Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.
Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.

Jyotiranjan Sahu

Horror


2  

Jyotiranjan Sahu

Horror


ହଁ ! ସେଇଟା ଭୂତ ଥିଲା

ହଁ ! ସେଇଟା ଭୂତ ଥିଲା

6 mins 694 6 mins 694

ଆଜିକୁ ପ୍ରାୟ ତିରିଶି ବର୍ଷ ତଳର ଜହ୍ନ ମାମୁଁ କଥା କେବେ ଆପଣ ମାନକଂର ମନେପଡେ ମନେପଡେ ସେ ଜୀବନ୍ତ ଚିତ୍ରସବୁ ଯେଉଁ ଚିତ୍ରସବୁକୁ ଦେଖିଲେ ମନରେ କେମିତି ଗୋଟିଏ ଶିହରଣ ଖେଳିଯାଏ ଆଜି ଯେତେବେଳେବି ମୋର ଜହ୍ନ ମାମୁଁ କଥା ମନେପଡେ ସେତେବେଳେ ମନେପଡିଯାଏ ବେତାଳ କଥାର ସେ ଭୟଂକର ମଣିଷ ଖପୁରୀ ଚିତ୍ରିତ ପୃଷ୍ଠାଟା ଆଉ ସବୁଥରପରି ବେତାଳ କଥାର ଶେଷ ଚିତ୍ରଟା ରେ ଲମ୍ବା ଲାଞର ବେତାଳଟା ଅନେକ ପ୍ରହେଳିକା ସୃଷ୍ଟି କରିଦିଏ ପାଠକ କଂ ମନରେ ସବୁ ସ୍ମ୍ରତିଗୁଡା ଏବେ ଧୂଆଁଳିଆ ଦିଶିଲାଣି କିନ୍ତୁ ଆଜିବି ମହାରାଜା ବିକ୍ରମାଦିତ୍ୟକଂର ସେ ଶବ କାନ୍ଧେଇବା ଚିତ୍ରଟା ମନରେ ସତେଜ ହୋଇ ସେମିତି ରହିଛି ସାନବେଳେ ଯେତେବେଳେ ମୁଁ ଅନ୍ଧାର ରେ ଭୟଭୀତ ହୋଇଯାଉଥିଲି ମନରେ ବେତାଳ କଥାର ରାଜାକଂ ସାହସ ମନେପଡିଯାଉଥିଲା । ମନେମନେ ମୁଁ ନିଜକୁ ସେ ବିକ୍ରମାଦିତ୍ୟକଂ ଜାଗାରେ ରଖିଦେଉଥିଲି । ମୋପରି ଅଧିକାଂଶ ଲୋକ ମନରେ ଭୟ ଆସିଲେବି ବେତାଳ ବା ଭୂତ ବିଷୟରେ ଜାଣିବାକୁ ସେମାନକଂର ଭାରି ଇଚ୍ଛା । ହୁଏତ ସେମାନେ ସର୍ବସମ୍ମୁଖରେ ନମାନିପାରନ୍ତି । ସେହିଭଳି ତିରିଶି ବର୍ଷ ତଳେ ସେଦିନ ବି ମନରେ ଭୟ ଥାଇ ମୁଁ ମୋ ଜେଜେକୁଂ କହିଲି " ଜେଜେ ! ଜେଜେ ! ମୋତେ ଗୋଟେ ଭୁତ ଗପ କୁହ " । ଏତିକି କହି ମୁଁ ଟିକିଏ ଜେଜେକଂ ଆଡକୁ ଭିଡିଗଲି । ଜେଜେ ହସିଦେଲେ । କହିଲେ " ଶୁଣ୍ ! ମୁଁ ନା' ଭୁତ ଦେଖିଛି " । ଏତିକି ଶୁଣିଦେଇ ମୋ ମନର ଉତ୍ସାହଟା ଦୁଇ ଗୁଣ ବଢିଗଲା । ଜେଜେ ଆରମ୍ଭ କଲେ :


