STORYMIRROR

KRUTIBAS NAYAK

Inspirational

4  

KRUTIBAS NAYAK

Inspirational

ଗୋବର ଭର୍ତ୍ତି ଠେଲାଗାଡ଼ି

ଗୋବର ଭର୍ତ୍ତି ଠେଲାଗାଡ଼ି

3 mins
214


ଆମେ ବଡ଼ମଣିଷଙ୍କ ଜୀବନୀ ପଢିଲାବେଳେ ଅନେକ ମହତ ପଣିଆ କଥା, ନିର୍ଲୋଭ ପଣିଆ କଥା, ସହନଶୀଳତା କଥା, ତ୍ୟାଗ-ପ୍ରେମର କଥା, ସତ୍ୟରକ୍ଷା କଥା, କଠିନ ପରିଶ୍ରମ କରିଥିବା କଥା, ଦାରିଦ୍ର୍ୟର କରୁଣ କାହାଣୀ, ନିଷ୍ଠା, ଦୟା, ବିଶ୍ଵାସର କଥା ପାଇଥାଉଁ | ଆମେରିକାର ରାଷ୍ଟ୍ରପତି ଥିବା ସମୟରେ ଜର୍ଜ ୱାସିଂଟନ ଜଣେ ଶ୍ରମିକ ସହିତ ମିଶି ଓଜନିଆ କାଠ ଗଣ୍ଡିକୁ ଠେଲିବା ଘଟଣା, ମହାତ୍ମାଗାନ୍ଧିଙ୍କର ବିଡ଼ି ପିଇବା ଓ ଛେଳି ମାଂସ ଖାଇବା ପୁଣି ଅନୁତାପ କରିବା ଘଟଣା, ଲାଳବାହାଦୂର ଶାସ୍ତ୍ରୀଙ୍କ ନଈ ପହଁରା ଘଟଣା, କେତେଜଣ ବୈଜ୍ଞାନିକଙ୍କର ଶିକ୍ଷା ଓ ଅର୍ଥ ଅଭାବ ଥିବା ଘଟଣା ଏପରିକି ଆମ ପ୍ରଧାନମନ୍ତ୍ରୀଙ୍କ ପିଲାଦିନର ଚାହା ବିକ୍ରି କରୁଥିବା ଘଟଣା ଶୁଣିଲେ, ଆମ ମନରେ ଭାବାନ୍ତର ସୃଷ୍ଟି କରିଥାଏ | ଆମ ଦୃଷ୍ଟିରେ ସେମାନେ ଆଦର୍ଶ ଉଦାହରଣ ହେଇ ରହିଯାଆନ୍ତି | ତାକୁ ଅନୁକରଣ କରିବା ପାଇଁ ଅନ୍ୟକୁ ଉପଦେଶ ଦେଉ | ଇଏ ତ ଗଲା ବଡ଼ ମଣିଷଙ୍କ କଥା |

ଆମ ସମାଜରେ ପ୍ରତିଦିନ ପ୍ରତି ମୁହୂର୍ତ୍ତରେ ବିଭିନ୍ନ କ୍ଷେତ୍ରରେ ଏହିଭଳି ଅନେକ ବ୍ୟକ୍ତି ନିଜର ମହତ ପଣିଆ ପ୍ରଦର୍ଶନ କରୁଛନ୍ତି | ଅନେକ ଗରିବ ପିଲା ନିଜ ଚେଷ୍ଟାରେ ନିଜ ନିଷ୍ଠାରେ ଉଚ୍ଚ ପଦ-ପଦବୀରେ ଆସୀନ ହେଇପାରୁଛନ୍ତି | ଆମରି ଭିତରେ ଅନେକ ଲୋକ ଦୟା, ତ୍ୟାଗ, ନିର୍ଲୋଭ, ସହନଶୀଳତା, ଦାନ ଓ ସେବା କାର୍ଯ୍ୟରେ ନିୟୋଜିତ ହେଉଛନ୍ତି, ସେମାନଙ୍କ ମଧ୍ୟରୁ କ୍ଵଚିତ ଘଟଣା ଲୋକଲୋଚନକୁ ଆସେ | ନୀରବ ସାଧକମାନଙ୍କର ଏହି ସବୁ ମହତପଣିଆ ଅଦୃଶ୍ୟ ହେଇଯାଏ | କେବଳ ଅନୁଭବୀ ମଣିଷ ଅନ୍ୟର ଭଲକାମକୁ ଦେଖି କେବେ କେମିତି ବାହା ବାହା କହିଦେଇଥା’ନ୍ତି | 

