Chinmaya Kumar Nayak

Abstract Drama

4.1  

Chinmaya Kumar Nayak

Abstract Drama

ଗାମୁଛା

ଗାମୁଛା

4 mins
236


ସନିଆ ହାତଯୋଡ଼ି ଛିଡ଼ା ହୋଇଛି ପଞ୍ଚାୟତ ଆଗରେ। ଗାଁ ଲୋକେ ରୁଣ୍ଢ ହୋଇଛନ୍ତି ନିଶାପ ଶୁଣିବାକୁ। ଆଜି ଯାହାହେଲେ ବି ଗୋଟେ ଫଇସଲା ହେବ। ଭିଡ଼ ଭିତରୁ କିଏ ଜଣେ ପାଟି କରି କହୁଥାଏ, 'ମୁଖିଆ ଆଜ୍ଞା, ପାନେ ଦିଅନ୍ତୁ ତାକୁ ଶଳା, ମଣିଷ ମାରିଛି ପରା, କଣ ଛୋଟିଆ ଅପରାଧ ନା କଣ !' ଆଉ ଜଣେ କହି ଉଠିଲା, 'ହଁ ପରା, ଆମେ ୟାକୁ ନିରୀହ ବୋଲି ଭାବୁଥିଲୁ, ଆଉ ଏ ଏମିତି ଏକ ମାରାତ୍ମକ ଜନ୍ତୁ, ଆଜ୍ଞା ୟାକୁ ଏ ଗାଁରୁ ବିଦା କରନ୍ତୁ ଆଉ ପୋଲିସରେ ଦିଅନ୍ତୁ।' ମୁଖିଆ ଗମ୍ଭୀର ଭାବରେ ଦୁଇ ସୁଟା ହୁକା ଟାଣି ନେଇ ଫୁ କରି ଧୂଆଁ ଛାଡିଦେଲେ ଉପରକୁ। ଆଉ କେହି କିଛି କହି ଆସିବା ଆଗରୁ ମୁଖିଆ ତାଗିଦ କଲେ ନିରବ ରହିବାକୁ। 

- ସନିଆ, ତୋର କଣ କିଛି କହିବାର ଅଛି କହ ତା ପରେ ବିଚାର କରିବା। 

- ଛାମୁ ଯାହା ବିଚାର କରିବେ ମୁଁ ମାନିନେବି ଆଜ୍ଞା। ମୁଁ ଜାଣେ ଆପଣ ନ୍ୟାୟ ଚୌକିରେ ବସିଛନ୍ତି, ଅନ୍ୟାୟ କରିବେନି। 

- ହୁଁ... ରଘୁଆ ସେ ଗାମୁଛାଟା ଆଣେ ତ। 

- ସନିଆ, ଏଇଟା ତୋ ଗାମୁଛା ତ ?

- ହଁ ଆଜ୍ଞା ମୋ ଗାମୁଛା ପରି ତ ଦିଶୁଛି, କିନ୍ତୁ ଆପଣ କେଉଁଠୁ ପାଇଲେ ? 

- ଏଇଟା ସେ ମୂର୍ଦାର ଉପରେ ପଡ଼ିଥିଲା। ତେଣୁ ପ୍ରମାଣ ହିସାବରେ ସପନିକୁ ତୁ ମାରିଛୁ। ଏବେ ତୁ କଣ କହୁଛୁ କହ। 

- ଆଜ୍ଞା ଆଜି ପର୍ଯ୍ୟନ୍ତ ମୁଁ କାହାକୁ ରେ ପଦଟେ ବି ସୁଧା କହିନି, ଆଉ ଆପଣ କହୁଛନ୍ତି ମୁଁ ମଣିଷ ମାରିଛି ! ଆଉ ଏଇ ଗାମୁଛା ଆଧାରରେ ମୋତେ ଆପଣ ଦୋଷୀ କହୁଛନ୍ତି ? ଏମିତିକା ଗାମୁଛା କଣ ଆଉ କାହାର ନାହିଁ ? ହଉ ଯାହା ଆପଣ ବିଚାର କରିବେ। ଆଜ୍ଞା ମୋର ତ ସେଇ ଖଣ୍ଡିଏ ଗାମୁଛା ମୁଁ ଏଇନେ ନେଇ ଆସୁଛି। 

