ନାୟକ ଅକ୍ଷୟ ରାଜହସ୍ତୀ

Tragedy

3  

ନାୟକ ଅକ୍ଷୟ ରାଜହସ୍ତୀ

Tragedy

ହାକୁମ୍ ଧାବଲ୍

ହାକୁମ୍ ଧାବଲ୍

4 mins
165


ଘରୁ ଝିଅ ବିଦାହେବାର ବେଳ lଗାଆଁ ବାରିକାଣି ଶଙ୍ଖ ଫୁଙ୍କିବା ପାଇଁ ଘଡିକି ଘଡି ଅନାଉ ଥାଏ l ସମସ୍ତଙ୍କ ନଜର ଭାମା କେତେବେଳେ ଘରୁବିଦା ହେବ l ଗହଣା ପିନ୍ଧା ସାରିଲା ନା ନାଇଁ? ବେଳ ଉଛୁର ହୋଇଗଲାଣି, ସଅଳ ସଅଳ ପହଞ୍ଚିବାକୁ ବୋଲି ବଡ ଭାଇ ତାଗିଦ୍ କରି କହୁଥାନ୍ତି l ହେଲେ ଭାମା ଆତ୍ମୀୟ ସ୍ୱଜନ, ବଂଧୁ ବାନ୍ଧବ ସଙ୍ଗାତ ମଇତ୍ର ସବୁକୁ ଛାଡ଼ି ଜେମା ଦେଇ କାନ୍ଦଣା ଗୀତ ବହିରୁ କେଇ ପଦ ଘୋଷି ବାହୁନି ବାହୁନି କାନ୍ଦି ଭୁଇଁରେ ଗାଡ଼ି ଯାଉଥାଏ l

ଶେଷରେ ବଡଭାଇ ଟେକି ଆଣି ଜୋର୍ ଜଦର୍ ଦସ୍ତି ପାଲିଙ୍କିରେ ବସାଇ ଦେଲେ l ଗାଆଁର ଧୂଳିଆ ରାସ୍ତାରେ ଆଗେ ଆଗେ ପାଲିଙ୍କି l ପଛେ ପଛେ ଭାରବୁହା ଶଗଡ଼ ଗାଡ଼ି l ପାଟିରେ ଟାକରା ଫୁଟେଇ ଶଗଡ଼ିଆ ବଳଦକୁ ଚାଲ ଚାଲ କହୁଥାନ୍ତି l ଜ୍ଞାତି କୁଟୁମ୍ବ, ସାଙ୍ଗ ସାଥି ମାନେ ଗାଆଁ ମୁଣ୍ଡ ଯାଏ ଆସି କେହି ଦଣ୍ଡେ ଠିଆ ହୋଇଗଲେଣି l ଆଉ କେହି ଦୁଃଖରେ ସମଦୁଃଖ ହୋଇ ଆଖିରୁ ଲୁହ ନିଗାଡି ଦେଇ ଚାଲିଛନ୍ତି l ପାଲିଙ୍କି ବାହାକମାନେ "ହାକୁମ୍ ଧାବଲ୍ ...ହକୁମ୍ ଧାବଲ୍...

ଏଇଠି ପଥର ଏଇଠି ଖାଲ..."

ଗୀତ ଗାଇ ଚାଲିଥାନ୍ତି ଭାମାର କାନ୍ଦ କମେଇ ମୁଁହରେ ଟିକେ ହସ ଫୁଟାଇବାକୁ l ହେଲେ ଭାମାର ମନେ ପଡିଗଲା ଏକ ଦୁଃଖଦ ଘଟଣା....।ଝିପି ଝିପି ଆଷାଢିଆ ବର୍ଷାଦିନ l ଭାମା ସେତେବଳକୁ ସାତ ବର୍ଷର ହେଇଥାଏ l ସାଙ୍ଗମାନଙ୍କ ସହିତ ମିଶି ଗାଆଁଦାଣ୍ଡରେ ଓଦା ସାରା ହେଇ ଖେଳ ଖେଳୁଥାନ୍ତି l ପରସ୍ପର ମଧ୍ୟରେ କାଦୁଆ ଫିଙ୍ଗା ଫିଙ୍ଗି ହୋଇ ଅଚାନକ ଭାମାର ପାଦ ଖସିଗଲା lସେ ତଳେ ପଡ଼ିଯିବା ବେଳେ ବାପା ଦେଖି ଦେଉଥିଲେ l ବହେ ରାଗରେ ପାଟି କଲେ ଅନ୍ୟ ସଂଗେ ବରଷାରେ ନ ଖେଳିବାକୁ ଆଉ ପଠେଇ ଦେଲେ ଘରକୁ ଯା ବୋଲି କହି l ସେଇ ଦିନ ଦେଖିଥିଲେ ବାପାଙ୍କ ମୁଁହରେ ଵହେ ରାଗ l ସେଇଠୁ ରାଗ ତମ ତମ ହୋଇ ଚାଲିଗଲେ ପଧାନଘର ବନ୍ଧଉପର ବିଲକୁ ହଳ ବଳଦ ନେଇ l ହଳ କଲାବେଳେ ଦୈବାତ ଭୂଜୁଣି ବଳଦଟା ଜୋରରେ ଟାଣି ନେଲା , ବାପା ଫିଙ୍ଗି ହେଇ ବନ୍ଧ ପାଖ ଖାଲରେ ପଡ଼ି ଗଲେ l ଆଉ ସେଇଠି ତାଙ୍କର ପ୍ରାଣ ବାୟୁ ଉଡିଗଲା l ଭାମା ସବୁଦିନ ପାଇଁ ବାପାଙ୍କୁ ହରେଇଲା l ସେଦିନ ସେ ଢେର କାନ୍ଦିଥିଲା l ବାପାଙ୍କ କଥା ମନେ ପକେଇ ପକେଇ l ସେବେଠୁ ସାଙ୍ଗ ମାନଙ୍କ ସହିତ ଖେଳ କୁଦ ଭୁଲି ଯାଇଥିଲା l ବାପାଙ୍କର ଏଭଳି ଅବସ୍ଥା ପାଇଁ ନିଜକୁ ଦୋଷୀ ମନିଥିଲା l ପାଲିଙ୍କି ବୁହାଳିଆ ମାନଙ୍କ ଏଇଠି ଖାଲରେ ସେ ଚମକି ପଡିଲା l ସେ ଯେମିତି ଦେଖୁଥିଲା ବାପାଙ୍କ ପରି ଏଇଠି ଆଖି ବୁଜି ଦିଅନ୍ତା କି?

