ଘର ମୂରୁଜ
ଘର ମୂରୁଜ


ବୁଧବାର ନୂଆଗାଁ ସାପ୍ତାହିକ ହାଟରୁ ଫେରୁ ଫେରୁ, ଘର ଆଗରେ ହିରେ।ହୋଣ୍ଡା ଗ୍ଲାମର ବାଇକରେ ସାଇଡ୍ ଷ୍ଟାଣ୍ଟ ମାରୁ ମାରୁ, ମୁଣ୍ଡରୁ ହ୍ୟାଲମେଟ୍ ଓ ସମ୍ବଲପୁରୀ ଖାଣ୍ଟି ଓଡ଼ିଆ ହାତ ତିଆରି ଆତ୍ମନିର୍ଭରଶୀଳ ମାସ୍କ୍ ଉତାରୁ ଉତାରୁ,ପରିବା-ମାଛ-ସଉଦା ବ୍ୟାଗ୍ ସବୁ ଧରୁ ଧରୁ, ଭାଟ- ଭିକାରୀ ପରି ବକର ବକର ଗାରୁ ଗାରୁ ମାରୁ ମାରୁ ହେବା ବେହେରା ( ପିନାକୀ ଚରଣ ବେହେରା )ବାବୁଙ୍କର ହାଟପାଳିଆ ଅଭ୍ୟାସ କହିଲେ ଭୁଲ ହେବ । ବରଂ ବଦଭ୍ୟାସ ମସ୍ତବଡ଼ କୁ-ଅଭ୍ୟାସ କହିଲେ ବାଚନିକ ବ୍ୟାକରଣୀକ ଶୁଦ୍ଧତା ଶୁଭିବ ମାନିବ ।
ପରନ୍ତୁ ଘରଣୀ ପଦ୍ମଜା ଦେବୀ ରୋଷେଇ ଘରୁ କାମ କରୁ କରୁ ଆଉ ପାଦେ ଆଗକୁ ଯାଇ କୁହନ୍ତି---- ବେହେରା ବାବୁ ମୋ',ଆମ ପାଣିନୀ ବାପା ମୋ',ଖାଲି ଛିଟ ବେହିଆ ଛିଣ୍ଡା ପାବାରିଆ ଖଣ୍ଡି ଟାଉଟରିଆ ଧୋବ ଫରଫରିଆ । ସୁଆଦିଆ ତୁଣ୍ଡ ବଚନରେ ଚିକ୍କଣ ଚନ୍ଦନ ଚର୍ଚ୍ଚିତ ପଦେ ଅଧେ ଗଦେରେ କିଛି ପବନିଆ ଫମ୍ପା ବାହାଦୁରିଆ ଦି' ଚାରି ପଦ ନ କହିଲେ ନ ଭାସିଲେ, ନ କୁହାଟିଲେ ମଇଁଷି ଶିଙ୍ଗିଆ ନିଶ ହଳେର ସମ୍ମାନ ଯେମିତି ସାତ ତାଳ ପଙ୍କରେ କବର ନେଇ ଯିବ । ହାଟରୁ ଦି' ଚାରି ବ୍ୟାଗ୍ ଭର୍ତ୍ତି କରି ଆଣିଛନ୍ତି ତ, ହୁରି ନ ଛାଡ଼ି ରଡ଼ି ନ କରି ପାଞ୍ଚ ପଚିଶ ଗଲା ଅଇଲା ସାହି ପଡ଼ିଶାଙ୍କୁ ନ ଶୁଣେଇଲେ ତାଙ୍କ ଭାତ ହଜମ ହେବନି ; ତାଙ୍କ ବଂଶ ଆଭିଯାତ୍ୟର ଡେଙ୍ଗୁରାଟି ଅନ୍ତତଃ ସପ୍ତାହକୁ ଥରେ ବାଜିବାର ଅଛି ନା ! ନୋହିଲେ କୂଳ କୁଟୁମ୍ବକୁ ଲାଜ ସରମ ଲାଗି ଯିବ ମୋ !
କିନ୍ତୁ ଆଜି ଗାଡି ସାର୍ଟ ବନ୍ଦ ନ ହେଉଣୁ ଡାକ ପକେଇଲେ କୁହାଟ ଛାଡିଲେ ତାଙ୍କ ଗେଲବସରିଆ ଅଳିଅଳି ଝିଅ ପନୀ ( ପଙ୍କଜିନୀ)କୁ -- ଆଲୋ ମା' ପନୀ । ଧରିଲୁ ଟିକେ ବ୍ୟାଗ ଦି' ଟା । କହୁଥିଲେ ଓ ବାଁ ହାତରେ କପାଳରୁ ଝାଳ ପୋଛୁଥିଲେ । ସତରେ କି ପାଗ ? ଶ୍ରାବଣ ମାସରେ ବର୍ଷା ତ ଢାଳୁଛି କିନ୍ତୁ ଗୁଳୁଗୁଳି କମିବାର ନାଁ ଗନ୍ଧ କାହିଁ ? ଗ୍ଳୋବାଲ୍ ୱାରମିଙ୍ଗ ଏ ସବୁର କରୁଣ ପରିଣତି ବୋଧେ ।
ପୁଅ ପାଣି (ପାଣିନୀ ) ତ ଟିଉସନ୍ ଯାଇଛି ସକାଳ ପହରୁ। ଝିଅ ପନୀ ତ ଥିବ ଅନ୍ୟ କେଉଁ ଦୁନିଆରେ ସୋସିଆଲ ପ୍ଲାଟଫର୍ମରେ । ଗୀତ ବା ଭିଡିଓ ଦେଖୁଥିବ । ଗେମ୍ ଖେଳୁଥିବ । କର୍ଣ୍ଣଗୋଚର ହେଲେ ତ ଆସିବେ ବେଗି ପିଆଦା ପିଅନ ଅର୍ଦ୍ଦଳି ଭଳିଆ ।
କେହି ନ ଆସିବାରୁ ଓଦା ହାତକୁ ପଣତ କାନିରେ ପୋଛୁ ପୋଛୁ ଶ୍ରୀମତୀ ପଦ୍ମଜା ଦେବୀ ଚିରାଚରିତ ବକର ବକର ହେଇ ଆସିଲେ ଗେଟ୍ ପାଖକୁ -- ମୁଣ୍ଡରେ ବସେଇ ରଖିଛ ଗେହ୍ଲେଇ ଫୁଲେଇ ପନୀ ରାଈକୁ । ତୁମେ ଗଳା ଫଟେଇ ଡାକିଲେ ରାଜଜେମାଙ୍କୁ ଶୁଭିଲେ ତ ମହାରାଣୀ ହାଜିରା ଦେବାକୁ ଆସିବେ ! କାନରେ ଇୟର କଡ୍ ଗେଞ୍ଜି ଘର କୋଣରେ ଲମ୍ବା ଫୋନ୍ କେଞ୍ଚି ଚାଲିଥିବେ ତୁମ ଦୁଲାରୀ ଦୁହିତା । ପୂରା ଅଣ୍ଡିରା ଚଣ୍ଡୀ ହେଇଗଲାଣି । ସବୁ ବେଳେ ଫେସବୁକ - ଇନଷ୍ଟାଗ୍ରାମ- ଟୁଇଟର- ଜି ମେଲ - ଗୁଗୁଲ ମିଟ ଏମିତି କେତେ ଡିଜିଟାଲ ପ୍ଲାଟଫର୍ମରେ ତୁମ ଝିଅ ବର୍ତ୍ତମାନ ଗ୍ଳୋବାଲ ସିଟିଜେନ ହେଲାଣି । ତୁମେ କ'ଣ ବ୍ୟାଗବୁହା କୁଲି ଚାକରାଣୀ ଭାବୁଛ କି ?
ପାଣି ଗିଲାସେ ପତ୍ନୀଙ୍କ ହାତରୁ ଧରୁ ଧରୁ ସୋଫାରେ ବସୁ ବସୁ ବେହେରା ବାବୁ ମୁଁହ ଖୋଲିଲେ ହସ ହସ ସଜୁଆ ମୁହଁରେ ଶୁଭ କଥା ପଦିଏ କହି ପକେଇଲେ -- ବୁଝିଲ ପାଣି ବୋଉ ! ଆମ ଗୁନା ଫୋନ କିରି ଥିଲା ଜଳେଶ୍ଵରରୁ ଆଜି ହାଟ ବେଳେ । ଭଲ ପ୍ରସ୍ତାବ କଥା କହୁଥିଲା ଆମ ପନୀ ପାଇଁ । ଆଗାମୀ ରବିବାରକୁ ନିଜେ ବରପାତ୍ର ପନୀକୁ ଦେଖିବାକୁ ଆସିବେ ବୋଲି କହୁଥିଲା । ପିଲାଟି ଗୋରା ତକ ତକ ସଫଟୱାର ଇଞ୍ଜିନିୟର ପୁନେରେ ଇନଫୋସିସରେ ଅଛି । ବାର ଲକ୍ଷ ବାର୍ଷିକ ପ୍ୟାକେଜରେ ଅଛି । ଫରେନ ବି ଯାଇପାରେ । କ'ଣ କହୁଛ !
ମୁଁ ବା କ'ଣ କହିବି ? କଳାହାଣ୍ଡି କଲେଜରେ ଅର୍ଥାତ ହାଣ୍ଡିଶାଳ - ରୋଷେଇ ସମ୍ଭାଳୁ ସମ୍ଭାଳୁ ମୋର ଦିନ ସମୟ ଗୁଡ଼ା ବାଛୁରି ଛୁଆ ପରି କୁଦା ମାରି ପଳେଇ ଯାଉଛି । ମୁଁ ହୁଣ୍ଡି ଗଵଗେଣ୍ଡୀ ଗୁଜରିଗେଣ୍ଡୀ ଗାଡ଼ରମେଣ୍ଢୀ କ'ଣ ବା ଭଲ- ଭେଲ ଜାଣିଛି ଯେ ? ପଚିଶ ପୁରି ଛବିଶ ଚାଲିଛି ଝିଅର । ଆମ ଗୁନା ଭଲ ଘର ଦେଖି କଥା ଚଲେଇ ଥିବ ନିଶ୍ଚୟ । ମା' ସିଙ୍ଗାରବୁଢୀ ସାହା ଭରସା ।--- କହୁ କହୁ ଘର ଭିତରକୁ ପଶିଗଲେ ।
ଅଗତ୍ୟା ପୁଅ ପାଣି ( ପାଣିନୀ ) ଟିଉସନ ସାରି ଘରେ ପହଞ୍ଚିଲା । ବେହେରା ବାବୁ ପୁଅ ପାଣିକୁ ଚୁମ୍ବକରେ କହି ପକେଇଲେ -- ବୁଝିଲୁ ପୁଅ ! ଆଗାମୀ ରବିବାରକୁ ତୋ' ପନୀ ଅପାକୁ ବରଘରୁ ଦେଖିବାକୁ ଆସିବେ । ତୁ ଘର ଦ୍ଵାର ସଫା ସୁତୁରା କରିବାରେ ମା'ଙ୍କୁ ଟିକେ ସାହାଯ୍ୟ କରିବୁ । ଘରର ସମ୍ମାନରେ ଯେମିତି ଆଞ୍ଚ ନ ଆସେ | ବେହେରା ଘର ଏକ ବଂଶୀୟାନ ଖାନଦାନୀ ପରମ୍ପରାର ସନ୍ତକ ଯୁଗେ ଯୁଗେ । ମନେ ରହେ ଯେମିତି !