- ହଉ ଯା, ଶୀଘ୍ର ତୋ ଗାମୁଛା ନେଇ ଆସେ। 


ସନିଆ ଚାଲିଛି ବେଗି ବେଗି ପାଦ ପକାଇ। ତା ଘର ବୋଲି ଚାଳିଆଟେ ଆଉ ତା ସଂସାର କହିଲେ ସେ, ତାର ଗୋଟେ ବିଲେଇ, ଆଉ ତା ଠାକୁର। ହଁ ଠାକୁର କହିଲେ ଯେମିତି ତା ପ୍ରାଣ। ସେ ଖାଇବା ପଛେ ଭୁଲିଯାଇଛି କିନ୍ତୁ ଠାକୁରପୂଜା କେବେ ଭୁଲିନି। ଥରେ ଜଣେ ବାବାଜୀ ତା ଘର ପିଣ୍ଡାରେ ବସିଥିଲେ। ଆଉ ଗରିବ ସନିଆ କୃତ୍ୟ କୃତ୍ୟ ହୋଇ ଆଞ୍ଜୁଳାଏ ମୁଢ଼ି ଆଉ ଢାଳେ ପାଣି ଦେଇଥିଲା ଓ ତାଙ୍କର ପାଦସେବା କରିଥିଲା। ବାବାଜୀ ଖୁସି ହୋଇ ତାକୁ ଗୋଟେ କୃଷ୍ଣ ମୂର୍ତ୍ତିଟିଏ ଦେଇ ପୂଜା କରିବାକୁ କହିଲେ। ସନିଆ ଡରିଯାଇ କହିଲା, 'ଆଜ୍ଞା ମୁଁ ତ ମୁର୍ଖଟାଏ ମୁଁ କଣ ପାରିବି ?' ବାବାଜୀ କହିଲେ, 'ଆରେ ପାଗଳା ସେ ପରା ଠାକୁର, ସେ ସବୁ ଜାଣନ୍ତି, ତୁ ଖାଲି ସକାଳ ସନ୍ଧ୍ୟାରେ ଫୁଲ ଟିକେ ଦେଇ ତୋ ସାଧ୍ୟମତେ ଭୋଗ ଦେଇ ପୂଜା କରିବୁ। ତୋ ମନକୁ ଯାହା ଆସିବ ଜଣେଇବୁ, ତାଙ୍କ ସହ କଥା ହେବୁ, ଦେଖିବୁ ସେ ବି ତୋ ସହ କଥା ହେବେ।' ସେଇଦିନୁ ସନିଆ ପୂଜାର୍ଚ୍ଚନାରେ ବ୍ୟସ୍ତ। ଗାଁ ଲୋକେ ଚିଡାନ୍ତି ସନିଆଟା ସନିଆ ନନା ହୋଇ ଗଲାଣି। ସନିଆ ସେ ସବୁ ଶୁଣେନାହିଁ। ସେ ପୂଜା କରେ, ସେଇ ମୂର୍ତ୍ତି ସାମ୍ନାରେ ବସି ହସେ କାନ୍ଦେ, ବେଳେବେଳେ ଗାଳି ବି ଦିଏ, ଏକୁଟିଆ ବେଳେ କଣ ବସି ଗୁଣୁଗୁଣୁ ହେଉଥାଏ ସେ ମୂର୍ତ୍ତି ଆଗରେ, ଲୋକେ କହନ୍ତି ପାଗଳଟାଏ । ଏମିତି ଭାବୁ ଭାବୁ ପହଞ୍ଚିଲା ତା ଘରେ। 


ବହୁ ଖୋଜା ଖୋଜି ପରେ ତା ଗାମୁଛା ପାଇଲାନି। ସେ ମୂର୍ତ୍ତି ଆଡକୁ ଚାହିଁ ବହେ ଚିଡ଼ିଲା। 'ହାଇହୋ ଠାକୁର, ମୋ ଗାମୁଛା କୁଆଡେ ଗଲା, ଦେଖ ମୋ ଗାମୁଛା ଯଦି ନମିଳେ ମୁଁ ଦୋଷୀ, ଆଉ ମୁଁ ଦୋଷୀ ହେଲେ ତମକୁ ବି ଫିଙ୍ଗିଦେବି ସେ କିଆବୁଦା ଆଡ଼େ। ରାଗ ଗର ଗର ହୋଇ ଧାଇଁଲା ପଞ୍ଚାୟତ ଆଡେ଼। 

