STORYMIRROR

Sangeeta Barik

Horror

4  

Sangeeta Barik

Horror

ହରର୍ ଫିଲ୍ମ

ହରର୍ ଫିଲ୍ମ

3 mins
283

ଆଜି ଜିତୁ ଭୀଷଣ ରାଗିଛି । ଘରେ ସମସ୍ତଙ୍କ ଉପରେ । ତାକୁ ଆଉ ଆଜିକାଲି କେହି ଭଲ ପାଉନାହାନ୍ତି । ସେଇଥିଲାଗି ବାପା ଆଜି ଭୀଷଣ ବାଡେଇଲେ । ଏସବୁ ପାଇଁ ମାଆ ଦାୟୀ । କାରଣ ତାର ଦିନସାରା ମୋବାଇଲ ଦେଖିବା କଥା ମାଆ ହିଁ ବାପାଙ୍କ ପାଖରେ କହିଛି । ଜେଜେ ଜେଜେମା ମଧ୍ୟ ଅଟକେଇଲେ ନାହିଁ । କେହି ତା କଥା ବୁଝୁନାହାନ୍ତି । ପରୀକ୍ଷା ସରିଛି । ସେ ଆଉ କଣ କରନ୍ତା । ସ୍କୁଲ ଖୋଲିଲେ ପାଠର ବୋଝ । ସ୍କୁଲ ଯିବ। ଟ୍ୟୁସନ୍ ଯିବ । ପୁଣି ଘରେ ହୋମ୍ ଟାସ୍କ୍ । ଏବେ ଛୁଟି ପଡିଛି ତଥାପି ସମସ୍ତେ କହୁଛନ୍ତି ପାଠ ପଢ । ବାପା ଜେନେରାଲ ନଲେଜ୍ ବହି ଆଣି ଦେଇଛନ୍ତି ପଢିବା ପାଇଁ । ଜେଜେ ମହାପୁରୁଷଙ୍କ ବହି ପଢିବାକୁ କହୁଛନ୍ତି । ତାର ଏସବୁରେ ରୁଚି ନାହିଁ । ତେଣୁ ସେ ମୋବାଇଲରେ ଫିଲ୍ମ ଦେଖୁଛି । ତା ମନକଥା କେହି ବୁଝିଲେନି । ଓଲଟା ଭୀଷଣ ବାଡେଇଲେ । ନା ତାର ଆଉ ଏଘରେ ରହିବା ଦରକାର ନାହିଁ । ଦିନରେ ସମସ୍ତେ ଚାହିଁଛନ୍ତି ।ତେଣୁ ସେ ରାତିରେ ଘର ଛାଡି ନିଶ୍ଚୟ ପଳେଇବ ।


     ରାତିରେ ସମସ୍ତେ ଖାଇପିଇ ଶୋଇଲେ । ଅଧରାତିରେ ଜିତୁ କବାଟ ଖୋଲି ବାହାରକୁ ଗଲା । ଜହ୍ନ ଆଲୁଅରେ ଚାରିଆଡେ ସଫା ଦେଖା ଯାଉଥାଏ । ସେ ଏକ ମୁହାଁ ହୋଇ ଚାଲିଲା । କୁଆଡେ ଯିବ କିଛି ଜାଣି ପାରୁନଥିଲା । କିଛି ବାଟ ଗଲାପରେ ସେ ଏକ ବଡ ପଡିଆ ଦେଖିଲା । ସେ ପଡିଆରେ ଅନେକ ସ୍ଥାନରେ କିଛି ଜଳା ହେଲା ପରି ଜଣା ପଡୁଥିଲା । କିଛି କିଛି ଦୂରରେ ପୁରୁଣା ଲୁଗା ଓ ଭଙ୍ଗା ହାଣ୍ଡି ପଡିଥିଲା । ତା'ର ମନେ ପଡିଲା ସେ ଏଇପଟେ ଦିନେ ବାପାଙ୍କ ସାଙ୍ଗରେ ଆସିଥିଲା । ବାପା ତାକୁ ଏଇଟା ଶ୍ମଶାନ ବୋଲି କହିଥିଲେ । କାହିଁକି କେଜାଣି ଟିକେ ଭୟ ଲାଗିଲା ତାକୁ । ସେ ଏପଟ ସେପଟ ଅନେଇଲା । ହଠାତ୍ ଦେଖିଲା ସେହି ପଡିଆ ଭିତରୁ ତାହାରି ବୟସର ଆଉ ଗୋଟିଏ ପିଲା ବାହାରି ଆସୁଛି । ତାକୁ ଦେଖି ଜିତୁର ଟିକିଏ ସାହସ ହେଲା । ପିଲାଟି ଜିତୁ ପାଖକୁ ଆସି ଟିକିଏ ହସିଦେଲା । ଜିତୁ ତାକୁ ପଚାରିଲା

