Chinmaya Nayak

Others

3  

Chinmaya Nayak

Others

ମାଆ ପାଇଁ ଚିଠିଟିଏ

ମାଆ ପାଇଁ ଚିଠିଟିଏ

2 mins
420


ସ୍ନେହମୟୀ ଜନନୀ !

ତୋ ପଦପଙ୍କଜରେ ଭୂମିଷ୍ଠ ପ୍ରଣାମ କରି ଆଶୀର୍ବାଦ ଭିକ୍ଷା କରୁଥିବା ସ୍ୱାର୍ଥପର ହାତଭାଗ୍ୟ ପୁତ୍ର ଆଜି ପତ୍ରଟିଏ ଲେଖୁଛି। ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ତୁ ହିଁ ମୋର ପ୍ରଥମ ସ୍ମରଣୀୟ ନାରୀ ଯାହାକୁ ଶୁଭେଛା ନଜଣାଇଲେ ବୋଧହୁଏ ସବୁକିଛି ନିରର୍ଥକ ହୋଇଯିବ। ହେତୁ ପାଇବା ଦିନଠୁ ତୋ ପଣତର ଛାୟାତଳେ ମୁଁ କରିଚାଲିଛି ନିର୍ଭୟରେ ସ୍ବେଚ୍ଛାଚାରିତାର ଉପଦ୍ରଵ ତଥାପି ତୁ ବଞ୍ଚିତ କରିନୁ କେବେ ତୋ ଅସୀମ ବାତ୍ସଲ୍ୟରୁ। ଅନେକ ସମୟରେ ଆକଟ କରିଛୁ, ଶାସନ କରିଛୁ ତୋ ସ୍ନେହବୋଳା ମିଛ କ୍ରୋଧରେ। ମନେ ମନେ ଗାଳିଦେଇଛି କେତେଥର ହେଲେ ଆଜି ପରିଣତ ବୟସରେ ସେ ଚିତ୍ର କଳ୍ପନାରେ ଶିହରି ଉଠେ ମୋର ତନୁ ମନ ପ୍ରାଣ। ଜୀବନର ବନ୍ଧୁର ପଥରେ ଯେବେ ବି ମୋ ପାଦ ଟଳମଳ ହୁଏ ତୋ ଛବି ସ୍ମରଣ ମାତ୍ରକେ ଅଚାନକ ସ୍ଥିର ହୋଇଯାଏ ଓ ହଟିଯାଏ ସମ୍ମୁଖସ୍ଥ ମାୟା ମରିଚୀକା। ତୋ ଅଭୟ ଆଶୀର୍ବାଦ ଅଜାଣତରେ ମୋର ସୁରକ୍ଷାଚକ୍ର ପରି ମୋ ପାଖେ ପାଖେ ଥାଏ। ତୋଠାରୁ ଦୂରରେ ଥାଇବି ତୋ ଛବି ହୃଦୟରେ ଉଦ୍ଭାସିତ ହୁଏ ପ୍ରତିକୂଳ ପରିସ୍ଥିତି ବେଳେ। ତୋ ବାତ୍ସଲ୍ୟ ପରିଧି ଭିତରୁ ଏ ପାର୍ଥିବ ବାଧ୍ୟତା ମୋତେ ଯେତେ ଦୂରକୁ ନେଇଗଲେ ବି ଛିଡିବନାହିଁ ମମତାର ସେ ଅଛିଣ୍ଡା ରଜ୍ଜୁଟି। 

ଯଦି ମା' କୁ ନେଇ କିଛି ଲେଖାଯାଏ ହୁଏତ ତାର ପ୍ରତିପୃଷ୍ଠାରେ ତୋର ଚରିତ୍ରର ଗାରିମା ଫୁଟି ଚାଲିଥିବ ଓ ସନ୍ତାନ ଏକ ଋଣ ପରିଶୋଧ କରିବାକୁ ଅକ୍ଷମ ରୁଣୀଟିଏ ପରି କାକୁସ୍ଥ ଭାବରେ ନତମସ୍ତକ ରହିଥିବ। ଏପରି ଭାଷାର ଅଳଙ୍କାରରେ ସଜେଇ ଦେଇ ମୁଁ ଆତ୍ମତୃପ୍ତି ଲାଭ କରୁଥିବା ସ୍ୱାର୍ଥପର ଦାମ୍ଭିକଟିଏ। କାରଣ ବାସ୍ତବ ଜଗତରେ ମୁଁ ଯେ ମୋର କର୍ତ୍ତବ୍ୟ କରିବାରେ ସଦା ଅବହେଳା କରି ଆସିଛି ଏହା ସ୍ୱୀକାର କରିବା ଛଡା ମୋର ଅନ୍ୟ ଗତି ନାହିଁ। ତଥାପି ତୋର ଚେନାଏ ହସ ଟିକକ ବଞ୍ଚିବାର ନୂଆ ରାହା ଦେଇ ଆସିଛି। ତୁ ଏକ ଉପସଂହାର ବିହୀନ ଉପନ୍ୟାସ ଓ ମୋ ଜୀବନର ଜୀବନ୍ୟାସ। ତୁ ଏଇ ଭଵ ପ୍ରହେଲିକାରେ ମୋ ପାଇଁ ନାରାୟଣୀ ସମ ମୋର ସୃଷ୍ଟି, ସ୍ଥିତି ଓ ବିଳୟର ଏକମାତ୍ର ଦେବୀ। ଅଶ୍ରୁଭିଜା ନୟନରେ ତୋ ପାଦ ତଳେ ଶତକୋଟି ପ୍ରଣାମ କରି ପ୍ରାୟଶ୍ଚିତ କରିଚାଲିଥିବି ଜୀଵନ ସାରା। 


ଇତି 

ତୋର ଅଧମ ସନ୍ତାନ। 


Rate this content
Log in