-ଆଜ୍ଞା ମୋ ଗାମୁଛା ପାଇଲିନି, ମୁଁ କାଲି ଆଣିଦେବି। 

ମୁଖିଆ ରାଗି ଉଠିଲେ,

-ହଇରେ ଘର ବୋଲି ତ ତୋର ଚାଖଣ୍ଡେ, ତା ଭିତରେ ଗାମୁଛା ଖଣ୍ଡେ କେଉଁଠି ରଖିଛୁ ପାଉନୁ ? ମିଛୁଆ କୋଉଠିକାର ! ଏ ଗାମୁଛା ସେ ମୂର୍ଦାର ପାଖରୁ ମିଳିଛି ମାନେ ତୁ ହିଁ ସପନିକୁ ମରିଛୁ, ସତ ସତ ମାନିଯା ନହେଲେ ଏବେ ପୁଲିସକୁ ଖବର ଦେବି ଆଉ ଥରେ ପୁଲିସ ହାତକୁ ଗଲେ ହାଜତ ନୁହେଁ, ଫାଶୀରେ ଝୁଲିବୁ। ତେଣୁ ସତ କଥା କହିଦେ।

- ନାଇଁ ଆଜ୍ଞା ମୁଁ ମାରିନି। କାହାର ନା କାହାର ଗାମୁଛା ଆପଣ ମୋତେ ଦୋଷ ଦେଉଛନ୍ତି। ମୁଁ ଗରିବ, ନିର୍ବଳ କିଛି କହିପାରିବିନି, ସେଥିପାଇଁ ମୋଟେ ଫସାଉଛନ୍ତି। ଏମିତି ଗାମୁଛା କଣ ଆଉ କାହାର ନାହିଁ ? ଯାହା ଆପଣ ଠିକ ଭାବିବେ କରନ୍ତୁ। 

- ଚୁପ, ବେଶୀ ବଢ଼ି ବଢ଼ି କଥା କହୁଛୁ। ହଉ ଶୁଣୁ ତୁ କାଲି ସକାଳେ ଯଦି ତୁ ତୋ ଗାମୁଛା ଆଣି ଆସିବୁ ତତେ ଛାଡ଼ି ଦିଆଯିବ, ନହେଲେ ପୁଲିସରେ ଦେବି। 


କାନମୁଣ୍ଡା ଆଉଁସି ଆଉଁସି ସନିଆ ଫେରିଲା, ଆଉ ଘରେ ପହଞ୍ଚି ବର୍ଷିଗଲା ସେ ମୂର୍ତ୍ତିକୁ ସମ୍ବୋଧନ କରି। 'ବା ବା ରେ ଠାକୁର, ତମକୁ ପୁଜିବାର ଖୁବ ସୁନ୍ଦର ଫଳ ମୋତେ ଦେଲ। ମିଛଟାରେ ମୁଁ କାଲି ଯିବି ବନ୍ଧା ହୋଇ। ଆଉ ତମକୁ କଣ ଛାଡ଼ିଦେବି ନା କଣ ! ତମକୁ ବି ସାଥିରେ ନେଇ ଯିବି। କିଛି ସମୟ ପରେ ରଡି କରି କାନ୍ଦିଲା। ପାଗଳ ପ୍ରାୟ ହୋଇଯାଇଥାଏ ସନିଆ। ସେଇ ମୂର୍ତ୍ତିକୁ ସେମିତି ଛାତିରେ ଧରି କେତେବେଳେ ସେ ଶୋଇପଡିଛି ତାକୁ ଜଣା ନାହିଁ।


