ସିଂହଭୂମିର ସଂକ୍ଷିପ୍ତ ଅବଲୋକନ
ସିଂହଭୂମିର ସଂକ୍ଷିପ୍ତ ଅବଲୋକନ
*ସିଂହଭୂମିର ସଂକ୍ଷିପ୍ତ ଅବଲୋକନ*
ସିଂହଭୂମି ଭୂଖଣ୍ତ ପୃଥିବୀର ସର୍ବପ୍ରଥମ ସ୍ଥିର ଭୂଖଣ୍ତ ଯାହାକି ପ୍ରାୟ ୩୩୦- ୩୬୦ କୋଟି ବର୍ଷ ପୁରାତନ ଶିଳାଖଣ୍ତ ଭାବରେ ସମୁଦ୍ର ଗର୍ଭରୁ ବାହାରକୁ ଆସି ଭୂମିଖଣ୍ତ ରୂପରେ ରୂପାନ୍ତରିତ ହୋଇଥିଲା। ଏହି ସିଂହଭୂମି କ୍ରାଟନ ପ୍ରାୟ ୫୦,୦୦୦ ବର୍ଗ କିଲୋମିଟର ପରିବ୍ୟାପ୍ତ ଅଞ୍ଚଳ ଅଟେ। ଯେହେତୁ ସିଂହଭୂମି କ୍ରାଟନ ପ୍ରାଚୀନତମ ରୂପାନ୍ତରିତ ଶିଳାଖଣ୍ତ ଅଟେ ତେଣୁ ଏହି ଅଞ୍ଚଳ ଲୁହାପଥର, ତମ୍ବା, ୟୁରାନିୟମ, କ୍ରୋମାଇଟ୍, କୋଇଲା ଆଦି ଖଣିଜ ସମ୍ପଦରେ ପରିପୂର୍ଣ୍ଣ ଅଟେ। ଏହି ସ୍ଥଳଭାଗ ବାସପଯୋଗୀ ହେବା ପରେ ଉଦ୍ଭିଦ ଓ ପ୍ରାଣୀଜଗତ ସୃଷ୍ଟି ହେଲା। ଏ ଅଞ୍ଚଳର ସର୍ବପୂରାତନ ଆଦିମ ଅଧିବାସୀ ହେଉଛନ୍ତି ଭୂୟାଁ ସମ୍ପ୍ରଦାୟର, ଏହି ସର୍ବପୂରାତନ ଆଦିବାସୀ ମୁଖ୍ଯତଃ ବଣ ଜଙ୍ଗଲ, ପାହାଡ ଅଞ୍ଚଳରେ ବସବାସ କରନ୍ତି। ଏମାନେ କେନ୍ଦୁଝର, ସିଂହଭୂମି, ମୟୂରଭଞ୍ଜ, ସୁନ୍ଦରଗଡ,ଯାଜପୁର ଜିଲ୍ଲାରେ ବସବାସ କରିଆସୁଛନ୍ତି। ଗୋନାସିକା ପର୍ବତକୁ ଏମାନଙ୍କର ଉତ୍ପତ୍ତିସ୍ଥଳ ବୋଲି କୁହାଯାଏ। ଭୂୟାଁ ଜନଗୋଷ୍ଠୀକୁ ମୁଖ୍ଯତଃ ଦୁଇଟି ଉପଗୋଷ୍ଠୀରେ ବିଭକ୍ତ କରାଯାଇଛି ଯଥାକ୍ରମେ ପାହାଡ଼ି ଭୂୟାଁ ଏବଂ ମାଟି ଭୂୟାଁ। ସିଂହଭୂମିର ପ୍ରଥମ ଅଧିବାସୀ ଭୂୟାଁ ଜନଗୋଷ୍ଠୀ ଅଟନ୍ତି। ଯେଉଁ ଜନଗୋଷ୍ଠୀର ମାତୃଭାଷା ଉତ୍କଳ ଭାଷା(ଓଡ଼ିଆ) ଅଟେ। ଭୂୟାଁମାନେ ଦେବୀ ଉପାସକ ଅଟନ୍ତି। ପାଉଡି ମାତା ସେମାନଙ୍କର ଆରାଧ୍ୟ ଦେବୀ ଅଟନ୍ତି। ପ୍ରଭୁ ଶଙ୍କରଙ୍କ ଛାତିରେ ପା (ପାଦ) କୁ ହୁଡି କରି(ଭୁଲ ରେ) ପକାଇ ଥିବାରୁ ଲୋକମାନେ କାଳୀ ମାତାଙ୍କୁ ପାହୁଡି ବୋଲି କହୁଥିଲେ। ପାହୁଡୀର ଅପଭ୍ରଂଶ ପାଉଡୀ ବୋଲି ଜଣାଯାଏ। ଅନ୍ୟ ଅର୍ଥରେ ପର୍ବତକୁ ଓଡିଆ ଭାଷାରେ ପାହାଡ କୁହାଯାଏ। ମାତା ଦୁର୍ଗା ଶୈଳପୁତ୍ରୀ ବା ପର୍ବତ କନ୍ଯା ହୋଇଥିବାରୁ ତାଙ୍କୁ ଦେବୀ ପାର୍ବତୀ ବୋଲି କୁହାଯାଏ। ପର୍ବତ କନ୍ଯା ବା ପାହାଡି କନ୍ଯା ହୋଇଥିବାରୁ ପାହାଡ଼ୀ ଏବଂ ତାହା ଅପଭ୍ରଂଶ ହୋଇ ପାଉଡୀ ରୂପରେ ଜନାଦୃତ ହୋଇଅଛି। ତେଣୁ ପାଉଡୀ ମାତା ଭୂୟାଁ ଜନଗୋଷ୍ଠୀଙ୍କ ଇଷ୍ଟଦେବୀ ଅଟନ୍ତି। ଅଦ୍ଯାବଧି ଭୂୟାଁମାନେ ପାଉଡୀ ମାତାଙ୍କ ପୂଜକ ଭାବରେ ପୂଜାପାଠ କରିଆସୁଛନ୍ତି। ଭୂୟାଁ ଙ୍କ ବ୍ଯତୀତ ସାଉଁଟି,ପୁରାଣ, ବାଥୁଡି (ଓଡିଆ ଭାଷୀ ଆଦିବାସୀ), ଭୂମିଜ, ହୋ, ମୁଣ୍ଡା, ଶବର, ସାନ୍ତାଳୀ ଆଦି ଆଦିବାସୀ ଏଠାରେ ପ୍ରାଚୀନକାଳରୁ ବସବାସ କରିଆସୁଛନ୍ତି। ଏତଦବ୍ୟତୀତ ମାହାତୋ(ମହନ୍ତ) ଯେଉଁମାନେ ନିଜକୁ କୁଡୁମୀ ବୋଲି ଅଭିହିତ କରିଥାନ୍ତି ଏଠାରେ ବହୁକାଳରୁ ବସବାସ କରିଆସୁଛନ୍ତି। ଏମାନଙ୍କର ଇତିହାସରୁ ଜଣାଯାଏଯେ ଏମାନେ ଛୋଟନାଗପୁର ମାଳଭୂମିରେ ପ୍ରାୟ ୬୫ ହଜାର ବର୍ଷ ପୂର୍ବରୁ ବସବାସ କରିଆସୁଛନ୍ତି। ମାହାତୋ, ମହନ୍ତ, ମହତା ମାନେ ମାନଭୂମି, ସିଂହଭୂମି,କେନ୍ଦୁଝର,ମୟୂରଭଞ୍ଜ,ଯାଜପୁର ଅଞ୍ଚଳରେ ବସବାସ କରିଆସୁଛନ୍ତି ଏବଂ ସେମାନେ ଯେ ଓଡ଼ିଆ ଭାଷା, ସଂସ୍କୃତି ପରମ୍ପରାକୁ ନିଜର କରିସାରିଛନ୍ତି ଏଥିରେ ଦ୍ବିମତ ନାହିଁ। ଅଷ୍ଟ୍ରୋଏସିଆଟିକ୍ ଜନଗୋଷ୍ଠୀର ମୁଣ୍ତା, ହୋ, ସାନ୍ତାଳୀ, ଭୂମିଜ ଆଦି ଜନଜାତି ଲୋକ ପ୍ରାୟ ୪ ହଜାର ବର୍ଷ ଧରି ଏଠାରେ ବସବାସ କରିଆସୁଛନ୍ତି। କିନ୍ତୁ ଭୂୟାଁ ଜନଗୋଷ୍ଠୀ ଏଠାରେ ଆବହମାନକାଳରୁ ବସବାସ କରିଆସୁଛନ୍ତି