ସିଂହଭୂମିର ଜନନେତା- ରୁଦ୍ର ପ୍ରତାପ ଷଡଙ୍ଗୀ
ସିଂହଭୂମିର ଜନନେତା- ରୁଦ୍ର ପ୍ରତାପ ଷଡଙ୍ଗୀ
ସିଂହଭୂମିର ଜନନେତା- ରୁଦ୍ର ପ୍ରତାପ ଷଡଙ୍ଗୀ
ସିଂହଭୂମିର ସିଂହ ଭାବରେ ପରିଚିତ, ପ୍ରବଳ ଓଡ଼ିଆ ସ୍ବଭିମାନୀ ଶ୍ରୀ ରୁଦ୍ରପ୍ରତାପ ଷଡ଼ଙ୍ଗୀ ୧୯୨୮ ମସିହାରେ ତତ୍କାଳୀନ ବିହାର -ଓଡିଶା ପ୍ରଦେଶର ଚକ୍ରଧରପୁର ଠାରେ ଜନ୍ମ ଗ୍ରହଣ କରିଥିଲେ। ଯେଉଁ ଅଞ୍ଚଳ ଏବେ ଝାଡଖଣ୍ଡ ରାଜ୍ଯର ପଶ୍ଚିମ ସିଂହଭୂମି ଜିଲ୍ଲାରେ ରହିଛି। ଯାହାକୁ ଆମେ ଓଡ଼ିଆ ସାଧାରଣତଃ ଓଡିଶାର ବିଛିନ୍ନାଞ୍ଚଳ ବୋଲି କହିଥାଉ। ଚକ୍ରଧରପୁର ପୁରୁଣାବସ୍ତିରେ ଗୋଟିଏ ଉତ୍କଳ ବ୍ରାହ୍ମଣ ପରିବାରରେ ଜନ୍ମ ହୋଇଥିବା ରୁଦ୍ର ପ୍ରତାପ ଜଣେ ଶାନ୍ତ,ସରଳ ସ୍ବଭାବର ବ୍ଯକ୍ତି ଥିଲେ।ସମଗ୍ର ସିଂହଭୂମିରେ ରୁଦ୍ର ନନା ରୂପରେ ପରିଚିତ ଶ୍ରୀ ରୁଦ୍ର ପ୍ରତାପ ଷଡଙ୍ଗୀ ୧୯୬୨ ମସିହାରେ ସ୍ବାଧୀନ ପ୍ରାର୍ଥୀ ଭାବରେ ଚକ୍ରଧରପୁର ବିଧାନସଭା ଆସନରୁ ଜୟଲାଭ କରିଥିଲେ। ଜନସଂଘ ଦ୍ବାରା ପ୍ରଭାବିତ ହୋଇ ରାଜନୀତିକୁ ଆସିଥିବା ଷଡଙ୍ଗୀ ବାବୁ ପରବର୍ତ୍ତୀ ସମୟରେ ଜନସଂଘରେ ଯୋଗ ଦେଇଥିଲେ। ୧୯୬୭ ମସିହାରେ ଜନସଂଘ ପ୍ରଦତ୍ତ ଟିକେଟ୍ ରେ ପୁନଃ ଚକ୍ରଧରପୁର ଆସନରୁ ଜୟଲାଭ କରି ବିହାର ରାଜ୍ଯର ମନ୍ତ୍ରୀ ଭାବରେ ଖ୍ଯାତି ଅର୍ଜନ କରିଥିଲେ। ୧୯୭୮,୧୯୮୦ ମସିହାରେ ଜାମସେଦପୁର ଲୋକସଭା ଆସନରୁ ଜୟଲାଭ କରି ମୋରାରଜୀ ଦେଶାଇଙ୍କ ଜନତା ଦଳ ସରକାରରେ ସାଂସଦ ଭାବରେ ଲୋକସଭାରେ ପ୍ରତିନିଧିତ୍ବ କରିଥିଲେ। ପରବର୍ତ୍ତୀ କାଳରେ କୋଲ୍ହାଣ ଅଞ୍ଚଳରେ ଭାରତୀୟ ଜନତା ଦଳର ସଂଗଠନକୁ ସୁଦୃଢ଼ କରିବାରେ ରୁଦ୍ର ବାବୁ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ସମ୍ପୂର୍ଣ୍ଣ ଓଡ଼ିଆ ବହୁଳ ଅଞ୍ଚଳର ଭୂମିପୁତ୍ର ହିସାବରେ ଷଡଙ୍ଗୀ ବାବୁ ଷଢେଇକଳା-ଖରସୁଆଁ ଓଡିଶା ମିଶ୍ରଣ ସମୟରେ ସମଗ୍ର ସିଂହଭୂମି ଓଡିଶାରେ ସମ୍ମିଳିତ ହେଉ ବୋଲି ଚାହୁଁଥିଲେ। ରୁଦ୍ର ବାବୁ ଯେତିକି ଶାନ୍ତ, ସରଳ ସେତିକି ଦୁଃସାହସୀ ମଧ୍ଯ ଥିଲେ।ରୁଦ୍ର ମହାରାଜଙ୍କ ରୌଦ୍ର ରୂପରେ ସମଗ୍ର ସିଂହଭୂମି ଥରହର ହେଉଥିଲା। ଓଡ଼ିଆ ପରିଚୟକୁ ନେଇ ଗର୍ବ କରୁଥିବା ରୁଦ୍ର ପ୍ରତାପ ଷଡଙ୍ଗୀ ୨୦୧୩ ମସିହାରେ ଯେତେବେଳେ ପରଲୋକ ଗମନ କଲେ ସେ ସମୟରେ ଅବିଭକ୍ତ ସିଂହଭୂମିରେ ଶୋକର ଛାୟା ଖେଳିଯାଇଥିଲା। ଓଡ଼ିଆଭାଷୀ ସମେତ ସବୁ ସମ୍ପ୍ରଦାୟର ପ୍ରିୟଭାଜନ ଥିବା ରୁଦ୍ର ପ୍ରତାପ ଷଡଙ୍ଗୀଙ୍କ ର ଆଦର୍ଶକୁ ପାଥେୟ କରି ଅବିଭକ୍ତର ସିଂହଭୂମିର ଓଡ଼ିଆମାନେ ଯ ଓଡ଼ିଆଭାଷା, ସଂସ୍କୃତି, ପରମ୍ପରାର ସୁରକ୍ଷା ପାଇଁ ଚେଷ୍ଟା କରି ଚଲନ୍ତୁ। ସିଂହଭୂମି ମୂଲକରେ ସିଂହଭୂମି ଓଡ଼ିଆ ବରପୁତ୍ର ମାନଙ୍କର ପ୍ରତିମୂର୍ତ୍ତି ସ୍ଥାପନ କରି ସେମାନଙ୍କର ସ୍ମୃତିଚାରଣ କରନ୍ତୁ। ତାହାହିଁ ହେବ ସିଂହଭୂମିର ମହା ମନିଷୀମାନଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି। 🙏ଜୟ ସିଂହଭୂମି, ବନ୍ଦେ ଉତ୍କଳ ଜନନୀ🙏