         " ମୁଁ ସେତେବେଳେ ଧାନ ବିକିବାକୁ ହାଟ ରୁ ହାଟ ବୁଲୁଥିଲି । ଆଜି ଏ ଗାଁ ହାଟ କାଲି ସେ ଗାଁ ହାଟ । ହାଟ ସାରି ଘରକୁ ଫେରିଲା ବେଳକୁ ରାତି କେତେଟା ହୋଇଯାଇଥାଏ ମୁଁ ଜାନେନି ! ସେତେବେଳେ ଆଜିକାଲିକା ଭଳି ହାତ ଘଣ୍ଟା କାହିଁ ! ଦିନକର କଥା । ମାଟିଆ ବେଡା ହାଟ କୁ ଧାନ ବିକିବାକୁ ଯାଇଥାଏ । ଦୁଇଦିନ ପରେ ମକର । ପିଲାକଂ ପାଇଁ ନୂଆ ଜାମା ଆସିବ । ପିଠାପଣା ହେବ । ବନ୍ଧୁବର୍ଗ ଆସିବେ । ବାଣ କିଣା ହେବ । କେତେ କଥା ହେବ । ଆଉ ସେଇଥି ପାଇଁ ସେଦିନ ଧାନ ବିକିବା ନିହାତି ଦରକାର ହେଉଥାଏ । ହେଲେ ମୋର ଦୁର୍ଭାଗ୍ୟ ଯେ ସେଦିନ ମୋଠାରୁ କେହିହେଲେ ଧାନ କିଣିଲେ ନାହିଁ । ଜଗି ଜଗି ସଂଧ୍ୟା ହେଲା । ଶୀତ ଦିନେ ଟିକିଏ ଶୀଘ୍ର ସଂଧ୍ୟା ହୋଇଯାଏ । ସେଦିନ କିନ୍ତୁ ସଂଧ୍ୟାରୁ ପୁଣି ପୁଣି ରାତି ହୋଇଗଲା । ମନ ଦୁଃଖରେ ମୁଁ ବସିଥାଏ । ସମସ୍ତେ ଧାନ ବିକି ହାଟ ଛାଡିବାକୁ ବସିଥାଆନ୍ତି । ହେଲେ ମୁଁ କିନ୍ତୁ ହାଟ ରେ ସେମିତି ବସିଥିଲି । ଅନେକ ସମୟ ବିତିଗଲା । ଦୁଇ ଚାରିଟା ହାଣ୍ଡିଆ ଦୋକାନ ଛାଡି ବାକି ସବୁ ବନ୍ଦ ହୋଇଯାଇଥାଏ । ଘର କୁ ଯିବି ବୋଲି ଭାବିଲେବି ଯିବି କେମିତି ? ଏତେ ଧାନ ଥାଏ ପାଖରେ ; ପୁଣି ଯିବାକୁ ପଇସା ନାହିଁ । ଭାବିଥିଲି ଧାନ ବିକି ସେହି ପଇସାରେ ଘରକୁ ଲୁଗାପଟା କିଣି ବେଳାବେଳି ଫେରିଯିବି । ଖୁବ୍ ବଳୁଆ ଥିଲି ମୁଁ । ଚାଲିଚାଲି ଘରକୁ ଫେରିଯିବି ବୋଲି ଭାବିଥିଲି । ସବୁଥର ଫେରିଲାବେଳେ ଚାଲିଚାଲି ଘରକୁ ଫେରେ । ଶଗଡ ବାଲାକୁ ପଇସା କିଏ ଦେବ ଯେ ! କିନ୍ତୁ ସେଦିନ ସବୁ ଏପଟ ସେପଟ ହୋଇଯାଇଥିଲା । ଶଗଡିଆ ସବୁ ହାଟ ଛାଡିସାରିଥିଲେ । ଧାନ ବିକ୍ରି ନହେଲା ପର୍ଯ୍ୟନ୍ତ ଉପାୟ ଆଉ କିଛି ନଥିଲା । ଧାନ ଟା ବିକ୍ରି ହେଲେ ଯେତେ ରାତି ହେଉ ମୁଁ ଚାଲିଚାଲି ଘରକୁ ଫେରିଯାଇ ପାରିବି । ହେଲେ ଧାନ ବିକ୍ରି ହେଲେ ତ ! ଅନେକ ସମୟ ପରେ ଲୋକଟିଏ ଆସିଲା । ସେତେବେଳକୁ ସଂଧ୍ୟା ଅନେକ ବେଳୁ ଗଡିସାରିଥାଏ । ସେ ଲୋକ ଟି ଆସି ପଚାରିଲା " ହୋଇରେ ! ଧାନ ମହଣ କେତେ "? ରାତି ମାଡିଆସୁଥିବାରୁ ମୋ ମୁହଁ ରୁ ବାହାରି ଗଲା " ଦୁଇ ଦିନ ପରେ ମକର । ଦେଖିକି ଯାହା ଦେବେ ଦିଅନ୍ତୁ ଆଜ୍ଞା । ମୁଁ ଶୀଘ୍ର ଘରକୁ ଫେରିବି । ରାତି ଏଣେ ଅନେକ ହେଲାଣି " । ସେ ଲୋକ ଯାହା ଦେଲା ସେତେକ ଅଣ୍ଟାରେ ଖୋସି ଘର କୁ ଫେରିଲି । ହାଟ ରୁ ଘର ତେଣେ ଆଠ/ ଦଶ ମାଇଲ ବାଟ । ତେବେ ଡେରି ହେବା ସତ୍ତ୍ବେ ମୁଁ ଘର କୁ ବାହାରିଲି । ଭାବିନେଲି ଚାଲିଚାଲି ଦୁଇ ଘଣ୍ଟାରେ ପହନ୍ଚିଯିବି । ଯଦି ରାସ୍ତାରେ ସାଇକେଲିଆ କେହି ମିଳିଲା ତାହେଲେ ତ ଶୀଘ୍ର ପହନ୍ଚିଯିବି । ମା ଦୁଆର ଶୁଣୀ ; ମା କଳାପାଟ ନାଁ ନେଇ ଯିବାକୁ ବାହାରିଲି । ସେତେବେଳେତ ପାଦଚଲା ରାସ୍ତା । ଆଜିକାଲିକା ଭଳି ରାସ୍ତାକଡ ଆଲୁଅ ବି ନଥିଲା । ମୁଁ ଶୀଘ୍ର ଶୀଘ୍ର ପାଦ ପକାଉଥାଏ ଘରକୁ ଫେରିବାକୁ ସେହି ଜହ୍ନ ରାତିରେ । ଅନେକ ବାଟ ଚାଲି ସାରିଥାଏ । ହେଲେ ସେଦିନ କାହିଁକି କେଜାଣି ବାଟ ଟା ବହୁତ ଲମ୍ବା ଜଣାପଡୁଥାଏ । ହାଡ ଭଂଗା ଶୀତୁଆ ରାତିରେ ମୋ ଦେହରୁ ଗମ୍ ଗମ୍ ଝାଳବହୁଥିଲା । ଅନେକ ବାଟ ଚାଲିଆସିଲା ପରେ ଝରଣ ଗାଁ ମୁଣ୍ଡ ପୋଖରୀ ଟା ଦିଶିଲା । ମନେମନେ ଭାବିଲି ଆଉ ତିନି ମାଇଲି ରହିଲା । ସେତିକିବେଳେ ମୋତେ ଲାଗିଲା କେହି ଜଣେ ଯେମିତି ମୋ ସହ ଚାଲିଛି । ଅନ୍ଧାର ରାତିରେ ଟିକ୍ ଭାବେ ଜଣାପଡୁନଥିଲାବ। କିନ୍ତୁ ମୁଁ ନିଶ୍ଚିତ ଥିଲି କେହି ଜଣେତ ମୋ ସହ ଚାଲୁଛି । ହେଲେ ଏତେ ରାତିରେ ! ମୋ ଦେହଟା ଟିକିଏ ଶୀତେଉଠିଲା । ମୁଁ ହନୁମାନ ଚାଳିଶା ମନମନେ ଗୁଣୁଗୁଣୁ କରିବା ଆରମ୍ଭ କରିଦେଲି । ମନେମନେ ଠାକୁରକୁଂ ଡାକୁଥାଏ । ସେତିକିବେଳେ ଦୂର ରୁ ଲାଗିଲା ପୋଖରୀ ଆର ପାଖ ରାସ୍ତା କଡକୁ ଥିବା ବିରାଟ ଅଶ୍ବସ୍ତ ଗଛ ମୂଳରେ କେହି ଯେମିତି ଛିଡା ହୋଇଛି । ମୁଁ ଶୀଘ୍ର ଶୀଘ୍ର ପାଦ ପକାଇ ସେଠାରେ ପହନ୍ଚିଗଲି । ଅନ୍ଧାର ରେ ମୁହଁଟା ଯଦିଓ ଭଲ କି ଦେଖାଯାଉନଥାଏ କିନ୍ତୁ ସେ ଜହ୍ନ ରାତିରେ କେହିଜଣେ ଛିଡା ହୋଇଥିବାର