ଯାହା ସେମାନଙ୍କୁ ଏଠାକାର ସର୍ବପ୍ରଥମ ପ୍ରାଚୀନ ଆଦିମ ଅଧିବାସୀ ଭାବରେ ପରିଗଣିତ କରାଉଛି। ଏହି ଭୂଖଣ୍ଡର ନାମକରଣ ସିଂହଭୂମି ଭାବରେ କିପରି ହେଲା ତାହାର ଦୁଇଗୋଟି ତଥ୍ଯ ଉପରେ ନିର୍ଧାରିତ କରାଯାଇଛି। ପ୍ରଥମ ହେଲା ହୋ ମାନଙ୍କର ଦେବତା ସିଂ ବୋଙ୍ଗା ଅନ୍ୟ ମତ ଯାହା ସବୁଠାରୁ ବେଶୀ ଗ୍ରହଣୀୟ ତାହା ହେଉଛି ସିଂହ ବଂଶର ରାଜାଙ୍କ ଭୂମି ଅର୍ଥାତ୍ ସିଂହଭୂମି। ଆଗଙ୍ଗାଗୋଦାବରୀ ପରିବ୍ୟାପ୍ତ କଳିଙ୍ଗର ଏହି ଉତ୍ତର ଭାଗ ଯଥାକ୍ରମେ ସିଂହଭୂମି, ସିମଡେଗା,ଖୁଣ୍ଟି ଗୁମଲା,ପୁରୁଲିଆ, ବାଙ୍କୁଡ଼ା, ମେଦିନୀପୁର ଆଦି ଗଜପତି ରାଜାଙ୍କର ଅଧୀନରେ ଥିଲା। ସିଂହଭୂମିର ଆଦିବାସୀ ମାନଙ୍କ ମଧ୍ଯରେ କଳହ ବାରମ୍ୱାର ଉଗ୍ର ହେଉଥିଲା। ସ୍ଥାନୀୟ କଳହକୁ ଦମନ କରିବା ନିମନ୍ତେ ପୁରୀ ଗଜପତି ରାଜା ନିଜର ଅନୁଗତ ସିଂହ ସାଙ୍ଗିଆ ଧାରୀ ରାଠୋର ବଂଶୀୟ କ୍ଷତ୍ରିୟଙ୍କୁ ଏଠାକୁ ପଠାଇଲେ, ଅନ୍ୟ ଏକ ମତରେ ସିଂହଭୂମିର ଆଦି ନରପତି ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ନିମନ୍ତେ ପୁରୀ ଯାଇଥିଲେ। ସେଠାରେ ସେ ପୁରୀ ରାଜାଙ୍କ ଛାମୁରେ ଯୁଦ୍ଧର ଅପୂର୍ବ କଳାକୌଶଳ ପ୍ରଦର୍ଶନ କରିଥିଲେ। ଗଜପତି ମହାରାଜ ତାଙ୍କର ଯୁଦ୍ଧ କଳାରେ ମୁଗ୍ଧ ହୋଇ ପୁରସ୍କାର ସ୍ବରୂପ ସିଂହଭୂମି ସାମନ୍ତ ଅଞ୍ଚଳରେ ରାଜ୍ଯ ସ୍ଥାପନ କରି ଶାସନ କରିବାକୁ ନିର୍ଦ୍ଦେଶ ଦେଲେ।ସିଂହ ରାଜବଂଶ ପୋଡାହାଟରେ ପ୍ରତିଷ୍ଠିତ ହେବା ପରେ ଏହି ଅଞ୍ଚଳ ସିଂହଭୂମି ଭାବରେ ଜନାଦୃତ ହେଲା। ସିଂହ ରାଜବଂଶ ସିଂହଭୂମିର ମୂଳ ଅଧିବାସୀ ଭୂୟାଁ ଜନଗୋଷ୍ଠୀଙ୍କ ଇଷ୍ଟଦେବୀ ମା ପାଉଡୀଙ୍କୁ ନିଜର ଇଷ୍ଟଦେବୀ ଭାବରେ ଗ୍ରହଣ କରିଲେ। ୧୨୦୫ ଖ୍ରୀଷ୍ଟାବ୍ଦରେ ଦର୍ପ ନାରାୟଣ ସିଂହ ସିଂହ ଶାସନର ଭିତ୍ତି ସ୍ଥାପନ କଲେ। ଅନ୍ୟ ପଟରେ ସାମନ୍ତ ରାଜା ଜଗନ୍ନାଥ ଧବଳଦେବ ଧଳଭୂମି ରାଜ୍ଯ ପ୍ରତିଷ୍ଠା କରି ଶାସନ କରୁଥିଲେ। ମୟୂରଭଞ୍ଜର ଅନ୍ତର୍ଗତ ଏହି ସାମନ୍ତ ରାଜ୍ଯର ଅଧିଷ୍ଠାତ୍ରୀ ଦେବୀ ମା ରଙ୍କିଣୀକୁ ସାନିଧ୍ୟ ଲାଭ କରି ଧଳବଂଶ ଏହି ଅଞ୍ଚଳକୁ ସମୃଦ୍ଧିଶାଳୀ କରିଲେ। ଓଡ଼ିଆ ଅଧିବାସୀଙ୍କ ବହୁଳତା ଏବଂ ଓଡ଼ିଆ ଭାଷାକୁ ନିଜର କରି ରାଠୋର ବଂଶୀୟ ଏହି ସିଂହ ସାଙ୍ଗିଆ ରାଜା ଏଠାରେ ନିଜର ରାଜ୍ଯ ସ୍ଥାପନ କଲେ। ସିଂହ ରାଜ ପରିବାର ଶାସନାଧିନ ଏହି ଅଂଚଳର ନାଁ ସିଂହଭୂମି ନାମରେ ଜନାଦୃତ ହେବାକୁ ଲାଗିଲା। ପୁରୀ ଗଜପତି ରାଜାଙ୍କ ଆନୁଗତ୍ଯ ହୋଇ ଏମାନେ ଏଠାରେ ଉତ୍କଳ ର ସଂସ୍କୃତିକୁ ପ୍ରଚାର ପ୍ରସାର କରିବାକୁ ଲାଗିଲେ। ଏହି ରାଜବଂଶର ତ୍ରୁତୀୟ ରାଜା କାଶିରାମ ସିଂହ ୧୨୭୨ ସାଲରେ ପୋଡାହାଟ ( ଚକ୍ରଧରପୁର) ଠାରେ ଏକ ଦୁର୍ଗ ନିର୍ମାଣ କରି ନୂତନ ରାଜ୍ଯ ସ୍ଥାପନ କଲେ। ରାଜା କାଶିରାମଙ୍କ ପରେ ରାଜା ଅଚ୍ଯୁତ ସିଂହ ନିଜର କୂଳ ଦେବୀ ମାଁ ପାଉଡିଙ୍କ ମନ୍ଦିର ସ୍ଥାପନା କରିଲେ। ୧୬୨୦ ସାଲରେ ରାଜା ବିକ୍ରମ ସିଂହ ଷଢେ଼ଇକଳା ରାଜ୍ଯ ସ୍ଥାପନ କଲେ। ୧୬୫୦ ସାଲରେ ରାଜା ବିକ୍ରମ ସିଂହଙ୍କ ବଂଶଜ ପଦ୍ମ ସିଂହ ପ୍ରୁଥକ ଖରସୁଆଁ ରାଜ୍ଯ ସ୍ଥାପନ କଲେ। ସମଗ୍ର ସିଂହଭୂମି ଯଥା ଷଢେ଼ଇକଳା-ଖରସୁଆଁ, ସିଂହଭୂମି ଓ ଧଳଭୂମି ଗଜପତି ରାଜାଙ୍କ ଅଧିନସ୍ଥ ଥିଲା। ପୋଡାହାଟ ପରବର୍ତ୍ତୀ ସମୟରେ ରାଜା ଚକ୍ରଧର ସିଂହଙ୍କ ନାମ ଅନୁସାରେ ଚକ୍ରଧରପୁର ନାମରେ ଖ୍ଯାତ ହେଲା। ରାଜା ଲକ୍ଷ୍ମୀ ନାରାୟଣ ସିଂହ କେରା ଗ୍ରାମରେ ମା କେରା ଭଗବତୀଙ୍କ ମନ୍ଦିର