RAJENDRA DASH

Tragedy

4.0  

RAJENDRA DASH

Tragedy

ଶେଷ ଶାରଦୀୟ ବାର୍ତ୍ତା

ଶେଷ ଶାରଦୀୟ ବାର୍ତ୍ତା

3 mins
230



ହା ଏ,, ହେଲ୍ଲୋ, ଶୋଇ ଯାଇଛ ବୋଧେ, କିନ୍ତୁ ନେଟ୍ ଅନ୍‌ ଅଛି ନା, ମୋତେ ଲାଗୁ ଥାଉ ଏତିକି ଯେ ମୁଁ କହିପାରୁଛି ବୋଲି, ଜାଣେନି କାଲି କହି ପାରିବି କି ନା, ଆଉ କାହାକୁ କହିବାକୁ ସାହସ କରି ପାରୁନି, ନିଜର ସାଙ୍ଗ ବୋଲି କହିବାକୁ ବି କେହି ଜଣେ ନାହାନ୍ତି ନା । କେମିତି ବା ହେବେ ମୁଁ ଯେ ଦକ୍ଷ ଶଲ୍ୟ ଚିକିତ୍ସକ ସମର୍ଜିତ୍ ପଢ଼ିଆରିଙ୍କ ପୁଅ, ନିଜସ୍ଵ ମତ ତ ମୁଁ ଏବେ ହଜେଇ ସାରିଥିଲି ଯେବେ ମୋତେ ସୃଷ୍ଟି କରିବାକୁ ସହସ୍ର ଶୁକ୍ରାଣୁ ପରସ୍ପର ସହ ପ୍ରତିଯୋଗିତା କରିଥିଲେ । 


ସେମାନଙ୍କ ଭିତରେ ପ୍ରତିଯୋଗିତା ଅବଶ୍ୟ ଥିଲା ରାଣୀ ଡିମ୍ବ ପାଖେ ପହଞ୍ଚିବାକୁ, କିନ୍ତୁ ସେମାନେ ପ୍ରତ୍ୟେକ ନିଜ ସହ ଆଣିଥିଲେ ମୋ ପାଇଁ କେବଳ ଗୋଟିଏ ଉଦ୍ଦେଶ୍ୟ, ପଢିଆରି ସାରଙ୍କ ପୁଅ ମସ୍ତିଷ୍କ ବିଶାରଦ ହେବ । 


ତୁମେ ପଚାରନା ମୁଁ କେମିତି ଏତେ ପାଠ ପଢିପାରେ, କେମିତି ଏତେ ଗ୍ରନ୍ଥ କୀଟ ମୁଁ? ମୁଁ କେବେ ଚାହିଁ ନଥିଲି, ଆଜି ବି ଚାହୁନି, ମୁଁ ତ ସବୁବେଳେ ଚାହେଁ ଟିକେ ଶାନ୍ତିର ପ୍ରଶ୍ୱାସ ନେବାକୁ, ବଞ୍ଚିବାକୁ, ତୁମ ପରି କେବେ କ୍ଲାସ୍ ବଙ୍କ କରି ରାମୁ ଭାଇ ଦୋକାନରେ ଦୁଇ ଥାଳି ସିଙ୍ଗଡ଼ା, ଗୋଟେ କପ୍ କଫି ପିଇବାକୁ, ହେଲେ ନା ...... ଯେଉଁ ସମୟରେ ମୁଁ ସ୍ପାଇଡରମ୍ୟାନ୍ ଖେଳନା ପାଇଁ ଜିଦ୍ କରିଥିଲି ଗାଲରେ ଶକ୍ତ ଚାପୁଡ଼ା ମାରି ମାଆ ମୋ ହାତରେ ଧରେଇ ଦେଇଥିଲା ଡକ୍ଟର୍ ସେଟଟିଏ । କେବେ ଅତିଥି ପ୍ରତିବେଶୀଙ୍କ ଆଗେ ମୁଁ ପୋଲିସ ଅଫିସର୍ ହେବାକୁ ଚାହେଁ ବୋଲି କହିଦେଲେ କେଜାଣି କାହିଁକି ବାପା କଥା ବୁଲେଇ ଆଣି କହୁଥିଲେ ସେମାନଙ୍କୁ," ବାୟା ଟା, ଆମେ ଥାଉ ଥାଉ କଣ ତାକୁ ଡାକ୍ତର ନ କରି ଛାଡ଼ିବୁ, ଏ ସବୁ ଖାଲି ଏଇ ତୁଚ୍ଛା ଚଳଚ୍ଚିତ୍ରର ପ୍ରଭାବ," ତୁଚ୍ଛା ଚଳଚ୍ଚିତ୍ରର ପ୍ରଭାବ କହି ମୋ କୋମଳ ମନର ହୃଦୟକୁ ବି ଭାଙ୍ଗି ଦେଇଥିଲେ ସେମାନେ ସେଇ ଦିନ । 


ଜାଣିଛ, ମୋତେ ଖେଳିବାକୁ ବହୁତ୍ ଭଲ ଲାଗେ, ସ୍କୁଲରେ ଭଲ ଫୁଟବଲ ଖେଳୁ ଥିଲି ବୋଲି କୋଚ୍ ସାର୍ ବାପା'ଙ୍କ ପାଖେ ଆସି ଅନୁମତି ମାଗିଥିଲେ ଉଚ୍ଚସ୍ତରର ପ୍ରଶିକ୍ଷଣ ପାଇଁ । ମୋ ମୁଣ୍ଡ ଖରାପ କରାଇଦେବା ଆରୋପରେ ଘର ଦୁଆରରୁ ତାଙ୍କୁ ଫେରାଇ ଦେଇଥିଲେ ବାପା ।


