିନ୍ନ ଆଳ ଦେଖାଇ ରୋଜିଙ୍କୁ ଫ୍ରାଏଡ ରାଇସ ନ ବନେଇବା ପାଇଁ ପ୍ରବର୍ତ୍ତାନ୍ତି।ରୋଜି ତାଙ୍କୁ ଯେତେ ବୁଝେଇଲେ ମଧ୍ୟ ସେ ସବୁ ଦରକାରୀ ସରଞ୍ଜାମ ନେଇ ଥାକରେ ରଖିଦିଅନ୍ତି ଓ ଜଗିକି ରହିଥାନ୍ତି ରୋଷେଇ ଘରେ।


ଅସଲ କଥାଟି ରୋଜି ମର୍ମେମର୍ମେ ଅନୁଭବ କରନ୍ତି।ରଜତଙ୍କ ପରି ତାଙ୍କୁ ମଧ୍ୟ ଫ୍ରାଏଡ୍ ରାଇସ ଖୁବ ପସନ୍ଦ।ଯେବେଠାରୁ ତାଙ୍କର ସୁଗାର(ମଧୁମେହ) ଧରାପଡିଛି ଡାକ୍ତର ତାଙ୍କୁ ଭାତ ଖାଇବାକୁ ବାରଣ କରିଛନ୍ତି।ଆଜିକାଲି ସେ ରୁଟି ହିଁ ଖାଉଛନ୍ତି ଦ୍ବିପ୍ରହର ଓ ରାତ୍ରି ଭୋଜନରେ।ରଜତ ମଧ୍ୟ ତାଙ୍କ ସହିତ ରୁଟି ଖାଇବାକୁ ଜିଦ କରୁଛନ୍ତି।


ରୋଜି ମଝିରେ ମଝିରେ ଖୁବ ବିରକ୍ତ ହୁଅନ୍ତି।କୁହନ୍ତି......ରୋଗ ତ ମତେ ହେଇଛି।ତମେ କ'ଣ ପାଇଁ ଭାତ ଖାଇବା ଛାଡି ଦେଉଛ?ଡାକ୍ତର କ'ଣ ତୁମକୁ ଭାତ ଖାଇବାକୁ ମନା କରିଛନ୍ତି?

ହସିଦେଇ ରଜତ କୁହନ୍ତି....ଆରେ ଜଣକ ପାଇଁ ଭାତ,ଜଣକ ପାଇଁ ରୁଟି କରିବା କ'ଣ ଦରକାର।ଦୁଇଜଣଙ୍କ ପାଇଁ ଏକା ବନେଇ ଦେଲେ କଥା ଶେଷ।ରୋଜି କିନ୍ତୁ ଠିକ ବୁଝିପାରନ୍ତି ରଜତଙ୍କର ତାଙ୍କ ପ୍ରତି ଥିବା ଅମାପ ସ୍ନେହ ଓ ସ୍ବାର୍ଥତ୍ୟାଗ।ଜଣେ ମଣିଷ ଏତେ ମାତ୍ରାରେ ସ୍ବାର୍ଥ ତ୍ୟାଗ କରି ପାରେ ଏକଥା ଭାବୁଥିବା ସମୟରେ ଆଖିରୁ ଅମାନିଆ ଲୋତକ ବିନ୍ଦୁ ବିନ୍ଦୁ ହୋଇ ଝରି ପଡୁଥିଲେ।


ଭାବପ୍ରବଣ ହୋଇଉଠୁଥିବା ରୋଜିଙ୍କୁ ଦୂରଦର୍ଶନରେ ପ୍ରସାରିତ ହେଉଥିବା ତାଜା ଖବର ଚମକାଇ ଦେଲା।କରୋନା ଭୂତାଣୁର ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଲକଡାଉନ ଘୋଷଣା କରି ସମସ୍ତ ବସ,ରେଳ ଓ ବିମାନ ସେବାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରି ଦେଇଥିଲେ।ଫୋନ ବାଜୁଥିଲା।ରଜତ ମଧ୍ୟ ଫୋନ କରି ଏଇ ଖବର ର ପୁଷ୍ଟି କରୁଥିଲେ।ଲ୍ୟାଣ୍ଡ ଲାଇନ ଫୋନଟି କେତେବେଳୁ ବାଜି ଚାଲିଥିଲା।ଝିଅ ଲିନୁ ଦିଲ୍ଲୀରୁ ଫୋନ କରି କହୁଥିଲା.....ମା,ଲକଡାଉନ ଯୋଗୁଁ ଆମକୁ ଘରୁ କାମ କରିବାକୁ ସ୍କୁଲ ଅଫିସରୁ ଆଦେଶ ମିଳିଛି।ତେଣୁ ମୁଁ ଘରୁ ଅନ ଲାଇନ ରେ କ୍ଲାସ ନେବି।ସୋମୁ କୁ ଆଉ ଏକୁଟିଆ ରହିବାକୁ ପଡିବନି।ଆନନ୍ଦ ମଧ୍ୟ ଘରେ ରହିବେ।ତେଣୁ ଆମପାଇଁ ବ୍ୟସ୍ତ ହେବୁନି।ପାପାଙ୍କ ସହିତ ତୁ ସାବଧାନରେ ଘରେ ରହିବୁ।ବାହାରକୁ ଯିବାକୁ ପାପାଙ୍କୁ ମନାକରିବୁ।


ରଜତଙ୍କୁ ଛାଡି ନଯାଇ ଥିବାରୁ ଆଶ୍ବସ୍ତି ଲାଭ କରୁଥିଲେ ରୋଜି। ସମସ୍ୟା ସ୍ବୟଂ ନିଜର ସମାଧାନର ରାସ୍ତା ଖୋଲିଦିଏ ଏକଥା ବିଶ୍ୱାସ କରିପାରୁନଥିଲେ ସେ ।ଠିକ ସମୟରେ ତାଙ୍କୁ ଠିକ ରାସ୍ତା ଦେଖାଇଥିବାରୁ ଈଶ୍ୱରଙ୍କୁ କୋଟି କୋଟି ପ୍ରଣାମ ଜଣାଉଥିଲେ ରୋଜି।

Prompt - 3




Rate this content
Log in

Similar oriya story from Inspirational