Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!
Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!

Sambit Srikumar

Horror Thriller Others

4.3  

Sambit Srikumar

Horror Thriller Others

ଗୁଣିଆ

ଗୁଣିଆ

7 mins
134


ଢଗଢମାଳିରେ ସମୃଦ୍ଧ ଆମର ଭାଷା ସାହିତ୍ୟ ଓ ଲୋକକଥା। ଦୈନନ୍ଦିନ ଜୀବନରେ ଅନେକ କ୍ଷେତ୍ରରେ ଆମେ ଏସବୁର ବ୍ୟବହାର କରିଥାଉ। ଯେପରିକି ଆମର ଗାଁ ଗହଳିରେ ଲୋକମାନେ ଦୁର୍ଜନ ବ୍ୟକ୍ତିର ଚରିତ୍ର ଚିତ୍ରଣ କରିବା ପାଇଁ ସମୟ ସମୟରେ ନିମ୍ନୋକ୍ତ ଢଗ ଗାଇଥାନ୍ତି;

"ଡାହାଣୀ ହୋଇ ଲାଗିବ, ଗୁଣିଆ ହୋଇ ଝାଡିବ!"

ଏହି ଢଗଟିକୁ ମୁଁ ସ୍କୁଲରେ ପଢିବା ବେଳେ ଏହିପରି ବ୍ଯାଖ୍ଯା କରେ। ଯଦି କାହାକୁ ଭୂତ ପ୍ରେତ ଲାଗିଥାଏ ଓ ସେ ଅସ୍ବାଭାବିକ ଅଚରଣ ପ୍ରଦର୍ଶନ କରୁଥାଏ। ତେବେ ସାଧାରଣତଃ ଗୁଣିଆକୁ ଡାକି ଝଡା ଫୁଙ୍କା କଲେ ସେହି ଲୋକଟି ଦେହରେ ସବାର ହୋଇଥିବା ଦୁଷ୍ଟ ଆତ୍ମା ତୁରନ୍ତ ଦୂରେଇ ଯାଏ। ଏବେ ଗୁଣିଆର ପାଉଣା ନେବାର ପାଳି। ହେଲେ ସେ କିଛି ବି ମୁଁହ ଖୋଲି କହେ ନାହିଁ। ଘରୁଆ ଦେଇଥିବା ପାଉଣାରେ ଗୁଣିଆ ଖୁସ୍ ହେଲେ ଭଲ କଥା। ନୋହିଲେ କଥା ସରିଲା! ଗୁଣିଆ ନିଜେ ଡାହାଣୀ ହୋଇ ଲାଗେ, ନିଜର ଉଚିତ୍ ପ୍ରାପ୍ୟ ହାସଲ କରିବା ପାଇଁ।

ମାତ୍ର ଏଇ କଥାଟିର ସତ୍ଯାସତ୍ଯକୁ ମୁଁ ଅଙ୍ଗେ ଲିଭେଇଲି, ସ୍ଵୟଂ ଆଖିରେ ଦେଖିଲି, ଯେବେ ଆମ ଗାଁର କୁମର ଭାଇନାଙ୍କୁ ଭୂତ ଲାଗିଲା। କୁହାଯାଏ ଯାହାର କଳା ଥାଏ ତାକୁ କାଳେ ଭୂତ ପ୍ରେତ ଡାହାଣୀ ପିଶାଚ ଦୁଷ୍ଟାତ୍ମା ଇତ୍ୟାଦି ଦେଖାଯାଆନ୍ତି ଖାଲି ଆଖିରେ। ସମୟ ସୁବିଧା ଦେଖି ଏକେଲା ଥିବାର ସୁଯୋଗ ନେଇ ତାହାର ଦେହରେ ଦୁଷ୍ଟାତ୍ମା ପ୍ରବେଶ କରି ନାନାଦି ଲୀଳାଖେଳା କରିଥାଏ। ଏଣୁ ବିଶେଷ କଳାଧାରୀ ସେହି ଲୋକଟି ଅନ୍ୟମାନଙ୍କ ଠାରୁ ଭିନ୍ନ। ଏମିତି ଏକ ଭିନ୍ନ ଧରଣର ମଣିଷ ଥିଲେ ଆମର କୁମର ଭାଇନା।

