KSHIRADRI SAHU

Drama Action

4  

KSHIRADRI SAHU

Drama Action

ଗରିବର ଦୁଃଖ

ଗରିବର ଦୁଃଖ

5 mins
566


ସୁନାମୁଖୀ ଆକାଶକୁ ଚାହିଁଲା। ବେଶ, ଅସରାଏ ବର୍ଷା ହେଇ ଛାଡି ଯାଇଛି।ରାସ୍ତାର ଆଲୁଅ ଗୁଡାକ ଦେଖା ଯାଉଛି।ପାଖରେ ତିଆରି ବଡ ଏପାର୍ଟମେନ୍ଟ ର କେତେକ ଆଲୁଅ ଦେଖା ଯାଉଛି ଏବଂ ମଝିରେ ମଝିରେ ସିକ୍ୟୁରିଟୀ ଗାର୍ଡ ମାନଙ୍କ ହୁଇସୀଲ ଶୁଭୁଚି। ରାତ୍ରି ପ୍ରାୟ ବାରଟା ପରେ ହେବ। ବୁଢୀ ମା’ ଟା ଏଯାଏ ଫେରିଲା ନାହିଁ। ବିଚରା ମା’ ଟା କେତେ କଷ୍ଟ କରୁଛି। ସାନ ଭାଇ ବଗୁଲା ମା’ କୁ ଜଗି ଜଗି ଶୋଇ ପଡିଲା। ବୁଢୀ ମା’ ରଘୁ ଭାଇ ଡେକୋରେଟୋର କାମରେ ସାହିର ଆଉ ଦଶ ଜଣ ମାଇପିଙ୍କୁ ସାଙ୍ଗରେ ନେଇ ଯାଇଛି। ବାହାଘର ପ୍ରୋଶେସନ ରେ ଲାଇଟ ମୁଣ୍ଡରେ ଧରି ବର ଗାଡିର ଦୁଇ ପାଖରେ ଯିବେ। ବର ପହଞ୍ଚିଲା ପରେ ଲାଇଟ ଗୁଡାକ ଫେରାଇବା ପରେ ସାଧାରଣ ମଜୁରୀର ଦୁଇଗୁଣ ମଜୁରୀ ମିଳିବ। ସମସ୍ତେ ଗରିବ ଘରର ସ୍ତ୍ରୀ ଲୋକ । ଦୁଇ ପଇସା ଅଧିକ ମିଳିବ ,ତେଣୁ ଏଇ ଲାଇଟ ମୁଣ୍ଡାଇ ବର ଗାଡି ସହିତ ଯିବା କାମକୁ ଯାଆନ୍ତି। ବର ଗାଡି ସହିତ ତାଙ୍କ ଘର ଲୋକେ ଓ ସାଙ୍ଗ ମାନେ ବହୁତ ନାଚନ୍ତି। ମଦ ପିଇ ହୋସ ନଥାଏ। ବହୁତ ରାତି ହେଇଯାଏ। ପେଟ ବିକଳରେ ଗରିବ ସ୍ତ୍ରୀ ଲୋକମାନେ ଏଇକାମକୁ ଯାଆନ୍ତି। ଡେକୋରେଟୋର ରଘୁ ସାଉକାର ଆଗରୁ ଆସି କହିଦେଇ ଆଗୁଆ କିଛି ପଇସା ନଗଦ ଦେଇ ଯାଇଥାଏ। ବାହାଘର ଦିନ ସମସ୍ତେ ଡକାଡକି ହେଇ ନିର୍ଦ୍ଧିଷ୍ଟ ସମୟରେ ପହଞ୍ଚିବାକୁ ହୁଏ ।ରଘୁ ସାହୁକାର ଲୋକତ ଭଲ ନୁହେଁ, କିନ୍ତୁ କାମଟା ମିଳୁଛି କଣ କରାଯିବ। ବାହାଘର ସମୟରେ, ଦଶ ପନ୍ଦରଟା ବାହାଘର କାମରେ ଗଲେ କିଛି ଅଧିକ ପଇସା ମିଳିବ। ବଡ ଲୋକ ମାନେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ବାହାଘର କରନ୍ତି ଦାମୀ ଖାଇବା କରନ୍ତି ତେଣୁ ଗରିବ ଲାଇଟ ବୋହିବା ଲୋକଙ୍କ ପେଟକୁ ଚାହାନ୍ତି ନାହିଁ। ଗରିବ ମାଇପି ଗୁଡାଙ୍କ ସ୍ଵାଭିମାନ ବହୁତ, ସେମାନେ ମଧ୍ୟ ଗଣ୍ଡେ ଖାଇବାକୁ ଚାହାନ୍ତି ନାହିଁ। ବର ପହଞ୍ଚି ଗଲେ ଲାଇଟ ଫେରାଇ ଫେରି ଆସନ୍ତି।

