ଗୁରୁ ମାଆ
ଗୁରୁ ମାଆ


ଜନ୍ମରୁ କେହି ଖରାପ ହୋଇ ଜନ୍ମ ହୋଇ ନଥାନ୍ତି।ପରିସ୍ଥିତି ବେଳେବେଳେ ବାଧ୍ୟ କରେ।କିନ୍ତୁ ସେହି ସମୟରେ ଯଦି ଉଚିତ ମାର୍ଗରେ ପରିଚାଳିତ କରାଯାଏ,ସେ ପିଲା ବି ଭଲ ମଣିଷ ହୋଇ ସମାଜରେ ଠିଆ ହୋଇ ପାରେ.....ଏମିତି କିଛି ଗପରେ...."ଗୁରୁମାଆ "
ଅଳକା ପଟ୍ଟନାୟକ। ଜଣେ ନିମ୍ନ ମଧ୍ୟବିତ ପରିବାରର ଝିଅଟିଏ।ସହରର ଚାକଚକ୍ୟ କଣ ଜାଣନ୍ତିନି।ନିପଟ ମଫସଲରେ ଜନ୍ମ ତାଙ୍କର।।ବାପା ଜଣେ ତୃତୀୟ ଶ୍ରେଣୀ ସରକାରୀ କର୍ମଚାରୀ।ଘରେ ତାଙ୍କୁ ଛାଡ଼ି ଆହୁରି ଚାରି ଭଉଣୀ। ଅଭାବି ପରିବାର।ବପାଙ୍କର ଯେତିକି ରୋଜଗାର ପରିବାର ଚଳିବା ବହୁତ କଷ୍ଟକର। ହେଲେ ଅଳକାଙ୍କର ପାଠ ପଢ଼ିବାର ନିଶାକୁ ଅଭାବ ରୋକି ପାରି ନଥିଲା। ଛୋଟ ଛୋଟ ପିଲାଙ୍କୁ ପାଠ ପଢ଼ାଇ ସେ ନିଜର ପଢ଼ା ଖର୍ଚ୍ଚ ବହନ କରି ନେଉଥିଲେ।ଏମିତିକି ବେଳେ ବେଳେ କିଛି କିଛି ପଇସା ବୋଉକୁ ମଧ୍ୟ ସାହାଯ୍ୟ କରି ପାରୁଥିଲେ।ଅଭାବଟିକୁ ସେ ପାଖରୁ ଅନୁଭବ କରିଛନ୍ତି।ସେଇଥିପାଇଁ ସେ ଅନ୍ୟର କଷ୍ଟକୁ ବୁଝିପାରନ୍ତି।
ଅଭିଜୀତ୍ ଥିଲା ଅଳକାର ଜଣେ ଛାତ୍ର। ସେ ଭଲ ପାଠ ପଢ଼ୁଥିବାରୁ ଅଳକା ତାକୁ ଖୁବ୍ ଆଦର ବି କରନ୍ତି।ଅଭିଜୀତ୍ ଥିଲା ଗରୀବ ଶ୍ରେଣୀର ପିଲାଟିଏ ,ବାପା ତା'ର ଦିନ ମଜୁରିଆ।ପିଲାଟିର ପଢ଼ିବାର ଆଗ୍ରହ ଦେଖି ଅଳକା ତାକୁ ବିନା ଫି ରେ ପାଠ ପଢ଼ାନ୍ତି।ଭଲ ଡ୍ରେସ ହଳେ ବି ତା'ପାଖରେ ନଥାଏ।କିନ୍ତୁ ବହୁତ ସଚ୍ଚୋଟ ଓ ମେଧାବୀ ପିଲାଟିଏ। ହେଲେ ଛୋଟ ପିଲାଟିଏ ସେ,ଲୋଭରେ ଦିନେ ସାଙ୍ଗ କାହ୍ନାର କଲମ ଚୋରି କରି ନେଇଥିଲା।ଆଉ କାହ୍ନା ଯେତେବେଳେ ଆସି ଅଳକାଙ୍କୁ କହିଲା ସେ ଅଭିଜୀତ୍ କୁ ପଚାରି ଥିଲେ ମଧ୍ୟ। ହେଲେ ଅଭିଜୀତ୍ ସେଦିନ ଡରରେ ମିଛ କହିଥିଲା ଯେ ସେ ନେଇନି ବୋଲି।ଅଳକା ବହୁତ ମନଦୁଃଖ କଲେ।
ଆଉ ଭାରାକ୍ରାନ୍ତ ମନରେ ପାଠ ବି ପଢ଼ାଇ ପାରିଲେନି ସେଦିନ। ଖାଲି ପିଲାଙ୍କୁ ଗୋଟେ ଗପ କହି ଥିଲେ ଯାହାର ସାରାସଂ ଥିଲା "କଷ୍ଟ ଉପାର୍ଜିତ ଧନ ହିଁ ପ୍ରକୃତ ସୁଖ ପ୍ରଦାନ କରିଥାଏ।ଚୋରି ଧନ କ୍ଷଣିକ ସୁଖ ଦିଏ"।ତା ପରେ ପିଲାଙ୍କୁ ଛାଡି ଦେଇଥିଲେ ଓ ଅଭିକୁ ନିଜର କଲମ ଟି ଦେଇ ଦେଇଥିଲେ।
