STORYMIRROR

RAJENDRA DASH

Inspirational

3  

RAJENDRA DASH

Inspirational

ଗୁରୁ ଦକ୍ଷିଣା

ଗୁରୁ ଦକ୍ଷିଣା

2 mins
581



“ନାଇଁ ଗୁରୁଜୀ, କ୍ଷମା କରନ୍ତୁ, ମୋ ଦ୍ଵାରା ଆଉ ସମ୍ଭବ ନୁହେଁ ।”

ଏଇ କଥା ପଦକରେ ଡାକ୍ତର ସୁଧୀରଙ୍କ ପାଖରୁ ଫେରି ଆସିଥିଲେ ପ୍ରଭାତ ବାବୁ, ଝିଅର ଦୂରାରୋଗ୍ୟ ସାଙ୍ଗକୁ ମହାମାରୀ ପ୍ରଭାବରେ ହରେଇଥିବା ଜୀବିକା ବୋଝ ଉପରେ ନଳିତା ବିଡ଼ା ସଦୃଶ ପ୍ରତୀତ ହେଉଥାଏ ତାଙ୍କୁ ।


ଗଣିତ ଶିକ୍ଷକ ବୋଲି ନିଜ ଉପରେ ବହୁତ ଗର୍ବ କରୁଥିଲେ ପ୍ରଭାତ ବାବୁ । ଯୁବାବସ୍ଥାରେ ଏଇ ହାତରେ କେତେ ଜଣଙ୍କୁ ଅବା ସେ ନ ଗଢିଛନ୍ତି, ସରକାରୀ ବିଦ୍ୟାଳୟରେ ନିଜ ଗାଣିତିକ ପ୍ରତିଭାକୁ ପୂର୍ଣ୍ଣ ରୂପେ ପରିସ୍ଫୁଟିତ ନ କରିପାରିବା ଆଶଙ୍କାରେ ସ୍ଵଇଚ୍ଛାରେ ବେସରକାରୀ ବିଦ୍ୟାଳୟରେ ଚାକିରି କରିଥିଲେ ସେ । ସେ ସମୟରେ ସର୍ବୋତ୍ତମ ଗଣିତ ଶିକ୍ଷକ ଭାବେ ପରିଗଣିତ ହେଉଥିଲେ ସେ ଆବାଳ ବୃଦ୍ଧ ବନିତାଙ୍କ ଦ୍ଵାରା । ଟ୍ୟୁସନରୁ ବି ଭଲ ପଇସା ଆସୁଥିଲା ।

କିନ୍ତୁ ସେ ତ ଅତୀତ, ଏବେ ସେ ସମୟ ବି ନାହିଁ, ସେ ବଳ ବି ନାହିଁ । ନାହିଁ ବି ଆଗ ପରି ଓଡିଆ ମାଧ୍ୟମରେ ପଢାଇବାକୁ ଅଭିଭାବକଙ୍କ ଆଗ୍ରହ । କମିଯାଇଛି ବି ତାଙ୍କ ଚାହିଦା । ହାତ ଗଣତି ସି.ବି.ଏସ୍.ଇ. ପିଲାଙ୍କୁ ପଢେଇ ଯାହା ଗୁଜୁରାଣ ମେଣ୍ଟଉଛନ୍ତି ।


 ସୁଧୀର ପରି କେତେ ପିଲା ତାଙ୍କରି ପାଖରୁ ହିଁ ତ ପଣକିଆ ଠାରୁ ଆରମ୍ଭ କରି ଜଟିଳ ବୀଜ ଗଣିତ ଯାଏଁ ସବୁ ଶିଖିଛନ୍ତି । ସୁଧୀର ତ ଥିଲା ତାଙ୍କ ଅର୍ଜୁନ । କିନ୍ତୁ ସମୟ ଚକ୍ରରେ ସେ ବି ପକ୍ଷ ନେଇ ପାରୁନି ଦ୍ରୋଣଙ୍କର ଆଜି ତାଙ୍କ ଜୀବନ ମହାଭାରତ ଯୁଦ୍ଧରେ ।


କେଉଁ ମୁହଁରେ ବି ଫେରିବେ ଘରକୁ, ଘରେ ଗୃହିଣୀ ଙ୍କର ସେଇ ଏକା ଜିଦ୍, ମାମୁନିକୁ ଯେମିତି ବି ଭଲ କରି ଆଣିବ । କେମିତି