ସ୍ଥାପନା କରିଥିଲେ। ମା କେରାଙ୍କ ଆଶୀର୍ବାଦ ଲାଭ କରି ସିପାହୀ ବିଦ୍ରୋହ ସମୟରେ ପୋଡାହାଟ ରାଜା ଅର୍ଜୁନ ସିଂହ ଏବଂ ତାଙ୍କର ମୁଖ୍ଯ କର୍ମଚାରୀ ଜଗୁ ଦେବାନ୍ ଇଂରେଜମାନଙ୍କ ବିରୁଦ୍ଧରେ ସଂଗ୍ରାମରେ ଯୋଗ ଦେଇଥିଲେ। ଜଗୁ ଦେବାନଙ୍କ ନେତୃତ୍ବରେ ସମଗ୍ର ସିଂହଭୂମିରେ ଆନ୍ଦୋଳନ ଉଗ୍ର ରୂପ ଧାରଣ କରିଥିଲା। ଇଂରେଜମାନେ ବିଦ୍ରୋହକୁ ଦମନ କରିବା ପାଇଁ ବିଭିନ୍ନ କୌଶଳ ଅବଲମ୍ବନ କରିକି ମଧ୍ଯ ରାଜା ଅର୍ଜୁନ ସିଂହ ଏବଂ ଜଗୁ ଦେବାନଙ୍କୁ ଧରିବାରେ ବିଫଳ ହେଲେ। କିନ୍ତୁ କିଛି କୁଚକ୍ରୀଙ୍କୁ ହାତବାରିସି କରି ଉଭୟ ରାଜା ଅର୍ଜୁନ ଏବଂ ଜଗୁ ଦେବାନଙ୍କୁ ବନ୍ଦୀ କରିବାରେ ସଫଳ ହେଲେ। ରାଜା ଅର୍ଜୁନଙ୍କୁ ନେଇ ବନାରସ କାରାଗାରରେ ରଖିଲେ। ଜଗୁ ଦେବାନଙ୍କୁ ପୋଡାହାଟ ଠାରୁ ଅନତି ଦୂରରେ ନେଇ ଫାଶୀ ଦେଲେ। ସିଂହଭୂମିର ବୀର ଓଡ଼ିଆ ପୁଅ ଜଗୁ ଦେବାନ୍ ଦେଶମାତୃକାର ସେବାରେ ବ୍ରତୀ ହୋଇ ନିଜ ଜୀବନକୁ ଉତ୍ସର୍ଗ କରିଦେଲେ। ତାଙ୍କର ସ୍ମୃତିକୁ ଉଜ୍ଜୀବିତ ରଖିବା ପାଇଁ ସ୍ଥାନୀୟ ଓଡ଼ିଆ ମାନେ ଚକ୍ରଧରପୁର ଠାରେ ଜଗୁ ଦେବାନଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିଛନ୍ତି। ଷଢେ଼ଇକଳା ରାଜା ଆଦିତ୍ୟ ପ୍ରତାପ ସିଂହଦେଓ ଙ୍କ ନାମରେ ଆଦିତ୍ୟପୁର ନଗର ଗଠିତ ହୋଇଛି। ଷଢେ଼ଇକଳା ଏବଂ ଖରସୁଆଁ ଠାରେ ସିଂହ ରାଜବଂଶର କଳା ସ୍ଥାପତ୍ୟ ଏବେ ମଧ୍ଯ ଦେଖିବାକୁ ମିଳେ। ଏବେବି ଷଢେ଼ଇକଳା ଛଉ ନ୍ରୁତ୍ଯ ସାରା ବିଶ୍ବରେ ନିଜର ଶ୍ରେଷ୍ଠତା କୁ ପ୍ରତିପାଦିତ କରୁଅଛି। ଏଠାରେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ପରମ୍ପରା ଏବେବି ବିଦ୍ଯମାନ ରହିଅଛି।