STORYMIRROR

RAJENDRA DASH

Drama Tragedy

3  

RAJENDRA DASH

Drama Tragedy

ପିତୃ ଋଣ

ପିତୃ ଋଣ

2 mins
74


ସାଲାଇନ ବୋତଲରୁ ଅବିରତ ଭାବେ ଟପ୍ ଟପ୍ ଶବ୍ଦ ଆସୁଥାଏ । ପାଖରେ ନର୍ସମାନେ କର୍ମ ତତ୍ପର ହୋଇ ଉଠୁଥାନ୍ତି, ନିଜ ଚିହ୍ନା ପରିଚୟର ଥିଲେ ବୋଲି ଡାକ୍ତରଙ୍କ ମୋବାଇଲରୁ ଭିଡିଓ କଲ୍ କରିଥିଲେ ରବୀନ୍ଦ୍ର ବାବୁ, ଭେଣ୍ଟିଲେଟରରେ ଶୋଇ ରହିଥିଲେ ତା’ଙ୍କ ଅଲିଅଳି କନ୍ୟା ଶୁଭ୍ରା । ଅଲିଅଳି ଥିଲା କି ସେ, ଭାବନାରେ ହଜିଗଲେ ରବୀନ୍ଦ୍ର ବାବୁ, ଜ୍ୟେଷ୍ଠା ହେଇଥିଲେ ବି କେବେ ତାଙ୍କ ସ୍ନେହର ପରଶ ପଡି ନଥିଲା ତା ମଥାରେ, ବରଂ ଝିଅଟିଏ ହୋଇ ଜନ୍ମ ହେଇଥିଲା ବୋଲି ବହୁ ଶରବ୍ୟର ଶିକାର ହୋଇଥିଲା ସେ । ପିଲାଟି ବେଳୁ ସବୁବେଳେ ଅବହେଳିତ ହୋଇ ଆସିଛି ସେ, ରାଜାର ଜନ୍ମ ପରେ ତ ଏଇ ଦୁଃଖ ଯେମିତି ଦୁଇ ଗୁଣିତ ହେଇଯାଇଥିଲା ତା ପାଇଁ । ପୁଅ ଥିଲା ରବୀନ୍ଦ୍ର ବାବୁଙ୍କ ପାଇଁ ସ୍ଵର୍ଗ ଦର୍ଶନର ମାଧ୍ୟମ, ତାଙ୍କ ମତରେ ସେ ହିଁ ତାଙ୍କ କୂଳ ପରମ୍ପରାକୁ ଆଗକୁ ବଢେଇବ, ସେଥିପାଇଁ ତାର ସବୁ ଇଚ୍ଛା ପୂରଣ ହେବା ଦରକାର । 

***** ***** *****

ଅନେକ ଦିନ ବିତି ଯାଇଛି ଏଇ ଭିତରେ, ସମଗ୍ର ଦୁନିଆ କୋଭିଡର ତାଣ୍ଡବରେ ଉତ୍ପୀଡ଼ିତ, ନିଜେ ରବୀନ୍ଦ୍ର ବାବୁ ମଧ୍ୟ ବଞ୍ଚିନଥିଲେ ତା କବଳରୁ । ପତ୍ନୀଙ୍କ ଇହଧାମ ତ୍ୟାଗ ପର ଠାରୁ ପୁଅ ବୋହୁଙ୍କ ଦୟାର ପାତ୍ର ହୋଇ ରହି ଆସିଛନ୍ତି ସେ, ନିଜ ସ୍ଵେଦ ରୁଧିରରେ ଗଢା ତାଙ୍କ ଘରେ ଏବେ ତାଙ୍କ ପୁଅ ଏବେ ନୂଆ ମାଲିକ ହୋଇଛି । ବୋହୁର ଦୌରାତ୍ମ୍ୟ ବି ସହି ହେଉନି, ପୁଅ ବୋହୁ ଦୁଇ ଜଣ ଚାକିରିଆ, ତେଣୁ ଦିନ ସାରାର ନାତି ନାତୁଣୀର ଦାୟିତ୍ଵ ଆସେ ତାଙ୍କ ଥକିଯାଇଥିବା କାନ୍ଧ ଉପରେ । 

