puspanjali das

Inspirational

4.8  

puspanjali das

Inspirational

ଗୁରୁମା

ଗୁରୁମା

5 mins
398


ସମ୍ପୁର୍ଣା ନିଜ ବେଡ଼ରୁମ ର ଖଟ ଉପରେ ଶୋଇ ଶୋଇ କେତେ କ'ଣ ଭାବି ଚାଲିଥିଲା। ଦେହ ଖରାପ ହେବା ଦିନଠାରୁ ଏମିତି ଶୋଇ ଶୋଇ ଖାଲି ଅନେକ କିଛି ଭାବିବା ଛଡା ତା'ଦେଇ ଆଉ କିଛି ହୋଇପାରୁନଥିଲା। ପେନସନ ଗଣ୍ଡା୍କ ଅଛି ଵୋଲି କାହା ଉପରେ ତାକୁ ସିନା ଆର୍ଥିକ ଦୃଷ୍ଟିରୁ ନିର୍ଭର କରିବାକୁ ପଡୁନଥିଲା,ହେଲେ ଏକୁଟିଆ ଦେହ ଖରାପ ହେଲେ ମନ ତାର ତା'ନିଜ ଲୋକଙ୍କୁ ଖୋଜିବସୁଥିଲା। ପିଲେ ତାର ବଡ଼ ହୋଇ ବିଦେଶରେ ରହିଲେ, ତାକୁ ଯଦିଓ ସେମାନଙ୍କ ସାଙ୍ଗରେ ଯିବାକୁ ବାଧ୍ୟ କରୁଥିଲେ, ହେଲେ ସେ ଚାକିରି ଖଣ୍ଡକ ଛାଡିକି ଯିବାକୁ ଜମାରୁ ରାଜି ହୋଇ ନ ଥିଲା। ପିଲାମାନେ ଆଉ କଣ କରିଥାନ୍ତେ ଯେ–ବାଧ୍ୟ ହୋଇ ମନକୁ ମାରି ନିଜ ନିଜ କର୍ମସ୍ଥଳ କୁ ଚାଲି ଯାଇଥିଲେ। ଦିନେ ,ଦୁଇ ଦିନରେ ଫୋନ କରି,ଭିଡ଼ିଓ କଲ କରିକି ମା ସାଙ୍ଗରେ କଥା ହୋଇ ଯାଆନ୍ତି,ଆଉ ସେତିକି ରେ ମନକୁ ବୁଝାଇ ସମ୍ପୁର୍ଣା  ତା'ଶିକ୍ଷକ ଜୀବନ ରେ ଵ୍ୟସ୍ତ ଓ ଖୁସି ହୋଇ ଯାଉଥିଲା।

   ସ୍କୁଲ ସମୟ ସରିବା ପରେ ଦୁଇ ତିନୋଟି ଛୋଟ ପିଲାଙ୍କୁ ତା'ଘରେ ପଢ଼ାଇ ବାକି ସମୟ ତକ କୁ ପୁରାପୁରି ବିନିଯୋଗ କରିଦେଉଥିଲା। ସେଇ ପିଲାଙ୍କ ଭିତରୁ 'ଆଦି' ତାର ଯେମିତି ପରିବାର ର ସଦସ୍ୟ ହେଇଯାଇଥିଲା। ସମସ୍ତ ଙ୍କୁ ସମାନ ଭାବରେ ପ଼ଢାଇଲେ ମଧ୍ୟ ଆଦି ର ସ୍ନେହରେ ଦିନକୁ ଦିନ ଯେମିତି ସିଏ କେଉଁ ଏକ ଅଜଣା ବନ୍ଧନ ରେ ବାନ୍ଧି ହୋଇ ପଡ଼ିଥିଲା। ଗୋଟାଏ ଦିନ ଆଦି ନ ଆସିଲେ ,ତାକୁ ଜମା ଭଲ ଲାଗୁ ନଥିଲା,ଆଉ ଆଦି ବି ଗୋଟିଏ ଦିନ ,ତା ଘର ଲୋକଙ୍କ ଅସୁବିଧା ଯୋଗୁଁ ନ ଆସି ପାରିଲେ ,ତା'ଘରକୁ ପକାଉ ଥିଲା ଉଠାଉ ଥିଲା। ଆଦି ର ମା କୁହନ୍ତି–କଣ ଏମିତି ଗୁରୁମା କିମିଆ କରିଦେଇଛନ୍ତି ଯେ ଗୋଟାଏ ଦିନ ବି ଆଦି ଟିଉସନ ବନ୍ଦ କରିବାକୁ ରାଜି ହଉନି! କ୍ରିକେଟ ଖେଳ ଶିଖିବା କୁ ଯିବା କି ଡ୍ରଇଂ ମାଷ୍ଟର ଙ୍କ ପାଖକୁ ଯିବା ବନ୍ଦ ହୋଇଯିବ ପଛକେ ,ଗୁରୁମା ଙ୍କ ପାଖକୁ ଆସିବା ଯେମିତି ଦିନଟିଏ ବି ବନ୍ଦ ହେବନି!

