Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!
Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!

RAJENDRA DASH

Others

3  

RAJENDRA DASH

Others

ରାକ୍ଷୀ

ରାକ୍ଷୀ

4 mins
57



“ମହାମାରୀ କୋରୋନା ପାଇଁ କଟକ ସହରରେ ରାକ୍ଷୀ ବେପାର ମାନ୍ଦା । ସହରରେ କେବଳ ଗୋଟିଏ ଦୋକାନ ଖୋଲା ଥିବା ବେଳେ, ପୂର୍ବ ବର୍ଷ ଅପେକ୍ଷା ମାନ୍ଦାବସ୍ଥା ଥିବା କହିଛନ୍ତି ଦୋକାନୀ ”

 ରାକ୍ଷୀ କଥା ଶୁଣି ଖାଇବା ଥାଳି ପାଖେ ଚମକି ଉଠି ଥିଲା ପୀୟୂଷ । ବାପା ମାଆଙ୍କ ଏକୋଇର ବଳା ବିଶିକେଶନ ଥିଲା ସେ । ବାପା ଆୟକର ବିଭାଗର ଉଚ୍ଚ ପଦସ୍ଥ କର୍ମଚାରୀ, ମାଆ ଉତ୍ତମ ଗୃହିଣୀ । ଲାଳନ ପାଳନରେ କେବେ ଊଣା କରି ନାହାନ୍ତି ତାଙ୍କ ନୟନ ପିତୁଳିକୁ । ଅନୁରୂପ ଭାବେ ପାଠ ପଢି ଏକ ପ୍ରତିଷ୍ଠିତ ଅନୁଷ୍ଠାନରେ ବି ମୁଖ୍ୟ ଯନ୍ତ୍ରୀ ରୂପେ କାର୍ଯ୍ୟରତ ପୀୟୂଷ । କିନ୍ତୁ ରାକ୍ଷୀ କଥା ଶୁଣିଲେ କାହିଁ କେଜାଣି ମନରେ ଗ୍ଳାନି ଆସିଯାଏ ତାର । ନିଜର ଭଉଣୀଟିଏ ପାଇଁ କେତେ ଥର ସେ ପିଲା ଦିନେ ଅଳି କରିଛି ମହାପ୍ରଭୁଙ୍କ ଚରଣରେ, ମାଆ କହୁଥିଲା କାଳେ ଜଗନ୍ନାଥ ସମସ୍ତଙ୍କ ଦୁଃଖ ଶୁଣନ୍ତି ହେଲେ କାହିଁକି କାଳିଆ ତା ଅଳି ରଖିଲାନି ବୋଲି ମନେ ମନେ ବହୁତ ଥର ଗାଳି ବି ଦେଇଛି ନିଜ ଜାଣତରେ ।

ବାପା ବୁଝେଇ କରି କହିଥିଲେ ,”ମନ ଊଣା କରେ ନାହିଁ ବାପା , ତୋ ମାଉସୀ ଝିଅ ପିଉସୀ ଝିଅ ଦାଦା ଝିଅ, ଖୁଡୀ ଝିଅ, ବଡ ବାପା ଝିଅ , କେତେ ଭଉଣୀ ତୋର । ରାକ୍ଷୀ ପୂର୍ଣ୍ଣିମାରେ ରାକ୍ଷୀ ବାନ୍ଧିବାକୁ ତୋ ହାତର ସୀମିତ ସାମାନ୍ୟ ପରିଧି ବି କମ୍ ପଡିଯିବ”। ସତରେ!!!!!!!!!!!!! ସତରେ ରାକ୍ଷୀ ପୁନେଇରେ ଏତେ ରାକ୍ଷୀ ତା ହାତରେ ବନ୍ଧା ଯିବ, ସେଇ ମୁହୂର୍ତ୍ତରେ ଖେଳି ଉଠିଥିବା ନିଷ୍ପାପ ହାସ୍ୟ ରେଖା ଆଜି ଉତ୍ତମ ରୂପେ ଉପଲବ୍ଧି କରି ପାରିଛି ସେଇ ରାକ୍ଷୀମାନଙ୍କର ସମୟ ଅବଧିକୁ । ଯୌଥ ପରିବାରର ସାଙ୍ଗମାନଙ୍କୁ ଦେଖିଲେ ମନ ଭିତରୁ ଈର୍ଷ୍ୟା ପରାୟଣ ହୋଇ ଉଠେ ପୀୟୂଷ , ମନରେ ଭାବେ ସତରେ କେତେ ଭାଗ୍ୟବାନ ସେମାନେ , ସ୍ନେହ କରିବାକୁ ଭଉଣୀମାନେ ଥାନ୍ତୁ ଅବା ନଥାନ୍ତୁ ରାକ୍ଷୀ ତ ନିଶ୍ଚୟ ବନ୍ଧା ହେଉଥିବ ହାତରେ , “ଆହା , ମୁଁ ବି ଜନ୍ମ ହେଇଥାନ୍ତି ସତେ ଏମିତି ପରିବାରରେ , କେତେ ଭଲ ହେଇ ନଥାନ୍ତା ଅବା । ”

ନା ସମ୍ପୂର୍ଣ୍ଣ ରୂପେ ଖାଲି ରୁହେନା ପୀୟୂଷର ହାତ ଅବଶ୍ୟ କୌଣସି ରାକ୍ଷୀ ପୂର୍ଣ୍ଣିମାରେ , ପିଲାବେଳୁ ଭଳିକି ଭଳି ରାକ୍ଷୀ ବନ୍ଧା ହୋଇ ଆସୁଥାଏ ତା ହାତରେ , କିନ୍ତୁ ସେ ସମସ୍ତ ରାକ୍ଷୀ ସବୁ ବର୍ଷ ତା ହାତକୁ ଫେରିବାର ମିଛ ପ୍ରତିଶ୍ରୁତି ଦେଇ ଚାଲିଯାନ୍ତି ଏବଂ ତା ପାଇଁ ଏକ ଦୁଃସ୍ଵପ୍ନ ସାଜି ଯାଆନ୍ତି ବିକ୍ରମ ବେତାଳର ଅସରନ୍ତି କାହାଣୀ ପରି ଯେଉଁଠି ବେତାଳ ରାଜା ବିକ୍ରମାଦିତ୍ୟକୁ ପଚାରୁଥାଏ ,”କୁହ ରାଜନ , କାହିଁ ରାକ୍ଷୀମାନେ ତାଙ୍କ ପ୍ରତିଶ୍ରୁତି ରକ୍ଷା କରି ପାରନ୍ତି ନାହିଁ ପୀୟୂଷର ହାତକୁ ଫେରିବାର । ଏହାର ଉତ୍ତର ଜାଣି ସୁଦ୍ଧା ଯଦି ତୁମେ ନୀରବ ରହିବ ତେବେ ତୁମ ଶିର ଶତଧା ବିଦୀର୍ଣ୍ଣ ହେବ ” । ସ୍ଵପ୍ନ ସହ ଉଠିପଡେ ପୀୟୂଷ , କେବେ ବି ସ୍ଵପ୍ନରେ ଉତ୍ତର ଦେଇ ପାରନ୍ତିନି ରାଜା ବିକ୍ରମାଦିତ୍ୟ। ଥରକୁ ଥର ରକ୍ତ ଜୁଡୁବୁଡୁ ହେଇ ଗଡୁଛି ରାଜା ବିକ୍ରମଙ୍କ ମୁଣ୍ଡଟି , ପ୍ରତି ଥର ସ୍ଵପ୍ନରେ , ଆଜି ପର୍ଯ୍ୟନ୍ତ ବି ।


ସତରେ କଣ କେବେ ରାକ୍ଷୀମାନେ ଫେରି ନାହାନ୍ତି ? ଫେରିଛନ୍ତି କିଛି ରାକ୍ଷୀ ଅବଶ୍ୟ କିନ୍ତୁ ସ୍ଵାର୍ଥର ଲାଳସା ବି ନେଇ ଆସିଛନ୍ତି ସାଥିରେ । ମନେ ପଡିଯାଉଥାଏ ପୀୟୂଷର ହାଇସ୍କୁଲ କଥା , ଯେବେ ତା ସ୍ଵାମୀ ପାଖକୁ ଗଣିତ ପଢିବାକୁ ଯାଉଥିଲା ବୋଲି ସୁଶ୍ରୀ ଦେଈ ଆସୁଥିଲା ରାକ୍ଷୀ ବାନ୍ଧିବାକୁ , ଭଳିକି ଭଳି ମିଠା ନେଇ । ଉତଫୁଲ୍ଲିତ ପୀୟୂଷର ମନ କହୁଥିଲା ସତେ କି ନାଗରା ବଜେଇ କହିଦେବ ଗଳି କନ୍ଦିରେ ,”ଦେଖ ମୋ ନାନୀ ଆସିଛି ରାକ୍ଷୀ ବାନ୍ଧିବାକୁ , ଦେଖ ମୁଁ ବି ଆଜି ରାକ୍ଷୀ ପିନ୍ଧିଛି ”।

 ଦାଦା ଝିଅ ସୁଶ୍ରୀର ରାକ୍ଷୀ ବନ୍ଧାରେ ବି ଡୋରୀ ଲାଗି ଯାଇଥିଲା ସେଇ ଦିନ , ଯେଉଁ ଦିନ ଦଶମ ଶ୍ରେଣୀରେ ଗଣିତ ସାର ବଦଳେଇବାକୁ ବାପା ନିଷ୍ପତି ନେଇଥିଲେ । ସମୟର ଦ୍ଵାହି ଦେଇ ଆଜି ଯାଏଁ ଆସି ପାରି ନାହିଁ ସୁଶ୍ରୀ ଦେଈର ରାକ୍ଷୀ , କିନ୍ତୁ ପୀୟୂଷର ହାତ ଆଜି ଠିକ ବୁଝି ପାରିଛି ସେ ରାକ୍ଷୀର ସ୍ଵାର୍ଥପରତାକୁ ।

ରାକ୍ଷୀର ପ୍ରଭାବ ପୀୟୂଷକୁ ଏପରି ପ୍ରଭାବିତ କରିଥିଲା ଯେ ଯୌବନର ମଳୟ ବୋହିଲା ବେଳେ ବି ସୁନ୍ଦରୀ ଯୁବତୀ ପାଖେ ଭଉଣୀଟିଏ ଖୋଜୁ ଥିଲା ସେ । ତାଙ୍କ ଶାରୀରିକ ଗଠନ ନୁହେଁ , ଭାଇ ଭାବେ ଢାଳି ଦେଉଥିବା ସ୍ନେହକୁ ତରଶି ଯାଉଥିଲା ସେ ।

ସେଇ ବର୍ଷ ରାକ୍ଷୀ ପୂର୍ଣ୍ଣିମାରେ ତା ହାତର କାନ୍ଦ ବନ୍ଦ କରେଇଥିଲା ମେଘାର ରାକ୍ଷୀ । ସ୍ନେହରେ ଭାଇ ବୋଲି ଯେବେ ସେ ପ୍ରଥମ ଥର ଡ଼ାକିଥିଲା , ଯୁଗ ଯୁଗର ସମ୍ପର୍କ ଭାବେ ପ୍ରତୀତ ହେଉଥିଲା ପୀୟୂଷକୁ ସତେ ଯେପରି ।ଇଞ୍ଜିନିୟରିଂର ଚାରି ବର୍ଷ ଧରି ରାକ୍ଷୀ ବାନ୍ଧିଛି ମେଘା , ବଦଳରେ କିଛି ନେଇନି । କୁହେ “ଭାଇ ତୁମେ ଅଛ , ଆଉ କଣ ଦରକାର , ଭାଇଟିଏ ହୋଇ ସବୁବେଳେ ଥାଅ ”