ଦୀର୍ଘ ବର୍ଷ ଧରି ଓଡ଼ିଆ ରାଜାମାନେ ଏହି ଅଂଚଳକୁ ଶାସନ କରୁଥିବା ହେତୁ ଏବେବି ଏଠାରେ ଓଡ଼ିଆ ସଂସ୍କୃତି ଓ ପରମ୍ପରାର ଝଲକ ଦେଖିବାକୁ ମିଳେ। ଓଡ଼ିଆ ସଂସ୍କୃତିକୁ ଲୋକମାନେ ଏବେବି ସମଗ୍ର ସିଂହଭୂମିରେ ବଂଚାଇ ରଖିଛନ୍ତି। ସିଂହଭୂମି ରାଜାମାନଙ୍କର ଢେଙ୍କାନାଳ, ପୁରୀ, ପାଟଣାଗଡ଼ ରାଜପରିବାର ମାନଙ୍କ ସହିତ ଘନିଷ୍ଠ ସମ୍ପର୍କ ରହି ଆସିଅଛି। ସିଂହଭୂମି ର ରାଜା ମାନେ ସିଂହ ସାଙ୍ଗିଆ ସହିତ ଦେବର ମିଶ୍ରଣ କରିଥିଲେ। ସେଇଥିପାଇଁ ସେମାନେ ନିଜ ନାମ ସହିତ ସିଂହଦେଓ ଲେଖିଥାନ୍ତି। ସିଂହଭୂମି ରାଜାମାନେ ନିଜ ମାତ୍ରୁଭାଷା ଓଡ଼ିଆକୁ ବହୁତ ଭଲ ପାଉଥିଲେ। ଏଠାରେ କୁହାଯାଉଥିବା ଓଡ଼ିଆ ଭାଷାକୁ ସାଧାରଣତଃ ସିଂହଭୂମି ଓଡ଼ିଆ ନାମରେ ଜଣାଯାଏ। ରାଜା ଆଦିତ୍ୟ ପ୍ରତାପ ସିଂହଦେଓଙ୍କ ରଚିତ "ହରିଶ୍ଚନ୍ଦ୍ର ନାଟକ", କୁମାର ବିଜୟ ପ୍ରତାପ ସିଂହଦେଓଙ୍କ ପୁସ୍ତକ 'ଅଭିରାମ ସିଂହ ', ପଣ୍ଡିତ ଶ୍ରୀ କ୍ରୁଷ୍ଣଚନ୍ଦ୍ର ଆଚାର୍ଯ୍ୟଙ୍କ 'ସିଂହଭୂମି ଓ ଓଡ଼ିଆ ଭାଷା'ର ଇତିହାସ' ଓଡ଼ିଆ ବାଣୀ ଭଣ୍ଡାରକୁ ଋଦ୍ଧିମନ୍ତ କରିଛି। ଶ୍ରୀମତୀ କୁମାରୀ ଦେବୀ ପଟାଏତୁଣୀଙ୍କ ଦ୍ବାରା ରଚିତ "ଭଜନମାଳା ", ଲକ୍ଷ୍ମୀ ନାରାୟଣ ସିଂହଦେଓଙ୍କ ରଚିତ "ଆନନ୍ଦ ଲହରୀ" , ଶ୍ରୀ କ୍ରୁଷ୍ଣ ଚରଣ ରଥଙ୍କ 'ଭୀଷ୍ମ ପଂଚକ ବ୍ରତ କଥା' ଆଦି ସିଂହଭୂମି ସାହିତ୍ୟର ଶ୍ରେଷ୍ଠତା କୁ ଦର୍ଶାଉଛି। ଇଂରେଜ ଶାସନ କାଳରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ପଣ୍ଡିତ ଗୋଦାବରୀଶ ମିଶ୍ର ସମଗ୍ର ସିଂହଭୂମିରେ ଓଡ଼ିଆ ବିଦ୍ଯାଳୟ ଗୁଡିକ ସ୍ଥାପନ କରି ଶିକ୍ଷାର ପ୍ରସାର କରିଥିଲେ। ଏଠାର ଓଡ଼ିଆମାନେ ଓଡ଼ିଶାର ସବୁ ପର୍ବପର୍ବାଣୀ ବହୁ ଆଡମ୍ବରରେ ପାଳନ କରିଥାନ୍ତି।