ଏକାନ୍ନବର୍ତ୍ତୀ ପରିବାରର ତୃତୀୟ ପୀଢ଼ିର ଜ୍ୟେଷ୍ଠ ସନ୍ତାନ ଥିଲେ କୁମର ଭାଇନା। ବଡ଼ ଗେଲବସରରେ ବଢିଥିଲେ ସେ ପିଲାଟି ଦିନରୁ। ନିଜ ଜେଜେ ଯଦୁନାଥ ମହାନ୍ତିଙ୍କ ପରି ଭାରି ବହକାଲିଆ ମାମଲତକାରିଆ ସ୍ବଭାବର ସେ। ସବୁକଥାରେ ଅଯଥାରେ ଷଣ୍ଢ ପୁରାନ୍ତି ସେ। ପାଠ ପଢାରେ ଏତେଟା ଖାସ୍ ନଥିଲା ତାଙ୍କର ଆଗ୍ରହ କିମ୍ବା ପ୍ରଦର୍ଶନ। ଜେଜେଙ୍କ ବାଟିଏ ଜମିକୁ ନେଇ ଟିକେ ହାଲୁକା ଅହଂ ଭାବ ଥିଲେ ମଧ୍ୟ ପିଲା ଠାରୁ ବୁଢ଼ା ଯାଏଁ ସମସ୍ତଙ୍କ ସହ ସହଜରେ ମିଶିପାରନ୍ତି ସେ।

କୁମର ଭାଇନାଙ୍କ ଏଇ ଭୁତ ପ୍ରେତ ଦେଖିବା କଳା ଆଗରୁ ଜଣା ନଥିଲା କାହାକୁ। ଯେବେଠାରୁ ସେ ବୋର୍ଡ଼୍ ପରୀକ୍ଷା ଦେଇକି ଘରକୁ ଫେରିଛନ୍ତି ସେବେଠାରୁ କିଛି ବଦଳିଗଲା ପରି ଲାଗୁଥାନ୍ତି। କୁହାଳିଆ ପିଲାଟା ସବୁବେଳେ ଗୁମ୍ ମାରି ରହୁଥିବାରୁ ଘର ଲୋକେ ସଭିଏଁ ଚିନ୍ତାରେ କଣ ହେଲା ତାଙ୍କର ବୋଲି! ଯିଏ ଯେତେ ଯାହା ପଚାରିଲେ ବି ସେ ଉଁ କି ଚୁଁ କିଛି ବି କହୁ ନଥାନ୍ତି। ବେଳକୁ ବେଳ ରହସ୍ୟ ବଢ଼ୁଥାଏ।

ଗାଁ ଦାଣ୍ଡରେ କେହି କେହି ବଗୁଲିଆ ପିଲା ଫେକଚାମିରେ କହୁଥିଲେ, କୁମର ଭାଇନାଙ୍କୁ କୁଆଡ଼େ ପ୍ରେମ ରୋଗ ଧରିଛି! ବଡ଼ ଭୟଙ୍କର ଏ ରୋଗଟା। ଭୋକ ଶୋଷ ନିଦ କିଛି ବି ଅନୁଭବ ହୁଏନାହିଁ ରୋଗୀକୁ। ଭିତରେ ଭିତରେ ଦୁର୍ବଳ ହୋଇଯାଏ ରୋଗୀ। ସାଲାଇନ୍ କି ଇଂଜେକ୍ସନ୍ କିଛି ଅସର ପକାଏନି ରୋଗୀ ଉପରେ।

କୁମର ଭାଇନାଙ୍କ ମାଟ୍ରିକ ପରୀକ୍ଷାର ସେଣ୍ଟର ପଡିଥିଲା ଗୋବିନ୍ଦପୁର ହାଇସ୍କୁଲରେ। ପାଖରେ ଥିବା ଡ଼ାକବଙ୍ଗଳାରେ ହୋଇଥିଲା ତାଙ୍କର ରହଣିର ବନ୍ଦୋବସ୍ତ ସ୍ବତନ୍ତ୍ର ଭାବେ। ପାଠଘର ସିନା ଶୂନ୍ ଶାଠରେ ଭାରି ଫରଓ୍ବାର୍ଡ୍। ଲୁଚି ଲୁଚି ବିଡ଼ି ସିଗାରେଟ୍ ଧୂଆଁକୁ କୁଣ୍ଡଳୀ ଆକାରରେ ଛାଡ଼ିବାରେ ସେ ଓସ୍ତାଦ। ସେତେବେଳେ ସବୁଆଡ଼େ ବିଜୁଳି ଆଲୁଅ ନଥିଲା, ତେଣୁ ସଭିଏଁ ଲଣ୍ଠନ ଗୋଟିଏ ଗୋଟିଏ ଧରି ଯାଇଥିଲେ ସେଣ୍ଟରକୁ। ଦିନେ ସନ୍ଧ୍ୟାରେ ପାଠ ପଢ଼ି ପଢି ହାଲିଆ ଲାଗିବାରୁ ଭାଇନା ଆମର ପାଖରେ ରଖିଥିବା ସିଗାରେଟ୍ ଖଣ୍ଡିଏ ଜଳାଇ ଫୁଙ୍କୁଥିବା ବେଳେ ଓ୍ବାଚମ୍ଯାନ୍ ଆସି ତାଗିଦ୍ କଲା ଏପରି ନକରିବାକୁ। ହେଲେ ଏଇ ତ ନଛୋଡବନ୍ଧା ଲୋକ। ୟାଙ୍କୁ ଅଟକାଇବାକୁ ଯୁ କାହାର ଅଛି?