   ସେଦିନ,ଆଦି ର ମା କହୁଥିଲେ,ଗୁରୁଦିବସ ର ପୂର୍ଵ ଦିନ ରାତି ବାରଟା ପର୍ଯ୍ୟନ୍ତ ବସି ,ହନୁମାନ ଙ୍କ ର ଫୋଟୋ ଟିଏ ଆଦି ନିଜ ହାତରେ ଡ୍ରଇଂ କରି,ତାକୁ ବନ୍ଧେଇ ଥିଲା। ତା ପରଦିନ ତା' ପାଖକୁ ଧାଇଁ ଆସିଥିଲା ହାତ ତିଆରି ଛୋଟିଆ ଫୁଲ ତୋଡାଟିଏ ଓ ସେ ଫୋଟୋ ଟିକୁ ଧରିକି। ତା ଝାଳ ନାଳ ଚେହେରା ଟା ଦେଖିକି ସେ ବ୍ୟସ୍ତ ହୋଇ ପଡ଼ିଥିଲେ ବି ମନ ଭିତର ଟା କେମିତି ଖୁସିରେ ପୂର୍ଣ ହେଇଯାଇଥିଲା! ସେଦିନ ଫୁଲ ତୋଡାଟିକୁ ଛୋଟ ଫୁଲଦାନୀ ଟିରେ ସଜେଇଦେଇ,ହନୁମାନଙ୍କ ଫୋଟୋ ଟିକୁ ତା ବେଡ଼ ପାଖ ଥାକରେ ରଖିଦେଇଥିଲା। ସେଇ ଦିନଠାରୁ,ସେ ଫୋଟୋ ଟି ସେମିତି ସେଇ ଜାଗାରେ ରହିଥିଲା ଯେ କେବେ ବି କୋଉଠିକୁ ସେ ବଦଳାଇ ପାରି ନଥିଲା! ରିଟାଏଡ଼ମେଣ୍ଟ ପରେ ନିଜ ଘରକୁ ଚାଲିଯାଇଥିଲା,ସବୁକିଛି ବଦଳି ଯାଇଥିଲା,ହେଲେ ସେ ଫୋଟୋ ଟି ସେମିତି ତା ବେଡ଼ ପାଖ ଥାକରେ ରହିଥିଲା।