ମା ବିଚରା କେତେ କଷ୍ଟ କରୁଛି। ସକାଳୁ ଉଠି ପାଖ ବଡ ଏପାର୍ଟମେନ୍ଟରେ ପାଞ୍ଚ ଘରେ ବାସନ ମଜା, ଘର ପୋଛା ଓ ଘରକାମ କରୁଛି। ଏପପାର୍ଟମେଣ୍ଟ ମାଆ ମାନେ ବହୁତ ଭଲ। ମା’ କୁ ପୁରୁଣା ଲୁଗା ଓ ଡ୍ରେସ ଦିଅନ୍ତି। ପିଲାଙ୍କ ଜନ୍ମଦିନ ଆଉ ପର୍ବ ପର୍ବାଣିରେ କେତେ କେକ, ପିଠା ଦିଅନ୍ତି। ସୁନାମୁଖୀ କହିଲା ମା’ ମୁଁ ମଧ୍ୟ ତିନି ଘରେ କାମ କରିବି। ଅଧିକ କିଛି ପଇସା ମିଳିବ । ସାନ ଭାଇ ବଗୁଲା ପାଠପଢୁଛି। ମା ସିଧା ସିଧା ମନା କଲା କହିଲା- ନା; ତୁ ବଢିଲା ଝିଅଟା,ତୁ କାହିଁକି କାମକୁ ଯିବୁ।ତୁ ମନ ଦେଇ ପାଠ ପଢେ। ସାନ ଭାଇର ପାଠପଢା ଦେଖ। ତୁ ପାଠ ପଢି କିଛି ଗୋଟେ କଲେ ମୁଁ ଶାନ୍ତିରେ ମରିବି। ସୁନାମୁଖୀ ଦଶମ ପାସ କରି ପାଖ କଲେଜରେ ଭଲ ପଢୁଛି।

ମରିବା କଥା କହିଲା ବେଳକୁ, ସୁନାମୁଖୀ ପ୍ରତିବାଦ କରେ। ଏଇଠି ବାପା ରିକସା ଚଲାଉଥିଲା। ଯାହା ପାଇଲା ମଦ ପାଣିରେ ଖର୍ଚ୍ଚ କରିଦିଏ। ମଦ ପାଣି ପିଇ ଦିନେ ମରିଗଲା। ତା ପରବର୍ଷ ମାଆ ନିମୋନିଆ ହେଇ ଚାଲିଗଲା। ଦୁଇ ଝିଅ ପୁଅ ଙ୍କୁ ଛାଡି ସେମାନେ ଚାଲିଗଲେ। ବୁଢୀ ମା’ ଟା ଅଛି ବୋଲି ଆଶ୍ରା ମିଳିଛି। ବୁଢୀ ମା’ ବିଚରା ବହୁତ କଷ୍ଟ କରୁଛି । ଘର ଚଳଉଛି। କେତେ ଖଟୁଛି। ପିଲାଙ୍କୁ ଖଟିବାକୁ ଦେଉ ନାହିଁ। ସରକାରୀ ଯାଗା ମାଡିବସି ସେଇ ରଘୁ ସାଉକାର ଛୋଟ ଘର ସବୁ କରି ଭଡା ଦେଇ ପଇସା ନେଉଛି। ଭାରି ଦୁର୍ଦାନ୍ତ । କାହା ମୁହଁକୁ ଅନାଉ ନାହିଁ। ସେ ବଡ ଲୋକ ସେମାନେ ସବୁ କରି ପାରିବେ। ସବୁ ନିୟମ କେବଳ ଗରିବ ଗୁରୁବାଙ୍କ ପାଇଁ। ପ୍ରତିବାଦ କଲେ ଘରୁ ଉଠାଇ ଦେବେ, ହଇରାଣ କରିବେ। କେହି କିଛି କହିବାକୁ ସାହସ କରନ୍ତି ନହିଁ। ସୁନାମୁଖୀ ବାରମ୍ବାର ଆସି ରାସ୍ତାକୁ ଚାହିଁ ଯାଉଛି। ମନଟା ଭଲ ଲାଗୁନାହିଁ।ମା ଏତେ ବେଳ ଯାଏ ଫେରିଲା ନହିଁ।

