ଉତ୍କଳ ଆସୋସିଏସନ, ଜାମସେଦପୁର
ଉତ୍କଳ ଆସୋସିଏସନ, ଜାମସେଦପୁର
ବିଛିନ୍ନ ଉତ୍କଳ ଭୂଇଁର ସଂରକ୍ଷକ- ଉତ୍କଳ ଆସୋସିଏସନ
ବିଛିନ୍ନ ଉତ୍କଳର ଇସ୍ପାତ ନଗରୀ ଜାମସେଦପୁର (କାଳିମାଟି )ରେ ବହୁ ପୁରାତନ ଓଡ଼ିଆ ଅନୁଷ୍ଠାନ ରହିଛି। ସେମାନଙ୍କ ମଧ୍ଯରୁ ଉତ୍କଳ ଆସୋସିଏସନ ଓ ଗୋଲମୁରି ଉତ୍କଳ ସମାଜ ଅଗ୍ରଣୀ ଅନୁଷ୍ଠାନ ଭାବରେ ଓଡ଼ିଆ ଭାଷା ସଂସ୍କୃତିର ସୁରକ୍ଷା ଦିଗରେ କାର୍ଯ୍ୟ କରିଚାଲିଛନ୍ତି। ୧୯୩୬ ମସିହା ଅପ୍ରେଲ ୧ ତାରିଖରେ ଭାରତବର୍ଷର ପ୍ରଥମ ଭାଷା ଭିତ୍ତିକ ରାଜ୍ଯ ଓଡିଶା ଗଠନ ପୂର୍ବରୁ ଏହି ଦୁଇଟି ପୁରାତନ ଅନୁଷ୍ଠାନ ୧୯୩୪ ମସିହା ବେଳକୁ ଗଠିତ ହୋଇସାରିଥିଲା। ଏହି ଦୁଇ ପ୍ରାଚୀନ ଅନୁଷ୍ଠାନ ଗଠନ କରିବା ପାଇଁ ସେତେବେଳର ଜାତିପ୍ରେମୀ ଓଡ଼ିଆମାନଙ୍କୁ କେତେ ଯେ ସଂଗ୍ରାମ କରିବାକୁ ପଡିଥିବ। ବ୍ରିଟିଶ ଶାସିତ ଭାରତବର୍ଷରେ ଖଣ୍ଡ ବିଖଣ୍ଡିତ ଓଡ଼ିଆ ଅଞ୍ଚଳକୁ ନେଇ ଗୋଟିଏ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ କରିବା ପାଇଁ ଯେଉଁ ଭାଷା ଆନ୍ଦୋଳନ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ନେତୃତ୍ବରେ କରାଯାଇଥିଲା, ସେ ଆନ୍ଦୋଳନରେ ସ୍ଥାନୀୟ ଓଡ଼ିଆଭାଷୀ ମାନେ ମଧ୍ଯ ନିଜର ଯୋଗଦାନ ଦେଇଥିବେ। କାରଣ ଅବିଭକ୍ତ ସିଂହଭୂମି ସମେତ ସିମଡେଗା, ଖୁଣ୍ଟି, ଗୁମ୍ଲା ଏକଦା ଅଖଣ୍ଡ କଳିଙ୍ଗର ଅନ୍ତର୍ଗତ ଥିଲା। ସେଥିପାଇଁ ଏ ଅଞ୍ଚଳରେ ବହୁ ଓଡ଼ିଆଭାଷୀ ଲୋକ ବସବାସ କରିଆସୁଛନ୍ତି। ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ନେତୃତ୍ବରେ ପଣ୍ଡିତ ଗୋଦାବରୀଶ ମିଶ୍ର ଅବିଭକ୍ତ ସିଂହଭୂମିରେ ଓଡ଼ିଆ ବିଦ୍ଯାଳୟମାନ ପ୍ରତିଷ୍ଠା କରି ଏଠାରେ ଓଡ଼ିଆ ଭାଷା, ସଂସ୍କୃତିର ସୁରକ୍ଷା ଦିଗରେ କାର୍ଯ୍ୟ କରିଥିଲେ। ତେଣୁ ଗୋପବନ୍ଧୁଙ୍କୁ ସିଂହଭୂମିଆ ମାନେ କେବେବି ଭୁଲି ପାରିବେ ନାହିଁ। ଅବିଭକ୍ତ ସିଂହଭୂମି ଷଢେଇକଳା, ଖରସୁଆଁ, ଜାମସେଦପୁର, ଚକ୍ରଧରପୁର, ଖଣ୍ଡମୌଦା ଆଦି ସ୍ଥାନରେ ଦାସେଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରି ଏଠାକାର ଓଡ଼ିଆ ମାନେ ତାଙ୍କର ଗୁଣଗାନ କରିଆସୁଛନ୍ତି। ଛିନ୍ନଭିନ୍ନ ଗୋଟିଏ ଜାତିର ପରିଚୟ ପାଇଁ ଯେତେବେଳେ ଓଡ଼ିଶା ରାଜ୍ଯ ଗଠନ ହେଲା ସିଂହଭୂମି ପରି ଗୋଟିଏ ଓଡ଼ିଆ ବହୁଳ ଅଞ୍ଚଳ ସେ ରାଜ୍ଯରେ ସମ୍ମିଳିତ ହୋଇ ପାରିଲା ନାହିଁ। ଯାହା ଫଳରେ ସିଂହଭୂମି ବିହାର ରାଜ୍ଯରେ ରହିବା ଫଳରେ ଓଡ଼ିଆ ଭାଷା,ସଂସ୍କୃତି ସଂଙ୍କଟରେ ପଡିଲା। ବିଛିନ୍ନ ଉତ୍କଳ ଭୂଇଁରେ ଓଡ଼ିଆ ଭାଷା,ସଂସ୍କୃତି,ପରମ୍ପରାର ସୁରକ୍ଷା ଦିଗରେ କାର୍ଯ୍ୟ କରିବା ପାଇଁ ଉଭୟ ଅନୁଷ୍ଠାନ ନିଜର ଅଣ୍ଟା ଭିଡିଲେ। କାର୍ଯ୍ୟ ସୁତ୍ରରେ ଯେଉଁ ଓଡ଼ିଆ ମାନେ ଏଠାକୁ ଆସିଲେ ସେମାନେ ନିଜକୁ ପ୍ରବାସୀ ଓଡ଼ିଆ ଭାବରେ ପରିଚୟ ଦେଲେ। ଯେଉଁମାନେ ଏଠାରେ ଆବହମାନ କାଳରୁ ରହିଆସୁଛନ୍ତି ସେମାନେ ନିଜକୁ ମୂଳବାସୀ ଭାବରେ ଦର୍ଶାଇଲେ। ସ୍ବତଃପ୍ରବୃତ୍ତ ଭାବରେ ଉତ୍କଳ ଆସୋସିଏସନ ଉଭୟ ପ୍ରବାସୀ ଏବଂ ମୂଳବାସୀ ଓଡ଼ିଆମାନଙ୍କ ପାଇଁ ସଂରକ୍ଷକ ଭାବରେ ଦଣ୍ଡାୟମାନ ହୋଇସାରିଥିଲା। ବିହାର ରାଜ୍ଯରେ ଥିବା ସମୟରେ ଏହି କେନ୍ଦ୍ରୀୟ ଅନୁଷ୍ଠାନ ଓଡ଼ିଆ ଭାଷାର ସୁରକ୍ଷା ପାଇଁ କାର୍ଯ୍ୟ କରି ଆସୁଥିଲା, ପରବର୍ତ୍ତୀ କାଳରେ ଝାଡଖଣ୍ଡ ଗଠନ ହେବା ପରେ ମଧ୍ଯ ନିଜର କାର୍ଯ୍ୟ କରିଚାଲିଛି।