ସେଦିନ ରାତି ଅଧରେ କୁମର ଭାଇନା ଶୁଣିବାକୁ ପାଇଲେ ତାଙ୍କ ରୁମ୍ କବାଟରେ କାହାର କରାଘାତ। ଚାଉଁ କିନା ନିଦ ଭାଙ୍ଗିଗଲା ତାଙ୍କର। ଲଣ୍ଠନ ବତୀ ତେଜି ବାହାରକୁ ଆସି ଦେଖନ୍ତି ତ କେହି ବି ନାହାଁନ୍ତି। ଓ୍ବାଚମ୍ଯାନ୍ ନିଘୋଡ ନିଦରେ ଶୋଇ ଘୁଙ୍ଗୁଡ଼ି ମାରୁଛି। ଦୂର ଦୂର ଯାଏଁ କେହି ବି ଦିଶୁନାହାଁନ୍ତି। ମନର ଭ୍ରମ ଭାବି ସେ ଆସି ପୁଣି ବିଛଣାରେ ଶୋଇପଡିଲେ। ଆଖିରେ ଆଉ ନିଦ ନଥାଏ। କିଛି ସମୟ ପରେ ସେ ଅନୁଭବ କଲେ ସତେଯେପରି ତାଙ୍କୁ କେହି ଡାକୁଛି। "ବାବୁ ସିଗାରେଟ୍ ଖଣ୍ଡେ ଦିଅ..."

ବାରମ୍ବାର ସେହି କଥା ପଦକ କୁମର ଭାଇନାଙ୍କର କାନରେ ବାଜୁଥିଲା। ଡରରେ ତାଙ୍କ ଦେହ ଶୀତେଇ ଉଠିଲା ଅଚାନକ। ସାରା ଦେହଟା ଗୋଟାପଣେ ଝାଳରେ ଓଦା ହୋଇ ଯାଇଥାଏ। ତୁଣ୍ଡରୁ କଥା ପଦଟେ ବାହାରୁନଥିଲା। ଭୀଷଣ ଭାବରେ ଭୟ ପାଇଯାଇଥିଲେ ଭାଇନା। ରାତି ସାରା ଆଉ ଶୋଈପାରିଲେ ନାହିଁ ଦୁଶ୍ଚିନ୍ତାରେ। ତା ପରଦିନ ଥିଲା ଶେଷ ପରୀକ୍ଷା। ଭୂଗୋଳ ବିଷୟ। ଯାହିତାହି ଲେଖାଲେଖି କରି ଖାତା ଦାଖଲ କରି ଡ଼ାକବଙ୍ଗଳାରେ ଆସି ହାଜର। ଆଗରୁ ଘରେ କୁହାଇ ଲୋକଟେ ଡକାଇ ଥିଲେ ସାମାନ ପତ୍ର ବୋହି ନେବା ପାଇଁ। ଦେଢ଼ ଘଣ୍ଟାର ବାଟ ଡାକବଙ୍ଗଳାରୁ ତାଙ୍କ ଘର ସାଇକେଲରେ କେମିତି ଆସିଛନ୍ତି ତାଙ୍କୁ ହିଁ ଜଣା କେବଳ।