ସ୍ପଷ୍ଟ ଜଣାପଡୁଥାଏ । ମୁଁ ସେଠାରେ ପହନ୍ଚି ଖୁବ୍ ଜୋର୍ ରେ ପାଟିକରି ପଚାରିଲି " କିଏ ସେଇଠି ଛିଡା ହୋଇଛ " ? କିଛି ସମୟ ପରେ ସେପଟରୁ ଉତ୍ତର ଆସିଲା " ଭାଇ ! ମୁଁ ! ଯିଏ ତୁମ ପାଖରୁ ଧାନ କିଣିଥିଲା । ମୋ ସାଂଗରେ ଟିକିଏ ଯାଆନ୍ତ ନି ! ମୋ ଶଗଡଟା ଟିକିଏ ଆଗକୁ କାଦୁଅରେ ପଶିଯାଇଛି । କାଦୁଅରୁ ଉଠିଗଲେ ମୁଁ ତୁମକୁ ନେଇ ତୁମ ଘରେ ଛାଡି ଆମ ଗାଁ କୁ ଚାଲିଯିବି " । ତେବେ ଏତେ ରାତିରେ ମଣିଷର ସ୍ବର ଶୁଣି ମନକୁ ଟିକିଏ ସାହସ ଆସିଲା । ବଢିଚାଲିଥିବା ହୃତସ୍ପନ୍ଦନଟା ଟିକିଏ ଶାନ୍ତ ପଡିଲା । ମନେମନେ ଭାବିଲି ଟିକିଏ ସାହାଯ୍ୟ କଲେ ସେ ଯଦି ମୋତେ ଘରେ ପହନ୍ଚାଇଦେବ ତାହାହେଲେ କ୍ଷତି କଣ ? ମୋତେ ବି ସାହସ ହେବ ଜଣେ ରୁ ଦି'ଜଣ ହେଲେ । ମୁଁ କହିଲି " ହଁ ଚାଲ ଚାଲ " । ଏହା ପରେ ସେ ଲୋକ ଜଣକ ଆଗେ ଆଗେ ଚାଲିଲା ; ଆଉ ମୁଁ ତାସହ ଗପି ଗପି ତା ପଛେପଛେ ଚାଲିଲି । ସେ ଲୋକଟି ପଚାରିଲା " ଏତେ ରାତିରେ ଏକୁଟିଆ ଚାଲିଚାଲି ଯାଉଛ ଯେ ! ଭୟ ଲାଗୁନି କି " ! ମୁଁ କହିଲି " ଭୟ କାହିଁକି ଲାଗିବ ! ତୁମେ ଆଜ୍ଞା ତ ଅଛ ! ଆଉ ତାପରେ ବି ଏଇ ରାସ୍ତା ଟା ମୋର ଭାରି ଜଣାଶୁଣା " । ଏହା ଶୁଣି ସେ ଲୋକଟି ଖୁବ୍ ଜୋର୍ ହସିଦେଲା । କହିଲା 'ଜାଣିଛ ନା' ! ଏଇ କିଛି ଦିନ ଆଗରୁ ଝରଣ ଗାଁ ସାହୁକାର କୁ କିଏ ଜଣେ ମାରିଦେଇଛି ' ? ' କିଏ ମାରିଲା ' ବୋଲି ମୁଁ ପଚାରିଲି । ସେ କହିଲା ' ଗତ ପୁନେଇଁ ରାତିରେ ମାଟିଆ ବେଡା ହାଟରୁ ମହାଜନ ସୁଧ ନେଇ ଫେରୁଥିଲା । ବହୁତ ଖରାପ ଲୋକଟା । ଅଧିକ ଦି ଅଣା ନେଇଯିବ ସିନା ଅଣାଟିଏବି ଛାଡିବନି । ସୁଧ ଆଦାୟ କରୁକରୁ ବୋଧେ ଡେରି ହୋଇଯାଇଥିଲା । ଏଇ ତୁମ ଭଳିଆ ରାତି ଅଧରେ ଏଇ ରାସ୍ତା ରେ ଯାଉଥିଲା । ହଠାତ୍ ଗୋଟେ ଲୋକ ସହିତ ଦେଖ‍ହେଲା । ଲୋକଟି ତାକୁ ପଇସା ଦେବ କହିଲା ଆଉ ମହାଜନ ପଇସା ଲୋଭରେ ସେ ଲୋକସହ ଚାଲିଗଲା । ତାପରଦିନ ସାହୁକାର; ସେଇ ଯେଉଁ ପୋଖରୀ ମୁଣ୍ଡରେ ବଡ ବଉଳ ଗଛଟା ଦେଖୁନ ସେଇଠି