ସାହି ଟା ପୁରା ନିସ୍ତବ୍ଦ ସୁନ ସାନ। କେବଳ ରାସ୍ତାରେ ମିଞ୍ଜି ମିଞ୍ଜି ଆଲୁଅ ଜଳୁଛି। ଛୋଟ ଘର ଘରକୁ ଘର ସବୁ ପାଖା ପାଖି।ପଡିଶା ଘର ସାବିତ୍ରୀ ମାଉସୀ ବହୁତ ଭଲ।ଅସମୟରେ ବହୁତ ସାହାଜ୍ୟ କରେ। ସୁନାମୁଖୀ କଲେଜ ରେ ପଢୁଛି। ସାହିର ଟୋକା ମାନେ ଓ ଅନ୍ୟ ସ୍ତ୍ରୀ ଲୋକମାନେ ତାକୁ ସହୁ ନାହାନ୍ତି। ଭାଷା ଅଭାଷା କରି କଥା କହୁଛନ୍ତି। ଖରାପ କଥା ଓ ଇଙ୍ଗିତ କରୁଛନ୍ତି। ସୁନାମୁଖୀ ସବୁ ସହିଯାଏ।ପ୍ରତିବାଦ କରିବାକୁ ବଳ ନାହିଁ।

ପୁଣି ଟିକିଏ ବର୍ଷା ଆରମ୍ଭ ହେଇଛି। ଏତେ ରାତିରେ ମଟର ସାଇକେଲ ଶବ୍ଦ ଶୁଭିଲା। ଗାଡି ଟା ସମ୍ଭବତଃ ସୁନାମୁଖୀ ଘର ପାଖରେ ଅଟକି ଗଲା। କେହି ଜଣେ ଗାଡିରୁ ଓଲ୍ଲ୍ହାଇ ଘର ଦୁଆର ନିକଟକୁ ଆସିଲା। କବାଟ ବାଡେଇ ଡାକିଲା। ସୁନାମୁଖୀ ଡାକ ଶୁଣି ଜାଣି ପାରିଲା। ଏଇଟା ରଘୁ ସାହୁକାରର ସ୍ଵର। ସେ ପୁରା ଡରିଗଲା।କବାଟ ଖୋଲିବାକୁ ସାହସ କଲା ନାହିଁ। ଏତେ ରାତିରେ ସାହିଟା ପୁରା ସୁନ ସାନ।ରଘୁ କାହିଁକି ଆସିଛି। ତାକୁ ଭୟ ଲାଗିଲା। ଲୋକଟା ମୋଟେ ଭଲ ନୁହଁ। ଯେବେ ମା’ ପାଖକୁ ଆସେ କଡେଇ କଡେଇ ଅନାଏ। ତା ଚାହାଣି ଭାରି ଖରାପ। 