ଆମ ସଂସ୍କୃତି କହେ- କର୍ମ କରିଚାଲ, ଫଳର ଆଶା ରଖାନାହିଁ | ନିଜ କର୍ମର ଫଳ ବଳେ ବଳେ ଆସିବା ହିଁ ଆସିବ | ଏହିକଥାକୁ ଯେଉଁମାନେ ହୃଦୟରେ ରଖିଥା’ନ୍ତି | ସେମାନେ ନିଜର ଅଜାଣତରେ ନିଶ୍ଚୟ କିଛି ସୁଫଳ ପାଇଥା’ନ୍ତି | ଆମେ ମଧ୍ୟ ଏହିଭଳି କିଛି ଭଲକାମ ଅଚେତନ ଅବସ୍ଥାରେ କରିଦେଇଥାଉଁ | ସେଥିପ୍ରତି ଆମର ନଜର ନଥିବାରୁ , ତାକୁ ଧୀରେ ଧୀରେ ଭୁଲିଯାଉଁ | ନିରୋଳାରେ ବସି କେବେ ସେହିକଥାକୁ ମନେ ପକାଇଲେ, ଆତ୍ମ-ସନ୍ତୋଷ ମିଳିଥାଏ | ସେହିଭଳି ଛୋଟିଆ ଘଟଣାଟିର ଅବତାରଣା କରିବାକୁ ଆଜି ମନସ୍ଥ କରିଛି | ଯାହା ଏବେ ବି ମୋତେ ଆମୋଦିତ କରୁଛି |

ଆକାଶବାଣୀ କଟକ କେନ୍ଦ୍ରରେ ମୁଁ ସହାୟକ କେନ୍ଦ୍ର ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଥାଏ | କଟକର ସିଡ଼ିଏ-10 ଅଞ୍ଚଳରେ ଭଡ଼ାଘରେ ରହୁଥାଏ | ମୋର ଛୋଟ ନାତୁଣୀ ମୋ ପାଖରେ ରହୁଥିଲା | ତା’ ପାଇଁ ଗାଈକ୍ଷୀର ପାଇଁ ମୁଁ ସବୁଦିନ ସକାଳୁ ଗୋଠକୁ ଯାଏ | ଏବେ ଯେଉଁଠି ଓଡ଼ିଶାର ଦୀର୍ଘତମ ସେତୁ, ନେତାଜୀ ସୁଭାଷ ଚନ୍ଦ୍ର ସେତୁ ନିର୍ମାଣ କରାଯାଇଛି, ସେହି ଉଚ୍ଚବନ୍ଧ ତଳେ ଗାଈ ଗୋଠ ଥାଏ | ପ୍ରାୟ ଦଶଫୁଟ ଉଚ୍ଚରୁ ତଳକୁ ମୋତେ ଓହ୍ଳାଇବାକୁ ପଡ଼େ |

ଥରେ ମୁଁ କ୍ଷୀର ଧରି ଗୋଠରୁ ଫେରିବାବେଳେ ଦେଖିଲି, ଜଣେ ଲୋକ ଗୋଟାଏ ଠେଲାଗାଡ଼ିରେ ପ୍ରଚୁର ପରିମାଣରେ ଶୁଖିଲା ମିଶା କଞ୍ଚା ଗୋବର ଲଦି ସେହି ବନ୍ଧ ଉପରକୁ ଉଠାଉଛି | ପଚା ପଟେ ତା’ ଦୁର୍ବଳ ସ୍ତ୍ରୀ ଠେଲାଗାଡ଼ିକୁ ଠେଲୁଛି | କିନ୍ତୁ ସେମାନେ ଠେଲାଗାଡ଼ିକୁ ଉପରକୁ ଉଠାଇ ପାରୁ ନାହାନ୍ତି | ଯେତିକି ଉପରକୁ ଯାଉଛି, ପୁଣି ସେତିକି ଫେରି ଆସୁଛି | ଛୋଟିଆ ଛୁଆଟି ଅସହାୟ ଅବସ୍ଥାରେ ବନ୍ଧ ଉପରେ ଠିଆହେଇ ବାପା-ମାଆଙ୍କ କାମକୁ ଚାହିଁ ରହିଛି | ସେଇଠୁ ଚାଲି ଅସିବାକୁ ମୋର ବିବେକ ବାଧାଦେଲା | ମୁଁ ମୋଟର ସାଇକେଲକୁ ସେଇଠି ଠିଆ କରିଦେଇ ଠେଲା ଗାଡ଼ିକୁ ଠେଲିବା କାମରେ ଲାଗି ପଡ଼ିଲି | ମୋତେ ଦେଖି ପତି-ପତ୍ନୀ ଦୁହେଁ ଏଭଳି କରିବାକୁ ବାରଣ କରି କହିଲେ-“ବାବୁ ! ଆପଣ ବଡ଼ଲୋକ, ଆପଣଙ୍କର ସର୍ଟ-ପ୍ଯାଣ୍ଟ ଖରାପ ହେଇଯିବ | ଆପଣ ଯାଆନ୍ତୁ, ଆମେ ଏଇମିତି ଚେଷ୍ଟା କରୁକରୁ ଉପରକୁ ଉଠେଇନେବୁ |”