ଜିଭ କାମୁଡି ମରିକି ପଢିଥିଲା । ଲୋକ କହିଲେ ସାହୁକାର କୁ ଚୋର ମାନେ ମାରିଦେଲେ । ବୋକା ଗୁଡାକ । ଜାଣି ନାହାନ୍ତି ଅଧ ରାତିରେ ଏହି ରାସ୍ତାରେ ଭୂତ ବୁଲେ ବୋଲି । ମହାଜନ ଯେଉଁ ଲୋକଟା ସହ ପଇସା ଲୋଭରେ ଯାଇ ଥିଲା ସେଇଟା ପରା ବ୍ରହ୍ମ ରାକ୍ଷସଟା । କେତେବେଳେ କି ବେଶ ବଦଳେଇବ କହିହେବନି ' । ତା କଥା ଶୁଣି ମୋ ଚେତା ବୁଡିଗଲାପରି ଲାଗିଲା । ଏତେସମୟ ଧରି ସାହସରେ ବାଟ ଚାଲୁଥୁବା ମୋ ପ‍ଦ ଦୁଇଟା ହଠାତ୍ କେମିତି ଥରିବାକୁ ଲାଗିଲା । ମନେମନେ ଭାବୁଥାଏ କାହିଁ ଏତେବାଟ ଆସିଲା ପରେ ବି କେଉଁଠି ତ ଶଗଡଗାଡି ଟା ଦିଶୁ ନାହିଁ । ସବୁଆଡେତ ଖାଲି ଅନ୍ଧାର ଝିଂକାରୀର ଶବ୍ଦ ଆଉ ଜହ୍ନ ରାତି ର ଅସ୍ପଷ୍ଟ ଦୁନିଆଁ । ମନଟାକୁ ମୋର ପାପ ଛୁଇଁଲା । ମୁଁ ମନେମନେ ଖୁବ୍ ଡରିଯାଇଥିଲି । ମନେରେ ଆସୁଥିଲା ଯଦି ଏତେ କଥା କେହି ଜାଣି ନାହାନ୍ତି ତାହା ହେଲେ ଏ ଲୋକଟା ଏତେ କଥା ଜାଣିଲା କେମିତି ? ହଠାତ୍ ମୋ ନଜରଟା ଯେତେବେଳେ ତା ଉପରେ ପଡିଲା ମୁଁ ଦେଖିଲି ଲୋକଟା ଏହା ଭିତରେ କେତେବେଳେ ଦୁଇ ମଣିଷ ଲମ୍ବା ହୋଇ ଯାଇଥିଲା । ସେତେବେଳକୁ ମୋର ପାଟି ଖନି ମାରିଗଲାଣି । ସେ ମୋ ସହ ଯାହା କଥା ହେଉଥିଲା ମୁଁ ଖାଲି ହଁ ନାଁରେ ଉତ୍ତର ଦେଉଥିଲି । ଆଗରେ ମରଣ କୁ ଦେଖି ମୁଁ ମୋ ଠେଗାଂ ଟା ସେ ଲୋକଟା ଆଡକୁ ଫିଂଗି ଏକ ନିଶ୍ବାସରେ ପଛକୁ ଦୌଡିଲି । ଦୌଡି ଦୌଡି ଝରଣ ଗାଁ ବିଷ୍ଣୁ ସାହୁ ପକୁଡି ଦୋକାନରେ ଅଚେତ୍ ହୋଇପଡିଗଲି । ତା ପରଦିନ ସକାଳୁ ଊଠି ଦେଖିଲି ମୁଁ ବନ୍ଚିଛି । ହଠାତ୍ ମୋତେ ଲାଗିଲା କିଏ ଯେମିତି ମୋ କାନ ପାଖରେ କହିଗଲା ' ବନ୍ଚିଗଲୁରେ ! ହେଲେ ମୁଁ ପୁଣି ଆସିବି " !! ଜେଜକଂ କଥା ଶୁଣି ସାରିଲା ପରେ ମୁଁ କହିଲି " ଜେଜେ ! ସେଇଟା ଭୂତ ଥିଲା କି " ? ଏଥର ଜେଜେ ହସିଦେଇ କହିଲେ " ହଁ ! ସେଇଟା ଭୂତ ଥିଲା " ॥


Rate this content
Log in

More oriya story from Jyotiranjan Sahu

Similar oriya story from Horror