ଘରଣୀ ପ୍ରଦ୍ମଜା ସୁନାଝିଅ ପନୀର ମଥାରେ ସ୍ନେହିଳ ପରଶ ଦେଉ ଦେଉ କହିଲେ -- ଶୁଣିଛୁ ପନୀ ! କେତେ କଷ୍ଟରେ ତୋ ଗୁନା ଦାଦା ଓ ଶାନ୍ତା ଖୁଡୀ ସୁନ୍ଦର ପ୍ରସ୍ତାବଟିଏ ତୋ' ପାଇଁ ଆଣିଛନ୍ତି । ସେମାନେ କୁଆଡେ ବଡ ବଡିଆ ଲକ୍ଷପତି କରେ।ଡପତି ଘର ବଂଶର ଜଳେଶ୍ଵରର I ସେଠି ମୋ ପନୀ ରାଜ କରିବ - ହୁକୁମାତି ଚଳେଇବ । ପୁଅ କୁଆଡେ ସଂସ୍କାରୀ । ପୁଣି ବଡ଼ ଚାକିରୀ ।
ବୋଉ ପଦ୍ମଜାଙ୍କ କଥା କି'ଏ ବା ଶୁଣେ ଯେ ଏ ଘରେ । ଝିଅ ପନୀ ବି ବ୍ୟତିକ୍ରମ ହୁଅନ୍ତା କିପରି ? ସେ ତା'ର ଫେସବୁକ୍ ଷ୍ଟାଷ୍ଟସ୍ ଆପଡେଟ୍ କରିବାରେ ବ୍ୟସ୍ତ ଏତେ ଯେ ଘର ପୋଡିଗଲେ ବି ସେ ବିନ୍ଦୁ ବିସର୍ଗ ଜାଣି ପାରିବନି । କି ଯୁଗ ଆସିଲା କେଜାଣି । ମୋବାଇଲରେ ଲାଗି ଲାଖି ରହୁଛନ୍ତି ଅଠାକାଠି ପରିକା ।
ଦୁଇ ହାତ ଧରି ହଲେଇ ଦେଲେ ମମତାମୟୀ ପଦ୍ମଜା । ମୁଣ୍ଡରେ ପଶୁଛି କି ? ତିନି ଦିନ ହାତରେ ଅଛି । ଟିକେ କଞ୍ଚା ହଳଦୀ ଫ୍ୟାସ ପ୍ୟାକ ମୁଲତାନି ମାଟି ସହିତ ରାତିରେ ଶୋଇବା ପୂର୍ବରୁ ଲଗେଇଲେ ହଳଦି ଗୁରୁଗୁରୁ କମକୁଟ ଚେହେରା ଝଟକି ଉଠନ୍ତା । ଗୋଦରେଜ୍ ତଳ ଥାକରେ ବମକେଇ ପାଟ ଶାଢୀ ପଡିଛି କେତେ କାଳୁ ।କୁଞ୍ଚ କରି ପିନ୍ଧିବା ଟିକେ ଅଭ୍ୟାସ କଲେ ରିହରସଲ କଲେ ରବିବାର ଦିନ ମଞ୍ଚସ୍ଥ ନାଟକରେ ନିର୍ଭସନେସ କଟିଯାଆନ୍ତା ।
ହେ ଭଗବାନ ! ଏ ଅବୁଝା ଝିଅକୁ ଟିକେ ସହବୁଦ୍ଧି ଦିଅ ଠାକୁରେ ! ଜୟ ଜଗନ୍ନାଥ ।
ସେହି ସମୟରେ ବାପା ବେହେରା ବାବୁ ଓ ପୁଅ ପାଣିନୀ ଆସୁ ଆସୁ --- ସେ ବେକାରିଆ କଥା ଛାଡ଼ ମୋ ! ବର ପରମେଶ୍ଵରକୁ ଆମ ପନୀ ପସନ୍ଦ ହେଲେ ହେଲା । ଘର ବଡ ହେଉ କି ଛୋଟ, ବଂଶ ନାମକରା ହେଉ କି ନ ହେଉ, ଦରମା ଲକ୍ଷେ ମାସକୁ ପାଉ କି ନ ପାଉ, ମୋର ଗୋଟିଏ କଥା । ଆମ ପନୀକୁ ପୁଅ ପସନ୍ଦ ହେଲେ ହିଁ ଯାଇ ବାହାଘର ହେବ । କାରଣ ପନୀ ଆମର ଗୋଟିଏ ବୋଲି କୋଡ଼ପୋଛା କୋଟିଏରେ ଗୋଟିଏ ଝିଅ । ଆଜି ଭଳିଆ ନାରୀ ସଶକ୍ତିକରଣ ଯୁଗରେ ତା'ର ମନ ପସନ୍ଦ ତା'ର ମତ ସିଦ୍ଧାନ୍ତ ଆମ ସମସ୍ତଙ୍କର ପସନ୍ଦ । ଫାଇନାଲ କହିଦେଲି । ସେତେ ବେଳକୁ ସୁକୁରୁ ସାକର ଫୁଟୁରୁ ଫାଟର ଯେମିତି ମୋ କାନରେ ନ ପଡ଼େ ?
