STORYMIRROR

Narayan chandra Nayak

Classics

4  

Narayan chandra Nayak

Classics

ହରିଣା ମେଳା

ହରିଣା ମେଳା

2 mins
5

                 🌤ହରିଣା ମେଳା🌤
ରଜ ସଂକ୍ରାନ୍ତିରୁ ସପ୍ତାହ ବ୍ଯାପୀ ପ୍ରସିଦ୍ଧ ହରିଣା ମେଳା ଆୟୋଜିତ ହେବାକୁ ଯାଉଛି। ପୂର୍ବୀ ସିଂହଭୂମି ଜିଲ୍ଲାର ପୋଟକା ପ୍ରଖଣ୍ଡର ହରିଣା ଗ୍ରାମରେ ଏହି ମେଳା ହୋଇଥାଏ। ହରିଣା ଗ୍ରାମର ମୁକ୍ତେଶ୍ଵର ବାବାଙ୍କ ପ୍ରାଙ୍ଗଣରେ ବହୁ ଜାକଜମକରେ ମେଳା ହୁଏ। ୧୮୫୫ ମସିହାରୁ ଏହି ମେଳା ଆୟୋଜିତ ହୋଇ ଆସୁଅଛି। ଓଡ଼ିଆ ସଂସ୍କୃତି ପରମ୍ପରାର କୃଷି ଭିତ୍ତିକ ପର୍ବ ହେଉଛି ରଜ ପର୍ବ। ମୌସୁମୀ ବର୍ଷା ଆସିବା ପୂର୍ବରୁ କୃଷକମାନେ ନିଜର ଚାଷଜମିକୁ ଚାଷୋପଯୋଗୀ କରି ରଖିଥାନ୍ତି। ଆଷାଢ଼ ମାସର ପ୍ରବେଶରେ ଯେଉଁ ପହିଲି ବର୍ଷା ହୁଏ ସେହି ବର୍ଷା ପରଶରେ ଧରିତ୍ରୀ ମାତା ରଜସ୍ବଳା ହୁଅନ୍ତି। ଯେପରି ଗୋଟିଏ ନାରୀ ରଜବତୀ ହେବା ସମୟରେ ଦୈନନ୍ଦିନ କାର୍ଯ୍ୟରୁ ତାଙ୍କୁ ନିବୃତ୍ତ ରଖାଯାଏ। ଠିକ୍ ସେହିପରି ଧରିତ୍ରୀ ମାତା ରଜସ୍ବଳା ହୋଇଥିବାରୁ କୃଷି କାର୍ଯ୍ୟ କରାଯାଏ ନାହିଁ।ପ୍ରକୃତି ଓ ନାରୀତ୍ୱକୁ ସମ୍ମାନ ଜଣାଇବା ପାଇଁ ରଜ ପର୍ବ ପାଳନ କରାଯାଏ। ଯେହେତୁ ଏହି ସମୟରେ ଧରିତ୍ରୀ ମାତାଙ୍କୁ ବିଶ୍ରାମ ଦିଆଯାଏ, ଚାଷୀମାନେ ବସୁମତୀ ତଥା ହଳଲଙ୍ଗଳ ପୂଜନ କରିବା ସହ ଚାଷ କାମରୁ ବିରତି ନେଇଥାନ୍ତି। ଏହି ବିରତି ସମୟରେ ଘରର ଘରଣୀମାନେ ସାଧାରଣ କାମରୁ ଛୁଟି ନେଇ ନାନାଦି ଖେଳରେ ମାତନ୍ତି ଏବଂ ମଉଜ କରିଥାନ୍ତି। ଅଭିଆଡ଼ି ଝିଅମାନେ ଶାଢ଼ୀ ଆଦି ପିନ୍ଧି ଦୋଳି ଖେଳ, ପୁଚି ଖେଳ ଆଦିରେ ସମୟ ଅତିବାହିତ କରିଥାନ୍ତି। ପୁରୁଷ ମାନେ ତାସ୍, ପଶାପାଲି, ବାଗୁଡ଼ି ଆଦି ଖେଳରେ ନିଜକୁ ନିୟୋଜିତ କରି ମଉଜ କରିଥାନ୍ତି। ଏହି ରଜ ପର୍ବ ସାଧାରଣତଃ ପାଞ୍ଚଦିନ ଧରି ପାଳନ କରାଯାଏ। ଏହି ପର୍ବ ପାଳନ ବେଳେ ଓଡ଼ିଆ ଘର ମାନଙ୍କରେ ବିଭିନ୍ନ ପ୍ରକାର ପିଠା ପ୍ରସ୍ତୁତ କରାଯାଏ। ପିଠାପଣାରେ ଘର ବାସି ଉଠେ। ସେ ପୋଡପିଠା ହେଉ କି କାକରା, ମଣ୍ଡା, ମୁଆଁଡି ପିଠା। ପିଠା, ମିଠା, ରଜଦୋଳି, ରଜପାନରେ ପୁରପଲ୍ଲୀ ହସିଉଠେ।ରଜପର୍ବର ଶେଷ ଦିନ ବସୁମତୀ ସ୍ନାନ କରାଯାଏ।ବିଛିନ୍ନାଞ୍ଚଳ ସିଂହଭୂମିରେ ରଜପର୍ବକୁ ଓଡିଆଭାଷୀଙ୍କ ସହିତ ଆଦିବାସୀ ସମ୍ପ୍ରଦାୟର ଲୋକମାନେ ବହୁ ପ୍ରାଚୀନ କାଳରୁ ଏକାଠି ହୋଇ ପାଳନ କରିଆସୁଛନ୍ତି। ଏହି ରଜ ସଂକ୍ରାନ୍ତିକୁ ବହୁ ଆଡମ୍ବରରେ ଏଠାରେ ପାଳନ କରାଯାଏ, ହରିଣା ମେଳା ହେଉଛି ଏହାର ଗୋଟିଏ ଜ୍ବଳନ୍ତ ଉଦାହରଣ। କିମ୍ବଦନ୍ତୀ ଅନୁସାରେ ଭଗବାନ ଭୋଳାଶଙ୍କର ଏଠାରେ ୪୦୦ ବର୍ଷ ପୂର୍ବେ ଆର୍ବିଭୁତ ହୋଇଥିଲେ। ସେବେଠାରୁ ବାବା ମୁକ୍ତେଶ୍ଵର ପୀଠରେ ଭକ୍ତମାନେ ମାନସିକ ରଖି ପୂଜାର୍ଚ୍ଚନା କରିଆସୁଛନ୍ତି। ପ୍ରତିବର୍ଷ ଏହି ପ୍ରାଚୀନ ଶିବ ପୀଠରେ ରଜ ସଂକ୍ରାନ୍ତି ଦିନରୁ ମେଳା ଆରମ୍ଭ ହୁଏ। ଏହି ମେଳାରେ ବିଭିନ୍ନ ପ୍ରକାରର ଦୋଳି, ମୀନା ବଜାର, ଯାଦୁ ପ୍ରଦର୍ଶନ ଏବଂ ବିଭିନ୍ନ ପ୍ରକାରର ଘରୋଇ ଉପକରଣ ସହିତ ସୁସ୍ବାଦୁ ଖାଦ୍ୟର ଦୋକାନ ଲାଗିଥାଏ। ଅବିଭକ୍ତ ସିଂହଭୂମି ସହିତ ମୟୂରଭଞ୍ଜ, କେନ୍ଦୁଝର, ପୁରୁଲିଆ, ବାଙ୍କୁଡ଼ା, ଝାଡ଼ଗ୍ରାମ,ମେଦିନୀପୁର ଆଦି ଅଞ୍ଚଳରୁ ଲୋକମାନେ ଏହି ମେଳା ଦେଖିବାକୁ ଆସିଥାନ୍ତି। ହରିଣା ମେଳା ପ୍ରମାଣିତ କରୁଛି ଯେ ବିଛିନ୍ନାଞ୍ଚଳ ସିଂହଭୂମି ଓଡ଼ିଆ ସଂସ୍କୃତି ପରମ୍ପରା ସହିତ ଓତପ୍ରୋତ ଭାବରେ ଜଡିତ ହୋଇ ରହିଅଛି।
           ବନ୍ଦେ ଉତ୍କଳ ଜନନୀ 🙏





Rate this content
Log in

Similar oriya story from Classics