ସତେ ଯେମିତି ଗିଳି ପକାଇବ। ରଘୁ କବାଟ ପାଖକୁ ଆସି ଡାକିଲା। ଧୀର ସ୍ଵରରେ କହିଲା।- ତୋ ମା ମଟନ ବିରିଆନୀ ପଠାଇଛି।ନେଇଯା। ଅନିଚ୍ଛା ସତ୍ବେ କବାଟ ଅଧା ଖୋଲିଲା ସୁନାମୁଖୀ। ରଘୁ ସାହୁକାର ସାଙ୍ଗରେ ଆଉ ଗୋଟାଏ ଲୋକ ଠିଆ ହୋଇଛି। ବାହାରେ ବର୍ଷା ହେଉଛି।ଦୁହେଁ ପୁରା ଓଦା ହେଇ ଠିଆ ହୋଇଛନ୍ତି। ରଘୁ ସାହୁକାର କବାଟକୁ ପେଲି ଯୋରକରି ଘର ଭିତରକୁ ଆସିବାକୁ ଚେଷ୍ଟା କଲା। ସୁନାମୁଖୀ ସମସ୍ତ ବଳ ଖର୍ଚ କରି ତାକୁ ଠେଲି ଦେଲା। ରଘୁ ତଳେ ପଡିଗଲା।ବିରିଆନୀ ଜରୀଟା ତଳେ ପଡିଛି ସେ ପୁଣି ଉଠିବାକୁ ଚେଷ୍ଟା କଲା। ସୁନାମୁଖୀ ଚିତ୍କାର କରି ଉଠିଲା। ପଡୋଶୀ ସାବିତ୍ରୀ ମାଉସୀ ପାଖ ଘରୁ ଡାକ ଛାଡିଲା- ଆରେ ସୁନା କଣ ହେଇଛି।ପାଟି କାହିଁକି କଲୁ। କିଏ ଆସିଛି। ସୁନାମୁଖୀ କିଛି କହିବା ପୂର୍ବରୁ ରଘୁ ଓ ସାଙ୍ଗରେ ଆସିଥିବା ଲୋକଟି ଗାଡି ଷ୍ଟାର୍ଟ କରି ପଳାଇ ଗଲେ। ସାବିତ୍ରୀ ମାଉସୀ ସାଙ୍ଗରେ କଟୁରି ଟାଏ ଧରି ପାଟି କରି ଧାଇଁ ଆସିଲା। ତା ପାଟି ଶୁଣି ସୁନାମୁଖୀ କିଛିଟା ଆଶ୍ଵସ୍ତି ହେଲା।ରାଗ ଓ ଭୟରେ ଥରୁ ଥାଏ। ସାବିତ୍ରୀ ତାକୁ ଧରି ଘରକୁ ନେଇଗଲା। ତା ଠାରୁ ସବୁ ଶୁଣିଲା, ବାହାରେ ତଳେ ପଡିଥିବା ଖାଦ୍ୟପୁଡିଆଟାକୁ କୁକୁର ମାନେ ଝୁଣି ଖାଉଛନ୍ତି।

ସୁନାମୁଖିକୁ କିଛି ଭଲ ଲାଗିଲା ନାହିଁ। ବୁଢୀ ମା’ ବହୁତ ଡେରିରେ ଆସି ପହଞ୍ଚିଲା।ସବୁ ଶୁଣିଲା।ତାର ରଘୁ ସାହୁକାର ଉପରେ ବହୁତ ରାଗ ହେଲା। ସୁନାମୁଖିକୁ ସାନ୍ତ୍ଵନା ଦେଇ ବୋଧ କରାଇଲା। କହିଲା - ରାକ୍ଷସକୁ ସକାଳେ ଦେଖିବି। ତା ସଙ୍ଗେ କାଲି ମୋର କଥା। ସୁନାମୁଖୀ ମା’ର ପାଟିରେ ହାତ ଦେଇ ଅଟକାଇଲା। କହିଲା- ନା ତୁ କିଛି କହନା।ସେମାନେ ଭାରି ଖରାପ । ସେମାନେ ଅନ୍ୟ ଉପାୟରେ ହଇରାଣ କରିବେ। ଆମେ ଗରିବ, ଆମେ ତାଙ୍କୁ ପାରିବା ନାହିଁ। ମା ମଧ୍ୟ ସେ କଥାରେ ରାଜି ହେଲା। କହିଲା- ସତ କହିଲୁ ସେମାନେ ଭାରି ଖରାପ , ଠିକ ଅଛି ମୁଁ ଆଉ ତା ବାହାଘର ଲାଇଟ କାମରେ ଯିବିନାହିଁ। ବରଂ ଏଠାରେ ଏପାର୍ଟମେଣ୍ଟ ରେ ଆଉ ଦୁଇ ଘର ଧରିବି, କଷ୍ଟ କରିବି। ରାତି କାମରେ ଘର ଛାଡି ଆଉ ଯିବିନାହିଁ। ସୁନାମୁଖୀ ବୁଝାଇ କହିଲା-ମୁଁ ମଧ୍ୟ ଏପାର୍ଟମେନ୍ଟରେ ତୋ ସଙ୍ଗେ କାମ କରିବି। ତୁ ବ୍ୟସ୍ତ ହୁଅନା। ପରସ୍ପରକୁ ସାନ୍ତ୍ଵନା ଦେଇ ଦୁହେଁ ଶୋଇବାକୁ ଗଲେ। ସୁନାମୁଖୀ ଆଖି ଆଗରେ ସେ ରାକ୍ଷସ ମାନଙ୍କର ଚାହାଣୀ ଓ ମୁହଁ ନାଚି ଉଠିଲା।ସେ ବହୁତ ଦୁଖ କଲା। ଆମେ ଗରିବ ବୋଲି କଣ ସବୁ କଷ୍ଟ କେବଳ ଆମ ପାଇଁ ଥୁଆ ହୋଇଛି।