ପଦ୍ମଜା ଦେବୀ କହିଲେ --- କାହିଁକି ପସନ୍ଦ ହେବନି ପନୀର ? ଗୁନା କାକା ଆଉ ଶାନ୍ତା କାକୀ କ'ଣ ଅନ୍ଧ ନା କଣା ? ସେମାନେ କୁଆଡେ କହୁଥିଲେ ପୁଅ ତ ଖାଣ୍ଟି ହୀରା -- ତକ ତକ ଗୋରା ଛଅ ଫୁଟିଆ ଡଉଲ ଡାଉଲ ସିନେମାର କେଉଁ ହିରେ।ଠାରୁ ବି କମ ନୁହଁ । ଟାଇଗର ଶ୍ରଫ୍ ଭଳିଆ ।
ଆପଣଙ୍କ ଦ୍ୱାରା ତ ଶାଗ ବି ଶିଝିବନି । ଯଦି କି'ଏ କିଛି ପ୍ରସ୍ତାବ ଆଣିଲା, ତେବେ ଛିଦ୍ର ବାହାର କରିବା - ବିନ୍ଧ ଗୋଜିବା - ବିଷ ବୁଣିବାରେ ତୁମେ ଅଣୁବୀକ୍ଷଣ ଯନ୍ତ୍ର ପକେଇ ନାଲି ଗାମୁଛା ପାଗ ଲଗେଇ ବସିଯିବ । ଧନ୍ୟ ତୁମର ଅଭ୍ୟାସ । ପଚିଶ ବର୍ଷର ସଂସାରୀ ଅଭିଜ୍ଞତାରୁ କହୁଛି ।
ପିନାକୀ ବାବୁ ବୁଝିଗଲେ ସହଧର୍ମିଣୀ ପଦ୍ମଜାର ରାଗ ବଢି ଗଲାଣି ତାଳୁ ଉପରକୁ । ସ୍ଥାନ ଛାଡ଼ିଦେବା ଶ୍ରେୟସ୍କର ।
ରବିବାର ଦିନ ଆସିଗଲା । ସୁନେଲି କିରଣରେ ଘର ଅଗଣା ଆଉଟା ସୁନା ପରିକା ହସୁ ଥିଲା । ସମୟ ଦଶଟା ବେଳକୁ ସବୁ ସଜବାଜ ଶେଷ । ସମସ୍ତେ ଗାଧୋଇ ପାଧୋଇ ଇସ୍ତ୍ରୀ କରା ସଫା ଲୁଗା- କୁର୍ତ୍ତା- ଧୋତି ପିନ୍ଧି ପ୍ରସ୍ତୁତ । କେବଳ ଜରପକ୍ଷ ଆସିବାକୁ ଅପେକ୍ଷା ପ୍ରତୀକ୍ଷା । ପନୀର ଗୁନା କାକା- ଶାନ୍ତା କାକୀ ବି ଆସି ଯାଇଛନ୍ତି ।
ଗୁନା କକା ବଡ଼ ଭାଇ ବେହେରା ବାବୁ ଓ ମା' ସମାନ ବଡ଼ ଭାଉଜ ପଦ୍ମଜାଙ୍କୁ ମୁଣ୍ଡିଆ ମାରୁ ମାରୁ କହୁଥିଲେ --- ବହୁତ ବଡ ପାଟି ଭାଇ । କୋଟିପତି ଆରବପତି ଜଳେଶ୍ୱରିଆ ବିଶ୍ଵାଳ ଘର-ପରିବାର ସହିତ ସମୁଦି- ସମୁଦୁଣୀ ହେବ । ତେଣୁ ଡିମାଣ୍ଡ ଟିକେ ଅଧିକା କହି ପାରନ୍ତି । ତୁମେ ଚୁପ୍ ଚାପ ମୁଣ୍ଡ ଟୁଙ୍ଗାରୀ ଦେବ । ମୁଁ ଅଛି ପରା । ସବୁ ସମ୍ଭାଳି ନେବି |
କିନ୍ତୁ ଗୋଟିଏ କଥା ଷୋହଳ ଅଣା ସତ | ଏମିତି ବର ମନକୁ ମାନୁଥିବା ଘର ଅଚଳାଚଳ ସମ୍ପତ୍ତିବାଲା ଦ୍ଵାର ମିଳିବନି ଆଉ । ତେଣୁ ମୁଁ କ'ଣ କହୁଥିଲି କି, ଆମେ ଦୁଇ ପ୍ରାଣୀ ଶୟନେ ସପନେ ଥିବା ଜାଗରଣେ କ'ଣ ଭାବୁଥିଲେ କି --- ଏଭଳି ସୁବର୍ଣ୍ଣ ସୁଯୋଗ ହାତଛଡ଼ା କରିବା ବୋକାମୀ ହେବ । ନୋହିଲେ ପନୀ ଆମର ଘରେ ବସିବ ଆଉ ବର୍ଷେ । ଝିଅ ଆଉ ଘିଅ ।
ଝିଅ ତୁମର ଭାଇ । ଯାହା କରିବା କଥା ଯାହା କହିବା କଥା କକା ହିସାବରେ ମୋର କର୍ତ୍ତବ୍ୟ କରିଛି । ଶେଷ ନିଷ୍ପତ୍ତି ତୁମର ।--- କହୁ କହୁ ଗୁନା ଦାଦା ଅନ୍ୟ ବ୍ୟବସ୍ଥା ତଦାରଖ କରିବାକୁ ଭିତରକୁ ପଶିଗଲେ । ଆରେ ପାଣି --- କାହିଁ ଗଲୁ କିରେ ?