ମୁଁ ତାଙ୍କୁ କହିଲି- “ପ୍ୟାଣ୍ଟ-ସାର୍ଟରେ ଗୋବର ଲାଗିଗଲେ ଧୋଇଦେଲେ ଚଳିବ, କିନ୍ତୁ ତମେ ଦୁଇଜଣ ଯେଉଁ କଷ୍ଟ କରୁଛ, ସେଥିରେ ମୁଁ ଟିକେ ହାତ ଲଗେଇଦେଲେ, ସେତିକିରେ କାମଟା ସହଜରେ ହେଇଯିବ | ଏଥିରେ ମୋତେ ଆନନ୍ଦ ମିଳିବ | ମୁଁ କିଛି ଭଲକାମ କରି ପାଇଲି ବୋଲି ମୋତେ ଆତ୍ମ-ସନ୍ତୋଷ ବି ମିଳିବ | ତମର ବ୍ୟସ୍ତହେବା ଦରକାର ନାହିଁ | ଚାଲ, ଆମେ ମିଶି ଗୋବର ଲଦା ହେଇଥିବା ଠେଲାଗାଡ଼ିକୁ ଠେଲି ଦେବା |”

ମୋ କଥାଶୁଣି ସେମାନେ ଟିକେ କୁଣ୍ଠିତ ହେଉଥିଲେ, ତଥାପି ମୋର ଆଗ୍ରହ ଦେଖି ସେମାନେ ରାଜି ହେଇଗଲେ | ସତକୁ ସତ ଏତେ ଓଜନ ଥିଲା ଯେ, ମୁଁ ସହଯୋଗ କରିବା ପରେ ବି ଠେଲା ଗାଡ଼ିଟାକୁ ଆମେ ଉପରକୁ ଉଠେଇ ପାରୁ ନ ଥିଲୁ | ଶେଷରେ ମୋ ଚପଲକୁ ଓହ୍ଲାଇ ପକାଇ ସକଳ ବଳ ପ୍ରୟୋଗ କରି ଜୋରରେ ଠେଲାଗାଡ଼ିକୁ ଠେଲିଦେଲି | ସେହି ଧକ୍କାରେ ମେଞ୍ଚାଏ କଞ୍ଚା ତରଳ ଗୋବର ମୋ ଉପରେ ଅଜାଡ଼ି ହେଇପଡ଼ିଲା | ଠେଲାଗାଡ଼ି ଉପରକୁ ଉଠିଗଲା ପରେ ସେମାନେ ମୋର ଅବସ୍ଥାକୁ ଦେଖି ବହୁତ ମନଦୁଃଖ କଲେ | ସ୍ତ୍ରୀଲୋକଟି ତା’ ଲୁଗାକାନୀରେ ସେ ଗୋବରକୁ ପୋଛି ପକାଇଲା | ମୁଁ ତାଙ୍କୁ ଆଶ୍ଵାସନାଦେଇ ଘରକୁ ଫେରିଲି | ବାଟରେ ମୁଁ ଯେଉଁ ପରିମାଣରେ ଆତ୍ମ-ସନ୍ତୋଷ ପାଉଥିଲି, ତା’ର ତୁଳନା ନାହିଁ | ମୋର ବିବେକ ଠିକ କାମପାଇଁ ମୋତେ ନିର୍ଦ୍ଦେଶ ଦେଇ ପାରିଥିବାରୁ ମୁଁ ଈଶ୍ଵରଙ୍କ ପାଖରେ କୃତଜ୍ଞତା ଜଣାଉଥିଲି | ଏଇ କଥାଟି ସାମାନ୍ୟ ହେଲେ ବି ସବୁଦିନ ପାଇଁ ଉଜାଗର ରହି ମୋତେ ଆମୋଦିତ କରି ଚାଲିଛି | ଭବିଷ୍ୟତରେ ଏଭଳି ସୁଯୋଗ ପାଇଲେ, ମୁଁ ଆହୁରି କିଛି ଭଲକାମ କରିବାକୁ ଅପେକ୍ଷା କରିଛି |


Rate this content
Log in

Similar oriya story from Inspirational