     ତମେ କିଏ ? ଏତେ ରାତିରେ ଏଠାରେ କଣ କରୁଛ?

     ମୁଁ ରାଗିକି ଘରୁ ପଳେଇ ଆସି ଏଇଠାରେ ରହୁଛି ।ତମେ ମୋ ସାଙ୍ଗ ହେବ ?

     କଣ କହିବ କିଛି ବୁଝି ପାରିଲାନି ଜିତୁ । ସେ ବି ତ ରାଗି ଘରୁ ପଳେଇ ଆସିଛି । କୁଆଡେ ଯିବ କିଛି ଠିକଣା ନାହିଁ । ଯଦି ୟା ସାଙ୍ଗରେ ସାଙ୍ଗ ହୁଏ କ୍ଷତି କଣ? କିନ୍ତୁ ଏ ଶ୍ମଶାନରେ ରହି ହେବନି । ଏଇଟା ତ ଭୁତ ପ୍ରେତଙ୍କ ଜାଗା । ହଠାତ୍ ନଜର ପଡିଲା ସେହି ପିଲାଟିର ପକେଟ୍ ଉପରେ । କିଛି ଗୋଟିଏ ଲାଇଟ ଜଳିବା ଭଳି ଜଣାଗଲା । ଏଇଟା ନିଶ୍ଚୟ ମୋବାଇଲ ହୋଇଥିବ । ସେ ପିଲାଟିକୁ ପଚାରିଲା 

     ସେଇଟା କଣ ?

     ମୋବାଇଲ । ମୁଁ ସବୁବେଳେ ଏଇଟାରେ ଫିଲ୍ମ ଦେଖେ । ଖେଳେ । ତମେ ଯଦି ମୋ ସାଙ୍ଗ ହେବ ଆମେ ଦୁଇଜଣ ମିଶି ଫିଲ୍ମ ଦେଖିବା ।

     ମୋବାଇଲ କଥା ଶୁଣି ଜିତୁର ମନ ଖୁସି ହୋଇଗଲା ।ସେ ଭାବିଲା ପ୍ରସ୍ତାବଟା ମନ୍ଦ ନୁହେଁ । ଏଠାରେ ତ ବାପା ମାଆ ନାହାଁନ୍ତି ଆକଟ କରିବାକୁ କି ଗାଳି ଦେବାକୂ । ଖୁବ୍ ଭଲ ହେବ । ଏଠାରେ ସେ ସେହି ସାଙ୍ଗ ସାଙ୍ଗରେ ରହି ଦିନସାରା ମୋବାଇଲରେ ଫିଲ୍ମ ଦେଖିବ । ସବୁ ଠିକ୍ ଯେ କିନ୍ତୁ ଏ ଶ୍ମଶାନରେ ରହି ପାରିବନି । ତେଣୁ ସେ କହିଲା

     .ହଁ ଆମେ ସାଙ୍ଗ ହେବା । ମୋବାଇଲରେ ଫିଲ୍ମ ଦେଖିବା । କିନ୍ତୁ ଏ ଶ୍ମଶାନରେ ନୁହେଁ ।

     କାହିଁକି ?