ଶାନ୍ତା ଖୁଡ଼ି ବି ପଦ୍ମଜା ପଛରେ ଓଡ଼ିଆଣୀ ଓଢଣୀ ଟାଣି କିଛି କହିଲେ --- ହଁ ବଡ଼ଭାଇ ! ପୁଅଟି ସଂସ୍କାରୀ । ଭଲ ଆଚାର ବିଚାର । ଯଦିଓ ଆଧୁନିକ ସୁଖ ସୁବିଧାରେ ଲାଳିତ ପାଳିତ, ପରିବାର ପାଇଁ ଗୁରୁଜନ ମାନଙ୍କ ପାଇଁ ଅନେକ ସମ୍ମାନ କଥାବାର୍ତ୍ତାରେ । ଆମ ପନୀକୁ ଟିକେ ଆପଣ ବୁଝେଇ ଦେବେ କି ବେଶି ଅଭଦ୍ରାମୀ ଯେମିତି ନ କରେ । ଯାହା ପଚାରିବେ --- ଠିକ ଉତ୍ତର ମାପି ଚୁପି କହିବ ଯେମିତି ।
ଆଜିକାଲିକା ଫେସବୁକ୍ - ଟୁଇଟର - ହ୍ଵାଟ୍ସଆପ ଯୁଗର ଝିଅ ମାନେ କାହା କଥାକୁ ଖାତିର କରୁଛନ୍ତି କି ? ଚବିଶ ଘଣ୍ଟିଆ ସୋସିଆଲ ମିଡିଆରେ ବ୍ୟସ୍ତ ବିବ୍ରତ । ମାତ୍ର ତାଙ୍କ ପାଇଁ ଏହା ଚଳିବନି କାରଣ ସେମାନେ ସୁଶୀଳା - କ୍ଷମାଶୀଳା- ରକ୍ଷଣାଶୀଳା ଗୁଣବତୀ- ମୌନାବତୀ- ଲାବଣ୍ୟବତୀ ଝିଅ ଖୋଜୁଛନ୍ତି । କେଉଁ ଜିରେ। ସାଇଜର ପାଉଡର କ୍ରିମମଖା ଚଳଚିତ୍ର ନାୟିକା ନୁହେଁ ? ତେଣୁ ଆମ ପନୀକୁ ବୁଝେଇ ଦେବେ -- ଏମିତି ଲକ୍ଷେରେ ଗୋଟେ ପୁଅ ତା' ପାଇଁ ତା' ଦୁଆରବନ୍ଧକୁ ଆସିଛି । ଆଉ ଯାହା ରହିଲା ପନୀର ଭାଗ୍ୟ ।
ପାଖାପାଖି ଏଗାରଟା ବେଳେ ବରପାତ୍ର ଶ୍ରୀମାନ ପରମେଶ୍ଵର ବିଶ୍ୱାଳ ନିଜ ବାପା ଘନଶ୍ଵାମ ବିଶ୍ଵାଳ ଓ କକା ଶ୍ୟାମଘନ ବିଶ୍ଵାଳ ସହିତ ଟାଟା ଇଣ୍ଡିକାରୁ ଓହ୍ଲେଇଲେ । ଗୁରୁଜନଙ୍କ ପଛେ ପଛେ ଧିରେ ଧିରେ ଶାନ୍ତ ସୁଧିର ଭାବରେ ଆସୁଥିଲେ ପୁଅ । ମନେ ହେଉଥିଲା ପିଲାଟି ସଭ୍ୟ ଓ ଭଦ୍ର ।
ସମସ୍ତେ ଅତିଥି ଅଭ୍ୟାଗତଙ୍କ ସତ୍କାରରେ ଲାଗିଗଲେ । କଥାବର୍ତ୍ତାର ଲହର ଆରମ୍ଭ ହୋଇଗଲା ଦୁଇ ଘରର ମୁରବୀମାନଙ୍କ ମଧ୍ୟରେ । ପରମେଶ୍ଵରର କକା ଶ୍ୟାମଘନ ବାବୁ କାଜୁ ବରଫି ଖାଉ ଖାଉ କହି ଉଠିଲେ --- ବୁଝିଲେ ବେହେରା ବାବୁ ! ଆମ ପରମେଶ୍ଵର ପରା ଆମ ଘର ଆମ ଗାଁର ରାମାୟଣର ଦଶରଥ ନନ୍ଦନ ରାମଚନ୍ଦ୍ର ପରିକା ପୁଅ ଖାଣ୍ଟି ଚବିଶ କ୍ୟାରୋଟ ଗିନି ସୁନାମୁଣ୍ଡା । କେତେ ବିବାହ ପ୍ରସ୍ତାବ ନିତି ଆସୁଛି କହି ହେବନି କି ଗଣି ହେବିନି । ଗୁନା ବାବୁ ତ ଆମ ପରିବାରର ନୁହଁ ଆମ ସାହିର ଅତି ପ୍ରୀୟ ବଂଧୁବତ୍ସଳ ଭଦ୍ରଲୋକ । ତେଣୁ ତାଙ୍କ ଭରସାରେ ସଂସ୍କାରୀ ସୁଶୀଳା ରକ୍ଷଣଶୀଳା ପ୍ରସ୍ତାବ ପାଇଁ ଆସିଲେ ଆମେ | ପୁତୁରା ପରମେଶ୍ଵର ତ ଆସିବାକୁ ମନା କରୁଥିଲା ପ୍ରଥମରୁ । କେତେ ବୁଝେଇ ସୁଝେଇ ଆଣିବାକୁ ପଡିଲା ।
