ଗୁରୁଭକ୍ତି
ଗୁରୁଭକ୍ତି


କରୋନା ପାଇଁ ସ୍କୁଲ ବନ୍ଦ, ଅନଲାଇନରେ ଚାଲିଛି ପାଠପଢା, ପିଲାଙ୍କ ପାଖକୁ ଯାଇ ଡ୍ରେସ, ବହିପତ୍ର, ଚାଉଳ, ଖୁସି ଇତ୍ୟାଦି ଯୋଗାଇଦେବାକୁ ପଡୁଥିଲା ବେଳେ ଗୁରୁଦିବସ ପାଳନ ପାଇଁ ପିଲାଙ୍କୁ ଡାକିହେଲାନି, ଖୁବ ମନେ ପଡେ ପିଲାମାନଙ୍କ କଥା l
ଗୁରୁଦିବସ ଏମିତି ଏକ ଦିନ ଯେଉଁଦିନ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିବସକୁ ସେ କିପରି ସମଗ୍ର ଗୁରୁକୂଳ ଲାଗି ସମର୍ପିତ କରିଛନ୍ତି କହିଥାଏ ପିଲାଙ୍କୁ, କେହି କହିପାରେ ସବୁବେଳେ ସେହି ସବୁ ତାଙ୍କର ଜୀବନୀ, କର୍ମ, ଊତ୍ସର୍ଗ, କଥା କହିବା କଣ ଦରକାର, ହେଲେ ନିଶ୍ଚୟ ଦରକାର, କୋମଳମତି ପିଲାଙ୍କୁ ବାରବାର କହିବା ସହ ନୂତନ ପିଢ଼ି ଙ୍କୁ ମନେପକାଇବା ପାଇଁ ତ ଏ ଦିବସର ତାତ୍ପର୍ଯ୍ୟ l
ସେ ଭିତରେ ସବୁ ଜନନାୟକମାନଙ୍କ ଗୁରୁଭକ୍ତି ତଥା ପୂର୍ବ କାଳର ଆଋଣୀ, ଉପମନ୍ୟୁ, ତଥା ମହାଭାରତର ବିଶିଷ୍ଟ କର୍ଣ୍ଣ ଅର୍ଜ୍ଜୁନ ତଥା ଏକଲବ୍ୟଙ୍କ କାହାଣୀ ମଧ୍ୟ କହିଥାଏ ପିଲାଙ୍କୁ, ଗାନ୍ଧିଜୀ କେମିତି ଗୁରୁ ଭକ୍ତିର ପରାକାଷ୍ଠା ଦେଖାଇଥିଲେ, ମିଛ କହିଥିବାରୁ ପିତୃତୁଲ୍ୟ ପିତାଙ୍କ ଆଗରେ ଦୋଷ ସ୍ୱୀକାର କରିବା ସହ, ଗୁରୁଙ୍କ ନିର୍ଦେଶରେ ପାଂଚଗୋଟି ଅକ୍ଷର ଭିତରୁ ଗୋଟିଏ ଭୁଲ ଶବ୍ଦକୁ ପାଖ ପିଲା ଖାତାରୁ କପି କରିନଥିଲେ କି ପରିସ୍ଥିତି କ୍ରମେ ସାର କପି କରିବାକୁ କହିଥିବାରୁ ତାଙ୍କୁ ଭୁଲ ବୁଝି ଅବମାନନା କରିନଥିଲେ, ସେମିତି ଗୋପବନ୍ଧୁଙ୍କ ଗୁରୁଭକ୍ତିର ପଟ୍ଟାନ୍ତର ନାହିଁ l
ଜ୍ୱର ପ୍ରପୀଡ଼ିତ ଗୁରୁ ଲେମ୍ବୁଟିଏ ଚାହିଁଥିଲେ ତ ଗ୍ରାମ ପରେ ଗ୍ରାମ ଟପି ଗୋପବନ୍ଧୁ ଦେଖିଥିଲେ ଲେମ୍ବୁ ଗଛ ହେଲେ ବଗିଚାର ମାଳୀ ନିଦ୍ରିତ, ତ ନେବେ କେମିତି ଅବା ନିଦ୍ରିତ ବ୍ୟକ୍ତିଙ୍କୁ ଉଠାଇବେ କେମିତି ତ ମାଳୀଙ୍କର ନିଦ୍ରାଭଙ୍ଗ ପର୍ଯ୍ୟନ୍ତ ସେ ତାଙ୍କ ପାଦ ପ୍ରଖ୍ୟାଳନ କରିଚାଲିଲେ, ନିଦ୍ରା ଭଙ୍ଗ ହୁଅନ୍ତେ ବାଳକ ଗୋପବନ୍ଧୁଙ୍କ ଏତାଦୃଶ କାର୍ଯ୍ୟ କଳାପରେ ମୁଗ୍ଧ ହେବା ସହ ଲେମ୍ବୁ ପ୍ରଦାନ କରିଥିଲେ ଏବଂ ସେହି ଲେମ୍ବୁ ନେଇ ପୁଣି ପଥଶ୍ରାନ୍ତ ଶରୀରରେ ଫେରି ଗୁରୁଙ୍କୁ ଲେମ୍ବୁପାଣି ପ୍ରଦାନ କରନ୍ତେ, ଗୁରୁ ସୁସ୍ଥ ହେଲା ପରେ ଲେମ୍ବୁ ପାଇବା ବୃତାନ୍ତ ଶୁଣି ଗୋପବନ୍ଧୁ ଯେ ଦିନେ ବଡ଼ମଣିଷ ବା ଭଲମଣିଷ ହେବେ ସୂଚନା ପାଇଥିଲେ l
ଏସବୁ ବ୍ୟତୀତ ନିଜ ଗୁରୁମାନଙ୍କଠୁ ପାଇଥିବା ପ୍ରେରଣା କଥା ବି ମୁଁ ପିଲାଙ୍କୁ କହିଥାଏ, ଯେମିତିକି ବୈକୁଣ୍ଠ ସାରଙ୍କର ପ୍ରତ୍ୟକ ଶବ୍ଦ ବୁଝେଇବାର ପ୍ରଣାଳୀ ଆଜି ଉଜ୍ଜ୍ୱଳ ଉତ୍ଥାନ ଠୁ କୌଣସି ଗୁଣରେ କମ ନୁହେଁ, ସେହିଭଳି ସୁରେନ୍ଦ୍ର ସାରଙ୍କର ସବୁ ପିଲାଙ୍କୁ ଗୋଟିଏ ସ୍ୱତନ୍ତ୍ର ନାମକରଣରେ ଷଷ୍ଠ ଶ୍ରେଣୀରେ ମୋ ନାମ ପନିକି କହିଥିବାରୁ ମୁଁ କାନ୍ଦିକାଟି ଲହୁଲୁହାଣ ହେଇଥିଲା ବେଳେ ସାର କିପରି ମୋ ମୁଣ୍ଡ ଆଉଁସି ଆରେ ପନିକି ଯେପରି ପ୍ରତ୍ୟକ ପରିବାରୁ ଅଳିଆ ଆବର୍ଜ୍ଜନା କାଢି ସାର ଜିନିଷ ତକ ରଖେ ତୁ ସେହିପରି ରଖିବୁ, ସତରେ ମୁଁ ରଖିପାରିଛି କି ନା ତ ମୋ ଛାତ୍ର ଛାତ୍ରୀ କହିବେ, ହେଲେ ପିଲାଙ୍କୁ ପନିକି ପରି ହେବାକୁ କହିଥାଏ l
ପୁଣି ମନେ ପଡନ୍ତି ରାଘବ ସାର, ଯିଏ ବାମ ହାତରେ ଖାଦ୍ୟ ଗ୍ରହଣ କରନ୍ତି ଓ ନିଜ ହାତରେ ସେତେବେଳେ ଥିବା ବରପାଲି ପାଇଖିନା ସଫା କରନ୍ତି ବୋଲି ପିଲାଏ ତାଙ୍କୁ ଘୃଣା କରନ୍ତି, ହେଲେ ବିଚାର କଲେ ସ୍ୱଚ୍ଛତାକୁ ଯେ ସେ ଉଚ୍ଚ ଆସନ ଦେଇଥିଲେ, ଏଥିରୁ ସ୍ପଷ୍ଟ, ସେହିସାର ସବୁବେଳେ ବାୟାମ ଓ ଖେଳକୁଦ ଉପରେ ଗୁରୁତ୍ୱ ବି ଦେଉଥିଲେ, ମୁଁ ଯେବେ ସବୁଦିନ ପାଇଁ ସ୍କୁଲ ଛାଡ଼ିଥିଲି, ସେ ମତେ ନିଜ ହାତରେ ରସଗୋଲା ଖୁଆଇ, ଶ୍ରୀମା ଓ ଅରବିନ୍ଦଙ୍କ ବନ୍ଧେଇ ଫୋଟୋଟିଏ ଯୋଉଥିରେ,"ବାକ୍ୟ ନୁହେଁ କର୍ମ" ଲେଖାଥିଲା ଦେଇ ସବୁଦିନ ପାଇଁ ସମୟାନୁବର୍ତ୍ତିତା ବଜାୟ ରଖିବାକୁ କହିଥିଲେ ସେକଥା ବି କୁହେ l