ଏହା ଭିତରେ ବିତି ଯାଇଛି ଅନେକ ବର୍ଷ , ଗତ ବର୍ଷ ଯାଏଁ ଖାଲି ନଥିଲା ପୀୟୂଷର ହାତ , ଗତ ବର୍ଷ ଖାଲି ରହି ଯାଇଥିଲା ତା ହାତ । ସତରେ କଣ ସବୁ ରାକ୍ଷୀ ପରି ତାକୁ ଭୁଲିଗଲା ମେଘାର ରାକ୍ଷୀ ? ଆଜି ପୁଣି ମନେ ପଡିଯାଉଛି ସେ ସବୁ କଥା ପୀୟୂଷର ରାକ୍ଷୀ ଶବ୍ଦକୁ ଶୁଣି ।

କଲିଙ୍ଗ ବେଲର ଶବ୍ଦ ତାକୁ ବିରତ କରିଥିଲା ଭାବନା ରାଜ୍ୟରୁ । କବାଟ ପାଖେ ଥିଲା କୋରିଅର ପିଲାଟିଏ । ତା ଉଦ୍ଦେଶ୍ୟରେ ଆସିଥାଏ କୋରିଅରଟି । କୋରିଅରରୁ ବାହରି ଆସେ ଗୋଟିଏ ଚିଠି,


 ,”ଭାଇ , ଜାଣି ପାରୁଛ ତ , ତୁମ ମେଘା କହୁଛି , ଶେଷ ବର୍ଷ ରାକ୍ଷୀ ତୁମ ପାଖରୁ ଫେରି ଆସିଥିଲା , ଜାଣିନି କାହିଁକି , ବହୁତ ଥର ଚେଷ୍ଟା କରିଲି ତୁମକୁ ଫୋନ କରିବାକୁ , ସବୁ ଥର ତୁମ ଫୋନ୍ ନେଟୱର୍କ୍ କଭରେଜ୍ ବାହାରେ ବୋଲି କହିଲା । ହ୍ୱାଟସଆପ୍ ବୋଧେ ତୁମେ ଅନଇନଷ୍ଟାଲ୍ କରି ଦେଇଛ , ସେଠି କେତେ ମେସେଜ୍ କରିଛି ,କେବେ ରିପ୍ଲାଏ ଦେଇନ ତୁମେ , ସେଥିପାଇଁ ଏଇ ଚିଠି ସହ ଆଜି ତୁମକୁ ରାକ୍ଷୀ ପଠେଇଛି , ଭଗବାନ ଙ୍କୁ ବହୁତ ମିନତୀ କରିଛି ରାକ୍ଷୀ ଯେମିତି ଠିକ ସମୟରେ ପହଞ୍ଚି ଯାଉ । ମୁଁ ଏଠି ଭଲ ଅଛି ଭାଇ , ପରିସ୍ଥିତି ଟିକେ ଭଲ ହେଲେ ମୁଁ ଯାଇ ତୁମକୁ ଦେଖା କରି ଆସିବି , ମୋ ରାକ୍ଷୀ ପାଉଣା ବି ବାକି ଅଛି ନା ,, ”


ହୃତସ୍ପନ୍ଦନ ବଢିଯାଇଥିଲା ପୀୟୂଷର , ଆନନ୍ଦାଶୃ ଧାର ଧାର ହୋଇ ବୋହି ଯାଉଥିଲା ଦୁଇ ଆଖିରୁ । ସତେ କି ଆଖି ମିଟିକା ମାରି ହସି ଉଠୁଥାଏ ରାକ୍ଷୀଟି , ଓ କହୁଥାଏ,” ବିଳମ୍ବ ହେଇ ପାରେ , କିନ୍ତୁ ସବୁଥର ଆସିବି ମୁଁ , ତୁମରି ହାତକୁ , ଖାଲି ତୁମ ରକ୍ଷାର ପ୍ରତିଶ୍ରୁତିକୁ ମନେ ପକେଇବାକୁ ନୁହେଁ , ତୁମକୁ ସବୁ କଷଣରୁ ରକ୍ଷା କରିବାର ଶପଥ ନେଇ । “

 ଆଜି ମହାପ୍ରଭୁଙ୍କ ପାଖେ ପିଲା ଦିନେ କରିଥିବା ଅଳିକୁ ମର୍ମେ ମର୍ମେ ଅନୁଭବ କରୁଥିଲା ପୀୟୂଷ ।



Rate this content
Log in