ଜାଣିଲେ ପିନାକୀ ଭାଇ ! ଆମେ ନିଜ ପୁତୁରାର ଗୁଣ ବଖାଣିବା ପୁଣି ନିଜ ମୁଁହରେ ଆଦୌ ସମୀଚୀନ ନୁହଁ । କିନ୍ତୁ କହି ଦେଉଛି ଗୁନା ବାବୁ -- ଏ ଖଣ୍ଡ ମଣ୍ଡଳରେ ପରମେଶ୍ଵର ପରି ସାଧା ସିଧା ସରଳ ସଫଟୱ୍ୱାର ଇଂଜିନିୟର ବିରଳ, ଟର୍ଚ୍ଚ ବା ଏମାର ଜେନସି ଲାଇଟ୍ ମାରି ଖୋଜିଲେ ବି ମିଳିବନି ? ମାସକୁ ୮୦ ହଜାର ଟଙ୍କା ନଗଦ ଦରମା -- ଶୀତତାପ ନିୟନ୍ତ୍ରୀତ ଫ୍ଲାଟ ନବରତ୍ନ ବହୁ ବିଦେଶୀୟ କଂପାନୀ ତରଫରୁ ପୁନେ ସହରରେ । ଆହୁରି ଡିଏ, ଏସଡିଏ, ଏଚଆରଏ, ମେଡିକାଲ, ଏଲଟିସି ଇତ୍ୟାଦି କେତେ କ'ଣ ସପ୍ତମ ବେତନ କମିଶନ ଆଧାରରେ ।
ଏ ସବୁ ଶୁଣି ଘନଶ୍ୟାମ ବିଶ୍ଵାଳ ବାବୁ ମନ୍ଦ ମନ୍ଦ ସ୍ମିତହାସ୍ୟ କରୁଥିଲେ ଆଉ ଘରର ବିହଙ୍ଗାଵଲୋକନ କରୁଥିଲେ ଅଙ୍ଗଦ ଲଙ୍କାପୁରୀ ଦର୍ଶନ କରିବା ପରି । କହିଲେ --- ହଉ ହେଲା ବେହେରା ବାହୁ । ଝିଅକୁ ଆଣନ୍ତୁ । ବହୁତ କଥା ହେଲା ।
ପନୀ ଆମର ନାଲି କୁମ୍ଭପକା ସମ୍ବଲପୁରୀ ପାଟଶାଢୀରେ ଲାଲ ଟୁକୁ ଟୁକୁ ଲାଲ ପରୀ କଣ୍ଢେଇ ପରି ବହୁତ ସୁନ୍ଦର ଲାଗୁଥିଲା । କାରଣ ଆଜି ତା ଭବିଷ୍ୟତ ସହିତ ଫରସଲା ହେବାର ଥିଲା ।
ପରମେଶ୍ଵରକୁ ପଙ୍କଜିନୀ ଜଣେ ସାଧା ସିଧା ମଫସଲିଆ ଗାଉଁଲୀ ଝିଅ ଭଳିଆ ଲାଗିଲା । ଏ କଥା ପରମେଶ୍ଵର ନିଜ କକାର କାନରେ ଚୁପ୍ ଚୁପ୍ କହିବାରୁ ଶ୍ୟାମଘନ ବାବୁ ତା' ଜଙ୍ଘକୁ ଟିକେ ଚିମୁଟି ଦେଲେ । କକା କହିଲେ -- ସଂଯମ କର । ପାଟି ବହୁତ ବଡ଼ । ମାଲ ମିଳିବ ହତେ ।
ପନୀ ସମସ୍ତଙ୍କୁ ସ୍ମିତହାସ୍ୟର ତାଳେ ତାଳେ ମୁଷ୍ଟିବଦ୍ଧ ନମସ୍କାର କଲା ଆଉ ଫୁଲ ପରି ଫୁଟିବା ମୁଦ୍ରାରେ ବାପାଙ୍କ ପାଖ ଚୌକିରେ ଧିରେ ଅତି ସନ୍ତର୍ପଣରେ ବସି ପଡିଲା ମୁଁହପୋତି ।
ଘନଶ୍ୟାମ ବାବୁଙ୍କୁ ଝିଅ ପଙ୍କଜିନୀ ପସନ୍ଦ ହେଲା । ଛାତି ପକେଟରୁ ନାଲି ଦୁଇ ହଜାରିଆ ନୂଆ କରକରିଆ ନୋଟ ଖଣ୍ଡେ ବାହାର କଲେ ଓ ଝିଅ ହାତରେ ଧରେଇ ଦେଲେ । କୁନ୍ଥ କୁନ୍ଥ ଝିଅ ପନୀ ବାପା ବେହେରା ବାବୁଙ୍କ ଇସାରାରେ ନେଲା ସରାଗରେ ।
ହଉ ବେହେରା ବାବୁ ! ଏଥର ନେବା ଦେବା କଥା ହେଲେ ଭଲ ହୁଅନ୍ତା । ନାଁ କ'ଣ କହୁଛନ୍ତି ଆପଣ ମାନେ ।
ଝିଅ ଆମର ପସନ୍ଦ ହେଲା । ଆପଣଙ୍କ ଅଳିଅଳି ଝିଅ ଆମ ବିଶ୍ଵାଳ ଘରର ବୋହୁ ହେଲା ଜାଣ ଗୁନା ବାବୁ । ଆମର ଯୌତୁକ ବାବଦରେ ସେମିତି କିଛି କହିବାର ନାହିଁ । ଦଶ ଲକ୍ଷ ବାଟଖର୍ଚ୍ଚ ପାଇଁ ଦେଲେ ଚଳେଇ ନିଅନ୍ତେ । ମାରୁତି ଅଲଟୁ ଦେଲେ ଭଲ ହୁଅନ୍ତା । ଗହଣା, ଆସବାପତ୍ର, ଠାଆସଜ, ଜୁହାରିଲୁଗା ଇତ୍ୟାଦି ଆପଣମାନେ ଆପଣଙ୍କର ଝିଅ- ଜ୍ଵାଇଁକୁ ଯାହା ଦେବେ ତା' ଉପରେ କିଛି କହିବାର ନାହିଁ ।