,ଦେଶ ସ୍ବାଧୀନତା ଲାଭ ପରେ ସିଂହଭୂମି ଜିଲ୍ଲା ବିହାର ପ୍ରଦେଶରେ ରହିଗଲା। ୧୯୦୧ ମସିହାରେ ୩,୮୯୧ ବର୍ଗ ମାଇଲ୍ ପରିବ୍ୟାପ୍ତ ଏହି ଅଂଚଳର ଜନସଂଖ୍ୟା ୬,୧୩୫୭୯ ଥିଲା। ୧୯୩୧ ମସିହାରେ ଧଳଭୂମିଗଡ ରାଜ୍ଯ ମିଶିଲା ପରେ ଜନସଂଖ୍ୟା ୯୨୯୮୦୨ ହେଲା। ଷଢେ଼ଇକଳା-ଖରସୁଆଁ ଦୁଇଟି ସ୍ବତନ୍ତ୍ର ଗଡଜାତ ଅଂଚଳ ରୂପରେ ଥିଲା। ଗଡଜାତ ମିଶ୍ରଣ ସମୟରେ ୧ ଜାନୁଆରୀ ୧୯୪୮ ମସିହାରେ ଷଢେ଼ଇକଳା-ଖରସୁଆଁ ଗଡଜାତକୁ ଓଡ଼ିଶା ରେ ମିଶାଇ ଦିଆଗଲା। ସେତେବେଳେ ମୟୂରଭଞ୍ଜ ଗଡଜାତ ଓଡ଼ିଶାରେ ମିଶି ନଥିଲା। ଏହି ଦୁଇଟି ଗଡଜାତ ଅଂଚଳ ଓଡ଼ିଶା ସୀମାକୁ ସିଧାସଳଖ ସଂଯୋଗ ହୋଇପାରିଲାନି।ଯାହାର ସୁଯୋଗ ନେଇ କୁଚକ୍ରୀ ବିହାରୀ ରାଜନେତାମାନେ ନିରୀହ ଆଦିବାସୀମାନଙ୍କୁ ଓଡ଼ିଶା ବିରୁଦ୍ଧରେ ଲଢେଇ କରିବାକୁ ପ୍ରବର୍ତ୍ତାଇଲେ। ଖରସୁଆଁ ଠାରେ ଆଦିବାସୀମାନେ ଓଡ଼ିଶା ସରକାର ବିରୁଦ୍ଧରେ ଆନ୍ଦୋଳନ କରିଲେ। ଓଡ଼ିଶା ପୁଲିସ ଗୁଳିରେ ୩୫ ଜଣ ଆଦିବାସୀ ଟଳି ପଡିଲେ। ଫଳରେ ବାଉଦକର କମିଟିର ସୁପାରିଶ କ୍ରମେ ୧୯୪୮ ମସିହା ମେ ୧୮ ତାରିଖରେ ଷଢେ଼ଇକଳା-ଖରସୁଆଁକୁ ବିହାରରେ ମିଶାଇ ଦିଆଗଲା। ଓଡ଼ିଶାରୁ ବିଛିନ୍ନ ହେବାରୁ ଏଠାକାର ଓଡ଼ିଆମାନେ ପ୍ରବାସୀ ହୋଇ ରହିଲେ। ୧୯୯୦ ମସିହାରେ ଅବିଭକ୍ତ ସିଂହଭୂମିକୁ ଭାଙ୍ଗି ପୂର୍ବୀ ସିଂହଭୂମି ଏବଂ ପଶ୍ଚିମ ସିଂହଭୂମି ନାମରେ ଦୁଇଟି ନୂଆ ଜିଲ୍ଲା ଗଠନ କରାଗଲା। ଷଢେ଼ଇକଳା-ଖରସୁଆଁ କୁ ପଶ୍ଚିମୀ ସିଂହଭୂମି ଜିଲ୍ଲାରେ ଅନ୍ତର୍ଭୂକ୍ତ କରାଗଲା। ୨୦୦୦ ମସିହାରେ ବିହାର ଠାରୁ ଅଲଗା ହୋଇ ନୂତନ ଝାଡଖଣ୍ଡ ରାଜ୍ଯ ଗଠନ କରାଗଲା। ସେ ସମୟରେ ଓଡିଶାର ଓଡ଼ିଆ ମାନେ ଏବଂ ସ୍ଥାନୀୟ ଓଡ଼ିଆମାନେ ଆପ୍ରାଣ ଉଦ୍ଯମ କରିଥିଲେ ଷଢେ଼ଇକଳା-ଖରସୁଆଁ ସହିତ ସମଗ୍ର ସିଂହଭୂମିକୁ ଓଡ଼ିଶାରେ ମିଶ୍ରଣ କରିବା ପାଇଁ ଯାହା ସମ୍ଭବ ହେଲାନାହିଁ। ଓଡ଼ିଶା ବିଧାନସଭାର ତତ୍କାଳୀନ ବାଚସ୍ପତି ଶରତ କରଙ୍କ ନେତୃତ୍ବରେ ଏକ ସର୍ବଦଳୀୟ କମିଟି ଭାରତର ପ୍ରଧାନମନ୍ତ୍ରୀ ଓ ଗ୍ରୁହ ମନ୍ତ୍ରୀଙ୍କୁ ଭେଟି ନିଜର ଦାବୀ ଜଣାଇଲେ କିନ୍ତୁ ଭାରତ ସରକାର ଆପୋଷ ବୁଝାମଣାର ଦ୍ବାହି ଦେଇ ପୁନଶ୍ଚ ଓଡ଼ିଆମାନଙ୍କର ଅଧିକାର କୁ କୁଠାରଘାତ କରିଲେ। ଓଡ଼ିଶାରେ ଏହି ଓଡ଼ିଆ ଅଂଚଳକୁ ମିଶ୍ରଣ କରିବାରୁ ନିବୃତ୍ତ ରହିଲେ।୨୦୦୧ ମସିହାରେ ଷଢେ଼ଇକଳା-ଖରସୁଆଁ ଜିଲ୍ଲା ମାନ୍ଯତା ଲାଭ କରିଲା। ଝାଡଖଣ୍ଡ ରାଜ୍ଯ ଗଠନ ପରେ ଓଡ଼ିଆ ମାରଣ ନୀତି ତୀବ୍ର ହେବାରେ ଲାଗିଛି। ଓଡ଼ିଆଙ୍କୁ ହୀନ ଚକ୍ଷୁରେ ଦେଖାଯାଉଛି। ଓଡ଼ିଆ ବିଦ୍ଯାଳୟଗୁଡିକୁ ବନ୍ଦ କରି ଦିଆଯାଉଛି, ନଚେତ ହିନ୍ଦୀ ଭାଷୀ ବିଦ୍ଯାଳୟରେ ମିଶାଇ ଦିଆଯାଉଛି। ବହଡାଗୋଡା ଠାରୁ ମନୋହରପୁର ଏବଂ ଚାଣ୍ଡିଲ ଠାରୁ ଜୟନ୍ତଗଡ ପର୍ଯ୍ୟନ୍ତ ପରିବ୍ୟାପ୍ତ ଏହି ବିଶାଳ ଅଂଚଳର ଲୋକମାନେ ଘୋର ମନସ୍ତାପରେ ରହୁଛନ୍ତି।ସପ୍ତମାତୃକାଙ୍କ ଏହି ଭୂମିରେ ଅନୁପ୍ରବେଶ କରି ରହୁଥିବା ବଙ୍ଗଳା ,ବିହାରୀଭାଷୀଙ୍କ ପାଦ୍ରୁଭାବରେ ମୂଳ ଅଧିବାସୀ ଓଡ଼ିଆ ନିଜର ଅସ୍ତିତ୍ବ ରକ୍ଷା କରିବା ପାଇଁ ସଂଗ୍ରାମ ଜାରି ରଖିଛନ୍ତି। ଅଖଣ୍ଡ କଳିଙ୍ଗର ଏହି ଅବିଭକ୍ତ ସିଂହଭୂମି ଅଞ୍ଚଳରେ ସିଂହଭୂମି ଓଡିଆ ଭାଷା ସଂସ୍କୃତି ପରମ୍ପରାର ସୁରକ୍ଷା ନିମନ୍ତେ ସମଗ୍ର ସିଂହଭୂମିବାସୀ ଏକ ହୋଇ ନିଜର ସ୍ବର ଆହୁରି ଶାଣିତ କରନ୍ତୁ।🙏ଜୟ ସିଂହଭୂମି🙏 ବନ୍ଦେ ଉତ୍କଳ ଜନନୀ🙏