ଘରକୁ ଫେରି ଆସିଲା ପରେ ଗୁମ୍ ମାରି ବସିଛନ୍ତି ଯେ ବସିଛନ୍ତି। ଜରରେ ଦେହ କମ୍ପୁଥାଏ। କାହାର କଥାକୁ ନିଘା ନାହିଁ। ନାତିର ଏହି ଅବସ୍ଥା ଦେଖି, ଯେହେତୁ ଏତେ ଦିନ ପରେ ବାହାରୁ ଫେରିଛି କାଳେ କେଉଁଠି ଭୂତ ପ୍ରେତ ଦେଖି ଡରିଛି ଭାବି ଅଗତ୍ୟା ଜେଜେ ତାଙ୍କର ଡକାଇ ପଠାଇଲେ ପାଖ ଗାଁର ଟୁଣୁକାଟୁଣିକି ଝଡ଼ାଫୁଙ୍କା କରୁଥିବା ନରିଆ ଓଝାକୁ। ତତକ୍ଷଣାତ୍ ଗୁଣିଆ ଆସି ପହଞ୍ଚି ଗଲା। ଏକଥା ଶୁଣୁ ଶୁଣୁ ଗାଁଟା ସାରା ଲୋକ ବି ଆସି ରୁଣ୍ଡ ହୋଇଗଲେ ତାଙ୍କ ଦୁଆରରେ।

ନରିଆ ଓଝା ଆରମ୍ଭ କଲା ଝଡ଼ାଫୁଙ୍କା। କୁଆଁରୀ ହାଡ଼, ଖପୁରୀ, ରୁଦ୍ରାକ୍ଷ, ଗୁଆ, ନଡିଆ, ଅରୁଆଚାଉଳ, ଦୁବ, ବର କୋଳି ପତ୍ର, ଲେମ୍ବୁ ବସାଇ ପୂଜାର୍ଚ୍ଚନା କଲା। କୁମର ଭାଇନାଙ୍କୁ ବିଭିନ୍ନ କଥା ପଚାରିଲା ପୁଲିସ୍ ଜେରା କରିବା ପରି। ଗୁଣିଆ କଥାର କିଛି ବି ପ୍ରଭାବ ପଡୁନଥିଲା ତାଙ୍କ ଉପରେ। ଗାଁ ଲୋକେ ସବୁ ହସାହସି ହେଉଥିଲେ ଗୁଣିଆର ଅପାରଗପଣକୁ ନେଇ। ହାତାଶ ହୋଇ ଗୁଣିଆ ବେତ୍ରାଘାତ କଲା କୁମର ଭାଇନାଙ୍କୁ। ଏବେ ବି ସେ ନିଶ୍ଚଳ, କିଛି ବି ପ୍ରତିକ୍ରିୟା ନଥାଏ ତାଙ୍କର।ନରିଆ ଓଝାର ଧୈର୍ଯ୍ୟଚ୍ୟୁତି ଘଟୁଥାଏ। କୁମର ଭାଇନାଙ୍କ ଉପରେ ତାର ଅତ୍ଯାଚାର ବଢ଼ୁଥାଏ। ବେତ୍ରାଘାତରେ ତାଙ୍କର ପିଠି ଫାଟିଗଲା ଓ ବେତ ବି ଭାଙ୍ଗିଗଲା। କିନ୍ତୁ କୁମର ଭାଇନା ପୂର୍ବପରି ନିରୁତ୍ତର ଏବଂ ପ୍ରତିକ୍ରିୟା ଶୂନ୍ୟ।

ନରିଆ ଓଝା ନିଜର ହାର୍ ମାନିଗଲା। କୁମର ଭାଇନାଙ୍କ ଜେଜେଙ୍କୁ ପରାମର୍ଶ ଦେଲା ତାର ଗୁରୁ ତନ୍ତ୍ର ସାଧକ ଭଗବାନ ଦାସଙ୍କୁ ଡାକିବା ପାଇଁ। ସେଇଆ ହିଁ ହେଲା। ସଙ୍ଗେ ସଙ୍ଗେ ଲୋକ ପଠାଇ ଭାଗବାନ ଦାସଙ୍କୁ ଜଗତସିଂହପୁରରୁ ଆଣାଗଲା ସସମ୍ମାନେ। ଆମ ଅଞ୍ଚଳର ନାମୀଦାମୀ ଗୁଣିଆ ସେ। ନଦୀରେ ଭାସିଯାଉଥିବା ଅଜ୍ଞାତ ଶବଗୁଡିକୁ ଉଦ୍ଧାର କରି ଖପୁରୀ ସବୁ ନିଜ ପାଖରେ ସାଇତି ରଖନ୍ତି ସେ। ସେମିତି ଶ୍ମଶାନରୁ କୁଆଁରୀ ଝିଅଙ୍କ ହାଡ଼ ବି ସଂଗ୍ରହ କରନ୍ତି। ଭୂତ ପ୍ରେତ ଯେତେ ଦୁଷ୍ଟ ହୋଇଥାଆନ୍ତୁ ନା କାହିଁକି ସମସ୍ତେ ତାଙ୍କ ବୋଲ ମାନନ୍ତି। ନରିଆ ପରି ଅସଂଖ୍ୟ ଅଧାପନ୍ତରିଆ ଚେଲା ତାଙ୍କର ସବୁ ଗାଁରେ। କିନ୍ତୁ ସେ ନିଜ ସିଦ୍ଧ ପୁରୁଷ। ଅମାବାସ୍ୟାର ରାତିରେ ଶ୍ମଶାନରେ ଚଣ୍ଡୀ ସାଧନା କରନ୍ତି। ଅନେକ ଲୋକଙ୍କ ଜୀବନ ଦୁଷ୍ଟାତ୍ମା କବଳରୁ ରକ୍ଷା କରିଛନ୍ତି ସେ। ସେହି ଦୁଷ୍ଟ ଆତ୍ମାମାନଙ୍କୁ କାଚ ଜାର୍ ରେ ଭର୍ତ୍ତି କରି ନିଜର ଗୋଲାମ ବନେଇ ରଖିଛନ୍ତି।

ଭଗବାନ ଦାସ ଆସି କୁମର ଭାଇନାଙ୍କ ସମ୍ମୁଖରେ ବସିଲେ। ଦୁହେଁ ଦୁହିଁଙ୍କୁ ଗାରେଡେଇକି ଦେଖିଲେ। ଭଗବାନ ଦାସ ଦୁଇ ଆଖି ବନ୍ଦ କରି ମନେ ମନେ କିଛି ମନ୍ତ୍ରୋଚାରଣ କଲେ। କାଟ ପାଣି ଛିଞ୍ଚିଲେ ଭାଇନାଙ୍କ ଉପରେ। କିଛି ସମୟ ପରେ କୁମର ଭାଇନା ବାଚାଳ ହୋଇ ଗପିବାରେ ଲାଗିଲେ। ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଦେଖୁଥାନ୍ତି ଅପଲକ ନୟନରେ। ହଠାତ୍ ଭଗବାନ ଦାସ ଠୋ କିନା ଶକ୍ତ ଚାପୁଡ଼ାଟାଏ ମାରିଲେ କୁମର ଭାଇନାଙ୍କ ମାଂସାଳ ଗାଲକୁ। ଭେଁ ଭେଁ ହୋଇ କାନ୍ଦି ଉଠିଲେ ସେ। ଲାଗୁଥିଲା ସତେ ଯେମିତି ତାଙ୍କୁ ଲାଗିଥିବା ଭୂତ ଛାଡି ଚାଲିଗଲା ଦୂରକୁ।

ସ୍ବାଭାବିକ ହେଉଥିଲେ କୁମର ଭାଇନା। ସମସ୍ତେ ଆଶ୍ବସ୍ତ ଅନୁଭବ କରୁଥିଲେ। ଭଗବାନ ଦାସ ନିଜ ମୁଣାରୁ ହର୍ଲିକ୍ସ କାଚ ଜାର୍ ଟେ କାଢିଲେ ପୁଣି କିଛି ମନ୍ତ୍ର ପଢିବାକୁ ଲାଗିଲେ। ଜାର୍ ର ମୁହଁ ଖୋଲିଲେ କିଛି ସମୟ ପରେ ବନ୍ଦ କରି ମୁଣାରେ ରଖି ଦେଲେ। ଲୋକେ ଟୁପୁରୁଟାପର ହେଉଥିଲେ କାଳେ ସେଇ ଜାର୍ ଟିରେ ପ୍ରେତାତ୍ମାକୁ କିଳି ଦେଲେ ଭାଗବାନ ଦାସ। ସଭିଏଁ ତାଙ୍କୁ ଦଣ୍ଡବତ ହେଲେ। ଭଗବାନ ଦାସ ଉପସ୍ଥିତ ଲୋକଙ୍କ ପ୍ରଶ୍ନର ଉତ୍ତରରେ କହିଲେ, "ରାତି ସାଢ଼େ ଦିଇଟାରେ ଡ଼ାକବଙ୍ଗଳାରେ ଡରିଛି କୁମର। ଗୋବିନ୍ଦପୁର ଗାଁର ଦୁରୁଗା ସାହୁର ଆତ୍ମା ଏଇ। ବଞ୍ଚିଥିବା ବେଳେ ସେଇ ଡ଼ାକବଙ୍ଗଳାରେ ଚୌକିଦାର ଥିଲା ସେ। ବିଡି ସିଗାରେଟ୍ ପିଇ ପିଇ ଆଧା ବୟସରେ ମରିଛି। କୁମର ପାଖରେ ସିଗାରେଟ୍ ଦେଖି ଲୋଭରେ ପିଇବାକୁ ମାଗିଛି ନଦେବାରୁ ତା ସହ ଚାଲିଆସିଛି ଘରକୁ।"