ଦଶଲକ୍ଷ ଯୌତୁକ ଶୁଣି ବେହେରା ବାବୁ ଟିକିଏ ବିଚଳିତ ହୋଇ ପଡିଲେ । କଣ୍ଠା ଶୁଖିଲା ଶୁଖିଲା ମନେ ହେଲା । ଝିଅ ପନୀକୁ ପାଠଶାଠ ପଢ଼େଇ ପୋଷ୍ଟ ଗ୍ରାଜୁଏଟ୍ ଇତିହାସରେ କରେଇଛନ୍ତି ବାଣୀବିହାରରୁ । ସଭ୍ୟତା ସଂସ୍କାର ସଣ୍ଠଣା ଯାବତୀୟ ଘରକରଣା ଝିଅକୁ ପାରୁପର୍ଯ୍ୟନ୍ତ ଶିଖେଇଛନ୍ତି । ପରମେଶ୍ଵର ଉଚ୍ଚ ଶିକ୍ଷିତ ଉଚ୍ଚ ପଦବୀରେ ଅଧିଷ୍ଠିତ ପୁଅ କିନ୍ତୁ ଆମ ପନୀ ବି କୋଉ ଗୁଣରେ କମ ନୁହଁ ? ସେ ବି ଫକୀରମୋହନ ବିଶ୍ଵବିଦ୍ୟାଳୟରେ ଇତିହାସ ସମ୍ମାନରେ ଶ୍ରେଷ୍ଠ ସ୍ନାତକ ଥିଲା । ଉତ୍କଳ ବିଶ୍ଵବିଦ୍ୟାଲୟରେ ଇଉଜିସି ନେଟ ପରୀକ୍ଷାରେ ଜେଆରଏଫ୍ ଇତିହାସରେ ପାଇଛି ସର୍ବ ଭାରତୀୟ ଚୟନ ସ୍ତରରେ ।
ଗୁନା ବାଦା ମାନିନେବାକୁ ଇଙ୍ଗିତ ଦେଉଥିଲେ, ଆଖିରେ ଆଖିରେ ବଡ଼ ଭାଇଙ୍କୁ ପ୍ରସ୍ତାବରେ ରାଜି ହେବାକୁ ଇସାରା ପରେ ଇସାରା ଦେଇ ଚାଲିଥିଲେ ।
ଘନଶ୍ଵାମ ବାବୁ ବେହେରା ବାହୁଙ୍କ ବିବଶତା ବୁଝି ଗଲେ ଯେମିତି ଲଫାପା ହାତରେ ଧରି ଭିତରେ କ'ଣ ଅଛି ଜାଣିବା ନ୍ୟାୟରେ । କଥାକୁ ଆଉ ଟିକେ ଗମ୍ଭିରତା ଦେବା ଆଳରେ କହିଲେ ହସି ହସି -- ଆମ ପରମେଶ୍ଵର ଭଳିଆ ବରପାତ୍ର ପରାର୍ଦ୍ଦେରେ ଗୋଟିଏ । ଏକଦମ ଶାନ୍ତ ପ୍ରଶାନ୍ତ ସୌମ୍ୟକାନ୍ତ ବପୁବନ୍ତ । କିଛି ନିଶା ପାଣି ନାହିଁ ଆଜି କାଲିକା ଉଚ୍ଛ୍ରଙ୍ଖଳ ଉଦ୍ଭ୍ରାନ୍ତ ବାଲୁଙ୍ଗା ଟୋକା ମାନଙ୍କ ପରି । ପୂରା ପିତୃଭକ୍ତ ମାତୃଭକ୍ତ ଆଚାର-ବିଚାର-ସଂସ୍କାର- ଭକ୍ତ ଓ ସର୍ବୋପରି ସଚ୍ଚା ଦେଶମାତୃକାର ପରମ ଦେଶପ୍ରେମୀ ଦେଶଭକ୍ତ ଆମ ସୁନା ପୁଅ ପରମେଶ୍ଵର । ଏମିତିକା ଜ୍ୱାଇଁ ଦଶ ଲକ୍ଷରେ ଏତେ କମ ଦାମରେ ମିଳିବା କଷ୍ଟକର । ନା କ'ଣ କହୁଛନ୍ତି ଗୁନା ବାବୁ। ବଡ଼ ଭାଇଙ୍କୁ ଭଲ କରି ବୁଝେଇ ଦେବେ ସମଝେଇ ତେବେ । ବୁଝିଲେଟି !
ଅସହାୟ ବେହେରା ବାବୁ ଧର୍ମପତ୍ନୀ ପଦ୍ମଜାଙ୍କ ମୁଁହକୁ ଥରେ ଆଉ ସାନ ଭାଇ ବାହାଘରର ମଧ୍ୟସ୍ଥ ଗୁନାର ମୁଖମଣ୍ଡଳକୁ ବାରି ବାରିକିରେ ଚାହୁଁଥିଲେ । ପରଖୁଥିଲେ କିଛି ଇଙ୍ଗିତ ମନ ମଗଜରେ ଭଠୁଥିବା ଅସହାୟତା ସହିତ ମିଶି ଯାଆନ୍ତା କାଳେ । ସାହସ ପାଇଯାଆନ୍ତେ ।
କିନ୍ତୁ ପରନ୍ତୁ ଅଧିକନ୍ତୁ କାହିଁ ? ସମସ୍ତେ ହଁ ମାରିବାକୁ ଠାରୁ ଥାନ୍ତି । କୂଳ କିନାରା ନ ପାଇ ପିନାକୀ ବେହେରା ବାବୁ ଜଣେ ଅସହାୟ ନିରୂପାୟ ବଢିଲା ଝିଅର ବାପ ହିସାବରେ ଦୋ-ଛକିରେ । ଅଗତ୍ୟା ହଁ ଭରିବାକୁ ଯାଉଥିଲେ । ଝିଅ ପନୀ ତାଙ୍କ ହାତକୁ ଟିକେ ଚାପି ଦେଲା ଦବେଇ ଦେଲା ।
ହସି ହସି କହିଲା --- ଅଙ୍କଲ୍ ! ଆପଣଙ୍କ ପୁଅର ଶୁଭନାମ କହିବେ କି ?