ସେଇ ସାର, ଗୁରୁମାମାନଙ୍କ କଥା ଓ ଉପଦେଶ ମାନି ବାଟ ଚାଲୁ ଚାଲୁ କି ଭଲମଣିଷ ହେଇଛି ଜାଣେନା କିନ୍ତୁ ଶିକ୍ଷୟିତ୍ରୀଟିଏ ହେବାର ସୌଭାଗ୍ୟ ପାଇ ଭଲମଣିଷଟିଏ ହୋଇଛିକି ନାହିଁ ଅନୁଶୀଳନରେ ମତେ ଲାଗେ ପିଲାମାନେ ଅନ୍ୟମାନଙ୍କ ଭଳି ମତେ ଭଲ ପାଆନ୍ତି ନାହିଁ, କାରଣ ଖୋଜିଵସେ, ତ ମତେ ଲାଗେ ମୋ ଶୃଙ୍ଖଳିତ ଆଚ, ବିଷୟ ଭିତ୍ତିକ ପାଠପଢା ବେଳେ ଯେତିକି ଉପଦେଶ ବା ହସ କୌତୁକ ଓ ବାର୍ତ୍ତା ସହ ଯେତିକି ମିଶିବା ଆବଶ୍ୟକ, ସମୟାନୁବର୍ତ୍ତୀ ନହେଲେ ସମ୍ୟକ ଗାଳିଦେବା, ପ୍ରାଥନା କ୍ଲାସରେ ଅନୁଚିନ୍ତା ମାଧ୍ୟମରେ ଭଲ କଥା କହିଲେ ବି ଆଜିକାଲି ପିଲାଙ୍କୁ ସେସବୁ ପସନ୍ଦ ନୁହେଁ, ଯିଏ ପାଠ୍ୟ ବହିର୍ଭୁତ ଗପସପ ହେଲା, ହ୍ବାଟସ ଆପରେ ଚାଟିଙ୍ଗ କଲା, ସେମାନଙ୍କୁ ପିଲାମାନେ ଅଧିକ ଭଲ ପାଆନ୍ତି କଣ କଲେ ପିଲାଏ ମତେ ଭଲପାଇବେ, ଭାବି ହୁଏ, ହେଲେ ବାଟ ପାଏନା, କାରଣ କଥାହେଲେ ମୁଁ ଆଧାରକାର୍ଡ଼ ଆଣିଲ ନା ନାହିଁ, ବ୍ୟାଙ୍କ ଆକାଉଣ୍ଟ ଦେଲ ନା ନାହିଁ, ଠିକଠାକ ରୁଟିନ ଅନୁଯାୟୀ ବହିପତ୍ର ଆଣିବା, ପ୍ରାର୍ଥନା କ୍ଲାସରେ ଯୋଗ ଦେବା, ପାଣି ବୋତଲ ଓ ଅଭିଭାବକ ମାନଙ୍କୁ ମୀଟିଙ୍ଗକୁ ଆସିବାକୁ କହିଲ ନା ନାହିଁର ତଦାରଖ ବେଶୀ ଥାଏ l
ସହଜେ ଏଵେ ଅନଲାଇନ ପାଠ ପଢାରେ ଗ୍ରୁପରେ ମୋ ନମ୍ବର ଜାଣି ବ୍ୟକ୍ତିଗତ ଭାବେ କେହି ପିଲା ନମସ୍କାର ବଦଳରେ, ପାଠ୍ୟ ଭିତ୍ତିକ ବାହାରେ ହାଏ ହାଲୋ କହନ୍ତି ତ ମୁଁ ମୃଦୁ ବିରକ୍ତି ପ୍ରକାଶ କରିଥାଏ, ତ ଏବର୍ଷ କରୋନା ପାଇଁ ପିଲାଏ ସ୍କୁଲକୁ ନ ଆସନ୍ତୁ କିନ୍ତୁ ସବୁ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ମଧ୍ୟରେ କାହାକୁ ଓ କାହିଁକି ସବୁଠାରୁ ଭଲ ଲାଗେ, ଲେଖିକି ଦେବାକୁ କୁହାଯାଇଥାଏ, ତ ମତେ ଖରାପ ଲାଗୁଥାଏ କାରଣ ମତେ କେହି ବି ଭଲ କହିବେନି କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ମୋ ନାମ ଥିଲା ସର୍ବାଗ୍ରେ ଯାହା ମୋର ବିଶ୍ୱାସର ବାହାରେ ଥିଲା l