ବିଭିନ୍ନ କ୍ଷେତ୍ରରେ ଓଡିଆ ଲୋକ ପାରଙ୍ଗମ ହୋଇ ସମାଜର ଗାରିମାକୁ ବଢାଇବାରେ ଲାଗିଛନ୍ତି। ଓଡିଆ ନିଜର ବୁଦ୍ଧିମତା ପାଇଁ ସବୁଆଡ଼େ ପ୍ରଶଂସା ସାଉଁଟୁଛି। ଏ ଦିଗରେ ଓଡିଆ ଅନୁଷ୍ଠାନ ଗୁଡିକ କାର୍ଯ୍ୟ କରୁଛନ୍ତି। ଓଡିଆମାନଙ୍କ ହିତ ବିରୁଦ୍ଧରେ ଯଦି କିଛି କାର୍ଯ୍ୟ ହେଉଛି ସେମାନେ ପ୍ରତିବାଦ କରୁଛନ୍ତି। କିନ୍ତୁ କେନ୍ଦ୍ରୀୟ ଅନୁଷ୍ଠାନ ହିସାବରେ ଉତ୍କଳ ଆସୋସିଏସନର ଗୋଟିଏ ବଡ ଭୂମିକା ରହିଛି। ସମଗ୍ର ସିଂହଭୂମି କାହିଁକି ଝାଡଖଣ୍ଡ ରାଜ୍ଯରେ ବିଛିନ୍ନ ଓଡିଆଙ୍କ ଆଶା ଆକାଙ୍କ୍ଷା ପୂରଣ କରିବା ପାଇଁ ଏହି ଅନୁଷ୍ଠାନକୁ ସମସ୍ତ ଓଡିଆ ଭାଷୀ ସବୁବେଳେ ଚାହିଁ ରହିଛନ୍ତି। ତେଣୁ ଉତ୍କଳ ଆସୋସିଏସନର ଗୁରୁ ଦାୟିତ୍ୱ ହେଉଛି ଓଡିଆ ଭାଷୀଙ୍କ ଉତ୍ଥାନ ପାଇଁ ଅବିରତ କାର୍ଯ୍ୟ କରୁ। ଆହୁରି ଅନେକ କାର୍ଯ୍ୟ ବାକି ରହିଛି। ଚିନ୍ତା କରନ୍ତୁ ତ ଯେଉଁ ରାଜା ଆଦିତ୍ୟ ପ୍ରତାପ ସିଂହଦେଓଙ୍କ ନାମରେ ଆଦିତ୍ୟପୁର ନଗର ଗଢ଼ିଉଠିଛି, ସେଠାରେ ତାଙ୍କର ପ୍ରତିମୂର୍ତ୍ତିଟିଏ ବି ନାହିଁ, ଚକ୍ରଧରପୁର ନଗର ଯେଉଁ ଚକ୍ରଧର ସିଂହଙ୍କର ଗଢ଼ି ଗଢ଼ିଉଠିଛି,ତାଙ୍କର ପ୍ରତିମୂର୍ତ୍ତି ଟିଏ ବି ସେ ସ୍ଥାନରେ ନାହିଁ।ରାଜା ଅର୍ଜୁନ ସିଂହ, ଜଗୁ ଦେବାନ୍, ତାରାପଦ ଷଡଙ୍ଗୀ, ପଣ୍ଡିତ ବିଶ୍ବନାଥ କର, ରୁଦ୍ର ପ୍ରତାପ ଷଡଙ୍ଗୀ, କ୍ରୁଷ୍ଣଚନ୍ଦ୍ର ଆଚାର୍ଯ୍ୟ ଆଦି ମନୀଷୀଙ୍କ ଭୂମି ସହିତ ଉତ୍କଳମଣି ଗୋପବନ୍ଧୁଙ୍କ କର୍ମଭୂମିରେ ଓଡିଆ ଭାଷା ସଂସ୍କୃତିର ସୁରକ୍ଷା ଦିଗରେ କାର୍ଯ୍ୟ କରିବା। ଷଢେ଼ଇକଳା ଛଉ, ହରିଣା ମେଳା, କେରା ଭଗବତୀଙ୍କ ବିଷୁବ ମେଳାରେ ରଙ୍ଗାୟିତ ଓଡିଆ ସଂସ୍କୃତି ପରମ୍ପରାକୁ ବିଛିନ୍ନ ଉତ୍କଳର ମସ୍ତକ ରୂପେ ପରିଚିତ ଅବିଭକ୍ତ ସିଂହଭୂମିରେ ଆହୁରି ଆଗେଇ ନେବା। ସେଥିପାଇଁ ସଂକଳ୍ପବଦ୍ଧ ହେବା।
🙏ଜୟ ଜଗନ୍ନାଥ, ଜୟ ସିଂହଭୂମି, ବନ୍ଦେ ଉତ୍କଳ ଜନନୀ। 🙏