ରାତି ଅପସରି ଗଲା।ସକାଳୁ ସକାଳୁ ଦେଖିଲେ ଅଭିଜୀତ୍ ତାଙ୍କ ଅଗଣାରେ ଛିଡ଼ା ହୋଇ କାନ୍ଦି ଚାଲିଛି।ଯିଏ ଯେତେ ବୁଝାଇଲେ ବି ସେ ବୁଝୁନି।ତା'ର ଗୋଟିଏ ଜିଦ୍ ସେ ଗୁରୁ ମାଆଙ୍କୁ ଦେଖା କରିବ। ନିଦ ମଳ ମଳ ଆଖିରେ ଅଳକା ପହଂଚିଲେ ଅଭିଜୀତ୍ ପାଖରେ। ଅଳକା ଙ୍କର ପାଦ ଧରି କଇଁ କଇଁ ହୋଇ କାନ୍ଦି ଉଠିଲା ଅଭିଜୀତ୍।ଆଉ କହୁଥିଲା ଗୁରୁମାଆ ମୋତେ ଦଣ୍ଡ ଦିଅନ୍ତୁ,ମୁଁ ଚୋରି କରିଛି, ମୁଁ ଚୋର ତୁମପରି ଗୁରୁମାଆଙ୍କୁ ମୁଁ ମିଛ କହିଛି।ଅଭିଜୀତ୍ କୁ ଛାତିରେ ନିଜ ପିଲାପରି ଚାପି ଧରିଲେ ଅଳକା।ଆଉ ତା ଆଖିରୁ ଲୁହ ପୋଛୁ ପୋଛୁ କହୁଥିଲେ ତୁ' ସତ କହିଲୁ ଏଇଟା ହିଁ ମୋର ଶ୍ରେଷ୍ଠ ଗୁରୁଦକ୍ଷୀଣା। ମୋର ଆଶିର୍ବାଦ ତୁ'ଜୀବନରେ ଭଲ ମଣିଷ ଟିଏ ହ ।
କୋଡିଏ ବର୍ଷ ପରେ..........
ଘରର ସମସ୍ତ କାର୍ଯ୍ୟ ସମାପନ ପରେ ସୋଫା ଉପରେ ଅନ୍ୟ ମନସ୍କ ଭାବେ ବସି ପଡିଲେ ଅଳକା ।ଅସ୍ତଗାମୀ ସୂର୍ଯ୍ୟଙ୍କର ସୁନେଲି କିରଣ ବିଛାଡି ହୋଇ ପଡିଥିଲା ଘରର ଚଟାଣ ଉପରେ। ହଠାତ କାହାର ଚରଣ ସ୍ପର୍ଶ ରେ ଧ୍ୟାନ ଭାଙ୍ଗି ଗଲା ଯେପରି।ପୁଣି ଭାବିଲେ ହଁ ଆଜି ଗୁରୁଦିବସ ତ କୋଉ ପିଲା ହୋଇ ଥିବେ ନିଶ୍ଚୟ।ଆଖି ଖୋଲି ଚାହିଁଲେ ଅଳକା । ହେଲେ ୟେ କଣ ??ତାଙ୍କ ସାମ୍ନାରେ ୨୪ କି୨୫ ବର୍ଷୀୟ ଜଣେ ଉଦୀୟ ମାନ ଯୁବକ ଦଣ୍ଡାୟମାନ ଯେ ।ପ୍ରକୃତିସ୍ଥ ହୋଇଗଲେ ଅଳକା।ତାଙ୍କର ସ୍ୱଭାବ ସୁଲଭ ଗୁଣରେ ପଚାରିଲେ'କିଏ ତୁମେ ପୁଅ'? ଯୁବକ ଜଣକ ସେମିତି ନତମସ୍ତକ ହୋଇ ଉତ୍ତର ଦେଲେ "ମୋତେ କଣ ଚିହ୍ନି ପାରୁନ ଗୁରୁ ମାଆ" ?
ହଠାତ ଗୁରୁ ମାଆ ଶଦ୍ଦଟି ଅଳକାଙ୍କୁ ଭାବ ବିହ୍ୱଳ କରି ଦେଇଥିଲା। ସେ ନିର୍ନିମେଷ ନୟନରେ ଚାହିଁ ରହିଥିଲେ । ଯୁବକ ଜଣକ ଉତ୍ତର ଦେଲେ ମୁଁ ଅଭିଜୀତ ଗୁରୁ ମାଆ।ତୁମର ଅଭି।କୋହଭରା କଣ୍ଠରେ ଅଳକା କହିଥିଲେ ମୁଁ ଚିହ୍ନି ପାରୁନାହିଁ ରେ ବାପା। ତୁମେ କୋଉ ଅଭିଜୀତ୍ ? ଲୁହ ଛଳ ଛଳ ଆଖିରେ ଛୋଟ ପିଲାଙ୍କ ପରି ଅଳକା ଙ୍କୁ ଜାବୁଡ଼ି ଧରିଥିଲା ଅଭିଜୀତ୍। ଆଉ କହି ଚାଲିଥିଲା 'ମୁଁ ସେଇ ଚୋର ଅଭି ଗୁରୁ ମାଆ' ଯିଏ ତୁମପାଇଁ କେବଳ ଆଜି ହୋଇପାରିଛି ଜଣେ ଆଇ ଏ ଏସ ଅଫିସର......ଅଳକାଙ୍କର ଝାପ୍ସା ଝାପ୍ସା ମନେ ପଡୁଥିଲା ଅତୀତ ପୃଷ୍ଠାରୁ କିଛି..... ।