ଜାଣ, ସକାଳେ ପ୍ରାତଃଭ୍ରମଣରେ ଗଲା ବେଳେ ରାସ୍ତା କଡ଼ରେ ଜରି ଗୋଟାଉଥିବା ପିଲାଙ୍କ ସ୍ଵାଧୀନତା ଉପରେ ଈର୍ଷା ଲାଗେ, ଈର୍ଷା ଲାଗେ ପୁଣି ନିଜ ଇଚ୍ଛାରେ ଧୂଳି ଧୂସରିତ ହୋଇ ଦିନ ସାରା ବଗିଚାରେ କାମ କରୁଥିବା ହରି କକାଙ୍କ ଉପରେ । ରାତି ଅଧରେ ହ୍ୱିସିଲ୍‌ ମାରୁ ଥିବା ବାହାଦୂର ଉପରେ ବି ଈର୍ଷା ଆସେ । ଆମେ ଦୁହେଁ ସଚେତ୍ ଥାଉ ରାତ୍ରିର ଘନ ନିସ୍ତବ୍ଧ ଅନ୍ଧକାରରେ, କିନ୍ତୁ ତା'ର ହ୍ୱିସିଲ୍‌ ଶବ୍ଦରେ ପ୍ରତୀତ ହୁଏ ଏକ ମୁକ୍ତ ବିହଙ୍ଗ କାକଳୀ ସହ ବିଚରଣ କରୁଛି ଅନାୟାସରେ, ଏବଂ ମୁଁ ଏକ ବନ୍ଦୀ ପକ୍ଷୀ ଯିଏ ବାନ୍ଧି ହେଇ ଯାଇଛି ପୁସ୍ତକ, ଶ୍ରେଣୀରେ ପ୍ରଥମ ହେବା ପ୍ରତିଯୋଗିତା ଏବଂ ମସ୍ତିଷ୍କ ବିଶାରଦ ହେବାର ଶିକୁଳିରେ । ମୋ କିଚିରି ମିଚିରି ଶବ୍ଦ ବି କେବଳ ମୋ ମାଲିକଙ୍କୁ ତୋଷ କରିବାକୁ ଉଦ୍ଦିଷ୍ଟ।


ସବୁ ମ୍ୟାସେଜ୍‌ ଏକ ଟିକ୍ ମାର୍କରେ ରହି ଯାଉଛି, କିନ୍ତୁ ମନ ହେଉଛି କାଳେ ତୁମେ ଏବେ ଦେଖି ଦିଅନ୍ତ କି? କାଳେ ନୀଳବର୍ଣ୍ଣ ଧାରୀ ଦୁଇ ଟିକର ଚିହ୍ନ ଆସି ଯାଆନ୍ତା ମୋ ବାର୍ତ୍ତାରେ । ହୁଏ ତ ତୁମ ପାଇଁ ପ୍ରଥମଥର ମୁଁ ଖୋଲିକି ହସିବା ଶିଖିଥିଲି, ସେଥିପାଇଁ ବୋଧେ ଦମ୍ଭ ଧରି ତୁମକୁ ଲେଖୁଛି ଏ ସବୁ ।


ଶରତ ଆସିଛି, ଆସିଛି ବି କାଶତଣ୍ଡୀର ସମ୍ଭାର, କିନ୍ତୁ ଉପଭୋଗ କରିବା ସମ୍ଭବ ନୁହେଁ ଆଉ ମୋ ପକ୍ଷ ସେ ସୌନ୍ଦର୍ଯ୍ୟ, କାଲି ନିଟ୍ ପରୀକ୍ଷା, ମା' ବୁଲିବୁଲି କହିଦେଇଛି ପୁଅ ତା'ର ଡାକ୍ତର ହେବା ନିଶ୍ଚିତ । ମାତୃ ସତ୍ୟ ପାଳନ କରିବାର ଅସହ୍ୟ ଚାପ ବି ପଡ଼ି ଆସୁଛି ଗତ ଛଅ ମାସ ହେଲା । ବିଜ୍ଞାନ କେବେ ବି ମୋର ପ୍ରିୟ ନଥିଲା, ମୋର ଅଭିରୁଚି ଥିଲା କ୍ରୀଡାରେ, ସାହିତ୍ୟରେ । କେହି ଶୁଣିବାକୁ ଚେଷ୍ଟା ବି କଲେନି ।


ନିଜ ସୌନ୍ଦର୍ଯ୍ୟ ଦେଖାଇବା ଆଗରୁ ଆଜି ମଉଳି ଯାଉଛି ଏଇ କାଶତଣ୍ଡୀ, ସେଥିପାଇଁ ତୁମ ଆଗରେ ହିଁ ରଖୁଛି *ମୋ ଶେଷ ଶାରଦୀୟ ବାର୍ତ୍ତା* ନିଟ୍ ଦେବାର ଦମ୍ଭ ନାହିଁ ମୋର । ତୁମ ବନ୍ଧୁତା ହିଁ ଏ ପର୍ଯ୍ୟନ୍ତର ମଧୁର ମୁହୂର୍ତ୍ତ, ତୁମ ସହ ନଦୀ ପଠା ଯିବାର ପ୍ରତିଶ୍ରୁତି ପୂରଣ କରିପାରିବିନି ଆଉ, କ୍ଷମା କରିବ । ଶୁଭରାତ୍ରି, ଭଗବାନ୍‌ ମଙ୍ଗଳ କରନ୍ତୁ ତୁମର


ସୌରଭ



Rate this content
Log in

Similar oriya story from Tragedy