କିନ୍ତୁ କୋରୋନାରେ ସଂକ୍ରମିତ ହୋଇ ସାରିବା ପରେ, ଗୃହ ବାସନ୍ଦ ହୋଇ ଯାଇଥିଲେ ସେ । ଖାଇବାକୁ ଯୋଉ ଗଣ୍ଡାକ ମିଳୁଥିଲା ସେତକ ବି ବନ୍ଦ ହେଇଯାଇଥିଲା ଆଜି । ସେତେବେଳେ ତାଙ୍କୁ ନିଜ ସ୍ନେହରେ ଆବୋରି ନେଇଥିଲା ଏଇ ଶୁଭ୍ରା, ଯାହାକୁ ସେ ଘରୁ ବିତାଡିତ କରି ଦେଇଥିଲେ ଭଲ ପାଇ ତାଙ୍କ ଇଚ୍ଛା ବିରୁଦ୍ଧରେ ବାହା ହୋଇଥିବା ପାଇଁ । କିନ୍ତୁ ତିଳେ ଗ୍ଳାନି ବିନା ହସି ହସି ନିଜକୁ ମୃତ୍ୟୁ ପାଖେ ସମର୍ପି ଦେଇ ବାପାଙ୍କୁ ସ୍ନେହ ମମତା ଅଜାଡି ସେବା ଶୁଶ୍ରୁଷା କରିଥିଲା ସେ । ବାପା ତ ଭଲ ହୋଇଗଲେ, କିନ୍ତୁ ଭୟଙ୍କର ଭୂତାଣୁକୁ ସାଥି କରିନେଇଥିବା ଶୁଭ୍ରା ବଞ୍ଚି ନଥିଲା ତା’ର କରାଳ କବଳରୁ । 


ସାଲାଇନ ବୋତଲରୁ ଅବିରତ ଭାବେ ଟପ ଟପର ଶବ୍ଦ ଆସୁଥାଏ । ପାଖରେ ନର୍ସମାନେ କର୍ମ ତତ୍ପର ହୋଇ ଉଠୁଥାନ୍ତି, ନିଜ ଚିହ୍ନା ପରିଚୟର ଥିଲେ ବୋଲି ଡାକ୍ତରଙ୍କ ମୋବାଇଲରୁ ଭିଡିଓ କଲ୍ କରିଥିଲେ ରବୀନ୍ଦ୍ର ବାବୁ, ଭେଣ୍ଟିଲେଟରରେ ଶୋଇ ରହି ଥିଲେ ତା’ଙ୍କ ଅଲିଅଳି କନ୍ୟା ଶୁଭ୍ରା, ଡାକ୍ତର କହୁଥିଲେ ଦୁଇଟି ଫୁସଫୁସ ପୁରା ସଂକ୍ରମିତ ହୋଇ ସାରିଥିଲା । ତୁଣ୍ଡରୁ ଶବ୍ଦ କ୍ଷୀଣ ହେଇ ଆସୁଥିଲା ଶୁଭ୍ରାର । ଭିଡିଓ କଲରେ ସେ ଦେଖି ପାରୁଥିଲେ ଶୁଭ୍ରାକୁ, କଷ୍ଟ ଯନ୍ତ୍ରଣାରେ ଜର୍ଜରିତ ହେଉଥିବାର । ତାଙ୍କୁ ପ୍ରତୀତ ହେଉଥାଏ, ପ୍ରତିଟି ନିଃଶ୍ଵାସ ସହ ଶୁଭ୍ରା ଯେପରି ପରିଶୋଧ କରି ଚାଲୁଥାଏ ତା’ର ପିତୃଋଣ । 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Drama