       ନିଜ ଭାବନା ଭିତରୁ ଫେରି ଆସିବାକୁ ସମ୍ପୁର୍ଣା କୁ ବେସି ସମୟ ଲାଗିନଥିଲା। ଯେତେବେଳେ ତା ଦେହ ର ଉତ୍ତାପ ସାଙ୍ଗରେ ବାହାର ବର୍ଷା ର ପ୍ରକୋପ ମଧ୍ୟ ବଢିଚାଲିଥିଲା,ଆଉ ପାଣି ଗିଲାସ କ ଉଠାଉ ଉଠାଉ ହାତ ରୁ ଖସି ପଡ଼ିଥିଲା, ପ୍ରକୃତିସ୍ତ ହୋଇଥିଲା। ଆଶ୍ଚର୍ଯ୍ୟ ହୋଇଥିଲା ଯେତେବେଳେ ତା ପଡିଶା ଘରେ କାମ କରୁଥିବା ଝିଅ ଟିକୁ ତା ପାଖରେ ଦେଖିଥିଲା, ଶୁଣି ଥିଲା,ସେଠି ଜଣେ କମ୍ ବୟସ ର ଡାକ୍ତର ତାଙ୍କ ଛୋଟିଆ ପରିବାର ଧରିକି ରହୁଛନ୍ତି ବୋଲି । ଦେଖା କରିବାକୁ ନା ସିଏ କେବେ ଯାଇପାରିଥିଲା ,ନା କାର୍ଯ୍ୟ ବ୍ୟସ୍ତତା ରେ ସେମାନେ କେବେ ଦେଖା କରିପାରିଥିଲେ! ସେମାନେ ଆସିବା ପୂର୍ବରୁ ସେ ରୋଗ ରେ ପଡି ଏକପ୍ରକାର ବିଛଣା ଧରିସାରିଥିଲା। ବହୁ କଷ୍ଟରେ ଟିକିଏ ଯାହା ନିଜର ନିତ୍ୟକର୍ମ କରିପାରୁଥିଲା। ପିଲାମାନଙ୍କ ଭିଡ଼ିଓ କଲ କୁ ଆଭଏଡ଼ କରି କେବଳ କଲ୍ ରେ ଯାହା କଥାବାର୍ତ୍ତା କରୁଥିଲା। ଜାଣିଥିଲା,ତା'ଦେହ ଏମିତି ହେବା ଦେଖି ଝିଅ ଦୁଇଜଣ ସବୁ ଛାଡିକି ଚାଲି ଆସିବେ ବୋଲି! ନିଜକୁ ଆରୋଗ୍ୟ କରିବାକୁ ଔଷଧ ପତ୍ର ଖାଇ ,ଯଥାସାଧ୍ୟ ଚେଷ୍ଟା ଚଳେଇଥିଲା। ହେଲେ ରୋଗଟା। ଯେମିତି ଜିଦ୍ଦି ଧରି ବସିଥିଲା ତାକୁ ନ ଛାଡିବାକୁ! ଡାକ୍ତର ଙ୍କ ର ସବୁ ଔଷଧ ଫେଲ ମାରିଯାଉଥିଲା! ଦିନକୁ ଦିନ ସମ୍ପୁର୍ଣା ଦୁର୍ବଳ ହୋଇ ଚାଲିଥିଲା ! ନିଜର ଜୀର୍ଣ୍ଣ ଶୀର୍ଣ୍ଣ ଚେହେରା ଟା ଦର୍ପଣ ରେ ତାକୁ କେମିତି ଅଚିହ୍ନା ଲାଗୁଥିଲା!