କାହିଁକି ନା ଯା ହାତ ସେ ଧରିଛି ହିସାବରେ ସମର୍କିୟ ଭିଣେଇ l ଖୁବ୍ ଜମିଦାରୀ ଘର l ମାଉସୀ ଝିଅକୁ ସେ ବାହା ହେଇଥିଲା ଆଜକୁ ପାଞ୍ଚ ବର୍ଷ ପୂର୍ବେ l ଅକାଳରେ ଚାଲିଯିବା ଦେଖି ତିନି ବର୍ଷର ଝିଅର ଦାୟିତ୍ଵ ନେବା ପାଇଁ ତାକୁ ଦ୍ୱିତୀୟ ବିଭା ହେବାକୁ ପଡ଼ିଲା l ଘର ଲୋକେ ତଥା ସାହି ପଡିଶା ସବୁ ଜାଣିଛନ୍ତି ସେ ଅକାଳରେ ମରିଯାଇଛି l ହେଲେ ଭାମା ୟାକୁ ସହଜରେ ଗ୍ରହଣ କରୁ ନ ଥିଲା l କାହିଁକି ନା ,ଯେତେ ବେଳେ ମାଉସୀ ଝିଅ ଗର୍ଭବତୀ ଥିଲା, ସୁଆଦଭାର ସହ ଥରେ ଯାଇଥିଲା l ସେଇଠି ଭାମାର କୁଞ୍ଚିତ କେଶ ସାଙ୍ଗକୁ ଗୋରା ତକ୍ ତକ୍ ଦେହଟା ଦେଖି ତାକୁ ଖରାପ୍ ନଜରରେ ଦେଖିଥିଲା l ଏପରିକି ତା ପରଦିନ ସଂଜ ବେଳେ କୂଅମୂଳେ ଗାଧେଉ ଥିବାବେଳେ ପଛ ପଟୁ ଆସି ଥରେ କୁଣ୍ଢେଇ ଧରିଥିଲା l ଇଚ୍ଛା କରିଥିଲେ ଭାମା ସେଦିନ ଗାଲରେ ଦିଟା ଚଟକଣି ଦେଇ ପାରିଥାନ୍ତା l କିନ୍ତୁ ଲାଭ ହେବନି ବରଂ ନାନୀ ଉପରେ ଦାଉ ସାଧିବ l ସେଦିନ ସେ ତାକୁ ଭଲ ଭାବରେ ଚିହ୍ନି ପାରିଥିଲା l ଯେଉଁ ଦିନ ସାଙ୍ଗ ମାନଙ୍କ ସହିତ ପେଟେ ମଦ ପିଇ ଜୁଆ ଖେଳ ଖେଳୁ ଥିବା ସମୟରେ ନାନୀକୁ ସେ ବାଜି ଲଗେଇ ଦେବା କଥା ନାନୀ ଆଖିରେ ଦେଖି ବିଶ୍ୱାସ କରି ପାରି ନ ଥିଲା l ହେଲେ ବଡ଼ ଘର, ଥିଲା ବାଲା ଲୋକ l କଣ ନା କଣ କରିଦେବେ ଭୟ ରେ କିଛି କହି ପାରୁ ନ ଥିଲା l କିଛି ଦିନ ପରେ ଆଉ ଦିନେ ନାନୀକୁ ବାଜି ଲଗେଇ ଦେଇ ଟେକି ଦେଇଥିଲା ମଦୁଆ ମାନଙ୍କୁ l ସେମାନେ ନିଶାରେ ମାନବିକତା ହରାଇ ଜଣ ଜଣ କରି ଝୁଣି ଝୁଣୀ ଖାଇଦେଇ ଥିଲେ l ଆଉ କାହାକୁ ମୁହଁ ଦେଖେଇବ ଭାବି ଶିବ ମନ୍ଦିର ପାଖ କଇଁ ପୋଖରୀ ଭିତରକୁ ଡେଇଁ ପଡିଥିଲା l ଯାହାକୁ ଗାଧୋଇ ଥିବା ବେକେ ପାଣିରେ ବୁଡ଼ି ମାରିବା କଥା ମିଛକୁ ମିଛ ହୁରି କଲେ l ଗାଆଁର ସମସ୍ତେ ବି ବିଶ୍ବାସ କରି ଗଲେ l ସେତେବେଳକୁ ନାନୀର ଝିଅ ଟେ ହେଇ ସାରିଥାଏ l

ସେମାନଙ୍କ ତରଫରୁ ବିବାହ ପ୍ରସ୍ତାବ ଆସିଲା l ଭାମା ମନା କରିଦେଲା, କିନ୍ତୁ ବୋଉ କହିଲା ଛୋଟ ଝିଅ କଥା, ମା ସେନେହ କିଛି ପାଇଲା ନାହିଁ l ଗାଆଁ ଲୋକେ କହିଲେ ଏଭଳି ପ୍ରସ୍ତାବ କୋଟିଏ ତପସ୍ୟା କଲେ ମିଳିବ l ତା ଛଡା ଝିଅ ଘିଅ, ବେଶୀ ଦିନ ରହିଲେ ଗାଆଁ ମାଇପେ ଦେଖେଇ ଶିଖେଇ ୟାଡୁ ସିଆଦୁ କେତେ କଥା କହିବେ l 


ବାଧ୍ୟ ହେଇ କଲେ ବିବାହ l ନ ଦୂତିଆ ହେଲେ ସେ କିଏ?

 ଏମିତି ଚିନ୍ତା କରୁ କରୁ କେତେବେଳେ ଯେ ଶାଶୁ ଘର ଗାଆଁ ପୋଖରୀ କୂଳ ପାଖରେ ଆସି ଗଲେଣି ଜାଣି ପାରିଲେ ନ ଥିଲା ଭାମା l ପାଲିଙ୍କି ଫାଂକରୁ ଦେଖିଲେ ଶଗଡ଼ରେ ନଣନ୍ଦ ପୁଟୁଳି ଭାର, ମାଇଁ ଦେଇଥିବା ଗୁଡ ହାଣ୍ଡି ନେଇ ଆସିଥିବା ଭାଇ ଦେଖା ଯାଉ ନାହାଁନ୍ତି l ବୋଧେ ବଳଦ ଦିଟା ହାଲିଆ ଯୋଗୁ ଗାଡ଼ି ଧିରେ ଧିରେ ଆସୁଥିବ l ଏମିତି ଏକ ଅନିଶ୍ଚିତ ଭବିଷ୍ୟତ ଓ ବଞ୍ଚିବାର ଖିଅ ଖୋଜି ଚାଲିଥିଲା ବେଳେ ପୁଣି କାନରେ ପଡ଼ିଲା ଗୀତ "ହାକୁମ୍ ଧାବୁଲ୍.....