ଏଥର ଆସିଲା ପାଉଣା ହିସାବର ପାଳି। ଦି ଦିଇଟା ଗୁଣିଆଙ୍କ ଅକ୍ଲାନ୍ତ ପରିଶ୍ରମର ପାଉଣା। ମୁହଁ ଖୋଲି କେତେ ଟଙ୍କା ହେଲେ ଠିକ୍ ହେବ ବୋଲି କେହି ବି କହିଲେ ନାହିଁ। ନା ଚେଲା ନା ଗୁରୁ। କୁମର ଭାଇନାଙ୍କ ଜେଜେ ଯଦୁନାଥ ମହାନ୍ତି ଟଙ୍କା ଶହେଟି ଦେଲେ ଭଗବାନ ଦାସଙ୍କ ହାତରେ ଆଉ କଅଁଳେଇ ହୋଇ କହିଲେ, "ଦିହେଁ ବାଣ୍ଟି ନେବେ ଗୋସେଇଁ!" ଲେମ୍ବୁ ସର୍ବତ ପିଉ ପିଉ ବେଶ୍ କୁଣ୍ଠିତ ହୋଇ ଗ୍ରହଣ କଲେ ସେଇ ଶହେଟି ଟଙ୍କା। ମନେ ମନେ ଖୁବ୍ ଅପମାନିତ ବୋଧ କରୁଥିଲେ ସେ।

ମହାନ୍ତି ଘର, ଘରୁଆ ଘର ବାଟିଏ ସମ୍ପତ୍ତି ଦି ହଳ ବଦଳ ଚାଷ। କୌଣସି କଥାରେ ଅଭାବ ନାହିଁ। ଭଲ ଦି ପଇସା ରୋଜଗାର ହେବ ବୋଲି ଆଶା କରିଥିଲେ ଭଗବାନ ଦାସ। କିନ୍ତୁ ଏ କୁନ୍ଥିଆ ବୁଢା ଏତେ ବଡ଼ କାମ ପାଇଁ ମାତ୍ର ଟଙ୍କା ଶହେଟା ଦେଇ ଭଣ୍ଡେଇ ଦେଲା ତାଙ୍କୁ। ପାନେ ମଜା ଚଖାଇବାକୁ ହେବ କଞ୍ଜୁସ ବୁଢ଼ାକୁ। ମନ କଥା ମନରେ ରହିଲା ଭଗବାନ ଦାସଙ୍କର।

ଏମିତି କିଛି ଦିନ ବିତିଗଲା। ମାଟ୍ରିକ୍ ପରୀକ୍ଷା ରେଜଲ୍ଟ ବାହାରି ସାରିଥାଏ। କୁମର ଭାଇନା ଯାହିତାହି ଥାର୍ଡ୍ ଡିଭିଜନରେ ପାସ୍ କରିଥାନ୍ତି। ଫେଲ୍ ହେଉ ହେଉ ପାସ୍। ଘରେ ସମସ୍ତଙ୍କର ଖୁସି କାହିଁରେ କଣ! ପୁରା ଉତ୍ସବର ମାହୋଲ। କଲେଜରେ ପଢିବାକୁ ଫର୍ମ୍ କିଣି ବାହାରିଥାଆନ୍ତି କୁମର ଭାଇନା। ହଠାତ୍ ଅନୁଭବ କଲେ ସତେଯେପରି ତାଙ୍କୁ କେହି ଯୋବୋଡି ଧରିଛି। ମୁଣ୍ଡ ବୁଲେଇଲା। ସାଇକେଲର ଚେନ୍ ଛିଣ୍ଡି ଗଲା। ଆଉ ଆଗକୁ ଯାଇପାରିଲେ ନାହିଁ।