ଅଚାନକ ଏମିତି ଏକ ଅଖାଡୁଆ ପ୍ରଶ୍ନରେ ସମସ୍ତେ ହତବାକ୍ ଆଶ୍ଚର୍ଯ୍ୟ ଚକିତ ।
ଘନଶ୍ୟାମ ବାବୁ ସଗର୍ବେ କହିଲେ--- ଶ୍ରୀମାନ୍ ଆଯୁଷ୍ମାନ ପରମେଶ୍ଵର ବିଶ୍ୱାଳ ।
ପନୀ ଗୋଟିଏ ମିନିଟ କହି ନିଜ ମୋବାଇଲ ବାହାର କଲା । କିଛି ଗୋଟେ ଟାଇପ କଲା ଆଉ ମୋବାଇଲରେ ଦେଖି ଦେଖି କହିଲା --- ପରମେଶ୍ଵର ବିଶ୍ଵାଳ -- ଗୁଡ୍ଡୁ -- ଫେସବୁକରେ । ଦେଖନ୍ତୁ ଆପଣମାନେ -- ୧୦ ଫଟୋରେ ବିୟର ବାରରେ ମସ୍ତି, ୫ ଫଟୋରେ ମହାଶୟ ସାଂଗ ସହିତ ମଦ ପିଉଥିବାର ଦୋସ୍ତି । ଆହୁରି ଦେଖନ୍ତୁ ! ସିଗାରେଟ୍ ପିଇବାର ଏ ଫଟୋଯୁଗ୍ମକୁ । କୁହନ୍ତୁ ! ଆପଣଙ୍କ ସଂସ୍କାରୀ ପୁଅ କେମିତି ସିଗାରେଟ ଧୁଆଁର କୁଣ୍ଡଳୀ ତିଆରି କରି ଧୁମ୍ର ବଳୟର କୁହୁଡି ଆସ୍ତରଣ ଭିତରେ ହଜି ଯାଇଛି । ଆହୁରି ଦେଖନ୍ତୁ ! ଆପଣଙ୍କ ଏକୋଇର ବଳା ସୌମ୍ୟକାନ୍ତ ବସୁବନ୍ତ ବିଶିକେଶନଙ୍କୁ : ତିନି ଚାରି ଜଣ ଗୌରାଙ୍ଗୀ ହେମାଙ୍ଗୀ ଝିଅମାନଙ୍କ କମରରେ ହାତ ଦେଇ ଯେମିତି ଠିଆ ହୋଇଛି ରଙ୍ଗିଲା ଭଙ୍ଗିରେ -- ଝିଅମାନେ ତ ଭଉଣୀ କେବେ ହୋଇ ନ ଥିବେ ?
କ୍ଷମା କରିଦେବେ ମୋତେ । ଏତେ ଗୁଣରେ ମଣ୍ଡିତ ସଜ୍ଜିତ ବିଭୂଷିତ ଆପଣଙ୍କର ଗୁଣବାନ ଆୟୁସ୍ନାନ ପୁତ୍ର ମଣୀଙ୍କ ପାଇଁ ମୁଁ ଆଦୌ ଉପଯୁକ୍ତ। ଗୁଣମୁକ୍ତା ନୁହେଁ ।
ଝିଅ ପନୀର ଏମିତି ଶାଣିତ ଆଉ ସଠିକ ରୋକଠୋକ ସ୍ପଷ୍ଟ କଥା- ଭାଷଣ - ସମ୍ଭାଷଣ ଶୁଣି ସମସ୍ତେ ଆଚମ୍ବିତ ନିୟନବିସ୍ଫାରିତ ବାକଶୂନ୍ୟ ଶବ୍ଦସାରଶୂନ୍ୟ ହତବମ୍ବ ବିପ୍ରଲମ୍ବ । ବେହେରା ବାବୁ ରାଗରେ ଅଗ୍ନିଶର୍ମ। ପାଲଟିଗଲେଣି ସେତେ ବେଳକୁ । ଆଉ ଲାଗୁଥିଲା ଅଧୁନା ଗୁନା ଦାବାଙ୍କୁ କଞ୍ଚା ଚୋବାଇ ଯିବେ ।
ଘନଶ୍ୟାମ ବିଶ୍ଵାଳ ବାବୁଙ୍କୁ ଲକ୍ଷ୍ୟ କରି ବେହେରା ବାବୁ ରାଗ ଗରଗର ଢଙ୍ଗରେ କହି ପକେଇଲେ --- ବୁଝିଲେ ବିଶ୍ୱାଳ ବାବୁ ! ଆପଣ ଏଆଡ଼ୁ ସେଆଡୁ ଅଗଡମ ବଗଡମ କହି ଆମକୁ ଠକି ଦେବେ ବୋଲି ଭାବି ଆସିଥିଲେ ସଂଵନ୍ଧ ବାନ୍ଧିବାକୁ କିନ୍ତୁ ଆମ ଝିଅକୁ ଠକି ପାରିବେନି କାରଣ ଆମ ପଙ୍କଜିନୀ ଫେସବୁକ୍ ରେ ଅଛି ।
ଶୁଣ ଶୁଣ ସୁଧୂଜନେ ! ସୋସିଆଲ ମେଡିଆ ଘାଣ୍ଟିଲେ ସବୁବେଳେ ଖରାପ ହୁଏ ନି । ସବୁବେଳେ ଫେସବୁକ୍- ଟୁଇଟର ଇତ୍ୟାଦିରେ ବୁଡି ରହିଲେ ନକାରାତ୍ମକ ଗୁଣରେ ଗରୀୟାନ ଚୁପ୍ ସଇତାନ ମାନଙ୍କ ଭଦ୍ରମୁଖାକୁ ସକାର।ମୂକ ଚିନ୍ତା-ଚେତନା ଦ୍ଵାରା ଧରି ହୁଏ ଖୋଲି ଦେଇ ହୁଏ
ଆରେ ଗୁନା ! ମୁହଁ ଖଟ୍ଟା କରି ଦେଲୁ ରେ । ଏମିତିକା ପ୍ରସ୍ତାବ ଆଣିବୁନି କେବେ ।
ବେହେରା ବାବୁ ଦେଖିଲେ ଶର୍ମଶାର ଗୁନା- ଶାନ୍ତା ଯୋଡି ଓ ମୁଁହ ତଳକୁ କରି ବିଶ୍ଵାଳ ଫଉଜ କେମିତି ଲାଙ୍ଗୁଡ଼ ଯାକି ଛତ୍ରଭଙ୍ଗ ଦେଉଥିବାର ଦୃଶ୍ୟ ।
ସ୍ନେହିଳ ହାତକୁ ଝିଅ ପନୀର ମଥାରେ ସରାଗରେ ବୁଲେଇ ଆଣୁ ଆଣୁ ମନେ ମନେ ଭାବୁଥିଲେ ବଂଶୀୟାନ ବେହେରା ବଂଶର ମାନ ସମ୍ମାନ ମହତ ଇଜ୍ଜତ ବଂଚେଇ ଦେଲା ଆମ ଘର ମୂରୁଜ ପିନାକୀ-ପଦ୍ମଜା ଆତ୍ମଜା ସୁନାଝିଅ ପନୀ ପଙ୍କଜିନୀ ରଜ ।