    ପ୍ରକୃତିସ୍ଥ ହୋଇ, ପାଖରେ ଛିଡା ହୋଇଥିବା ଝିଅ ଟିକୁ ଧୀରେକି ପଚାରି ଦେଇଥିଲା–ତୁମକୁ କିଏ ଏଠିକି ପଠାଇଲା ମା? ମୁଁ ତ ଖାଲି ଥରେ ଅଧେ ଦୂରରୁ ତୁମକୁ ଦେଖିଥିଲି। ମୋ ଘରେ କା ମ କରୁଥିବା 'ସୁଲି' ତୁମକୁ ମୋ ଦେହ କଥା କହିଲାକି?? ଝିଅ ଟିର ପାଟିରୁ ସାଙ୍ଗେ ସାଙ୍ଗ ବାହାରି ଆସିଥିଲା–ନାହିଁ ମାଉଷୀ,ମୁଁ ଯାହାଘରେ କାମ କରୁଛି, ସେ ବାବୁ ବହୁତ ଭଲ ଲୋକ। ଆଜି ରବିବାର ,ଘରେ ଅଛନ୍ତି, ମତେ ତମ ଖବର ବୁଝିବାକୁ ପଠେଇଲେ,ଆଉ କହିଲେ,ଯଦି କିଛି ଦରକାର ଥିବ,ମା ପାଖରୁ ନେଇକି ଦେଇଦେବୁ,ତାଙ୍କ ଦେହ କୁଆଡେ ଖରାପ ଅଛି ପରା! ମୁଁ ଦେଖିଲି ,'ସୁଲି' ତ କେତେବେଳୁ ଗଲାଣି,ଏକୁଟିଆ ରୋଗିଣା ମଣିଷ ତମେ,ସେଥିପାଇଁ ଚାଲିଆସିଲି। ଏତିକି କଥାରେ ତାକୁ କାହିଁକି କେଜାଣି ଭାରି ଶାନ୍ତି ଲାଗିଥିଲା, ଦେହର ଜର ଟା କମୁ ନ କମୁ,ମନ ଟା ଟିକିଏ ଉଶ୍ଵାସ ହୋଇଯାଇଥିଲା! ହେଲେ ,ଝିଅ ଟି ଯେତେବେଳେ ତା'ମୁଣ୍ଡ ରେ ହାତ ଦେଇକି ଦେଖିଲା, ଚମକି ପଡିଥିଲା, ପାଟିରୁ ତାର ବାହାରି ପଡିଥିଲା–ଏ ମା ତାତି ତ ଖଇ ଫୁଟୁଛି! ତମେ ଔଷଧ ଖାଇଛ ଟି? ସମ୍ପୁର୍ଣା କିଛି କହି ନ ପାରିବାରୁ ତା 'ପାଖରେ ଥିବା ଫୋନ ଟି ଆଣି ତାକୁ ଧରାଇ ଦେଇଥିଲା,ଆଉ କହିଥିଲା–ମା,ତମେ କୋଉ ଡାକ୍ତର ଙ୍କୁ ଜାଣିଛ,ଫୋନ ଲାଗେଇକି ଡାକିଦିଅ। ସମ୍ପୁର୍ଣା ନିଜ ଇଚ୍ଛା ଓ ଶକ୍ତି ବିରୁଦ୍ଧରେ ଯାଇ ମଧ୍ୟ ଫୋନ ନମ୍ବର ଡାଏଲ କରିଲା,ହେଲେ ସେଦିନ ଯେମିତି କେହି ତା'କଥା ଶୁଣିବାକୁ ରାଜି ନ ଥିଲେ! କାହାର ଫୋନ ଲାଗିଲାନି! ଏତେ ଜୋରରେ ବର୍ଷା ହେଉଥିବା ରୁ ନେଟୱାର୍କ ବି ଧରୁନଥିଲା! ସେତିକିରେ ଝିଅ ଟି ଆଉ କିଛି ନ କହି ,ଦୌଡ଼ିକି ଚାଲିଯାଇଥିଲା ଛତା ଖଣ୍ଡେ ଧରିକି।

    ତା'ର ନିଦ ଭାଙ୍ଗି ଯାଇଥିଲା, ଯେତେବେଳେ ,ସୁଲି ଘର ଭିତରକୁ ପସୁ ପସୁ ବଡ ପାଟି ଟାଏ କରିଥିଲା–ଏ ମା, ତମର କଣ ହେଲା?? ଆଖି ଖୋଲି ଉଠିବାକୁ ଚେଷ୍ଟା କଲାବେଳେ ଦେଖିଥିଲା,ଜଣେ ଯୁବକ ପାଖ ଚେୟାର ଟିରେ ବସିରହି ତାକୁ ଅଟକାଇବାକୁ ଚେଷ୍ଟା କରୁଛନ୍ତି। ସିଏ କିଛି ବୁଝି ପାରିବା ପୂର୍ବରୁ ଯୁବକ ଜଣକ କହିଉଠିଥିଲେ–ଆପଣ ଉଠନ୍ତୁନି, ମେଡିସିିନ ଖାଇଛନ୍ତି,ମୁଣ୍ଡ ଟିକେ ବୁଲାଇବ। ହଠାତ୍ ଏମିତି ଆତ୍ମୀୟତାପୂର୍ଣ୍ଣ କଥା ପଦକ କିଏ କହୁଛି ବୁଝିପାରନଥିଲା,ଅଳ୍ପ ଚିହ୍ନା ଚିହ୍ନା ମୁହଁ ଟିକେ ଲାଗିଥିଲା ଯୁବକଙ୍କ ର,ଯେତେବେଳେ ମନେପକାଇବାକୁ ଚେଷ୍ଟା କରିଥିଲା,ଆଖି ତାର ଯୁବକଟିର ହାତରେ ଧରିଥିବା ପ୍ରିୟ ହନୁମାନ ଙ୍କ ତୈଳଚିତ୍ର ଟି ଉପରେ ଅଟକି ଯାଇଥିଲା! ବ୍ୟସ୍ତ ଓ ବିବ୍ରତ ହୋଇପଡିଥିବା ସମ୍ପୁର୍ଣା କୁ ଦେଖି ଯୁବକ ଜଣକ ଆଖି ଛଳ ଛଳ କରି କହି ପକାଇଥିଲେ–ଗୁରୁମା, ମତେ ଚିହ୍ନି ପାରୁନାହାନ୍ତି?