     ଶ୍ମଶାନରେ ଭୁତ ପ୍ରେତ ରହନ୍ତି । ମୋର ସେମାନଙ୍କୁ ବହୁତ ଡର ।

     ପିଲାଟି ଜୋରରେ ହସି କହିଲା 

     ଆରେ ଭୁତ ପ୍ରେତ ବୋଲି କିଛି ନାହିଁ । ଏଗୁଡିକ ଖାଲି ହରର୍ ଫିଲ୍ମରେ ଦେଖାଯାଏ । ଏସବୁ ମିଛ ।

     ଦୁହେଁ ଚାଲିଲେ ଶ୍ମଶାନ ଭିତରକୁ । ଜିତୁକୁ ଅଳ୍ପ ଅଳ୍ପ ଡର ଲାଗୁଥାଏ । ତଥାପି ମୋବାଇଲ ଦେଖିବା ନିଶାରେ ସେ ସେହି ପିଲାଟି ସାଙ୍ଗରେ ଚାଲିଥାଏ । କିଛି ଦୂର ଗଲାପରେ ଦୁହେଁ ଗୋଟିଏ ଜାଗାରେ ବସି ପଡିଲେ । ପିଲାଟି ମୋବାଇଲ ଖୋଲିଲା । ସ୍କ୍ରିନରେ ଆରମ୍ଭ ହେଲା ଏକ ହରର୍ ଫିଲ୍ମ । ଜିତୁର ମନ ଖୁସି । ହଠାତ୍ ଜିତୁ ଲକ୍ଷ କଲା ପିଲାଟି ହାତରେ ଚାରୋଟି ଆଙ୍ଗୁଳି । ପୁଣି କିଛି ସମୟ ପରେ ପୁଣି ତିନୋଟି ଆଙ୍ଗୁଳି । ଜିତୁକୁ କାହିଁକି କେଜାଣି ଭୀଷଣ ଭୟ ଲାଗିଲା । ମୋବାଇଲ ଖୋଲିଲା ବେଳେ ପିଲାଟିର ସବୁଯାକ ଆଙ୍ଗୁଳି ଥିଲା । ଏବେ ହଠାତ୍ ଆଙ୍ଗୁଳି କମି ଯାଉଛି କେମିତି ? ସେ ପିଲାଟିର ପାଦକୁ ଲକ୍ଷ କଲା । ପାଦ ଦୁଇଟି ପଛକୁ ମୋଡି ହୋଇ ଯାଇଛି । ଜିତୁର ଦେହ ଥରିବାକୁ ଲାଗିଲା । ହଠାତ୍ ମୋବାଇଲର ଚାର୍ଜ ସରିଗଲା ।ମୋବାଇଲ ଲାଇଟ ବନ୍ଦ ହୋଇଗଲା । ସବୁଆଡେ ଅନ୍ଧାର । ଜିତୁ ଦେହରେ ଆଉ ଜୀବନ ନଥିଲା ଭଳି ତାକୁ ଲାଗିଲା । ସେ ସେହି ପିଲାଟିର ମୁହଁକୁ ଚାଲିଲା । ଅନ୍ଧାରରେ ତା ଆଖି ଦୁଇଟି କେବଳ ଜଳୁଥିଲା । ଚିତ୍କାର କରି ଉଠିଲା ଜିତୁ । ଦଉଡି ଆସିଲେ ମାଆ । ହଲେଇ ଦେଲେ ଜୋରରେ । ଜିତୁ ଚିତ୍କାର କରି କହୁଥିଲା ଭୁତ ଭୁତ । ବାପା ଦଉଡି ଆସି କହିଲେ ସବୁବେଳେ ହରର୍ ଫିଲ୍ମ ଦେଖୁଛି । ତେଣୁ ସ୍ବପ୍ନ ଦେଖି ଭୁତ ଭୁତ ବୋଲି ଚିତ୍କାର କରୁଛି । ପୁରା ବିଗିଡି ଗଲା ପିଲାଟା ।

     

    



Rate this content
Log in

Similar oriya story from Horror