ହାକୁମ ଧାବୁଲ...

ଗହୀର ନଈରେ କଳା କୁମ୍ଭୀର

ଛନକା ପଶିଲା ଲାଉ ତୁମ୍ବିର l"

ଦେହ ଗୋଟା ପଣେ ଥରିଉଠିଲା ଭାମାର l ଆଖିରେ ନାଚି ଉଠିଲା ମଦ୍ୟପ କାମାନ୍ଧ ଚେହେରା ଯାକୁ ସେ ବିଭା ହେଇଛି l ଭାବୁଥାଏ କେମିତି ତା ସହ ଘର ସଂସାର କରିବ?

 ଛି ...ଛି... କୁକୁର ଠୁ ହୀନ ସେ l କୁକୁରର ବି ଆତ୍ମସମ୍ମାନ ବୋଲି କିଛି ଅଛି, ହେଲେ ସେ ନିଜ ସ୍ତ୍ରୀକୁ ...... ସେ କଥା ହୁରୁଗୁଣି ହୋଇ ତା ପ୍ରତି 

ଘୃଣାକୁ ବଢେଇ ଦେଲା l ସେଇପରି ନାରୀ ମାଂସ ଲୋଭି, ପାପୀକୁ ତା ପୂତ ପବିତ୍ର ଶରୀର ଛୁଏଇଁ ନ ଦେବାର ଉପାୟ ଖୋଜି ଚାଲିଥିଲା ଭାମା l ବୁହାଳିଆ ମାନଙ୍କୁ ଟିକେ ଏଇ ଜାମୁ ଗଛ ତଳେ ରଖିବାକୁ ଅନୁରୋଧ କଲେ l ଆଉ କାକୁତି ମିନତି ହୋଇ ଗୁହାରି ହେଲା ସେଇ ପାଖ କଇଁ ପୋଖରୀରୁ ମେଞ୍ଚାଏ ଫୁଲ ଆଣିବାକୁ l

ସେମାନେ ଏଥିରେ ଅରାଜି ହେଲେ କିନ୍ତୁ ବରାବର ନେହୁରା ହେବାରୁ ବାଧ୍ୟ ହୋଇ ଗଲେ ପୋଖରୀ ଭିତରକୁ l କିଛି ସମୟ ବିତି ଗଲା ପରେ ପଛେ ପଛେ ଆସୁଥିବା ଭାଇ ସେଠି ପହଞ୍ଚି ଦେଖେ ତ....

ଭାମା ନିଜ ଜରିଦିଆ ପାଟ ଓଢଣିକୁ ବେକରେ ଗୁଡେଇ ଝୁଲି ପଡିଛି ଜାମୁ ଗଛ ଡାଳରେ l ପାଦତଳୁ ମାଟି ଖସିଗଲା l ବୈବାହିକ ଜୀବନରେ ହସ ଖୁସି ପୁରି ଉଠିବା ଆଶାରେ ମାଇଁ ଦେଇଥିବା ଗୁଡ ହାଣ୍ଡିର ମାନେ କଣ ଏଇଆ ? ସେ ଆବୁଆବୁ ପାଟିରେ ଖନେଇ ଖନେଇ 

ଡାକ ପକାଇଲା

"ନରିଆଦା .....ପଞ୍ଚୁଦା.....  

ସୁକଦା... ରାମୁଦା.... 

କୁଆଡେ..... ଗଲ ସବୁ ?

ଜଲଦି ଆସ... 

ଧାଇଁ ଆସ ହେ ହାକୁମ୍.....

ଧାଇଁ ଆସ ହେ ଧାବଲ୍..." I


Rate this content
Log in

Similar oriya story from Tragedy