ବୁଝେଇବେ ଯେ ଆଜି ତାଙ୍କ ଅର୍ଜୁନ ବି ହାତ ଛାଡି ଦେଇଛି ତାଙ୍କ ପ୍ରାଣ ପ୍ରିୟା କନ୍ୟାକୁ ବଞ୍ଚେଇ ରଖିବାକୁ ।


 ସାମ୍ନାରେ କେଉଁ ଗାଡିର ବ୍ରେକ ଶବ୍ଦରେ ପ୍ରକୃତିସ୍ଥ ହେଲେ ପ୍ରଭାତ ବାବୁ । ଗାଡିରୁ କିଏ ଜଣେ ଆସି ଲମ୍ବ ପ୍ରଣିପାତ ବି କରିଲାଣି, କିଏ ଏଇ ବାବୁ ଜଣ କ, ସୁଟ ବୁଟ ପିନ୍ଧା ସେଇ ଯୁବକଙ୍କ ଭକ୍ତିରେ ଟିକେ ଅସହଜ ହୋଇଗଲେ ସେ ।


“ଗୁରୁଜୀ, ଚିହ୍ନି ପାରୁ ନାହାନ୍ତି, ପ୍ରବୀଣ ମୁଁ, ୨୦୦୯ ବର୍ଷର । ଆପଣଙ୍କ ଆଶୀର୍ବାଦରୁ ଆଜି ମୁଁ ଏକ ନାମକରା ଶିକ୍ଷକଟିଏ ହେଇ ପାରିଛି ”


ଅତୀତର ସ୍ମୃତି ରୋମନ୍ଥନ କରୁ କରୁ ମନେ ପଡିଗଲା ପ୍ରବୀଣ କଥା, ଟ୍ୟୁସନ ଆସୁ ନଥିଲା ବୋଲି ଜାଣି ଶୁଣି କମ୍ ନମ୍ବର

ଦେଉଥିଲେ ସେ ତାକୁ, ତଥାପି ଗାଣିତିକ ପ୍ରତିଭାରେ ସେ ଥିଲା ଅନନ୍ୟ, ଅଦ୍ଵିତୀୟ । ଦୁଇ ଟୋପା ଲୁହ ଝରି ଆସିଥିଲା ପ୍ରଭାତ

ବାବୁଙ୍କ ଆଖିରୁ । ନିଜା ଅତୀତର ଗ୍ଳାନି ପାଇଁ ଅବା ନିଜ ଛାତ୍ରର ସଫଳତା ପାଇଁ ସେ ବିଷୟରେ ନିଜେ ବି ସନ୍ଦିହାନ ଥିଲା ସେଇ ଲୁହ ଦୁଇ ଟୋପା। ....................................

କିଛି ଦିନ ଅନ୍ତରେ

 

ମାମୁନି ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ । ପ୍ରବୀଣର ଘରୋଇ ଷ୍ଟୁଡିଓରେ ଠିଆ ହେଇଥାନ୍ତି ପ୍ରଭାତ ବାବୁ ହାତରେ ଡିଜିଟାଲ କଲମ ଓ ଡିଜିଟାଲ କଳାପଟା ସହ । ତାଙ୍କ ଠାରୁ ପୁଣି ପଢୁଛନ୍ତି ଶହ ଶହ ଛାତ୍ର ଛାତ୍ରୀ, ଏବେ କିନ୍ତୁ ଅନଲାଇନରେ । ପୁଣି ବୀଜ ଗଣିତ, ଜ୍ୟାମିତି, ପରିମିତିର ଜଟିଳ ସମସ୍ୟାକୁ ସରଳ କରାଉଛନ୍ତି ସେ । 

ହାତରେ ଲଫାଫାଟିଏ ଧରି ପ୍ରବୀଣ ବଢେଇ ଦେଉଥାଏ ଆଜି ତାଙ୍କ ମାସିକ ବେତନ । ଆନନ୍ଦାଶ୍ରୁ ବୋହି ଯାଉଥାଏ ଦୁଇ ଆଖିରୁ, ଲାଗୁଥାଏ ସତେ କି ଏକଲବ୍ୟ ଆଜି ପରିଶୋଧ କରୁଛି ତା’ର ଗୁରୁଦକ୍ଷିଣା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational