RAJENDRA DASH

Inspirational

4.3  

RAJENDRA DASH

Inspirational

Online class

Online class

3 mins
86



"ହଁ, ପଣ୍ଡା ବାବୁ, କାଲି class ଆସିଯିବେ, ଆପଣ timeରେ କଲେଜ୍ ଆସିଯିବେ, କାଲିଠୁ online class ଆରମ୍ଭ କରିଦେବା, honours ପିଲାଙ୍କ ଗୁଡାଏ କ୍ଲାସ ରହିଗଲାଣି, ଆପଣ ଆଉ ମହାନ୍ତି ସାର ମିଶି ସାରିଦେବେ ବିଷୟ ସବୁ, ବାକି କଥା ମୁଁ ବୁଝି ଦେବି " । ପ୍ରମିଳା ମ୍ୟାଡ଼ାମଙ୍କ ଏଇ କଲଟିରେ ଭାଳେଣିରେ ପଡିଯାଇଥିଲେ ପଣ୍ଡା ବାବୁ । ପଣ୍ଡା ବାବୁ,  ମନୋରମା ମହାବିଦ୍ୟାଳୟରେ ଇଂରାଜୀ ବିଭାଗର ପ୍ରାଧ୍ୟାପକ, ବୟସର ମଧ୍ୟାହ୍ନରେ ଅବତରିତ, ନିଜ ସ୍ୱଳ୍ପ ମିଷ୍ଟଭାଷ ପାଇଁ ସମ୍ପୂର୍ଣ ମହାବିଦ୍ୟାଳୟରେ ସୁନାମଧନ୍ୟ । ମହାନ୍ତି ସାର, ଯୁବୋଦୀପ୍ତ, updated ଲୋକ, online ରେ ପାଠ ପଢେଇବା ତାଙ୍କ ବାଁ ହାତର ଖେଳ, କିନ୍ତୁ ସେ ? ସେ ତ ପୁରୁଣା ଯୁଗର ଖଡ଼ି ଧରା ଶିକ୍ଷକ, ଯଦିଓ ଜ୍ଞାନର ଅଗାଧ ଭଣ୍ଡାରର ଅଧିକାରୀ ସେ, କିନ୍ତୁ ସମୟ ସହ ତାଳ ଦେଇ ସେ ଯେ ଆଗକୁ ବଢି ପାରିନାହାନ୍ତି, ଏ କଥା ସହ ଉତ୍ତମ ରୂପେ ଅବଗତ ସେ । ତେବେ କୋରୋନା ପାଇଁ ପିଲାଙ୍କ ଭବିଷ୍ୟତ ବି ତମସାଚ୍ଛନ୍ନ ଏବେ, ପଢେଇବାକୁ ତ ପଡିବ । ଉପରୁ ସରକାରଙ୍କ କଡ଼ା ତାଗିଦ, ଅନଲାଇନରେ ଅଧ୍ୟାପକ ଓ ପ୍ରାଧ୍ୟାପକ ମାନେ ପଢାଇବା ଚାଲୁ କରିବା ପାଇଁ । ବଡ ବିଷମ ପରିସ୍ଥିତିରେ ଥାନ୍ତି ସେ, କଣ କରିବେ କୌଣସି ନିଷ୍ପତିରେ ଉପନୀତ ହେଇ ପାରୁ ନ ଥାନ୍ତି ସେ ।

 ପରଦିନ ଯଥାର୍ଥ ସମୟରେ ମହାବିଦ୍ୟାଳୟର ଉପସ୍ଥାପିକାରେ ନିଜ ଦସ୍ତଖତ କରି ସାରିଥିଲେ ପଣ୍ଡା ବାବୁ । ପ୍ରଥମ ପିରିଅଡଟି ମହାନ୍ତି ସାରଙ୍କ ଥିବାର ଖବର କିଛିଟା ଆଶ୍ଵସ୍ତି ଆଣି ଦେଇଥିଲା ତାଙ୍କୁ । ନିଜକୁ ମାନସିକ ରୂପେ ପ୍ରସ୍ତୁତ କରାଉଥିଲେ ସେ, "ପ୍ରଥମ ଥର online ପଢେଇବି, ଯେତେ ସଂକ୍ଷିପ୍ତ ରଖିବି ସେତେ ଭଲ, ପରେ ବରଂ ଘରେ ଆଉ ଥରେ ଅଭ୍ୟାସ କରିନେବି, ହେଲେ ଘରୁ ଅଭ୍ୟାସ କରି ହିଁ ତ ଆସିଥିଲି ଆଜି ବି, ....... "


"ସାର, ଆପଣଙ୍କ time ହେଇଗଲା "

"ହଁ, ହଁ ..."

ହୁଏତ ପଣ୍ଡା ବାବୁଙ୍କ ଡର ଯୁକ୍ତ ସଂକୋଚନର ମୁଖମଣ୍ଡଳକୁ ସଠିକ ରୂପେ ପଢି ନେଇଥିଲେ ମହାନ୍ତି ସାର । ପରିସ୍ଥିତିକୁ ହାଲକେଇନେବା ପାଇଁ ସେ କହିଥିଲେ ," ବ୍ୟସ୍ତ ହୁଅନ୍ତୁନି ସାର, ମୁଁ ଅଛି ।" 

ସେଇ ଡରକୁ ନେଇ ଶ୍ରେଣୀ ଗୃହକୁ ପ୍ରବେଶ କଲେ ପଣ୍ଡା ବାବୁ, ସାମ୍ନାରେ କଳାପଟା ନଥିଲା, ଦାନ୍ତ ନିକୁଟି ହସୁ ନଥିଲା ଭଙ୍ଗା ଚକ୍ ଖଡି ସେଠି, କ୍ଷତାକ୍ତ ପିଠି ସହ କୋଣରେ ଶୋଇ ନଥିଲା ଡଷ୍ଟର୍ ସେଠାରେ । ଥିଲା ଐରାବତ ଠାରୁ ଆହୁରି ଶୁଭ୍ର ବର୍ଣ୍ଣା projector sreen।ସତେ ଯେପରି ଦ୍ଵିତୀୟ ସୂର୍ଯ୍ୟର ଉପସ୍ଥିତିକୁ ଜାହିର କରୁଥିଲା projector ରୁ  ବାହାରି ଆସୁଥିବା ଆଲୋକ କଣିକାର ସମାହାର ସେହି ମୁହୂର୍ତରେ, ଏବଂ ପଣ୍ଡା ବାବୁ ଙ୍କୁ ଅନ୍ଧ ପ୍ରାୟ କରି ଦେଉଥିଲା । Zoom ମାଧ୍ୟମରେ ସବୁ ଛାତ୍ରା ଏକାଠି ହେବା ପରେ ବଡ କଷ୍ଟରେ ତାଙ୍କ ମୁହଁରୁ କେବଳ ଏତିକି ବାହାରିଥିଲା, "Good morning class ", ହଠାତ୍ ମୂର୍ଚ୍ଛା ପ୍ରାୟ ହୋଇଯାଉଥିଲେ ସେ, ତାଙ୍କର ମନେ ପଡ଼ି ଯାଉଥାଏ ପିଲା ବେଳର ବକ୍ତବ୍ୟ ପ୍ରତିଯୋଗିତା କଥା, ଶିଶୁ ଦିବସ ଅବସରରେ ହେଉଥିବା ପ୍ରତିଯୋଗିତାରେ ପୂର୍ବଦିନ ବକ୍ତବ୍ୟ କଣ୍ଠସ୍ଥ କରି ସୁଦ୍ଧା ମଞ୍ଚରେ କେବଳ ବରେଣ୍ୟ ସଭାପତି ମହୋଦୟରେ ଅଟକି ଯାଉଥିଲେ ସେ । ଠିକ୍ ସେହି ଡର, ସେହି ଆତଙ୍କରେ ଆତଙ୍କିତ ଆଜି ସେ ।


"ସାର । ବ୍ୟସ୍ତ ହୁଅନ୍ତୁନି ସାର, ଆମେ ସମସ୍ତେ ଆପଣଙ୍କ ସହ ଅଛୁ"

"ହଁ ସାର, ଆପଣ ବିଲକୁଲ ଅସହଜ ବୋଧ କରନ୍ତୁନି। ଆପଣ କରି ପାରିବେ ସାର, ଆମେ ସମସ୍ତେ ଆପଣଙ୍କ ସହ ଅଛୁ "

 ଆରେ, ଏ ତ ରଶ୍ମି, ମଧୁସ୍ମିତାର କଣ୍ଠସ୍ଵର । ନିଜ ଉପରେ କିଛି ବିଶ୍ଵାସ ଆସିଲା ତାଙ୍କର, ପରେ projector ପରଦାର ଅପର ପାର୍ଶ୍ଵରେ ଥିବାରେ ଥିବା ମିତାଲି, ସ୍ନେହା ,ବନ୍ୟା, ଶିବାନୀ ସମସ୍ତେ ତାଙ୍କୁ ସାହସ ଓ ସହଯୋଗ ଦେଇ ଥିଲେ । ଶୁଭସ୍ମିତା, ଇତିଶ୍ରୀ, ପଦ୍ମା ... ଯେଉଁ ଛାତ୍ରୀମାନଙ୍କୁ ପରୀକ୍ଷା ସମୟରେ ହାରି ନ ଯାଇ ଦୃଢ ଭାବେ ମୁକାବିଲା କରିବାକୁ କହି ସେମାନଙ୍କ ମନୋବଳ ବଢାଇ ଥିଲେ ସେ, ଆଜି ସେମାନେ ଏଇ ବିଷମ ପରିସ୍ଥିତିରେ ତାଙ୍କ ମନୋବଳ ବଢାଇ ସତେ ଯେପରି ତାଙ୍କୁ ତାଙ୍କ ଉଚିତ ଗୁରୁ ଦକ୍ଷିଣା ଦେଇଥିବା ପରି ପ୍ରତୀତ ହେଉ ଥାଏ ତାଙ୍କୁ ।

 ବହୁତ ସହଜ ମନେ କରୁଥିଲେ ପଣ୍ଡା ବାବୁ ଏବେ, ଆଉ ଦୃଢ ବିଶ୍ଵାସର ସହ ଏବେ ସେ ଆରମ୍ଭ କରିବାକୁ ଯାଉଥିଲେ ତାଙ୍କର ପ୍ରଥମ online class।   



Rate this content
Log in

Similar oriya story from Inspirational