ଦୁଆରରେ ଇଟା ପଥର ବର୍ଷା ହେଲା ଭୁସ୍ ଭାସ୍। କିନ୍ତୁ ସେହି ଇଟା ପଥର ସବୁ ପୁଣି କୁଆଡ଼େ ଉଭେଇଗଲା। ଭାତ ହାଣ୍ଡିରୁ ଛେଳି ମେଣ୍ଢା ରୁମ ଓ ମଣିଷ ନଖ ବାହାରିଲା। କବାଟ ଝରକା ସବୁ ଜୋର୍ ଜୋର୍ ରେ ବନ୍ଦ ହେଉଥିଲା ଓ ଖୋଲିଯାଉଥିଲା। ଭୟଙ୍କର ଶବ୍ଦ ହେଉଥିଲା। ଟ୍ୟୁବ୍ ୱେଲ୍ ରୁ ପାଣି ବଦଳରେ ରକ୍ତ ବାହାରୁ ଥିଲା। ସଭିଏଁ ଆଁ କରି ଚାହିଁ ରହିଥାନ୍ତି ପରସ୍ପରକୁ। ବନାଗ୍ନି ପରି ଚାରିଆଡ଼େ ବ୍ୟାପି ଗଲା ଏ ଖବର ଆଖିପିଛୁଳାକେ। ଆଖପାଖ ଅଞ୍ଚଳର ଲୋକେ ଆସି ହାଜର ମହାନ୍ତି ଘର ଦାଣ୍ଡରେ। ସତେ ଯେମିତି ଫ୍ରିରେ ରିଲିଫ୍ ଚାଉଳ ବଣ୍ଟା ହେଉଛି।

କୁମର ଭାଇନା ନାନା ରକମର ପ୍ରଳାପ କରୁଥାନ୍ତି। ବିକଳ ହୋଇ ଭୂଇଁରେ ଗଡୁଥାନ୍ତି। ନିଜକୁ ନିଜେ ଚାପୁଡ଼ା ମାରି ହେଉଥାନ୍ତି। କେତେବେଳେ ସୁଲଳିତ ଭଜନ ଗାଉଥାନ୍ତି ତ କେବେ ପୁଣି ଅଶ୍ଳୀଳ ଗାଳିଗୁଲଜ କରୁଥାନ୍ତି। କେବେ ପୁଣି ଗାଇ ଗୋଠରେ ବଇଁଶୀ ବଜାଇ ଅଡାଉଥାନ୍ତି ଗାଈମାନଙ୍କୁ। କେବେ କେବେ ଗାଈମାନଙ୍କୁ ନାଁ ଧରି ଡାକନ୍ତି, ହେ ବଉଳି, ହେ ବିମଳି...

ପୁରୁଖା ଲୋକମାନେ କହୁଥିଲେ ଏସବୁ ଭୌତିକ କାଣ୍ଡ କୌଣସି ତାନ୍ତ୍ରିକର ହୋଇପାରେ। ପୁଣି ଲୋକ ପଠାଇଲେ ଡାକିବା ପାଇଁ ଭଗବାନ ଦାସଙ୍କୁ। ଆଗରୁ ରାଗଥିଲା ତାଙ୍କର। ଦାସେ ଜରୁରୀ କାର୍ଯ୍ୟରେ କଟକ ଯାଇଛନ୍ତି ବୋଲି ପତ୍ନୀଙ୍କ ଦ୍ବାରା କୁହାଇ ଫେରାଇଦେଲେ ଗାଁ ଲୋକଙ୍କୁ। ଏବେ ଭାଳେଣି ପଡ଼ିଲା ମହାନ୍ତି ପରିବାରରେ। ନିମାପଡ଼ା ଠାରୁ ଆରମ୍ଭ କରି କୁଜଙ୍ଗ ଯାଏଁ କେତେ ଗୁଣିଆ ଆସିଲେ, କେହି ଏହି ଅତି ଭୌତିକ କାଣ୍ଡର ସମାଧାନ କରିପାରିଲେ ନାହିଁ। ସମସ୍ତେ ଫେଲ୍ ମାରିଲେ। ଅଜସ୍ର ଅର୍ଥ ଶ୍ରାଦ୍ଧ ହେଲା କିନ୍ତୁ ଫଳ ଶୂନ୍!

ଦିନକୁଦିନ ବଢିବାରେ ଲାଗିଥାଏ ମହାନ୍ତି ପରିବାରର ଦୁର୍ଦ୍ଦଶା। କୁମରମଣି ସପ୍ତାହକରେ କଣ୍ଟା ପ୍ରାୟ ହୋଇଗଲେ। ଦେହର ହାଡ଼ ସବୁ ବାହାରକୁ ଦେଖାଯାଉଥିଲା ସ୍ପଷ୍ଟ ଭାବେ। ଗୋରା ତକତକ ଦେହଟା ତାଙ୍କର ଶୁଖି କରି କଳା କାଠ ପରି ହୋଇଯାଇଥିଲା। ଦେହରେ ସବାର ଦୁଷ୍ଟ ଆତ୍ମାମାନେ ତାଙ୍କ ରକ୍ତ ଶୋଷି ନେଉଥିବା ବେଳେ ନୂଆ ନୂଆ ଗୁଣିଆମାନେ ବିଭିନ୍ନ ଉପାୟରେ ତାଙ୍କୁ ଶାରୀରିକ ନିର୍ଯାତନା ଦେଉଥିଲେ, ଏଇ ଯେମିତି ପିତ୍ତଳ ଗରାକୁ ଦାନ୍ତରେ କାମୁଡି ବୁଲିବା, ତତଲା ଲୁହାରେ ଚେଙ୍କ ଦେବା ଇତ୍ୟାଦି ଇତ୍ୟାଦି...