ସକାଳୁ ଉଠିଲା ପରେ ଯଥାରୀତି ତାର ନିତ୍ୟକର୍ମ ସାରି ଠାକୁର ପୂଜା କଲା। ଆଜି ଟିକେ ଭଲରେ କରୁଥାଏ, ଆଉ କହୁଥାଏ 'ମୋର ଶେଷ ପୂଜା ଗ୍ରହଣ କର କେଜାଣି କାଲି ମୋ ଭାଗ୍ୟରେ କଣ ଅଛି। ସବୁ କାମ ସାରି ଗଣ୍ଠିଲି ବାନ୍ଧିଲା, ତା ଠାକୁରଙ୍କୁ ବି ଯତ୍ନରେ ରଖିଲା, ଆଉ ପଞ୍ଚାୟତ ଅଭିମୁଖେ ଚାଲିଲା। ଆଜି ସେ ନିର୍ବିକାର, କେମିତି ଏକ ଉଦାସୀନ, ସତେ ଯେମିତି ସେ ପାଲଟି ଯାଇଛି ଏ ସଂସାରର ସୁଖ, ଦୁଃଖ ମୋହଠାରୁ ବହୁ ଉର୍ଦ୍ଧ୍ବରେ। 


ଏକ ବିରାଟ ଭିଡ଼ ତା ଅପେକ୍ଷାରେ ସମସ୍ତେ ନିରବ, ବାଟ ଛାଡି ଦେଉଥାନ୍ତି ଲୋକେ। ହାତଯୋଡି ଛିଡ଼ା ହୋଇଥାନ୍ତି ତା ପ୍ରତୀକ୍ଷାର। କିଏ ନମସ୍କାର କରୁଥାଏ, କିଏ ପାଦ ଧୂଳି ନେଇ ମୁଣ୍ଡରେ ମାରୁଥାଏ। ସନିଆ କାବା ହେଇ ଚାହୁଁଥାଏ, ଆରେ ଏ କି ବ୍ୟାପାର, ସେ କିଛି ବୁଝିପାରୁ ନଥାଏ। ମଞ୍ଚ ପାଖରେ ପହଞ୍ଚିବା ମାତ୍ରେ ମୁଖିଆ ଛିଡ଼ା ହୋଇ ଓହ୍ଲେଇ ଆସିଲେ ଓ ସନିଆକୁ କୁଣ୍ଢେଇ ପକେଇଲେ ଓ ତା ଗାମୁଛା ତାକୁ ଫେରାଇ ଦେଇ କହିଲେ, ତୁ ଆମ ଗ୍ରାମର ଗର୍ବ ଓ ଗୌରବ। ସ୍ୱୟଂ ଭଗବାନ ତୋ ଘରେ ପ୍ରତ୍ୟକ୍ଷ ଭାବରେ ବାସ କରୁଛନ୍ତି। ସନିଆ ଆଁ କରି ଚାହିଁରହିଥାଏ ସେ ହସିବ କି କାନ୍ଦିବ ବୁଝି ପାରୁ ନଥାଏ। ମୁଖିଆ କହିଲେ, ଆରେ ତୁ ଜାଣିନୁ କାଲି ରାତିରେ ଏ ଗାଁରେ କି ବର୍ଷା ! ବୈଶାଖ ମାସର ବର୍ଷା ମୋ ଜୀବନରେ ବି ଦେଖିନି। ଆଉ ସ୍ୱପ୍ନରେ ତୋ ଠାକୁର ଆସି ଆମକୁ ସବୁ କଥା କହିଛନ୍ତି। ଓଃ ତୋ ପାଇଁ ମୁଁ ଆଜି ଭଗବାନଙ୍କୁ ଦର୍ଶନ କରି ପାରିଲି। ଆଜିଠାରୁ ତୋ କୁଡ଼ିଆ ହେବ ଏ ଗାଁର ମନ୍ଦିର। ଜୟ ଶ୍ରୀ ବାସୁଦେବ କୃଷ୍ଣଙ୍କର , ଜୟ ଭକ୍ତଶ୍ରେଷ୍ଠ ସନିଆଙ୍କର। ଜୟଜୟକାରରେ ଫାଟିପଡ଼ିଲା ଗାଁ ଗୋଟାକ। ସନିଆର ଦୁଇ ଆଖିରୁ ବହି ଯାଉଥାଏ ଧାର ଧାର ଅଶ୍ରୁଧାର। 



Rate this content
Log in

Similar oriya story from Abstract