ଜୋରକରି ମନଭିତର ଟା କୁ ଖେଳେଇଲା ବେଳକୁ,ଯୁବକ ଜଣକର ବାଷ୍ପାକୁଳ କଥା ଗୁଡିକ ଭାସି ଆସିଥିଲା–ଗୁରୁମା ମୁଁ, ଆଦି ,ଆଜିଯାଏ ଆପଣ ଏ ଫୋଟୋଟିକୁ ଏତେ ଯତ୍ନ ରେ ସାଇତି ରଖିଛନ୍ତି

   ହଠାତ୍ ଯେମିତି ସମ୍ପୁର୍ଣା ର ସମଗ୍ର ଶରୀର ରେ ନୂଆ ଜୀବନ ଖେଳି ଯାଇଥିଲା! ନିର୍ବାକ ହୋଇ ଯୁବକଟିର ମୁହଁକୁ ଏକ ଲୟ ରେ ଚାହିଁ ରହିଥିଲା। କିଛି ସମୟ ପରେ ପ୍ରକୃତିସ୍ଥ ହୋଇଥିଲା, ଯେତେବେଳେ ସାମ୍ନା ଘରେ କାମ କରୁଥିବା ଝିଅ ଟି ପସି ଆସୁ ଆସୁ କହିପକେଇଥିଲା–ତମ ଭାଗ୍ୟ ଜୋର ମା! ଆମର ଏ ବାବୁ ତମର ପଡିଶା ହେଇ ଆସିଛନ୍ତି। କାଲି ରାତିରେ ତମ ଜର ଏତେ ବଢିଯାଇଥିଲାଯେ ତମେ ବେହୋସ ହେଇଗଲ । ମୁଁ ଦଉଡି ଯାଇ ଆମ ବାବୁ ଙ୍କୁ କହିଲାରୁ,ବାବୁ ,ମା ଦୁହେଁ ସାଙ୍ଗେ ସାଙ୍ଗ ଦଉଡିକି ଆସିଲେ। ଏ ଫୋଟୋ ଖଣ୍ଡିକରେ କଣ ଦେଖିଲେ କେଜାଣି,ବାବୁ ଆମର କାନ୍ଦି ପକେଇଲେ! ତୁମକୁ ଔଷଧ ଦେଇ,ରାତି ଡେରି ହେବାରୁ ମା'ଙ୍କୁ ଆଉ ମତେ ତାଙ୍କ ଘରକୁ ପଠେଇଦେଇ,ରାତି ସାରା ତମକୁ ଜଗି ବସିିଥିଲେ!

    ଏତକ ଶୁଣି ସମ୍ପୂର୍ଣ୍ଣା ର ତିରିଶ ବର୍ଷ ତଳର କଥା ହଠାତ୍ କାହିଁକି କେଜାଣି ମନେ ପଡିଯାଇଥିଲା। ଆଦି ର ମା ତାଙ୍କୁ ଥରେ କଥା ପ୍ରସଙ୍ଗରେ କହିଥିଲେ–ଗୁରୁମା,ଆପଣ 'ଆଦି' କୁ ଏତେ ସ୍ନେହ ଅଜାଡି ଦେଉଛନ୍ତି, କେମିତି ସେ ଋଣ ଆପଣଙ୍କ ର ଶୁଝିବ? ସତରେ ତ,'ଆଦି ' ଯେମିତି ସବୁଯାକ ଋଣ ସେଇ ରାତିକ ରେ ଶୁଝି ଦେଇଥିଲା!! ସେଦିନ ହୁଏତ ସେ ରାତିରେ ନ ଥିଲେ,ସମ୍ପୁର୍ଣା ସକାଳ ର ସୂର୍ଯ୍ୟ ଦେଖି ପାରି ନଥାନ୍ତା, ଆଉ ତା' ପିଲାମାନେ ,ସେ ଆର ପାରିରେ ଥିଲେ ବି ତାକୁ କେବେ ହେଲେ କ୍ଷମା କରିପାରିନଥାନ୍ତେ


Rate this content
Log in

Similar oriya story from Inspirational