ସମସ୍ତେ ଦୁଶ୍ଚିନ୍ତା ଭିତରେ ଥିବା ବେଳେ କେହି ଜଣେ ପ୍ରସ୍ତାବ ବାଢିଥିଲେ, "ଏତେ ଦିନ ହୋଲାଣି, ଭଗବାନ ଦାସ କଟକରୁ ଫେରିଆସିବେଣି ବୋଧେ! ଚାଲ ତାଙ୍କୁ ଡାକିଆଣି ଦେଖାଇବା।" ସବୁଆଡ଼ୁ ହତାଶ ହୋଇଥିବା ମହାନ୍ତି ପରିବାର ପାଇଁ ଏହି ପ୍ରସ୍ତାବଟି ଆଶାର କିରଣ ଥିଲା। ଏଥର ବାହାର ଲୋକ ନ ପଠାଇ ନିଜେ କୁମର ଭାଇନାଙ୍କ ବାପା ଶ୍ରୀଧର ମଉସା ଗଲେ ଭଗବାନ ଦାସଙ୍କ ଘରକୁ। ଦାସେଙ୍କ ଗୋଡ଼ ହାତ ଧରି ନେହୁରା ହେଲେ। ବହୁ ସମୟ ଧରି ଚାଲିଲା କଥାବାର୍ତ୍ତା। ଶେଷରେ ଭଗବାନ ଦାସ ରାଜି ହେଲେ କୁମରମଣିଙ୍କ ଭୂତ ଛଡାଇବା ପାଇଁ।

ପୂଜାପାଠ ଝଡ଼ାଫୁଙ୍କା ହେଲା। ମଧ୍ୟମ ଧରଣର ହୋମ ଯଜ୍ଞ ବି, ଦୁଇ ଡବା ଘିଅ ଆହୂତି ଦିଆଗଲା। କିଛି ମୂହୁର୍ତ୍ତରେ ସବୁକିଛି ଠିକଠାକ୍ ହୋଇଗଲା। ଏଥର ଖୋଲା ମନରେ ପାଉଣା ଦେଲେ ମହାନ୍ତି ପରିବାର ଦାସେଙ୍କୁ ଅତି ଗୋପନୀୟ ଭାବେ। କେତେ ଦେଲେ ଆଉ କାହାକୁ ଜଣା ନାହିଁ। କିନ୍ତୁ ଗୁଣିଆ ମନ ଖୁସିରେ ବାହୁଡ଼ି ଗଲା ତା ଘରକୁ।

ଗାଁ ଲୋକେ କହୁଥିବାର ମୁଁ ଶୁଣିଛି ଯେ, କମ୍ ପାଉଣା ଯୋଗୁଁ ରାଗିକରି ଭଗବାନ ଦାସ କାଳେ ସାତ ଆଠଟି ଭୂତକୁ ଏକାଠି ପେଷଣ କରିଥିଲେ କୁମରମଣିଙ୍କ ଉପରେ। ଯାହାର ଫଳସ୍ୱରୂପ ମହାନ୍ତି ପରିବାର ଏକରକମ ବରବାଦ୍ ହେବା ସ୍ଥିତିକୁ ଆସିଯାଇଥିଲା।

ଆଜିକାଲି କୁମରମଣି ହାତରେ ବେକରେ ବାହୁରେ ମାଳେ ଡେଉଁରିଆ ପିନ୍ଧି ଟହଲ ମାରୁଛନ୍ତି। ମଝିରେ ମଝିରେ ସେସବୁକୁ ପୂଜା କରି ପାୱାର୍ ବଢାନ୍ତି। ଏହା ପର ଠାରୁ ଆଉ ତାଙ୍କୁ ଭୂତ ପ୍ରେତ ଲାଗିଥିବାର ଖବର ନାହିଁ....


Rate this content
Log in

More oriya story from Sambit Srikumar

Similar oriya story from Horror