ପରଦିନ ସାହିର କିଛି ଲୋକ ଟୁପୁର ଟାପୁର ହେଲେ।ଅନେକ ପ୍ରକାର ଆଲୋଚନା କଲେ। ଉପରବେଳା ସାହିର ଆଉ ଜଣେ ମାଉସୀ ଆସି ବୁଢୀ ମା’ କୁ କହିଲେ- ଆଜି ବାହାଘର ଲାଇଟ ଭଡା ଅଛି। ରଘୁ ସାହୁକାର ଲୋକ ପଠାଇ ଖବର ଦେଇଛି ରାତି ନଅଟା ରେ ଯିବାପାଇଁ। ଆଊ କହିଛି- ସେ ବୁଢୀ ମାଉସୀ, ସୁନାମୁଖିର ମା’ କୁ ଆଣିବୁ ନାହିଁ। ବୁଢୀ ମା’ ମଧ୍ୟ ଆଶ୍ଵସ୍ତି ହେଲା।କହିଲା ଠିକ ଅଛି।ମୋର ମଧ୍ୟ ସେ କାମ ଦରକାର ନାହିଁ। ରାଗିଯାଇ ଏତକ କହି ଘରକୁ ଆସିଲା। ଘରେ ସୁନାମୁହିଁ ଅସହାୟ ଭଳି ଠିଆ ହୋଇ କାନ୍ଦି ଉଠିଲା। ମା’ କହିଲା ତୁ କାହିଁକି କାନ୍ଦୁଛୁ। ଆଲୋ ଭଗବାନ ପେଟ ଦେଇଛି। ସେ ସବୁ ବୁଝିବ। ଆମେ ଏପାର୍ଟମେନ୍ଟରେ କାମ କରିବା। ତୁ ଆଉ ବଗୁଲା ମନ ଦେଇ ପାଠ ପଢ, ଆମେ କଷ୍ଟ କରୁଛୁ। ଆମେ ଗରିବ।କଷ୍ଟକରି ଖାଉଛୁ।ପଇସା ପାଇଁ କଣ ଇଜ୍ଜତ ହରାଇବା ତାହା କଦାପି ହେବ ନାହିଁ।ମୁଁ ଅଛି ତୁ ନିଶ୍ଚିନ୍ତ ରହ।ଯଦି ଆବଶ୍ୟକ ହୁଏ ତେବେ ଆମେ ଘର ବଦଳାଇ ଦେବା।ଅନ୍ୟତ୍ର ରହିବା, ତୁ ବ୍ୟସ୍ତ ହୁଅନା। ଘର ଭିତରକୁ ଯାଇ କବାଟ ବନ୍ଦ କଲା।ଘର ଭିତରେ ଅପୂର୍ବ ନୀରବତା। ସୁନାମୁଖୀ ବହୁତ କାନ୍ଦିଲା, କଣ ଗରିବ ହୋଇ ଜନ୍ମ ହେବା ଏବଂ ଝିଅ ହୋଇ ଜନ୍ମ ହେବା ମୋର କୌଣସି ପୂର୍ବଜନ୍ମର ପାପର ଫଳ। ସେ କିଛି ଉତ୍ତର ଖୋଜି ପାଇଲା ନାହିଁ। ମନକୁ ବୁଝାଇଲ।- ନା ହାରିଗଲେ ହେବ ନହିଁ।ମୋତେ କିଛି ହୋଇ ଦେଖାଇବାକୁ ହେବ।

 


Rate this content
Log in

Similar oriya story from Drama